ଏକ
ମସ୍ତିଷ୍କ ଭିତରେ ଗଭୀର ଅନ୍ଧକାର ଚିରି ଆଲୋକ ଦିଗରେ ଚେତନା ତାର କାୟା ବିସ୍ତାର କରି ଆସୁଥିଲା। ଆଖି ଖୋଲିଲେ କ୍ଷେତ୍ର ମୋହନ। ଆଖି ଆଗରେ ଧଳା, ଚିକ୍କଣ ଛାତ । କୋଠରୀର ଦକ୍ଷିଣ ପାଖ ଝରକା ଫାଙ୍କ ଦେଇ ସକାଳ ସୂର୍ଯ୍ୟ କିରଣର କୋମଳ ରଶ୍ମି ଭିତରକୁ ପଶି ଆସିଥିଲା। ସାମନା କାନ୍ଥରେ ଶିବଙ୍କ ଧ୍ୟାନସ୍ଥ ମୁଦ୍ରାର ଗୋଟିଏ ଫୋଟ।
ଖଟ ଉପରେ ଉଠି ବସି ଗୋଡ ତଳ କୁ ଝୁଲେଇ ବସିଲେ। ମୁଣ୍ଡ ନଇଁ ଗଲା । ସ୍ୱତଃମେବ ତାଙ୍କ ହାତ ଫୋଟ ଆଗରେ ଯୋଡି ହୋଇଗଲା ।
ଦୀର୍ଘ ୫୦ ବର୍ଷ କାଳ ଅସଂଖ୍ୟ ଦେବ-ଦେବୀଙ୍କୁ ଆହ୍ବାନ-ବିସର୍ଜନ କରିବା ପଦ୍ଧତିରେ ଶେଷ ପର୍ଯ୍ୟାୟରେ ଯେଉଁ ଭଳି ଲୋମ-ଟାଙ୍କୁରା-ଶିହରଣ-ଭରା ପ୍ରଶ୍ନବାଚୀ ଲାଗି ଯାଇଥିଲା, ଚୈତନ୍ୟର ନୂତନ ଅନୁଭୂତି ପରେ ଦେହ-ବଳ ଭଳି ସେଥିରେ ମଧ୍ୟ ସ୍ଥିର ଭାବ ଆସି ଯାଇଥିଲା।
ଖୁବ ବୈଭବପୂର୍ଣ୍ଣ ଘର ରମଣର। ପ୍ରଥମ ଦିନ ହିଁ ସେ ଭାବିଥିଲେ, ସେ କେଉଁ ଦାମିକା ଡାକ୍ତରଖାନାରେ ଅଛନ୍ତି। ତାଙ୍କ କୌତୁହଳ ପ୍ରଶ୍ନରେ ଋତୁପର୍ଣ୍ଣା ହସି କହିଥିଲେ - ଜେଜେ, ଏଇଟା ତମ ଘର। ଆମ ଘର ଥାଉ ଥାଉ ତମେ ଆଉ କୋଉଠି କାହିଁକି ରହିବ?
- ଆମ ଘର! ମନେ ମନେ ହସିଥିଲେ କ୍ଷେତ୍ର ମୋହନ ସାର।
ଜୀବନ ସାରା ଶିକ୍ଷକତାରୁ ସଞ୍ଚି ସାହି ଭିତରେ ଯେଉଁ ୧୦ ହାତିଆ ଘରଟି ତିଆରି କରିଥିଲେ ଇଏ ତ’ ସେହି ଘର ନ ଥିଲା। ବରଂ ପୁରାପୁରି ଭିନ୍ନ ଥିଲା। ବିରାଟକାୟ କକ୍ଷ, ଭବ୍ୟ ପୂର୍ଣ୍ଣ ରେଶମୀ କନାରେ ସଜ୍ଜିତ ଦ୍ୱାର-ଝରକାର ପରଦା କନା, ବିଶାଳ ପଲଙ୍କ। ଦାମିକା ଆସବାବ ପତ୍ର। ଭାରୀ ସଣ୍ଠଣା ରେ ସଜ୍ଜା ଯାଇଛି ଘରର କୋଣ କୋଣ। ସେଇଟା ପୁଣି ତାଙ୍କ ଘର! ଯଦିଓ ଋତୁପର୍ଣ୍ଣା ଅତି ସ୍ବାଭାବିକ ଭାବେ ତାହା କହିଥିଲେ, ତଥାପି ତାଙ୍କର ମନେ ହେଲା, ତାଙ୍କର ଦୁର୍ବଳ ଓ ଅସହାୟ ଅବସ୍ଥାର ଉପହାସ କରାଯାଉଛି! ଅତୀତର ଅନେକ ସ୍ମୃତି ତାଙ୍କ ମାନସ ପଟଳରେ ନାଚି ଉଠିଲା।
ତାଙ୍କ ନନା ପ୍ରଚଣ୍ଡ କର୍ମ କାଣ୍ଡି- ଈଶ୍ବର ବିଶ୍ବାସୀ ବ୍ରାହ୍ମଣ ଥିଲେ। ପୂଜା-ପାଠ, ଦାନ ଧର୍ମ, ସତ୍ କର୍ମ ଆଦିରେ ତାଙ୍କର ଲାଳନ ପାଳନ ହୋଇଥିଲା। ନୂଆରେ ଖୋଲିଥିବା ସରକାରୀ ତହସିଲ ଅଫିସରେ ତାଙ୍କୁ ଚାକିରୀ। ନନା ବାରଣ କରିଥିଲେ। ଫାଇଲ ଚାଷ କରି ପେଟ ପୋଷିବୁ? ବରଂ ମାଷ୍ଟ୍ର ହେ, ପାଠ ପଢା, ପିଲାଙ୍କୁ ସଂସ୍କାର ଶିଖା, ନିଜର ପେଟ ପୋଷେ, କିଛି ଦୋଷ ନାହିଁ।
ସେ ନନାଙ୍କ କଥା ଶୁଣିଥିଲେ। ମାଷ୍ଟ୍ର ହୋଇ ପାଠ ପଢେଇଥିଲେ।
ପୂଜାର ଗୁଢ ରହସ୍ୟ ନ ଜାଣି ମଧ୍ୟ ବ୍ରତ ହେଲା ପରଠୁଁ ଅନ୍ଧ ରୂପେ ନନାଙ୍କୁ ଅନୁସରଣ କରି ଫୁଲ, ତୁଳସୀ ଦେଇ ପୂଜା କରିବା ସେ କେବେହେଲେ ଭୁଲି ନ ଥିଲେ। ଠାକୁରଙ୍କୁ ଭୋଗ ଲଗାଇଲା ପରେ ହିଁ, ସେ ଖାଦ୍ୟ ଛୁଁଇଛନ୍ତି। ବାହାହେଲା ପରେ ତାଙ୍କ ସ୍ତ୍ରୀ ମଧ୍ୟ ସେହି ରାସ୍ତାର ପଥିକ ହୋଇଥିଲେ। ପ୍ରତ୍ୟେକ ସୋମବାର ଦିନ ଶିବ ଅଭିଷେକ ନ କଲେ ଦିହେଁ ଯାକ ଜଳ ସ୍ପର୍ଶ କରୁ ନ ଥିଲେ।
ଅସୁସ୍ଥ ଶରୀରରେ ବି ସେ ସ୍କୁଲ ଯାଇ ତାଙ୍କ ପାଠ ପଢା ସାରି ଦେଇ ଆସୁଥିଲେ। ଅଥଚ ବଡପୁଅ ଜନ୍ମ ହେଲା ଦିନ ସେ ଖ୍ରୀଷ୍ଟିୟାନ ହାସପାତାଳର ପାଖ ଛାଡି ନ ଥିଲେ। ହେଡ୍ ସାର୍ କହିଥିଲେ - ସ୍କୁଲକୁ ଆସି ଯାଆନ୍ତୁ ସାରେ, ଆପଣ କ’ଣ ନର୍ସ ପାଲଟିଯିବେ? ଗୋଟିଏ ଦିନ ର ଛୁଟି ପାଇଁ ପରେ ପଇସାଟିଏ ହେଲେ ମିଳିବ।
ସେ ତିଳେ ହେଲେ ଭ୍ରୂକ୍ଷେପ କରି ନ ଥିଲେ। ସବୁଯାକ ଛୁଟି ଘର ଏବଂ ପିଲାଙ୍କ ପାଇଁ ସାରି ଦେଇଥିଲେ। ତାଙ୍କ ନନାଙ୍କ ଶେଷଦିନର ସାହାରା ସେ ଯେମିତି ହୋଇଥିଲେ, ପିଲାମାନେ ବି ଶେଷଦିନରେ ତାଙ୍କର ସାହାରା ହେବେ, ଏଇ ଆଶାରେ ଜୀବନ-ଯାତ୍ରା ପଥରେ ବୀର ସୈନିକ ଭଳି ଆଗେଇ ଚାଲିଥିଲେ।
ବଡ ଝିଅ ବାହାଘର ଖର୍ଚ୍ଚ ପାଇଁ ବଡପୁଅର ସ୍ତ୍ରୀ ଯେତେବେଳେ ଟଙ୍କାଟିଏ ବି ଦେବାକୁ ମନା କରି ଦେଇଥିଲା, ସେତେବେଳେ ସାନ ପୁଅ ବାହାଘର ର ସାରା ଖର୍ଚ୍ଚ ପୈତୃକ ଘରକୁ ତା ନାଁରେ କରି ଦେବାର ସର୍ତ୍ତ କଲା ପରେ ହିଁ କରିଥିଲା। ଅସହାୟ କ୍ଷେତ୍ର ମୋହନ ନିଜ ବାସଗୃହକୁ ସାନ ପୁଅ ନାଁରେ ଲେଖି ଦେଇଥିଲେ। ଚାକିରୀରୁ ଅବସର ନେଲା ପରେ ଯାହା କିଛି ଫଳ ପୁଷ୍ପ ମିଳିଥିଲା, ତାକୁ ସାନ ଝିଅର ବାହାଘରରେ ପ୍ରଚଣ୍ଡ ଆତ୍ମ ବିଶ୍ବାସରେ ଖର୍ଚ୍ଚ କରି ପକେଇଥିଲେ। କିନ୍ତୁ, ଶେଷରେ କଣ ହେଲା ?
ସ୍ତ୍ରୀଙ୍କ ଦେହାନ୍ତ ପରେ ହଠାତ ସବୁ କିଛି ବଦଳି ଗଲା ଭଳି ସେ ଅନୁଭବ କଲେ।
ତାଙ୍କ ଉପରେ ସାନ ପୁଅର ମାନସିକ ଚାପ ଆରମ୍ଭ ହେବାରେ ଲାଗିଲା। କେବଳ ତାଙ୍କ ପାଇଁ ବ୍ୟବସ୍ଥା ହୋଇ ପାରିବ। ପେନସନ୍ ୮୦୦/୯୦୦ ଟଙ୍କାରେ ଝିଅମାନଙ୍କର ବାରମ୍ବାର ଘରକୁ ଯିବା-ଆସିବା କରିବା ସାନ ବୋହୂର ବରଦାସ୍ତ ହେଉନି।
ବଡ ଝିଅ ଉଘାଣ ଦେଲା - ଆମକୁ ବାପ-ଘରକୁ ଯିବା ଯୋଗ୍ୟ କରେଇଲନି।
ସାନ ଝିଅ ଅଭିମାନ କଲା - ଅପାକୁ ଅଧିକ ଦେଲ।
ବଡପୁଅର ସ୍ତ୍ରୀ କହିଲା - ସବୁ ତ ସାନକୁ, ଝିଅ ମାନଙ୍କୁ ଦେଲ। ଆମ ପାଇଁ ଅଛି କଣ ଯେ, ଆମେ ତମ ବାପା-ଝିଅଙ୍କୁ ଦେବୁ?
ବଡପୁଅ ଘରୁ ବାହାରିଗଲା।
କ୍ଷେତ୍ର ମୋହନ ଅନୁଭବ କଲେ, ନିଜ ପରିଶ୍ରମରେ ତିଆରି ତାଙ୍କ ନିଜ ଘରେ ସେ ଅନାହୁତ ହୋଇ ପଡିଛନ୍ତି। ସିମେଣ୍ଟ-ଇଟାର କାନ୍ଥରେ ଯେଉଁ ଘରକୁ ତିଆରି କରି ଅନ୍ୟ ସହକର୍ମୀମାନଙ୍କ ଆଗରେ ନିଜ ଘର ତିଆରି ବାହାଦୂରିର ଡିଣ୍ଡିମ ପିଟୁଥିଲେ, ଅବସର ନେଲା ବେଳକୁ ସେହି ଘରର କାନ୍ଥରେ ଦାଗ ଲାଗି ଯାଇ କ୍ଷେତ୍ର ମୋହନଙ୍କର ଶିକ୍ଷକ ପଣିଆର ସ୍ବାଭିମାନରେ ଗଭୀର କ୍ଷତ ସୃଷ୍ଟି କରିସାରିଥିଲା।
ବିବ୍ରତ ଓ ଗ୍ଲାନି ବୋଧ ଅବସ୍ଥାରେ କ୍ଷେତ୍ର ମୋହନ ସାର ଦିନେ ଘରୁ ବାହାରି ସାଇକେଲରେ ବୁଲୁଥିଲେ। ଶିଶିର କାନ୍ତ ରାସ୍ତାରେ ମିଶି ଆଶ୍ଚର୍ଯ୍ୟ ହେଲେ - ସାର, ଏ ବୟସରେ ଆହୁରି ସାଇକଲ୍ ଧରି ବୁଲୁଛନ୍ତି !
ସ୍ତ୍ରୀ’ଙ୍କ ଦେହାନ୍ତ ଓ ଅବସର ପରର କ୍ଲେଶ ପୂର୍ଣ୍ଣ ଜୀବନର ଗାଥା ପ୍ରିୟ ଛାତ୍ର ଆଗରେ ସବୁ ବାନ୍ତି କରି ପକେଇ ଥିଲେ କ୍ଷେତ୍ର ମୋହନ ସାର। ସେଦିନ ଶିଶିର କାନ୍ତ ଆଗରେ କହୁ କହୁ କାନ୍ଦି ମଧ୍ୟ ଦେଇଥିଲେ।
ଶିଶିର କାନ୍ତ ତାଙ୍କର ଛାତ୍ର ଥିଲେ। ହାଇସ୍କୁଲରେ ଭଲ ଛାତ୍ର, କିନ୍ତୁ ଖୁବ ଚଗଲା, ଖାଲି ସାରଙ୍କର ବେତମାଡକୁ ଡର ଥିଲା। ଚାକିରୀ କିମ୍ବା ବ୍ୟବସାୟ ନ କରି ବରଂ ସାମାଜିକ ସଂସ୍ଥାଟିଏ ଗଢି ତା ଜରିଆରେ ବୃଦ୍ଧାଶ୍ରମ ତିଆରି କରିଥିଲେ। ସାରଙ୍କ ଦୁଃଖକୁ ହୃଦୟଙ୍ଗମ କଲା ପରେ ଶିଶିର କାନ୍ତଙ୍କୁ ବୋଧହେଲା, ତାଙ୍କୁ ବୃଦ୍ଧାଶ୍ରମର ପ୍ରଥମ ବାସିନ୍ଦା ମିଳିଗଲେ।
ସେ ଦିନଠୁ ସାର ଆଉ ପିଲାମାନଙ୍କ ପାଖକୁ ଫେରି ନାହାନ୍ତି। ମ୍ୟୁନିସିପାଲିଟିର ହାତ ଗଣତି କିଛି ପେନସନ୍ ଟଙ୍କାର ଭରସାରେ ସାର ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ! ବାହାର ଲୋକଙ୍କ କଥାରେ ବିବ୍ରତ ହୋଇ ପ୍ରଥମ କେତେ ଦିନ ଝିଅମାନେ ଆଶ୍ରମକୁ ଆସୁଥିଲେ। ପରେ ସେମାନେ ମଧ୍ୟ ଆସିବା ବନ୍ଦ କରି ଦେଇଥିଲେ।
ସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାରଙ୍କୁ ବ୍ୟସ୍ତ ହେବା ଦେଖି ଶିଶିର କାନ୍ତ କହିଲେ, “ସାର, ଦୁଃଖ କରନ୍ତୁନି। ଗରିବ, ଦୁଃଖୀ-ରଙ୍କିଙ୍କୁ ଖାଇବାକୁ ଦେଇଦେବା। ଆପଣଙ୍କ ସ୍ତ୍ରୀ ପାଇଯିବେ।”
ଦୃଢ-କଣ୍ଠରେ ବିରୋଧ କଲେ ସେ, “ନା, ତାହା କେମିତି ହେବ? ପୁଅ ଶ୍ରାଦ୍ଧ କରିବା ଶାସ୍ତ୍ର ବିଧେୟ। ତାକୁ କେମିତି କାଟି ହେବ?”
ବଡପୁଅକୁ ଆଶ୍ରମକୁ ଡକା ଯାଇଥିଲା।
ସେ କହିଥିଲା - ମୋ ପାଖରେ ପଇସା ନାହିଁ, ଶ୍ରାଦ୍ଧ କେମିତି କରିବି?
- ତୋର ପଇସା ନାହିଁ! ହଉ। ସାର ଶିଶିର କାନ୍ତକୁ କହିଥିଲେ - ତାକୁ ଦି’ହଜାର ଟଙ୍କା ଦେଇପାରିବ? ମୋ ପେନସନ୍ ମିଳିଲେ ଦେଇଦେବି।
ଆଜ୍ଞାଧୀନ ଛାତ୍ର ଶିଶିର କାନ୍ତ ତାଙ୍କୁ ଟଙ୍କା ଦେଇଥିଲେ। ସାର’ଙ୍କ ସ୍ତ୍ରୀଙ୍କ ଶ୍ରାଦ୍ଧ ହୋଇଥିଲା। ସେ ଆଉ ଶିଶିର କାନ୍ତ ଦୁହେଁ ଯାଇ ଖାଇ ଆସିଥିଲେ। ଶ୍ରାଦ୍ଧ ସିନା କରିଦେଲେ, ହେଲେ ଯାହାର ପେଟରେ ୯ ମାସ ରହିଥିଲା, ଠିଆ ହେଲା ଯାଏଁ ତାର ଅଳି-ଅର୍ଦ୍ଦଳୀ ଯିଏ ସମ୍ଭାଳିଥିଲା, ତାର ଶ୍ରାଦ୍ଧ ପାଇଁ କିଛି ଟଙ୍କା ତାଙ୍କ ପୁଅ ପାଖରେ ନାହିଁ – ଛି, ଧିକ୍ ଏ ଜୀବନକୁ! ସ୍ବାର୍ଥର ଗନ୍ତା ଘର ସବୁ ତାଙ୍କ ଔରସରୁ ହିଁ ଜାତ ହେବାର ଥିଲା! ଦୁନିଆ ଯାକ ର ପିଲାଙ୍କୁ ସଂସ୍କାରିତ କରିବାର ଦାୟିତ୍ବ ନେଲେ ସିନା, ନିଜ ପିଲାଙ୍କୁ ସଂସ୍କାରିତ କରି ପାରିଲେନି। ଯେତେବେଳେ ସେ ଏହାକୁ ଜାଣିଲେ-ଚିହ୍ନିଲେ, ସେତେବେଳେ ନେଡି ଗୁଡ କହୁଣୀକୁ ଚାଲି ଯାଇ ଥିଲା।
ସେହି ଅବସ୍ଥାରୁ ତାଙ୍କୁ ଉଦ୍ଧାରିବା ପାଇଁ, ଜୀବନ ସାରା ପ୍ରତିଦିନ ଆହ୍ବାନ-ବିସର୍ଜନ କରିଥିବା ସମସ୍ତ ଦେବ ଦେବୀଙ୍କୁ ଆକୁଳ ଭାବେ ଡାକିଥିଲେ! ନିଜ ପିଲାଙ୍କ ଦୃଷ୍ଟିକୋଣ ନିମନ୍ତେ ବୋଧହୁଏ ସେ ହିଁ ଦାୟୀ ଥିଲେ– ସେ ହୃଦ୍ବୋଧ କରିଥିଲେ। ସେ ବି ନିଶ୍ଚୟ ସ୍ବାର୍ଥକୁ ନେଇ ସଂସାର କରୁଥିଲେ। ନ ହେଲେ କି କେବଳ ନିଜ ସ୍ବାର୍ଥ କଥା ହିଁ ପିଲାଏ ଚିନ୍ତା କରିଥାନ୍ତେ! ଭାଇ ଭଉଣୀର ନିଛକ ପ୍ରେମର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଓଡିଆ-ବ୍ରାହ୍ମଣ ଘରର ପିଲାଏ, ନିଜେ ନିଜର ଅସହଣ ଶତ୍ରୁ ପାଲଟିଥାନ୍ତେ? ତାହା ପୁଣି ବାପା-ମାଆଙ୍କ କାନ୍ଧରେ ବନ୍ଧୁକ ରଖି!
ଏହି ଚିନ୍ତା ତାଙ୍କୁ ମନକୁ ଭିନ୍ନ ରାସ୍ତାର ପଥିକ କରି ରୋଗର ଘରେ ନେଇ ବସେଇ ଦେଇଥିଲା। ତାଙ୍କ ଦେହ ଖରାପ ଆଡକୁ ଗତି କରିଥିଲା। ଆଶ୍ରମକୁ ଆସିଥିବା ଜଣେ ଡାକ୍ତର ତାଙ୍କୁ କିଛି ଔଷଧ ମଧ୍ୟ ଦେଇଥିଲେ। ଔଷଧ ଖାଇବାକୁ ତାଙ୍କର ଇଛା ନ ଥିଲା।
ସମ୍ମୁଖ ରେ ଅଭାବ ଓ ନିରାଶ ଜନିତ ମୃତ୍ୟୁର ଅହେତୁକ ଆଶଙ୍କା ସମୁଦ୍ରର କରାଳ ଲହରୀର ଢେଉ ଭଳି ଆଗକୁ ମାଡି ଆସୁଥିଲା। ଧୀରେ ଧୀରେ କର୍ମ କାଣ୍ଡି ନୈଷ୍ଠିକ ବ୍ରାହ୍ମଣ ଜଣକ ମନ୍ଦିର ଆଗରେ ହାତ ଯୋଡିବାକୁ କୁଣ୍ଠାବୋଧ କରି ଥିଲେ, ଅଗାଧୁଆ ଅନ୍ନ ଗ୍ରହଣ କରିବା ଆରମ୍ଭ କରିଥିଲେ। ଅବସର ପରେ ପ୍ରଥମ ଥର ପାଇଁ ମାନସିକ ଅବସାଦ ତାଙ୍କୁ ଏକ ଅଜଣା-ଅନ୍ଧକାରର ସାମୂହିକ ଆକ୍ରମଣ ସମ୍ମୁଖକୁ ନେଇ ଯାଇଥିଲା।
ନିଜ ଜୀବନର ଏହି ଅକୁହା କଥା ସମୂହ ତାଙ୍କ ଆଖି ଆଗରେ ଏବେକାର ଦୃଶ୍ୟ ଭଳି ନାଚି ଉଠିଥିଲା। ନା, ଆଉ ପଛ କଥା ଦ୍ବାରା କେବଳ ନିଜେ ହିଁ ରୋଗ ଭୋଗ କରିବାକୁ ହେବ। ଋତୁପର୍ଣ୍ଣା କହୁଥିଲେ – କେବଳ ଆଜି ର ଚିନ୍ତା ହିଁ କରନ୍ତୁ। ନ ହେଲେ ଜଡତା ଆସି ଶରୀରରେ ବାସ କରିବ।
ମନେ ମନେ ଈଶ୍ବରଙ୍କୁ ସ୍ମରଣ କରି ନିତ୍ୟକର୍ମ ସାରିବାକୁ ସାର୍ ଗାଧୁଆ ଘର ଭିତରେ ପଶିଲେ।
ଦୁଇ
ସେଦିନ, ଯେଉଁ ଦିନ ପ୍ରଥମ ଥର ପାଇଁ ସେ ଏହି ଘରେ ତାଙ୍କ ଚେତନା ଫେରିଥିଲା, ଅନୁଭବ କରିଥିଲେ, ସତେ ଯେମିତି ସେ ଏକ ଗାଢ ଦୀର୍ଘ ନିଦ୍ରାରୁ ଉଠିଛନ୍ତି।
ଦେହରେ କେଉଁଠି ଟିକିଏ ହେଲେ ବ୍ୟଥାର ଅନୁଭବ ନ ଥିଲା। ମନେ ମନେ ନିଜକୁ ପରୀକ୍ଷା କରି ଦେହରେ ପୁରୁଣା ବଳର ଚେତନା ଫୁଲି ଫୁଲି ବାହାରକୁ ଆସିବାର ଅନୁଭବ କରୁଥିଲେ।
ମନେ ପଡିଥିଲା, ଶିଶିର କାନ୍ତ ଙ୍କ ଆଶ୍ରମରେ ଦିନେ ସକାଳେ ସେ ଉଠି ପାରି ନ ଥିଲେ। ତା ପରର ଦୁଇଦିନ କାଳ ଆଶ୍ରମର ଅନ୍ତେବାସୀମାନେ ତାଙ୍କୁ ସାହାଯ୍ୟ କରୁଥିଲେ। ତା’ପରେ? ସେ କଣ ଅଚେତ ଥିଲେ?
ସଫା ସୁତୁରା ଗଦି ଉପରର ଦି ପାଖରେ ବାଡ ଦେଇ ଖଟରୁ ଓହ୍ଲାଇବା ରାସ୍ତାକୁ ବନ୍ଦ କରା ଯାଇଥିଲା। ବାଁ ପାଖର ଖଟ-ବାଡ ଉଠେଇ ଗୋଡ ଦୁଇଟିକୁ ତଳକୁ ଆଣି ସେ ଠିଆ ହେବା ପାଇଁ ଚେଷ୍ଟା କରିଥିଲେ। ଠିକ୍ ସେତିକିବେଳେ କୋଠରୀରେ ଆଉ ଜଣଙ୍କର ଉପସ୍ଥିତି ସେ ଅନୁଭବ କରିଥିଲେ।
ଜଣେ କେହି ଉଲ୍ଲସିତ ହୋଇ କ୍ଷୀଣ କଣ୍ଠରେ ଚିତ୍କାର କରିଥିଲେ, “ଇସ୍ ଜେଜେ, ଆପଣ ଠିଆ ହୋଇଛନ୍ତି!”
ସମ୍ମୁଖରେ ତାଙ୍କର ଜଣେ ଦିବ୍ୟ, ଶୁଭ୍ରାଙ୍ଗୀ ସ୍ତ୍ରୀ ଲୋକର ଚେହେରା ସ୍ପଷ୍ଟ ହୋଇ ଉଠି ଥିଲା। ହେମନ୍ତ ପୂର୍ଣ୍ଣିମାର ଜହ୍ନ ସଦୃଶ ହସିଲା ହସିଲା ମୁହଁ, ଆମନ୍ତ୍ରଣ ପୂର୍ଣ୍ଣ ଚକ୍ଷୁ-ଯୁଗଳ!
ତାଙ୍କୁ ସେ ଜେଜେ ବୋଲି ସମ୍ବୋଧନ କରୁଛି! ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ।
- ଆରେ, ଆପଣଙ୍କୁ ତ କେହି ହେଲେ ଧରି ନାହାନ୍ତି। ତଥାପି ଆପଣ ଠିଆ ହୋଇଛନ୍ତି। ଆରେ ବାଃ, ପୁରା ଫିଟ୍!
କିଏ ମା ତମେ?
- ମା କହୁଛନ୍ତି। ପୁଣି କିଏ ବୋଲି ପଚାରୁଛନ୍ତି। କୁହନ୍ତୁ ତ କିଏ ମୁଁ? ହସି ହସି ସେ ପଚାରିଥିଲେ।
କ୍ଷେତ୍ର ମୋହନ ସାର ତାଙ୍କୁ ସତରେ ଚିହ୍ନି ପାରି ନ ଥିଲେ। କେଉଁଠି କେବେ ଦେଖିଲା ପରି ବି ମନେ ହେଉ ନ ଥିଲା। ବସିଲା ବସିଲା କଣ୍ଠରେ ସ୍ବୀକାର କରିଥିଲେ - ହଁ, ଚିହ୍ନିତ ପାରୁନି। ତମର ପରିଚୟ ଦିଅ।
ସେ କହିଥିଲେ - ଜେଜେ, ଏଇଟା ଆପଣଙ୍କ ଘର ମୁଁ ଆପଣଙ୍କ ନାତୁଣୀ-ବୋହୂ। ଆପଣଙ୍କ ନାତି ରମଣ। ମୁଁ ତାଙ୍କ ସ୍ତ୍ରୀ। ଆମେ ବେଙ୍ଗାଲୁରୁରେ, ଆମ ଘରେ ଅଛେ। ଆପଣଙ୍କ ଦେହ ଟିକିଏ ବି ଭଲ ନ ଥିଲା। ଆପଣଙ୍କୁ ବ୍ରହ୍ମପୁରରୁ ଏଇଠିକୁ ଆପଣଙ୍କ ଅର୍ଦ୍ଧ ଚେତନ ଅବସ୍ଥାରେ ଅଣାଯାଇଛି।
କ୍ଷେତ୍ର ମୋହନ ସାର ବିଶ୍ବାସ କରିପାରୁ ନ ଥିଲେ ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ମୁଣ୍ଡରେ ଓଢଣା ଥିଲା। ପ୍ରଣାମ କଲା ପରେ କହିଲେ - ଆସନ୍ତୁ ଜେଜେ, ଆପଣଙ୍କୁ ଆପଣଙ୍କ କାମ କରିବାରେ ସାହାଯ୍ୟ କରିବି। ଏଇଟା ମୋର ପ୍ରତି ଦିନର କାମ। ସେ ସକାଳୁ ଅଫିସ ଚାଲିଗଲେଣି। ରାତି ସାରା ଆପଣଙ୍କ ପାଖରେ ଜଣେ ନର୍ସ-ଦିଦି ରହନ୍ତି। ଦିନରେ ଆପଣଙ୍କ ପାଖରେ ମୋ ଚାକିରୀ। ଆସନ୍ତୁ।
ଯନ୍ତ୍ରବତ୍ ସେ ତାଙ୍କ ପଛରେ ଚାଲିଥିଲେ।
ରମଣ ତାଙ୍କ ବଡପୁଅର ପୁଅ। ଦିନେ କେବେ ହେଲେ ଗୋସେଇଁ ବାପାର ପକ୍ଷ ନେଇ ନ ଥିଲା। ବରଂ ଘରେ ଯାହା କିଛି ହେଉଥିଲା, ସେଥିର ମୁକ-ସାକ୍ଷୀ ରହିଥିଲା। ଆଜି ହଠାତ ପାଖରେ ଆଣି ରଖିଛି। ଆଶ୍ଚର୍ଯ୍ୟ! ପ୍ରଶ୍ନ କରିଥିଲେ, “କଣ ମା ତମ ନା?
- ଋତୁପର୍ଣ୍ଣା। ଜେଜେ, ଏଇ ବ୍ରସ ନିଅନ୍ତୁ। ଦାନ୍ତ ସଫା କରି ଦିଅନ୍ତୁ।
ଆରେ, ଇଏ ତ ତାଙ୍କ ଦାନ୍ତ ଘଷା ବ୍ରସ। ଏଇଟା ବି ଧରି ଆସିଛନ୍ତି? ସେ ବ୍ରସକୁ ଦେଖୁଥିବା ଦେଖି ଋତୁପର୍ଣ୍ଣା କହିଥିଲେ, “ହଁ, ଆପଣଙ୍କ ବ୍ରସ। ଶିଶିର କାନ୍ତ ଦାଦା କହୁଥିଲେ, ଆପଣ ଆସିଲାବେଳେ ଏଇ ବ୍ରସଟାକୁ ନେବାକୁ ଜିଦ୍ ଧରିଥିଲେ। ମୁଁ ଯେତେବେଳେ ନୁଆ ବ୍ରସ ଦେଲି, ଆପଣ ଫୋପାଡି ଦେଲେ। କହିଲେ, ମୋ ଧୋତି- ବ୍ରସ ହିଁ ବ୍ୟବହାର କରିବି। ମନେ ଅଛି?”
ସେ ଏ କଥା କହିଥିଲେ? ଟିକିଏ ହେଲେ ତାଙ୍କର ମନେ ନ ଥିଲା। ହେଲେ ତାଙ୍କର ମନେ ନାହିଁ କାହିଁକି? କ’ଣ ହୋଇଥିଲା ତାଙ୍କର?
ସେ ବିଷୟ ଋତୁପର୍ଣ୍ଣା ଙ୍କ ମୁହଁରୁ ଶୁଣିଥିଲେ।
ରମଣ ସହ ଋତୁପର୍ଣ୍ଣା ଏକା ଅଫିସରେ ଚାକିରୀ କରୁଥିଲେ। ଦୁହିଁଙ୍କ ମନ ମିଶିଥିଲା। ଦୁହେଁ ସ୍ଥିର କରିଥିଲେ, ବାହା ହେବେ। ରମଣଙ୍କ ବାପା ମାଆ ରାଜି ନ ଥିଲେ। ଜାତି ବାହାଘରରେ ବନ୍ଧନ ସାଜିଥିଲା। କିନ୍ତୁ ଋତୁପର୍ଣ୍ଣା ଙ୍କ ବାପା ମାଆ ରାଜି ଥିଲେ। ଦୁହେଁ ସେଇଠି କୋର୍ଟ-ମନ୍ଦିର ଆଦିରେ ବାହାଘର ସାରି ଘରକୁ ଯାଇଥିଲେ। କିନ୍ତୁ ସେଇଠୁ ତଡା ଖାଇ ବୃଦ୍ଧାଶ୍ରମ ଯାଇଥିଲେ ଜେଜେଙ୍କ ଆଶୀର୍ବାଦ ନେବା ପାଇଁ। ସେତେବେଳକୁ ଶିଶିର କାନ୍ତ କ୍ଷେତ୍ର ମୋହନ ସାର ଙ୍କୁ ହାସପାତାଳ ନେଇ ସାରିଥିଲେ, କାରଣ ବୃଦ୍ଧାଶ୍ରମରେ ସାରଙ୍କ ଅବସ୍ଥା ଖରାପ ଦିଗକୁ ଗତି କରୁଥିଲା। ଲୋକଙ୍କୁ ଚିହ୍ନିପାରୁ ନଥିଲେ ସେ। ଡାକ୍ତର ଆଲଜାଇମର ରୋଗର ପ୍ରାରମ୍ଭିକ ସ୍ତର ବୋଲି ନିଦାନ କରିସାରିଥିଲେ।
ସ୍ବାମୀ-ସ୍ତ୍ରୀ ଦୁହେଁ ଯାକ ଆଗପଛ କିଛି ନ ବିଚାରି ପ୍ରଥମ ଉଡାଜାହାଜରେ ଜେଜେଙ୍କୁ ବେଙ୍ଗାଲୁରୁ କୁ ଆଣିଦେଇଥିଲେ। ହାସପାତାଳରେ ରଖିବା ଅପେକ୍ଷା ଘରେ ରଖି ଯତ୍ନ ନେଲେ ଏହାର ଉପଶମର ସମ୍ଭାବନା ବେଶି, ଏଇ ଧାରଣା ଜାତ ହେଲା ପରେ, ଜେଜେଙ୍କୁ ଡାକ୍ତରଖାନା ରୁ ଘରକୁ ନେଇ ଆସିଥିଲେ। ତା ପରେ ଋତୁପର୍ଣ୍ଣା ତାଙ୍କ ଚାକିରୀ ଛାଡି ଦେଇଥିଲେ। କାରଣ, ଜେଜେଙ୍କୁ ଦିନ ରାତି ପଇସାଟିଆ ଲୋକଙ୍କ ଜିମା ଛାଡିଦେବା ପାଇଁ ସେ ଆଦୌ ରାଜି ନ ଥିଲେ। ଜେଜେଙ୍କ ହାତ ଧରିଲେ ହିଁ ସେ ଚାଲିପାରୁଥିଲେ; ଗାଧୁଆ ଘର ଭିତରକୁ ନେଲେ କମୋଡ୍ ରେ ବସେଇ କବାଟକୁ ଆଉଜେଇ ଦେଇ ଆସୁଥିଲେ; ଯାହା କହିଲେ ତାହା ହିଁ ଖାଉଥିଲେ। ତେଣୁ ଜଣେ କିଏ ହେଲେ ନିରବଚ୍ଛିନ୍ନ ଭାବରେ କ୍ଷେତ୍ର ମୋହନ ଙ୍କ ପାଖେ ପାଖେ ରହିବା ଦରକାର; ଏଇ ବିଚାରରେ ଦିନରେ ଋତୁପର୍ଣ୍ଣା ଏବଂ ରାତିରେ ନର୍ସ ତାଙ୍କ ପାଖରେ ଜଗି ରହୁଥିଲେ। ତାହା ହିଁ ଋତୁପର୍ଣ୍ଣାଙ୍କ ଚାକିରୀ ଛାଡିବାର କାରଣ ଥିଲା। ଡାକ୍ତରୀ ଔଷଧ ତ ଦିଆ ଯାଉଥିଲା। ତା ଛଡା ବିକଳ୍ପ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା। ଶାରିରୀକ ବ୍ୟାୟାମ, ଉତ୍ତାପ-ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଦୀର୍ଘ ଛଅ ମାସର ଚେଷ୍ଟା ପରେ କ୍ଷେତ୍ର ମୋହନ ସାର ଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିଲା।
ତିନି
ଅଦିନିଆଁ ଝଡରେ ବସା ହରେଇ ଦେଇଥିବା ବାଟ ବଣା ଚଢେଇଟିକୁ ବାଟ କଢେଇ ଆଣିଥିବା ଏହି ହସକୁଳା ଝିଅଟି ତାଙ୍କର କୋ ଜନ୍ମର ସାଥୀ ଥିଲା? ଗୀତାରେ କୁହାଯାଇଥିବା ବାଣୀ କୁ ନନାଙ୍କ ଠୁଁ ଶୁଣିଥିଲେ - ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଛନ୍ତି। ଅର୍ଥ ହେଲା - ମୋତେ ଯିଏ ଯାହା ଦେଇ ଡାକିଲେ ମଧ୍ୟ, ମୁଁ ତାହା ଗ୍ରହଣ କରେ; ସେମାନଙ୍କ କଥା ଶୁଣିଥାଏ।
କିନ୍ତୁ କେବଳ ଯେ ଲୌକିକ ଫଳ ପତ୍ର ପାଣିର ଅଭିଷେକ, ତା ନୁହଁ। ସମ୍ପୂର୍ଣ୍ଣ ହୃଦୟର ସମର୍ପଣ ମଧ୍ୟ ତାଙ୍କ କାମ୍ୟ, ଏ କଥା ସେ ବହୁତ ଡେରିରେ ବୁଝିଲେ। ନିଜ ରକ୍ତ-ମାଂସର ପରଶରେ ଜାତ ରମଣ ତ କେବେ ଆସି ତାଙ୍କର ଭଲ ମନ୍ଦ ପଚାରି ନ ଥିଲା। ତାର ସ୍ତ୍ରୀ ଆଜି ତାଙ୍କ ଯତ୍ନ ନେଉଛି! କେବଳ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଚାକିରୀ ଛାଡି ଦେଇଛି।
କର୍ମ କାଣ୍ଡ ଉପରେ ବିଶ୍ବାସ ହରେଇ ବସିଥିବା ମଣିଷ ଜଣକ - ଜୀବନ ଯାତ୍ରାର ଏହି ମୌନ ପ୍ରହରରେ ପ୍ରହରୀ ଭୂମିକାର ଉପଲବ୍ଧି ନିଃସନ୍ଦେହରେ ଏକ ଅନିର୍ବଚନୀୟ ସନ୍ତୁଷ୍ଟି-ସମ୍ପର୍ଣ୍ଣ-ସ୍ଥିର ଭାବର ଉତ୍ପନ୍ନ କରାଇ ଥାଏ - ଭଳି ସତରେ ଉପନୀତ ହେବା ପରେ ତାଙ୍କ ମନରେ ଥିବା ସମସ୍ତ ପ୍ରକାର ଗ୍ଲାନି ଓ ଅବସାଦ ଉଭେଇ ଯାଇଥିଲା। ତାଙ୍କ ନିକଟରେ ବିଶ୍ୱ ନିୟନ୍ତାଙ୍କ ଏଭଳି ସମାଧାନ ନୀତି ଏକ ଚମତ୍କାର ଓ ଅକୁଣ୍ଠିତ ଆଶୀର୍ବାଦ ବ୍ୟତୀତ ଅନ୍ୟ କିଛି ନ ଥିଲା।
ନିତ୍ୟକର୍ମ ସାରିଲା ବେଳକୁ ଦୃଢ ନିଶ୍ଚୟର ଶେଷ ବିନ୍ଦୁରେ ସେ ପହଞ୍ଚି ସାରିଥିଲେ। ନାତୁଣୀ-ବୋହୂ ପାଖରୁ ସ୍ବାଭାବିକ ରୂପେ ମିଳୁଥିବା ଏହି ଆଭିଜାତ୍ୟ ପୂର୍ଣ୍ଣ ମର୍ଯ୍ୟାଦା ଏବଂ ଅନାୟାସ ଆତିଥେୟ ଠାରୁ ତାଙ୍କର ମନ ଅନେକ ଦୂରରେ ବୃଦ୍ଧାଶ୍ରମରେ ରହୁଥିବା ଅସହାୟ ଅନ୍ତେବାସୀ ମାନଙ୍କ ପାଖକୁ ଯିବାପାଇଁ ବ୍ୟାକୁଳ ହେବାରେ ଲାଗିଥିଲା। ସେ ସେଠାକାର ପ୍ରଥମ ବାସିନ୍ଦା ଥିଲେ। ତା ପରେ ଜଣେ ଜଣେ କରି ଆସି ସେଠାରେ ରହିବାରେ ଲାଗିଥିଲେ। ପ୍ରଥମେ ତାଙ୍କ ପାଇଁ ଶିଶିର କାନ୍ତ ପାଖ ମଠରୁ ଖାଇବାପାଇଁ ଦି ବେଳା ଆଣି ଦେଉଥିଲେ। ଧୀରେ ଧୀରେ ଯେତେବେଳେ ରହିବା ଲୋକଙ୍କ ସଂଖ୍ୟା ବଢିଲା, ପାଖ ଗାଁର ଜଣେ ସ୍ତ୍ରୀ ଲୋକ ଆସି ଖାଇବା ରାନ୍ଧି ଦେଇ ଯାଉଥିଲେ। ଆଶ୍ରମର ଆଉ ଅନ୍ୟାନ୍ୟ କାମ ସବୁ ଅନ୍ତେବାସୀମାନେ କରୁଥିଲେ। ନାତୁଣୀ-ବୋହୁ ଠୁଁ ମିଳୁଥିବା ଆତିଥ୍ୟର ବନ୍ଧନରେ ସେ ଆଉ ବାନ୍ଧି ହୋଇ ରହିବେନି। ବରଂ ଶିଶିର କାନ୍ତକୁ ତାର ଲକ୍ଷ୍ୟରେ ପହଞ୍ଚିବାରେ ତାକୁ ସାହାଯ୍ୟ କରିବେ - ପୁଣି ଜଣେ କିଏ କ୍ଷେତ୍ର ମୋହନ ଅବସାଦ ଗ୍ରସ୍ତ ନ ହୁଅନ୍ତୁ।
ନିଜ ନିଶ୍ଚୟରେ ନିଶ୍ଚିତ ହୋଇ ସାର ନିଜକୁ ଅନେକ ସୁସ୍ଥ ଓ ପ୍ରଫୁଲ୍ଲିତ ମନେ କରୁଥିଲେ। ଋତୁପର୍ଣ୍ଣାଙ୍କ ଠାରୁ ନମ୍ବର ଆଣି ସେ ଶିଶିର କାନ୍ତ ପାଖକୁ ଫୋନ କଲେ। ତାଙ୍କ ଭଲ ହେବା ଖବର ଶୁଣି ଶିଶିର କାନ୍ତ ଅତି ଖୁସି ହୋଇ କହିଲେ- ମୁଁ ତ ଆଶା ଛାଡି ଦେଇ ଥିଲି ସାର। ହେଲେ ଭଗବାନଙ୍କ ଇଚ୍ଛା ହିଁ ମୂଳ।
- ହଁ, ତାହା ନୁହଁ, ଆଉ କ’ଣ? ସେ ଶିଶିର କାନ୍ତକୁ କହିଲେ - ମୁଁ ଆଶ୍ରମକୁ ଫେରିଯିବାକୁ ଚାହୁଁଛି। ହେଇପାରିବ?
-ହେଇପାରିବ? ସାର୍, ଲଜ୍ଜିତ କରୁଛନ୍ତି। ଆଶ୍ରମ ଆପଣଙ୍କର। ଆପଣ ଯେବେ ବି ଆସିପାରନ୍ତି।
- ତା ହେଲେ ଟିକଟ କରି ଏଇ ନମ୍ବରରେ ମେସେଜ କରି ଦିଅ। ମୋ ପେନସନ୍ ମିଳିଗଲେ ତମ ପଇସା ଫେରେଇ ଦେବି। ମୁଁ ବ୍ରହ୍ମପୁର ଫେରିଯିବି।
ବାର୍ତ୍ତାଳାପ ଶୁଣୁଥିବା ଋତୁପର୍ଣ୍ଣା ଆକଟ କରି କହିଲେ- ନାହିଁ ଜେଜେ, ହେବନି। ତମକୁ ଆମେ ଛାଡିବୁନି। ଏ ବୟସରେ ତମେ ଯାଇ ପୁଣି ସେ ଆଶ୍ରମରେ ରହିବ?
କ୍ଷେତ୍ର ମୋହନ ସାର ଅଳ୍ପ ହସି ବୁଝେଇଲା ଭଳି କହିଲେ- ମୁଁ ଆଉ ସେଇଠି କେବଳ ରହିବାକୁ ଯିବିନି। ବରଂ ଶିଶିର କାନ୍ତର ସହାୟକ ହେବି।
ଋତୁପର୍ଣ୍ଣା ବିଶ୍ବାସ କରି ପାରିଲେନି। ଦର ହସିଲା, ତଟସ୍ଥ ହୋଇ ଜେଜେଙ୍କୁ ଚାହିଁ କହିଲେ - ନା ନା, ହେଇ ପାରିବ ନାହିଁ। ଏ ବୟସରେ ଜେଜେ, ଏକୁଟିଆ ରହିବାଟା ଠିକ୍ ନୁହେଁ। ତମର ଦେଖାଶୁଣା କରିବ କିଏ?
- କାହିଁକି, ମୋର କ’ଣ ଅସୁବିଧା ହେଲେ, ତମେ ଅଛ। ରମଣ ଅଛି। ଶିଶିର କାନ୍ତ ଅଛି। ଭାବୁଥିଲି, ଏ ଦୁନିଆରେ ମୁଁ ଏକୁଟିଆ। ଅବସର ନେଲା ପରେ ଯେ ଜୀବନ ସମାପ୍ତ ହୋଇଗଲା, ମୃତ୍ୟୁକୁ ଅପେକ୍ଷା କରି ରହିବା ଭୟ ମୋତେ ଦୁର୍ବଳ କରି ଦେଇଥିଲା। ମୁଁ ଏକଦମ ନିଶ୍ଚିନ୍ତ। ତମକୁ ଦେଖି ମୋର ସବୁ ଅବସାଦ ତୁଟି ଯାଇଛି। ରମଣର ଜୀବନରେ ତମର ଆବିର୍ଭାବ ଆକସ୍ମିକ ନ ଥିଲା। ତାଙ୍କର ଆଶୀର୍ବାଦ ଥିଲା । ତାଙ୍କର ଆଶୀର୍ବାଦ ଥିଲେ ହେଁ ଅନ୍ତଃକରଣ ଶୁଦ୍ଧତାର ସ୍ପର୍ଶ ଆମେ ପାଇପାରିବା। ତମ ଦୃଷ୍ଟିକୋଣର ଶୁଦ୍ଧତା ମୋତେ ଏକ ନୂଆ ଜନ୍ମର ଅନୁଭବ କରେଇ ପାରିଛି। ସେଥିପାଇଁ ତମକୁ ଅଶେଷ ଧନ୍ୟବାଦ।
ସଂଧ୍ୟାରେ ରମଣ ଆସିଲାବେଳେ ସେ ଓ ଋତୁପର୍ଣ୍ଣା ବାହାର ବାଲକୋନୀରେ ବସି ଚାହା ପିଉଥିଲେ। ଜେଜେ ଏବଂ ଶିଶିର କାନ୍ତ କକାଙ୍କ ଶୁଣିଥିବା ବାର୍ତ୍ତାଳାପକୁ ଋତୁପର୍ଣ୍ଣା ରମଣଙ୍କୁ ଗୋଟି ଗୋଟି କରି ମୋବାଇଲରେ କହି ସାରିଥିଲେ। ସେଥିପାଇଁ ସବୁବେଳେ ରାତି ୯ରେ ଫେରୁଥିବା ରମଣ ଅଫିସରୁ ଅନୁମତି ନେଇ ଘରକୁ ଶୀଘ୍ର ଆସି ଯାଇଥିଲେ।
ସେ ଆସି ବାଲକୋନୀରେ ଋତୁପର୍ଣ୍ଣା ଓ ଜେଜେଙ୍କ ପାଖରେ ବସି କହିଲେ- ଜେଜେ! ବାପା, କକା, ପିଉସୀମାନେ ସମସ୍ତେ ଏଇଠିକୁ ତମ ଭଲ ହେବା ଖବର ଶୁଣି ଆସୁଛନ୍ତି। ଆଉ, ତମେ ଯିବ କୁଆଡେ?
କ୍ଷେତ୍ର ମୋହନ ସାର୍ କହିଲେ- ଆଉ ଯିବି କୁଆଡେ? ବ୍ରହ୍ମପୁର ତ ଯାଉଛି। ଦେଖେ ବାପା, ମୋ ଲାଗି ତମେ ପିଲା ଦିଟା ଆଉ କେତେ ହଇରାଣ ହେବ? ମୁଁ ସୁସ୍ଥ ଅଛି। ଆଶ୍ରମ ଗଲା ପରେ ବି ମୋ ସାଇକେଲ ବନ୍ଦ ହେବନି। ପ୍ରଥମେ ବାଧ୍ୟ ହୋଇ ଆଶ୍ରମକୁ ଯାଇଥିଲି। ଏବେ, ମୋ ଇଛାରେ ଯାଉଛି। ତା ଛଡା ତୋ ଜେଜେ-ମାର ଶ୍ରାଦ୍ଧର ସମୟ ଆସି ଗଲାଣି। ଏ ଥର ଆମେ ତାକୁ ଆଶ୍ରମରେ ପାଳନ କରିବୁ। ତମେ ଦୁହେଁ ଆସିବ?
ଋତୁପର୍ଣ୍ଣା ଓ ରମଣଙ୍କ ପାଖରେ ଚୁପ୍ ରହିବା ଛଡା ଅନ୍ୟ ଉପାୟ ନ ଥିଲା। କାରଣ, ଘରର ସମସ୍ତେ ଆସିବା କଥା ସେ କେବଳ ଜେଜେଙ୍କୁ ଅଟକେଇବା ପାଇଁ ମିଛରେ କହିଥିଲେ | କିଏ ଜଣେ ହେଲେ ଇଛା ପ୍ରକାଶ କରି ନ ଥିଲେ ବେଙ୍ଗାଲୁରୁ ଆସି ବାପାଙ୍କୁ ସେବା କରିବା ପାଇଁ।
ତିନି ଜଣ ଯାକ ଚୁପଚାପ ବାଲକୋନୀରେ ଚାହାର ଢୋକ ଧିରେ ଧିରେ ନେଇ ସୁଉଚ୍ଚ ଅଟ୍ଟାଳିକାକାରଙ୍କର ପଶ୍ଚାତ ଭାଗରେ ସୂର୍ଯ୍ୟଙ୍କ ଦିଗବଳୟ ଉହାଡରେ ଖସିବା ଦୃଶ୍ୟକୁ ବଳପୂର୍ବକ ଉପଭୋଗ କରିବାର ପ୍ରୟାସରେ ଲାଗିଥିଲେ। ଏକ ଅକାରଣ ଅସନ୍ତୁଷ୍ଟର ଭିତର ନିଆଁରେ ରମଣଙ୍କର ମନ କୁହୁଁଳୁ ଥିଲା। କିନ୍ତୁ ଋତୁପର୍ଣ୍ଣା ଓ କ୍ଷେତ୍ର ମୋହନ ଉଭୟେ ସନ୍ତୁଷ୍ଟ ଥିଲେ। ବର୍ତ୍ତମାନକୁ ଗ୍ରହଣ କରିବାର କଳା ଓ କୌଶଳ ଯେ ଉଭୟେ ହୃଦୟଙ୍ଗମ କରିସାରିଥିଲେ।
୨ୟ ତୋଟା ସାହି, ବିଜିପୁର, ବ୍ରହ୍ମପୁର, ଓଡିଶା (ମୋ-୮୭୬୩୨୪୪୮୮୮)
Go Back to Previous Page
ଲଟେରୀ
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆଣୀଙ୍କ ଧର୍ମ
ପଙ୍କଜ କୁମାର ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ