ରାତି ପାହି ନ ଥିଲା ତଥାପି ମୋ ନିଦ ଭାଙ୍ଗି ଯାଇଥିଲା ଦକ୍ଷିଣ ପାଖ ଝରକା ଫାଙ୍କ ଦ୍ବାରରେ ଶୁକ୍ଳପକ୍ଷ ଜହ୍ନ ଆଲୁଅର ସରୁ ରେଖା ଭିତରକୁ ପଶି ଆସି ପ୍ରୀତମର ମୁଖମଣ୍ଡଳ ଉପରେ ପଡୁଥିଲା ଶୀତାଂଶୁଙ୍କ ଅବିକଳ ପ୍ରତିବିମ୍ବ ନେଇ ଏ ଦୁନିଆକୁ ଆସିଛି ସେ ଅନେକ ରାତି ଯାଏଁ ତାର ଅସରନ୍ତି କଥା ସରି ନଥିଲା ଛୋଟ ବେଳୁଁ ହିଁ ତାର ଶୋଇଲା ବେଳେ ମୋ ପାଖରେ ବକର ବକର ହେବା ଅଭ୍ୟାସ ଥିଲା ପ୍ରଥମେ ପ୍ରଥମେ ଶୀତାଂଶୁ ବିରକ୍ତ ହେଉଥିଲେ କିନ୍ତୁ ପ୍ରୀତମର ଅଭ୍ୟାସ ବଦଳି ନ ଥିଲା ଦିନ ସାରା ତାର ଦିନଚର୍ଯ୍ୟାକୁ ମାମା ପାଖରେ ନ ବାନ୍ତି କଲା ଯାଏଁ ତାକୁ ନିଦ ହେଉ ନ ଥିଲା କୋଡ ପୋଛା ପୁଅର ଏଇ ଅଭ୍ୟାସକୁ ଭାଙ୍ଗି ଦେବାକୁ ମୋର ଇଛା ହେଉ ନ ଥିଲା ତେଣୁ ଶୀତାଂଶୁଙ୍କୁ ଆକଟ କରି କହୁଥିଲି, `କହୁ, ନ କହିଲେ ତା ଭିତରେ ସେ ସବୁ ଘର କରିଦେବ ତମେ ଶୋଇଯାଅ ମୁଁ ତା କଥା ବୁଝୁଛି'
ବାସ୍, ଶୀତାଂଶୁ ଚୁପ୍ ହୋଇଯାଇଥିଲେ ଏବଂ ପ୍ରୀତମର ଅଭ୍ୟାସରେ ପର ଲାଗିଯାଇଥିଲା|
ରାତିରେ ଯେତେବେଳେ ସେ କହିଥିଲା, “ମାମା, ମୁଁ ତମ ପାଖରେ ଶୋଇବି”
ତତ୍କ୍ଷଣାତ୍ ମୀନୁ ଝିଙ୍ଗାସି ଉଠିଲା, “ହଁ, ନ ଶୋଇଲେ ଆଉ ଗେଲା ବୋଲି କେମିତି ଜଣା ପଡିବ?”
ସାନ ବୋହୂ ଆକଟ କଲା, `ମାମା ଶୋଇବେ ଜଲିଦି ଉଠିଲେ ସକାଳୁ ଅନେକ କାମ ଅଛି ତମେ ଆଉ ବକର ବକର ହେବନି'
ଆହା, ପ୍ରୀତମ ଟିକେ ହେଲେ ବି ବଦଳି ଥାଆନ୍ତା - ‘ମାମା, ଏଇଟା ହେଲା, ମାମା ସେଇଟା ହେଲା, ୟାକୁ ଏୟା କହିଲି, ତାକୁ ସେୟା କହିଲି, ମୁଁ ହେବାରୁ ତମ ବୋହୂକୁ ସମ୍ଭାଳିଛି, ବୁଝିଲ' - ଆଦି, ଆଦି ର ଅନେକ ଅସରନ୍ତି ସମ୍ଭାର
ସାନ ବୋହୂକୁ ପ୍ରୀତମ ପାଇଁ ସମସ୍ତେ ପସନ୍ଦ କଲା ପରେ ଏକୁଟିଆ ତାକୁ ଦେଖି ପଚାରିଥିଲି, `ତାର ଟିକେ ଦୁର୍ବଳତା ଅଛି ଝିଅ, ରାତିରେ ଶୋଇଲାବେଳେ ଜଣକ ପାଖରେ ବକର ବକର ହେଲା ପରେ ହିଁ ସେ ଶୋଇପାରିବ ତମେ ପାରିବ?'
ସେ ସେତେବେଳେ କିଛି ଉତ୍ତର ଦେଇ ପାରି ନ ଥିଲା କିନ୍ତୁ ତାର ଚାହାଣୀରେ ସମ୍ମତି ସୂଚକ ଇଙ୍ଗିତ ଦେଖାଦେଇଥିଲା ବଦ ରାଗୀ ହେଲେ ବି ପ୍ରୀତମର ଏଇ ଅଭ୍ୟାସଟିକୁ ଆପଣେଇ ଥିବାରୁ, ସାନ ବୋହୂ ଉପରେ ସହଜରେ ମୁଁ ଖପା ହୋଇ ପାରୁ ନଥିଲି
ଏମିତି ହିଁ ଏକ ଶରତର ପାହାନ୍ତି ପହରେ ଅଷ୍ଟମୀ ପୂଜା ପାଇଁ ଯେତେବେଳେ ଘରେ ସବୁ ପିଲାଏ ଜମା ହୋଇଥିଲେ, ଶୀତାଂଶୁଙ୍କ କ୍ଷୀଣ ଚିତ୍କାର ଶୁଣି ମୋ ନିଦ ଭାଙ୍ଗି ଯାଇଥିଲା ଶୀତାଂଶୁ ଛାତିକୁ ଧରି ଛାଟିପିଟି ହେଉଥିଲେ ସାଙ୍ଗେ ସାଙ୍ଗେ ପାଣି ଦେଇଥିଲି ଅଧା ବୋତଲର ଆଣ୍ଟାସିଡ ତାଙ୍କ ପାଟିରେ ଢାଳିଦେଇଥିଲି କିଛି ଲାଭ ମିଳି ନ ଥିଲା ବାପା ପାଖରେ ଶୋଇଥିବା ପ୍ରୀତମ ବି ଉଠିପଡିଥିଲା ଚିତ୍କାର କରି ସେ ଉପର ଘରେ ଶୋଇଥିବା ତା ବଡ ଭାଇକୁ ଡାକି ସାରିଥିଲା ଆମ୍ବୁଲାନ୍ସରେ ଶୀତାଂଶୁଙ୍କୁ ଧରି ଡାକ୍ତରଖାନା ନିଆ ଯାଇଥିଲା ସେ ରାତି ଶୀତାଂଶୁଙ୍କ ପାଖରେ ଆମ ମା ପୁଅ ଦୁହିଁଙ୍କ ଶେଷ ଶୋଇବା ଥିଲା ସକାଳ ସୂର୍ଯ୍ୟଙ୍କ ପହିଲି କିରଣ ଆମ ମାଟିରେ ସ୍ପର୍ଶ କଲା ପୂର୍ବରୁ ହିଁ ମୃତ୍ୟୁର କରାଳ ଲହରୀ ଭାଙ୍ଗିବାକୁ ଶୀତାଂଶୁ ଶରୀର ତ୍ୟାଗ କରି ସାରିଥିଲେ ଚଉରାଳିଶି ବର୍ଷର ମୋ ବୈବାହିକ ଜୀବନରେ ଶୀତାଂଶୁ ରୂପକ ପକ୍ଷ ହଠାତ୍କଟିଯାଇ ମୋ ଜୀବନ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା
ବାହାରେ ଦୂର କେଉଁ ମନ୍ଦିରରେ ଶଂଖ ଓ ଘଣ୍ଟା ଧ୍ବନିର ଶବ୍ଦ ଶୁଣା ଯାଉଥିଲା ପ୍ରୀତମର ଉପରେ ପଡିଥିବା କ୍ଷୀଣ ପାହାନ୍ତି ଆଲୁଅ ଉପରୁ ଦୃଷ୍ଟି ଫେରାଇ ଆଣି ଉଠି ବସିଲି ମୋତେ ଯେ ନିଜକୁ ନିଜେ ସମ୍ଭାଳିବାକୁ ହେବ, ନିଜେ ଉଠି ସାରି ମୁରବୀ ସାଜି ସମସ୍ତଙ୍କୁ ଉଠେଇବାକୁ ପଡିବ ପ୍ରଦୀପ, ତା ସ୍ତ୍ରୀ; ଅନୀତା, ତା ସ୍ୱାମୀ ସକାଳ ଗାଡିରେ ଆସିବେ ରାତି ପାହିଲେ ଶୀତାଂଶୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଦୁଇ
ଦିନେ ସଂଧ୍ୟାରେ ଦୀର୍ଘ ୩୦ ବର୍ଷ ଧରି ରହୁଥିବା ସେହି ପୁରୁଣା ଜୀର୍ଣ୍ଣ-ଶୀର୍ଣ୍ଣ ସରକାରୀ ଘରକୁ ଫେରିଲା ପରେ ଚାହା ପିଉ ପିଉ ଶୀତାଂଶୁ କହିଥିଲେ, `କୁସୁମ, ଗାଁରୁ ଆସି ଭୁବନେଶ୍ବରରେ କଣ୍ଟ୍ରାକ୍ଟରି କରୁଥିବା ମୋର ସାଙ୍ଗ ପ୍ରଫୁଲ୍ଲ କଥା ତମର ମନେ ଅଛି?'
ହଁ, ମନେ ନ ଥିବ କେମିତି? ପ୍ରଦୀପ ଓ ଅନୀତାର ବାହାଘର ଗୋଟିଏ ଦିନରେ ହିଁ ହୋଇଥିଲା ତା' ପରେ ପରେ ଦିନେ ଆମ ସରକାରୀ କ୍ୱାର୍ଟରରେ ଗୋଟିଏ ଦମ୍ପତ୍ତି ପେଢି ପୁଟୁଳି ଧରି ଆସି ପହଞ୍ଚି ଯାଇଥିଲେ ମୋ ଦେହରେ ଯେମିତି କିଏ ନିଆଁ ଲଗେଇ ଦେଇଥିଲା ପାଞ୍ଚ-ପାଞ୍ଚଟା ପିଲା ଧରି ରାଜଧାନୀ ଭଳି ଜାଗାରେ ଚଳ ପୁଣି ଗାଁରୁ ସାଙ୍ଗ-ସାଥୀ! ବହୁତ ସମୟ ଧରି ଭିତର ଘରୁ ମୁଁ ବାହାରି ନ ଥିଲି କାକୁତି ମିନତି କରି ଶୀତାଂଶୁ ମୋତେ ବାହାରକୁ ଧରି ଆଣିଥିଲେ
‘କୁସୁମ, ମୋ ସାଙ୍ଗ ପ୍ରଫୁଲ୍ଲ ଇଏ ତା ସ୍ତ୍ରୀ '
ଜର୍ଜରିତ କ୍ରୋଧର ଆବରଣରୁ ବାହାରି ଆସି ସାରିଥିଲେ ମଧ୍ୟ ଭଲ ଭାବେ ମୁଁ ତାଙ୍କ ସ୍ତ୍ରୀ ଙ୍କୁ ଭଲ ଭାବେ ଚାହିଁ ପାରି ନଥିଲି ୧୫ ଦିନ ଆମ ଘରେ ରହିଲା ପରେ ଭଡାଘର ଦେଖି ବରମୁଣ୍ଡା ଗାଁ ଭିତରକୁ ସେମାନେ ଚାଲି ଯାଇଥିଲେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ବହୁତ ଅମାୟିକ ମହିଳା ଥିଲେ ଆମ ଘରେ ଥିଲା ଯାକ ମୋ ଘରର ସବୁ କାମ ତକ ନିଜ ହାତକୁ ନେଇଯାଇଥିଲେ ଗୀତୁ, ମୀନୁ, ପ୍ରୀତମର ଜଂଜାଳ ନିଜ ଛୁଆମାନଙ୍କ ଭଳି ନେଇଥିଲେ, `ନିଜର କିଛି ଠିକଣା ଥିଲେ ସିନା ଅପା, ପିଲାଙ୍କୁ ଏଇଠିକୁ ଆଣିବି ନ ହେଲେ ପିଲାଙ୍କୁ ଏକୁଟିଆ କଣ ଗାଁରେ ୟା ତା ପାଖରେ ସବୁ ଦିନ ଛାଡି ହେବ?'
ଶୀତାଂଶୁ ସେହି ପ୍ରଫୁଲ୍ଲଙ୍କ କଥା କହୁଥିଲେ ଅନେକ ଦିନ ହେଲା ସେମାନଙ୍କ ସହ ସାକ୍ଷାତ ହୋଇ ନ ଥିଲା
‘ପ୍ରଫୁଲ୍ଲ ଆଜି ଅଫିସ ଆସିଥିଲା ଗାଡକଣାରେ ସେ ପ୍ଳଟିଙ୍ଗ୍ କରୁଛି ଆମ ଅଫିସର ସମସ୍ତେ ସେଇଠି ଜାଗା କିଣୁଛନ୍ତି ମୋତେ ପଚାରୁଥିଲା'
‘ତମେ କଣ କହିଲ?'
‘କଣ ଆଉ କହିଥାନ୍ତି? ଆମ ପାଖରେ କଣ ଅଛି ଯେ ତାକୁ କହିବି କିଣିବି ବୋଲି ଚୁପ୍ ରହିଲି ସେ ହିଁ କହିଲା - କିଣି ଦେ, ଯେବେ ସୁବିଧା ହେବ ପଇସା ଦେବୁ'
ପ୍ରଦୀପର ଗୋଟିଏ ପୁଅ, ଅନୀତାର ଗୋଟିଏ ଝିଅ, ଗୀତୁର ଗୋଟିଏ ଝିଅ, ମୀନୁ, ପ୍ରୀତମର ଛୁଆ ନ ଥିଲେ ହେଲେ ସେମାନଙ୍କ ମାଆ ପାଞ୍ଚଗୋଟି ଛୁଆ ଜନ୍ମ କରିଥିଲା, ତାହା ପୁଣି ପ୍ରଥମ ଓ ଶେଷ ମଝିରେ ୧୬ ବର୍ଷର ପ୍ରଭେଦ ନେଇ ପ୍ରୀତମ ଜନ୍ମ ବେଳେ ପ୍ରଦୀପ କଲେଜରେ ଏବଂ ଅନୀତା ସ୍କୁଲରେ ପଢୁଥିଲେ ପାଞ୍ଚ-ପାଞ୍ଚଗୋଟି ପିଲାଙ୍କୁ ଧରି ରାଜଧାନୀର ଦ୍ରୁତ ପରିବର୍ତ୍ତନଶୀଳ ପରିବେଶରେ ପରିସ୍ଥିତିର ସମ୍ମୁଖୀନ କରାଇବାରେ ଶୀତାଂଶୁ ସିଦ୍ଧ-ହସ୍ତ ଥିଲେ ଶାଶୁ, ଶ୍ବଶୁରଙ୍କ ମୃତ୍ୟୁ ପରେ ଗାଁ ଘର ଏବଂ ବିଲ ବାଡି ବିକ୍ରୀ କରି ପିଲାଙ୍କୁ ମଣିଷ କରିବାକୁ ଶୀତାଂଶୁ ନିଜର ପାରିଲା ପଣ ସାରି ଦେଇଥିଲେ ତା ଭିତରେ ଭୁବନେଶ୍ବରରେ ନିଜ ଘର କରି ରହିବାର ସ୍ବପ୍ନ ହିଁ ଆମେ କେବେ ଦେଖି ନଥିଲୁ ତଥାପି ପ୍ରଫୁଲ୍ଲଙ୍କ ସାହାଯ୍ୟରେ ଜାଗା କିଣାଗଲା
ଘର ପ୍ରତିଷ୍ଠା ଦିନ ତାଙ୍କ ସ୍ତ୍ରୀ ମୋତେ ପଚାରିଥିଲେ, ‘ଅପା, ମୀନୁକୁ ମୋ ପୁଅ ପାଇଁ ଦେବ?'
ଭୁବନେଶ୍ବରରେ ଆମ ଘରେ ରହିଲା ଦିନରୁ ମୀନୁ ପାଇଁ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଦୁର୍ବଳତା ଥିଲା, ମୁଁ ଜାଣି ଥିଲି କିନ୍ତୁ ତାକୁ ତାଙ୍କ ସମ୍ପର୍କରେ ଢାଳିବାକୁ ଯେ ସେ ମନରେ ଧରି ବସିଥିଲେ, ତାହା ମୋ ଧ୍ୟାନ ବାହାରେ ଥିଲା ମୀନୁକୁ ପଚାରିଥିଲି ମୀନୁ ମୌନ ରହିଥିଲା ଅଧିକନ୍ତୁ, ଶୀତାଂଶୁଙ୍କୁ ରାଜି କରାଇବାକୁ ମୋତେ ସମୟ ଲାଗିଥିଲା ମୀନୁ ପାଇଁ ବଡ ଚାକିରିଆ ଖୋଜୁଥିଲେ ସେ କିଛି ଦିନ ଚୁପ୍ରହିବା ପରେ ଆମେ ହଁ, ହାଁ କରିଥିଲୁ ମୀନୁର ବାହାଘର ପ୍ରଫୁଲ୍ଲଙ୍କ ଏକମାତ୍ର ପୁଅ ସହ ସମ୍ପନ୍ନ ହୋଇଥିଲା ପ୍ରଫୁଲ୍ଲଙ୍କ ପରିବାରର ଆକାର ଆମ ଭଳି ବଡ ନ ଥିଲା ଝିଅର ବାହାଘର ସାରି ଦେଇଥିଲେ କିନ୍ତୁ ଗ୍ରାଜୁଏଟ୍ପରେ ପ୍ରଫୁଲ୍ଲ ତାଙ୍କ ପୁଅକୁ ପ୍ଳଟିଙ୍ଗ୍, କଣ୍ଟ୍ରାକ୍ଟରୀ ରାସ୍ତାରେ ନେଇଯାଇ ଥିଲେ ଗାଁରୁ କିଛି ନ ଆଣି ଭୁବନେଶ୍ବରରେ ସେ ଅନେକ ସମ୍ପତ୍ତିର ମାଲିକ ହୋଇପାରିଥିଲେ ମୋଟ ଉପରେ ଆମେ ପ୍ରଫୁଲ୍ଲଙ୍କ ଋଣୀ ଥିଲୁ କନ୍ୟା ଦାନ ପରେ ବି ସେ ଋଣରେ ଅନ୍ତ ଆସି ନ ଥିଲା
ଅବସର ନେଲା ପରେ ଶୀତାଂଶୁଙ୍କୁ ଯେତେ ଟଙ୍କା ମିଳିଥିଲା, ତାକୁ ଲଗେଇ ମୀନୁର ସ୍ୱାମୀ ଆମ ପାଇଁ ଏହି ଘରଟିକୁ ଅତି ସୁନ୍ଦର ଭାବରେ ସେହି ଜାଗାରେ କରିଦେଲେ, ଯାହାକୁ ତାଙ୍କ ବାପା ଆମ ପାଇଁ କିଣେଇ ଦେଇଥିଲେ ପ୍ରଦୀପ କହିଥିଲା, `ତମ ଟଙ୍କା ଥାଉ ବାପା, ମୁଁ ଘର ତିଆରି କରେଇ ଦେବି '
ଶୀତାଂଶୁ କିଛି ଶୁଣି ନ ଥିଲେ, `ମୋ ଟଙ୍କାରେ କରି ଦେଉଛି ଦରକାର ବେଳେ ତୁ ନ ଦେଲେ ଦେବ କିଏ? ଏବେ ଦରକାର ନାହିଁ '
ଶୀତାଂଶୁ ଅନେକ ସମୟରେ ବିଳିବିଳେଇ ଥାନ୍ତି, `ପ୍ରଦୀପ, ତା ସ୍ତ୍ରୀ ଆସିଲେ ଉପରେ ରହିବେ; ଅନୀତା, ଗୀତୁ, ମୀନୁ ଆସିଲେ ପଛ ପାଖ ରୁମରେ, ପ୍ରୀତମ ଆସିଲେ ମୋ ପାଖରେ '
ମୁଁ ପଚାରେ, `ଆଉ ପ୍ରୀତମର ସ୍ତ୍ରୀ? ପିଲାମାନଙ୍କର ପିଲାଏ? ଭୁଲିଗଲ?'
‘ଓଃ ହୋ, ତା ହେଲେ ଉପରେ ଆହୁରି ଦୁଇଟା ରୁମ ଦରକାର'
ମୀନୁର ସ୍ୱାମୀ ହସନ୍ତି, `ବାବା, ସମସ୍ତେ ଏଇଠି କଣ ସବୁ ଦିନ ରହିବେ? ହଁ, ମୋର ମିନୁର କଥା ଅବଶ୍ୟ ଭିନ୍ନ '
ପାଖରେ ଠିଆ ହୋଇଥିବା ପ୍ରୀତମ ଆପତ୍ତି ଜଣାଏ, `ଭୁଲ କଥା ଭାଇ, ମୂଁ କୁଆଡେ ଗଲି? ମୋର ଭୁବନେଶ୍ବର ଆସିବାର ଚାନ୍ସ୍ ଅଧିକ, ଏ କଥା ଜାଣିଛ ତ?'
ଭୁବନେଶ୍ବର ନୁହଁ, ବରଂ ପ୍ରୀତମର ବଦଳି ଚେନ୍ନାଇରୁ ଆସାମର ହାଇଡ୍ରୋ ପାୱାର ପ୍ରୋଜେକ୍ଟସକୁ ହୋଇଯାଇଥିଲା
ଶୀତାଂଶୁ ତାକୁ ହସି ହସି ଫୋନ୍କରିଥିଲେ, ‘ଦେଖିଲୁ, ଭାଇନା ସହ ଯୁଦ୍ଧ କରୁଥିଲୁ!’
ଘର ତିଆରି ପରେ ପରେ ପ୍ରୀତମର ବାହାଘର ତା' ପରେ ଏଠାରେ ମୁଁ ଶୀତାଂଶୁଙ୍କ ସହ ତିନିଟା ସମ୍ପୂର୍ଣ୍ଣ ବର୍ଷ ମଧ୍ୟ କଟେଇ ପାରି ନ ଥିଲି ଆଶ୍ଵିନ- ଜ୍ୟୋତ୍ସ୍ନା- ବିଛୁରିତ ମେଘ ଶୂନ୍ୟ ଆକାଶରେ କଳ୍ପନା ସେପାଖ ଅମା ଅନ୍ଧାରୁଆ ଅନ୍ଧ ତମସର ବାସ୍ତବତା ମୋ ପାଇଁ ଅତି ଅସହନୀୟ ଥିଲା ଶୀତାଂଶୁ ଆଉ ନାହାନ୍ତି ମୋତେ ଚଳେଇ ନେବା ପାଇଁ, ମୋ ମନ ଅଗଣାର ସପନର ଢେଉକୁ ସମତୁଲ କରି ବାସ୍ତବର ଦୁନିଆକୁ ଫେରେଇ ଆଣିବା ପାଇଁ ମୋ ଅସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଚହଲା ମନ ଅଗଣାରେ ପ୍ରଶାନ୍ତିର ସ୍ଥବିରତା କେବଳ ଶୀତାଂଶୁ ହିଁ ଆଣି ପାରୁଥିଲେ ନ ହେଲେ କି ୧୬ ବର୍ଷର ତଫାତର ପ୍ରଦୀପ ଏବଂ ପ୍ରୀତମଙ୍କ ମଧ୍ୟରେ ମୁଁ ସମନ୍ୱୟତା ରଖି ପାରିଥାନ୍ତି ଅନୀତାର ଇଞ୍ଜିନିଅର, ଗୀତୁର ଶିକ୍ଷକ ଏବଂ ମୀନୁର କଣ୍ଟ୍ରାକ୍ଟର ସ୍ବାମୀମାନଙ୍କ ମଧ୍ୟରେ ତାଳ ମେଳ ରହି ଥାଆନ୍ତା
ତିନି
ଶୀତାଂଶୁଙ୍କ ମୃତ୍ୟୁ ପରେ ମୋତେ ପ୍ରଫୁଲ୍ଲଙ୍କ ପରିବାର ଉପରେ ଅଧିକ ନିର୍ଭର ରହିବାକୁ ପଡୁଥିଲା ମୀନୁ ଯେଉଁଭଳି ତା ଶାଶୁଘର ଆଉ ଆମ ଘରର କାମ ମଧ୍ୟରେ ସାମଞ୍ଜସ୍ୟ ରଖି ଚାଲିଥିଲା, ତାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଦିନେ ଇଙ୍ଗିତରେ ମଧ୍ୟ ନିଜ ବିରକ୍ତି ଭାବ ସୂଚାଇ ନାହାନ୍ତି ତା ସ୍ୱାମୀ ମଧ୍ୟ ତଦ୍ରୁପ ଥିଲେ
ଶୀତାଂଶୁଙ୍କ ମୃତ୍ୟୁର ଚଉଦ ଦିନି ଦିନ ପ୍ରଦୀପ ଓ ଅନୀତା, ସତର ଦିନି ଦିନ ଗୀତୁ, କୋଡିଏ ଦିନି ଦିନ ପ୍ରୀତମ ଓ ସାନ ବୋହୂର ବିଦା କେବଳ ମୀନୁ ଓ ତା ସ୍ବାମୀଙ୍କ ଉପସ୍ଥିତି ଯୋଗୁଁ ହିଁ ମୁଁ ସହ୍ୟ କରି ପାରିଥିଲି
ପ୍ରଦୀପ ଡାକିଥିଲା, `ମାମା, ଆମ ପାଖକୁ ଆସି ଯ'
ସାନ ବୋହୂ ଧରି ବସିଥିଲା ସେମାନଙ୍କ ସହ ମୋତେ ନେଇଯିବା ପାଇଁ, ମୋର ଇଛା ହୋଇ ନ ଥିଲା ଘରର ମୂଳଦୁଆ ପଥରଠୁ ଆରମ୍ଭ କରି ଶେଷ ରଙ୍ଗ କାମ ଯାଏଁ ଗୋଟି ଗୋଟି କରି ଶୀତାଂଶୁ ନିଜ ହିସାବରେ, ପସନ୍ଦରେ ତିଆରି କରିଥିଲେ ତାଙ୍କ ଅନୁପସ୍ଥିତି, ପ୍ରତି ମୁହୁର୍ତ୍ତର ସ୍ମୃତି ମୋ ମନ ଅଗଣାର ନିର୍ଜନତାରେ ହିଲ୍ଲୋଳିତ ହୋଇ ଉଠିଥିଲା ତୋଫାନ ପରେ ପରେ ବାୟା ଚଢେଇର ବସାକୁ ପ୍ରାଣହୀନ ଶୂନ୍ୟତା ଭିତରେ ଛାଡିଦେବା ମୋ ପକ୍ଷେ କାଠି କର ହୋଇଥିଲା
ଶୀତାଂଶୁ କହୁଥିଲେ, `ଜାଣିଛ କୁସୁମ, ଆଉ ଦୁଇ ବର୍ଷ ତା' ପରେ ଯଦି ମୋର କିଛି କ'ଣ ହୋଇଯାଏ, ତମେ ଫେମିଲି-ପେନସନ୍ ପାଇବ ତା ଆଗରୁ କିନ୍ତୁ ମୋ ପେନସନ୍ ତମକୁ ମିଳିବ '
ସେହି କଥା ହିଁ ହେଲା ତାଙ୍କର ପେନସନ୍ ଟଙ୍କା ପାରିବାରିକ ପେନସନ୍ ରେ ପରିଣତ ହେଲା ପୂର୍ବରୁ ହିଁ ସେ ସଂସାର ଛାଡି ଚାଲିଗଲେ କିଛିଦିନ ଯାଏଁ ତାଙ୍କ ପୁରା ପେନସନ୍ ପାଇବାର ମୁଁ ହକ୍ଦାର ହେବି ଏୟା ଭାବି, ମନକୁ ଶକ୍ତ କରି, ଏକୁଟିଆ ରହିବାର ମାନସିକତା ନେଇ ମୁଁ ସ୍ଥିର କରିଥିଲି, ମୁଁ ଆଉ କୁଆଡେ ଯିବିନି ବରଂ, ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ତଳଟା ଭଡାରେ ଲଗେଇ ଉପରେ ମୁଁ ରହିବି ଯେଉଁ ଆବେଗ, ବିଶ୍ଵାସର ଛତ୍ର ଛାୟା ତଳେ ଚାଳିଶି ବର୍ଷ କାଳ କଟେଇଲି, ତା'ର ଆଶ୍ରା କ'ଣ ଏତେ ସହଜରେ ଛାଡି ହେବ?
ସକାଳୁ ସକାଳୁ ଅନୀତା, ତା ସ୍ୱାମୀ ଏବଂ ପ୍ରଦୀପ, ତା ସ୍ତ୍ରୀ ଙ୍କୁ ଷ୍ଟେସନରୁ ମୀନୁର ସ୍ୱାମୀ କାରରେ ଧରି ଆଣି ଆସିଥିଲେ ଘରେ ଗହଳ ଚହଳ ଆରମ୍ଭ ହୋଇ ଯାଇଥିଲା ପ୍ରୀତମର ସ୍ତ୍ରୀର ଆଗୁଆ ପଣ ସ୍ପଷ୍ଟ ବାରି ହୋଇ ଯାଉଥିଲା
ରୋଷେଇ ଘରୁ ତାର ପାଟି ଶୁଭିଲା, `ମାମା, କୋଉଠି ଅଛ, ଆସ ହାଣ୍ଡି ବନ୍ଦାଣ ହେବ '
ମୁଁ ବାହାରେ ହିଁ ରହି କହିଲି, `ବନ୍ଦାଣ ସାରିଦିଅ ରନ୍ଧା ଏବେ ଆରମ୍ଭ କଲେ ଦ୍ବିପଦର ହୋଇଯିବ ପୁରୋହିତ ଆସିଲା ବେଳକୁ ସରିଥିଲେ ହେବ ନା '
ମୀନୁ ପାଟି କଲା, `ମାମା, ଭିତରକୁ ଆସ ମିଶି କି ସାରିଦେବା '
ରୋଷେଇ ଘର ଭିତରେ ଭାଉଜ-ନଣନ୍ଦ ପାଞ୍ଚ ଜଣ ଯାକ ଥିଲେ
‘ମୁଁ ମିଶିଲେ ଛଅ ହେବ ମୋତେ ଆଉ ମିଶା ନା '
ମୁଁ ଇଛାକୃତ ଉପେକ୍ଷା କଲି ଭରା-ପୁରା ପରିବାର ମୋର, ଘରେ ଭଲ-ମନ୍ଦ କାମରେ ଏଣିକି ତମେମାନେ କର ମାମାକୁ ଆଉ ସେ ଭିତରେ ପୁରାଅନି ଏଇ ବିଧବାର ସେଇଠି କଣ କାମ?
ଶୀତାଂଶୁଙ୍କ ଶ୍ରାଦ୍ଧ-ବାର୍ଷିକୀ ପାଇଁ ମୁଁ ସାନ ଭଉଣୀ ମାନି ପାଖକୁ ଫୋନ କରି ନିମନ୍ତ୍ରଣ ଦେଲା ବେଳେ ସେ କହିଥିଲା, `ଅପା, ଗଲା ବର୍ଷ ମୁଁ ଜାଣି ଜାଣି କହି ନଥିଲି କାର୍ତ୍ତିକ ଆଗରୁ ହିଁ ଭାଇନାଙ୍କ କାଳ ହୋଇଥିଲା ନା ୟାଙ୍କର ପୁରୀରେ ପୁରା ଚିହ୍ନା ଅଛନ୍ତି ଏ ବର୍ଷ କିନ୍ତୁ କହିବୁ ଆଗରୁ କାର୍ତ୍ତିକ ପାଇଁ ଭଲ ରୁମ ରଖି ହେବ '
ମୁଁ ବାହା ହେଲା ବେଳେ ମାନି ଛୋଟ ପିଲାଟାଏ ଥିଲା ନିଜ ପରିବାର କଥା ବୁଝୁ ବୁଝୁ ମାନି ଯେ ବଡ ହେଇ ସାରିଛି, ବାହା ହୋଇ ଘର ସଂସାର କରିଛି, ଅପା କଥା ବୁଝିବାକୁ ସକ୍ଷମ ହେଇ ପାରିଛି, ଶୀତାଂଶୁ ଙ୍କ ମୃତ୍ୟୁ ପରେ ହିଁ ମୋର ହୃଦ୍ବୋଧ ହୋଇଥିଲା ପୁରୀ ଯାଇ ବଡି ଭୋର୍ରୁ ଉଠି ମାର୍କଣ୍ଡ ର ଗୋଳିଆ ପାଣିରେ ମୁଣ୍ଡ ଧୋଇ ବୈଧବ୍ୟ ର ଯନ୍ତ୍ରଣା କୁ ପ୍ରତ୍ୟକ୍ଷ ଅନୁଭବ କରିବାର ଟିକେ ବି ମୋର ଇଛା ନ ଥିଲା ମନା କରିଦେଲି, `ମୋର ପୁରୀ ଯାଇ କାର୍ତ୍ତିକ ହବିଷ କରିବାରେ ଆଗ୍ରହ ନାହିଁ ସେଥିପାଇଁ ରୁମ୍କିଛି ରଖିବା ଦରକାର ନାହିଁ ତମେମାନେ କେବଳ ତାଙ୍କ ଶ୍ରାଦ୍ଧ କୁ ଆସ '
ଠିକ୍ସମୟରେ ଶ୍ରାଦ୍ଧ ସରି ଯାଇଥିଲା ଶ୍ରାଦ୍ଧ ରେ ପ୍ରଦୀପ, ତା ସ୍ତ୍ରୀର ଭୂମିକା ଅଧିକ ଥିଲା ମୁଁ କେବଳ ମୁକ ଦର୍ଶକ ଥିଲି ପ୍ରଫୁଲ୍ଲ ଙ୍କ ସ୍ତ୍ରୀଙ୍କ ଭୂମିକା ତା ପରେ ଥିଲା ପୁରୋହିତଙ୍କ ପାଟିରୁ କଥା ଛଡେଇ ସେ ପ୍ରଦୀପର ସ୍ତ୍ରୀକୁ ପରାମର୍ଶ ଦେଇଥିଲେ ମୋ ଶାଶୁ ଶ୍ବଶୁରଙ୍କ ଶ୍ରାଦ୍ଧ ଆମେ ଏଇଠି ବିନ୍ଦୁ ସାଗରରେ କରୁଥିଲୁ ଏବଂ ଅନନ୍ତ ବାସୁଦେବ ଙ୍କ ଅଭଡା ନେଇ ବ୍ରାହ୍ମଣ ଭୋଜନ କରା ଯାଉଥିଲା ଆଜି ଲିଙ୍ଗରାଜ ମନ୍ଦିରରୁ ଭୋଗ ଅଣାଯାଇ ପରଶା ଯାଇଥିଲା ଭାଇ-ଭାଉଜ, ମାନି-ତା ବର, ସେମାନଙ୍କ ପିଲାମାନେ, ସମୁଦି ସମୁଦୁଣୀ ମାନେ, ସାହି ପଡିଶା ସମସ୍ତେ ଖାଇ ଚାଲି ଯାଇଥିଲେ
ଗଲାବେଳେ ଭାଉଜ ବାରମ୍ବାର କହିଥିଲେ, `ଏକା ଏକା ଏଇଠି କେତେ ଦିନ ରହି ପାରିବ ଅପା, ଦିନା କେତେ ଆମ ଘରେ ବି ରହିବ, ଆସ'
ମନା କରିପାରି ନ ଥିଲି ମୁଁ କେବଳ ଦର ହସିଲା ଆଖିରେ ତାଙ୍କ କଥାକୁ ସମର୍ଥନ କରିଥିଲି
ବାହା ହେଲା ପରେ ମୋର ବାପା ଘର ସହ ସମ୍ପର୍କ ଅଧିକ ନ ଥିଲା, ଖୁବ୍ସୀମିତ ଥିଲା ଭୋଜିଭାତ, ନିମନ୍ତ୍ରଣ ଛଡା ଆମକୁ ଆଉ କୁଆଡେ ଆଖି ପକେଇବା ପାଇଁ ସମୟ ମିଳି ପାରୁ ନ ଥିଲା କିମ୍ବା ବାପା-ମାଆ ମଧ୍ୟ କେବେ, ଝିଅ ଭୁବନେଶ୍ଵରରେ ରହିଲାଣି, ଦିନେ ଓଳିଏ ଆସି ରହିବେ, ଏହି ବିଚାର ବି ସେମାନଙ୍କ ମନକୁ କେବେ ଆସି ନ ଥିଲା ବାପା-ମାଆ ଙ୍କ ମୃତ୍ୟୁ ବେଳେ ଯାହା ଆମେ ଯାଇଥିଲୁ ମୋର ଦି' ଭାଇ ଭାଉଜ ଙ୍କ ଗାଣ୍ଠେ ହେବ ପରିବାର ସହ ବି ମୋର ସମ୍ପର୍କ ଖୁବ୍କମ ଥିଲା ମୋଟ ଉପରେ ମୋ ପରିବାର, ଶାଶୁଘର, ଶୀତାଂଶୁଙ୍କ ଗାଁ ଲୋକ, ଏଇମାନଙ୍କ ବଳୟ ଭିତରେ ହିଁ ଆମର ଦୈନନ୍ଦିନ ସଂସାର ଥିଲା ଆଜି, ସମସ୍ତଙ୍କୁ ଏକାଠି ଦେଖି ବର୍ଷରୁ ଜମାଟ ବାନ୍ଧି କଠିନ ହୋଇ ସାରିଥିବା କୋହ ତରଳିବାରେ ଲାଗିଥିଲା କବାଟ ବନ୍ଦ କରି ଏକୁଟିଆ ପାଟି କରି କାନ୍ଦିବାକୁ ମୋତେ ଇଛା ହେଉଥିଲା
ଚାରି
ଡ୍ରଇଂ ରୁମରେ ପ୍ରଦୀପ, ପ୍ରୀତମ ସହ ତିନି ଜ୍ବାଇଁ ବସି ଗପ-ସପ ହେଉଥିଲେ ପ୍ରଦୀପର ସପ୍ତମ ପଢୁଥିବା ପୁଅ ଏବଂ ଅନୀତା ର ଅଷ୍ଟମ ପଢୁଥିବା ଝିଅ ନିଜ ନିଜ ବାପା ମାନଙ୍କ ପାଖରେ ବସିଥିଲେ ମୋତେ ଦେଖୁ ଦେଖୁ ପ୍ରୀତମ ଡାକିଲା, `ମାମା, ଆସ ଶୁଣ, ଭାଇ କ'ଣ କହୁଛନ୍ତି '
ମୁଁ ପ୍ରଶ୍ନବାଚୀ ଆଖିରେ ପ୍ରଦୀପକୁ ଚାହିଁଲି ପିଲା ଦିନୁ ଖୁବ୍ କମ୍ କଥାବାର୍ତ୍ତା କରେ ସେ ବଡ ପରିବାର ଭିତରେ ବଡପୁଅର ଗୁରୁ-ଦାୟିତ୍ବକୁ ସେ ସବୁବେଳେ ସୁଚାରୁ ରୂପେ ତୁଲେଇ ଆସିଛି ମା’ର ମନର କଥା ବାହାରକୁ ଆସିଲା ଆଗରୁ ଅତି ସହଜରେ ତାକୁ ରୂପାନ୍ୱିତ କରିଦିଏ ପ୍ରୀତମ ହିଁ କହିଲା, `ମାମା, ଭାଇ କହୁଛନ୍ତି, ତମେ ତାଙ୍କ ସହ ଯିବ'
‘ହଁ ମାମା, ତମେ ଆମ ସହ ଚାଲ ବାବାଙ୍କ ଶ୍ରାଦ୍ଧ ଯାଏଁ କହିଥିଲ, ଠିକ ଥିଲା ଆଉ ୟା ପରେ ଏତେ ବଡ ତଳ ଉପର ଘରେ ଏକୁଟିଆ ରହିବାଟା ଅନ୍ତତଃ ତମ ପକ୍ଷେ ଠିକ୍ହେବନି '
ମୋ ମନରେ ଉଠୁଥିବା ଝଡକୁ ପ୍ରଦୀପ ତା ହେଲେ ଉଣ୍ଡି ଦେଇଛି ! ତଥାପି ମୁଁ କହିଲି, `ଶୁଣେ ବାପା, ତଳଟା ଆମେ ଭଡାରେ ଦେଇଦେବା ଉପରେ ମୁଁ ରହିବି ଆଉ ଅସୁବିଧା ହେବନି ତା ଛଡା ମୀନୁ ତ' ପାଖରେ ଅଛି '
ମୀନୁର ସ୍ୱାମୀ କହିଲେ, `ହଁ ଭାଇ, କିଛି ଅସୁବିଧା ହେବନି ଆମେ ଅଛୁ '
ପ୍ରଦୀପ କହିଲା, `ଯାହା ହେଲେ ବି ତମେ ଏଇଠି ଏକୁଟିଆ ରହିବ ନାହିଁ ମାମା ମୁଁ ଜାଣିଛି, ବାବାଙ୍କୁ ଝୁରି ଝୁରି ତମେ ରୋଗିଣା ହୋଇଯିବ ଦେଖୁନ, ତମର ବର୍ଷକ ତଳର ଚେହେରା ଆଜି ଅଛି? ମୁଁ କିଛି ଶୁଣିବିନି ତମେ ତଳଟା ଭଡା ଲଗେଇ ଦିଅ ଆର ଥରକୁ ମୁଁ ଆସିଲା ବେଳକୁ ତମକୁ ମୋ ସହ ଯିବାକୁ ହେବ '
ମୁଁ ଆଉ ପ୍ରତିବାଦ କରିପାରିଲି ନାହିଁ ଚୁପ୍ରହିଗଲି ସମୟର ବାଲିରେ ଚାଲି ଚାଲି ମୋ ଶରୀର, ମନ ଥକି ଯାଇଥିଲା ମୁଁ କ'ଣ ଶୀତାଂଶୁ ଙ୍କ ଭଳି ହୋଇ ପାରିବି? ବୀର ଦର୍ପରେ ଅଜଣା ଅପେକ୍ଷିତ ଆଗନ୍ତୁକ ପାଇଁ ଅପେକ୍ଷାରତ ଜଣେ ଶସ୍ତ୍ର ବିହୀନ ସୈନିକ ଭଳି ଏକୁଟିଆ ରହି ପାରିବି ମୁଁ? ଏତେ ବଡ ସଂସାର କଲା ପରେ ଏକୁଟିଆ-ଜୀବନ-ଯାତ୍ରାର ସ୍ଵାଦ ଚାଖିବାର ସାହାସ ମୁଁ କରି ପାରିବି? ଏମାନଙ୍କ ଭିତରେ ମୋ ଜୀବନ, ଏମାନଙ୍କ ଭିତରେ ହିଁ ମୃତ୍ୟୁ, ଏହି ସତ୍ୟଠୁଁ ଦୂରେଇ ହେବନି ଫୁଲରୁ ମହୁ ସଂଗ୍ରହ କରିବାକୁ ଯାଇ ଶେଷରେ ତା'ର ବନ୍ଦ ପାଖୁଡା ଭିତରେ ଯେ ତାକୁ ରହି ଯିବାକୁ ହେବ, ସେୟା କ'ଣ ଭ୍ରମର ଫୁଲ ଭିତରେ ପଶିଲା ଆଗରୁ ଭାବିଥାଏ?
ଶୀତାଂଶୁ କହୁଥିଲେ, `ଅନ୍ୟମାନଙ୍କ ଆଶ୍ରିତ ରେ ରହି ପ୍ରତ୍ୟେକ ମୁହୁର୍ତ୍ତରେ ମୃତ୍ୟୁକୁ ବରଣ କରିବା ଅପେକ୍ଷା ଆତ୍ମ ନିର୍ଭରଶୀଳ ହୋଇ ଗୋଟିଏ ଥରର ମୃତ୍ୟୁକୁ ଅପେକ୍ଷା କରି ରହିବା ବହୁତ ଭଲ ଯଦି ତମେ ଏକୁଟିଆ ହୋଇଯାଅ, ଘର ଭଡା ଦେବ, ପେନସନ୍ ଟଙ୍କା ଅଛି ହାତ ଗୋଡ ଚାଲିଥିଲା ଯାଏଁ କାହାରି ଆଶ୍ରିତ ହେବା ଠିକ୍ନୁହେଁ '
ମୋ ପିଲାମାନେ ଅନ୍ୟମାନେ ନୁହଁନ୍ତି, ହୋଇ ପାରିବେନି ମଧ୍ୟ ସେବେ ଶୀତାଂଶୁଙ୍କୁ ଗୁଡେଇ ଠିଆ ହୋଇଥିଲି ଆଜି ବି ପିଲା ମାନେ ମୋ ସାହାରା ହେବେ
ଶୀତାଂଶୁଙ୍କ ଭଳି ମୁଁ ଦୃଢ ମନା ନୁହେଁ ପରିବାର ଚଳେଇବା ପାଇଁ କେବେ କେଉଁଠୁ କିମିତି ଯୋଗାଡ-ଯତ୍ନ କରୁଥିଲେ, ମୁଁ ଜାଣିବାକୁ ଚେଷ୍ଟା କରି ନ ଥିଲି ତାଙ୍କ ବିନା କେବଳ ତାଙ୍କ ପେନସନ୍, ଏହି ଘର ଭଡା ମୋତେ ଜୀବନ ଶକ୍ତି ଦେଇ ପାରିବନି କେବେ ହେଁ ନୁହେଁ
ଏହା ଭିତରେ କେତେବେଳେ ଯେ ମୋ ପଛରେ ସବୁ ପିଲାଏ ଆସି ଠିଆ ହୋଇ ସାରିଲେଣି, ସେ ଦିଗରେ ମୋର ଲକ୍ଷ୍ୟ ନାହିଁ ପଛରୁ ଅନୀତା କହି ଉଠିଲା, `ଭାଇ, ତା ପରେ ମୋ ପାଖରେ ଯାଇ ରହିବେ ବହୁତ ଦିନ ତଳେ ବାବାଙ୍କ ସହ ମୋ ପାଖକୁ ଯାଇଥିଲେ ସେଇଟା ପୁଣି ଏଲ ଟି ସି ରେ '
ମୁଁ ପଛକୁ ଝଟ୍କିନା ଚାହିଁଲି, `ହଁ, ମୋତେ ଭାଗ କରିଦିଅ '
ତା ବସିବା ସ୍ଥାନରୁ ପ୍ରୀତମ ଉଠି ଆସି ମୋ ପିଠିରେ ଓହଳି ଗଲା, `ନିଜ ପିଲାଙ୍କ ଘରକୁ ଯାଇ ରହିବା କ'ଣ ଭାଗ ମାମା? ଭାବିନିଅ, ତମର ପାଞ୍ଚଟା ଜାଗା ଅଛି ରହିବା ପାଇଁ'
ଗୀତୁ ମୋ ହାତକୁ ଲାଗି ଆସିଲା, `ତା ପରେ ଆମ ପାଖକୁ ନୁହଁ ?’
ସେ ତା ସ୍ବାମୀଙ୍କୁ ହସି ହସି ଚାହିଁଥିଲା ତା' ସ୍ୱାମୀ ବି ହସି ହସି ମୁଣ୍ଡ ହଲାଇଥିଲେ କିନ୍ତୁ ମୁଁ ଜାଣେ, ଶାଶୁ-ଶ୍ବଶୁର, ଜା-ଜଉଳିଙ୍କୁ ଧରି ସେ ଘର କରିଛି ବିଧବା ମାଆ ଆସି ସେମାନଙ୍କର ସେଇଠି ରହିବ, ସେତେ ବଡ ଖୋଲା ହୃଦୟରେ ସେ କଥା କୁ ଗ୍ରହଣ କରିବା ଶକ୍ତି କାହାର ଅଛି? ତଥାପି ସେ ଦୁହେଁ ତା'ଙ୍କ ମର୍ଯ୍ୟାଦା ରଖିଥିଲେ ଗୀତୁର ଦଶ ବର୍ଷର ଝିଅ ମୋ ପେଟକୁ ଧରି ଠିଆ ହୋଇଗଲା, `ହଁ, ହଁ, ଆଈ, ଆମ ସହ ତମେ ରହିବ '
ଅତିଶୟ ଆବେଗରେ ତାକୁ ଭିଡି ଧରିଲି ସମ୍ପର୍କ ଓ ସମ୍ବନ୍ଧ ର ଅଦ୍ଭୁତ ଆକର୍ଷଣ କ'ଣ ଏତେ ସହଜରେ ଛାଡି ହୁଏ? ଅନୀତା ବାହାଘରରେ ଅଧିକ ଖର୍ଚ୍ଚ କରିଦେଇ ଗୀତୁ ପାଇଁ ବଡ ଚାକିରିଆ ଖୋଜିବା ପାଇଁ ଶୀତାଂଶୁ ସାହାସ କରି ପାରି ନଥିଲେ ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ଦୂର ସମ୍ପର୍କୀୟ ଶାଳୀ ଥିଲେ, ଗୀତୁର ଶାଶୁ ଭୋଟ ବେଳେ ଥରେ ତାଙ୍କ ଗାଁ ରେ ଶୀତାଂଶୁଙ୍କ ଡିୟୁଟି ପଡିଥିଲା ସେଇଠି ଗୀତୁର ସ୍ଵାମୀକୁ ଦେଖିଥିଲେ ତାଙ୍କ ବ୍ୟବହାରରେ ତୁଷ୍ଟ ହୋଇଯାଇ ଆସୁ ଆସୁ ସମ୍ବନ୍ଧକୁ ଆଗକୁ ବଢେଇ ଦେଇଥିଲେ ସେ ସମୟ – ଆଉ ଆଜିର ଦିନ ଆଜି ପର୍ଯ୍ୟନ୍ତ ଗୀତୁ ତା' ଶାଶୁ ଘରର ଜଣେ କାହାରି ବିଷୟରେ ଥରେ ଦିନେ ହେଲେ ବି ମୋ ପାଖରେ ଅଭିଯୋଗ କରିନି
ମୋ ଆଗରେ ମୀନୁ ଠିଆ ହୋଇଥିଲା, `ଆଉ ମାମା, ଆମ ଘରକୁ?'
ମୂର୍ଖ ମୀନୁର କାନ ମୋଡିବାକୁ ମୋର ଇଛା ହେଉଥିଲା ଅତି ଶ୍ରଦ୍ଧାରେ ତା ଚିବୁକକୁ ଧରି କହିଲି, `ତୋ ପାଖରେ ଅଛି ରେ ମାଆ ତମେ ଦୁହେଁ ନ ଥିଲେ ମୁଁ କ'ଣ ଏକୁଟିଆ ଏଇଠି ରହି ପାରିଥାନ୍ତି?'
ମୁଁ କ'ଣ ସତରେ ଏକୁଟିଆ ରହି ପାରିଥାନ୍ତି? ମୋ ନିଜକୁ ନିଜେ ବର୍ଷେ ହେଲା ବାରମ୍ବାର ପ୍ରଶ୍ନ କରି ଚାଲିଛି
ଗାଡକଣାରେ ଆଶ୍ବିନର ନୁଆଁଣିଆ ସଂଧ୍ୟା ତା'ର କାୟା ବିସ୍ତାର କରି ଆସୁଥିଲା ଆଉ ଗୋଟିଏ ରାତି ପିଲାମାନେ ମୋ ସହ ରହିବେ ତା ବି ସମସ୍ତେ ନୁହେଁ ଅନୀତା, ପ୍ରଦୀପ ନିଜ ନିଜ ପରିବାର ସହ ଏଇ ରାତିରେ ହିଁ ବାହାରିଯିବେ ଗୀତୁ, ତା ସ୍ୱାମୀ ସକାଳୁ ବସରେ ଯିବେ ପ୍ରୀତମ ସହ ସାନ ବୋହୂ ତାଙ୍କ ବାପା ଘରକୁ ଯିବେ ତିନି ଦିନ ପରେ ସେମାନେ ବି ଆସାମ ବାହାରି ଯିବେ ପୁଣି ଆଉଥରେ ଆମେ ମୀନୁ ତା ଶାଶୁ ଘରେ, ମୋ ଘରେ ମୁଁ, ଏକୁଟିଆ ଅନ୍ତତଃ କିଛି ଦିନ ମୋତେ ଏକୁଟିଆ ରହିବାକୁ ପଡିବ ତା ପରେ ମୋ ଦିନଚର୍ଯ୍ୟା ଭିନ୍ନ ହୋଇଯିବ ମୁଁ ଏବଂ ମୋ ପିଲାମାନେ ଶୀତାଂଶୁ ଯେ ଆଉ ନାହାନ୍ତି!
Go Back to Previous Page
ସମାଧାନ
ଡା ସୁବାସ ଚନ୍ଦ୍ର ରାଉତ
Read Article
ଦୁଃଖ ଦେଇଗଲା ନୂଆ ବରଷ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ