ମୁହଁ ସଂଜ ହେଇଥିଲା ମୁଁ ଝୁନୀ ମାଉସୀ ଘରେ ପହଁଚିଲା ବେଳକୁ। ଦାଣ୍ଡ ଘର ଡେଇଁ ଅଗଣା ଭିତରେ ପଶିଲା ବେଳକୁ ଝୁନୀ ମାଉସୀ ସଂଜ ବଳୁଥିଲା। ଅଗଣାରେ ଗଦା ହେଇଥିଲା ସଦ୍ୟ ଛିଣ୍ଡା ହେଇ ଆସିଥିବା ଦଶ ପନ୍ଦରଟା ଫୁଲକୋବି। ମତେ ଦେଖି ମାଉସୀ ଦଉଡି ଆସିଲା ମୋ ପାଖକୁ। ହଇରେ ସଞ୍ଜୟ, ଏତେ ଦିନରେ ତୋର ମାଉସୀ ମନେ ପଡିଲା କହି ସ୍ନେହରେ ମୋର ମୁହଁରେ ହାତ ବୁଲେଇ ଆଣିଲା ସେ। ହଉ, ଯା ନଳକୂଅ ପାଖରେ ଧୋଇ ହେଇକି ଆସେ। ଅଗାଧୁ ଏଇ ସାଙ୍ଗେ ସାଙ୍ଗେ ବିଲରୁ କୋବି ନେଇକି ଆସିଛି, ମୁଁ ତୋ ପାଇଁ କୋବି ପକୁଡି ତିଆରି କରୁଚି କହି ଲତା, ଲତା ବୋଲି ଡାକ ପକାଇଲା ମାଉସୀ। ବୋଧହୁଏ ଲତା ବୋଲି ନୂଆ ଝିଅ କିଏ ତା ଘରେ ସାହାଯ୍ୟ କରିବାକୁ ଅଛି। ମୁଁ ଗୋଡ଼ ହାତ ଧୋଇ ହେଇ ଅଗଣାରେ ପଡିଥିବା କାଠ ଚୌକିରେ ଯାଇ ବସିପଡ଼ିଲି ଧକଡ଼ କଚଡ଼ ହେଇ ଆସିଥିବା ବସର କ୍ଲାନ୍ତି ମେଣ୍ଟାଇବାକୁ ।
ମୋର ମନେ ପଡିଗଲା ଏମିତି ଗୋଟେ ମୁହଁ ସଞ୍ଜବେଳେ ଝୁନୀ ମାଉସୀ ଆସିଥିଲା ଆମ ଘରକୁ, ମୋର ରକ୍ଷାକାରିଣୀ ହେଇ। ସେ ଆମ ଘରେ ପହଁଚିଲା ବେଳକୁ ମୋ ଉପରେ ବାପାଙ୍କର ଗାଳିବର୍ଷଣ ହଉଥିଲା, ମୁଁ ନବମ ଶ୍ରେଣୀ ହାଫ ଇଆରଲି ପରୀକ୍ଷାରେ ଆଲଜେବ୍ରା ପେପରରେ ମୋଟରୁ କୋଡିଏ ନମ୍ବର ପାଇଥିଲି। ବାପା ଗାଳି କରୁଥିଲେ ସେ ଆଦର୍ଶ ଶିକ୍ଷକ ବୋଲି କେତେ ଭଲ ଛାତ୍ର ସବୁ ତିଆରି କରିଛନ୍ତି ଆଉ ମୁଁ ତାଙ୍କର ପୁଅ ହେଇ ଏମିତି ନମ୍ବର ରଖିଛି। ହଠାତ ବାପାଙ୍କ ଆଗରେ ଠିଆ ହେଇଯାଇଥିଲା ମାଉସୀ, କହିଥିଲା କାଇଁ ତା ଉପରେ ରାଗୁଚ ଶରତ? ତାକୁ ମୋ ସଂଗେ ଛାଡିଦିଅ, ସେ ଆମ ଗାଁ ସ୍କୁଲରେ ପଢିବ । ଦେଖିବ, ତାକୁ ଫାଷ୍ଟ ଡିଭିଜନରେ ପାସ କରେଇବା ଦାୟିତ୍ୱ ମୋର। ଆମ ଗାଁ ସ୍କୁଲ ଶ୍ୟାମ ସାରଙ୍କ ପାଖରେ କେତେ ଦୁଷ୍ଟପିଲା ଭଲ ହେଇ ଯାଇଛନ୍ତି ଆଉ ଆମ ସଞ୍ଜୟ କଣ ବାଦ ପଡ଼ିଯିବ? ତା ପର ସପ୍ତାହରେ ମୁଁ ବାପାଙ୍କ ସଂଗେ ଝୁନୀ ମାଉସୀ ଗାଁକୁ ଆସିଥିଲି, ବୋଉର ଦୁଆର ବନ୍ଧ ପାଖରେ ଠିଆ ହେଇ ଛଳ ଛଳ ଆଖିରେ ଠାକୁରଙ୍କୁ ଜୁହାର କରୁଥିବା କରୁଣ ମୁହଁକୁ ସାମ୍ନା କରିବାର ସାହସ କରିନପାରି ।
ରାମଚନ୍ଦ୍ରପୁର ଗାଁ ବରୀ ଅଞ୍ଚଳରେ ଗୋଟିଏ ଭଲ ଗାଁ ଭିତରେ ଗଣା। ଏଇଟା ଝୁନୀ ମାଉସୀର ଗାଁ। ସିଏ ମୋ ବୋଉର ବଡ଼ ଭଉଣୀ। ମଉସା ଅଲଗା ଜାଗାରେ ଚାକିରୀ କରୁଥିଲେ ଆଉ ତାର ଗୋଟିଏ ବୋଲି ପୁଅ ଶେଖର ଭାଇ କଟକରେ ରହି ପାଠ ପଢୁଥିଲେ। ରାମଚନ୍ଦ୍ରପୁର ହାଇସ୍କୁଲ ସବୁବେଳେ ଭଲ ରେଜଲ୍ଟ କରୁଥିଲା ମାଟ୍ରିକ ପରୀକ୍ଷାରେ। ନବମ ଶ୍ରେଣୀ ଅଧାରୁ ମୋର ସେଇ ସ୍କୁଲରେ ନାମ ଲେଖା ହେଇଗଲା। ସ୍କୁଲରେ ପ୍ରଥମ ଦିନ ମତେ ଭାରି ଭୟ ଆଉ ଲାଜ ମାଡୁଥିଲା, ମୁଁ କାହା ସଂଗେ ଭଲରେ କଥାବାର୍ତ୍ତା ହେଇପାରୁ ନଥିଲି। ଖେଳ ଛୁଟିରେ ପଛରୁ କେହି ମତେ ଡାକିଲା, ‘ସଞ୍ଜୟ’ ମୁଁ ବୁଲି ପଡି ଦେଖିଲି ନହକା ସାଵନା ରଙ୍ଗର ଦୁଇ ଟିକିଆ ବେଣୀ ବାନ୍ଧିଥିବା ଝିଅଟିଏ। ମୁଁ ଅନିମା, ଶ୍ୟାମ ସାରଙ୍କ ଝିଅ। ଝୁନୀ ବଡ଼ବୋଉ ତମ କଥା କହୁଥିଲେ। ସେଇଥିଲା ମୋର ଅନିମା ସଂଗେ ପ୍ରଥମ ସାକ୍ଷାତ। ମୁଁ ସ୍କୁଲ ପରେ ସନ୍ଧ୍ୟା ବେଳେ ଶ୍ୟାମ ସାରଙ୍କ ଘରକୁ ଟିଉସନ ଯାଉଥିଲି ଆଉ ଅନିମା ସଂଗେ ମୋର ବନ୍ଧୁତା ଖୁବ ଜମି ଯାଇଥିଲା। ଦୁଇ ଜଣ ସାରଙ୍କ ପାଖରେ ବସି ରାତି ନ’ଟା ଯାଏଁ ପାଠ ପଢ଼ୁଥିଲୁ। ଅନିମା ମଝିରେ ମଝିରେ ମାଉସୀ ଘରକୁ ଆସୁଥିଲା, ସେମାନେ ଦୁଇ ଜଣ ମିଶି ଖୁବ ବଢିଆ କୋବି ପକୁଡି ତିଆରି କରୁଥିଲେ। କୋବିକୁ ଛୋଟ ଛୋଟ ଖଣ୍ଡ କାଟି ସେଥିରେ ଧନିଆପତ୍ର, ଅଦା, ରସୁଣ, କଞ୍ଚା ଲଙ୍କା ଛେଚା ପକେଇ ବେସନ ଗୋଳେଇ ଗରମା ଗରମ କୋବି ପକୁଡି ଥାଳିଏ ଧରି ମାଉସୀ ମୋ ଆଗରେ ଥୋଇ ଦେଉଥିଲା। ମୁଁ ଆଗ ପଛ ନ ବିଚାରି ସେ ସବୁକୁ ଚଟାପଟ ଶେଷ କରିଦେଇ ଆହୁରି ଖାଇବାକୁ ଥାଳିଆ ବଢ଼ାଇ ଦେଉଥିଲି, କେବେ ଭାବୁନଥିଲି ସେମାନେ ଖାଇବାକୁ ଆଉ ଅଛି କି ନାହିଁ ବୋଲି। ଏମିତିରେ ମୋର ଅଧିକାଂଶ ବେଳେ ଜିଭ ପୋଡି ଯାଉଥିଲା ଗରମ ପକୁଡିକୁ ସିଧା ପାଟିରେ ପୁରାଇ ଦେବାରୁ ଆଉ ମୋର ବିକଳିଆ ଅବସ୍ଥା ଦେଖି ଅନିମା ହସି ହସି ଗଡି ଯାଉଥିଲା। ପୁଣି ପର ମୁହୂର୍ତ୍ତରେ କହୁଥିଲା ପକୁଡିକୁ ଦିଖଣ୍ଡ କରି ଫୁଙ୍କି ଫୁଙ୍କି ଖାଅ ସଞ୍ଜୟ, ତାହେଲେ ଶୀଘ୍ର ଥଣ୍ଡା ହେଇଯିବ, ଜିଭ ପୋଡିଯିବନି ।
କେବେ କେବେ ମୋର କିଶୋର ସୁଲଭ ସ୍ୱପ୍ନ ଅନିମାକୁ ମୋ ଘର ଅଗଣାରେ ପାଉଥିଲା, କିନ୍ତୁ ମୋ ବିବେକ ମତେ ଲଗାମ ଟାଣୁଥିଲା, ଛି!! ମୁଁ କଣ ଭାବୁଛି?? ଅନିମା ମୋ ଠାରୁ ଢେର ଭଲ ଛାତ୍ରୀ। ସେ ନିଶ୍ଚୟ ଭଲ ଚାକିରୀ ବାକିରି କରିବ, ତା ଛଡା ସିଏ ଯେ ଜାତିରେ ବ୍ରାହ୍ମଣ, ତା’ ବିଷୟରେ ଏଣୁ ତେଣୁ ଭାବିବା ପାପ କଥା। ଏମିତି ଏମିତି ଦେଢ଼ ବର୍ଷ ପାଣି ଭଳି ଗଡି ଯାଇଥିଲା, ଆଉ ମୁଁ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ଆଗରୁ ଆମ ଗାଁକୁ ଚାଲି ଆସିଥିଲି, କିଛି ସ୍ମୃତିକୁ ସାଙ୍ଗରେ ନେଇ। ପରୀକ୍ଷା ଫଳ ବାହାରିଲା ଦିନ ବୋଉ ସବୁଠୁ ଅଧିକା ଖୁସି ଥିଲା କାରଣ ତା’ର ମୋର ଦୀର୍ଘ ଦେଢ଼ ବର୍ଷର ବିଚ୍ଛେଦର ମୂଲ୍ୟ ମୁଁ ରଖିଥିଲି, ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲି। ମଝିରେ ମଝିରେ ଯେ ଅନିମା କଥା ମୋର ମନେ ପଡ଼େନି ତା ନୁହେଁ ହେଲେ ଆଉ କେବେ ମୁଁ ସୁଯୋଗ ପାଇନଥିଲି ତାକୁ ଦେଖିବାକୁ ଅବା କୃତଜ୍ଞତା ଜଣାଇବାକୁ ତା’ର ଆଉ ଶ୍ୟାମ ସାରଙ୍କର ମୋ ପାଠ ପଢାରେ ଅବଦାନ ପାଇଁ ।
ହଠାତ ଦିନେ କାମରେ ବାଲେଶ୍ୱର ଫିଲଡ ଅଫିସ ଯାଇଥିଲି, ବସଷ୍ଟାଣ୍ଡରେ ଅନିମାକୁ ଦେଖିଲି। ଯଦିଓ ତା’ ଚେହେରାରେ ଢେର ପରିବର୍ତ୍ତନ ହେଇ ଯାଇଥିଲା ଏବଂ ଏଇ ଭିତରେ ସେ ବାହା ମଧ୍ୟ ହେଇ ସାରିଥିଲା, ତାକୁ ଚିହ୍ନିବାରେ ମତେ କିଛି ଅସୁବିଧା ହେଲାନାହିଁ। ଅନିମା, ମୁଁ ତାକୁ ପଛରୁ ଡାକିଲି, ସେ ବୁଲି ପଡି ମତେ ଚାହିଁଲା। ଆରେ ସଞ୍ଜୟ??? ତମେ?? କଣ ଖବର?? ଅନିମା ଠାରୁ ଜାଣିବାକୁ ପାଇଲି ଯେ ସେ ଓ଼ମେନ୍ସ କଲେଜରେ ଫିଜିକ୍ସ ଲେକ୍ଚର ଅଛି ଆଉ ସହଦେବଖୁଣ୍ଟା ଅଂଚଳରେ ଭଡା ନେଇ ରହୁଛି। ତା’ର ସ୍ୱାମୀ କଲିକତାରେ ଚାକିରୀ କରନ୍ତି, ଛୁଟିଦିନ ହେଲେ ତା’ ପାଖକୁ ଆସନ୍ତି। ‘ସଞ୍ଜୟ, ତମେ ସୁବିଧା ହେଲେ ମୋ ଘର ଆଡେ ଆସିବ, ତମକୁ ସେମିତି କୋବି ପକୁଡି ଖାଇବାକୁ ଦେବି’ କହି ତା ଫୋନ ନମ୍ବର ଆଉ ଠିକଣା ଦେଲା ମତେ ଅନିମା। ମୁଁ ତାକୁ ହଉଟିଏ କହି ତା ଠାରୁ ବିଦାୟ ନେଲି ସେଦିନ ପାଇଁ।
ମୁଁ ଜାଣିନି ମୋର ଦୁର୍ବଳତା ଅନିମା ପାଇଁ ଥିଲା ନା ତା’ ହାତ ତିଆରି କୋବି ପକୁଡି ପାଇଁ , କିନ୍ତୁ ଯେତେବେଳେ ମୁଁ ଅଫିସ କାମରେ ବାଲେଶ୍ୱର ଯାଉଥିଲି, ସନ୍ଧ୍ୟା ହେଲେ ମୋର ମଟରସାଇକଲ ଆପେ ତା’ ଘର ଆଡେ ମୁହାଉଁଥିଲା। ସତରେ ଅନିମା ଚମତ୍କାର ପକୁଡି ତିଆରି କରି ମତେ ଦଉଥିଲା ଆଉ ଆମେ ଦୁହେଁ ମିଶି ଆମ ସ୍କୁଲ ବେଳର ସ୍ମୃତି ସବୁ ମନେ ପକାଇ ଉଲ୍ଲସିତ ହଉଥିଲୁ। କିନ୍ତୁ ତା’ଘର ମାଲିକାଣିର କଟାସ ଭଳି ଆଖିରେ ସଂଦେହୀ ଚାହାଣୀ ମତେ ଜମା ଭଲ ଲାଗୁନଥିଲା। ସେ ମୋର ଯିବା ଆସିବା ବେଳେ ଯେମିତି ଗାରଡେଇ ଚାହୁଁଥିଲା ସେଥିରୁ ତା’ମନରେ ଥିବା କଥା ମୁଁ ସ୍ପଷ୍ଟ ଭାବରେ ବୁଝି ପାରୁଥିଲି, କିନ୍ତୁ ମୋ ଦୁର୍ବଳତା ଆଗରେ ମୁଁ ନାଚାର ଥିଲି। ଅବଶ୍ୟ ଚାରି ଛ ମାସ ପରେ ମୁଁ ସେ ଚାକିରୀ ଛାଡି କଟକ ଆସି ନୂଆ ଏକ ଚାକିରୀ କଲାପରେ ଅନିମା ସହ ଆଉ ସାକ୍ଷାତ ହେଇ ନଥିଲା। ଏଇ ଭିତରେ ଦୁଇ ତିନି ବର୍ଷ ବିତି ମଧ୍ୟ ଯାଇଥିଲା। କେଜାଣି ଏବେ କୋଉଠି ଅଛି ??
ସଞ୍ଜୟ, ନେ, ପକୁଡି ଖା। ମାଉସୀର ସ୍ୱରରେ ମୋ ଘୁମେଇ ପଡିଥିବା ଆଖି ଖୋଲିଗଲା। ଥାଳିରେ ଥାଳିଏ ପକୁଡି ମାଉସୀ ମୋ ହାତକୁ ବଢ଼ାଇ ଦେଲା। ତା ହାତରୁ ଥାଳି ନେଉ ନେଉ ମୁଁ ତା’କୁ ଅନିମା କଥା ପଚାରି ଦେଲି। ମାଉସୀର ମୁହଁଟା କାହିଁକି କେଜାଣି ନିରସିଆ ହେଇଗଲା। ତା’ କଥା କହନା ପୁଅ। ଭଲ ଝିଅଟିଏ ତ ଥିଲା ତୁ ଜାଣିଚୁ। ହେଲେ ପୋଡ଼ାମୁହିଁ କାଇଁକି ଏମିତି କଲା କେଜାଣି? ମାଉସୀ କଥା ଶୁଣୁ ଶୁଣୁ ଟାକୁ କରି ଗରମ ପକୁଡି ଗୋଟାଏ ପାଟିରେ ପୁରାଇ ଦେଲି ମୁଁ ଏବଂ ଚିରାଚରିତ ମୋର ଜିଭ ପୋଡିଗଲା ଗରମରେ। “ପକୁଡି କି ଦି ଖଣ୍ଡ କରି ଫୁଙ୍କି ଫୁଙ୍କି ଖା, ଆଉ ଜିଭ ପୋଡିଯିବନି” ମତେ ଶୁଣାଗଲା ଯେମିତି ମାଉସୀ ନୁହେଁ ଅନିମା ସେ କଥା କହୁଛି। ହଉ ଶୁଣ ତା’ କଥା। ମାଉସୀ ପୁଣି ଆରମ୍ଭ କଲା, ଦି ଚାରି ବର୍ଷ ତଳେ ସେ ବାଲେଶ୍ୱରରେ ରହୁଥିଲା। ତା’ ସ୍ୱାମୀ ତ ବାହାରେ କୁଆଡେ ରହୁଥିଲା ଯେ ମଝିରେ ମଝିରେ ତା ପାଖକୁ ଆସୁଥିଲା ହେଲେ ତା ଘରକୁ ଆଉ ଗୋଟେ ଟୋକା କିଏ ସବୁ ବେଳେ ଯିବା ଆସିବା କରୁଥିଲା। ତା’ ଘର ମାଲିକାଣି କି ଏ କଥା ସମ୍ଭାଳିବ, ତା’ ସ୍ୱାମୀ ଆଗରେ ସବୁ କଥା କହିଦେଲା। ତୁ ନିଜେ କହିଲୁ, ଏ କଥା ଶୁଣିଲେ କୋଉ ସ୍ୱାମୀ ଆଉ ସହିବ? ସେଇଠୁ ତା’କୁ ଛାଡ଼ପତ୍ର ଦେଇଦେଲା। ସେଇ ଦୁଃଖରେ ଶ୍ୟାମ ସାର ଚାଲିଗଲେ ଆଉ ସିଏ ଏବେ ନବରଙ୍ଗପୁର ନା ମାଲକାନଗିରି କୁଆଡେ ଦୂର ଜାଗାରେ ରହୁଛି।
ମାଉସୀ କଥା ଶୁଣି ମୋ ଜିଭ ଆହୁରି ଜୋରରେ ପୋଡା ହଉଥିଲା। ପ୍ରତିବାଦ ଆଉ ଆତ୍ମଗ୍ଲାନିରେ ମୁଁ ଯାହା କିଛି କହୁଥିଲି, ଗଁ ଗଁ ସ୍ୱର ବ୍ୟତୀତ ମାଉସୀ ଆଉ କିଛି ଶୁଣି ପାରୁ ନଥିଲା
ଆଇଆରସି ଭିଲେଜ୍, ନୟାପଲ୍ଲୀ, ଭୁବନେଶ୍ବର
Go Back to Previous Page
ଦଙ୍ଗା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଦଳିତ
ଏ ପି ଶୁଭକାନ୍ତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ