ସ୍ୱରୂପ ବାବୁ ନିଜ ହିରୋହୋଣ୍ଡାର ବ୍ରେକ କଷିଲେ। ନିଛାଟିଆ ରାସ୍ତା ମଝିରେ କିଏ ସେଇ ଯୁବକ? ଗାଡ଼ି ଗୁଡ଼ିକ କ୍ଷୀପ୍ରବେଗରେ ଗତି କରୁଥାନ୍ତି। ରାସ୍ତାର ଗୋଟିଏ ପାର୍ଶ୍ବରେ ଠିଆ ହୋଇ ଲିଫ୍ଟ ମାଗୁଥାଏ ଯୁବକଟି। ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା, ପବନ ଘୁ ଘୁ ଶବ୍ଦ କରି ବୋହୁଥାଏ, କୋହୋଲା ପାଗ। ପ୍ରବଳ ଥଣ୍ଡାରେ ଥରି ଯାଉଥାଏ ସାରା ଶରୀର। ସେଇ ଅଚିହ୍ନା ଯୁବକ କରୁଣ ଓ କାତର କଣ୍ଠରେ ସାହାଯ୍ୟ ମାଗୁଥିଲେ ସ୍ୱରୂପବାବୁଙ୍କୁ। ରାସ୍ତାର ଟିକେ ଦୂରରେ ଏକ ମାରୁତି କାର ଭିତରେ ଜଣେ ସୁନ୍ଦରୀ ଯୁବତୀ ଯାଆଁଳା ଶିଶୁ କନ୍ୟା ଦୁଇଟିକୁ ଧରି ବସିଥାନ୍ତି। ସେଇ କାରର ଆଗ ଚକା ପଙ୍କଚର ହୋଇ ଯାଇଥାଏ। ସେଠାରୁ ପ୍ରାୟ ୩୦ କି. ମି. ଦୂରରେ ଯାଇ କଟକ ସହର। ବହୁ ଦୂରରୁ ଢେଙ୍କାନାଳରୁ ଲକ୍ଷ୍ମୀ ପୂଜା ଦେଖି ଫେରୁ ଫେରୁ ଅଭିଜିତ ବାବୁଙ୍କର ଏଇ ଅବସ୍ଥା ସେଇଦିନ। କେମିତି କଣ ସାହାଯ୍ୟ କରିବେ ବୋଲି ଭାବୁଥିଲେ ସ୍ୱରୂପ ବାବୁ। ଏତିକି ବେଳେ ଅଭିଜିତ ବାବୁ କହିଲେ ଆପଣଙ୍କ ମୋଟର ସାଇକେଲ ଟିକେ ଦିଅନ୍ତୁ ମୁଁ କଟକକୁ ଯାଇ ଜଣେ ମେକାନିକକୁ ଧରି ଆସେ। ଆପଣ କିଛି ମାଇଣ୍ଡ୍ କରିବେନି ଯଦି ଟିକେ ମୋ ଗାଡ଼ିକୁ ନଜର କରୁଥାନ୍ତୁ। ଗାଡ଼ିରେ ମୋ ସ୍ତ୍ରୀ ଓ ଝିଅମାନେ ବସିଛନ୍ତି। ଅଭିଜିତ ବାବୁ, ସ୍ୱରୂପ ବାବୁଙ୍କ ମୋଟର ସାଇକେଲ ଧରି ସହର ଅଭିମୁଖେ ବାହାରିଗଲେ।
ସ୍ୱରୂପ ବାବୁ ଛିଡ଼ା ହୋଇଥାନ୍ତି ଗାଡ଼ି ଠାରୁ ଅଳ୍ପ ଦୂରରେ। ହଠାତ ଝିପ ଝିପ ବର୍ଷା ହେବାକୁ ଲାଗିଲା, ଏତିକି ବେଳେ ଗାଡ଼ି ଭିତରୁ ମହିଳା ଜଣଙ୍କ ଗାଡ଼ି ଆଗ ସିଟରେ ଆସି ବସିବାକୁ ସ୍ୱରୂପ ବାବୁଙ୍କୁ କହିଲେ। ମନରେ ମାଡ଼ି ବସୁଥିଲା ଅଜଣା ଭୟ ଓ ଅନ୍ୟମନସ୍କତା। ତଥାପି ଅନୁରୋଧକୁ ଉପେକ୍ଷା ନ କରି ଗାଡ଼ି ଭିତରେ ଯାଇ ବସିଲେ। ସାମ୍ନା ମିରର୍ରେ ସେହି ମହିଳଙ୍କୁ ଦେଖି ପାଦତଳୁ ମାଟି ଖସି ଯାଇଥିଲା ସ୍ୱରୂପ ବାବୁଙ୍କର। ସେ ଥିଲେ ତାଙ୍କର ମନର ମାନସୀ ଓ ପତ୍ନୀ ଶାଶ୍ବତୀ। ଦୁହିଁଙ୍କ ପୁନଃ ମିଳନରେ ଦୁହେଁ ଆତ୍ମହରା ହୋଇ ଉଠିଥିଲେ। ତୁମେ ଏଠି, ଏଇ ପରିସ୍ଥିତିରେ, ସେ ବାବୁଙ୍କ ସାଙ୍ଗରେ... କେମିତି ଶାଶ୍ବତୀ। କୋହ ମିଶା କଣ୍ଠରେ ଶାଶ୍ବତୀ କହି ଚାଲିଲେ ଗୋଟି ଗୋଟି ସବୁ କଥା। ବହି ଯାଉଥିଲା ତାଙ୍କ ଆଖିରୁ ଲୁହର ଯମୁନା। ତୁମର ମୋ ପାଇଁ ତ ସମୟ ନାହିଁ ନା, ଟିକେ ବି ଫୋନ କଲନି। ମିସ୍ କଲ୍ ଟିଏ ବି ଦବାକୁ ସମୟ ନଥିଲା ତୁମ ପାଖରେ। ଫୋନରେ ସବୁ କଥା ଜଣେଇଲ। ପରେ ବି... ଏଇ ଦେଖ ରାକ୍ଷୀ ଆଉ ରାନୀ କେମିତି ତୁମକୁ ଏକ ଲୟରେ ଚାହିଁଞ୍ଚନ୍ତି। ଯୋଡ଼ି ହୋଇ ଯାଉଥିଲା ଅତୀତ ଅଧ୍ୟାୟର ଫର୍ଦ୍ଦ ପରେ ଫର୍ଦ୍ଦ। ଦୀର୍ଘ ବିଛେଦର ଅନ୍ତର ବେଦନା। ଅନେକ ଦିନର ଅକୁହା ସେ, ଅନେକ କଥା। ସ୍ୱରୂପ ବାବୁଙ୍କର ଅଞ୍ଚଳର ଝିଅ ଥିଲେ ଶାଶ୍ବତୀ। ଢେଙ୍କାନାଳ ଛାଡ଼ି ଉଚ୍ଚଶିକ୍ଷା ପାଇଁ ଉଭୟ ବାଣୀବିହାରରେ ଭର୍ତ୍ତି ହୋଇଥାନ୍ତି। ଶାଶ୍ବତୀଙ୍କ ବାପା ଜଣେ ସରଳ, ଅମାୟିକ, ମିଷ୍ଠଭାଷୀ ମହାଦେବଙ୍କ ଉପାସକ। ଏଇ ଚନ୍ଦ୍ରଶେଖର ଶିବ ମନ୍ଦିରରେ ପୂଜାପାଠ କରନ୍ତି। ଏଇ ଫାଷ୍ଟ ପାସେଞ୍ଜରରେ ପ୍ରଥମ ଦେଖାହୁଏ ସ୍ୱରୂପ ଆଉ ଶାଶ୍ବତୀଙ୍କ ମଧ୍ୟରେ। ସ୍ୱରୂପ ମଧ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହଉଥାନ୍ତି ଶିକ୍ଷା ସମାପ୍ତ ପରେ। ଏଇ ଦେଖା ଚାହାଁ ଭିତରେ ପରସ୍ପରଙ୍କ ମଧ୍ୟରେ ଧିରେ ଧିରେ ଗଢ଼ିଉଠେ ପ୍ରେମର ସମ୍ପର୍କ। ଭୁବନେଶ୍ବରର ଏକ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ପାଇଥାନ୍ତି ଶାଶ୍ବତୀ ଅଧ୍ୟାପିକା ଭାବରେ। ଠିକ ଛଅ ମାସ ପରେ ସ୍ୱରୂପ ଷ୍ଟେଟ୍ ବ୍ୟାଙ୍କରେ ପୋଷ୍ଟିଂ ହୁଅନ୍ତି। ଏଥର ଦୁହିଁଙ୍କ ମନରେ ଅସୁମାରୀ ସ୍ବପ୍ନ। କଳ୍ପନା କରି ବସନ୍ତି ନିଜର ହୃଦୟର ତାଜମହଲକୁ। ପରସ୍ପର ହୋଇଉଠିଥାନ୍ତି ଆହୁରି ନିକଟତର। ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ଶହୀଦନଗରରେ ଘର ଭଡ଼ା ନେଇ ରୁହନ୍ତି। ଉଭୟଙ୍କ ନିବିଡ଼ତାରୁ ଜନ୍ମ ନିଅନ୍ତି ରାକ୍ଷୀ ଓ ରାନୀ। ବେଦିରେ ବସି ବାହା ହେବା ଆଗରୁ ମାଁ ହୋଇ ଯାଇଥିଲେ ଶାଶ୍ବତୀ। ଯଦିଓ ଉଭୟ ଏକାଠି ରହିବାର ସଂକଳ୍ପ ନେଇଥିଲେ କେଦାର ଗୌରୀ ମନ୍ଦିରରେ। ସ୍ୱରୂପ ଏତେ ଶୀଘ୍ର ବାପା ହେବାକୁ ଚାହୁଁ ନଥିବା ବେଳେ ଶାଶ୍ବତୀ ପ୍ରଥମ ମାତୃତ୍ବକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ। ଏ ସବୁ କିଛି ଘଟି ଯାଉଥିଲା ଚଳଚିତ୍ରର କାହାଣୀ ପରି, ଉଭୟ ପରିବାରର କେହିବି ଏହାର ସୁରାକ ପାଇ ପାରିନଥିଲେ। ଅଚାନକ ସ୍ୱରୂପ ବାବୁଙ୍କର ଆଠମଲ୍ଲିକ ବଦଳି ହୁଏ ମ୍ୟାନେଜର ଭାବେ। କେମିତି କଣ ମ୍ୟାନେଜ୍ କରିବେ ଉଭୟ ବୁଝି ପାରୁନଥାନ୍ତି। ଶେଷରେ ଏକ ଆୟାକୁ ଘରେ ରାକ୍ଷୀ ରାନୀଙ୍କ ଯତ୍ନ ପାଇଁ ନିଯୁକ୍ତ କରି ଆଠମଲ୍ଲିକ ଚାଲି ଯାଇଥିଲେ ସ୍ୱରୂପ। ଶାଶ୍ବତୀଙ୍କୁ ଆଲିଙ୍ଗନ କରି ଦୁଇ ଝିଅଙ୍କ କପାଳରେ ଚୁମ୍ବନ ... ଧ୍ୟାନ ନେବ, ଭଲରେ ଥିବ କହି ବସଷ୍ଟାଣ୍ଡ୍ ଅଭିମୁଖେ ବାହାରିଗଲେ। ହଠାତ ଦିନେ ଶାଶ୍ବତୀଙ୍କ ବାପା ଅଭିଜିତ ନାମକ ଜଣେ ବ୍ୟବସାୟୀଙ୍କ ସହ ଶାଶ୍ବତୀଙ୍କ ବାହାଘର ପ୍ରସ୍ତାବ ଠିକ କରି ଆସିଥିଲେ ଝିଅକୁ ସାଙ୍ଗରେ ନେଇଯିବା ପାଇଁ। ଏ କଥା ନିଜ ଆଖିରେ ଦେଖି ତାଙ୍କ ମୁଣ୍ଡ ଉପରେ ଚଡ଼କ ମାରିବା ପରି ଲାଗିଲା। ସତେ ଅବା ପାଦତଳୁ ପୃଥିବୀ ଖସିଯାଇଛି। କିନ୍ତୁ ଶାଶ୍ବତୀଙ୍କ ମା ଏସବୁ ସହି ପାରିବେନି। ମା’ ତାଙ୍କର ହାର୍ଟ ପେସେଣ୍ଟ। ସେ ପଟେ ବୋହୁ ମୁହଁ ଦେଖିବାକୁ ଚାହୁଁଥିବା ଅଭିଜିତ ବାବୁଙ୍କ ବାପା ରୋଗ ଶଯ୍ୟାରେ ପଡ଼ିଥାନ୍ତି। ସ୍ୱରୂପ ବାବୁଙ୍କୁ ସବୁ କଥା ଫୋନ କରି ଜଣାଇଲେ ଶାଶ୍ବତୀ ଓ ଶୀଘ୍ର ଆସି ପହଞ୍ଚିବାକୁ ମଧ୍ୟ କହିଲେ। ସ୍ୱରୂପ ମଧ୍ୟ ନୂଆଁ କରି ଯୋଗ ଦେଇଥିବାରୁ ହଠାତ ଛୁଟି ନେଇ ଆସି ପାରିନଥିଲେ। ଅନ୍ତର୍ଦାହର ଅନ୍ତର୍ଦ୍ବନ୍ଦ ମଧ୍ୟରେ ରାକ୍ଷୀ ରାନୀଙ୍କ ସବୁ ଦାୟିତ୍ବ ନିଜ ଆୟାକୁ ଦେଇ ଶାଶ୍ବତୀ ଚୁପ ଚାପ ଚାଲିଯାଇଥିଲେ ବାପାଙ୍କ ସହିତ। ଶାଶ୍ବତୀଙ୍କ ସହ ଅଭିଜିତଙ୍କର ଶୁଭପରିଣୟ ଅନୁଷ୍ଠିତ ହେଲା। ବାପଘରୁ ବିଦା ହେଇ ଶାଶୁ ଘରକୁ ଗଲେ। ସେଇଦିନ ଥାଏ ତାଙ୍କର ପ୍ରଥମ ରାତି। ଅଭିଜିତ ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତେ କିଛି ଦୂରକୁ ଘୁଞ୍ଚିଗଲେ ଶାଶ୍ବତୀ ଓ ନିଜ ଅତୀତକୁ ବଖାଣି ଚାଲିଲେ ଅଭିଜିତଙ୍କ ଆଗରେ। ସ୍ୱରୂପଙ୍କ ସହ ପ୍ରେମ ସମ୍ପର୍କ, ଝିଅ ରାକ୍ଷୀ ଓ ରାନୀ, ବାପାଙ୍କ ବାଧ୍ୟ ବାଧକତା, ମା’ ହାର୍ଟ ପେସେଣ୍ଟ....। ସବୁ ଶୁଣିସାରି ଅଭିଜିତ ବହୁତ ଖୁସି ହୋଇଥିଲେ ଶାଶ୍ବତୀଙ୍କ ଉପରେ ତାଙ୍କର ଏଇ ସତକଥା ପାଇଁ। ଦୀର୍ଘ ଦୁଇ ଘଣ୍ଟା ପରେ କଟକରୁ କାମ ସାରି ଫେରିଥିଲେ ଅଭିଜିତ। ଶାଶ୍ବତୀ ତାଙ୍କୁ ଚିହ୍ନେଇ ଦେଇଥିଲେ ଏଇ ହେଉଛନ୍ତି ତାଙ୍କର ପ୍ରଥମ ପ୍ରେମ ଓ ଏଇ ରାକ୍ଷୀ ରାନୀଙ୍କ ବାପା। ଖୁସିରେ ଅଭିଜିତ ଆଲିଙ୍ଗନ କରିଥିଲେ ସ୍ୱରୂପଙ୍କୁ। ହଠାତ ଗାଡ଼ି ଷ୍ଟାର୍ଟ କଲାବେଳକୁ ଛାତିରେ ଯନ୍ତ୍ରଣା ଅନୁଭବ କର ଅଚେତ ହୋଇ ଟଳି ପଡ଼ନ୍ତି ସେଠାରେ। ଚୁପ ହୋଇଯାଇଥିଲେ ସବୁଦିନ ପାଇଁ ଅଭିଜିତ। ଶୋକାକୁଳ ପରିବେଶ। ଏ ସବୁ ଦେଖି ଅଭିଜିତଙ୍କ ରୋଗଗ୍ରସ୍ତ ପିତା ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କଲେ। ମୃତ୍ୟୁପୂର୍ବରୁ ଅଭିଜିତବାବୁ ନିଜର ସମସ୍ତ ସମ୍ପତି ରାକ୍ଷୀ ଓ ରାନୀଙ୍କ ନାଁରେ ଉଇଲ୍ କରିଦେଇଥିଲେ। ଏ ପାଖେ ଶେଷ ଶୋଭାଯାତ୍ରାରେ ଅଭିଜିତବାବୁ ଓ ତାଙ୍କ ପିତାଙ୍କୁ ଶ୍ମଶାନ ଅଭିମୁଖେ ନେବାବେଳେ ସେ ପାଖେ ଜଣେ ଯୋଗୀ ଗାଉଥାନ୍ତି ଭଜୁ କିନା ରାମ ନାମରେ କୁମର ......।
ଗୁଡ଼ିଆନାଳି, ଢେଙ୍କାନାଳ, ୭୫୯୦୦୧,
ଇମେଲ୍ : sambitsm1987@gmail.com
Go Back to Previous Page
ବତକ
ଜ୍ୟୋତିରଞ୍ଜନ ସାହୁ
Read Article
ଟିକି ଫୁଲ
ନିଳାଦ୍ରୀ ବିହାରୀ ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ