ଶୀତୁଆ ସକାଳ। ସିପ୍ରା ପ୍ରତିଦିନ ପରି ଆଜି ମଧ୍ୟ ମର୍ଣିଙ୍ଗ ୱାକ୍ରେ ବାହାରିଛି। ମାତ୍ର ଆଜି ତାର ମୁଖମଣ୍ଡଳରେ ବିଷର୍ଣ୍ଣତା ବାରି ହୋଇପଡୁଛି। ୧୦ଟା ବେଳେ ଘରେ ହେବାକୁ ଥିବା ପ୍ରହସନକୁ ସେ କୌଣସି ମତେ ରୋକିଦେଇ ପାରିବ କି? ଘରେ କଣ କହି ସେ ଏପରି କରିବ? ବାପା ମା ତା କଥା ଶୁଣିବେ କି? ସିପ୍ରାର ପାଦ ଯେତିକି ଆଗକୁ ଆଗକୁ ଯାଉଥାଏ, ତା ଜୀବନର ଗତିପଥ ସେତିକି ପଶ୍ଚାତପଦ ହେଉଥାଏ। ମନେ ପଡ଼ିଯାଉଥାଏ ବର୍ଷା ଦିନର ସେଇ ଘଟଣା। କଲେଜରୁ ଫେରିବା ବାଟରେ ହଠାତ ଦୁଇଜଣ ଦୁର୍ବୃତ୍ତ କଳାପଲସରରେ ଗାଡିଟାକୁ ଏପରି ବୁଲାଇଲେ ଯେ ସିପରା ସ୍କୁଟର ଅଟକାଇବାକୁ ବାଧ୍ୟ ହେଲା। ତା ପରେ ଜଣେ ଦୁର୍ବୃତ୍ତ ସ୍କୁଟର ଚାବି ଛଡାଇ ନେଇ ତାର ମୋବାଇଲ, ଗହଣା ସବୁ ମାଗିଲା। ସିପ୍ରା ପ୍ରାଣ ଭୟରେ ସବୁ ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ଭଗବାନଙ୍କ ଦୂତ ସଦୃଶ ଏକ ଯୁବକଙ୍କର ଆବିର୍ଭାବ ହେଲା। ଶୁନଶାନ ବାଟରେ ସେ ହିଁ ଏକାଥିଲେ ସିପ୍ରାର ସାହା ଭରସା। ସତେ ଅବା ସେ ସିପ୍ରାର ଅନ୍ତର୍ବେଦନା ଜାଣି ପାରିଲେକି? ବାଇକ ରଖିଲେ ଘଟଣାସ୍ଥଳୀରେ। ତାଙ୍କୁ ଦେଖି ଦୁର୍ବୃତ୍ତ ଦୁଇଜଣ ପଲସର ଧରି ଆଖିପିଛୁଳାକେ ସେଠାରୁ ଚମ୍ପଟ ହୋଇଗଲେ। ସିପ୍ରା ମନ ଭିତରୁ ସେଯାଏ ଭୟ ଯାଇ ନ ଥାଏ। ଯୁବକ ଜଣକ ତାକୁ ଚାହିଁଲେ। ସେ ବି ତାଙ୍କୁ ଚାହିଁଲା। ଯେପରି ବଳିଷ୍ଠ ସେପରି ସୁନ୍ଦର। ସେଇ ପ୍ରଥମ ଦେଖାରେ ସିପ୍ରାର ମନ ଗୋଟାପଣେ ତାଙ୍କର ହୋଇଗଲା। ଯୁବକ କହିଲେ ଠିକ ଅଛନ୍ତି ମାଡାମ? ସିପ୍ରା ହଁ କହି ତା ବାଟରେ ଓ ଯୁବକ ତାଙ୍କ ବାଟରେ ଚାଲିଗଲେ। ଘଟଣାକୁ ଦୁଇ ବର୍ଷ ବିତି ଗଲାଣି। ତଥାପି ସିପ୍ରା ମନ ଅଗଣାରେ ସେଇ ଅଜଣା ଯୁବକ ଘର କରି ରହିଛନ୍ତି।
ଘଣ୍ଟାକଣ୍ଟା ଆଗକୁ ଯିବା ସହିତ ସିପ୍ରାର ହୃତସ୍ପନ୍ଦନ ତୀବ୍ରରୁ ତୀବ୍ରତର ହେଉଥାଏ। ସେ ମର୍ଣିଙ୍ଗ ୱାକ୍ ସାରି ଘରକୁ ଫେରିଲା। ନିତ୍ୟକର୍ମ ସାରି ଠାକୁରଙ୍କୁ ମୁଣ୍ଡିଆଟେ ମାରିଲା। ଅକୁଳ ବିକଳ ହୋଇ ଠାକୁରଙ୍କୁ ପ୍ରାର୍ଥନା କଲା। ଯେଉଁ ବରପାତ୍ର ଘର କନ୍ୟା ଦେଖିବାକୁ ଆସୁଛନ୍ତି, ସେମାନେ ତାକୁ ନାପସନ୍ଦ କରି ଦିଅନ୍ତୁ। ବରପାତ୍ର କେନ୍ଦ୍ରୀୟ ସରକାରୀ ଅଫିସ, ବାପା ଜଜ, ମା ଡାକ୍ତର। ପୁଣି କୁଆଡେ ଧନସମ୍ପତ୍ତି ପ୍ରଚୁର। ବାପା ଅବା ଏପରି ପ୍ରସ୍ତାବକୁ ନା କରିବେ କିପରି?
ସମୟ ସକାଳ ୯ଟା। ମା, ବାପା ଦୁହେଁ ଅତିଥି ଚର୍ଚ୍ଚା ପ୍ରସ୍ତୁତିରେ ବ୍ୟସ୍ତ। ସିପ୍ରା ଥରକୁ ଥର ଘଣ୍ଟାକୁ ଦେଖି ଦୀର୍ଘ ନିଶ୍ବାସ ଛାଡୁଥାଏ। ମନରେ ଶକ୍ତି ସଞ୍ଚୟ କରୁଥାଏ। ମା’କୁ କହି ଦେବ କି? ଦୋ ଦୋ ପାଞ୍ଚ ପରିସ୍ଥିତିରେ ସିପ୍ରା। କଣ କରିବ ସେ? ଜଣେ ଅଜଣା ଅଚିହ୍ନା ଯୁବକକୁ ସେ ଯେ ମନ ପ୍ରାଣ ଦେଇ ଭଲ ପାଇ ବସିଛି, ଏକଥା କଣା କାହାକୁ ବୁଝାଇ ହେବ? ପୁଣି ସେ ଯୁବକ କଣ ତାକୁ ପାଇବାକୁ ସେତିକି ବ୍ୟାକୁଳ ଯେତିକି ସେ ଅଛି?ସେ ବିବାହିତ ନା ଅବିବାହିତ? ଏକଥା ବି ତ ତାକୁ ଜଣା ନାହିଁ। ସିପ୍ରାର ଅନ୍ତର୍ଦ୍ବନ୍ଦ ବଢିବାରେ ଲାଗିଲା।
କଲିଙ୍ଗ ବେଲ ବାଜିଉଠିଲା। ସିପ୍ରା ଚମକି ପଡିଲା। ସତେ ଯେପରି ତାର ଅନ୍ତରର ଆଶା ଅସୁମାରୀର ସମୟ ଶେଷ ହେବାର ଘଣ୍ଟା ବାଜିଲା। କିଚେନରେ ଥାଏ ସିପ୍ରା ସେମାନେ ଆସିଗଲେ ବୋଲି ମା କହିଲେ। ସିପ୍ରା ନତମସ୍ତକ ହୋଇ ବରପାତ୍ର ପିତା-ମାତା ଦୁହିଁଙ୍କୁ ପ୍ରଣାମ କଲା। ବରପାତ୍ରର ଜରୁରୀ କଲ ଆସିବାରୁ ସେ ଏଟେଣ୍ଡ କରିବାକୁ ବାହାରକୁ ଚାଲି ଯାଇଥାନ୍ତି।
ସିପ୍ରା ମଧ୍ୟ ଗୋଟିଏ ଚାଉଳରେ ଗଢା। ରଙ୍ଗ, ରୂପ, ସ୍ୱାସ୍ଥ୍ୟ, ଶିକ୍ଷା କୌଣସିଥିରେ ଖୂଣ କାଢି ହେବନି। ବରପାତ୍ରର ପିତା-ମାତା ସିପ୍ରାସହ କିଛି ସମୟ କଥାବାର୍ତ୍ତା ହେବାପରେ ତାକୁ ପ୍ରସ୍ଥାନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଯାଉ ଯାଉ ସେ ଶୁଣିଲା “ଝିଅଟି ଆମର ପସନ୍ଦ ହେଲା” ବୋଲି। ସିପ୍ରା ଭାବୁଥାଏ ଭଲହେଲା ବରପାତ୍ର ତାକୁ ଦେଖିନାହାନ୍ତି। ତେବେ ବରପାତ୍ର ସହିତ କଥା ହେବାବେଳେ ସେ ସବୁ କଥା ତାଙ୍କୁ କହି ଦେବ ଓ ତାକୁ ନାପସନ୍ଦ କରିବାକୁ ନିବେଦନ କରିବ। ଏବେ ତାର ଆଶା ଉଜ୍ଜିବୀତ ହେବାପରି ଲାଗିଲା।
କିଛି ସମୟ ପରେ ପୁଣି ସିପ୍ରାର ମା ଆସି ତାକୁ କହିଲେ ବରପାତ୍ରର ମା ତାକୁ ଶଗୁନ ଦେବେ ବୋଲି। ସିପ୍ରା ଦେହରେ ଶୀହରଣ ଖେଳିଗଲା, ଭୟର ଓ ଆଶ୍ଚର୍ଯ୍ୟର। ବରପାତ୍ର ତ ତାକୁ ଦେଖି ବି ନାହାନ୍ତି, ତେବେ ଶଗୁନ ଦେବାର ପ୍ରଶ୍ନ ଉଠିଲା କିପରି? ଏବେ ବି କଣ ବିନା ଦେଖାରେ ପିତାମାତାଙ୍କ ନିର୍ଦ୍ଦେଶରେ ଜୀବନସାଥୀ ବାଛିନେବାର ଯୁଗ ଅଛି! ସିପ୍ରା ଯନ୍ତ୍ରଚାଳିତ ପରି ଉଠିଲା ଓ ଚାଲିବା ଆରମ୍ଭ କଲା। ବରପାତ୍ର ପ୍ରତି ଏଇ କ୍ଷଣକ ଆଗରୁ ତାର ଯାହା ଚିନ୍ତାଧାରା ଥିଲା ସବୁ ଓଲଟ ପାଲଟ ହୋଇଗଲା। ଭାବିଲା ଆଉ କାହା ଉପରେ ନିର୍ଭର ନ କରି ନିଜକୁ ଦୃଢ ହେବାକୁ ହେବ। ପରକ୍ଷଣରେ ଭାବିଲା ଯଦି ସବୁ କଥା ଏବେ ସେ କହିଦିଏ ତେବେ ବାପା ମା’ଙ୍କ ସମ୍ମାନରେ ଆଞ୍ଚ ଆସିଯିବ। ପୁଣି ଆନ୍ଦୋଳିତ ହେଲା ତା ମନ। ଭଗବାନ କଣ ଏତେ ନିର୍ଦ୍ଦୟ! ଏପରି ଧର୍ମ ସଙ୍କଟରେ ତାକୁ ଏକାକୀ ଛାଡିଦେଲେ? ଏତିକି ଚିନ୍ତା କରୁ କରୁ ଡ୍ରଇଂ ରୁମରେ ସେ ପହଞ୍ଚି ସାରିଲାଣି। ଦେଖିଲା ମା ବାପା, ବରପାତ୍ର ମାତା-ପିତା ସମସ୍ତେ ଆନନ୍ଦିତ ଓ ଉତ୍ସବ ମୁଖରୀତ। ଏପଟେ ଥରେ ଚାହିଁବନି? ଏପରି ଏକ ସମ୍ବାଦରେ ସିପ୍ରା ଚାହିଁଦେଲା....... ସେଇ ଯୁବକ ତା’ର ମନ ଅଗଣାର ତା ସମ୍ମୁଖରେ ଠିଆ। ସ୍ତମ୍ବୀଭୂତ ହୋଇପଡିଲା ସିପ୍ରା।
ଏଥର ସମର ଓ ସିପ୍ରାକୁ କଥାବାର୍ତ୍ତା ହେବାପାଇଁ ଏକୁଟିଆ ଛାଡିଦିଆଗଲା। ସିପ୍ରା କିଛି କହିବା ପୂର୍ବରୁ ସମର କହିବା ଆରମ୍ଭ କଲେ, “ତୁମକୁ ଦେଖିବା ପରେ ମୁଁ ତୁମକୁ ହିଁ ଜୀବନସାଥୀ କରିବି ବୋଲି ଭାବିନେଇଥିଲି। ସେଦିନ ତୁମ କଲେଜ ୟୁନିଫର୍ମ ଦେଖି ତୁମ କଲେଜ ବିଷୟରେ ତ ଜାଣିଗଲି, କିନ୍ତୁ ତୁମ ଘର ଠିକଣା ଖୋଜିବାକୁ ମୋତେ ଦୁଇ ବର୍ଷ ଲାଗିଗଲା।”
ନୀରବତା ଭିତରେ ସିପ୍ରାର ସବୁ ପ୍ରକାର ଅନ୍ତର୍ଦ୍ବନ୍ଦର ଅବସାନ ଘଟିଲା।
ଓଡିଶା ସଚିବାଳୟ ସେବା ସଂଘ
ଭୁବନେଶ୍ବର
ଇ ମେଲ: msdipasahu@gmail.com
Go Back to Previous Page
ଦତ୍ତକ
ପ୍ରତିଭା ପ୍ରିୟଦର୍ଶିନୀ
Read Article
ମଣିଷ ପଣିଆ
ପ୍ରଣତୀ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ