ଜୀବନରେ ସେହି ଦୁର୍ଦ୍ଦିନ ଗୁଡ଼ିକ ମନେ ପକାଇବାକୁ ଚାହୁଁନି ବିନୟ। ସେ ଦିନର କଥା ଗୁଡ଼ିକ ମନେ ପଡ଼ିଗଲେ ଏବେ ମଧ୍ୟ ତା ଲୋମ ଟାଙ୍କୁରି ଉଠେ। କି କଦର୍ଯ୍ୟ, କଦାକର ପରିବେଶ ମଧ୍ୟରେ ତା’ର ବାଲ୍ୟ ଅବସ୍ଥା କଟିଛି। ଭାଇଭଉଣୀ ମିଶି ନଅ ଜଣ। କାହାର ନାକରୁ ସିଂଘାଣି ବାହାରୁଥିବ ତ କାହା ମୁଣ୍ଡରେ ଉକୁଣୀ ଭୁରୁ ଭୁରୁ ହେଉଥିବ। ଖାଦ୍ୟସାର ଅଭାବରୁ କାହାର ପେଟ ଢୋଲ ପରି ବାହାରିକି ହାତ ଗୋଡ଼ ବଙ୍କା ହେଲାଣି ତ କିଏ ଭୋକରେ ଅନ୍ୟକୁ କାମୁଡ଼ିଲାଣି। ଯେତେବେଳେ ନଅ ନଅଟା ଛୁଆଙ୍କ ପାଟି ମା’ ସମ୍ଭାଳି ପାରେନି ଗୋଟିଏ କଂସାରେ କଂସେ ମୁଢ଼ି ସାଙ୍ଗକୁ ଗିଲସେ ନାଲି ଚା ଆଣି ଥୋଇଦିଏ। ବଗ ମାଛ ଟକ୍ ଟକ୍ ଖାଇଲା ପରି ସଭିଏଁ କୁଦି ପଡ଼ନ୍ତି ସେ କଂସା ଉପରେ। ଯୋର ଯା’ର ମୁଲକ ତାର ନ୍ୟାୟରେ ଯିଏ ପାରେ ସେ ଖାଏ ଆଉ ଯିଏ ପଛେଇ ଯାଏ ସିଏ ସେମିତି ଭୋକରେ ରହେ। ଘରର ସବୁଠୁ ସାନ ଛୁଆ ନ ଥିଲେ ମଧ୍ୟ ତାର ନମ୍ବର ଥିଲା ସାତ। କାଉଁରୀ କାଠି ଠାରୁ ଆହୁରି ନହ ନହାକା ଦେହରେ ଯୋର ପାଏନି ଭାଇଭଉଣୀ ସହିତ ଝଗଡ଼ା କରିବାକୁ। ସାନ ଭାଇ ଅଭୟର ବଳ ବହୁତ। ସେ ନିଜେ ଖାଇ ଦି ତିନି ମୁଠା ତା ମଇଳା ପେଣ୍ଟର ପକେଟରେ ଲୁଚେଇ ଆଣେ। ବିନୟ ଯେତେବେଳେ ଖାଇବା ନ ପାଇ ପରାସ୍ତ ସୈନିକ ପରି ଶୂନ୍ୟକୁ ଚାହିଁ ରହେ ତା’ ସାନ ଭାଇ ଅଭୟ ପଛପଟରୁ ଆସି ତା ଆଖି ବନ୍ଦ କରି ତା’ ପାଟି ଭିତରେ ମୁଢ଼ି ଦି’ମୁଠା ପକେଇ ଦିଏ ଆଉ ଖୁସିରେ ତା’ ବେକରେ ଓହଳି ପଡ଼େ। ଦୈବାତ୍ କିଛି ମୁଢ଼ି ଯଦି ତଳେ ପଡ଼ିଗଲା ଡାହାଣା କୁକୁର ପରି ତଳୁ ଗୋଟେଇ ସେ କଡ଼କଡ଼ କରି ଚୋବେଇ ପକାଏ। ସନ୍ଧ୍ୟା ହେଲେ ବାପା ଟାଂକେ ମଦ ପିଇ ହଲି ହଲି ଘରକୁ ଫେରନ୍ତି ହାତରେ ଗୋଟିଏ ଧଳା ବୋତଲ ଧରି ମା’କୁ ବରାଦ କରନ୍ତି ପିତା ଶୁଖୁଆ ଦିଟା ପୋଡ଼ିବା ପାଇଁ। ଛୁଆ କିଏ ଖାଇଲା ନ ଖାଇଲା କିଛି ବୁଝନ୍ତି ନାହିଁ।
ସେବେଠାରୁ ବିନୟ ମନରେ ବିଦ୍ରୋହ ଦେଖା ଦେଇଛି। କି ବାଜେ ଲୋକ ଏମାନେ। ଗୋଟିଏ ଛୁଆକୁ ପାଳିବାକୁ ବଳ ନାହଁ ନଅ-ନଅଟା ଛୁଆର ଭିଡ଼ ଲଗେଇଛନ୍ତି। ସକାଳ ପାଇଲେ ମା’ ତୋରାଣି ମୁନ୍ଦାଏ ପିଇ ଦୌଡ଼ିଯାଏ ଦାସ ବାବୁଙ୍କ ଘରକୁ ପାଇଟି କରିବାକୁ। ଫେରିଲା ବେଳକୁ କୋଉଦିନ ଶୁଖିଲା ରୁଟି ଦି’ଟା, ବାସି ତରକାରୀ ଆଣେ। ଦିନେ ଦିନେ ଖିରି-ପିଠା ବି ଆଣେ, ବିନୟକୁ ଭାରି ଈର୍ଷା ହୁଏ ମା’ ଉପରେ। ମା’ ନିଶ୍ଚୟ ଦାସ ବାବୁଙ୍କ ଘରେ ପେଟେ ଖାଇ ଯାହା ବଳୁଛି ତାଙ୍କ ପାଇଁ ଆଣୁଛି ନଚେତ୍ ମା’ କେବେବି ସେମାନଙ୍କ ପରି ଭୋକ ବିକଳରେ ପେଟ ଧରି କାନ୍ଦୁନି କେମିତି? ତା’ର କୋଉଠୁ ବଳ ଆସେ ମାଲିକ ଘରେ କାମ ସାରି ପୁଣି ଘରେ ଆସି ଏତେ କାମ କରିବାକୁ ? ଏସବୁ ଜାଣିବା ପାଇଁ ବିନୟ ଦିନେ ମାଲିକାଣୀ ଘରକୁ ଯାଇଥିଲା।
ସେ ଦେଖିଲା ମାଲିକାଣୀ ତା ମା’କୁ କହିଲେ ରାତିର ରୁଟି ଦୁଇଟା ବଳି ପଡ଼ିଛି ଖାଇବାକୁ। ମା’ ତା’ର କହିଲା ନାଇଁ ଭୋକ ନାହିଁ। ମୋତେ ଦେଇଦିଅ ମୁଁ ଘରକୁ ନେଇଯିବି। ମାଲିକାଣୀର ପୁଅ ଦେଖିବାକୁ ଭାରି ସୁନ୍ଦର। ଗୋରା ତକ ତକ, ଡଉଲ ଡାଉଲ। ତା ସାର୍ଟ ପ୍ୟାଣ୍ଟ ବହୁତ ସଫା। ମାଲିକାଣୀ କାଚ ଗିଲାସରେ ଗିଲାସେ ଧଳା ଧଳା ଦିଶୁଥିବା କଣ ଆଣି ତାଙ୍କ ପୁଅକୁ କହିଲେ - ନେ ଜଲଦି କ୍ଷୀର ପିଇ ଇସ୍କୁଲ ଯା। କ୍ଷୀର ପିଇଲେ ବଳ ଆସିବ। ପିଲାଟି କ୍ଷୀର ପିଇ, ବେକରେ ପାଣି ବୋତଲ ଓ କାନ୍ଧରେ ବସ୍ତାନି ପକେଇ ଇସ୍କୁଲ ଚାଲିଗଲା।
ବିନୟ ବେଇଗି ବେଇଗି ପାହୁଣ୍ଡ ପକେଇ ଘର ମୁହାଁ ହେଲା। ବାପା ଆସିବାର ସମୟ ହେଲାଣି। ସେ ଦେଖିଲା ବାପା କାଚ ବୋତଲଟିକୁ ଆଣି ଘର କଣରେ ରଖିଦେଲେ। ସେ କାଳ ବିଳମ୍ବ ନକରି ପିଇବାକୁ ମୁହଁ ପୁରେଇଛି ତା ପିଠିରେ ଦୁଲ୍ ଦାଲ୍ କଣ ଶୁଭିଲା। ବିନୟ ପଛକୁ ଅନେଇଲା। ଦେଖିଲା ତା ମା’ ରଣଚଣ୍ଡୀ ପରି ଆଖି ନାଲି କରି ତାକୁ ବିଧା ମାରି ଚାଲିଛନ୍ତି। ସେ ଅବୁଝା ଆଖିରେ ମା’କୁ ଅନେଇ ଥାଏ। ମା କହିଲା - ଲାଜ ଲାଗୁନି ହାଣ୍ଡିଆ ପିଇବାକୁ।
- ସେ ହାଣ୍ଡିଆ କଣ ଜାଣିନି ମା। ମୁଁ ଆଜି ଦେଖିଲି ତୋ ମାଲିକାଣୀ ତାଙ୍କ ପୁଅକୁ କାଚ ଗିଲାସରେ ଏମିତି ଧଳା ଧଳା ଦୁଶୁଥିଲା କଣ ପିଇବାକୁ ଦେଇ କହିଲେ ନେ କ୍ଷୀର ପିଇଦେ। ବଳ ଆସିବ। ସେଥିପାଇଁ ମୁଁ ଏ କାଚ ବୋତଲରେ କ୍ଷୀର ଅଛି ଭାବି ପିଉଥିଲି ବଳ ଆସିବ ବୋଲି। କାରଣ ବାପା ପ୍ରତିଦିନ ୟାକୁ ପିଇ ବଳବାନ ହୋଇ ତତେ ମାରୁଛନ୍ତି। ତୋ କାନିରୁ ପଇସା ଟାଣି ନେଉଛନ୍ତି। ମୁଁ ବି ୟାକୁ ପିଇ ବଳବାନ ହେବି। ବାପା ତୋତେ ମାରିଲା ବେଳେ ମୁଁ ତୋତେ ରକ୍ଷା କରିବି।
ମା’ର ରାଗ ନିଆଁରେ ପାଣି ପଡ଼ିଲା ପରି ଉଭେଇ ଗଲା। ସିଏ ବିନୟକୁ କୋଳକୁ ନେଇ ଖାଲି ଗେଲ କରିବାରେ ଲାଗିଲା। ଆଉ କହିଲା
- ବାପାରେ ତୁ କ୍ଷୀର ଆଉ ହାଣ୍ଡିଆ ଭିତରେ ଫରକ କଣ ଜାଣିଲୁନି? ହଁ କେମିତି ଜାଣିବୁ? ଜନମ ହେଲା ଦିନୁ କ୍ଷୀର କଣ ଦେଖିନୁ?
ତା ପଅରଦିନ ମା ତାକୁ ନେଇ ମାଲିକାଣୀ ପାଖକୁ ଗଲା। କହିଲା - ମା ମୋ ପୁଅକୁ କ୍ଷୀର ଟୋପାଏ ଦିଅନ୍ତନି? ସେ ଟିକେ ପିଅନ୍ତା। ମାଲିକାଣୀ କିଛି ନ କହି ତାତ୍ସଲ୍ୟଭରା ହସଟିଏ ହସି ଶୋଇବା ଘର ଭିତରକୁ ପଶିଗଲେ। ବିନୟର ମନ ଲାଖି ଯାଇଥିଲା କଳା ରଙ୍ଗର ବସ୍ତାନି ଉପରେ। କେଡ଼େ ସୁନ୍ଦର ଚିତ୍ର ହେଇଛି। ସେ ଲୁଚି ଲୁଚି ଯାଇ ବସ୍ତାନୀଟିକୁ ଛୁଇଁବାକୁ ଲାଗିଲା।
- ହେଇ ଏଠି କଣ କରୁଛୁ? ଛି! ତୋ ଦେହରେ କେତେ ଧୂଳି। ମା’ ଏଇ ଅସନା ପିଲାକୁ ତୁମେ ଘରେ ପୁରେଇ ଆମ ଘରକୁ ଅସନା କରି ଦେଲଣି। ତା ଜାମାଟିକୁ ଦେଖିଲ। ସେଥିରୁ କେତେ ଗନ୍ଧ ବାହାରୁଛି। ଏଇ ବାଲି ଧୂଳିରେ ଖେଳିଥିବା ଅସନା ପିଲାଟା ମୋ ବ୍ୟାଗ୍ ଛୁଇଁଛି। ମୁଁ କେବେବି ଆଉ ଏ ବ୍ୟାଗ୍ ଧରିବିନି। ଏ ବ୍ୟାଗ୍ ଧରିଲେ ମୋତେ ରୋଗ ହେଇଯିବ।
ଛୋଟ ହେଲେ ମଧ୍ୟ ବିନୟ ବୁଝି ପାରଥିଲା ତା ଦେହସାରା ଧୂଳି ବାଲି ଦେଖି ମାଲିକାଣୀର ପୁଅ ଏପରି କହିଲା। ସେବେ ଠାରୁ ସେ ନିୟମ କରିଥିଲା ସେ କେବେ ବି ବାଲି ଧୁଲିରେ ଖେଳିବନି ଆଉ ବଡ଼ଲୋକ ହେବ।
ସେବେଠାରୁ ତା ମନରେ ଏ ବାଲି ଧୂଳି ପ୍ରତି ଏକ ଘୃଣା ଭାବ ଜାଗି ଉଠିଛି ଯାହାକି ସେ ବଡ଼ ହୋଇ ବାହାସାହା ହେଲା ପରେ ମଧ୍ୟ ସେ ଭାବଟା ତା ମନରୁ ଯାଇନି। ସମୟ ଚାହୁଁ ଚାହୁଁ ବଦଳି ଯାଇଥିଲା। ସେ ଦିନର ଧୂଳି ବାଲିରେ ଗଡୁଥିବା ନୁଖୁରା ମୁଣ୍ଡିଆ ବିନୁକୁ ଲୋକେ ବିନୟ ବାବୁ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପାଦ ଘରେ ପଡ଼ିଲେ ଅସନା ହେଇଯିବ ବୋଲି ମାଲିକାଣୀର ପୁଅ ବେଖାତିର୍ କରୁଥିଲା ଏବେ ତାର ପାଦ କାହାଘରେ ପଡ଼ିଲେ ସେଇଟା ତା’ର ଭାଗ୍ୟ ବୋଲି ଭାବୁଛନ୍ତି। ସେ ମାଲିକାଣୀ ପୁଅର କଟୁକ୍ତି ଏବେ ବି ତା’ କାନ ପରଦାକୁ ଫଟେଇ ଦିଏ। ମାଲିକାଣୀର ତାତ୍ସଲ୍ୟ ହସ ବାରମ୍ବାର ତା ମାନସ ପଟରେ ଦେଖା ଦିଏ। ତା ଧୂଳି ଧୂସରିତ ଚେହେରା, ଭାଇ ଭଉଣୀଙ୍କର ରୋଗଗ୍ରସ୍ତ ଶରୀର, ମା’ର ଚୂଲି ଫୁଙ୍କିଲା ବେଳେ ଖୁଁ ଖୁଁ କାଶ ସବୁ ଗୋଟିଏ ପରେ ଗୋଟିଏ ଭାସି ଆସନ୍ତି ତା ମନର ପରଦାରେ। ତେଣୁ ସେ ସବୁବେଳେ ଚେଷ୍ଟା କରିଛି ନିଜ ଛୁଆକୁ ସବୁ ପ୍ରକାର ଆରାମ ଯୋଗେଇ ଦେବ। କେଉଁଥିରେ ଉଣା କରିବନି। ବାଲିରେ ଖେଳିବା ତ ଦୂରର କଥା ସେ ବାଲିକୁ ତା ଛୁଆର ଚପଲରେ ମାଡ଼ିବାକୁ ଦିଏନି। ଦୁନିଆଁ ଟା ଯାକର ଐଶର୍ଯ୍ୟ ସେ ତା ଛୁଆର ପାଦ ତଳେ ଲୋଟି ଦେଇଛି। ଆଜି ସେ ତା ପୁଅ ପାଇଁ ହଳେ ସ୍କେଟିଂ ଜୋତା ଆଣି ଦେଇଛି। ଯାହାକୁ ପିନ୍ଧି ତା ପୁଅ କୁନା ରାସ୍ତାରେ ବି ଉଡ଼ିବ।
ମନ ଆନନ୍ଦରେ ବିନୟ ନାଚି ଉଠୁଥିଲା, କିନ୍ତୁ “କୁନା କାହିଁ ଦେଖା ଯାଉନି?” ସବୁ ଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସ୍ ରୁ ଫେରିବା ପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ।”
କିଛି ସମୟ ପରେ ବିନୟର ଉଚ୍ଚ ସ୍ବରରେ ଘର କମ୍ପି ଉଠିଲା। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା। ଏଇୟା ସବୁ ଶିଖୁଛି ତୁମ ପୁଅ? ଦେଖ ତା ଦେହ ବାଲି ଧୁଳିରେ ଭର୍ତ୍ତି। ଦେହ ଖରାପ ହେଉ ମୋତେ କହିବ।” ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ। ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା? ତମେ ଖେଳୁନଥିଲ କି? ଜନ୍ମରୁ ଏସି ରୁମ୍ ରେ ବଢ଼ିଥିଲ ନା କଣ?” ବିନୟର ରାଗ ମୁଣ୍ଡ ଉପରକୁ ଚଢ଼ିଗଲା। ସିଏ କୁନାକୁ ଟାଣି ଆଣି ତା ଗାଲରେ ଦି ଚାପୁଡ଼ା ମାରି କହିଲା - “ତୋତେ ଲାଜ ଲାଗୁନି ମୋ ପୁଅ ହେଇ ଏଇ ବାଲି ଧୂଳିରେ ଖେଳିବାକୁ। ସୋସାଇଟିର ସେଇ ବାଜେ ପିଲାଙ୍କ ସହିତ ମିଶିବାକୁ।” କୁନା କଇଁ କଇଁ କାନ୍ଦି କହିଲା-
“ବାବା ସେମାନେ ବାଜେ ପିଲା ନୁହନ୍ତି। ସେମାନେ ମୋ ସାଙ୍ଗ। ଏକୁଟିଆ ଘର ଚାରି କୋଣରେ ପଡ଼ି ପଡ଼ି ମୁଁ ବ୍ୟସ୍ତ ହେଇଗଲିଣି। କେତେ ଟେଡି ବିୟର ସାଙ୍ଗରେ ଖେଳିବି। ମୋତେ ଜୀବନ୍ତ ସାଙ୍ଗ ଦରକାର ବାବା। ଏସବୁ ଖେଳନା ନୁହେଁ। ବାଲିରେ ଖେଳିବାରେ ଯେଉଁ ମଜା ଅଛି ସେ ମଜା ଏ ରଙ୍ଗ ବେରଙ୍ଗ ଖେଳନା ପାଖରେ ନାହିଁ। ବାବା ମୁଁ ଏକୁଟିଆ ରହିବାକୁ ଚାହୁଁନି। ମୋତେ ସାଙ୍ଗ ଦରକାର। ନଚେତ୍ ମୋର ଗୋଟିଏ ଭାଇ କି ଭଉଣୀ ଦରକାର, ଯା ସଙ୍ଗରେ ମୁଁ ଖେଳିବି। ଯାହାକୁ ମୁଁ ଖୁଆଇ ଦେବି। ଲୁଚକାଳି ଖେଳିବି। ତା କାନ୍ଧ ପଛପଟେ ହାତ ରଖି ଓହଳିବି। ଭାଇ ଭଉଣୀ ସାଙ୍ଗସାଥୀରେ ଯେଉଁ ଆନନ୍ଦ, ଖୁସି ସେ ସବୁ ଆଉ କୋଉଥିରେ ନାହିଁ।”
ସତେତ ଖାଇବାକୁ ନ ଥିଲା ବେଳେ ତା ସାନ ଭାଇ ତାକୁ କେତେଥର ଖୁଆଇଛି। ତା କାନ୍ଧ ପଛପଟେ ଓହଳିଛି। ସେମାନେ କେତେ ମଜା କରନ୍ତି। ବର ଓହଳରେ ଦୋଳି ଖେଳନ୍ତି। ସବୁ ଭାଇ ଭଉଣୀ ମିଶି ବାଡ଼ି ପୋଖରୀରୁ ମାଛ ଧରନ୍ତି। ସେ କେତେ ନଟୁ ଖେଳିଛି। ଭଙ୍ଗା କାଠ ପଟାରେ ବ୍ୟାଟ ବନେଇ ଖେଳିଛି। ସିଏ କିଏ ତା ପୁଅକୁ ଏ ସବୁଥିରୁ ଦୂର କରିବାକୁ?
ତାକୁ କିଏ ରାଗିକି ପଦେ କହିଥିଲା ବୋଲି ତା ପୁଅକୁ କାହା ସହିତ ଖେଳିବାକୁ ନ ଦେବା ତାର ଠିକ୍ ହୋଇନି। ଜୀବନର ସପ୍ତରଙ୍ଗ ଭିତରେ ଦୁଃଖ, ଖୁସି, ରାଗ ଏସବୁ ଯେ ଗୋଟିଏ ଗୋଟିଏ ରଙ୍ଗ ମାତ୍ର। ତେଣୁ ସେ ରଙ୍ଗରେ ତା ପୁଅକୁ ବି ରଂଗେଇ ଦେବ। ବିନୟ ବଡ଼ ପାଟିରେ ଚିଲ୍ଳେଇଲା
“ଯା କୁନା ଯା, ତୋ ସାଙ୍ଗ ମାନଙ୍କୁ ଡାକି ଆଣିବୁ। ଆଜି ମୁଁ ମଧ୍ୟ ସେମାନଙ୍କ ସହିତ ଧୂଳି ବାଲିରେ ଖେଳିବି। ମିନୁ ତମେ ବି ଆସ। ସମସ୍ତେ ମିଶି ଆଜି ଖେଳିବା। ବାଲିରେ ଘର ବନେଇବା”
ମିନୁ ଖୁସିରେ ନାଚି ଉଠୁଥିଲା। ସେ ଦେଖିଲା ବାହାରେ ଅସରାଏ ବର୍ଷା ହେଇଯାଇଛି। ସେ ପହିଲି ବର୍ଷାର ସ୍ପର୍ଶରେ ଶୁଖା ମାଟିରୁ ଏକ ମନ ମତାଣିଆ ସୁଗନ୍ଧ ଭାସି ଆସୁଛି ଯାହାକି ଭିଜେଇ ଦେଉଛି ବିନୟକୁ, ତା’ର ମନକୁ, ତା’ର ଶୋଇ ରହିଥିବା ଇଚ୍ଛାକୁ ଏବଂ ସର୍ବୋପରି ତା ମନରେ ଥିବା କଳା ବାଦଲ ସମ୍ପୁର୍ଣ୍ଣ ରୂପେ ଅପସରି ଯାଇଛି। ଅଗଣା ସାରା ସୂର୍ଯ୍ୟଙ୍କ କିରଣ ଚିକ୍ ଚିକ୍ କରି ଖେଳେଇ ଯାଉଛି।
ବିଜ୍ଞାନ ଶିକ୍ଷୟିତ୍ରୀ
ଲିଟିଲ୍ ହାର୍ଟସ୍ ଟଡ଼ଲର୍ସ୍ ଏକାଡେମୀ
ଅନୁଗୋଳ, ୭୫୯୧୨୨
ମୋ :- ୯୮୬୧୫୮୩୨୪୧
Go Back to Previous Page
ପିଲାଦିନ - କିଛି ସ୍ମୃତି କିଛି ଅନୁଭୂତି
ପ୍ରଶାନ୍ତ କୁମାର ନାଥ
Read Article
ଖେଳସାଙ୍ଗ ଦରକାର
ଅରବିନ୍ଦ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ