ଶରବିଦ୍ଧ ମରାଳର କରୁଣ ଚାହାଣୀ,
ଲହୁ ତାର ବୋହିଗଲା
ତୁମ ଦୁଇ ନୟନରୁ ।
ଆର୍ତ୍ତ ଚିତ୍କାର ତାର ଦବିଗଲା
ତୁମ କୋହଭରା ଦୀର୍ଘ ନିଶ୍ୱାସରେ ।
ଛାତିରେ ଜାବୁଡି ଧରି
ମରାଳର ଆହତ ଶରୀର,
କେତେ କରୁଣରେ କାନ୍ଦିଥିଲ ତୁମେ !
ହେ ଗୌତମ,
କେତେ ଜ୍ଞାନ ଢାଳିଗଲ,
ଦେବବ୍ରତ ବଧୀର କର୍ଣ୍ଣ ଗହ୍ୱରରେ ।
ହେଲେ ଜ୍ଞାନସବୁ ବୋହିଗଲା
ଅହଂକାରୀ ଛିଦ୍ର ଗାଗରୀରୁ ।
ଦେବବ୍ରତ ଜିତିପାରେ ସମଗ୍ର ମେଦିନୀ,
ତୀକ୍ଷ୍ଣ ତାର ଖଡ୍ଗ ପ୍ରହାରରେ ।
ଗୌତମ ତ ରହିଯାଏ ପଛେ,
ଗୈରୀକ ବସନ ତଳେ ଆତ୍ମାକୁ ଛୁପାଇ,
ମହାଦ୍ରୁମ ତଳେ ନିର୍ବାଣ ଖୋଜଇ ।
ଅତିଷ୍ଟ ସଂସାରରୁ କନିକାଟି,
ଖସି ଚାଲିଯିବା ପାଇଁ ।
ତୁମେ ତ ଆଖି ବୁଜିଦେଲ,
ଦେଖିଲନି ଥରେ,
ବିରହିଣୀ ରାଜକନ୍ୟା ଯଶୋଧାରା
କେତେଯେ କାନ୍ଦିଛି ଆଉ,
ପିତୃସ୍ନେହ ଟିକେ ପାଇଁ,
ରାହୁଳର ବ୍ୟାକୁଳିତ ମନ ।
ଶିଖାଇ ଦିଅନ୍ତନି ଥରେ,
କେମିତି ସବୁ ଶୁଣି ବି
ବଧୀରର ଅଭିନୟ କରିବାକୁ ହୁଏ ।
ବୁଝାଇ ଦିଅନ୍ତନି ଥରେ,
ସବୁ କିଛି ଜଳଜଳ ଦେଖି ପୁଣି,
ଆଖିରେ ଅନ୍ଧପୁଟୁଳୀ କେମିତି ବାନ୍ଧନ୍ତି ।
ରାଜପୁତ୍ର ତୁମେ, କେମିତି ଯେ ଡରିଗଲ,
ରୋଗ, ବାର୍ଦ୍ଧକ୍ୟ ଆଉ ମୃତ୍ୟୁର ଜନ୍ତ୍ରଣା
ନିଜ ନୟନରେ ଦେଖି ?
ରୋଗ, ବାର୍ଦ୍ଧକ୍ୟ, ମୃତ୍ୟୁ,
କଣ ଖାଲି ଜୀବନର ସତ୍ୟ?
ତେବେ ପୁତ୍ରହରା ପିତା ମାତାର କ୍ରନ୍ଦନ,
ପତି ବିରହରେ ପତ୍ନୀର ଦୁର୍ଦଶା,
ପିତା ସ୍ନେହ ପ୍ରେମ ଟିକେ ପାଇଁ
ପୁତ୍ରର ସେ ବ୍ୟାକୁଳ କ୍ରନ୍ଦନ,
ଇଏ କଣ କେବଳ ମିଥ୍ୟା ପ୍ରହଶନ?
ମାୟା କେଉଁ ପକ୍ଷୀଟିର ନାମ?
ଜୀବନର ଚିରନ୍ତନ ସତ୍ୟ ପ୍ରତି
ତୁମର ଯେ ଭୟ,
ସେ କଣ ସ୍ୱ-ପ୍ରେମ ଆଉ,
ସ୍ୱାର୍ଥପରତା ନୁହେଁ?
ନିଜର ନିର୍ବାଣ କାମନା କରି,
ଅନ୍ୟର ଦୁଃଖରେ ଆଖି ବୁଜିଦେଲ ?
ତୁମକୁ ତ ପଥ ମିଳିଗଲା,
ସିଦ୍ଧାର୍ଥଙ୍କୁ ନିର୍ବାଣ ମିଳିଲା ।
ହେଲେ କେତେ ଯେ ସିଦ୍ଧାର୍ଥ ଆଜି,
ପେଷି ହୋଇ ଯାଆନ୍ତି,
ନିଜ ସୁଖଟିକେ ପାଇଁ ନୁହେଁ, ବରଂ
ନିଜ ପରିବାର, ପତ୍ନୀ ପୁତ୍ର
ବନ୍ଧୁଙ୍କର ସୁଖ ଟିକେ ପାଇଁ ।
କେତେ ଧନୁର୍ଦ୍ଧାରୀ ଦେବଦତ୍ତ ଆଜି
ଭ୍ରମନ୍ତି ନିର୍ଭୟରେ ନିରିହ ମରାଳ ସନ୍ଧାନେ ।
ବର୍ତ୍ତିଗଲ ତୁମେ ବୁଦ୍ଧ କିନ୍ତୁ ଦେଖିଲନି ଥରେ
କେତେ ଅସହାୟ ଆଜିର ଗୌତମ,
ଆଉ ଦେବବ୍ରତ ସବୁ ଯେ
ଚିରଞ୍ଜୀବି ହୋଇଗଲେ ।
Go Back to Previous Page
ନଗ୍ନ ଚାହାଣୀ
ପ୍ରଜ୍ଞା ପାରମିତା
Read Article
ଯନ୍ତ୍ରଣା
କାର୍ତ୍ତିକେଶ୍ବର ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ