ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡ଼ିକୁ ସଫା କରିବ ଦାଣ୍ଡଦୁଆରେ ଥୋଇ ଥୋଇ ଗାଡ଼ି ଉପରେ ମଇଳା ପରସ୍ତେ ପଡ଼ିଯାଇଛି ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡ଼ି ଧୋଇବାରେ ଲାଗିଗଲା ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା, “ଆଜ୍ଞା ଟଙ୍କା କୋଡ଼ିଏଟା ଯଦି ଦେବେ, ମୁଁ ଧୋଇଦେବି” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡ଼ିଏ ଟଙ୍କାର କଥା ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା, “ତମର ଘର କୋଉଠି?”
“ଆଜ୍ଞା, ଏଇ ଆମ୍ବପୁଆ ତଳ ସାହି ଜଗନ୍ନାଥ ମନ୍ଦିର ସାଇଡ଼ରେ ଯୋଉ ରାସ୍ତାଟା ଯାଇଛି, ସେଇ ରାସ୍ତାରେ ଆଗକୁ ଗଲେ ଧାନଖଳାକୁ ଲାଗି ଆମ ଘର” ପ୍ରଶାନ୍ତ ହାତରୁ ବାଲତି ନେଇ ପାଣି ପାଇପ୍ ଆଡ଼କୁ ଆଗେଇ ଯାଉ ଯାଉ କହିଲା
ବାହାରକୁ ଦେଖିଲା ପ୍ରଶାନ୍ତ ସାଇକେଲ୍ ପଛରେ କୋଦାଳଟିଏ ଲାଗିଛି ଆଉ ଆଗରେ ଝୁଡ଼ିଟିଏ ପାଣି ବୋତଲଟେ ବି ଲାଗିଛି ବୋଧହୁଏ ଅନେକ ବର୍ଷ ହେଲା ସେ ବୋତଲକୁ ସଫା କରାଯାଇନି କିମ୍ବା ସେ କୋଉଠୁ ଗୋଟେଇ ଆଣିଛି ନିଜ କାରର କବାଟ ଖୋଲି ଖାଲି ପାଣି ବୋତଲଟିଏ ବାହାର କରି ଲୋକଟା ଆଡ଼କୁ ବଢ଼େଇ ଦେଉ ଦେଉ କହିଲା, “ଏଇଟା ନିଅ ପାଖରେ ରଖ କଣ ଗୋଟେ ମଇଳା ବୋତଲ ଧରିଛ ସାଙ୍ଗରେ କେତେ ରୋଗ ହେବ ଜାଣିଛ?” ଲୋକଟା ନୂଆ ବୋତଲଟାକୁ ଭଲ କରି ଦେଖିଲା ଆଉ ଟିକେ ଦୂରରେ ଥୋଇଦେଇ ବାଲତିରୁ ପାଣି ଜଗ୍ରେ ନେଇ ଗାଡ଼ି ଉପରକୁ ଛାଟି ଛାଟି କରି ମାରିଲା
ଲୋକଟାକୁ ଗାଡ଼ି ଧୋଇ ଆସେ ବୋଲି ପ୍ରଶାନ୍ତ ଜାଣିପାରିଲା ନିଶ୍ଚିନ୍ତ ହୋଇ ଗାଡ଼ିଠାରୁ ଦୂରକୁ ଯାଉ ଯାଉ ପଛରୁ ସେ ଲୋକଟା ସାମ୍ପୁଟିକେ ଦେବାପାଇଁ କହିଲା ପ୍ରଶାନ୍ତ ବାଲତି ପାଣିରେ ଗାଡ଼ିଧୂଆ ସାମ୍ପୁ ଦୁଇଠିପି ପକାଇଦେଇ କହିଲା, “ଏଥିରେ ଧୁଅ ଭଲ ସଫା ହବ” ଲୋକଟା ନିର୍ଦ୍ଦେଶ ଶୁଣି ଗାଡ଼ି ଧୋଇବାରେ ଲାଗିଗଲା ବାଲତି ପାଣିକୁ ଭଲକରି ଫେଣ୍ଟି ଫେଣ କରିଦେଇ କନା ବୁଡ଼ାଇ ଗାଡ଼ିରେ ମାରିଲା ପ୍ରଶାନ୍ତ, ଚେୟାର ଉପରେ ବସି ଦେଖୁଥିଲା ଆଶ୍ବସ୍ତ ଲାଗୁଥିଲା ଯେ ରବିବାର ସକାଳଟା ପରିଶ୍ରମରେ ବିତିଲା ନାହିଁ ବାହାରେ ଥୁଆ ହୋଇଥିବା ସାଇକେଲ୍ ପାଖଦେଇ ଯାଉଥିବା ବେଳେ ଗୋଟିଏ ବୁଲା ଗାଇ ଧକ୍କାରେ ପଡ଼ିଗଲା ଲୋକଟା ଗାଡ଼ି ଧୋଇବା ବନ୍ଦ କରି ଧାଇଁଗଲା ଗାଇକୁ ଓଡ଼େଇ ଦେଇ ସାଇକେଲକୁ ସାଷ୍ଟାଙ୍ଗ କଲା ପୁଣି ସେ ଗାଡ଼ି ପାଖକୁ ଫେରି ଆସିଲା ବେଳେ ପ୍ରଶାନ୍ତ କହିଲା, “ସାଇକେଲରେ କୋଦାଳ, ଝୁଡ଼ି ଧରି ବାହାରିଥିଲ କୁଆଡ଼େ?”
“ଏମିତି କୋଉଠି କାମଧନ୍ଦା ମିଳିଲେ କରିବି ବୋଲି ବାହାରିଥିଲି ବାବୁ”
“ଆଜି ରବିବାରଟାରେ କି କାମ ଘରେ ପିଲାଝିଲାଙ୍କ ସହିତ ରହୁନ ସବୁଦିନ ତ କାମ କରୁଥିବ?” ପ୍ରଶାନ୍ତ କହିଲା
ଲୋକଟା ଗାଡ଼ି ଧୋଉ ଧୋଉ କହିଲା, “ଘରେ ବସିଲେ ପରିବାର ଚଳିବ କି ଆଜ୍ଞା?”
ପ୍ରଶାନ୍ତ କହୁ କହୁ କହିଦେଲା, “ଆଉ କୋଡ଼ିଏ ଟଙ୍କାରେ କଣ ପରିବାର ଚଳିବ?” ମନେ ମନେ ନିଜକୁ ନିନ୍ଦା କରୁଥିଲା ସେ କାହିଁକି ଏମିତି କହିଲା ଏକପ୍ରକାର କଟାକ୍ଷ ହୋଇଗଲା ଭାବିଲା ଲୋକଟା କାଳେ ଖରାପ ଭାବିବ କିନ୍ତୁ ଲୋକଟା ନିର୍ବିକାର ଗାଡ଼ି ଧୁଆରେ ଲାଗିଥିଲା ପ୍ରଶାନ୍ତ ଭାବିଲା ବୋଧହୁଏ ସେ କଥା ଶୁଣିପାରିଲା ନାହିଁ ତଥାପି ନିରେଖି ଦେଖିଲା ବେଳକୁ ଲୋକର ଆଖିରେ ଲୁହ ଦେଖି ସେ ନିଜକୁ ଦୋଷୀପରି ମନେ କଲା ଛି, ଜିଭକୁ ଟିକେ ଆକଟ କରିପାରିଲାନି ସେ? ଏମିତି କଣ କାହାକୁ କୁହାଯାଏ? ମନକୁ ଭାରି ବୋଝ ବୋଝ ଲାଗିଲା ତଥାପି ଧୈର୍ଯ୍ୟଧରି ପଚାରିଲା, “ଗାଡ଼ି ଧୋଇଦେଇ ପୁଣି କାମରେ ଯିବ?” ଲୋକଟା ମୁଣ୍ଡ ହଲାଇ ନାଇଁ ବୋଲି କହିଲା ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇଗଲା କୋଡ଼ିଏ ଟଙ୍କାରେ କଣ ସତରେ ପରିବାର ଚଳେ? ତା ହେଲେ ଯଦି ସେ କୋଡ଼ିଏ ଟଙ୍କା ପାଇଁ ଘରୁ ବାହାରିଥିଲା ତ ସାଥିରେ ଏଇ କୋଦାଳ କାହିଁ ଧରିଛି? ପ୍ରଶାନ୍ତ ଏ ସବୁ କଥା ଚିନ୍ତା କରିବାକୁ ଚାହୁଁନଥିଲା କିନ୍ତୁ ତା ମନ ସନ୍ତୁଳି ହେଉଥିଲା ପଚାରିଲା, “ତମେ କୋଡ଼ିଏ ଟଙ୍କା ପାଇଁ ଘରୁ ବାହାରିଥିଲ?” ଲୋକଟା ମୁଣ୍ଡ ହଲାଇ ହଁ ବୋଲି ଜଣାଇଦେଲା ପ୍ରଶାନ୍ତର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ କଣ ସତରେ ଜଣେ ଲୋକ ମାତ୍ର କୋଡ଼ିଏ ଟଙ୍କାପାଇଁ କୋଡ଼ିକୋଦାଳ ଧରି କାମ କରିବାକୁ ବାହାରେ?
ଲୋକଟା ଗାଡ଼ିରେ ସାମ୍ପୁ ଲଗାଇ ସାରିଥିଲା ବାଲତିରେ ପାଣି ଆଣିବାକୁ ଯାଉଥିଲା ପ୍ରଶାନ୍ତ ତାକୁ ଅଟକାଇ ଦେଇ ପଚାରିଲା, “କୋଡ଼ିଏ ଟଙ୍କାରେ କଣ କରିବ? ଏଥିରେ ତ ଚାଉଳ କିଲେ ବି ଆସିବନି? ଆଲୁ କିଲେ ଦଶ ଆଉ ପିଆଜ ଚାଳିଶି ହେଲାଣି ତମେ କଣ ପାଇବ?” ଲୋକଟା ନିରବରେ କହିଲା, “ଆଜ୍ଞା, ସାହୁ ଦୋକାନରୁ ପୁରିଉପମା କିଣିବି ଆଜି ମୋ ସାନ ଝିଅକୁ ପାଞ୍ଚବର୍ଷ ହେଲା କେତେଦିନ ହେଲାଣି ସେ କହୁଥିଲା ପୁରି ଉପମା ଖାଇବା ବୋଲି ସବୁଦିନ କାମଧନ୍ଦାରେ ଲାଗି ସମୟ ପାଉନଥିଲି ଆଜି ତା ବୋଉ କହିଲା ଯାଅ ଝିଅପାଇଁ ପୁରି ଉପମା ଆଣିଦିଅ ସିଏ ତିରିଲା ଲୋକ କଣ ଜାଣିବ ଯେ ମୋ ପାଖରେ ଟଙ୍କା ଦଶଟା ବି ନାଇଁ ସେଇଥିପାଇଁ ବାହାରିଥିଲି ଯାହା ବି ପାଇଲେ ଝିଅଟା ପାଇଁ ପୁରି ଦି’ଟା ଆଉ ଉପମା ଟିକେ ନେଇଯିବି ”
ପ୍ରଶାନ୍ତ ଆଁ କରି ଚାହିଁଥିଲା ସତରେ କେତେ କଷ୍ଟ ନ ଲାଗୁଥିବା ସେ ବାପାକୁ? ନିଜ ଝିଅପାଇଁ କୋଡ଼ିଏ ଟଙ୍କାର ଜଳଖିଆ କିଣି ପାରୁନି ଲୋକଟା ଗାଡ଼ି ଧୁଆରେ ଧ୍ୟାନ ଦେଇଥିଲା ବେଳେ ସେ ଘର ଭିତରେ ପଶିଗଲା ପ୍ରଶାନ୍ତକୁ ଦେଖି ପତ୍ନୀ ସୁରେଖା ପଚାରିଲା, “କିଏ ସେ ଗାଡ଼ି ଧୋଉଛି?” ପ୍ରଶାନ୍ତ ସେ ପ୍ରଶ୍ନକୁ ନ ଶୁଣିବାପରି କହିଲା, “ଆମ ରୀନାର ପିଲାଦିନର ପୋଷାକ ସବୁ ତାକୁ ହଉନି ପରା ଦେଖିଲ ଭଲ ହଳେ ପୋଷାକ ଅଛି ଯଦି” ସୁରେଖା, ଆଲମାରୀ ଖୋଲିଦେଇ ପୁରୁଣା ପୋଷାକ ଖୋଜିବାରେ ଲାଗିଗଲା ପ୍ରଶାନ୍ତ ପ୍ୟାଣ୍ଟ ପକେଟରୁ ଟଙ୍କାପର୍ସଟା ଧରି ବାହାରକୁ ଆସିଲା
ଲୋକଟା ଧ୍ୟାନ ଦେଇ ଗାଡ଼ି ଧୋଇବାରେ ଲାଗିଥିଲା ତାକୁ ଅଟକି ଯିବାକୁ କହି ପାଖକୁ ଡାକିଲା ଲୋକଟା ଚିନ୍ତାରେ ପାଖକୁ ଆସିଲା ବେଳକୁ ପ୍ରଶାନ୍ତ କହିଲା, “ଆଜି ଗାଡ଼ି ଧୋଇବା ଦରକାର ନାହିଁ କାଲି ଆସି ଧୋଇଦେବ ଏଇ ନିଅ ଟଙ୍କା ଯାଅ, ତମ ଝିଅପାଇଁ ପୁରି ଉପମା ନେଇଯିବ”
ଲୋକଟାର ଆଖିରେ ଲୁହ ଭରି ଆସିଥିଲା ସେ କଣ କହିବ ବୁଝି ପାରୁନଥିଲା ପ୍ରଶାନ୍ତ ତା ହାତକୁ ପଚାଶ ଟଙ୍କାଟେ ବଢ଼େଇଦେଇ କହିଲା, “ଶୀଘ୍ର ଯାଅ ତମ ଝିଅ ଅପେକ୍ଷା କରିଥିବ” ଲୋକଟା ଟଙ୍କାକୁ ଦେଖି କହିଲା, “ଆଜ୍ଞା, ମୋ ପାଖରେ ଖୁଚୁରା ନାହିଁ” ପ୍ରଶାନ୍ତ କହିଲା, “ନା, ଦରକାର ନାହିଁ ସବୁ ତମେ ରଖ”
ଲୋକଟା ଅମଙ୍ଗ ହୋଇ କହୁଥିଲା, “କିନ୍ତୁ ଆଜ୍ଞା...”
ପ୍ରଶାନ୍ତ କହିଲା, “ଆଜି ତମେ ଘରକୁ ଯାଅ କାଲି ଆସିଲେ ଗାଡ଼ି ଧୋଇଦେବ”
ଏଇ ସମୟରେ ସୁରେଖା ପୋଷାକହଳେ ଧରି ଆସିଲା ସୁରେଖା ହାତରୁ ପୋଷାକ ନେଇ ସେ ଲୋକଟାକୁ ବଢ଼େଇଦେଇ କହିଲା, “ଏଇଟାକୁ ନେଇ ଯାଅ ଝିଅକୁ ପିନ୍ଧେଇଦେବ”
ଲୋକଟା ଥତମତ ହେଇ ସେଠାରୁ ଚାଲିଗଲାପରେ, ସୁରେଖାର ପ୍ରଶ୍ନବାଚୀ ମୁହଁକୁ ଚାହିଁ ପ୍ରଶାନ୍ତ ସବୁ କଥା କହିଲା ସୁରେଖା ଚିରାଚରିତ ଢଙ୍ଗରେ କହିଦେଲା, “ତମେ ନା ଯିଏ ଯାହା କହିଲେ ବିଶ୍ବାସ କରି ପକାଉଛ କଣ ଦରକାର ଥିଲା ତାକୁ ଏତେ ଟଙ୍କା ଦେବାର? ସେ ତ କୋଡ଼ିଏ ମାଗୁଥିଲା, ଦେଇ ଦେଲନି ଏତେ ବଦାନ୍ୟତା କଣପାଇଁ? ଏମିତି ଦାନଧର୍ମ କଲେ ଦେଖିବ କଣ ହେବ” ସୁରେଖା ନିରବଚ୍ଛିନ୍ନ ଭାବରେ କହି ଯାଉଥିଲା ପ୍ରଶାନ୍ତ ଦେଖୁଥିଲା ସେ ଲୋକଟା ସାଇକେଲ ସଳଖି ସିଧା ଆଗକୁ ମାଡ଼ି ଯାଉଥିଲା “ତା ନାଁ କଣ ପଚାରିଛ?” ସୁରେଖାର ପ୍ରଶ୍ନରେ ପ୍ରଶାନ୍ତ ଚିନ୍ତାମଗ୍ନ ହୋଇଗଲା ଆରେ ନା ତ ସେ ତ ନାଁ ବି ପଚାରିନି ସୁରେଖା ପୁଣିଥରେ ଉପଦେଶାତ୍ମକ ଭାଷଣ ଦେଇ ଦେଇ ଘର ଭିତରକୁ ଚାଲିଗଲା
ପ୍ରଶାନ୍ତ ସେଇ ବାହାରେ ଠିଆ ହୋଇ ଭାବୁଥିଲା, ଯାହା କରିଲି ତାହା କରିବା ଉଚିତ ଥିଲା ନା ନାହିଁ ପଚାଶ ଟଙ୍କାର କଥା ସେମିତିରେ ବି ଲୋକଟା ଗାଡ଼ି ଅଧାଅଧି ଧୋଇ ସାରିଛି ପାଣି ଟିକେ ମାରିଦେଲେ ଚକ୍ଚକ୍ ହେଇଯିବ ବାଲତିରୁ ପାଣି ଦୁଇ ତିନି ଜଗ୍ ଧରି ସେ ଗାଡ଼ି ଆଡ଼କୁ ଛାଟିଲା ଅଳସୁଆ ଲାଗିଲା ନା ଥାଉ, ସେ ଲୋକଟା ତ କହିଛି କାଲି ଆସି ଧୋଇବ
ଘର ଭିତରକୁ ଚାଲିଗଲା ସେ
ସକାଳର ଜଳଖିଆ ଯେତିକି ମିଳିଲା, ତାଠୁ ଢେର୍ ଅଧିକ ଉପଦେଶ ମିଳିଲା “ଅଜଣା ଅଶୁଣା ଲୋକଙ୍କୁ ଦାନଧର୍ମ କର ଏମିତି ଭୋଳା ହେଲେ ଚଳିବନି ଦେଖୁଛ ସାହି ପଛରେ ମଦ ଦୋକାନ ଅଛି ସକାଳୁ ସକାଳୁ ସେଇଠି କେତେ ଲୋକ ପିଇବା ପାଇଁ ଧାଡ଼ିରେ ଲାଗୁଛନ୍ତି ଲୋକଟା କୋଡ଼ିଏ ମାଗୁଥିଲା ଗାଡ଼ିଟା ଧୋଇଦେଇ ଯାଇଥାନ୍ତା ସେ ପିଇଥିଲେ ବି ଦୁଃଖ ଲାଗିନଥାନ୍ତା ପଚାଶ ଟଙ୍କା ଦେଇ ପକେଇଲ ଆହା... ନିଜକୁ ଉତ୍କଳମଣୀ ବୋଲି ଭାବିଦେଲ କି?...” ସୁରେଖା ଥରେ କଥା କହିବା ଆରମ୍ଭ କଲେ ଆଉ ବନ୍ଦ ହେବାର ନାଁ ନିଅନ୍ତି ନାହିଁ ଅଗତ୍ୟା ଟିଭିରେ ନ୍ୟୁଜ୍ ଚ୍ୟାନେଲ୍ ଲଗାଇ ବସିଗଲା ସେ ଦୁର୍ଭାଗ୍ୟକୁ ସକାଳୁ ସକାଳୁ ମଦ୍ୟପାନର କୁପ୍ରଭାବ ବିଷୟରେ କାର୍ଯ୍ୟକ୍ରମଟେ ଲାଗିଗଲା ଓଃ, ସୁରେଖା ତାକୁ ଦେଖି ଦେଇ ପୁଣିଥରେ ମାଇକ୍ ଲଗେଇଦେଇ ଘର କାମରେ ଲାଗିଗଲା ଟିଭିରେ ଗୋଟିଏ ପରେ ଗୋଟିଏ ଚ୍ୟାନେଲ୍ ବଦଳାଇ ଚାଲିଥିଲା ସେ ହେଲେ ମନକୁ କିଛି ଭଲ ଲାଗୁନଥିଲା କିଛି ସମୟ ପରେ ତାକୁ ଉପଲବ୍ଧି ହେବାକୁ ଲାଗିଲା ସତେ ଯେମିତି ସେ ମସ୍ତବଡ଼ ଭୂଲଟିଏ କରିଦେଇଛି ସୁରେଖା ଠିକ୍ କହିଛି ଏତେ ବଦାନ୍ୟତା ଦେଖାଇବା ଉଚିତ ନଥିଲା ଲୋକଟା ନିଜ ପ୍ରାପ୍ୟ କୋଡ଼ିଏ ଟଙ୍କା ନେଇ ଯାଇଥାନ୍ତା ଆଉ ବେଶୀ ହେଲେ ଅଧଘଣ୍ଟାରେ ଗାଡ଼ିଟା ଧୋଇଦେଇ ଚାଲିଯାଇ ଥାଆନ୍ତା ତୁଚ୍ଛାରେ ତାକୁ ଅଧିକ ଟଙ୍କା ଦେଇ ପକାଇଲା ସେ
ସେତେବେଳେ ତାକୁ ମନେ ପଡ଼ିଲା ଲୋକଟା ତା ଘର ଠିକଣା ଦେଇଛି ଯଦି ସେ କାଲି ନ ଆସେ, ପ୍ରଶାନ୍ତ ନିଜେ ଯାଇ ତାକୁ ଖୋଜି ବାହାର କରିବ ଆଉ ଦେଇଥିବା ପଇସା ଅସୁଲ କରିବ ବୋଲି ମନେ ମନେ ସ୍ଥିର କରିଲା ଆଉ ଏଇ କଥାଟା ନିଜ ମନରେ ହିଁ ରଖିଲା କାରଣ ମୁହଁ ଖୋଲିଲେ ପୁଣିଥରେ ବିବିଧଭାରତୀ ଆରମ୍ଭ ହୋଇଯିବାର ସମ୍ଭାବନା ଥିଲା ସେ ବୈଠକର ସୋଫାରେ ବସି ଟିଭି ଦେଖୁ ଦେଖୁ କେତେବେଳେ ଶୋଇଗଲା ଜାଣିପାରିଲା ନାହିଁ କିଛି ସମୟପରେ ସୁରେଖାର ଡାକରେ ତା ନିଦ ଭାଙ୍ଗିଲା ସୁରେଖା ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତକୁ ଚାହିଁଥିଲା ପ୍ରଶାନ୍ତ କିଛି ବୁଝିପାରିଲା ନାହିଁ କାନ୍ଥଘଣ୍ଟାକୁ ଚାହିଁଲା ଦିନ ଏଗାରଟା ହେଲାଣି ଓଃ, ସେ ଯେ ପ୍ରାୟ ଦୁଇଘଣ୍ଟା ଶୋଇଯାଇଛି ସେ ଅଳସୁଆ ଭଳି ପୁଣି ସୁରେଖାକୁ ଚାହିଁଲା ଝିଅ ରୀନା ଘର ଭିତରକୁ ଧାଇଁ ଆସି କହିଲା, “ପାପା, ସେ ଝିଅଟା ମୋ ଡ୍ରେସ୍ ପିନ୍ଧିଛି” ସୁରେଖା ବୁଲିପଡ଼ି ଘର ବାହାର ଆଡ଼କୁ ଚାଲିଗଲା
ପ୍ରଶାନ୍ତ ସୋଫାରୁ ଉଠି ଆଖି ମଳିମଳି ବାହାରକୁ ଗଲାବେଳକୁ ସେଇ ଲୋକଟା ଛିଡ଼ା ହେଇଥିଲା ସାଙ୍ଗରେ ପାଞ୍ଚବର୍ଷର ଝିଅ ତାକୁ ରୀନାର ସେ ପୁରୁଣା ପୋଷାକ ପିନ୍ଧେଇ ଦେଇଛି ପାଖରେ ବୋଧହୁଏ ତା ସ୍ତ୍ରୀ ଛିଡ଼ା ହେଇଥିଲା ସୁରେଖାକୁ ଚାହିଁଲା ପ୍ରଶାନ୍ତ ସୁରେଖା କିଛି ନ କହି ଘର ଭିତରକୁ ଚାଲିଗଲା ପ୍ରଶାନ୍ତ ସେ ଲୋକଟାକୁ ପ୍ରଶ୍ନିଳ ଚାହାଣୀରେ ଚାହୁଁଥିଲା ଲୋକଟା କହିଲା, “ଆଜ୍ଞା, ଗାଡ଼ିଟା ଆଜି ଧୋଇଦେବି ଆପଣଙ୍କ ବଗିଚାରେ ଘାସ ବେଶି ହେଇ ଯାଇଚି, (ନିଜ ସ୍ତ୍ରୀ ଆଡ଼କୁ ଦେଖାଇ) ଇୟେ ଘାସ ବାଛିଦେବ ଆଉ କଣ କାମ ଅଛି ବୋଇଲେ...”
ପ୍ରଶାନ୍ତକୁ ତା ନିଷ୍ପତ୍ତି ଭୂଲ ନାହିଁ ବୋଲି ଉପଲବ୍ଧି ହୋଇଯାଇଥିଲା ଲୋକଟା ବାଲତି ଧରି ଗାଡ଼ି ଧୋଇବାକୁ ଚାଲିଗଲା ତା ସ୍ତ୍ରୀ ବଗିଚାରେ ପଶି ଘାସ ବାଛିବାକୁ ଲାଗିଗଲା ପ୍ରଶାନ୍ତ ସୁରେଖାକୁ ବାହାରକୁ ଡାକି କହୁଥିଲା ସେ ସ୍ତ୍ରୀଲୋକଟାକୁ ଟିକେ ବୁଝେଇଦିଅ ତମ ବଗିଚାରେ କଣ କାମ ଅଛି ସୁରେଖା ପ୍ରଶାନ୍ତକୁ ଚାହିଁ, ସରି... କହିଦେଇ ବଗିଚା ଆଡ଼କୁ ଚାଲିଗଲା ପିଣ୍ଡାରେ ବସିଥିଲା ରୀନା ଆଉ ସେ ଲୋକର ଝିଅଟା ଖୁସିରେ କହୁଥିଲା, “ଆଜି ତମେ କଣ ଖାଇଲ? ଜାଣିଛ, ମୁଁ ଆଜି ପୁରି ଉପମା ଖାଇଲି....” ଝିଅର ମୁହଁଟା ଖୁସିରେ ଉଜ୍ଜ୍ବଳ ଲାଗୁଥିଲା ଲୋକର ହାତରେ ଯାଦୁଥିଲା ପରା, ପ୍ରଶାନ୍ତକୁ ନିଜ ଗାଡ଼ିଟା ନୂଆ ହେଲା ଭଳି ଲାଗୁଥିଲା ଆଉ ବଗିଚା? ବଗିଚାଟା ସଜାଡ଼ି ହେଇଯାଉଥିଲା ଆଉ ପ୍ରଶାନ୍ତକୁ ବହୁତ ଆଶ୍ବସ୍ତ ଲାଗୁଥିଲା
ବୀମା ନଗର, ବ୍ରହ୍ମପୁର, ଓଡ଼ିଶା
ଭ୍ରାମ୍ୟଭାଷ : ୭୦୦୮୫୬୭୦୮୫
Go Back to Previous Page
ଅସମ୍ଭବ ନୁହେଁ
ଜୀତେନ୍ଦ୍ର କୁମାର କହଁର
Read Article
ସମ୍ପାଦକୀୟ, ଫେବୃଆରୀ ୨୦୧୮
ପ୍ରତିଷ୍ଠାତା - ସମ୍ପାଦକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ