ଘରକୁ ଲାଗି ରହିଥିବା ନିଜର ସୁରମ୍ୟ ଉଦ୍ୟାନର ମନ ମୁଗ୍ଧକର ପରିବେଶରେ ବସି ଚା’ ପିଉ ପିଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହେଉଥିଲେ ପ୍ରଶାନ୍ତ ବାବୁ ଦୃଷ୍ଟି ତାଙ୍କର ନିବଦ୍ଧଥିଲା ଗୋଟିଏ ବୃକ୍ଷଶାଖାରେ ଉପବିଷ୍ଟ ପକ୍ଷୀ ବସାରେ, ଯେଉଁଥିରେ ବି ପକ୍ଷୀଟିଏ ନିଜର କୁନି କୁନି ପକ୍ଷୀ ଶାବକମାନଙ୍କ ସହିତ ଚିଁ ଚିଁ ହୋଇ କଣ ସବୁ କଥା ହେଉଥିଲା ଅବଶ୍ୟ ସେହି ପକ୍ଷୀମାନଙ୍କର ଭାଷା ବୁଝିବା ତାଙ୍କ ପକ୍ଷେ ଦୁଃସାଧ୍ୟ ଥିଲା, କିନ୍ତୁ ସେ ବେଶ୍ ଆମୋଦିତ ହେଉଥିଲେ ସେ ମମତାମୟ ଦୃଶ୍ୟକୁ ଅବଲୋକନ କରି ତତ୍ପରେ, ସେ ରୋମନ୍ଥନ କରୁଥିଲେ ନିଜର ବିଗତ ଦିନର ସ୍ମୃତିକୁ କିପରି ତାଙ୍କ ମା ପିଲାବେଳେ ଯାହା କିଛି ଖାଦ୍ୟ ଖୁସି ମନରେ ପରସି ଦେଉଥିଲା, ଆଉ ଭାଇଭଉଣୀ ଦୁହେଁ ମିଶି ଖାଇ ଦେଉଥିଲେ ଆନନ୍ଦ ଚିତ୍ତରେ ପୁଣି, ବେଳେ ବେଳେ ଅନେକ ସମୟରେ ଖାଦ୍ୟ ନିଅଣ୍ଟ ହେଲେ ପାଣି ପିଇଦେଇ ମା ଶୋଇ ଯାଉଥିଲା ସତରେ ମା’ର ଋଣ କିଏ ବା ଶୁଝିପାରେ! ଆଉ ସେଇ ମା ଦିନେ ସ୍ବପ୍ନ ଦେଖୁଥିଲା ତା’ ପୁଅ ଦିନେ ବଡ଼ ହେବ, ପରିବାରର ଅଭାବ ଅସୁବିଧାକୁ ନିଜ ଶ୍ରମଲବ୍ଧ ଟଙ୍କା ଦ୍ବାରା ପୋଛିଦେବ, ରାଜଦୋଳିରେ ଝୁଲାଇବାର ବଡ଼ ଆଶା ନାହିଁ ହେଲେ ବସିବାକୁ ଭଲ ମସିଣା ଖଣ୍ଡେ ତ ଆଣିଦେବ କିଛି ହେଉ ବା ନ ହେଉ, ମା’ର ଆଶା ପୂରଣ ହେଉ ବା ନ ହେଉ, ଦୁନିଆ ଦାଣ୍ଡରେ ଜଣେ ମଣିଷ ହେଇ ଠିଆ ତ ହେବ ଏହାଠୁ ବଳି ମା’ ଆଉ କଣ ବା ଆଶା କରିପାରେ ଏମିତି କେତେ କଣ ସବୁ ଭାବେ ମା’ ପରଘରେ ବାସନମାଜି ଆଖିଲୁହକୁ କାନିରେ ପୋଶିଲା ବେଳେ
ହେଲେ କଣ କଲି ମୁଁ? ନିଜ ଉପରେ ପ୍ରଶ୍ନବାଚୀର ଆରୋପ ଲଗାଇ ପ୍ରଶାନ୍ତବାବୁ ମନକୁ ମନ କହିବାକୁ ଲାଗିଲେ, “ସତରେ ମୁଁ ଜଣେ କୁଳାଙ୍ଗାର...” କଇଁ କଇଁ ହୋଇ କାନ୍ଦି ଉଠିଲେ ସେ କୋହ ସମ୍ବରଣ କରି ନ ପାରି ଆଉ ବାପା... ଦାରିଦ୍ର୍ୟର ତାଡ଼ନାରେ ଜର୍ଜରିତ ମଣିଷଟିଏ ତେଲଲୁଣର ସଂସାରରେ ଖାଦ୍ୟ ସଂଗ୍ରହ ପ୍ରଥମ ଲକ୍ଷ୍ୟ ହୋଇଥିବାରୁ ସେଥିପାଇଁ ସବୁର ମୂଳ ଟଙ୍କା ଆବଶ୍ୟକ ସେଥିପାଇଁ ସବୁବେଳେ ସକାଳୁ ଘରୁ ଯାଇ ସଂଜରେ ଲେଉଟି ଆସନ୍ତି ହାତରେ କିଛି ଟଙ୍କା ଧରି ହେଲେ ସେ ସବୁ କିଞ୍ଚିତ ଅର୍ଥ ତତଲା କରେଇରେ ପାଣି ଟୋପାଏ ପଡ଼ି ସ୍ବାହା ହୋଇଯିବା ପରି ଦାରିଦ୍ର୍ୟର ନିଆଁରେ କୁଆଡ଼େ ଭସ୍ମ ହେଲାପରି ହଜିଯାଏ କାହାଘରେ ବାଡ଼ି ବଗିଚା ସଫା କରନ୍ତି ତ କାହା ଘରେ ମୂଲ ଲାଗନ୍ତି ଏମିତି କେତେ କଣ ମେହେନତ୍ କରନ୍ତି ପଇସାଟିଏ ଯୋଗାଡ଼ କରିବାପାଇଁ କେତେ କାମ ଉପରେ କୌଶଳ ଶିଖିବାକୁ ଚେଷ୍ଟା କରିନାହାନ୍ତି ସେ ପିଲାଟିଏକୁ ମଣିଷ କରିବାପାଇଁ କେତେ ଝାଳ ବୁହାଇ ନ ଦିଅନ୍ତି ବାପାମାନେ ଆଉ କଣ ନା ଅଧିକା ଜଣେଇବାକୁ ଦେଇଥାନ୍ତେ ମୋତେ ସେମାନେ ବାସ୍, ପିଲା ବୟସରେ ଏତିକି ହିଁ ବୁଝିଥିଲି କିନ୍ତୁ ବଡ଼ ହେଲାପରେ... ଧକେଇ ଧକେଇ କାନ୍ଦିବାକୁ ଲାଗିଲେ ନିଜ କୃତକର୍ମର ପ୍ରତି ଅନୁତାପ କରି ଆଖିରୁ ତାଙ୍କର ଝରି ପଡୁଥିଲା ଜଣେ ଅନୁତପ୍ତର ଲୁହ
କୁଆଡ଼େ କେତେବେଳେ ଚାଲିଚାଲି ଗଲାବେଳେ ତାଙ୍କ କୁନି କୁନି ପାଦକୁ କଷ୍ଟ ହେଲେ କେତେବେଳେ ମା କୋଳେଇ ନେଉଥିଲେ ତ କେବେ ବାପା ପିଠିରେ ବସେଇ ନେଇ ଯାଉଥିଲେ ହେଲେ ସେତେବେଳେ ଆମ ପିଲାମନର ପ୍ରଶ୍ନ ଉଠେନି, “ସେମାନଙ୍କୁ କଷ୍ଟ ହେଲେ କିଏ ତାଙ୍କୁ ବୋହି ନେଇ ପାରିବ?” ମନକଥା ଆପେ ଆପେ ମା’ ବୁଝିପାରେ କି କଣ, ବେଳେ ବେଳେ ଚାଲିବାରେ କଷ୍ଟ ହେବାର ଦେଖିଲେ କହେ, “ହଇରେ ଧନ, ଏ ଦୁଃଖର ଦିନ ଆମର ସବୁବେଳେ ରହିବନି ଦିନେ ନା ଦିନେ ତୁ ବଡ଼ ମଣିଷ ହେବୁ ଚାକିରୀ କରିବୁ ଆମର ଗୋଟେ ନିଜର ଗାଡ଼ିଥିବ ଏବେ ସିନା ଚାଲି ଚାଲି ସବୁଆଡ଼େ ଯାଉଛେ, ହେଲେ ସେତେବେଳେ ଆମର ସତସତିକା କାର ଥିବ ଆମେ ସମସ୍ତେ ସେଥିରେ ବସି ବୁଲିଆସିବା” ଏମିତିକା ଅନେକ ସ୍ବପ୍ନ ମା ଦେଖାଏ ଆଉ ଆଜି ସେ ସବୁ ସାକାର ହେବାକୁ ଲାଗିଛି ହେଲେ ମୁଁ ହତଭାଗା ବାପାମା’ଙ୍କୁ ଜୀବନରୁ ଦୂରେଇ ଦେଇଛି ଦାରିଦ୍ର୍ୟର ତାଡ଼ନା ସତ୍ତ୍ବେ ସ୍ବାଭିମାନରେ ଜୀବନ ଜୀଉଁଥିବା ଦୁଇ ମହତ ଜନଙ୍କୁ ତାଙ୍କ ଜୀବନର ଅସହାୟ ବାର୍ଦ୍ଧକ୍ୟାବସ୍ଥାରେ ସହାୟ ହେବା ପରିବର୍ତ୍ତେ ଦୂର କରିନେଇ ଭଉଣୀ ଘରେ ଛାଡ଼ି ଦେଇଛି
ସ୍ବାଭିମାନୀ ଲୋକମାନେ ନିଜ ଭିଟାମାଟିରୁ ଦୂର ହୋଇଯିବାକୁ କେତେ କଷ୍ଟ ଲାଗିନଥିବ ସେମାନଙ୍କୁ? ପୁଣି ନିଜ ସ୍ବାଭିମାନକୁ ପ୍ରାଧାନ୍ୟ ଦେଇ ଝିଅ ଘରେ ନ ରହି ବାହାରେ କୋଉଠି ରହିଲେ କାଳେ ପୁଅ ଉପରେ ଅପବାଦ ବା ଅଭିଶାପ ପଡ଼ିବ, ସେଥିପାଇଁ କେବେ ଦୁହେଁ ପ୍ରତିବାଦ କରି ନାହାନ୍ତି ତା ଛଡ଼ା, ପୁଅ ଘରୁ ବିଦା କରିଦେଲା ବୋଲି ନିଜର ଅସହାୟତା ଦେଖାଇବାକୁ ଯାଇ ବାରଦୁଆର ବୁଲି ଭିକ ମାଗି ବଞ୍ଚିବା ସେମାନଙ୍କ ସ୍ବାଭିମାନୀ ଜୀବନ ବହିର୍ଭୂତ ଅନ୍ୟ ପକ୍ଷରେ ଯଦି ଭିକ୍ଷା ମାଗି ବଞ୍ଚିବାର ଥିଲା, ତାହା ସେମାନେ ବହୁ ପୂର୍ବରୁ କରିନଥିଲେ କଣ ପାଇଁ? ଅଗତ୍ୟା, ବାଧ୍ୟ ହୋଇ ଝିଅ ଘରେ ରହିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା ତାଙ୍କର
ମଣିଷ ଯେତେ ଜ୍ଞାନ, ବିଦ୍ୟାବୁଦ୍ଧି ସବୁ ଅର୍ଜନ କରିଥିଲେ ହେଁ ବେଳେ ବେଳେ ସୌନ୍ଦର୍ଯ୍ୟ ପାଖରେ ହାର ମାନେ ବାପାମା’ଙ୍କ ତ୍ୟାଗପୂତ ଜୀବନରେ ଟିକେ ସେବା ଢାଳିଦେବା ପରିବର୍ତ୍ତେ ସ୍ତ୍ରୈଣ ହୋଇ ସେମାନଙ୍କୁ ହତାଦର କରେ ସେତେବେଳେ ସ୍ତ୍ରୀର ରୂପରେ ବିମୋହିତ ହୋଇ ବାପାମା’ଙ୍କୁ କେବେ ନେଇ ଜରାଶ୍ରମରେ ତ କେବେ କିଏ ନେଇ ଅଜଣା ଜାଗାରେ ନିଃସ୍ବ କରି ଛାଡ଼ିଦେଇ ଆସନ୍ତି ଏମିତି ଦିନେ ବାରମ୍ବାର ସ୍ତ୍ରୀର ପ୍ରରୋଚନାରେ ଘରେ ଅଶାନ୍ତି ସୃଷ୍ଟି କରିବାର ଶାସ୍ତି ଦେବାକୁ ଯାଇ ସେମାନଙ୍କୁ ନେଇ ଭଉଣୀଘରେ ଛାଡ଼ିଦେଇ ଆସିଛନ୍ତି ସେ ସେତେବେଳେ ବାପାମା’ଙ୍କର କୌଣସି କଥାକୁ ବି କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ନଥିଲେ ସେ
ମାତ୍ର, ପରେ ସେ ବୁଝିପାରିଥିଲେ ପ୍ରେମ ଆଉ ମମତା ମଧ୍ୟରେ ଫରକ ମମତା ଯେ ପ୍ରେମ ବୋଲି ନିଜକୁ ସାବ୍ୟସ୍ତ କରିପାରେ, ଅଥଚ ପ୍ରେମ କେବେ ମା’ ପରି ମମତା ଢ଼ାଳି ପାରେ ନାହିଁ ଯାହାକୁ ସେ ଆଜି ହୃଦବୋଧ କରୁଛନ୍ତି ବାପା ମା’ଙ୍କ ବିନା ଝୁରି ହେଇଥିଲେ ସେ ଦିନରାତି ଖାଲି ସେଇ ଦୁଇ ମହନୀୟ ସତ୍ତାଙ୍କ ଅସ୍ଥିତ୍ବକୁ ହେଲେ, ପୁଣିଥରେ ସେମାନଙ୍କୁ ସେମାନଙ୍କ ଭିଟାମାଟିକୁ ବାହୁଡ଼ାଇ ଆଣିବାକୁ ସାହସ ସଞ୍ଚୟ କରିପାରୁନଥିଲେ ନିଜ ଉପରେ ବହୁତ କ୍ରୋଧ ଆସୁଥିଲା ତାଙ୍କର ଧିକ୍କାର କରୁଥିଲେ ନିଜ ପୁଅପଣକୁ ପ୍ରତି ମୁହୂର୍ତ୍ତରେ ନିଜର ଏ ପ୍ରକାର ପାପର ପ୍ରାୟଶ୍ଚିତ କରିବାକୁ ହେଲେ ସେମାନଙ୍କୁ ପୁଣିଥରେ ବାହୁଡ଼ାଇ ଆଣିବାଉ ପଡ଼ିବ ଏଇ ତାଙ୍କର ଭିଟାମାଟିକୁ ଆଉ ସେତେବେଳେ ତାଙ୍କର ସ୍ତ୍ରୀ ହେଉ କି ଅନ୍ୟ କୌଣସି ବାଧକ ତାଙ୍କର ପଥରୋଧ କରିପାରିବ କି ଏମିତି କେତେ କଣ ସେ ଯୋଜନା କରନ୍ତି ବେଳେବେଳେ ପୁଣି ସଫଳ କରାଇ ପାରନ୍ତିନି ଲଜ୍ଜାବୋଧତାର ଭୟରେ କିନ୍ତୁ, ଆଜି ସେ ଦୃଢ଼ ସଂକଳ୍ପ ନିଜ ଜନକଜନନୀଙ୍କୁ ଫେରାଇ ଆଣିବା ଲାଗି
ବାପାମାଆ ତାଙ୍କୁ ଛାଡ଼ି ଯିବାପରେ ସେ ମା’ଙ୍କ ଗୋଟିଏ ସ୍ବପ୍ନ ବା ଘରଣୀଙ୍କ ଦାବିପୂରଣ କରିବାକୁ ଯାଇ କାରଟିଏ କିଣିଥିଲେ ପିଲାଦିନ ପରି ଦାରିଦ୍ର୍ୟତା ନଥିଲା, ଦୂରେଇ ଯାଇଥିଲା ତାଙ୍କ ଚାକିରୀ ବଳରେ ହେଲେ ଟଙ୍କା ବଳରେ ସବୁ ଅଭାବକୁ ଦୂରେଇ ଦିଆ ଯାଇନପାରେ ଏତେ ଟଙ୍କା ରୋଜଗାର କରୁଥିଲେ ବି ତାଙ୍କର ରହିଥିଲା ଅଭାବ ଏଯାବତ୍... ସତେ କି ଅଭାବ ତାଙ୍କର ଚିର ସହଚର ହଁ, ସ୍ନେହ, ମମତାର ଅଭାବ, ମାଆ କୋଳର ଅଭାବ ଆଉ ସେଇ ଖାଁ ଖାଁ ନିର୍ଜନତା ତାଙ୍କୁ ସବୁବେଳେ ଖାଇ ଗୋଡ଼ାଉଥିବାରୁ ସେ ସେଇ କାରଟିରେ ବସି ପାରୁନଥିଲେ ଭାରି ଦୁଃଖରେ ମନେ ମନେ ଜଳୁଥିଲେ, ସେ କାରଟିକୁ ଦେଖିଦେଲେ ତେଣୁ, ସେ କାରଟିକୁ ବ୍ୟବହାର ନ କରି ପକାଇ ରଖିଥିଲେ ନିଜ ଦାଣ୍ଡ ଅଗଣାରେ, ଆଉ ପ୍ରତିଦିନ ଅଫିସ ଯାଉଥିଲେ ବସରେ ହଇରାଣ ହୋଇ ଗତକାଲି ଅଫିସରୁ ଫେରିବା ବେଳେ ସେ କାରଟିକୁ ଦେଖି ମନେ ପକାଇଥିଲେ ନିଜର ଅତୀତକୁ ଆଉ ଘାରି ହୋଇଥିଲେ ସେଇ ବାପାମାଆଙ୍କୁ ଫେରାଇ ଆଣିବା ଚିନ୍ତାରେ ପରିଶେଷରେ, ଦୃଢ଼ ନିଷ୍ପତ୍ତି ନେଇଥିଲେ ସକାଳୁ ସକାଳୁ ଯାଇ ମାହେନ୍ଦ୍ର ବେଳାରେ ସେମାନଙ୍କୁ ପାଛୋଟି ଆଣିବେ
ଏବେ ଚା’ କପଟି ଲୁଣିଆ ଲୁଣିଆ ଲାଗୁଥିଲା ନିଜ ଲୁହରେ ମିଶି ଆଉ ସେ ବାପାମାଆଙ୍କୁ ଘରକୁ ଲେଉଟାଇ ଆଣିବାକୁ ଯିବାପାଇଁ ସ୍ଥିରେ କଲେ ତେଣୁ ସେ ଗାଡ଼ି ଉପରେ ନଜର ପକାଇଲେ
ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡି କୁ ସଫା କରିବ | ଦାଣ୍ଡଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି | ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା | ଏହି ସମୟରେ ରାସ୍ତା ରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ କୁ କହିଲା “ଆଜ୍ଞା ଟଙ୍କା କୋଡିଏଟା ଯଦି ଦେବେ , ମୁଁ ଧୋଇଦେବି |” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡି ଧୋଇଆସେ ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣେଇଲା | ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା | ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ | ସେ ରାଜି ହୋଇଗଲା | ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା, “ଆଚ୍ଛା ଆପଣ କଣ ଏମିତି ବୁଲି ବୁଲି କାମ ଯୋଗାଡ଼ କରନ୍ତି?” ପ୍ରଶ୍ନିଳ ଦୃଷ୍ଟିରେ ସେ ଲୋକଟାକୁ ଚାହିଁ ପଚାରିଲା ପ୍ରଶାନ୍ତ
“ହଁ ଆଜ୍ଞା, କଣ ଆଉ କରିବି? ପେଟ ପୋଷିବାକୁ ତ ଏତିକି କରିବାକୁ ପଡ଼ିବନା ନହେଲେ ମୋ ସଂସାର ନଉକା ଭାସିଯିବ ଚୋରି ତ କରୁନି, ଭିକ ମାଗୁନି ତ...” ବାଲତିରୁ ମଗେ ପାଣି କାରକୁ ଛାଟୁ ଛାଟୁ ଲୋକଟି ଉତ୍ତର ଦେଲା
“ବେଶ ଭଲ ଆପଣଙ୍କ ପିଲା କେଇଟି?” ପୁନଶ୍ଚ ପଚାରିଲା ପ୍ରଶାନ୍ତ
“ଆଜ୍ଞା, ଚଳେଇ ପାରିବି କି ନାହିଁ ବୋଲି ଝିଅ ଖଣ୍ଡେ ଆମକୁ ଠାକୁରେ ଦେଇନାହାନ୍ତି ଦୁଇଟି ପୁଅ ମୋର ସେମାନଙ୍କ ମୁହଁରେ ଗଣ୍ଡେ ଆହାର ଦେବାପାଇଁ ଏ ସବୁ କରୁଛି ପେଟ ପାଇଁ ନାଟ ଆଜ୍ଞା ଏଇ ପେଟ ଚାଖଣ୍ଡକ ନଥିଲେ କିଏ ବା କାହିଁକି କୁଆଡ଼େ ଯାଆନ୍ତା ତେଣିକି ଭବିଷ୍ୟତରେ ସେମାନେ ମୋତେ ପୋଷନ୍ତୁ କି ନ ପୋଷନ୍ତୁ, ମୋର କିଛି ଯାଏ ଆସେନାହିଁ”
“ହଁ, ଠିକ୍ ଅଛି ଶୀଘ୍ର କାମ ସାର ମୋର ଗୋଟେ ଜରୂରୀ କାମରେ ଯିବାର ଅଛି” କହି ଚୌକିରେ ବସି ପଡ଼ି ଖବର କାଗଜରେ ଧ୍ୟାନଦେଲା ପ୍ରଶାନ୍ତ କିନ୍ତୁ ସେ ଲୋକର କଥା ସବୁ ତା କାନରେ ପ୍ରତିଧ୍ବନିତ ହେଉଥିଲା ଆଉ ଆଖି ଆଗରେ ତାକୁ ତା ବାପାଙ୍କ ଛବି ଦେଖାଯାଇଥିଲା ସେ ଲୋକଟାକୁ ଦେଖିଦେଲେ ମନେ ହେଉଥିଲା ତା ବାପା ଏମିତି କରୁଛନ୍ତି
“ଆଜ୍ଞା, ସରିଲା କାମ ହେଲା କି ନାହିଁ ଟିକେ ଦେଖିଲେ...” ପାଖକୁ ଡାକୁଥିଲା ସେ ଲୋକଟି ନିଜର ପାରଦର୍ଶିତାକୁ ପରଖି ନେବାପାଇଁ
କାର୍ ପାଖରେ ପହଞ୍ଚୁ ପହଞ୍ଚୁ ସେ କହିଲେ, “ହଁ ହଁ, ପୁରା ସଫା କରି ଦେଇଛ” ପକେଟରୁ ପର୍ସ୍ ବାହାର କରି ପଚାଶ ଟଙ୍କିଆ ନୋଟଟିଏ ଆଗକୁ ବଢାଇଦେଲା ପ୍ରଶାନ୍ତ
“ଆଜ୍ଞା, ମୋ ପାଖରେ ତ ଖୁଚୁରା ନାହିଁ କୋଉଠୁ ଖୁଚୁରା ପାଇବି?” ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ଉତ୍ତର ଦେଲା ସେ ଲୋକଟା
“ନାଇଁ, ତମେ ପୁରା ରଖିନିଅ କିଛି ଫେରାଇବା ଦରକାର ନାହିଁ ଏଇଟା ତୁମର ପାରିଶ୍ରମିକ ବୋଲି ଧରିନିଅ” କହିଲା ପ୍ରଶାନ୍ତ
“ନା ବାବୁ, ମୁଁ ଯେଉଁ କଥା ଦେଇଥିଲି ଠିକ୍ ସେତିକି ହିଁ ପାରିଶ୍ରମିକ ନେବି ଟଙ୍କାଏ ବି ଅଧିକ ନେବିନି” ନିଷ୍ପତ୍ତି ଶୁଣାଇବାପରି ଦମ୍ଭୋକ୍ତି ଜାହିର କଲା ସେ ଲୋକଟି
“ଶୁଣନ୍ତୁ, ମୁଁ ଯଦି କୌଣସି ଗ୍ୟାରେଜକୁ ନେଇଥାନ୍ତି ତା ହେଲେ ହୁଏତ ଏହାଠୁ ବି ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା ତେଣୁ ମୁଁ ଖୁସିରେ ଦେଉଛି, ରଖିନିଅ...”
“ସେ କଥା ଅଲଗା ହେଇପାରେ ଆଜ୍ଞା କିନ୍ତୁ ମୁଁ ଯେତିକି କହିଛି ସେତିକି ହିଁ ନେବି ତେଣୁ ଆପଣ ଦୟାକରି ମୋ ଉପରେ ଦୟା କରନ୍ତୁ ନାହିଁ” ସେ ନିଜ ନିଷ୍ପତ୍ତିରେ ଅଟଳ ରହିବା ଭଳି ଶୁଣାଇ ଦେଲା
ଆଖିରୁ ଦୁଇବୁନ୍ଦା ଅଶ୍ରୁ ବୋହିଗଲା ପ୍ରଶାନ୍ତର ନୟନରୁ ସ୍ବାଭିମାନୀ ଲୋକଟିର ସ୍ବାଭିମାନ ପାଖରେ ହାରିବାରୁ ଅଶ୍ରୁପରି ଜଣା ଯାଉଥିଲେ ମଧ୍ୟ ସେ ସେଇ ଅଶ୍ରୁ ମଧ୍ୟରେ ନିଜ ପିତାଙ୍କ ସ୍ବାଭିମାନୀ ପ୍ରତିବିମ୍ବ ବେଶ୍ ଦେଖି ପାରୁଥିଲା
“ଆଜ୍ଞା, ମୁଁ ତ ଆପଣଙ୍କୁ ସେମିତି କିଛି କହିନି, ଯେଉଁଥିପାଇଁ ଆପଣ...” ଅପରାଧୀ ପରି ମନରେ ସଙ୍କୋଚବୋଧ ଭରି ପଚାରିଲା ସେ ଲୋକ
“ନା, ଆପଣ କେତେବେଳେ କଣ କହିଲେ? ମୋର ଗୋଟେ କଥା ମନେ ପଡ଼ିଗଲା ତ ହଉ ଆପଣ ଏବେ ଆସିପାରନ୍ତି” ପର୍ସରେ ସେ ପଚାଶ ଟଙ୍କା ରଖିଦେଇ କୋଡ଼ିଏ ଟଙ୍କା ବଢ଼ାଇଦେଇଥିଲା ସେ ସେଇ ଲୋକଟି ଅତି ଶ୍ରଦ୍ଧାର ସହ ନିଜ ପାରିଶ୍ରମିକକୁ ପକେଟରେ ପୁରେଇଦେଇ ପୁଣି ଆଗେଇ ଯାଇଥିଲା କୌଣସି କର୍ମ ସନ୍ଧାନରେ
ଘର ଭିତରକୁ ଯାଇ ପ୍ୟାଣ୍ଟସାର୍ଟ୍ ପିନ୍ଧି କାର୍ ଚାବିଧରି ବାହାରି ଆସୁଥିଲା ପ୍ରଶାନ୍ତ ଆଉ ଆଗେଇ ଯାଉଥିଲା କାର୍ ଆଡ଼କୁ
ମାର୍ଫତ : ନଳିନୀ ସାହୁ ଓ ଅକ୍ଷୟ ସାହୁ
ବାଘମୁଣ୍ଡା, କାକଟପୁର, ପୁରୀ
ଭ୍ରାମ୍ୟଭାଷ : ୭୩୭୭୧୩୫୮୭୮
Go Back to Previous Page
ଏଇତ ବିସ୍ମୟ ଦୁନିଆ - ଆଶ୍ଚର୍ଯ୍ୟ ବିହି
ବଲବନ୍ତ ସାହୁ
Read Article
ବ୍ରେକିଂ ନ୍ୟୁଜ୍
ଅରବିନ୍ଦ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ