ଢପ୍...... ଢପ୍....... ହେଇ ଯୋଡ଼େ ଶବ୍ବ ଶୁଣାଗଲା। ‘ଭଗିଆ’ ଦୌଡ଼ିଲା ନିଜ ଅଗଣାକୁ ଦେଖିଲା ବେଳକୁ ଦୁଇ ଦୁଇଟା ନଡ଼ିଆ ପଡ଼ିଚି ତା’ ଅଗଣାରେ। ଦାନ୍ତ ନିଫଡ଼େଇ ଦୁଇଟାଯାକ ହାତରେ ଧରି ବୀର ଦର୍ପରେ ଘରକୁ ପଶିଲା। ପଡୋଶୀ ମାଧବ ହତାଶିଆ ହେଇ ଅନେଇ ରହିଥାଏ। ହେଲେ କରିବାକୁ କିଛି ଉପାୟ ନଥିଲା।
ଗଛଟାକୁ ମାଧବ ୨୦ ବର୍ଷ ତଳେ ନିଜ ଅଗଣା ବାଡ଼ କଡ଼ରେ ଲଗେଇ ଥିଲା। ତା’ ମୂଳରେ ପାଣି ଢାଳି ଢାଳି ବଡ଼ କରିଥିଲା ୧୦ ବର୍ଷ ଉତ୍ତାରୁ ଫଳ ଆସିଥିଲା। ହେଲେ ତା’ପରେ କଣ ହେଲା କେଜାଣି, ଗଛଟା ବାଙ୍କିଆ ହେଇ ଭଗିଆ ଘର ଆଡ଼େ ମୋଡ଼ ନେଲା। ସେବେଠାରୁ ଭଗିଆ ଗଛର ମାଲିକ ହେଇ ଯାଇଚି। ମୂଲିଆ ଲଗେଇ ଆଗରୁ ନଡ଼ିଆ ତୋଳା ହେଉଥିଲା। ଭଗିଆଘରକୁ ବି ଗୋଟେ ଦୁଇଟା ମାଧବ ପଠେଇ ଦେଉଥିଲା। ଲୋକଟା ଏଡ଼େ କୁଟିଳ ପ୍ରକୃତି ବୋଲି କିଏ ବା ଜାଣିଥିଲା? ଏବେ ତୋଳିବାକୁ ମୂଲିଆ ଚଢ଼େଇଲେ ପଥର ଟେକା ମାରୁଛି। କହୁଚି, “ମୋ ଜାଗା ଉପରେ ଚଢ଼ି କଣ ତୋଳୁଚୁ କିରେ?” ଗଛଟା ବଡ଼ ଛନଛନିଆ ହେଇ ଫଳୁଥିଲା। ମନରେ କେତେଥର କ୍ରୋଧ ଆସିଚି, ଗଛଟାକୁ କାଟି ଦେବାକୁ। କାଟିଦେଲେ ଗଛଟା ଯାଇ ପଡ଼ିବ ଭଗିଆ ଘରେ, ମହାଭାରତ ଆରମ୍ଭ ହେବାର ଭୟ ଥିଲା। ପୁଣି ମନକୁ ଆସେ, ଗଛର ବା ଦୋଷ କଣ? ଫଳ ଦେବା କଥା ଦେଉଚି, ବାୟୁ ସଫା କରୁଚି। କିଛି ନହେଲେ ଶୁଦ୍ଧ ବାୟୁ ଟିକେ ତ ମିଳୁଚି। ଏମିତି କେତେ କଣ ଚିନ୍ତା କରି ମାଧବ ମଉନା ସାଜେ। ପାଣି ଦିଆ କିନ୍ତୁ କେବେ ବନ୍ଦ କରେନା।
ତୁଣ୍ଡ ବାଇଦ ସହସ୍ର କୋଶ। ଏଇ ସାମାନ୍ୟ କଥାଟା ଗାଁ ଯାକ ଲୋକେ ସମସ୍ତେ ଜାଣି ଗଲେଣି। ଗାଁ ପଞ୍ଚାୟତରେ କଥା ଉଠେଇବାକୁ କେତେ ଥର ମାଧବ ଭାବିଚି। କାଳେ ନ୍ୟାୟଟା ବୁଲି ଓଲଟା ପଡ଼ିବ, ସେ ଭୟରେ କଥାଟା ଉଠାଏନି। ମନଟା ଖାଲି ଭିତରେ ଭିତରେ ଡହଳ ବିକଳ ହୁଏ। ସାହି ପଡ଼ିଶା ଲୋକେ ଫୁସରଫାସର୍ ହୁଅନ୍ତି, ହେଲେ ନ୍ୟାୟଟା କଣ ହେବ, କାହା ମୁଣ୍ଡରେ ପଶେନା। ଗାଁ ପଞ୍ଚାୟତରେ ଯେଉଁମାନେ କେତେ ଜଣ ମୁଖିଆ ଅଛନ୍ତି ତାଙ୍କ ମୁଣ୍ଡ ବି ସେମିତି। ଗୁହାରୀ କାହା ଆଗରେ ବା କରାଯିବ?
ଦିନ ପରେ ଦିନ ଗଡ଼ିଯାଏ। ଗାଁ ସ୍କୁଲକୁ ରାଧୁ ମିଶ୍ରେ ଅବଧାନ ହେଇ ଆସନ୍ତି। ଭାରି ଭଦ୍ର ଲୋକ। ସସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ପରି ମନେ ହୁଏ। ସେ ଆସିବା ପରଠୁ ଗାଁ ପିଲାଏ ସ୍କୁଲ ସମୟଟା ପୁରା ସ୍କୁଲରେ ହିଁ କାଟନ୍ତି। ତାଙ୍କ ଦେଖାଶିଖା ବାକି ଅବଧାନେ ବି ପରିବର୍ତ୍ତନର ରାହା ଧରିଲେ। ସ୍କୁଲ ପିଲାଏ ପାଠ ପଢ଼ାକୁ ଆୟୁଧ କରିବା ଆରମ୍ଭ କଲେ। ଗାଁରେ ଗଣ୍ଡଗୋଳ ଧିରେ ଧିରେ କମିଲାଣି। ଲୋକେ ମିଶ୍ର ଅବଧାନଙ୍କ ପରାମର୍ଶ ନେବା ଆରମ୍ଭ କରି ଦେଇଥିଲେ। ଗାଁ ଚାଷୀମାନେ ବ୍ୟାଙ୍କରୁ ଊଣ ନେଇ ଚାଷରେ ମାତିବା ଆରମ୍ଭ କରି ଦେଲେ। ଧିରେ ଧିରେ ଗାଁରେ ସଭ୍ୟତାର ଝଲକ ଦେଖିବାକୁ ମିଳିଲାଣି। ପର୍ବପର୍ବାଣୀ ଗୁଡ଼ିକୁ ଜାକଜକମରେ ପାଳନ ହେଲାଣି। ଗାଁ ଲୋକେ ସୁଖ ସ୍ବଛନ୍ଦରେ ଚଳିବା ଆରମ୍ଭ କରି ଦେଇଥିଲେ।
ଦିନେ ମାଧବ ଆଗ ପଛ ଚିନ୍ତା କରି ନିଜ ନଡ଼ିଆ ଗଛର କାହାଣୀ ମିଶ୍ର ଅବଧାନଙ୍କୁ କହିଲା। ଅବଧାନେ ସବୁ ମନଧ୍ୟାନ ଦେଇ ଶୁଣିଲେ। ହେଲେ, ଭଗିଆର ଚରିତ୍ର ଉପରେ ମିଶ୍ରେ ସେତେବେଳକୁ ଅବଗତ ହେଇ ସାରିଥିଲେ। ଉପାୟ ଚିନ୍ତା କରିବାରେ ଲାଗି ପଡ଼ିଲେ। ମାଧବକୁ କହିଲେ, “ଦେଖିବା, ଆଗ ପଞ୍ଚାୟତ ବୈଠକରେ ତୁମେ କଥାଟା ନିଶ୍ଚେ ଉଠେଇବ; ମୁଁ କିଛି ନା କିଛି ଉପାୟ ଗୋଟେ କାଢ଼ିଦେବି” ମିଶ୍ର ଅବଧାନଙ୍କ ଉପରେ ମାଧବର ଭରଷା ଥାଏ। କଥାଟା ଓଲଟା ପଡ଼ିଗଲେ ବି ଲୋକହସା ଯେ ହେବନି, ସେ କଥାଟା ନିଶ୍ଚିତ ଥିଲା।
ପରବର୍ତ୍ତୀ ପଞ୍ଚାୟତ ବୈଠକରେ ମାଧବ କଥାଟା ଉଠେଇଲା। ଲୋକଙ୍କ ଭିତରେ ହାସ୍ୟରୋଳ ହେଲା, ଫୁସୁରଫାସର୍ ଚାଲିଲା। ଭଗିଆ ବସି ଖୁବ୍ ମଜା ନେଉଥିଲା। ତା ପାଖରେ ତାର ବଳିଷ୍ଠ ଯୁକ୍ତି ଥିଲା, “କାହିଁକି ମାଧବ ଗଛଟା ତା’ ବାଡ଼ିକୁ ମୁହେଁଇଚି” ମୁଖିଆ ଉଚିତ୍ ସମାଧାନ ପାଇଁ ମିଶ୍ର ଅବଧାନଙ୍କ ଆଡ଼େ ଚାହିଁଲେ। ଏଥର ଅବଧାନେ ଭଗିଆକୁ ପଚାରିଲେ, “ଭଗିଆ ବାବୁ, ଏଥର ତୁମ ଫସଲ କେମିତି ହେଇଚି?” ଭଗିଆ କହିଲା, “ଅବଧାନେ, ଆପଣ ଗାଁକୁ ଆସିଲା ପରେ ଆମେ ଜାଣିଲୁ ବ୍ୟାଙ୍କର ଋଣ କଣ, କେମିତି ଋଣ କରିବୁ, କେମିତି ସୁଧ ସହିତ ଫେରେଇବୁ; ନହେଲେ ଆମେ କେଡ଼େ ଲୋକ ଯେ ପଇସା କାହୁଁ ପାଇଥାନ୍ତୁ ଆଉ ଚାଷ ବଢ଼େଇଥାନ୍ତୁ। ଏଥର ଅବଧାନେ କହିଲେ, “ବ୍ୟାଙ୍କ ତୁମକୁ କାହା ପଇସା ଦେଲା, ତୁମେ ଜାଣିଚ?” ଭଗିଆ ମୁଣ୍ଡ ହଲେଇ ଲୋକେ ଜମା କରିଥିବା ଟଙ୍କା ବୋଲି କହିଲା। ଅବଧାନେ କହିଲେ, “ଯେମିତି ତୁମ ଟଙ୍କାର ମୂଳଟା ଲୋକେ ଜମା କରିଥିବା ପଇସା; ଯାହାକୁ ତୁମେ ନେଇ ନିଜ ଚାଷ କାମ କଲ ଆଉ ପରେ ସୁଧ ସହିତ ବ୍ୟାଙ୍କକୁ ଫେରେଇଲ, ସେମିତି ସେ ନଡ଼ିଆ ଗଛର ମୂଳଟା ମାଧବର; ତେଣୁ ତୁମେ ଯେତେ ଖାଇଚ, ସୁଧ ସହିତ ଫେରେଇ ଦିଅ। ନଡ଼ିଆ ତୁମେ ଖାଇପାର, ହେଲେ ସୁଧ ସହିତ ଫେରେଇବାକୁ ପଡ଼ିବ” ସମବେତ ଗାଁ ଲୋକେ ମିଶ୍ର ଅବଧାନେଙ୍କ ନ୍ୟାୟରେ ସହମତ ହେଇଗଲେ। ଲୋକେ କରତାଳି ଦେଇ ନ୍ୟାୟକୁ ସ୍ବାଗତ କଲେ। ଭଗିଆ ଆଉ କିଛି କରିବା ବା କହିବାର ଅବସ୍ଥାରେ ନଥିଲା। ଏଥର ମାଧବ ଉଠି ପଡ଼ି ଭଗିଆକୁ କୋଳାଗ୍ରତ କରି କହି ପକେଇଲା, “ଗାଁ ଭାଇଟା ମୋର, ନଡ଼ିଆ କେତେଟା ଖାଇଦେଲା ଯେ ମୁଁ କଣ ତା’ପାଇଁ ସୁଧ ନେବି?” ଭଗିଆ ଏଥର ଆତ୍ମଗ୍ଲାନିରେ ଭରିଗଲା। ପଶ୍ଚାତାପରେ ତା’ର ଆଖି ଦୁଇଟା ଲୁହରେ ଭିଜିଗଲା। ବୁଝିପାରିଲା, ମାଧବ ପଡ଼ୋଶୀ କେଡ଼େ ଉଦାର। ସେ ଦିନଠୁ ଦୁହେଁ ଅନ୍ତରଙ୍ଗ ପଡ଼ୋଶୀ ପାଲଟିଗଲେ। ଗାଁର ଭାଇଚାରାରେ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ହେଉଥିଲା।
ବି.ଏମ୍-୭, ବନମୁଣ୍ଡା,
ବିରମିତ୍ରପୁର, ସୁନ୍ଦରଗଡ,
ଓଡିଶା-୭୭୦୦୩୩
ଇମେଲ୍: pcmishra71@gmail.com
Go Back to Previous Page
ରାଗ ଭୈରବୀ
ମମତା ଦାଶ
Read Article
ପ୍ରଣୟର ସ୍ବପ୍ନ
ନରେଶ କୁମାର ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ