ଶୈଶବର ଏକୁଟିଆ ଦିନମାନ
ହାଏନା ମାନେ ଏକୁଟିଆ ସିଂହୀକୁ ଦେଖି ତା ଆଡକୁ ମାଡି ଆସିଲେ। ସିଂହୀ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରୁଥାଏ। ହାଏନା ମାନେ ହଠାତ୍ ପାଖକୁ ନଆସି ସିଂହୀକୁ ବିରକ୍ତ କରିବାକୁ ଚେଷ୍ଟା କରୁଥାନ୍ତି। ସେମାନେ ଖାଉଥିବା ସିଂହୀର ଚାରିପଟେ ଘୂରି ବୁଲିଲେ। ସିଂହୀ ବେଳେବେଳେ ହାଏନାମାନଙ୍କ ଆଡକୁ ଦୌଡିଯାଉ ଥାଏ । ହେଟା ବାଘମାନେ କିଛି ସମୟ ପାଇଁ ଦୂରକୁ ଚାଲିଯାଉଥାନ୍ତି। ପୁଣି ପାଖକୁ ମାଡି ଆସୁଥାନ୍ତି । ସେମାନେ ଜାଣନ୍ତି କିଛି ସମୟ ପରେ ଏମିତି କରି କରି ସିଂହୀ ଥକି ଯିବ । ସିଂହୀକୁ ସେମାନେ ଡରାଇ ଚାଲିଥାନ୍ତି। କିନ୍ତୁ ସିଂହୀ ଜଲ୍ଦି ଜଲ୍ଦି ଖାଇ ଚାଲିଥାଏ । ଯେତିକି ସମ୍ଭବ ହେଲା ସିଂହୀ ଖାଇନେଲା। ହାଏନା ମାନେ ପାଖକୁ ମାଡିଆସୁଥାନ୍ତି । ସେ ଦେଖିଲା ଏତେଗୁଡାଏ ହାଏନା ମାନଙ୍କ ସାଙ୍ଗରେ ଲଢାଇ କରିପାରିବ ନାହିଁ । ତେଣୁ ଗୋଟିଏ କୁଦା ମାରି ସେଠାରୁ ଚାଲିଗଲା ଆଉ ହାଏନା ମାନେ ଆସି ସେ ଚିତଲ ହରିଣକୁ ଖାଇବାକୁ ଆରମ୍ଭ କଲେ ।
ସେ ନିଜ ଛୁଆ ମାନଙ୍କ ପାଖକୁ ଫେରିଗଲା । ଏଠି ଅନେକ ପାଖରେ ହାଏନା ମାନେ ଅଛନ୍ତି । ସେମାନେ ଛୁଆମାନଙ୍କୁ ମାରି ଦେଇ ପାରନ୍ତି । ସିଂହୀ ବର୍ତମାନ ଖୁବ ସାବଧାନ ହୋଇ ଯାଇଥିଲା । ସେ ଛୁଆ ମାନଙ୍କର ରହିବା ସ୍ଥାନ ବଦଳାଇଲା । ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇନେଲା । କିଛି ଦିନ ତଳେ ତାର ଆଉ ଦୁଇଟି ଛୁଆର ମୃତ୍ୟୁରୁ ସେ ବିରାଟ ଶିକ୍ଷା ପାଇଥିଲା । ଛୁଆ ମାନଙ୍କୁ ଏକଦମ ନିରାପଦ ସ୍ଥାନରେ ରଖୁଥିଲା । ଏମିତି କିଛି ଦିନ କଟିଗଲା । ଏମିତି ଜୀବନ ମରଣ ସହ ଲୁଚକାଳି ଚାଲୁଥିଲା । ଏ ଭିତରେ ଛୁଆମାନେ ଟିକେ ବଡ ହୋଇ ଆସିଲେ ।
ସମୟ ବିତି ଯାଉଥାଏ । ଶିଶୁ ମାନଙ୍କର ଜୀବନରେ ବହୁତ କିଛି ଖୁବ ଶୀଘ୍ର ଘଟିଯାଏ । ସେମିତି ଏହି ସିଂହ ଦୁଇ ଛୁଆଙ୍କର ଜୀବନରେ କିଛି ନା କିଛି ଘଟୁଥାଏ । ସବୁ ମା’ର ଛୁଆ ଭଳି ଦୁଇ ଭାଇ ମା’ର ଆଖି ଆଗରେ ରହିଥାନ୍ତି । ସିଂହୀ ହେଉ ନା ଯିଏ କେହି ମା ହେଉ ସବୁ ବେଳେ ନିଜର ସନ୍ତାନକୁ ରକ୍ଷାକରେ ।
ଦୁଇ ଭାଇ ମରି ଯିବାର ଅନେକ ଦିନ ଘଟି ଗଲାଣି । ମା ସେମିତି ସବୁବେଳେ ସେମାନଙ୍କୁ ଲୁଚେଇ ରଖିଥିଲା । ଅନ୍ୟମାନଙ୍କ ନଜରର ଦୂରରେ ସେମାନେ ଟିକିଏ ବଡ ହୋଇ ଆସିଲେ । ଏ ଭିତରେ ସେମାନେ ମଝିରେ ମଝିରେ ଟିକିଏ ଅଧିକ ସମୟ ବାହାରେ କଟାଉ ଥିଲେ । ମା ଦ୍ୱାର ମୁହଁରେ ଶୋଉ ଯାଉଥିଲା । ଛୁଆ ଦୁହେଁ ମା କେଇ ଖୋଜ ଦୂରକୁ ଚାଲି ଯାଉ ଥିଲେ । ଆଖିରୁ ଟିକିଏ ଦୂର ହେଲା ମାତ୍ରେ ମା ସେମାନଙ୍କୁ ହାଲକା ଡାକ ଦେଉଥିଲା ଆଉ ଛୁଆ ଦୁହେଁ ଦୈାଡି ଆସୁଥିଲେ । ସେମାନେ ମା ନଜର ଆଗରେ ଖେଳୁ ଥିଲେ ।
ଏ ସବୁ ଭିତରେ ବେଳେ ବେଳେ କିଛି ଖେଳ ମା’ର ଆଖିର ଆଗରେ ଘଟୁ ନଥିଲା । ଛୁଆମାନେ ଏମିତି ଆଉ ଲୁଚି ରହିବାକୁ ଚାହୁଁ ନଥିଲେ । ବେଳେବେଳେ ମନକୁ ମନ ବାହାରକୁ ଆସି ଯାଉଥିଲେ । ଏବେବି ସେମାନେ ବଡ ହୋଇ ନାହାନ୍ତି । ଅନ୍ୟ ଶିକାରୀ ପଶୁ ଏବେବି ସହଜରେ ସେମାନଙ୍କୁ ମାରି ଦେଇ ପାରନ୍ତି । କିନ୍ତୁ ସେମାନଙ୍କ ଖେଳୁଆଡ ପ୍ରବୃତି ସେମାନଙ୍କୁ ବହୁତ ସମୟରେ ବିପଦରତେ ପକାଇ ଦେଉଥିଲା । କିନ୍ତୁ ବିପଦରୁ ଶିକ୍ଷା କରିବା ତ ହେଉଛି ପ୍ରକୃତିର ନିୟମ । ଏମିତ ଏକ ଘଟଣା ଘଟିଗଲା ।
ସିଂହୀ ଛୁଆଙ୍କୁ ଛାଡି ଖାଇବା ସଂନ୍ଧାନରେ ଥିଲା । ବୁଲୁ ବୁଲୁ ଦଳେ ଚିତଲ ହରିଣକୁ ଦେଖିଲା । ସେହି ଦଳରୁ ଗୋଟିଏ ହରିଣକୁ ଶିକାର କରିବାକୁ ଚେଷ୍ଟା କଲା । ଶିକାର କରିବାରେ ଅନେକ ସମୟ ଲାଗିଗଲା । ଶିକାର କରି ପେଟ ଭରି ଖାଇ ନେଲା । ତାପରେ ନିଜର ଛୁଆଙ୍କ ପାଖକୁ ଫେରି ଆସୁଥିଲା । ମା’ର ଯିବା ଆଉ ଆସିବା ଭିତରେ ପ୍ରାୟେ ପାଂଚ ଘଂଟା ବିତିଗଲାଣି । ଛୁଆମାନେ ଏତେ ଲମ୍ବା ସମୟ ଆଉ ଛପି ରହି ପାରିଲେ ନାହିଁ । ତେଣୁ ମାର ଅନୁପସ୍ଥିତିରେ ବାହାରକୁ ବାହାରି ଆସିଲେ । ବୁଦାତଳେ ଲୁଚି ଗଡା ଗଡି ହେଉଥାନ୍ତି । ମଣିଷ ଛୁଆ ମିଛି ମିଛିକା କୁସ୍ତି କଲା ପରି ସେମାନେ ଗଡା ଗଡି ଆଉ ହାଲକା କାମୁଡା କାମୁଡି ହେଉଥାନ୍ତି । ଶରୀରରେ ନୂତନ ସ୍ଫୂର୍ତ୍ତୀ ଥାଏ । ଏମିତି ଗଡିଆ ଗଡି ହୋଇ ଛୁଆମାନେ ବାହାରକୁ ଚାଲି ଆସିଲେ । ବାହାରେ ଛୁଆମାନେ ସବୁବେଳେ ବିପଦ ମଧ୍ୟରେ ଥାନ୍ତି । ସବୁବେଳେ କେହି ନା କେହି ଶିକାରୀ ଜଙ୍ଗଲକୁ ତନ୍ନ ତନ୍ନ କରି ଦେଖୁଥାଏ । ବାଘ, ସିଂହ ତ ବଡ ଶିକାରୀ । ବାଜ ବା ଛଂଚାଣ ପକ୍ଷୀ କିଛି କମ ଶିକାରୀ ନୁହଁନ୍ତି । ଆକାଶରୁ କିଛି ଜାଣିବା ଆଗରୁ ଉଡି ଆସି ଛୋଟ ପଶୁଙ୍କୁ ଉଠାଇ ନିଅନ୍ତି । ତେଣୁ ଆକାଶରୁ ବିପଦ ଲାଗି ରହିଥାଏ । ଏହି ଛୋଟ ଶିଶୁ ସିଂହଙ୍କୁ ହୁଏତ ଛ‚ାଣ ପକ୍ଷୀ ଆସି ଉଠାଇ ନେଇପାରେ । ଅନ୍ୟ ଶିକାରୀ ଜନ୍ତୁମାନେ ଆସି ସିଂହ ଛୁଆକୁ ମାରିଦେଇ ପାରିନ୍ତି । ସେମାନେ କିନ୍ତୁ କିଛି ଜାଣି ପାରିଲେ ନାହିଁ ଆଉ ବାହାରକୁ ଚାଲି ଆସିଲେ । ଭାଗ୍ୟକୁ କେଉଁ ଶିକାରୀ ସେମାନଙ୍କୁ ଲକ୍ଷ୍ୟ କରୁ ନଥିଲା । କିନ୍ତୁ ଏମିତିଆ ସମ୍ଭାବନା ବହୁତ କମ ।
ସେହି ବୁଦା ଏକ ନାଳର କୂଳରେ ଥିଲା । ଏମାନେ ଖେଳୁ ଖେଳୁ ନାଳର ଏକଦମ କୂଳକୁ ଚାଲି ଆସିଲେ । ଗୀର ଜଙ୍ଗଲରେ ଝରଣାରେ ସାଧାରଣତଃ ବହୁତ କମ ପାଣି ରହେ । ଏସବୁ ଝରଣା ଖୁବ କମ ଦିନ ପାଇଁ ଉଛୁଳା ରହେ । ବାହରେ ବର୍ଷା ହେଲେ ଏ ଝରଣା ମାନଙ୍କର ହଠାତ୍ ପାଣି ଆସିଯାଏ । ଏମିତି ଦିନେ ଖୁବ ଜୋରରେ ବର୍ଷା ହେଲା । ଏ ଦୁଇ ଭାଇ ବର୍ଷା ପରେ ଖେଳୁଥିଲେ । ନାଳରେ ବହୁତ ପାଣି ଥିଲା । ସେମାନେ ବୋହିଯାଉଥିବା ପାଣିକୁ ଅନାଇ ରହିଲେ । ପାଣିରେ ଫେଣ ସବୁ ବୋହି ଯାଉଥିଲା । ବାହାରେ ଜଳୀୟ ବାଷ୍ପ ଭରି ରହିଥିଲା । ସେମାନଙ୍କ ଖେଳିବା ପାଇଁ ଇଛା ହେଲା । ସେମାନେ ଟିକିଏ ଦୈାଡା ଦୈାଡି ହେଲେ । ଅଳ୍ପ ଟିକିଏ ଖୋଲା ଯାଗା ଥିଲା । ତାପରେ ମଝିରେ ନାଳ ବୋହୁଥିଲା । ସେହି ନାଳ ଉପରକୁ ଗଛ ସବୁ ମାଡି ଆସିଥିଲା । ପାଣିରେ ଅନେକ ଶୁଖିଲା ଡାଳ ଭାସି ଆସି ଗୋଟାଏ ଯାଗାରେ ଲାଗିଥିଲା । ସେଠି ଟିକେ କମ ପାଣି ତେଣୁ ଡାଳ ଗୁଡିକ ମାଟିରେ ଲାଗି ଯାଇଥିଲା ।
ଏ ଭିତରେ ଗୋଟିଏ ଛୁଆ ନାଳ ଧାରକୁ ଚାଲିଗଲା ଆଉ ଆର ଛୁଆ ଖେଳୁ ଖେଳୁ ତାକୁ ଭୂଲରେ ଠେଲି ଦେଲା । ତା ଗୋଡ ଖସି ଗଲା । ସେ ନିଜର ଚାରି ଗୋଡରେ ମାଟିକୁ ଧରି ରଖିବାକୁ ଚେଷ୍ଟା କଲା । କିନ୍ତୁ ଖସି ଗଲା । ତଳେ ଖରସ୍ରୋତା ନାଳ, ପାଣି ଜୋରରେ ବୋହୁଛି । ଏମିତିଆ ଅଦିନିଆ ନାଳରେ ବହୁତ ଛୋଟ ପଶୁ ପାଣିରେ ବୁଡି ପ୍ରାଣ ହରାନ୍ତି । ଛୁଆଟି ପାଣିରେ ନ ପଡି ଭାଗ୍ୟବଶତଃ ଗୋଟିଏ ଶୁଖିଲା ଡାଳ ଉପରେ ଖସି ପଡ଼ିଲା ଆଉ ତାକୁ ଜାବୁଡି ଧରିଲା । ଡାଳଟି ପାଣିରେ ହଲ ହଲ ହେଉଥାଏ । ଛୁଆର ଓଜନରେ ଡାଳଟି ପ୍ରାୟ ପାଣିକୁ ଛୁଉଁଥିଲା । ତାର ଆଉ ସାହାସ ନଥିଲା । ସେ ଗୋଡରେ ଡାଳକୁ ଜୋରରେ ଜାବୁଡି ଧରିଥିଲା । ଅନ୍ୟ ଛୁଆ ଏମିତି ଅବସ୍ଥା ଦେଖି ଆଉ ଆଗକୁ ଗଲାନାହିଁ । ତଳେ ଛୁଆଟି କୁଁ କୁଁ ହେଉଥାଏ ।
ଏ ଛୁଆଟି ଧିରେ ଧିରେ ଡାକି ଚାଲିଥାଏ । ପ୍ରାୟେ ଦୁଇ ଘଂଟା ବିତିଗଲା । ଆଉ ଛୁଆଟି ଜାବୁଡି ଧରି ପାରୁନଥାଏ । ଆଉ ଅଳ୍ପ ସମୟ ପରେ ଛୁଆଟି ତଳେ ଖସି ପଡିବ । ଏଣେ ମା’ ଶିକାର କରି ପ୍ରାୟେ ଛଅ ଘଂଟା ପରେ ଫେରିଲା ଆଉ ଧିର ସ୍ୱରରେ ଛୁଆମାନଙ୍କୁ ଡାକିଲା । ଗୋଟିଏ ଛୁଆ ଆସିଲା କିନ୍ତୁ ଅନ୍ୟ ଛୁଆ ଆସିଲାନାହିଁ । ସେ ଛୁଆଟି ତଳୁ ଧିର ସ୍ୱରରେ ଡାକୁଥାଏ । ମା ବୁଝିପାରିଲା ଘଟଣା କ’ଣ ? ବର୍ଷା ସମୟ, ନଦୀରେ ଅନେକ ପାଣି, ନାଳରେ ଅନେକ ପାଣି । ସିଂହମାନେ ସାଧାରଣତଃ ପହଁରନ୍ତି ନାହିଁ । ଯେତେବେଳେ ଶିକାର କରିବା ଅତି ଆବଶ୍ୟକ ହୋଇପଡେ କେବଳ ସେହି ସମୟରେ ପାଣିରେ ପଶନ୍ତି । ନାଳରେ ଖୁବ୍ ଜୋର୍ରେ ପାଣି ପ୍ରବାହିତ ହେଉଥାଏ । ସିଂହୀ ଏପଟ ସେପଟ ଅନାଇଲା । ବେଶି କିଛି ନଭାବି ପାଣି ଭିତରକୁ ଡେଇଁପଡିଲା ଆଉ ପହଁରି ପହଁରି ସେହି ଡାଳ ପାଖକୁ ଆସିଲା । ଛୁଆ ମାକୁ ଦେଖିକରି ମା’ର ପିଠିକୁ ଡେଇଁପଡିଲା ଆଉ ମା ଛୁଆ ଦୁହେଁ ବିପଦରୁ ବାହାରି କୂଳକୁ ଆସିଗଲେ ।
କୂଳରେ ପହଂଚି ମା ମାଟି ଉପରକୁ ଆସିଲା । ଛୁଆଟି ତଳକୁ ଖସି ପଡିଲା । ତା ଦେହ ଡରରେ ଜଡ ହୋଇ ଯାଇଥାଏ । ସେ ଗୋଟା ପଣେ ଥରୁଥାଏ । ଏତେ ସମୟ ପରେ ମାଟି ଉପରକୁ ଆସି ତାଦେହରେ ଜୀବନ ଆସିଲା ପରି ଲାଗୁଥାଏ । ସେ କିନ୍ତୁ ଗୋଡ ହଲାଇ ପାରୁ ନଥାଏ । ମା ଦେହକୁ ଜୋରରେ ଥରାଇ ଦେଲା । ତାର ରୁମ ସବୁ ଓଦା ହୋଇ ଯାଇଥିଲା । ଏମିତି ହଲିବାରୁ ପାଣି ଖସି ପଡିଲା । ସେ ଛୁଆକୁ ଚାହିଁଲା । ଛୁଆଟି ହଲି ପାରୁ ନଥାଏ । ମା ତାକୁ ମୁହଁରେ ଠେଲି ତଳେ ପକାଇ ଦେଲା ଆଉ ବହୁତ ଚାଟିଲା । ଅନ ଛୁଆଟି ପାଖରେ ଠିଆ ହୋଇ ବୋକା ଭଳି ଅନାଉ ଥାଏ । ମାର ଗରମ ଜିଭ ଚଟାରେ ଛୁଆ ଦେହରୁ ପାଣି ଶୁଖିଗଲା ଆଉ ରକ୍ତ ସଂଚାଳନ ହେଲା । ସେ ମା କୋଳରୁ ଦୁଧ ଚୋଷିବାକୁ ଲାଗିଲା । ମାର କୋଳରେ ତା ଦେହରେ ନୂତନ ଜୀବନ ଆସିଲା । ଦୁଇ ଛୁଆ ନିଜ ଭିତରେ ଠେଲା ଠେଲି ହେଲେ । ତାପରେ ଆଖି ବନ୍ଦ କରି ଶାନ୍ତିରେ ମା ପହ୍ନାରୁ ଦୁଧ ଚୋଷିବାକୁ ଲାଗିଲେ ।
ଏମିତି ଜୀବନର ଏକ ବଡ ବିପଦ ଟଳିଗଲା ।
ଅନେକ ସମୟ ଛୁଆ ଦୁହେଁ ଦୁଧ ପିଇବାରେ ଲଗାଇ ଦେଲେ । ମା ପାଖରେ ସେମାନଙ୍କୁ ନିଦ ଲାଗୁଥିଲା । ମାକୁ ଲାଗି ଦୁହେଁ ନିଦରେ ଶୋଇ ପଡିଲେ ।
ସିଂହୀ ଚାରିଗୋଡ ଉଠାଇ ଶୋଇ ରହିଲା ।
କ୍ରମଶଃ
Go Back to Previous Page
ଚମ୍ପାନାନୀର ଝିଅ
ଭାଗିରଥୀ ଯାନି
Read Article
ଲଟେରୀ
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ