ଅସରନ୍ତି ମାୟାଜାଲେ ଛନ୍ଦି
ଜୀବନର ସ୍ବର ଯାଏ ହଜି
ଛନ୍ଦହୀନ ଜୀବନରେ
ବେସୁରା ରାଗିଣୀ ତୋଳି
ଦୁଃଖହୀନ ସୁଖ ସାଥେ
ବଞ୍ଚିବାକୁ ଚାହେଁନାହିଁ
ଗଭୀର ନିଶାର ଅନ୍ଧାର ଛାଇରେ
ଚାନ୍ଦିନୀକୁ ଖୋଜେ ନାହିଁ
ପ୍ରଖର ଦାବାନଳେ ଶୀତଳ ସ୍ପର୍ଶ
ପାଇବାକୁ ଚାହେଁ ନାହିଁ
ସ୍ମୃତିକୁ ପାଶୋରି ଅଭିନୟ ସାଥେ
ବଞ୍ଚିବାକୁ ଚାହେଁ ନାହିଁ
ଭୋକିଲା ପେଟର ଆତୁରତା ନେଇ
ଜୀବନର ଗୀତ ଗାଉଛି ମୁହିଁ
ପୁଙ୍ଗୁଳା ପିଠିରେ ଜୀର୍ଣ୍ଣ ଶରୀରରେ
ଶୂନ୍ୟତାରେ ପୂର୍ଣ୍ଣ ପ୍ରାଣ ହୃଦୟରେ
ମୁଦା ଆଖିତଳେ, ଜୀବନ ସପନେ
ବଞ୍ଚିବାକୁ ଚାହେଁ ମୁହିଁ
ଗଙ୍ଗା ଗୋଦାବରୀ ପବିତ୍ରଧାରା
ଲୋଡ଼ାନାହିଁ ବୁଡ଼ାପାଇଁ
ତୀର୍ଥସ୍ନାନ କରି ପୂଣ୍ୟ ଅରଜନେ
ବିଶ୍ବାସତ ମୋର ନାହିଁ
ସ୍ବର୍ଗଦ୍ବାରେ ଦାହ ସଂସ୍କାର କରି ତ
ସ୍ବର୍ଗପ୍ରାପ୍ତି ଚାହେଁ ନାହିଁ
ପୂଣ୍ୟଜଳେ ମଡ଼ା ପ୍ରବାହ ହୋଇଲେ
ନଦୀକୁ ଦୂଷିତ କରଇ
ପାପର ଧନରେ ପୋଷି ହୋଇଥିଲେ
କଳୁଷକି ନାଶ ହୁଅଇ
ପାପପୂଣ୍ୟ ଯେତେ ଅଛି ଏ ମହୀରେ
ଜୀବନେ ଭୋଗିବା ପାଇଁ
ଘନ କୁହୁଡ଼ିର ବାଟ ଭାଙ୍ଗିଯେବେ
ସୌରକର ଆସେ ଉଦି
ଦିଗବଳୟ ହସେ ପ୍ରାଚୀ ନଭ ଦିଶେ
କୁଆଁତାରା ଯାଏ ଲୁଚି
ଅବୁଝା ମନକୁ ବୁଝାଇ କି ବାଟ
ଅଜଣା ପଥରେ ଚାଲିବାକୁ ଚାହେଁ ମୁହିଁ
ସୈକତେ, ସିକତା ସଦ୍ମ ଗଢ଼ିଦେଲେ
ବିଲୟ ତ କରେ ଉଦଧି ଲହରୀ
ଜନକଜନନୀ ପଦ ସେବିଥିଲେ
ପଡୁଥାଏ ନିତି ଆଶୀଷ ଝରି
ଧ୍ବନି ଫେରିଆସେ ପ୍ରତିଧ୍ବନି ହୋଇ
ଜୂଇର ଶିଖାରେ ସ୍ବର୍ଗପଥେ ଯାଇ
ମରିବାକୁ ଚାହେଁ ମୁହିଁ
ସମପ୍ରୀତି, ସମ୍ପାନ, ସମାବର୍ତ୍ତନରେ
ହୃଦେ ଜାଳ୍ଇ ସୌଭାତ୍ର ପ୍ରେମବହ୍ନି
ଶାଶ୍ବତ ପ୍ରେମର ସନ୍ନିପାତ ଧାରା
ଅମରତ୍ବ ରଚୁ ଭୁଲି ଆତ୍ମଗ୍ଲାନି
ଦେହାବସାନରେ ଅନ୍ତଃସ୍ବର ହୃଦେ
ଶିହରଣ ଦେଉ ଆଣି,
ଆତ୍ମା ଚିହ୍ନି ଆତ୍ମା ତୋଷ ହେଉ ସଦା
ସୁଖେ ବିତୁ ଦିବା ରଜନୀ
Go Back to Previous Page
ମଲାଜହ୍ନ
ଶୁଭସ୍ମିତା ବେହେରା
Read Article
କବିତା
ସ୍ବରୂପା ମହାନ୍ତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ