ଦୀର୍ଘ ଚାରିବର୍ଷ ପରେ ମୁଁ ମୋ ଘରକୁ ଫେରୁଛି ଷ୍ଟେସନରେ ଓହ୍ଲେଇ ଭାବିଲି ଘରକୁ ଯିବା ପୂର୍ବରୁ ମୁଁ ମୋ ମାଉସୀ ଝିଅ ଘର ଦେଇ ତାକୁ ଟିକେ ଦେଖି ଯିବି ବୋଉକୁ ଫୋନ କରି କହିଲି – ବ୍ୟସ୍ତ ହେବୁନି, ମୁଁ ଆଗ ଇନାକ୍ଷୀ ଘରକୁ ଯାଉଛ ପରେ ଘରକୁ ଯିବି ଷ୍ଟେସନ ଆଉ ମୋ ଘର ମଝିରେ ହେଉଛି ଇନାକ୍ଷୀର ଶାଶୁଘର ଇନାକ୍ଷୀର ବାହାଘର ସାତ ମଙ୍ଗଳା ପରଠାରୁ ତା ସାଙ୍ଗରେ ମୋର ଆଉ ଦେଖା ସାକ୍ଷାତ ହୋଇ ପାରି ନଥିଲା ବାଟଯାକ ମୁଁ ଭାବି-ଭାବି ଚାଲୁଥାଏ ଇନାକ୍ଷୀ ମୋତେ ଦେଖି କେତେ ଖୁସି ହେ ମୋତେ ଆଦରରେ ପାଛୋଟି ନେବ, କେତେ ଖୁସି-ଗପ କରିବ ଠିକ୍ ବାହାଘରର ପୂର୍ବପରି ଆମେ ଦୁଇଜଣ ମିଶି ବହୁତ ମଉଜ କରିବୁ ଏମିତି ଅନେକ କଥା ଭାବି-ଭାବି ମୁଁ ଯାଇ ପହଞ୍ଚିଲି ଇନାକ୍ଷୀର ଶାଶୁଘରେ ଦିନ ୧୧ଟା ସମୟ ଝାଞ୍ଜି ଖରାରେ ଗରମ ପବନ ବହୁଥାଏ ମୁଁ ଯାଇ ଦୁଆରମୁହଁ ପାଖରେ ପହଞ୍ଚିଗଲି କବାଟ ଖୋଲାଥିଲା ସେଥିପାଇଁ ମୋତେ ଆଉ କଲିଙ୍ଗ୍ ବେଲ୍ ବଜାଇବାକୁ ପଡିଲା ନାହିଁ ସିଧା ଘର ଭିତରେ ପ୍ରବେଶ କଲି ସୁନ-ଶାନ୍ ଘରେ ଗୋଡ ରଖୁରଖୁ ମୋତେ ଅନୁଭବ ହେଲା ଯେ ଏ ଘରେ କୌଣସି ଅତୃପ୍ତ ଆତ୍ମା ଘୂରି ବୁଲୁଛି ମୁଁହ ବୁଲେଇ ଦେଖିଲି ଇନାକ୍ଷୀର ଗୋସେଇଁ ଶାଶୁ ପ୍ରବେଶ ଘରର ଦୁଆର ମୁହଁରେ ପଡିଥିବା ଏକ ପୁରୁଣା ଖଟ ଉପରେ ବସି କ’ଣ କେଜାଣି ଗୁଣୁ-ଗୁଣୁ ହୋଇ କହି ଚାଲିଥାନ୍ତି ବୟସ ପାଖାପାଖି ୧୦୦ ହୋଇଯିବ ତାଙ୍କୁ ଦେଖି ମୁଁ ଗୋଟିଏ ଜୁହାର ପକେଇଲି ସେ ମୋତେ ଚିହ୍ନି ନପାରି ଖାଲି ବଲ-ବଲ କରି ଚାହିଁଲେ ଆଖି ଦିଇଟା ଭିତରକୁ ପଶିଯାଇଥାଏ ଦେହର ଚମଡା ସବୁ ଲୋଚା-କୋଚା ମାରିଗଲାଣି ଶରୀରର ରଙ୍ଗ କଜ୍ବଳ ପରି କଳା ବାଳ ଗୁଡାକ ମଧ୍ୟ ଝୋଟ ପରି ପାଚିଯାଇଛି କପାଳରେ ବାର୍ଦ୍ଦକ୍ୟର ରେଖା ସ୍ପଷ୍ଟ ଗଣି ହୋଇ ଯାଉଛି ନାକଟି ଶୁଆ ପରି ତୀକ୍ଷଣ ଧଳା ଶାଢୀ ପିନ୍ଧି ସେହି ପୁରୁଣା ତେଲ-ଚିକିଟା ଖଟ ଉପରେ ବସିଥାନ୍ତି ଭୀଷଣ ଗରମରେ ମୁଣ୍ଡ ଉପରେ ବୁଲୁଥିବା ପଙ୍ଖାର ଘରର୍-ଘରର ଶବ୍ଦ ପରି ସୁନଶାନ୍ ଘରଟିର ଆତ୍ମା ମଧ୍ୟ ପଙ୍ଖାର ତିନୋଟି ପଙ୍ଖ ପରି ସେହି ଘର ଭିତରେ ଗୋଲ-ଗୋଲ ଘୁରି ବୁଲୁଥାଏ ଲାଗୁଥାଏ ସେ ଯେପରି ଦିନ-ରାତି ବୋଧେ ସେଇ ଘଟ ଉପରେ ବସିଥାନ୍ତି ମୁଁ ଟିକେ ତାଙ୍କ ପାଖକୁ ଲାଗିଯାଇ ପଚାରିଲି-ମାଁ, କେମିତି ଅଛନ୍ତି ମୁଁ ଇନାକ୍ଷୀର ଭଉଣୀ ସେ ମୋତେ ବଡ-ବଡ ଆଖିରେ ଚାହିଁ ପୁଣି କଣ ଗୁଣୁ-ଗୁଣୁ କରିବାକୁ ଲାଗିଲେ ମୋତେ ଅନୁଭବ ହେଲା ଯେମିତି – ସେ ବାର୍ଦ୍ଦକ୍ୟର ଶେଷ ଅବସ୍ତାରେ ରାଗ ଭୈରବୀର କରୁଣ ରସରେ ନିଜକୁ ହଜାଇ ଦେଇ ଅପେକ୍ଷା କରିଛନ୍ତି ପୂର୍ବାଧ ଏବଂ ଉତ୍ତରାର୍ଧର ମିଳନ ପାଇଁ
ଏହା ଭିତରେ ମୋ ପାଟି ଶୁଣି ଇନାକ୍ଷୀ ଭିତରୁ ବାହାରି ଆସିଲା କାଖରେ ତାର ଗୋଟିଏ ଛୁଆ ମୋତେ ଦେଖି ତାର ଚେହେରା ବିସ୍ମୟ ଆଉ ଖୁସିରେ କିଛି କ୍ଷଣ ପାଇଁ ଚମକି ଗଲା ଆରେ! ଇଏ କଣ ମୁଁ ଦେଖିଲି! ତା ମୁଖ-ମଣ୍ଡଳର ଚମକ ହଠାତ୍ କର୍ପୂରର ବାସ୍ନା ପରି ଉଡିଗଲା ଏବଂ ପୁଣି ସେ ତାର ପୂର୍ବାବସ୍ଥାକୁ ଫେରିଆସି କହିଲା-ଭିତରକୁ ଆସ୍ ମୁଁ ମଧ୍ୟ ତା ପଛେ-ପଛେ ଭିତରକୁ ପ୍ରବେଶ କଲି ଇନାକ୍ଷୀ ମୋତେ ସୋଫା ଉପରେ ବସେଇ ଦେଇ କହିଲା- “ତୁ ଏଠି ବସିଥା, ମୁଁ ତୋ ପାଇଁ ସର୍ବତ୍ ନେଇଆସେ” ଗରମଟା ଜୋରରେ ହେଉଥାଏ ସର୍ବତଟା ନିହାତି ଦରକାର ଥିଲା ମୁଁ ମଧ୍ୟ ତା କଥାରେ ହଁ ଭରିଦେଲି ସେ ଛୁଆଟାକୁ ତଳେ ବସେଇ ଦେଇ ରୋଷେଇଘରକୁ ଗଲା ଏହା ଭିତରେ ଛୁଆଟା ଭୋ........ଭୋ....... କରି କାନ୍ଦି ଉଠିଲା ମୁଁ ଦଉଦି ଯାଇ ଛୁଆଟାକୁ କାଖେଇ ପକେଇଲି ମୋତେ ଦେଖି ସେ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଏହା ଭିତରେ ଇନାକ୍ଷୀ ସର୍ବତ ଆଣି ମୋ ହାତକୁ ବଢାଇ ଦେଲା
ମୁଁ ପଚାରିଲି – “ପୁଅର ନାଁ କଣ ?”
ସେ କହିଲା – ସମସ୍ତେ ଆକୁ “ଜୁଜୁ” ବୋଲି ଡାକନ୍ତି
ମୁଁ ପଚାରିଲି – ସେ ଏତେ କାନ୍ଦୁଛି କାହିଁକି?
ଇନାକ୍ଷୀ କହିଲା – ଏଇଟା ନୁଆ କଥା ନୁହେଁ ସେ ସବୁବେଳେ ଏମିତି କାନ୍ଦେ
ମୁଁ କହିଲି – କଣ ଦେହ ଖରାପ ଅଛି କି? ଡାକ୍ତରଙ୍କୁ ଦେଖଉନୁ କାହିଁକି?
ସେ କହିଲା – ଦେହ ଠିକ୍ ଅଛି କିନ୍ତୁ ତା ପାଇଁ କାହା ପାଖରେ ସମୟ ନାହିଁ
ପୁଣି ମୁଁ ପଚାରିଲି – କାହିଁକି, ମୁଁ ତ ଶୁଣିଥିଲି ତାର ବୁଢା ବାପା, ମା, କକେଇ ସମସ୍ତେ ଅଛନ୍ତି
ହଁ ଅଛନ୍ତି, କିନ୍ତୁ ସେମାନଙ୍କ ପାଖରେ ସମୟ ନାହିଁ ଏତିକି କହି ଇନାକ୍ଷୀ ବାରମ୍ବାର କାନ୍ଥରେ ଥିବା ଘଣ୍ଟାକୁ ଚାହୁଁଥାଏ!
ଠିକ୍ ଏତିକି ବେଳେ ଅସିତ ବାବୁ (ଇନାକ୍ଷୀର ଦିଅର) ଆସି ପହଞ୍ଚିଗଲେ ଲଞ୍ଚ ପାଇଁ ଅସିତ ବାବୁ ଅବିବାହିତ ମୋତେ ଦେଖି ତାଙ୍କ ଖୁସିର ଧାରାରେ ଜୁଆର ଛୁଟିଲା ଭଳି ଲାଗିଲା ଭାଉଜର ଭଉଣୀ ତ ମୋର ଶାଳୀ ଏହା ଭାବି ମୋ ସାଙ୍ଗରେ ଗପସପ ଆରମ୍ଭ କରିଦେଲେ ମୁଁ ମଧ୍ୟ ଭାବିଲି – ଯାହାହେଉ, ଏତେ ସମୟ ପରେ କିଏ ତ ଜଣେ ମିଳିଲା ଯାହାଦ୍ବାରା ମୁଁ ଇନାକ୍ଷୀ ଅଉ ତାର ପରିବାର ବିଷୟରେ ଜାଣି ପାରିବି ଏହା ଚିନ୍ତି ମୁଁ ମଧ୍ୟ ଅସିତ ବାବୁଙ୍କୁ କଥା-କଥାରେ ଇନାକ୍ଷୀ କଥା ପଚାରୁଥାଏ ଠିକ ଏତିକି ବେଳେ ଇନାକ୍ଷୀ ଆମ ଦୁଇଜଣଙ୍କ ପାଇଁ ଟେବୁଲ ଉପରେ ଖାଇବା ଆଣି ପରୋଷି ଦେଲା ଭାତ, ଡାଲି, ମାଛ ତରକାରୀ, କଖାରୁଫୁଲ ଭଜା, କଲରା ପତ୍ର ଭଜା, ଶାଗ ଭଜା – “ଛ ତିଅଣ, ନ ଭଜା” କହିଲେ ଅତ୍ୟୁକ୍ତି ହେବ ନାହିଁ ଏତେ ଆଇଟମ୍ ଦେଖି ମୁଁ ଖୁସିତ ହେଲି, କିନ୍ତୁ ଏହା ପଛରେ ଇନାକ୍ଷୀକୁ କେତେଯେ ପରିଶ୍ରମ କରିବାକୁ ପଡିଥିବ ଭାବି ମୋତେ ଗ୍ଲାନି ଅନୁଭବ ହେଲା ମୁଁ ଅସିତ ବାବୁଙ୍କୁ ପଚାରିଲି-ଆପଣଙ୍କ ଘରେ କଣ ସବୁଦିନେ ଏତିକି ଆଇଟମ ବନେ ନା ଆଜି ମୁଁ ଆସିଛି ବୋଲି ଏତେ ଆଇଟମ ତିଆରି ହୋଇଛି? ମୋ କଥା ଶୁଣି ଅସିତ ବାବୁ ଠୋ........ଠୋ କରି ହସି କହିଲେ – ଇନାକ୍ଷୀ ଭାଉଜ ଆମର ସବୁଦିନ ଏତିକି ଆଇଟମ ବନାନ୍ତି ନହେଲେ ପରା ଆମ ବୋଉର ପାଟିକି ଅରୁଚି ମାରିଯାଏ
ମୁଁ ପଚାରିଲି – ଆପଣଙ୍କ ବୋଉ କାହାନ୍ତି?
ଅସିତ ବାବୁ କହିଲେ – ସେ ପରା ଜଣେ ଶିକ୍ଷକ ଏବେ ତାଙ୍କର ସ୍କୁଲ ଟାଇମ୍ ଦିନ ଚାରିଟା ପରେ ବାପା-ବୋଉ ଘରକୁ ଫେରନ୍ତି
ପୁନଃ ମୁଁ ପଚାରିଲି- ଆପଣ କେତେବେଳେ ଫେରନ୍ତି?
ସେ ମୋତେ ହସି କହିଲେ-ମୋର ତ ଓଡିଶା ସରକାରଙ୍କ ଚାକିରୀ ମୁଁ ଆରାମରେ ପ୍ରାୟ ସାଢେ ଦଶଟା ବେଳକୁ ଘରୁ ଖାଇ-ପିଇ ଅଫିସ୍ ଯାଏ ପୁନଃ ସାଢେ ଗୋଟେ ବେଳେ ଲଞ୍ଚରେ ଖାଇବାକୁ ଆସେ ପୁଣି ପାଞ୍ଚଟା ବେଳେ ଫେରି ଘରେ ଜଳଖିଆ ଖାଏ
ଆଚ୍ଛା! ଏତେ ଯତ୍ନ ଆପଣଙ୍କର କିଏ ନିଅନ୍ତି? ବୋଉ?
ନାଁ, ନାଁ, ଆମ ଇନାକ୍ଷୀ ଭାଉଜ
ଆଚ୍ଛା...................
ମୁଁ ପୁଣି ପଚାରିଲି – ଆପଣଙ୍କ ବଡଭାଇ ଅମିତ ବାବୁ (ଇନାକ୍ଷୀର ସ୍ବାମୀ) କାହାନ୍ତି?
କଣ ଭାଇ? ସେ ପରା ନଟାରେ ଘରୁ ବାହାରି ଯାଆନ୍ତି ରାତି ଦଶଟା ବେଳକୁ ଘରକୁ ଫେରନ୍ତି ସେ ଏକ ବ୍ୟାଙ୍କରେ ଚାକିରୀ କରନ୍ତି ସେଥିପାଇଁ ତାଙ୍କୁ କେତେବେଳେ ବେଳ ନଥାଏ ସବୁବେଳେ ଅଫିସ୍ କାମରେ ବ୍ୟସ୍ତ ଥାଆନ୍ତି
ତେବେ ଇନାକ୍ଷୀ କଣ ଏକୁଟିଆ ଦିନଯାକ ଘରେ ଏମିତି କାମ କରୁଥାଏ?
ହଁ, ଘର କାମ, ଆଉ କରିବ କିଏ?
ବାଃ ରେ ପରିବାର ଯେଉଁଠି ପରିବାରର ଏତେ ସଦସ୍ୟଙ୍କ ଦାୟିତ୍ବ କେବଳ ଜଣେ ସ୍ତ୍ରୀ ଉପରେ ଛାଡିଦିଏ? ଏବେ ମୁଁ ଇନାକ୍ଷୀର ଦୟନୀୟ ଅବସ୍ଥା ଧିରେଧିରେ ବୁଝିବାକୁ ଲାଗିଲି ଭାବିଲି ଆଜି ରାତିଟା ଏଇଠି ରହିଯିବି ଦେଖେ ଆଗକୁ କଣ ହେଉଛି.......
ମୁଁ ଇନାକ୍ଷୀକୁ ପଚାରିଲି – ଏବେତ ଦୁଇଟା ବାଜି ଗଲାଣି ତୁ କଣ ଖାଇବୁନି କି? ସେ ବଡ ଜୋରରେ ହୁଁ ମାରି କହିଲା – ମୋ ଖାଇବାରେ କଣ ଅଛି ଠିକ୍ ଏତିକି ବେଳେ ଜୁଜୁ ଖଟ ଉପରୁ ଦୁମ୍ କରି ପଡିବାର ଶବ୍ଦ ଶୁଣାଗଲା ଘର ଭିତରକୁ ଦଉଡିଯାଇ ଦେଖୁ ତ ଜୁଜୁ ମୁଣ୍ଡ ଫାଟି ଯାଇଛି ଏବଂ ସେ ବିକଳରେ ଭୋ.....ଭୋ..... କରି କାନ୍ଦିବାରେ ଲାଗିଛି ମା, ଛୁଆଙ୍କର ଏହି ଦୟନୀୟ ଅବସ୍ଥା ଦେଖି ମୋ ଆତ୍ମାରୁ ଏକ ଶବ୍ଦ ନିଃସୃତ ହେଲା – ହେ ମା, ହେ ଜନ୍ମଦାତ୍ରୀ ମା, ତୁ ତୋ ଛୁଆର ଏହି କରୁଣ ରୋଦନକୁ କିପରି ସହନ କରୁଛୁ କ’ଣ ପାଇଁ ତୁ ଚୁପ୍ ହୋଇଯାଇଛୁ ତୁ ଉଠ୍, ତୁ ସେଇ ଇନାକ୍ଷୀ ଯାହା ପାଖରେ ହନୁମାନ ପରି ବିଶାଳ ସମୁଦ୍ର ପାର କରିବାର ସାହସ ଅଛି, ତୁ ଚୁପ୍ କ’ଣ ପାଇଁ, ତୁ ଉଠ୍................
ଧିରେ ଧିରେ ଇନାକ୍ଷୀ ଜୁଜୁକୁ କୋଳେଇ ନେଇ ପ୍ରଥମଥର ପାଇଁ ମୋ ଆଖିରେ ଆଖି ମିଶେଇବାକୁ ସାହସ କଲା କିନ୍ତୁ ଏ କ’ଣ! ପୂର୍ବବତ୍ ଇନାକ୍ଷୀର ଆଖି ପୁନଃ ଅବସାଦରେ ତଳକୁ ହୋଇଗଲା ତଥାପି ସେହି କିଛିକ୍ଷଣ ଭିତରେ ମୁଁ ଇନାକ୍ଷୀ ଆଖିରେ ଏକ ବିଚିତ୍ର ଭାବ ଦେଖିଥିଲି ଯେମିତିକି ତା ଭିତରର ଆତ୍ମା ବାରମ୍ବାର ଚେଷ୍ଟା ଚଲାଇଛି ଛିଣ୍ଡି ଯାଇଥିବା ଅନ୍ତରର ତନ୍ତୁକୁ ପୁର୍ନଜୀବିତ କରିବାପାଇଁ କିନ୍ତୁ ଖୀର୍ଣ୍ଣ ବଳରେ ବାରମ୍ବାର ତାର ଚେଷ୍ଟା ଯେମିତି ଅସଫଳ ହୋଇଯାଉଛି ଲାଗୁଛି ଯେମିତି ରାଗ ଭୈରବୀର ସ୍ବରରେ ସମସ୍ତ ଯନ୍ତ୍ରଣା, ହତାଶକୁ ଅନ୍ତ କରିଦେବାର ଶକ୍ତି ମା ଭୈରବୀ ଦେଇ ପୁନଃ ଫେରେଇ ନେଉଛନ୍ତି.......
କିଛି କ୍ଷଣ ପାଇଁ ମୁଁ ଭାବିଲି ଏ ହେଉଛି ସେ ଇନାକ୍ଷୀ ଯିଏକି ବାହାଘରର କିଛି ଦିନ ପୁର୍ବରୁ ସମସ୍ତଙ୍କୁ କହିଆସୁଥାଏ – ମୋତେ କେହି କନ୍ଦେଇବନି, କି ମୋ ଆଗରେ କେହି କାନ୍ଦିବନି ଆଉ ଯଦି ମୁଁ କାନ୍ଦିବି ତାହେଲେ ମୋର ମେକଅପ୍ ଖରାପ ହୋଇଯିବ, ମୁଁ ଅସୁନ୍ଦର ଦେଖାଯିବି ଆଖିରେ ଅନେକ ସୁଖଦ ସ୍ବପ୍ନନେଇ ହସିହସି ମୋ ଆଗରେ ବାପଘରୁ ବିଦାୟ ନେଇଥିଲା ସେଇ ଇନାକ୍ଷୀ କିନ୍ତୁ ସାତ ମଙ୍ଗଳା ଦିନ ଯେତେବେଳେ ସେ ବାପଘରକୁ ବୁଲିବାକୁ ଆସିଥିଲା, ଫେରନ୍ତା ସମୟରେ କଇଁ-କଇଁ ହୋଇ କାନ୍ଦି-କାନ୍ଦି ଖାଲି ସମସ୍ତଙ୍କୁ କହୁଥାଏ – ମୁଁ ଆଉ ଫେରିବିନି..... କିନ୍ତୁ ତା କଥା କେହି ବୁଝି ନପାରି ପୁନଃ ତାକୁ ତା ଘର ଲୋକ ଶାଶୁଘରକୁ ଫେରାଇ ଦେଇଥିଲେ ବାହାଘର ଦିନଠାରୁ କ’ଣ ଇନାକ୍ଷୀ ଏଇ ଯନ୍ତ୍ରଣାରେ ଛଟପଟ ହେଉଛି..... ସାତମଙ୍ଗଳା ଦିନ କାନ୍ଦରେ ତାରେ କି ଯନ୍ତ୍ରଣା ଲୁଚି ରହିଥିଲା.......? ଏମିତି ଭାବୁ ଭାବୁ ହଠାତ୍ କବାଟ ବାଡେଇବାର ଖଟ୍-ଖଟ୍ ଶବ୍ଦ ଶୁଣାଗଲା ସେଇ ଶବ୍ଦରେ ଇନାକ୍ଷୀ ଚମକି ପଡି ଘଣ୍ଟାକୁ ଦେଖି କହିଲା – ଚାରିଟା ବାଜିଗଲା..... ମୁଁ ଯାଇ କବାଟ ଖୋଲିଲି ଇନାକ୍ଷୀ ଜୁଜୁକୁ କାନ୍ଧରେ ପକାଇ ରୋଷେଇଘରକୁ ଚାଲିଗଲା
ମୁଁ କବାଟ ଖୋଲି ଦେଖେ ତ ଇନାକ୍ଷୀର ଶାଶୁ-ଶ୍ବଶୁର ବିଦ୍ୟାଳୟରୁ ବାହୁଡିଲେଣି ମୋତେ ଦେଖି ସେମାନେ ବିଶେଷ ଖୁସି ଅନୁଭବ କରି ନଥିଲେ ମୋ ନମସ୍କାରର ପ୍ରତ୍ୟୁତରରେ ତାର ଶାଶୁ ହୁଁ ମାରି ଚାଲି ଯାଇଥିଲେ ଶ୍ବଶୁର ଯଦିଓ କିଛି ଭଲ-ମନ୍ଦ ପଚାରିଥିଲେ, ଲାଗିଲା କେବଳ ସମ୍ବନ୍ଧ ଦୃଷ୍ଟିରୁ
ମୁଁ ରୋଷେଇଘରେ ଯାଇ ଦେଖେ ତ ଇନାକ୍ଷୀ ଗୋଟିଏ ହାତରେ ଜୁଜୁକୁ ଧରି ଆଉ ଗୋଟିଏ ହାତରେ ଚା, ଜଳଖିଆ ବନାଇବାରେ ଲାଗିଛି ଆଉ ଜୁଜୁ ଭୋ.....ଭୋ..... କରି କାନ୍ଦିବାରେ ଲାଗିଛି ଜୁଜୁ ପ୍ରତି ଇନାକ୍ଷୀର ଧ୍ୟାନ ବିଲକୁଲ୍ ନାହିଁ, ଧ୍ୟାନ ତାର ଚା,ଜଳଖିଆ ବନେବାରେ ଏହା ଦେଖି କିଛି କ୍ଷଣ ପାଇଁ ମୁଁ ସ୍ତବ୍ଧ ହୋଇଗଲି ମୋ ମନରେ ପୁଣି ବିଦ୍ରୋହର ସ୍ବର ଉଙ୍କି ମାରି କହିଲା – ହେ ମାଁ, ଦୟାମୟୀ ମା, କରୁଣାମୟୀ ମା, ସ୍ନେହମୟୀ କୋମଳମତୀ ମା, ତୋର ଏ କୋମଳ ହୃଦୟ କ’ଣ ପାଇଁ ପାଷାଣ ପାଲଟି ଯାଇଛି ଯେଉଁଠି ଏକମାତ୍ର ସନ୍ତାନର କ୍ରନ୍ଦନ ଧ୍ବନୀରେ ତୁ ଆତୁର ନହୋଇ ତୋର ଆତ୍ମାକୁ ମାରି ପଥର ପାଲଟି ଯାଇଛୁ ଆଗକୁତ ତୋର ସାରା ଜୀବନ ପଡିଛି........
ଏହା ଭିତରେ ଇନାକ୍ଷୀର ଶାଶୁ ଗୁଡାଖୁ ହାତରେ ଧରିଆସି ସୋଫା ଉପରେ ବସି ଦାନ୍ତ ଘସିବା ସହିତ ଟି.ଭି. ମଧ୍ୟ ଦେଖିବାକୁ ଲାଗିଲେ କିଛି ସମୟ ପରେ ଶ୍ବଶୁର ମଧ୍ୟ ଆସି ଯୋଗଦେଲେ ଏପଟେ ଇନାକ୍ଷୀ ଅପେକ୍ଷା କରିଛି ଯେ କେତେବେଳେ ଚା-ଜଳଖିଆର ପର୍ବ ସରିଲେ ସେ ଜୁଜୁକୁ ଟିକେ ସମୟ ଦେବ ଏହା ଭିତରେ ଅସିତ ବାବୁ ଆସି ପହଞ୍ଚିଗଲେ ବାଃ.....ରେ ବାଃ..... ଲଞ୍ଚ ପରେ ହାଇ ଟି ଏପଟେ ଘରର ବୋହୁ ଖାଇଲାକି ନାହିଁ କେହି ଦେଖିବାକୁ ଅଛି ନା କେହି ପଚାରିବାକୁ ବୋହୁ ନୁହେଁ ତ, ଚାକରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ
କିଛି ସମୟ ଅପେକ୍ଷା କଲାପରେ ଇନାକ୍ଷୀର ଶାଶୁ ଦାନ୍ତ ଘସି, ଗରମ ପାଣିରେ କୁଳି କରି ସଫା ହୋଇ ବସିଗଲେ ଚା ପିଇବା ପାଇଁ ନା ତାଙ୍କର ଜୁଜୁ ପ୍ରତି ଲକ୍ଷ୍ୟ ଥିଲା ନା ଇନାକ୍ଷୀ ପ୍ରତି ଲକ୍ଷ୍ୟ ଅଛି ତ କେମିତି ନିଜର ସ୍ବାର୍ଥ ହାସଲ କରି ଅନ୍ୟକୁ କଷ୍ଟ ଦେବି ସ୍ବାର୍ଥ ହାସଲ ତାଙ୍କ ପରିବାରର ମୂଳ ଲକ୍ଷ୍ୟ ବାପା-ମା ପୁଅ-ବୋହୁଙ୍କଠାରୁ, ସାନ ପୁଅ ଭାଇଭାଉଜଙ୍କ ଠାରୁ, ଭଉଣୀମାନେ ଉଭୟଙ୍କଠାରୁ, କେବଳ ଜଣେ ମନୁଷ୍ୟ ଇନାକ୍ଷୀ ତା ନିଜ ସ୍ବାର୍ଥକୁ ତ୍ୟାଗକରି ପରସେବାରେ ଲାଗିରହିଛି ଯେମିତି ମାନିନେଇଛି ସେବାହିଁ ପରମ ଧର୍ମ କିନ୍ତୁ ନିଜକୁ, ନିଜ ପିଲାକୁ କଷ୍ଟ ଦେଇ ସେବା କରିବା କେତେଯେ ନୀତି ପରକ ମୁଁ ଜାଣିବାକୁ ଏମିତି ଭାବିପାରନ୍ତି, କହିବାକୁ ଅକ୍ଷମ
ଚା ପର୍ବ ସରିଲା ପରେ ଇନାକ୍ଷୀ ଜୁଜୁକୁ ନେଇ ଚୁପ-ଚାପ୍ ତା ରୁମକୁ ପଶିଗଲା ମୁଁ ମଧ୍ୟ ତା ପଛେ ପଛେ ଚାଲିଗଲି ଇନାକ୍ଷୀ ଜୁଜୁକୁ ଗୋଡରେ ପକେଇ ଶୁଆଉଥାଏ ମୁଁ ଇନାକ୍ଷୀକୁ ପଚାରିଲି ତୁ କ’ଣ ଏକୁଟିଆ ଘରର ସବୁ କାମ କରୁ? ମୋ ପ୍ରଶ୍ନରେ ଇନାକ୍ଷୀ ଉତ୍ତର ବଦଳରେ ଏକ ଦୀର୍ଘ ଶ୍ବାସ ସହିତ ଗୋଟିଏ ଲମ୍ବା ହୁଁ ମାରି ପୁନଃ ଶାନ୍ତ ହୋଇଗଲା ପୁଣି ମୁଁ ପଚାରିଲି ଏଠି କ’ଣ କେହି କାମବାଲି ନହାନ୍ତି? ଭାଇନାତ ବ୍ୟାଙ୍କରେ ଚାକିରି କରିଛନ୍ତି ତାଙ୍କୁତ Servant Allowance ମିଳୁଥିବ ତୁ ଏକ ଚାକରାଣୀ ରଖୁନାହୁଁ କାହିଁକି? କିଛି ସମୟ ପରେ ମନରେ କ’ଣ କେଜାଣି ଭାବି ମୋତେ ସେ ଉତ୍ତର ଦେଲା – ଚାକରାଣୀତ ମୁଁ! Allowance ଶାଶୁ-ଶ୍ବଶୁରଙ୍କର ଏକଥା ଶୁଣି ମୁଁ ନୀରବ ରହିଗଲି
ଦୁଇଜଣ କିଛି ସମୟ ନୀରବ ରହିଲା ପରେ ନୀବତାକୁ ଭାଙ୍ଗିବା ପାଇଁ ମୁଁ ପୁଣି କଥା ଛଳରେ ପଚାରିଲି – ତୁ କ’ଣ ଖାଲି ଘର କାମ କରୁଛୁ ନା କିଛି ପଢା-ପଢି କରୁଛୁ ତୋର ତ ପିଲାଦିନରୁ ପଢିବା ଆଉ ଲେଖିବାରେ ବହୁତ ଆଗ୍ରହ ଥିଲା ତୁ କ’ଣ ଲେଖିବା ମଧ୍ୟ ଛାଡିଦେଲୁଣି? ଶୁଖିଲା ମୁହଁରେ ମୋତେ ସେ କହିଲା ଏଠି କିଛି ପଢିବାକୁ ନାହିଁ ମୁଁ ଆଶ୍ଚର୍ଯ୍ୟ ହୋଇ ଭାବିଲି – ଶିକ୍ଷକର ଘର, ପୁଣି କିଛି ପଢିବାକୁ ନାହିଁ ଶିକ୍ଷକର ଦାୟିତ୍ବ ଯେଉଁଠି ଛାତ୍ର ମାନଙ୍କର ଉଜ୍ବଳ ଭବିଷ୍ୟତ ଗଢିବାରେ ସେଠି ସେ ନିଜ ଘରର ଉଚ୍ଚଶିକ୍ଷିତା ବୋହୁର ଭବିଷ୍ୟତକୁ ନିଜ ହାତରେ ଜାଳି ପୋଡି ନଷ୍ଟ କରିଦେଉଛନ୍ତି ତାଙ୍କର ବିଦ୍ୟାଳୟରେ ଛାତ୍ରମାନଙ୍କୁ ଶିକ୍ଷା ଦେବାର କି ଯୋଗ୍ୟତା ଥିବ ତାହା ମୁଁ ଅନୁମାନ କରିପାରୁଛି
ଏତିକି କଥାବାର୍ତା ଭିତରେ ଇନାକ୍ଷୀ ରୁମ୍ ଭିତରକୁ ସମସ୍ତଙ୍କର ଅନାବାଧ୍ୟ ପ୍ରବେଶ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଜବାନ ଦିଅରର କେବୁଲ ତାର ବାହାନାରେ, ଶଶୁରଙ୍କର ଠାକୁରଙ୍କୁ ଧୁପ ଦେବା ବାହାନାରେ, ଶାଶୁଙ୍କରତ ଅଧିକାର ଅଛି ଅର୍ଡର ଦେବାରେ, ସେ କେତେବେଳେବି ପ୍ରବେଶ କରିପାରନ୍ତି ସବୁ ଆରାମ ତାଙ୍କ ଭାଗରେ, ବୋହୁର କିଛି ଭାଗ ନାହିଁ ଯେମିତି ଆରାମରେ ଠିକ୍ ଏତିକି ବେଳେ ବାହାରରୁ ଶବ୍ଦ ଶୁଣାଗଲା – ହଇଲୋ, କେତେ ଗପ କରୁଛୁ ରାତି ପାଇଁ ରୋଷେଇ ହେବ କେତେବେଳେ ଶିଘ୍ର ଖାଇ ଶୋଇଲେ ପରା ପୁଣି ସକାଳୁ ଉଠି ସ୍କୁଲକୁ ଯିବୁ ଇନାକ୍ଷୀ ତର-ତର ହୋଇ ଜୁଜୁକୁ ଶୁଆଇଦେଇ ପୁନଃ ରୋଷେଇଶାଳକୁ ବାହାରିଗଲା ଛପନଭୋଗ ରାନ୍ଧିବା ପାଇଁ ଶାଶୁ, ଶଶୁର, ଦିଅର ଗୋଡ ଉପରେ ଗୋଡ ପକେଇ ବସି, ଟି.ଭି. ଦେଖି ମନୋରଞ୍ଜନ କରିବା ସହିତ ଛପନଭୋଗ ଅପେକ୍ଷାରେ ଥାଆନ୍ତି...........
ରାତି ଆଠଟା ବାଜିଗଲା ଅମିତ ବାବୁ (ଇନାକ୍ଷୀର ସ୍ବାମୀ) ଘରକୁ ବାହୁଡିଲେ, ଗୋଠରୁ ବାହୁଡିଲା ଗାଇ ପରି ଗାଇତ ଗୋଠରୁ ସନ୍ଧ୍ୟା ପୂର୍ବରୁ ବାହୁଡେ, ଏଠି କିନ୍ତୁ ରାତି ହୋଇଯାଇଥିଲା ବାହାଘର ଦିନହିଁ ମୁଁ ଅମିତ ବାବୁଙ୍କୁ ଦେଖିଥିଲି ତାପରଠାରୁ ଆଉ ଆମର ଦେଖା ସାକ୍ଷାତ ହୋଇପାରି ନଥିଲା ଭାବିଥିଲି ଭିଣୋଇ ଆସିଲେ ବହୁତ ଖୁସିଗପ କରିବି କିନ୍ତୁ ଏ କଣ! ଭିଣୋଇତ ସିଧା ଯାଇ ବୋଉ କୋଳରେ “ସକଳ ତୀର୍ଥ ତୋ ଚରଣେ – ବଦ୍ରିକା ଯିବି କି କାରଣେ” ଆଜ୍ଞା, ଏ ଉକ୍ତି ଟା ଏ ମାଁ କ୍ଷେତ୍ରରେ କେତେଯେ ଯଥାର୍ଥ ମୁଁ ବୁଝି ପାରିଲିନି ତ ଇନାକ୍ଷୀ ଭଳି ସାଧା-ସିଧା ସରଳ ଝିଅ କଣ ବା ବୁଝିଥିବ ବଡ ପୁଅଙ୍କୁ ଦେଖି ମାତାଙ୍କର ଦୁଇ ନୟନରରୁ ଗଙ୍ଗା-ଯମୁନା ପରି ଅଶ୍ରୁଧାର ବୋହିବାରେ ଲାଗିଲା ମୁଁ ଜାଣିପାରିଲିନି ଯେ ଏତେ ଆରାମ ପରେ ଏ ଅଶ୍ରୁଧାରର କାରଣ କଣ ପଚାରୁ ପଚାରୁ ଜଣା ପଡିଲା ଯେ ଅତ୍ୟଧିକ ଆରାମ କରିବାରୁ ବସି-ବସି ମାଙ୍କ ହାତ ଦିଟା ବିନ୍ଧୁଛି ବଡ ପୁଅ ମାଁଙ୍କୁ ଆଉଁସା-ଆଉଁସି କରି ସାନ୍ତ୍ବନା ଦେଇ ଫ୍ରେସ୍ ହେବାପାଇଁ ଚାଲିଗଲେ ସ୍ତ୍ରୀ ଏପଟେ ଦିନଯାକ ରୋଷେଇ ଘରେ, ପଚାରିବାକୁ ଆଗ୍ରହ ହେଲାନି ଭାଇନାଙ୍କର ସ୍ତ୍ରୀ କଥା ଛାଡନ୍ତୁ, ନିଜ ପୁତ୍ର ପ୍ରତି ମଧ୍ୟ କିଛି ବିଶେଷ ସ୍ନେହ ମୁଁ ଦେଖି ନଥିଲି ଏହାର ଫାଇଦା ଘରର ଅନ୍ୟ ସଦସ୍ୟ ମାନେ ଯେଣତେଣ ପ୍ରକାରେଣ ହାସିଲ କରି ନେଉଥିଲେ
ଏଠି ମୁଁ ମୋ ଅନ୍ତରାତ୍ମାରୁ ଏକ ସମ୍ବାଦ ସଂସାରର ସମସ୍ତ ସ୍ବାମୀ ମାନଙ୍କୁ ଦେବାକୁ ଚାହେଁ – ହେ ସ୍ବାମୀ –ଟିକେ ଭାବନ୍ତୁ, ଆପଣମାନେ ନିଜ ସହଧର୍ମଣୀଙ୍କୁ ପଛରେ ରଖି କେମିତି ଆଗକୁ ବଢି ପାରିବେ? ଧର୍ମଣୀ ସହିତହିଁ ଆପଣଙ୍କର ମଙ୍ଗଳ ଧର୍ମଣୀ ରହିତ ହୋଇତ ସ୍ବୟଂ ଜଗନ୍ନାଥ ମହାପ୍ରଭୂ ଦ୍ବାର ଦ୍ବାର ଭିକ୍ଷା ମାଗିବା ପାଇଁ ବାଧ୍ୟ ହୋଇଥିଲେ ତାତ୍ପର୍ଯ୍ୟ, ସ୍ତ୍ରୀର ସମ୍ମାନରେ ସ୍ବାମୀର ସମ୍ମାନ ଲୁଚି ରହିଛି ଯେଉଁ ସ୍ବାମୀ ସ୍ତ୍ରୀକୁ ପରିବାର ଆଗରେ ସବୁବେଳେ ଅପମାନିତ କରେ, ଭବିଷ୍ୟତରେ ତାର ଅପମାନ ସୁନିଶ୍ଚିତ, ତାତ୍ପର୍ଯ୍ୟ, ଇନାକ୍ଷୀର ଅବଦାନରେ ଅମିତ ବାବୁ ପରିବାରଠାରୁ ସମ୍ମାନ ପାଉଛନ୍ତି ଯେଉଁଦିନ ଇନାକ୍ଷୀ ତ୍ୟାଗ କରିବା ଛାଡିଦେବ, ସେହିଦିନଠାରୁ ଅମିତ ବାବୁଙ୍କ ପରିବାର ପ୍ରଥମେ ଅମିତ ବାବୁଙ୍କୁ ହିଁ ଅସମ୍ମାନ କରିବ ଇନାକ୍ଷୀର ତ୍ୟାଗରେ ହିଁ ଅମିତ ବାବୁଙ୍କର ସମ୍ମାନ କିନ୍ତୁ ଏହା ସେ ବୁଝିବାକୁ ଅକ୍ଷମ ବୋଧେ
କିଛି ସମୟ ପାଇଁ ମୁଁ ମୌନ ବସିଗଲି ଏହା ଭିତରେ ଅମିତ ବାବୁଙ୍କର ମନେପଡିଲା ଯେ ଶାଳି ଘରକୁ ଆସିଛି ସେ ଆସି ମୋ ପାଖରେ ବସିଲେ ମୁଁ ତାଙ୍କସାଙ୍ଗରେ ପ୍ରଥମଥର ପାଇଁ କଥାହେବାର ସୁଯୋଗ ପାଇଲି ବାହାଘର ଦିନତ ଏତେ ଭଲରେ କଥାବାର୍ତ୍ତା ହୋଇପାରି ନଥିଲା ଆମେ ଦୁଇଜଣ ବସି କଥାବାର୍ତ୍ତା ଆରମ୍ଭ କଲୁ ମୁଁ ତାଙ୍କ ଚାକିରୀ ବିଷୟରେ, ତାଙ୍କ ଜୀବନ ବିଷୟରେ ପଚାରିଲି ଏମିତି ଅନେକ ବିଷୟରେ ଯାହାକି ପ୍ରଥମ ସାକ୍ଷାତକାରରେ ପଚରାହୁଏ ଅମିତ ବାବୁ ନିତ୍ୟଦିନ ସକାଳୁ ଉଠି ପାଖାପାଖି ୯ଟା ବେଳକୁ ଅଫିସ ବାହାରିଯାନ୍ତି ଲଞ୍ଚ ଟାଇମରେ ଘରକୁ ଆସିପାରନ୍ତି ନାହିଁ କିନ୍ତୁ ବେଳେ ବେଳେ ସମୟ ହେଲେ ଅଫିସରୁ ବାହାରି ଲେଡିଜ୍ ଷ୍ଟାଫଙ୍କ ସାଙ୍ଗରେ ମିଶି ଲଞ୍ଚ ପାଇଁ ବାହାରକୁ ଯାଆନ୍ତି ସମୟ ମିଳିଲେ ମ୍ୟାଙ୍ଗୋ ଡେ, ବାନାନା ଡେ ମଧ୍ୟ ବନାନ୍ତି ଆଉ ମଝିରେ ମଝିରେ ଟୁରରେ ବାହାରକୁ ମଧ୍ୟ ଚାଲିଯାଆନ୍ତି ଇନାକ୍ଷୀ ପାଇଁ ତାଙ୍କପାଖରେ ସମୟ ନଥାଏ ଘରେ ବାପା-ବୋଉ ତ ଅଛନ୍ତି ସେଥିପାଇଁ ସେ ନିଶ୍ଚିନ୍ତରେ ଘରୁ ବାହାରିଯାନ୍ତି ସେ ଜାଣିନାହାନ୍ତି ଯେ ତାଙ୍କ ଜୀବନ ମଧ୍ୟ ଇନାକ୍ଷୀ ପରି ନୀରବ, ନୀରସ, ନିର୍ଜିବ, ନିରୁଦିଷ୍ଟ ଏବଂ ନିରୁପାୟ ହୋଇ ଅମିତ ଶୂନ୍ୟପଥରେ ଘୂରିବୁଲୁଛି ଏବଂ ରାଗ ଭୈରବୀର ମଧୁର ରାଗରେ ନିଜ ଆତ୍ମାକୁ ତୃପ୍ତ କରିବା ପାଇଁ ବାରମ୍ବାର ଚେଷ୍ଟା କରି ଚାଲିଛି.......
ଏହା ଭିତରେ ରାତି ୯ଟା ବାଜିସାରିଥାଏ ରାତ୍ରି ଭୋଜନର ସମୟ ଇନାକ୍ଷୀ ଛପନ ଭୋଗ ଆଣି ଟେବୁଲ୍ ଉପରେ ସଜେଇଦେଲା ସମସ୍ତେ ଖାଇବାପାଇଁ ବସିପଡିଲେ ମୁଁ ଇନାକ୍ଷୀକୁ ପଚାରିଲି – ତୁ ଖାଇବୁନି କି? ସକାଳେତ ବ୍ୟସ୍ତରେ ଖାଇଲୁକି ନାହିଁ ଜଣାନାହିଁ ଏବେ ତ ଆସ୍, ମୋ ସାଙ୍ଗରେ ଖାଇବୁ ହଠାତ୍ ଅମିତ ବାବୁ ବାହାରିପଡି କହିଲେ, ସେ ସମସ୍ତଙ୍କ ପଛରେ ଖାଏ ଶାଶୁ ମଧ୍ୟ ତୁରନ୍ତ ବୁଲିପଡି କହିଲେ, ଆମ ଘରର ନିୟମ, ସମସ୍ତ ସଦସ୍ୟ ଖାଇସାରିଲା ପରେହିଁ ବୋହୁର ଖାଇବା ଉଚିତ ଏବଂ ଏହା ତାର କର୍ତ୍ତବ୍ୟ ମୁଁ ମନେମନେ ଭାବିଲି, ଆପଣତ ମଧ୍ୟ ଜଣେ ବୋହୁ ଆପଣଙ୍କ ଶାଶୁ ଏବେ ମଧ୍ୟ ବଞ୍ଚିଛନ୍ତି କାହିଁ, ବୋହୁର କର୍ତ୍ତବ୍ୟ କରିବା ଆପଣଙ୍କୁ କଣ ଜଣାନାହିଁ ଆପଣଙ୍କର କର୍ତ୍ତବ୍ୟତ ମୁଁ ଏପର୍ଯ୍ୟନ୍ତ ଦେଖି ପାରିଲିନାହିଁ ରାମ.......ରାମ...... କହିବାକୁ କାହାର ସାହସ ଅଛି ଖାଲି ଆମେ ମନରେ ଭାବିବା! ସମସ୍ତଙ୍କ ଭୋଜନ ସମାପ୍ତି ପରେ ଇନାକ୍ଷୀ ଖାଇବାପାଇଁ ବସିଲା ଜୁଜୁ କାନ୍ଦୁଥାଏ ଅମିତ ବାବୁ ଆସି ଜୁଜୁକୁ ଇନାକ୍ଷୀଠାରୁ ନେଇଗଲେ ଭାବିଲି ଏବେ ଟିକେ ସେ ଶାନ୍ତିରେ ଖାଇପାରିବତ ମୁଁ ଇନାକ୍ଷୀକୁ ଗଭୀର ଭାବରେ ଦେଖୁଥାଏ ସେ ବହୁତ ଧିରେ-ଧିରେ ଖାଉଥାଏ ସେତବେଳକୁ ରାତି ୧୦ଟା ବାଜି ସାରିଥାଏ ତାର ମୁଖମଣ୍ଡଳର କାନ୍ତି ଆଉ ଶରୀର ଯେମିତି ନିସ୍ତେଜ୍ ହୋଇଯାଇଛି ଖାଇବାକୁ ଇଛା ନାହିଁ ବଞ୍ଚିବା ପାଇଁ ବାଧ୍ୟହୋଇ ଖାଉଛି...ବୋଧେ? ମୁଁ ଅମିତ ବାବୁଙ୍କୁ କହିଲି-ଆପଣ ତ ବହୁତ ଥକି ଯାଇଥିବେ ଯାଇ ଶୋଇପଡନ୍ତୁ ସେ ମୋତେ କହିଲେ- ହଁ, ଥକିତ ଯାଇଛି......., ବହୁତ କ୍ଲାନ୍ତ ମଧ୍ୟ ଅନୁଭବ କରୁଛି ଏହା କହି ସେ ଶୋଇବାକୁ ଚାଲିଗଲେ ଇନାକ୍ଷୀ ଏହାଭିତରେ ଖାଇସାରି ବାସନ ମାଜିବାପାଇଁ ଚାଲିଗଲା
ରାତି ୧୧ଟା ପାଖାପାଖି ହୋଇଯିବ ସମସ୍ତେ ଯିଏ ଯାହାର ଖାଇପିଇ ଶୋଇବା ପାଇଁ ପଳେଇଲେଣି ମୁଁ ବାହାର ଅଗଣାରେ ଗୋଟିଏ ଚଉକି ପକେଇ ବସି ଆକାଶକୁ ଚାହିଁ ଦେଖିଲି୍ ସେ ଦିନ ଥିଲା ପୂର୍ଣ୍ଣିମାର ରାତ୍ରି ଏବଂ ଗଗନ ଥିଲା ଅନଭ୍ର ମୁଁ ଦେଖିଲି - ସେହି ଶୁଷ୍କ, ନିର୍ଜୀବ ଘରର ଛାତ ପୂର୍ଣ୍ଣମୀ ରାତ୍ରିରେ ଚନ୍ଦ୍ରମାର ଶୀତଳ ମନ ମୁଗ୍ଧକର ଚାନ୍ଦିନୀରେ ଚନ୍ଦ୍ରକୁ ଚାହିଁ ଚକ୍-ଚକ୍ କରି ଉଠୁଥିଲା
ମୁଁ ଦେଖିଲି..... ମନ୍ଦ-ମନ୍ଦ ବାୟୁରେ କିଛି ବୃକ୍ଷ ଝୁଲି-ଝୁଲି ଗାଉଛନ୍ତି କିଛି ମଧୁର ରାଗ – ସେ ରାଗରେ ଅଶାନ୍ତି ନାହିଁ.....ଦ୍ବେଷ ନାହିଁ..... ହିଂସା ନାହିଁ..... ନାହିଁ ମଧ୍ୟ ସ୍ବାର୍ଥପରତା
ମୁଁ ଦେଖିଲି - ଧିରେ-ଧିରେ ରାତ୍ରୀ ଚଢି ଆସୁଥାଏ ଚନ୍ଦ୍ରମାର ସ୍ବଚ୍ଛ, ଶୀତଳ, ଶ୍ବେତ ରଙ୍ଗର ଚାନ୍ଦିନୀରେ ତାରା ସମୁହ ଉତ୍ସବମୂଖରିତ ହୋଇ ଉତ୍ସାହରେ ଉତ୍ସବ ପାଇଁ ସିଙ୍ଗାର କରୁଥାନ୍ତି ଚତୁର୍ଦୁଗେ ନିର୍ମଳ ପ୍ରକାଶ, ଏହି ପ୍ରକାଶରେ ମଗ୍ନ ବୃକ୍ଷମାନେ ଗୁପ୍-ଚୁପ୍ ବାର୍ତାଳପରେ ବ୍ୟସ୍ତଥାନ୍ତି ସେହି ବୃକ୍ଷ କୋରଡରେ ବାସ କରୁଥିବା କପୋତ ଯୁଗଳ ସ୍ବଚ୍ଛ ଚାନ୍ଦିନୀରେ ପ୍ରେମ-ପ୍ରଣୟରେ ଥାନ୍ତି ମଗ୍ନ.....
ମୁଁ ଦେଖିଲି – ନୀଳ ଆକାଶର ଛାଇରେ କିଛି ଖଗ ଚେଁ.....ଚେଁ..... ଶବ୍ଦ କରି ଚାନ୍ଦିନୀ ରାତ୍ରିର ନିର୍ଜନତାକୁ ଭଙ୍ଗ କରିବାକୁ ଚେଷ୍ଟା କରୁଥାନ୍ତି.......
କିନ୍ତୁ ଏହିସବୁ ଦୃଶ୍ୟ ଖାଲି ମୁଁ ଦେଖୁଥିଲି......ଖାଲି......... ମୁଁ..........ଏବଂ ଏହି ନିର୍ଜନତାରେ ଆଉ ଗୋଟିଏ ଶବ୍ଦ ମଧ୍ୟ ମୋ କାନରେ ବାଜୁଥାଏ ଇନାକ୍ଷୀର ବାସନ ମଜା ଝନ୍....... ଝନ୍......ଝନ୍.........
ଭାବୁଥାଏ କେତେବେଳେ ଇନାକ୍ଷୀ ରାଗ ଭୈରବୀ ଗାଇ ସଭା ସମାପ୍ତ କରିବ ଭୈରବୀ ଦେବୀଙ୍କୁ କ୍ରିୟା ଶକ୍ତିର ରୂପ ଦିଆ ଯାଇଛି ଯାହାକୁ ସ୍ମରଣ କଲେ ଶରୀରରୁ ସମସ୍ତ ବ୍ୟାଧୀ ନିସ୍କାସିତ ହୋଇ ଶରୀରକୁ ପୂର୍ଣ୍ଣ ଜୀବିତ କରିଥାଏ ରାଗ ଭୈରବୀ ଏମିତି ଏକ ରାଗ ଯାହାକୁ ଗାଇ ସଭା ସମାପ୍ତ କରିବାର ପ୍ରଥା ମଧ୍ୟ ପ୍ରଚଳିତ ଅଛି ଏହି ରାଗ ଭାବ-ଅଭିବ୍ୟକ୍ତି ପାଇଁ ମଧ୍ୟ ବହୁତ ଅନୁକୁଳ ଏବଂ ପ୍ରଭାବକାରୀ ଅଟେ
କିନ୍ତୁ ଇନାକ୍ଷୀ ଏଠି ନା ତା ଶରୀରର ବ୍ୟାଧିକୁ ନିଷ୍କାସିତ କରିବାକୁ ଚାହୁଁଛି ନା ତା ନିଜର ଭାବନାକୁ କାହା ଆଗରେ ଅଭିବ୍ୟକ୍ତ କରୁଛି, ନା ରାଗ ଭୈରବୀ ଗାଇ ଦିନଯାକର କାର୍ଯ୍ୟକ୍ରମକୁ ସମାପ୍ତ କରିବାକୁ ଚେଷ୍ଟା କରୁଛି? କଣ ଚାହୁଁଛି ସେ?
ସମାଜରେ ଏମିତି ଅନେକ ଇନାକ୍ଷୀ ଥିବେ ଯିଏକି ବୋହୁ ରୂପରେ ଏହି ଅସମାନତା ପ୍ରଥାର ଶିକାର ଘରେ ଘରେ ହୋଇ ଆସୁଛନ୍ତି ମାଁ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ ରାଗ ଭୈରବୀ ଗାଇ ସମାଜରେ ପ୍ରଚଳିତ ଏହି ଅସମାନତା ପ୍ରଥାକୁ ସମୁଳେ ବିନାଶ କରି ସମାନତାରେ ପରିଣତ କରିବା ପାଇଁ, ମା ଭୈରବୀଙ୍କ ପାଖରେ ମୋର ଏତିକି ବିନତୀ
ଲକ୍ଷ୍ନୌ, ଉତ୍ତର ପ୍ରଦେଶ
ଇମେଲ୍ : mamata.dash1234@gmail.com
Go Back to Previous Page
ରାଗ ଭୈରବୀ
ମମତା ଦାଶ
Read Article
ନଡ଼ିଆ ନ୍ୟାୟ
ପଦ୍ମଚରଣ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ