ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ | ଦାଣ୍ଡଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି | ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା | ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା “ଆଜ୍ଞା ଟଙ୍କା କୋଡିଏଟା ଯଦି ଦେବେ, ମୁଁ ଧୋଇଦେବି|” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣେଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା,
“ତୁମ ଘର କୌଠି ?”
“ଭାଟି ପଡାରେ ଆଜ୍ଞା”
“ତୁମେ ମୋତେ ଜାଣିଛ ?”
“ହଁ ଆଜ୍ଞା! ଆପଣଙ୍କୁ ମୁଁ ଚିହ୍ନିବିନି? ଟିଟିଲାଗଡରେ ପ୍ରଶାନ୍ତ ଆଜ୍ଞାଙ୍କୁ କିଏ ନଚିହ୍ନେ? ଆପଣ ଆମ ଏଇ ଗରିବ ଲୋକଙ୍କ ପାଇଁ ଯାହାସବୁ କରୁଛନ୍ତି, ଆମେ କଣ ଭୁଲିପାରିବୁ?”
“ଆରେ ନାଁ, ମୁଁ କଣ କରୁଛି .... ସେମିତି କୁହନି”
“ନାଇଁ ଆଜ୍ଞା,ସେଦିନ ଯଦି ଆପଣ ମୋ ଭାଇ ର ପୁଅ କୁ ନେଇ ଡାକ୍ତରଙ୍କୁ ନଦେଖେଇଥାନ୍ତେ ସିଏ ଆଉ ଏ ଦୁନିଆଁ ରେ ନଥାନ୍ତା ”
“କାହା କଥା କହୁଛ ?”
“ଆଜ୍ଞା ରମେଶ .....ମୋ ସାନ ଭାଇ ଲାଲୁ ର ପୁଅ ”
“ଓଃ ..... ରମେଶ .......ସିଏ ତୁମ ପୁତୁରା ?”
“ଆଜ୍ଞା ! ମୁଁ ଲାଲୁ ର ବଡଭାଇ ...‘ବୁଲୁ’ ... ”
ଏତିକି କହି କହି ‘ବୁଲୁ’ ପାଣି ବାଲତିରୁ ପାଣି ନେଇ ଗାଡିକୁ ଧୋଇବା ଆରମ୍ଭ କରି ସାରିଥିଲା ଆଉ ତା ଭିତରେ କଥା ପରେ କଥା କହିଚାଲିଥିଲା ତା’ର କଥା ଶୁଣି ପ୍ରଶାନ୍ତର ସେ ଦିନ କଥା ମନେ ପଡିଯାଉଥିଲା .....
ଏଇ ଗତ ସାଧାରଣତନ୍ତ୍ର ଦିବସ ଦିନ କଥା ପୁରା ସହର ରଙ୍ଗୀନ ହେଇଯାଇଥିଲା ବିଭିନ୍ନ ରକମର ସାଜସଜ୍ଜାରେ ସବୁ ସ୍କୁଲପିଲାମାନେ ନିଜନିଜ ପ୍ୟାରେଡରେ ଭାଗ ନବାକୁ ତଥା ଫ୍ୟାନ୍ସି ଡ୍ରେସରେ ଭାଗ ନେବାକୁ ଭଳିକି ଭଳି ସଜ ହେଇ ଭିଡ ଜମେଇ ଦେଇଥିଲେ ଟାଉନର ଷ୍ଟାଡିୟମରେ ପତାକା ଉତ୍ତୋଳନ ଦାୟିତ୍ବରେ ଅନେକ ଲୋକଙ୍କୁ ନେଇ କାମରେ ଲାଗିପଡିଥିଲା ପ୍ରଶାନ୍ତ ଯା ହେଲେ ବି ସିଏ ହେଲା ଏମ ଏଲ ଏ ଙ୍କ ପ୍ରତିନିଧି ସବୁ କାମ ଠିକ ଠିକ ନହେଲେ ଏମ ଏଲ ଏ ଙ୍କ ଠୁ ଗାଳି ଶୁଣିବା ସାର ହେବ ସେଦିନ କଲେଜର ଏନ ସି ସି ପିଲାଏ ଗୋଟେ ଖୁବ ସୁନ୍ଦର ଦୁଃଶାହାସିକ କ୍ରିଡା କୌଶଳ ଦେଖାଇବାକୁ ଆସିଥିଲେ ପ୍ରତି ବିଭାଗର ମୁଖ୍ୟମାନେ ମଧ୍ୟ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇ ଆସିଥିଲେ କଲେଜ ପିଲାଙ୍କ ଦ୍ବାରା ମୁମ୍ବାଇର ତାଜ ଆକ୍ରମଣକୁ ଖୁବ ସୁନ୍ଦର ଭାବରେ ଏକ ଦୁଃସାହାସିକ କ୍ରୀଡା କୌଶଳ ମାଧ୍ୟମରେ ଦର୍ଶାଉଥାନ୍ତି କିନ୍ତୁ ସେଦିନର ସେଇ ଖେଳରେ ଏମିତି ଏକ ଦୁର୍ଘଟଣା ଘଟିଯିବ ବୋଲି କେହି ଭାବିନଥିଲେ ସେଇ ଦୁର୍ଘଟଣାରେ ହିଁ ରମେଶ ନାମକ କଲେଜ ପିଲାଟିଏ ଥାଏ ତା ଦେହରେ ନିଆଁ ଲାଗିଯାଇଥିଲା ଏତେ ଲୋକଙ୍କ ଭିତରେ କେହି ବି ସାହାସ କରୁନଥିଲେ ପାଖକୁ ଯିବାକୁ .... କିନ୍ତୁ ପ୍ରଶାନ୍ତ ନିଜ ଜୀବନକୁ ବାଜିଲଗେଇ ଦୌଡିଯାଇଥିଲା, ଆଉ ରମେଶକୁ ସେଇ ଆସନ୍ନ ମୃତ୍ୟୁରୁ ଉଦ୍ଧାର କରିଥିଲା ରମେଶର ଦେହର ଅନେକ ଅଂଶ ପୋଡିଯାଇଥିଲା ତଥାପି ତାକୁ ଠିକ ସମୟରେ ଠିକ ଜାଗାକୁ ନେଇ ଡାକ୍ତରଙ୍କୁ ଦେଖାଇ ଭଲ କରେଇଥିଲା ପ୍ରଶାନ୍ତ
“ଆଜ୍ଞା! ଦେଖିଲେ ହେଲା କି ନାଇ ?” ବୁଲୁର ଡାକରେ ପ୍ରଶାନ୍ତ ଭାବନା ରାଜ୍ୟରୁ ଫେରି ଆସିଲା ସତରେ ଗାଡିଟିକୁ ମନଧ୍ୟାନ ଦେଇ ଧୋଇ ପୁରା ଚିକ ଚିକ କରିଦେଇଥିଲା ବୁଲୁ “ଆରେ ବୁଲୁ , ଏତେ ବଢିଆ ଗାଡି ଧୂଆ କୋଉଠୁ ଶିଖିଲୁ କି? କୋଉ ଗ୍ୟାରେଜରେ ଥିଲୁ କି ?”
“ଆଜ୍ଞା.... ମୁଁ କଣ ଏଠି ରହୁଥିଲି କି ? ମୁଁ ପରା କଟକ ରେ ରାହେମାନ ଭାଇ ର ଗ୍ୟାରେଜ ରେ ଚାରିବର୍ଷ ହେଲା କାମକରୁଛି ”
“ସେଥିପାଇଁ , ମୁଁ ତତେ ଦେଖେନି ........ଆଉ କେବେ ଆସିଛୁ ?”
“ପହରଦିନ “
“ହଉ , ରହ ତୋ ପାଉଣା ଆଣୁଛି ” ଏୟା କହି ପ୍ରଶାନ୍ତ ଘରଭିତରକୁ ଗଲା ଖୁଚୁରା ଟଙ୍କା କୋଡିଏ ଟା ଧରି ବାହାରକୁ ଆସିଲା ବେଳକୁ ବୁଲୁ ଆଉ ନଥିଲା ବାଲତି ,କପଡା ସବୁ ଥୋଇଦେଇ ଚାଲିଯାଇଥିଲା ପ୍ରଶାନ୍ତ ଆଶ୍ଚର୍ଯ୍ୟ ହେଲା ପଇସା ପାଇଁ ଗାଡି ଧୋଇବାକୁ ରାଜି ହେଇ ,ପୁଣି ଏମିତି ଚାଲିଗଲା କଣ ପାଇଁ ? ଛାଡ ଏ ଲୋକ ଗୁଡା ଏମିତି କେତେବେଳେ କେମିତି ନିଜ କୃତଜ୍ଞତା କୁ ପ୍ରକାଶ କରିପକାନ୍ତି , କିଛି ବୁଝି ହୁଏନି
ଏମିତି ଭାବି ଭାବି କଣ କରିବ ବୋଲି ପ୍ରଶାନ୍ତ ଏପଟେ ସେପଟେ ଦେଖୁଥିଲା ଏତିକିବେଳେ ତା ମୋବାଇଲ ବାଜିଉଠିଲା ଆର ପଟ ରୁ ତା ସାଙ୍ଗ ପ୍ରଦ୍ଯୁମ୍ନ କହୁଥିଲା ,
“ଏ ! ପ୍ରଶାନ୍ତ .... ଟିକେ ହେଲ୍ପ କରିବୁ ?”
“କଣ ହେଲାକିରେ , ପ୍ରଦ୍ଯୁମ୍ନ ? କଣ ହେଲ୍ପ ?”
“ ଆରେ ଭାଇ କହନା , ମୋ ଗାଡି ଆଉ ଷ୍ଟାର୍ଟ ହଉନି ତୋ ଗାଡି ଟା ଟିକେ ଦେ .... ମୁଁ ସମ୍ବଲପୁର ଅର୍ଜେଣ୍ଟ ଯିବାର ଅଛି ”
“କଣ ଏମିତି ଅର୍ଜେଣ୍ଟ ?”
“ତୁ ଗାଡି ଦବୁ ନା ନାହିଁ କହିଲୁ ?”
“ଆରେ ବାବା , ନବୁ ହେଲା !...... ଆସେ “
“ ମୁଁ ଫେରୁ ଫେରୁ ଡେରି ହେଇଯିବ ......ତୋର କିଛି କାମ ନାହିଁ ତ ?”
“ ନାଁ ..... ତୁ ଯା ....... ଓକେ “ ଏତକ କହି ଫୋନ କାଟିଲା ପ୍ରଶାନ୍ତ
ପ୍ରଦ୍ୟୁମ୍ନ କେତେବେଳୁ ଆସି ଗାଡି ନେଇ ଗଲାଣି ଘର ଭିତରେ ନିଜ ନିତ୍ୟକର୍ମ ସାରି କ୍ରିକେଟ ମ୍ୟାଚ ଦେଖିବାକୁ ବସିଗଲା ପ୍ରଶାନ୍ତ ଆଜି ଇଣ୍ଡିଆ ଆଉ ଶ୍ରୀଲଙ୍କା ମ୍ୟାଚ ଚାଲିଥିଲା ବିରାଟ କୋହିଲିର ସୁନ୍ଦର ବ୍ୟାଟିଂ କୁ ଉପଭୋଗ କରୁ କରୁ ସମୟ କାଟୁଥିଲା ବେଳେ ହଠାତ କଣ ମନ ହେଲା କେଜାଣି ନିଉଜ ଚ୍ୟାନେଲଟାକୁ ଲଗେଇ ଦେଲା
ବ୍ରେକିଙ୍ଗ ନିଉଜ ଆସୁ ଥିଲା ....................
ଆଜି ଦିନ ଦ୍ବିପହରରେ ସମ୍ବଲପୁର ରୋଡରେ ଏକ କାରରେ ନିଆଁ ଲାଗି ଜଳି ଯାଇଛି ଭାଗ୍ୟକୁ ସେ ଗାଡିର ଚାଳକଙ୍କୁ ପୋଲିସ ଉଦ୍ଧାର କରି ମୁର୍ମୁଶୁ ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛି ଟିଭି ପରଦା ଉପରେ ପ୍ରଶାନ୍ତ ତା ଗାଡିଟାରେ ନିଆଁ ଲାଗି ହୁ ହୁ ଜଳୁଥିବାର ଦେଖୁଥିଲା ତା ମୁଣ୍ଡ ବୁଲେଇ ଦେଉଥିଲା
ମୋବାଇଲ : ୭୦୦୮୬୬୭୭୮୫
www.molekhaa.wordpress.com
Go Back to Previous Page
ଘର ବାହୁଡ଼ା
ରୁଦ୍ରମାଧବ ସାହୁ
Read Article
ସମୟର ଚକ୍ର
ପ୍ରଶାନ୍ତ କୁମାର ନାଥ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ