ସରସ୍ବତୀ ପୂଜା ପୂର୍ବ ଦିନର ସେଇ ଘଟଣା ଆଜି ଯାଏଁ ବି ମାନସ ପଟରେ ଦୋଳାୟମାନ ହେଉଛି। ସରଧାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ। କେଶବ ଚନ୍ଦ୍ର ରାଉତ ଓ ଦୟାନିଧି ପ୍ରଧାନ ଦୁଇ ଶିକ୍ଷକ ଓ ସ୍କୁଲରେ ପଢୁଥିବା କିଛି ବାଳକ ବାଳିକା ମାନେ ମିଶି ପୂଜା ପାଇଁ ସାଜସଜ୍ଜା କରୁଥିଲେ। ଗୁରୁ ସ୍ଥାନୀୟ ହେଲେ ମଧ୍ୟ ମନୁଷ୍ୟର ଯେତେବେଳେ ପଶୁ ପ୍ରବୃତି ଜାଗ୍ରତ ହୁଏ ସେ କଣ କରିବସେ ନିଜେ ମଧ୍ୟ ଜାଣିପାରେ ନାହିଁ। ଧିରେ ଧିରେ ବେଳ ଗଡି ଗଡି ଚାଲିଥାଏ। ପ୍ରାୟ ସାଜସଜ୍ଜା କାମ ସରିଯାଇଥାଏ। ଗୁରୁ ଦୟାନିଧି ପ୍ରଧାନଙ୍କ ତତ୍ବାବଧାନରେ ବାଳକମାନେ ବାହାରର କାମ (ଯଥା:- ପୂଜାସାମଗ୍ରୀ ଆଣିବା, ଭୋଗ ବରାଦ ଦେବା, ଆମ୍ବ ତୋରଣ ତିଆରି କରିବା ଇତ୍ୟାଦି)ରେ ବ୍ୟସ୍ତ ଥାଆନ୍ତି। ପ୍ରାୟ କିଛି ବାଳିକା ଯେଉଁ ମାନଙ୍କ ଘର ଦୂରରେ ସେମାନେ ପଳେଇ ଯାଇଥାଆନ୍ତି। ସପ୍ତମ ଶ୍ରେଣୀରେ ପଢୁଥିବା ପାଞ୍ଚ ଜଣ ଛାତ୍ରୀ ନତା, ମିଲୁ, କୁନି, ଜିତା, ପୂନୀ ପୂଜା ସ୍ଥାନଟିରେ ସାଜସଜ୍ଜା କରୁଥାନ୍ତି। ଘର ଓଳାଓଳି କରୁଥାନ୍ତି। ଏ ସବୁକୁ ଲକ୍ଷ୍ୟ କରୁଥାନ୍ତି ଗୁରୁ କେଶବ ଚନ୍ଦ୍ର ରାଉତ। ଯାହା ହେଲେ ବି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ .....। ଆଜିକାଲିର ସରକାରୀ କଳର ବ୍ୟବସ୍ଥାକୁ ନେଇ ସ୍କୁଲର ଶ୍ରେଣୀଗୃହରେ ଶିକ୍ଷକ ବାସ କରନ୍ତି। ସେଇଠି ପିଲାଙ୍କ ପାଇଁ କଳାପଟା, ଭାରତ ମାନଚିତ୍ର ଓ ସେଇଠି ଗୁରୁଜୀଙ୍କ ଖଟ, ଟିଭି, ପୋଷାକ ପାଇଟି, ରୋଷେଇ ସାମାନ। ଏ ସବୁ ଚିତ୍ର ଦୃଶ୍ୟମାନ ହେଲେ ବ୍ୟବସ୍ଥାର ଅବସ୍ଥା ବୁଝିବାକୁ ବେଶୀ ସମୟ ଲାଗେନାହିଁ। ଅତି ଗରିବ ପରିବାରରେ ଜନ୍ମ ‘ପୂନୀ’ର। କୁମାର ପୂର୍ଣିମାରେ ଜନ୍ମ ହୋଇଥିବାରୁ ବାପାମା’ ତା ନାଁ ରଖିଥିଲେ ‘ପୂନୀ’। ଖଟିଖିଆ ମୂଲିଆ ବାପାମା’ଙ୍କ ସ୍ବପ୍ନ ଆମେ ନ ହେଲୁ ନାହିଁ ଝୁଅଟି ପାଠ ପଢୁ। ଦୁନିଆ ଦେଖୁ। ବଡ ମଣିଷ ହେଉ। ଓଳିଏ ଖାଇଲେ ଦି ଓଳି ଉପାସ ରହନ୍ତି ତା ବାପାମା। ପୂଜା ଦିନର ଘଟଣା। ଗାଁ ପୁରା ଶୁନଶାନ। ସ୍କୁଲରେ ଭିଡ ଜମିଥାଏ ଗାଁ ଲୋକଙ୍କର। ପୂନୀର ରକ୍ତ ଜୁଡୁବୁଡୁ ଶରୀର ଶ୍ରେଣୀ ଗୃହର ତଳେ ପଡିଥାଏ। ସେ ସମ୍ପୂର୍ଣ ନିଶ୍ଚେତ ଥାଏ। ତାର ଜାମା ଫ୍ରକ ସ୍ଥାନେ ସ୍ଥାନେ ଛିଣ୍ଡି ଯାଇଥାଏ। ପ୍ରସ୍ପୁଟିତ କୈଶୋର ଆଜି କ୍ଷତ ବିକ୍ଷତ ହୋଇ ପ୍ରଚୁର ରକ୍ତ ସ୍ରାବ ହେଉଥାଏ। କିଏ ସେ ଅମଣିଷ? କିଏ କରିଛି ପୂନୀ ଭଳି କୁନି ଝିଅର ଏପରି ଦୁର୍ଦଶା? ତାକୁ ଟିକ ଟିକ କରି କାଟି ଦେବାକୁ ଇଚ୍ଛା ହେଉଛି। ତାକୁ କଠିନରୁ କଠିନ ଦଣ୍ଡ ମିଳିବା ଦରକାର। ପୁନି ନ୍ୟାୟ ପାଇବା ଦରକାର। ଏ ସବୁ ଚିନ୍ତା କଲା ଭିତରେ ପୂନୀର ବାପାମା ଭୟ ଓ ଲଜ୍ଜାରେ ନିଜେ ଅପରାଧୀ ଭଳି ହେଉଥିଲେ। ପୂନୀ ନ୍ୟାୟ ପାଇବା ଦରକାର। ଗାଁର ଇଜ୍ଜତ ରଖିବାକୁ ଯାଇ ଗାଁ ସମସ୍ୟାର ସମାଧାନ ଗ୍ରାମସଭାରେ ହୁଏ। ଅତି ଆବଶ୍ୟକ ହେଲେ ମାମଲା ଥାନା କଚେରୀକୁ ଯାଏ। ନ ହେଲେ କୋଚିତ। ଗାଁ ବଇଦ ଆସି ମଇଲମ ଓଷୁଅ ପାଣି ଦେଇଥାନ୍ତି। ଭୟରେ ପୁଣି ଦେହରେ ପ୍ରବଳ ଜର। ଖାଲି ଥରୁଥାଏ। ଡରୁ ଥାଏ। ଆଖି ଲୁହରେ ଶେଯ ପଟା ଓଦା ହେଇଯାଉଥାଏ। କିଏ ବା ବୁଝିବ ପୂନୀର ଦୁଃଖ। ପୂନୀ ନ୍ୟାୟ ପାଇବା ଦରକାର। ତା ପରଦିନ ଗ୍ରାମସଭା ବସିଲା। ଗାଁ ମୁରବୀ ମାନେ ବସିଲେ। ଗୋଟିଏ ପାର୍ଶ୍ବରେ ପୂନୀ ଓ ତା ବାପାମା ଏବଂ ଅନ୍ୟ ପାର୍ଶ୍ବରେ ଆଦର୍ଶ ଶିକ୍ଷକ ଗୁରୁ କେଶବ ଚନ୍ଦ୍ର ରାଉତ ମୁହଁ ତୋଡ କରି ଠିଆ ହୋଇଥାନ୍ତି, ସତେ ଯେପରି ଗୋଟିଏ ମହାନ କାର୍ଯ୍ୟ କରି ଫେରିଛନ୍ତି ଓ ଦର୍ଶକ ସାଜିଛନ୍ତି ଗ୍ରାମବାସୀ ବୃନ୍ଦ। ପୂର୍ବ ଘଟଣା କ୍ରମରେ, ସରସ୍ବତୀ ପୂଜା ପୂର୍ବ ଦିନ ଦ୍ବିପହର ସମୟରେ ସପ୍ତମ ଶ୍ରେଣୀର ସେଇ ପାଞ୍ଚ ଜଣ ବାଳିକା କାର୍ଯ୍ୟବ୍ୟସ୍ତ ଥିବା ସମୟରେ ଏ ସବୁକୁ ଲକ୍ଷ୍ୟ କରୁଥିଲେ ଗୁରୁଜୀ। ପୂନୀ ଘର ଓଳୋଉଥିଲା। ଘର ଓଳୋଉଥିବା ସମୟରେ ତାର ପ୍ରସ୍ଫୁଟିତ କୈଶୋର ଆକର୍ଷିତ କରିଥିଲା ଗୁରୁଜୀଙ୍କୁ ଓ ଜାଗ୍ରତ ହୋଇଥିଲା ତାଙ୍କର ପଶୁ ପ୍ରବୃତି। ସେ ପୂନୀ ଦ୍ବାରା ନିଜର କାମନାର ତୃଷ୍ଣା ମେଣ୍ଟାଇବାକୁ ଚାହିଁ ଏହାର ଏକ ସୁନ୍ଦର ପରିକଳ୍ପନା କରିଥିଲେ। ସେ ସେଠାରେ ଥିବା ପାଞ୍ଚ ଜଣ ଝିଅଙ୍କୁ ଗୀତ ଗାଇବା ପାଇଁ କହିଲେ। ଗୁରୁଙ୍କ ନିର୍ଦେଶରେ ସମସ୍ତେ ଜଣଙ୍କ ପରେ ଜଣେ ଗୀତ ଗାଇଲେ। ପୂନୀ ମଧ୍ୟ ତାର କୋମଳ କଣ୍ଠ ସ୍ବରରେ ଗୀତଟିଏ ଗାଇଲା। ପୂନୀର ଗୀତର ପ୍ରଶଂସା କରି ଗୁରୁଜୀ ତାକୁ ୧୦୦ ଟଙ୍କା ପୁରସ୍କାର ଦେଲେ। ଏହା ଦେଖି ଅନ୍ୟ ପିଲାମାନଙ୍କ ମନ ଟିକେ ଦୁଃଖ ହେଲା। ଏହା ପରେ କିଛି ସମୟ ପରେ ନିଜର ମୁଣ୍ଡ ବିନ୍ଧୁଥିବାର ଅଭିନୟ କରି ମୁଣ୍ଡ ଚିପିବା ପାଇଁ ଏକୁଟିଆ ରହୁଥିବା ଶ୍ରେଣୀ ଗୃହକୁ ଡାକିଲେ ସେ ପୂନୀକୁ। ପୂନୀ ମଧ୍ୟ ଗୁରୁ ସେବା କରିବାପାଇଁ ତତ୍ପର ହୋଇ ତା ମଧ୍ୟକୁ ଚାଲିଗଲା। ଗୁରୁଜୀ ଲୁଙ୍ଗି ପିନ୍ଧି ଖଟ ଉପରେ ଶୋଇଥାନ୍ତି। ପୂନୀ ପ୍ରଥମେ ମୁଣ୍ଡ ଚିପିଲା। କିଛି ସମୟ ପରେ ସେ ଗୋଡ ମୋଡିବାକୁ କହିଲେ। ଗୋଡ ମୋଡିବାର କିଛି ସମୟ ଯାଇନି ପୂନୀ ସହିତ ଏ କଣ ହେଉଛି ସେ କିଛି ଜାଣିପାରୁନଥିଲା। ସବୁ କଥା ସମସ୍ତେ ଶୁଣିଲେ। ପୂନୀ ଲାଜରେ, ଭୟରେ ଗୋଟା ଥରୁଥାଏ, ଆଖି ଲୁହ ଆଖିରେ ମରୁଥାଏ। ପୂନୀର ବାପାମା ଝିଅର ଭବିଷ୍ୟତକୁ ଚିନ୍ତା କରି ଏ କଥା ପ୍ରଘଟ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କଲେ। ପୂନୀ ଶରୀରରେ ଯେ ଅମାବାସ୍ୟାର କଳଙ୍କ ଲାଗିଯାଇଥାଏ ଏ କଥା କେବଳ ସେ ଓ ତା ମା ଜାଣିଥାନ୍ତି। ଗ୍ରାମ ସଭାର ନିଷ୍ପତି କ୍ରମେ ମୁରବୀମାନେ ପୂନୀର ଚିକିତ୍ସା ବାବଦକୁ ୩୫୦୦୦/-ଟଙ୍କା ଓ ଅପରାଧ କରିଥିବା ପାଇଁ ଅଭିଯୁକ୍ତ ଶିକ୍ଷକଙ୍କୁ ପୂନୀକୁ ବିବାହ କରିବାକୁ ନିର୍ଦେଶ ଦେଲେ। ଶିକ୍ଷକ ଯେ ପୂର୍ବରୁ ବିବାହିତ ଓ ୪ ଟି ସନ୍ତାନର ଜନକ ଏ କଥା ଗାଁ ଲୋକ ଜାଣି ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧିଥାନ୍ତି। ସବୁ ସେଇ ପଇସାର ଖେଳ। ଖଟିଖିଆ ଗରିବ ଲୋକଙ୍କ ଦୁଃଖ ବୁଝୁଛି କିଏ? କିଛି ଦିନ ପରେ ପୂନୀ ନୀତି ଦିନିଆ ଜୀବନ। ଏମିତି କିଛି ଦିନ ବିତିଯାଏ। କିନ୍ତୁ, ପୂନୀ ସାଜିଥିଲା ୭ ମାସର ଗର୍ଭବତୀ। ଗରିବ ଅଶିକ୍ଷିତ ଲୋକ। ଯେତେବେଳେ ସପ୍ତମ ଶ୍ରେଣୀର ଚପଳମତୀ କିଶୋରୀ ସାଜେ ୭ ମାସର ଗର୍ଭବତୀ। ଅବସ୍ଥା କଣ ହୁଏ? ପାଠପଢାରେ ଡୋରି ବାନ୍ଧିଯାଏ। ସବୁଦିନ ପାଇଁ ଲାଗିଯାଏ କଳଙ୍କର ଟିକା। ଖାଲି କଳ୍ପନା ଜଳ୍ପନା ଭିତରେ ବଞ୍ଚିଯିବା କଥା। ପ୍ରବଳ ପ୍ରସବ ବେଦନା ଭିତରେ ଶିଶୁ କନ୍ୟାଟିଏ ଜନ୍ମ ଦେଇ ସବୁଦିନପାଇଁ ଆଖି ବୁଜିଦେଲା ପୂନୀ। ଶିଶୁ କନ୍ୟାଟିକୁ ଦେଖି ପୂନୀର ମା କୁହେ ଯଦି ପୂନୀରେ ଲାଗିଲା ଅମେଇସିଆର ଦାଗ କଣ ତୁ ଜାରଜା, ଊଆଁଶି, ପାପିନୀ ନା କଳଙ୍କିନୀ। ଶିଶୁ କନ୍ୟାଟିକୁ ଛେଚି ଛେଚି ମାରିବାକୁ ଚେଷ୍ଟା କରିବାକୁ ଉଦ୍ୟତ ହୁଅନ୍ତେ କନ୍ୟାଟିର ଖିଲି ଖିଲି ହସ ତାଙ୍କ ମାତୃ ହୃଦୟରେ ଆନ୍ଦୋଳନ ସୃଷ୍ଟି କରେ।
ଅତିଥି ଅଧ୍ୟାପକ, ପ୍ରାଣୀ ବିଜ୍ଞାନ ବିଭାଗ,
ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ, ଢେଙ୍କାନାଳ -୭୫୯୦୦୧, ଓଡ଼ିଶା,
sambitsm1987@gmail.com
Go Back to Previous Page
ବୃହତ ସ୍ବାର୍ଥୀ
ଶୁଭକାନ୍ତ ସାହୁ
Read Article
ହଜିଲା ଶୈଶବ
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ