ଏକାଠି ରହିବାର ପରିକଳ୍ପନା ଓ ଏକାଠି ଘରସଂସାର କରିବାର ସ୍ବପ୍ନରେ ମସଗୁଲ ଦୁଇ ଚକୋର ଚକୋରୀ। କାହାର ଛିଗୁଲେଇବା କଥା ପ୍ରବେଶ କରି ପାରୁନଥିଲା, ଏମାନଙ୍କ କଳ୍ପନାର ଇଲାକାରେ। ଦୁହେଁ ଖୁବ୍ ସାଙ୍ଗସାଥି ହୋଇ ମିଳିମଶି ସମୟ ଅତିବାହିତ କରୁଥିଲେ। ଝିଅଟି ଖୁବ୍ ଅନ୍ତର ସହ ପୁଅଟିକୁ ଭଲପାଉଥିଲା। ଦୁହେଁ ଦୁହିଁଙ୍କୁ ଦଣ୍ଡ ଛାଡ଼ି ରହିପାରୁ ନ ଥିଲେ ଏମିତି ଏମିତି ବାଲ୍ୟଜୀବନ ଅତିବାହିତ କରିଦେଲେ।
ବାଲ୍ୟ ଜୀବନ ଅତିବାହିତ ଅନ୍ତେ ବିଚ୍ଛେଦ ମୂହୁର୍ତ୍ତ ଆସିଥିଲା, ଯାହା ଝିଅଟି ବଡ଼ ଆଘାତ ପାଇଥିଲା। କାରଣ ପୁଅଟି ଅନ୍ୟ ସହରରୁ ଆସିଥିଲା। ତେଣୁ ଉଚ୍ଚଶିକ୍ଷା ପାଇଁ ନିଜ ଘରକୁ ଚାଲିଗଲା, ଅନେକ କୋହଭରା କଣ୍ଠରେ ବିଦାୟ ଦେଇଥିଲା ବାଲ୍ୟ ତଥା ହୃଦୟବନ୍ଧୁଙ୍କୁ।
ସେହି ବିଦାୟ ହିଁ ସେମାନଙ୍କର ହୋଇଥିଲା ଚିରବିଦାୟ, ପବିତ୍ର ସଂପର୍କର।
କାରଣ, ତା’ପରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ୟା ମଧ୍ୟରେ କାହା ସହିତ କାହାର ନା ଦେଖାହୋଇଥିଲା, ନା କାହାର ଯୋଗାଯୋଗର କିଛି ମାଧ୍ୟମ କାହା ପାଖରେ ଥିଲା।
ଇତିମଧ୍ୟରେ ଦିନେ ହଠାତ୍ ରାସ୍ତାରେ ମିଲି ସହ ମଣ୍ଟୁର ଦେଖା ହୋଇଗଲା। ମିଲି ତ ହୃଦୟ ଦେଇ ମଣ୍ଟୁକୁ ଭଲପାଉଥିଲା। କିନ୍ତୁ ମଣ୍ଟୁ ହୁଏତ ପରିବେଶ ଓ ପରିସ୍ଥିତିର ଚାପରେ ପଡ଼ି ମିଲିକୁ ଭୁଲିଯାଇ ଆଉ କାହା ପ୍ରେମଫାଶରେ ବନ୍ଧା ପଡ଼ି ଯାଇଥିଲା ହେଲେ ମିଲି ବହୁତ ଖୁସି ହୋଇଗଲା ମଣ୍ଟୁକୁ ଦେଖି। କିନ୍ତୁ ମଣ୍ଟୁ ଯେ ବର୍ତ୍ତମାନ ଯାହା ପ୍ରେମରେ ଉବୁଟୁବୁ, ତା ପିଲାର ବାପା ହୋଇଯାଇଛି। ଏଇଟା ସୁବର୍ଣ୍ଣ ସୁଯୋଗ ଭାବି ମଣ୍ଟୁ ମିଲି ସହ ଅତ୍ୟନ୍ତ ଅନ୍ତରଙ୍ଗ ସାଥୀ ଭଳି, ବିଗତ ଦିନର ବିଛେଦର ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଅନେକ ଦୁଖଃ ପାଇବାର ଉଭୟେ କଲେ।
ଅନେକ କିଛି ହରାଇବାର ଦୁଃଖ ଅନୁମାନ କଲା ମିଲି ଓ ମଣ୍ଟୁର ଅସହାୟତା ଲକ୍ଷ୍ୟ କଲା ଓ କାରଣ ବି ବୁଝି ପାରିଲା। ମିଲି କହିଲା-
ମଣ୍ଟୁ, ଆଜି ଆଉ ସେସବୁ ଆଲୋଚନାର କିଛି ମୂଲ୍ୟ ନାହିଁ।
କାରଣ ମୁଁ ଏବେ ଆଉ କାହାର ସ୍ତ୍ରୀ ଓ ଆଉ କାହାର ବୋହୁ। ତେଣୁ ଏବେ ଏସବୁ ଆଲୋଚନା ହୁଏତ ଆଉ କାହାର ଚକ୍ଷୁଶୀଳ ହୋଇପାରେ ସେସବୁ ଭୁଲିଯାଇ ତୁମେ ଏବେ ବିବାହ କରି ସୁଖରେ ଘରସଂସାର କରିରୁହ।
ଅଭିନୟରେ ମଣ୍ଟୁ କିଛି କମ୍ ନୁହେଁ। ଏବେ ଭଲ ପାଉଥିବା ଆଉ ଗୋଟିଏ ଝିଅକୁ ଯେ ମାଆ କରିଦେଇଥିବା କଥା କହିଥିଲା ମଣ୍ଟୁ। କେହି ଜଣେ ଯଦି ସହଯୋଗ କଲେ ଖାସ୍ କରି ତୁମର ସହଯୋଗ ରହିଲେ ମୁଁ ନିଶ୍ଚୟ ସେ ଝିଅକୁ ବିବାହ କରିପାରିବି ବୋଲି ମଣ୍ଟୁ ପ୍ରକାଶ କଲା ଆଉ କହିଲା-
“ମିଲି, ତୁମେ ଯଦି ସେ ପିଲାଟିକୁ କିଛିଦିନ ତୁମ ପାଖରେ ରଖନ୍ତ, ତେବେ ମୋ ବିବାହର କିଛି ପ୍ରତିବନ୍ଧକ ଆସନ୍ତା ନାହିଁ। ସମୟ ସୁବିଧା ଦେଖି ତୁମ ପାଖରୁ ମୁଁ ପୁଣି ପିଲାଟିକୁ ନେଇ ଆସନ୍ତି। ମୁଁ ତୁମ ହାତ ଧରୁଛି, ନେହୁରା ହେଉଛି। ମୋତେ କିଛି ସାହାଯ୍ୟ କର ମିଲି। ତୁମ ଗୋଡ଼ ବି ଧରୁଛି। ଦୟାକର। ତୁମେ କିଛି ଦିନ ପିଲାଟିକୁ ତୁମ ପାଖରେ ରଖ। ଏତିକି ସାହାଯ୍ୟ କର ।”
ମିଲି - “ଦେଖ ଏତେ ଅନୁରୋଧ କରି ମୋତେ ଛୋଟ କରି ଦିଅନାହିଁ। ମୁଁ ତ ଆଉ ଏବେ ଏକା ନାହିଁ, ମୋ ପାଖରେ ମୋ ସ୍ବାମୀ ଅଛନ୍ତି। ମୁଁ ତାଙ୍କ ସହିତ ଏ ବିଷୟରେ ପରାମର୍ଶ କରି ଚେଷ୍ଟା କରିବି ତୁମକୁ ନିଶ୍ଚୟ କିଛି ସାହାଯ୍ୟ କରିବାକୁ। ବ୍ୟସ୍ତ ହୁଅନି। ମୋ ସ୍ବାମୀ ଖୁବ୍ ଭଲ ଲୋକ। ସେ ନିଶ୍ଚିତ ମୋ କଥା ରଖିବେ ବୋଲି ଭାବୁଛି। ମୋତେ ତୁମ ଫୋନ୍ ନମ୍ବର ଦିଅ। ବୁଝି ଖୁବ୍ ଶୀଘ୍ର ଜଣେଇବି।” ଦୁହେଁ ଦୁହିଁଙ୍କ ଫୋନ୍ ନମ୍ବର ନେଇ ନିଜ ନିଜର ଗନ୍ତବ୍ୟ ପଥରେ ଚାଲିଗଲେ।
ମିଲି ଘରେ ପହଞ୍ଚି ସ୍ବାମୀଙ୍କୁ ମଣ୍ଟୁ ସହିତ ଭେଟ ଓ ସବୁକଥାଯାକ କହିଲା। ଏହାର ଉପାୟ କଣ କରାଯିବ ପଚାରିଲା। ପୂର୍ବତନ ପ୍ରେମିକର କଳଙ୍କର କାଳିମାକୁ ଚନ୍ଦନ କରି ନିଜ ଦେହରେ ବୋଳିବାକୁ ଚାହୁଁଥିବା ପତ୍ନୀକୁ ଚାହିଁ ସ୍ବାମୀ ମନେ ମନେ ଖୁବ୍ ତାରିଫ୍ କରିଥିଲେ ମିଲିକୁ।
ଏ କଳିଯୁଗରେ ବି ଏମିତି ପ୍ରେମିକା ଥାଆନ୍ତି ଭାବି ଖୁବ୍ ଖୁସି ମଧ୍ୟ ହେଲେ ଏବଂ ସହମତି ପ୍ରକାଶ କରିଥିଲେ ସହଯୋଗ ର ହାତ ବଢାଇବାକୁ।
ଯାହାହେଉ। ଗୋଟିଏ ଆତ୍ମତୃପ୍ତି ମିଳିଲା ମିଲିକୁ, ସ୍ବାମୀଙ୍କ ସହଯୋଗ ପାଇଁ। ହେଲେ ମିଲି ଚିନ୍ତିତ ଯେ, ବର୍ତ୍ତମାନ ତା କୋଳରେ ୭/୮ମାସର ପୁଅଟିଏ। ଭାରି ରୋଗିଣା। ତା’ରି ସେବା ଶୁଶ୍ରୃଷାରେ ମିଲିର ସବୁ ସମୟ ଚାଲିଯାଏ। ଏପରିକି ଖାଇବା ପିଇବା କି ଟିକେ ବିଶ୍ରାମ ନେବାକୁ ମିଲିକୁ ସମୟ ହୁଏନାହିଁ। ତା ପରେ ପୁଣି ମଣ୍ଟୁର ପିଲାର ସୁରକ୍ଷା। କିପରି ଯେ ଏସବୁ କରିବ; ମନକୁ ଦୃଢ କରି ମନେ ମନେ କହିଲା, ନିଜକୁ ଯେତେ କଷ୍ଟ ହେଉ ପଛେ ପ୍ରେମିକକୁ ସ୍ବାମୀ ଭାବରେ ନ ପାଇପାରେ ପଛେ ତାଙ୍କ ଔରସର ସନ୍ତାନ ତଥା ତାଙ୍କ ସୁଖ ଦାମ୍ପତ୍ୟଜୀବନ ପାଇଁ, ଯେତେ କଷ୍ଟ ହେଉ ପଛେ ସବୁ ସହିବାକୁ ମିଲି ପ୍ରସ୍ତୁତ ହୋଇ ଉଠେଇଲା ଫୋନ୍-“ହାଲୋ, ମଣ୍ଟୁ ଏବେ କେଉଁଠି?”
ମଣ୍ଟୁ - ବଡ ଦୁଃଖ ଆଉ ଚିନ୍ତାରେ ପାର୍କରେ ବସିଛି।
ମିଲି - ଏକା ନା ଆଉ କେହି ...
ମଣ୍ଟୁ - ନାହିଁ ମ, ମୁଁ ଏକା ଏକା ବସି ଭାବୁଛି। ମୋ ଭାଗ୍ୟରେ ବୋଧହୁଏ ବିବାହ ଯୋଗନାହିଁ।
କିଏ ବା ମୋତେ ସାହାଯ୍ୟର ହାତ ବଢ଼ାଇବ ଯେ ...
ମିଲି - ସେମିତି କାହିଁକି ଭାବୁଛ?
ମଣ୍ଟୁ - ଆଉ କେମିତି ଭାବିବି କହିଲ, ଯାହାକୁ ବାହାହେବି, ତା କୋଳରେ ୬ ମାସର ପିଲା। ସମାଜ କଣ ସ୍ବୀକୃତି ଦେବ ନା ଏ ପରିସ୍ଥିତିର ସମାଧାନ ହେବ। ଧିକ୍କାର ଲାଗୁଛି ମୋତେ। ଆତ୍ମହତ୍ୟା କରିଦେବି ମିଲି।
ମିଲି - ଛି, ଛି, ତୁମକୁ ମୋ ରାଣ। ଆମ ଭଲପାଇବାର ରାଣ। ସେମିତି କାଳତୁଣ୍ଡିଆ କଥା କେବେ ବି କହିବନି। ଶୁଣ- କିଛି ଚିନ୍ତା କରନି। ଆଜି, ଆଜି ଆଣି ସେ ପିଲାଟିକୁ ମୋତେ ଦେଇଦିଅ। ଆଉ ବାପା ବୋଉଙ୍କ ସହ କଥା ହୋଇ ବାହାଘର ତାରିଖ ଠିକ୍ କର।
ମଣ୍ଟୁ - ସତ କହୁଛ; ଆଉ ... ତୁମ ସ୍ବାମୀ..
ମିଲି - ହଁ, ମୋ ସ୍ବାମୀ ଖୁବ୍ ଭଲ ଲୋକ। ଆଉ ମୋତେ ବହୁତ ଭଲ ପାଆନ୍ତି। ସେ ତ ମୋ ପାଇଁ ଭଗବାନଙ୍କ ଠାରୁ ବି ଆହୁରି ଅଧିକ। ଛାଡ଼... ପିଲାକୁ ଏଠାରେ ଆଣି ପହଞ୍ଚାଇବାର ବ୍ୟବସ୍ଥା କର। ଦେଖ, ମୁଁ ଏବେବି ତୁମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ଆମ ଭଲପାଇବା ପାଖରେ ମୁଁ କଣ ଏତିକି କରିପାରିବି ନାହିଁ? ନିଶ୍ଚିତ ଭାବରେ ପାରିବି। ଆଉ ଏସବୁ ମୋ ସ୍ବାମୀ ପୂର୍ଣ୍ଣ ସମର୍ଥନ କରିଛନ୍ତି।
ମଣ୍ଟୁ - ତୁମ ଋଣ ମୁଁ କେବେବି ଶୁଝି ପାରିବିନି ମିଲି। ତୁମେ ମହାନ।
ମିଲି - ସେସବୁ କିଛି ଦରକାର ନାହିଁ। ମୋ ସହ ଖାଲି ଖୁସିରେ ଟିକେ କଥା ହୁଅ, ଆଉ ତୁମେ ସୁଖଶାନ୍ତିରେ ଘରସଂସାର କର। ଏଇଟା ମୋର ଇଚ୍ଛା।
ମଣ୍ଟୁ - ଠିକ୍ ଅଛି। ଆଜି ମୁଁ ପିଲାକୁ ନେଇ ତୁମ ପାଖରେ ପହଞ୍ଚି ଯାଉଛି।
ଅନେକ ଆତ୍ମତୃପ୍ତି ପାଇ ମଣ୍ଟୁ ପିଲାଟିକୁ ଆଣି ମିଲି ପାଖରେ ପହଞ୍ଚାଇ ଦେଇଛି। ଖୁବ୍ ଆନନ୍ଦ ଓ ଆବେଗଭରା ହୃଦୟରେ ପ୍ରେମିକର ବହୁ ମୂଲ୍ୟବାନ ରତ୍ନକୁ ଗ୍ରହଣ କରିଛି ମିଲି। ଅତ୍ୟନ୍ତ ଦୁର୍ବଳ ଚେହେରାର ପିଲାଟିର ଯତ୍ନ ପାଇଁ ମଣ୍ଟୁ ଅନୁରୋଧ କରିଛନ୍ତି।
ସେ ଯାହା ବି ହେଉ ୬ ମାସର ଶିଶୁ ମଧ୍ୟ ମିଲିକୁ ମା’ ରୂପେ ଆପଣେଇ ନେଇଛି।
ଏଣେ ନିଜ କୋଳରେ ସ୍ବାମୀଙ୍କ ମୂଲ୍ୟବାନ ସନ୍ତକ ସ୍ବରୁପ ୮ ମାସର ରୋଗିଣା ପୁଅ, ସେପଟେ ବାଲ୍ୟବନ୍ଧୁ ତଥା ପୂର୍ବତନ ପ୍ରେମିକର ବହୁମୂଲ୍ୟ ସନ୍ତକ ୬ମାସର ଶିଶୁ ପୁତ୍ର। ଛୋଟ ଛୋଟ ଦୁଇ ଶିଶୁଙ୍କ ଏକସମୟରେ ଲାଳନପାଳନ କରିବା କେତେ ଯେ କଷ୍ଟ ତାହା କେବଳ ଜଣେ ଅନୁଭବି ମା ହିଁ ଜାଣେ।
ବଡ଼ କଷ୍ଟ ପାଉଥାଏ ମିଲି, ସବୁବେଳେ ଦୁଇ ଶିଶୁପୁତ୍ରଙ୍କର ସ୍ବାସ୍ଥ୍ୟ ଖରାପ ହେଉଥାଏ। ଏଣେ ୬ମାସର ଶିଶୁଟିକୁ ଯାହା ବି ଖାଦ୍ୟ ଦେଲେ ତା ଦେହ ଖରାପ ହୁଏ। ଅନନ୍ୟୋପାୟ ହୋଇ ଡାକ୍ତରଙ୍କ ସହ ପରାମର୍ଶ କଲା। ତାଙ୍କ କହିବାକଥା ଏୟା ଯେ, ଇଞ୍ଜେକସନ ଗୋଟିଏ ମିଲିକୁ ଦିଆଗଲେ ଯାଇ ତାର କ୍ଷୀର ଶିଶୁଟି ପିଇ ପାରିବ। ଯାହା ଦ୍ବାରା ପିଲାଟି ଧୀରେ ଧୀରେ ସୁସ୍ଥ ସବଳହେବା ସହ ସ୍ବାସ୍ଥ୍ୟର ଉନ୍ନତି ହୋଇପାରିବ। କିନ୍ତୁ ଡାକ୍ତର ଚେତାବନୀ ଦେଇଥିଲେ ଯେ ହୁଏତ ଇଞ୍ଜେକସନର ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ ଏବଂ ମିଲିର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ବଢ଼ି ଯାଇପାରେ। ସେସବୁକୁ ଭୃକ୍ଷେପ ନ କରି ଇଞ୍ଜେକସନ ନେଇଗଲା। ହେଲେ ଏକ ବିରାଟ ବଡ଼ ଅଘଟଣ ଘଟିଥିଲା, ଯାହା ମିଲିର ସ୍ବାମୀ ବିଜୟ କେବେ କଳ୍ପନା କରି ନ ଥିଲେ। ମିଲି ଇଞ୍ଜେକସନ ନେବାର ମାତ୍ର ୩୫ମିନିଟ୍ ମଧ୍ୟରେ ମିଲି ପୁରା ଅଚେତ ହୋଇଗଲା। ଶରୀରଟା ସ୍ଥାଣୁ ପାଲଟି ଯାଇଥିଲା। ସତେ ଯେମିତି ମୃତବତ୍ ଶରୀରଟା ପଡ଼ିଥାଏ। ଡାକ୍ତରମାନେ ଅକ୍ଳାନ୍ତ ଚେଷ୍ଟା କରୁଥାନ୍ତି। ହେଲେ ସବୁ ଯେମିତି ବେକାର। ସମସ୍ତେ ଏକରକମ ଆଶା ଛାଡ଼ି ଦେଲେ। କାରଣ ମିଲିର ହାର୍ଟ କିଛି ସମୟ ପାଇଁ ବନ୍ଦ ହୋଇଗଲା। ଏହି ସମୟରେ ସେହି ଶିଶୁ ଦୁଇଜଣ ଯାକ ଖୁବ୍ ଜୋରରେ କାନ୍ଦି ଉଠିଲେ। ଭଗବାନଙ୍କ ଅଶେଷ କରୁଣାରୁ ଦୀର୍ଘ ୭ଦିନ ପରେ ମିଲି ସୁସ୍ଥ ହେଲା।
ସୁସ୍ଥ ହେଲା ସତ, ହେଲେ ଶାରୀରିକ ମାନସିକ ଅସୁସ୍ଥତା ଲାଗି ସର୍ବଦା ଦୁର୍ବଳ ଅନୁଭବ କଲା। ଏଣେ ଦୁଇ ଦୁଇଟି ଶିଶୁଙ୍କୁ ନିଜର ଅମୃତ ପିଆଇ ଖୁବ୍ ସୁସ୍ଥ ସବଳ କଲା। ପରମାନନ୍ଦ ଲାଭକରୁଥାଏ। ଏତେ ପରେ ବି କେବେ ପ୍ରତିକ୍ରିୟା କି ପ୍ରତିବାଦ କାହାକୁ କରେନାହିଁ। କାରଣ ଦୁଇଟି ଅମୂଲ୍ୟ ପ୍ରେମର ହୀରାଙ୍କୁ ସାଇତି ରଖିବାର ଦୁର୍ବାର ଶପଥ ନେଇଥାଏ। ନିଜକୁ ତିଳ ତିଳ କରି ଜାଳି ଆଶାର ଆଲୋକ ଜାଳି ଦେଇଥାଏ ସେମାନଙ୍କ ମଧ୍ୟରେ।
ମିଲିର ପ୍ରତିଦାନ ପାଖରେ ସବୁକିଛି ତୁଛ ହୋଇଯାଇଛି।
ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି। ମଣ୍ଟୁ ବିବାହ କରି ସୁଖରେ ଘରସଂସାର କରିଛି। ହେଲେ କେବେ ବି ମିଲିର ଭଲମନ୍ଦ କଥା ବୁଝିବାକୁ ଚେଷ୍ଟା କରିନାହିଁ। ମିଲିକୁ ଦେଇଥିବା ପୁଅକୁ ୮ବର୍ଷ ହୋଇଗଲାଣି। ପୁଅଟି ମିଲିକୁ ଦଣ୍ଡେ ନ ଦେଖିଲେ ବାଇଆ ବାତୁଳ ପରି ହୋଇଯାଉଛି। ମିଲିର ଦେହପା’ କିଛି ହେଲେ କୁନି କୁନି ହାତ ଯୋଡ଼ି ମାଆର ମଙ୍ଗଳ କାମନା କରୁଛି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ।
ଦୀର୍ଘ ୮ ବର୍ଷ ପରେ ଆଜି ମଣ୍ଟୁ ଆସିଛି ତା ପୁଅକୁ ନିଜ ପାଖକୁ ନେଇ ଯିବାକୁ। କିନ୍ତୁ ନା ମିଲି ନା ତା ପୁଅ କେହି କାହାକୁ ଛାଡ଼ିବାକୁ ରାଜି ହେଉ ନ’ଥାନ୍ତି। ମଣ୍ଟୁ ଯୋର କରି ନେଇଯାଇଛି। ଗଲା ବେଳେ ଟିକେ ଧନ୍ୟବାଦ ମଧ୍ୟ ଦେଲାନାହିଁ ମିଲିକୁ। ବହୁତ ବାଧିଥିଲା ଏକଥା ମିଲିର ଅନ୍ତର୍ ଆତ୍ମାକୁ। କିନ୍ତୁ ସେ ମୁହଁଖୋଲି କିଛି ବି ପ୍ରତ୍ୟୁତ୍ତର କରି ନ ଥିଲା। କେବଳ ପୁତ୍ର ବିୟୋଗର ଦୁଃଖରେ ଆଖିରୁ ଅବାରିତ ଅଶୃଧାରା ବୁହାଇ ଚାଲିଥିଲା।
ଏଡ଼େଟିରୁ ଏଡ଼େ ବଡ଼ କରିଥିବା, ମାଆ ମାଆ ଡାକରେ ଘର ଉଛୁଳାଇ ଦେଉଥିବା ପୁଅ ଯେ ପାଖରୁ ଚାଲି ଯାଇଛି ଭାବି ମିଲିର ଛାତି ଫାଟି ଯାଉଥାଏ।
ଘରଟା ଯେମିତି ନୀରବି ଯାଇଛି, କେତେ ଅଳିଅଝଟ, କେତେ ଲୁଗାକାନି ଟାଣି ଟାଣି ଏଟା ଦିଅ, ସେଟା ଦିଅ କହୁଥିଲା। ଖାଇବା ବେଳେ ମୁଁ ହାତେ ଖାଇବିନି, ମୋତେ ତୁମେ ଖୋଇଦିଅ, ଏମିତି କେତେ କଣ ଅଝଟ ଥିଲା, ଭାବି ଭାବି ମିଲି ଖାଲି କାନ୍ଦୁଛି, କେହି ନ ଦେଖି ପାରିବା ଭଳି। ମାଆ ମନ ତ। ଛାତିରୁ ଅମୃତ ଖୋଇ ମମତାର ବାରିଧାରା ଅଜାଡ଼ି ଦେଇଥିଲା। କିଏ ବା ବୁଝିବ ସେ ମମତାର ମୂଲ, କିଏ ବା ଶୁଝି ପାରିବ ସେ ଅମୃତର ମୂଲ୍ୟ। କେବଳ ଜଣେ ଅନୁଭବି ମାଆ ହିଁ ବୁଝିବ।
ପୁଅର ଯିବା ଦୁଃଖରେ ମିଲିର ଶାରୀରିକ, ମାନସିକ ଅସୁସ୍ଥତା ବଢିଯାଇଛି। ଖାଇବା ପିଇବା ଖୁବ୍ କମ୍, ସେପଟେ ମଣ୍ଟୁ ପୁଅକୁ ପାଇ ବେଶ୍ ଖୁସି ହେଲେ, ପିଲାଟି ସବୁବେଳେ ତା ମାଆକୁ ଖୋଜୁଛି। ତୁହାଇ ତୁହାଇ ପଚାରୁ ଥାଏ, ମୋ ମାଆ କାହିଁକି ଏଠାକୁ ଆସୁନି, ସେ କୁଆଡ଼େ ରହିଛି, କେବେ ଆସିବ। ମୋତେ କିଏ ଖୋଇଦେବ, ଗେଲ କରିବ, ପରୀରାଇଜର କାହାଣୀ କହିବ। କୁହ ନା ବାପା। ତୁମେ କେବେ ମୋ ମାଆକୁ ମୋ ପାଖକୁ ଆଣିବ। ନହେଲେ ମୋ ମୋ ମାଆ ପାଖକୁ ନେଇ ଚାଲ। ସେ ମୋତେ ବହୁତ ଖୋଜୁଥିବ। ତା ଦେହ ତ ସବୁବେଳେ ଖରାପ ହୁଏ। କିଏ ତାକୁ ଗେଲକରି ତା ଦେହ ଭଲ କରିଦେବ। ୟାଡୁ ସାଡୁ କହି ମଣ୍ଟୁ ଭୁଲାଇ ଦିଏ।
ଧୀରେ ଧୀରେ ପିଲାଟି ମିଲିକୁ ଭୁଲିଯାଇଛି ଏବେ ବଡ଼ହୋଇ କଲେଜ ଗଲାଣି। ମିଲି ମନ ବୁଝୁ ନ ଥାଏ, ସବୁବେଳେ ଫୋନ୍ କରି ମଣ୍ଟୁ ସହ କଥା ହୁଏ, ପୁଅର ଭଲମନ୍ଦ ବୁଝେ, ତାକୁ ଖୋଜୁଛି କି ନାହିଁ ପଚାରେ।
ଦିନେ ମିଲି ଫୋନ୍ କରିଛି। ମଣ୍ଟୁ ତାକୁ କହିଛି, ଶୁଣ ମୋର ଗୋଟିଏ ସର୍ତ୍ତ ଅଛି, ଯଦି ମାନିବ ତେବେ ମୁଁ ତୁମ ସହ କଥାହେବି। ମିଲି ମଣ୍ଟୁର ସବୁ ସର୍ତ୍ତ ମାନିନେଇଛି। ମଣ୍ଟୁର ସର୍ତ୍ତ ଏୟା ଯେ, ତୁମେ କେବେବି ମୋ ପୁଅ ସହ କଥା ହେବନାହିଁ, ତୁମକୁ ଆମ ଭଲପାଇବା ରାଣ ରହିଲା। ରାଣ ନିୟମ ପକେଇ ସ୍ନେହ ଶ୍ରଦ୍ଧା ସବୁ କୁ ଆବଦ୍ଧକରି ଦେଇଛି ମିଲିର।
ତୁମର ତ ସବୁ ସର୍ତ୍ତ ମୁଁ ମାନିନେଇଛି। କିନ୍ତୁ ମୋର ମଧ୍ୟ ଗୋଟିଏ ଛୋଟ କଥା ତୁମେ ରଖିବବୋଲି ଭାବୁଛି। ତୁମେ ମୋ ସହ ସବୁଦିନ ଟିକେ ଫୋନରେ କଥା ହେବ। ବାସ୍ ଆଉ କିଛି ଚାହୁଁ ନାହିଁ ତୁମଠୁ। ମୋ ସୁଖଦୁଃଖରେ ମୋ ପାଖରେ ଟିକିଏ ଠିଆ ହେବ, ଆଉ ମୋ ଶେଷ ସମୟରେ ବି ...।
ଏଥର ମଣ୍ଟୁ ସଂପୂର୍ଣ୍ଣ ନିରୁତ୍ତର। କାରଣ ସ୍ବାର୍ଥପର, ଅବିବେକୀ ପାଖରେ ସବୁ ମୂଲ୍ୟହୀନ। ମିଲିର କଥାକୁ ସବୁବେଳେ ମଣ୍ଟୁ ଆଡ଼େଇ ଯାଏ। ମିଲିର ଭଲପାଇବା ଓ ପ୍ରକୃତ ପ୍ରେମକୁ ଉପହାସ କରେ। ଭାବେ ମିଲି ଏ ବୟସରେ ବି ପ୍ରେମ ପାଗେଳି ହୋଇ ଯାଇଛି। ବୋଧହୁଏ ସେ ତା ସ୍ବାମୀ ପାଖରେ ଶାନ୍ତିରେ ନାହିଁ। ସେଥିପାଇଁ ଏଭଳି ବୟସରେ ମଣ୍ଟୁକୁ ଖୋଜୁଛି।
ଏମିତି ଏମିତି ସବୁଦିନ ମିଲି ମଣ୍ଟୁ ସହ କଥା ହୁଏ। ହେଲେ ମଣ୍ଟ ଧିରେ ଧିରେ ତା ସହ ସଂପର୍କ କାଟିବାକୁ ଚେଷ୍ଟା କରୁଛି। କଥାବାର୍ତ୍ତା କରିବା କମ୍ କରିଦେଇଛି ଓ ବିରକ୍ତ ହେଉଛି ମଧ୍ୟ। ଦିନେ ମିଲି ମଣ୍ଟୁ ସହ କଥା ହେବା ସମୟରେ ମଣ୍ଟୁ ବିରକ୍ତ ହେଲା, ଆଉ କହିଲା ତୁମର ଘରସଂସାର, ସ୍ବାମୀ ପିଲା ଏସବୁ ଥାଇ ବି ୪୦/୪୧ବର୍ଷ ବୟସରେ ପ୍ରେମପାଗେଳି ହେବା ଭଲ ନୁହେଁ। ସବୁବେଳେ ମୋତେ ଫୋନ୍ କରି ମୋ ପରିବାରରେ ଅଶାନ୍ତି ସୃଷ୍ଟି କରନାହିଁ। ମୋତେ ଯେତେବେଳେ ଫାଙ୍କା ହେବ ମୁଁ ଫୋନ୍ କରିବି। ତୁମେ ମୋତେ ଫୋନ୍ କରିବ ନାହିଁ।
ହେଲେ ମିଲି କହେ, ତୁମେ ମୋତେ ଭୁଲ୍ ବୁଝନି, ମୁଁ ସେମିତି ନୁହେଁ, କି ତୁମ ପାଖରୁ କିଛି ବି ଚାହୁଁ ନାହିଁ। କେବଳ ତୁମ ସହିତ କଥା ହୋଇ ଟିକିଏ ଶାନ୍ତି ପାଉଛି। ଆଉ ଆର ଜନମକୁ ସାଥୀ ହେବା ପାଇଁ କାଳିଆକୁ ଗୁହାରୀ କରିବି। ଅନେକ ଦିନ ବିତିଯାଇଛି। ମଣ୍ଟୁ ଆଉ ଫୋନ୍ କରୁନାହିଁ, କି ମିଲି ଫୋନ୍ କଲେ ଧରୁନାହିଁ।
ଏସବୁ ମିଲିକୁ ବହୁତ କଷ୍ଟ ଲାଗେ। ତା ସ୍ବାମୀ ଯେତେ ବି ବୁଝାଇଲେ କିଛି ବୁଝେ ନାହିଁ। ଦିନକୁ ଦିନ ଦେହ ଖରାପ ହେବାରେ ଲାଗିଛି, ଶରୀର ପାରାଲିସିସ୍ ହୋଇଗଲା। ବିଛଣାରେ ଖାଲି ଶୋଇରହିଛି। ଉଠିବସି ପାରୁ ନ ଥାଏ, ତା ନିଜ ପୁଅ ଏବେ ବାହାରେ ରହି ପାଠ ପଢୁଛି, ସ୍ବାମୀ ସକାଳ ୭ରୁ ମିଲିକୁ ଖୋଇଦେଇ ଅଫିସ ଯାଆନ୍ତି, ପୁଣି ଦିନ ୨ଟାରେ ଆସି ଖୋଇଦେଇ ଅଫିସ୍ ଯାଆନ୍ତି ଓ ସନ୍ଧ୍ୟା ୫ଟାରେ ଫେରନ୍ତି ଏକା ଏକା ବିଛଣାରେ ପଡ଼ିଥାଏ ମିଲି। ଏ ସମୟରେ ମଣ୍ଟୁ ଓ ତା’ ପୁଅକୁ ବହୁତ ଖୋଜେ। ହେଲେ ସବୁ ବ୍ୟର୍ଥ। ସ୍ବାମୀ ଅଫିସରୁ ଫେରିଲେ ଅନୁରୋଧ କରେ ଫୋନ୍ କରିବାକୁ, ଟିକେ ମଣ୍ଟୁ ସହ କଥା ହେବାକୁ। ମିଲିର ଅନୁରୋଧ ଏଡାଇ ନପାରି ସ୍ବାମୀ ଫୋନ୍ କରନ୍ତି। ସେପଟରୁ ମଣ୍ଟୁ ଆଦୌ ଫୋନ୍ ଉଠାଏ ନାହିଁ। ମିଲି ଭାରି ବ୍ୟସ୍ତ ହୋଇ ଯାଏ, ତା ସ୍ବାମୀ ବହୁତ ରାଗି ଯାଆନ୍ତି ମଣ୍ଟୁ ଉପରେ। କିଂକର୍ତ୍ତବ୍ୟବିମୁଢ଼ ମିଲି ମନକୁ ବୁଝାଇବାକୁ ଯାଇ ତା ମୋବାଇଲରେ ମଣ୍ଟୁର ଓ ତା ପୁଅର ଫଟୋ ଦେଖି ଚୁପ୍ ରହେ।
ସେ ଫଟୋକୁ ଚାହିଁ ମିଲି ବହୁତ କାନ୍ଦେ, ଆଖିରୁ ଲୁହ ଗଡ଼ାଏ, ପୁରୁଣା ଦିନର କଥାକୁ ମନେ ପକାଏ, ଫଟୋକୁ ବହୁତ ଗେଲ ବି କରେ। ମନେ ମନେ ଗୁଣୁଗୁଣୁ ହୋଇ କେତେ କଣ କହେ ଦୀର୍ଘ ୩ ବର୍ଷ ହେଲା ମିଲି ବିଛଣାରେ ଆଉ ବଞ୍ଚିବାର ଆଶା ନ ଥାଏ, ଡାକ୍ତର ମାନେ ନିରାଶ ବାଣୀ ଶୁଣାଇ ଦେଇଥିଲେ ଯେ ମିଲି କିଛି ବର୍ଷ ତଳେ ଯେଉଁ ଇଞ୍ଜେକସନ ନେଇଥିଲା ଏହା ଏବେ ସଂପୂର୍ଣ୍ଣ ଶରୀରକୁ ଅଚଳ କରିବାସହ ଶରୀରର ସମସ୍ତ ରୋଗ ପ୍ରତିରୋଧକଶକ୍ତି ନଷ୍ଟକରି ଦେଇଛି। ତେଣୁ କିଛି କରିହେବ ନାହିଁ
ଏପଟେ ମଣ୍ଟୁକୁ ଯେତେ ବି ଫୋନ୍ କଲେ ସେ ଫୋନ୍ ଉଠାଏ ନାହିଁ। ମିଲିର ଶେଷ ସମୟର ଅନୁରୋଧ ରଖିପାରୁ ନ ଥିବାରୁ ମନେ ମନେ ବଡ଼ ଦୁଃଖ ପାଉଥିଲେ ତା ସ୍ବାମୀ। ଦିନେ ଅଫିସରୁ ଅନ୍ୟ ଜଣକ ଫୋନରୁ ମଣ୍ଟୁକୁ ଫୋନ୍ କଲେ।
ଏଥର ମଣ୍ଟୁ ଫୋନ୍ ଧରିଲା, ବଡ଼ କାକୁତି ମିନତୀ ହୋଇ ସବୁକଥାଯାକ ଏକା ନିଶ୍ବାସେ କହିଲେ ମିଲିର ସ୍ବାମୀ, ଆଉ ଆସିବାକୁ ଅନୁରୋଧ କଲେ। ସବୁ ଶୁଣିସାରି ରଙ୍ଗ୍ ନମ୍ବର କହି ମଣ୍ଟୁ ସେପଟରୁ ଫୋନ୍ ଟା କାଟିଦେଲା।
ଭାରାକ୍ରାନ୍ତ ମନ ନେଇ ଘରକୁ ଫେରିଲେ ଓ ମିଲି ପାଖରେ ବସି ମୁଣ୍ଡକୁ ଆଉଁସି ଦେଇ ଟିକେ ଗେଲକଲେ। ଭଲମନ୍ଦ କଥା ବୁଝିଲେ। ଏହି ସମୟରେ ମିଲି ଜିଦ୍ କଲା ମଣ୍ଟୁକୁ ଫୋନ୍ କରିବାକୁ। ମିଲିର ଜିଦ୍ ରେ ବାଧ୍ୟ ହୋଇ ତା ସ୍ବାମୀ ସବୁ ସତକଥା କହିଦେଲେ। ସବୁକଥାଯାକ ମିଲି ଶୁଣିଲା, ହେଲେ କିଛି କହିଲାନି। ଖାଲି କହିଲା ମୋ ଭଲପାଇବା ଆଉ ସ୍ନେହ ଶ୍ରଦ୍ଧାରେ କେଉଁଠି କମି ରହିଯାଇଛି ବୋଧେ।
ଲିଭିବା ଆଗରୁ ଦୀପ ଖୁବ୍ ଜୋରରେ ଜଳିଉଠେ, ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ସେମିତି ସେଦିନ ହଠାତ୍ ରାତିରେ ମିଲିର ହାତଦୁଇଟି ଚଳପ୍ରଚଳ ହେଲା। ମିଲି ପାଖରେ ଥିବା ଥାକରୁ କାଗଜ କଲମ ଆଣି କଣ ସବୁ ଲେଖି ପକାଇଲା ଆଉ ଶାନ୍ତିରେ ସବୁଦିନ ପାଇଁ ଶୋଇଗଲା।
ରାତି ପାହି ସକାଳ ହେଲା। ମିଲିକୁ ତା ସ୍ବାମୀ ଡାକିଲେ, ମେଡ଼ିସିନ ଖାଇବାପାଇଁ। କିନ୍ତୁ ଏ କଣ, ଯେତେ ଡାକିଲେ ବି ଏ ଉଠୁନାହିଁ କାହିଁକି?କିଛି କହୁନାହିଁ। ହଲେଇ ଦେଲେ ସ୍ବାମୀ। ଏ କଣ? ଦେହ ପୁରା ଥଣ୍ଡା। ସବୁ ଶେଷ ହୋଇଯାଇଛି। ବହୁତ କାନ୍ଦିଲେ। ଅସମୟରେ ହରାଇ ଦେଇଥିବା ଜୀବନସାଥୀର ବିୟୋଗରେ ମର୍ମାହତ ହେଲେ। ଆତ୍ମାର ସଦଗତି ନିମନ୍ତେ ହାତଯୋଡ଼ି ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ। ଏହି ସମୟରେ ତାଙ୍କ ନଜର ପଡ଼ିଲା ମିଲିର ହାତ ଉପରେ। ଦେଖିଲେ ମିଲି ହାତରେ ଗୋଟାଏ କଣ ଧରିଛି। ଧାଇଁ ଯାଇ ଦେଖିଲେ। ଚାରିଚଉତା କାଗଜଟିଏ। ନେଇ ଆସିଲେ, ଦେଖିଲେ। ଖୋଲିଲେ। ଖୁବ୍ ସୁନ୍ଦର ଅକ୍ଷରରେ ଲେଖାହୋଇଛି-
ପ୍ରାଣର ବନ୍ଧୁ ମଣ୍ଟୁ,
ପ୍ରାଣପକ୍ଷୀ ମୋର ସର୍ବଦା ତୁମକୁ ଅନେକ ଖୋଜିଲା, ମୋ ହୃଦୟ ଈଶ୍ବର ସ୍ବାମୀ ତୁମକୁ ଅନେକ ଥର ଫୋନ୍ କଲେ। ଫୋନ୍ ଧରିଲ ନାହିଁ, ଭାବିଥିଲି ଶେଷ ସମୟରେ ଟିକେ ତୁମ ଦେଖାପାଇବି। ହେଲେ ଏଡ଼େ ନିଷ୍ଠୁର ବାକ୍ୟ ତୁମଠୁ ଶୁଣିଲି ଯେ ମୋ ଛାତି ବିଦାରି ହୋଇଗଲା। ବାଃ ବହୁତ ଭଲ କଲ। ଯେଉଁଠି ବି ଥାଅ ଭଲରେ ଥାଅ। ସମସ୍ତଙ୍କୁ କାଳିଆ ଘଣ୍ଟ ଘୋଡ଼ାଇ ରଖୁ। ତୁମର ଫଟୋ ମୋ ଆଖିରେ। ଆଉ ପାରୁ ନାହିଁ। ଦେହ କଣ ହୋଇଯାଉଛି। ତୁମର ମି....
Go Back to Previous Page
ଟ୍ରାଫିକ୍
ଦୀପାଞ୍ଜଳୀ ସାହୁ
Read Article
ରାଗ ଭୈରବୀ
ମମତା ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ