ରାତିର କାନି ପଣତ ସନ୍ଧ୍ୟାର ପରଶ ନେଇ
ନୂତନ ଆଶାରେ ଉନ୍ମାଦନା,
ଢାଙ୍କିଦେଇ ନାଲି ଟହ ଟହ ସିନ୍ଦୁରିତ ଟୋପା
ପୃଥିବୀ ରାଣୀର ସୀମନ୍ତର.
ପ୍ରକୃତି ଆକର୍ଷଣରେ ରୌଦ୍ର ଝିଲି ମିଲି ଦିନ
ମୁଠାଏ ସ୍ନେହର ଫୁଆରା ଦେଇ
ଶୂନ୍ୟତାରେ ମିଳେଇ ଯାଇଛି ...
କାମନାର ଦୀପାଳୀରେ ଘନ ତମସାରେ
ନିଷ୍ପ୍ରଭ ସ୍ଫୁଲିଙ୍ଗ ମୁଁ...
ପ୍ରତିଧ୍ୱନି ଶୁଣୁଛି ,ଶୁଣେ ଖାଲି ନିଜ ପ୍ରତିଧ୍ୱନି,
ଫାଇଭ୍ ଷ୍ଟାର୍ ହୋଟେଲ୍ର ଗମ୍ଭୁଜ କୋଠରୀ
କାମନାର ବାସନାର ଗନ୍ଧ,କୋଣେ ଅନୁକୋଣେ
ଶୁଣେ ଖାଲି ନିଜ ପ୍ରତିଧ୍ୱନି,
ବାଲ୍କୋନିର ସ୍କାଇଲାଇଟ୍ ଦେଇ ଚୁମିଯାଏ ମୋତେ
ମଳୟ ସମୀର ସାଥେ ଶେଫାଳୀର ମଧୁର ରୋମାଞ୍ଚ...
ଜାଗେ ନୂତନ ପୁଲକ,
ମୋ ସୁଖ-ଦୁଃଖର ପଦ୍ମବନ ଦଳିଦେଇ ଯାନ୍ତି
ପୁଞ୍ଜିପତି/ବ୍ୟବସାୟୀ/ସମାଜସେବୀ/ସେକ୍ରେଟେରୀ ମହଲ୍
ଡାହାଲା ପାଗଳ ଶ୍ୱାପଦ
କରିଥାନ୍ତି ପାଟରାଣୀ
ସ୍କଚ୍, ହ୍ବିସ୍କି, ରମ୍... ଥିବା ଯାଏ ବଳିଆର ଭୂଜେ
ନିଷ୍ପ୍ରଭ ଏବେ ବୟସର ବାସର ଦୀପାଳୀ
ମଧ୍ୟାହ୍ନର ଶିଶିର ହୋଇ ଝରିପଡ଼ିଛି ଜୀବନ ପଟ୍ଟଭୂମିରେ
-୨-
ଲେଲିହାନ୍ ଜୀବନ ରୋମାଞ୍ଚ...
ମନ-ଆଇନାରେ ଦେଖେଁ ଅବସନ୍ନ ପ୍ରାଚୀରରେ
ଆତ୍ମୀୟତାର ଛାପ ଦେଇ ନିଷ୍ପାପ ଶିଶୁର ହସ
ପରଦାର ଛାୟାଚିତ୍ର ଭଳି ପ୍ରାଣୋଚ୍ଛଳ ଦୃଶ୍ୟ
ଶୂନ୍ୟରେ ଖୋଜିବୁଲେ ମାତ୍ତୃତ୍ୱର ସ୍ଥାନ
ସବୁ ଶୂନ୍ୟ...ଶୂନ୍ୟତାର ସମନ୍ୱୟ
ଶାନ୍ତ ସ୍ନିଗ୍ଧ କଳ୍ପନାରେ ମହନୀୟ ହୋଇ ଉଠେ
ମାତୃତ୍ୱର ପରିଚୟ ମାତ୍ର
ମନେ ପଡ଼େ, ଦିନେ ଭିକାରୁଣୀ ସାଜିଥିଲି
ନିରୀହ ନିଷ୍ପାପ ଏକ ନିଃସ୍ୱ ପାଖରେ
କବି ବୋଲି ପରିଚୟ, କହିଥିଲି-
କବି ! ଉପଗତ ତୁମ କୁଟୀରରେ,
ଓରଳା ତରଳା ନାରୀର ଅନୁନୟ ନିବେଦନ ଘେନି
ପୂର୍ଣ୍ଣକର ମାତ୍ତୃତ୍ୱର ଶୂନ୍ୟସ୍ଥାନ ମୋର !
କବି ନିରୁତ୍ତର,ଶୁଭୁଥାଏ ଖାଲି କବିର କବିତାର ଧ୍ୱନି...
ଅସମ୍ଭବ...ତୁମେ ପରା ନର୍ତ୍ତକୀ ସାଜିଛ
ଫାଇଭ୍ ଷ୍ଟାର୍ ହୋଟେଲ୍ର ଜୀବନଧାରାରେ
ଯୌବନର ରୂପ ସମ୍ଭାରକୁ ସମ୍ବେଦନଶୀଳ ହୃଦୟରେ
ପ୍ରଦର୍ଶନ କରିଅଛ କାମାର୍ତ୍ତ ସମ୍ମୁଖେ
ଯୌବନର ପିଚ୍ଛିଳତାରେ ଗର୍ବ ମନେକରି
ସେ କି ପାଇବ ଶାନ୍ତି ନିଃସ୍ୱ କବି କୁଟୀରରେ?
ରଜନୀଗନ୍ଧାର ବାସ୍ନା ପ୍ରବାହିତ ଶିରା ଧମନୀରେ
ମଧୁ ବିତରଣକରି ଏ ଭ୍ରମରୁ ସେ ଭ୍ରମର ଚୋରାରେ ଚୋରାରେ
ସେ ଖୋଜୁଛି ମାତ୍ତୃତ୍ୱ?
କବି ନୁହେଁ ଓସ୍ତାଦ ବିଲାୟତ ରୁପୀ
-୩-
ଝୁମି ଝୁମି ନାଚିଯିବ ସଙ୍ଗୀତର ତାଳେ
ନୁହେଁ ଓସ୍ତାଦ ଗନୀ,ତାବଳାରେ ତାଳଦେବ ନୂପୁର ନିକ୍ୱଣ
ନୁହେଁ ମାମୁଦ୍,ଗୀତାରର ସୁରେ ସୁରେ ହୋଇଯିବ ମାତାଲ୍
କବି ନିଃସ୍ୱ-
ମାତ୍ତୃତ୍ୱର ସ୍ଥାନ ଦେଇ ପୋଷିପାରିବନି
ନବଜାତ ଶିଶୁ ଦୁଧ ଟୋପେ ଦେଇ
ରୁଗ୍ମ ଶୀର୍ଣ୍ଣ ହେବ ଘାସ ଗୁଳ୍ମ ଅଖାଦ୍ୟକୁ ଖାଇ
ହସର ପ୍ରଳେପ କେବେ ଦେଇ ପାରିବନି ତାଆରି ଓଠରେ...
ସବୁ ଶୂନ୍ୟ...ଶୂନ୍ୟତାର ସମନ୍ୱୟ ମାତ୍ର...
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ପଞ୍ଚାୟତ ମହାବିଦ୍ୟାଳୟ,ଧର୍ମଗଡ,କଳାହାଣ୍ଡି
ଭ୍ରାମ୍ୟଭାଷ : ୯୫୫୬୪୮୪୩୧୦
ଇମେଲ୍ - mahindrapal10@gmail.com
Go Back to Previous Page
ଯମ ମୋର ତ୍ରାଣକର୍ତ୍ତା
ଡମ୍ବରୁଧର ପଟ୍ଟନାୟକ
Read Article
ଅସଜଡ଼ା
ସୁବ୍ରତ କୁମାର ସେନାପତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ