କାହା ପାଇଁ ବି ତମେ ଲୁହ ଗଡ଼ାଇବା ଉଚିତ ନୁହେଁ ।
ଯାହା ପାଇଁ ତମେ ଲୁହ ଗଡ଼ାଇବା ଉଚିତ,
ସେ କେବେ ତମକୁ କନ୍ଦାଇବା ଚାହେଁ ନାହିଁ ।
-Garbiel Gercia Markwes
ସତରେ...!
ଆମ ପାରିବାରିକ ଜୀବନ କଣ ଏତେ ବିପର୍ଯ୍ୟସ୍ତ ...?
ଜୀବନର ଅପରାହ୍ନରେ ବୃଦ୍ଧ ବାପାମା। ତାଳ ବରଡ଼ା ପରି ଧଡ଼ ଧଡ଼, ଆଜି ଅଛନ୍ତି କାଲିକି ରହିଥିବେ କି ନାହିଁ କି ଭରସା ...! ଅନ୍ତରଙ୍ଗ ଆହାଃ ପଦେ ପାଇଁ କେତେ ଡହଳ ବିକଳ! ଅପରାହ୍ନର ଛାଇ ପରି ଆଶା କିନ୍ତୁ କାୟା ତ ଖୁବ ଅସହାୟ। ବେଳ ଗଡ଼ିଯାଏ ବଳ ଭାଙ୍ଗିଯାଏ । ସଂସାରର ବୋଝ ଯିଏ ସାରା ଜୀବନ ଅନାୟାସେ ବୋହୁଥିଲା ସେ ଆଜି ସଭିଙ୍କର ବୋଝ !! ଏବେ ସେ ଅଲୋଡ଼ା ପାଲଟି ଯାଇଛନ୍ତି। ଲଗେଇଥିବା ଚାରାଟି ଆଜି ସବୁଜ ହେଲେ ଛାଇ ଟିକେ ଦେବାକୁ ସେ ଗଛ ଅସମର୍ଥ। ବୃଦ୍ଧ ବାପାମା’ ଘରର ମେଢ଼ୀ, ଆମର ଢାଲ। ସେମାନଙ୍କ ମଧ୍ୟ ଦେଇ ଆମେ ସଂସାରକୁ ଆସିଛୁ। ସେମାନେ ତିନି ପୁରୁଷ ଦେଇ ଆସି ଏଠି ପହଞ୍ଚି ଥିବାରୁ ସେମାନଙ୍କୁ ‘ତିନି ମୁଣ୍ଡିଆ’ କୁହାଯାଏ। ସେମାନଙ୍କ ପାଖେ ତିନି ପିଢ଼ି ଅନୁଭୂତିର ଗଣ୍ଠିଲି ମହଜୂଦ, ସବୁ ଆପଦର ସୂତ୍ର; ଅଥଚ ଆମେ ସେମାନଙ୍କୁ ଅନଭିଜ୍ଞ କହି ଆଡ଼େଇ ଦେଉ।
କଥାରେ ଅଛି :
‘ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟ
ଆପାତ କାଳ ଉପସ୍ଥିତେ’
ସେଥିପାଇଁ ସବୁ ସଭାସମିତିରେ ବୃଦ୍ଧ ଲୋକଙ୍କ ବିଚାରକୁ ପ୍ରାଧାନ୍ୟ ଦିଆଯାଏ ବୃଦ୍ଧ ବ୍ୟକ୍ତିଙ୍କ ବିନା ସଭା, ସଭା ନୁହେଁ ବୋଲି ଶାସ୍ତ୍ର କହେ;
‘ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ
ନ ତେ ବୃଦ୍ଧାଃ ଯେ ନ ବଦନ୍ତି ଧର୍ମଃ’
ସେମାନେ ଏ ବୟସରେ ଟିକେ ସ୍ନେହ ଆଦର ଲୋଡ଼ନ୍ତି କିନ୍ତୁ ଆମ ପାଖରେ ସମୟର ଘୋର ଅଭାବ। ଅସହାୟର ଥର ଥର ହାତ ଆମ ଆଡକୁ ବଢ଼େଇ ଦେଉଥିଲା ବେଳେ ସେମାନଙ୍କ ଭାବନାକୁ ଆଡ଼େଇ ଦେଇ ବଢ଼େଇ ଦେଉ ଯାତନା କଷଣର ଅସୀମ ବ୍ୟବଧାନ। ସେମିତ ହନ୍ତସନ୍ତ ହୋଇ ମନର ଦୁଃଖ ମନରେ ମାରି ଶେଷ ସମୟକୁ ଅପେକ୍ଷା କରିଥାନ୍ତି। ଏବେ ବାସୁ ପ୍ରଧାନର ବୁକୁ ଫଟା ଚିତ୍କାର କାହା ପାଖେ ପହଞ୍ଚି ପାରୁନି। ତା ଆତ୍ମାର କରୁଣ ବିଳାପ କାହା ପାଖେ ପହଞ୍ଚି ପାରୁନି। ସବୁ ଥାଇ ଆଜି ତାର କେହି ନାହାନ୍ତି। ବାପାମା’ଙ୍କ ଶ୍ରଦ୍ଧାର ମୂଲ କଣ ଏମିତ ...
ବିନୟ ଘରର ବଡ଼ପୁଅ। ଓଡ଼ିଶା ବିଚାର ବିଭାଗୀୟ ସେବା (OJS) ଚାକିରୀ କରି ସହରରେ ଅବସ୍ଥାପିତ। ଗାଁରୁ ଦେଢ଼ ଘଣ୍ଟାର ବାଟ ହେବ କି କଣ। ବିନୟ ସାନ ପୁଅ, ଏବେ ସରକାରୀ ଚାକିରୀ ପାଇଁ ଆବେଦନ କରୁଛି। ଗୋଟିଏ ବୋଲି ଝିଅ ଜୟନ୍ତୀ ଦି’ବର୍ଷ ହେବ ତା ବାହାଘର ସରିଛି। ବିନୟର ପୁଅ କୁନାକୁ ଏବେ ତିନି ପୁରି ଚାରି ଚାଲିଲା। ସଭିଙ୍କର ସେ ଭାରି ଗେହ୍ଲା ତା ଦରୋଟି କଥା ସମସ୍ତଙ୍କୁ କେମିତି ଗୋଟେ ମାୟା ଲଗେଇ ଦେଇଛି ସତେ। ତା ଯୋଗୁଁ ଘରଟା ହସ ଖୁସିରେ ସବୁଦିନ ଉତ୍ସବମୁଖର ହୋଇଉଠେ। ମିନୁ ଘରର ବଡ଼ବୋହୁ। ସବୁ କାମରେ ତା ଭାରି ନିଘା। ଖୁବ ଯତ୍ନଶୀଳା ଓ ବୁଦ୍ଧିମତୀ।
ଘରର ଚିତ୍ରପଟ ବଦଳାଇବାକୁ ଦଲକାଏ ଅଦୃଶ୍ୟ ପବନ ଯେମିତ ପଶି ଆସିଲା ଝରକା ଦେଇ। ରାତି ପହିବାକୁ ଆଉ କେତେ ଘଡ଼ି ବାକି। ମିନୁ ଖୁବ ଗମ୍ଭୀର ସଠିକ ଭାବେ ବୁଝି ପାରୁନି କଣ କରିବ ସେ ‘କିଂ କର୍ତ୍ତବ୍ୟ ବିମୁଢ଼’ ହୋଇ ଦୋଛକି ରାସ୍ତାରେ ଛିଡ଼ା। ମିନୁ ବହୁତ ଭାବି କହିଲା, “ଯାହା କରିବ ଆଗ ପଛ ବିଚାର କରି ଆଗକୁ ପାଦ କାଢ଼। ଏ ବୟସରେ ବାପାମା’ଙ୍କୁ ଏକା କରି ଯିବାଟା ଠିକ ହେବନି! ସେ ଘରର ମୁରବି। କଣ ଭାବିବେ ସାହି ପଡ଼ିଶା କହିଲ?” ଝିଟିପିଟିଟିଏ ତାଳ ଦେଇ ସତେ କହିଗଲା ଠିକ ଠିକ..! ଆଉ କୁନାର ଭବିଷ୍ୟତ? ବିନୟର କର୍କଶ ସ୍ୱର ବାରି ହୋଇପଡୁଛି। ଗାଁ ପିଲାଙ୍କ ମେଳରେ କଣ ଶିଖିବ ସେ? ଗାଁ ଦାଣ୍ଡରେ ଏମିତ ଧୂଳିମଳି ହୋଇ ଖେଳିବ।
ତା ପରେ ଅଜୟ ତ ଅଛି ..
ବିନୟ ଶେଷରେ ତା ନିଷ୍ପତି ବାପାଙ୍କୁ ଜଣେଇଦେଲା। ଆମେ ସହରରେ ରହିବୁ ବୋଲି ଭାବିଛୁ କୁନାର ଭବିଷ୍ୟତକୁ ଲକ୍ଷ୍ୟ ରଖି। ବାପା ତମେ ତ ଜାଣିଛ ଗାଁ ସ୍କୁଲର ପାଠ ପଢ଼ା। ତା ପରେ ଏଇ ପରିପାର୍ଶ୍ବିକ ଚାଲିଚଳଣି କୁନା ଉପରେ କୁପ୍ରଭାବ ପକେଇବ, ସେ ଏଇ ବାଜେ ପିଲାଙ୍କ ସହ ମିଶିଲେ ତା ଭବିଷ୍ୟତ ସହ ଖେଳିଲା ଭଳି କଥା ହେବ। ଆଉ ସୁବିଧା ଅସୁବିଧାକୁ ତ ଅଜୁ ଅଛି...। ଏ କଥା ଶୁଣି ବୁଢ଼ା ବାପାଟି ମୁହୂର୍ତ୍ତେ ନିର୍ବାକ ନିଥର। କଣ କହିବେ କିଛି ଭାବି ପାରୁନଥାନ୍ତି।
ସେଦିନ ବୁଢ଼ା ବାପାଟି ବହୁତ ବୁଝେଇବାକୁ ଚେଷ୍ଟା କରିଛି କିନ୍ତୁ ବିନୟର ଦୃଢ ନିଷ୍ପତିର ସୁଅ ଆଗେ ବୁଢ଼ା ବାପାର ଆକୁଳ ନିବେଦନ ସାମାନ୍ୟ ବାଲି ବନ୍ଧ ହୋଇ ରୋକିବାର ପ୍ରୟାସ ... ବୋଉ ସବୁ ଶୁଣୁ ଥାଏ ଏବଂ କହିଲା, “ସେମାନେ ଯଦି ତାଙ୍କ ଜିଦ୍ଦରେ ଅଟଳ ସେମାନଙ୍କୁ ଯିବାକୁ ଦିଅ” ତମେ ଆଉ ବାଡ଼ ହୁଅନା।
ଆଜିର ସକାଳ ସବୁଦିନ ସକାଳ ପରି ନଥିଲା। ଭୋରୁ ଭୋରୁ ସବୁ କିଛି ଉଦାସରେ ଭାରାକ୍ରାନ୍ତ। ଆଜି କିନ୍ତୁ ସବୁ କିଛି ବଦଳି ଯାଇଛି। ସେମାନେ ଘରୁ ଗୋଡ଼ କାଢ଼ି ଚାଲି ଯାଉଛନ୍ତି, ସେ ସମୟରେ ରେଡ଼ିଓରୁ ଭାସି ଆସୁଛି.. ‘ବେଙ୍ଗ କହେ ବେଙ୍ଗୁଲିଲୋ ଦୁନିଆ କ୍ଷଣ କ୍ଷଣ କେ ଆନ...’
ସେମାନେ ଗଲାପରେ ଘରଟା ଖାଁ ..ଖାଁ ..ଲାଗୁଛି। ଖୁବ ଗାଢ଼ ଓ ବହଳ ନୀରବତା ଏ ଘରୁ ସେ ଘରକୁ ବଢ଼ି ବଢ଼ି ଯାଉଛି ନିର୍ଜନର ଗଭୀରତା। ରାତି ଆସି ଅଧା ହେଲାଣି ବାପାମା’ କାହା ଆଖିକୁ ନିଦ ଆସୁନି। କୁନାର ଭାବନା ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି। ତା’ର ଦାରୋଟି କଥା ସନ୍ତର୍ପଣରେ ଯେମିତି ପଶି ଆସୁଛି ତାଙ୍କ ଭାବନା ମଧ୍ୟକୁ।
ଆବେଗର ବେଗ ଚଳଚଞ୍ଚଳ ତ କେବେ ନିରବ ନିଶ୍ଚଳ। ଅମାପ ଏ ଶୂନ୍ୟତା ଭିତରେ ଅହରହ ମୁହୂର୍ତ୍ତର ଗତି। ସମୟ କେବେ ପରସି ଦିଏ ଫାଙ୍କା ଫାଙ୍କା ସମ୍ମୋହନ ତ କେବେ ପୁଣି ଯାତନା ଦହନ। ସମ୍ପର୍କର ମିଶାଣ ଫେଡ଼ାଣ ଦେଇ ଅତିକ୍ରମ କରିଥିବା ମୁହୂର୍ତ୍ତମାନେ ସବୁ ଏମିତି। ସବୁଠି ଏବେ ନିର୍ଜୀବ ଆଦର। କେତେ ଉଠାଣି ଗଡ଼ାଣି ଭିତରେ ବାନ୍ଧି ରଖିବାକୁ ବହୁତ ଚେଷ୍ଟା କରିଥିଲେ ସେମାନେ, ହେଲେ ଅତ୍ମୀୟତାର ହାତମୁଠା ଦୁର୍ବଳ କି ଅଜାଣତେ ମୁକୁଳା ହୋଇ ଯାଇଥିଲା କେଜାଣି!
କିଛି ଦିନପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ କିରାଣୀ ଭାବେ ନିଯୁକ୍ତି ପାଇଛି ଅଜୟ। ବାପା ମା ଟିକେ ଆଶ୍ବସ୍ତ ବୋଧ କଲେ। ଅଜୟର ବାହାଘରକୁ ଛ ମାସ ପୁରିଛି କି ନାହିଁ, ଅଜୟ ଆସି ବାପାଙ୍କୁ କହିଲା, “ବାପା, ତମ ବୋହୁ କହୁଥିଲା ଆଗକୁ ପଢ଼ିବ କିନ୍ତୁ ଏଠି ରହି ସେ ପାଠ ପଢ଼ିବା ଅନୁକୂଳ ନୁହେଁ ବୋଲି ସେ କହୁଥିଲା।” ମା କହିଲା ସେମାନଙ୍କୁ ଯିବାକୁ ଦିଅ। ବାଧ୍ୟ କରି ଅଟକାଅନା।
ଏ ଉତ୍ତର ବୟସରେ ପିଲାମାନେ ବାପାମାଆଙ୍କର ସାହାରା ହେବା କଥା। କିନ୍ତୁ ସେମାନେ ଏବେ ଥର ଥର ହାତରେ ନିଜେ ଦି’ମୁଠା ରୋଷେଇ କରି ଖାଆନ୍ତି। ଝିଅ ଜୟନ୍ତୀ ଦି’ଭାଇଙ୍କୁ ବାପାମା’ଙ୍କ ଅବସ୍ଥା କଥା ଅବଗତ କରିବା ସତ୍ୱେ ସେମାନେ ଜାଣି ଶୁଣି ଅଜଣା। ଜଣେ ଆର ଜଣକ ଉପରକୁ ଠେଲି ଦିଏ। ସେମାନେ ବାପାମା’ଙ୍କୁ ପାଖରେ ରଖିବାକୁ ଏକମତ ହେଲେ ଯାହାକୁ ହେଲେ ବି ଜଣକୁ ରଖିବେ। ବାପା ଅଜୟ ପାଖରେ ଥିଲା ବେଳେ ମା ବିନୟ ପାଖରେ। ଏମିତ ପାଳି କରି ବୁଲାନ୍ତି। ଏ ବୟସରେ ସେମାନେ ଖୁବ ଅନ୍ତରଙ୍ଗ ହୋଇଥାନ୍ତି ଉଭୟ ଉଭୟଙ୍କ ପାଇଁ। ଶରୀର ଅପେକ୍ଷା ଆତ୍ମାର ସମ୍ପର୍କ ଅଧିକ ଥାଏ। ଜଣେ ଜଣକୁ ପାଖରେ ନ ପାଇ କେତେ ଅସ୍ବସ୍ତିବୋଧ କରନ୍ତି, ଏ କଥା ପିଲା ମାନେ କାହୁଁ ବୁଝିବେ ?
ଦୁଇପୁଅଙ୍କୁ କେବେ ଫୁରୁସତ ମିଳିଲେ ସିନା ମାବାପାଙ୍କ ସହ ଟିକେ କଥା ହେବେ! ନାତି ଟୋକା ସହ ଯାହା ସମୟ କାଟିଯାଏ, ନହେଲ ଗୁମମାରି ନିଦା ପଥର ଗୋଟେ ଜାଗାରେ ବସି ରହିବା ବ୍ୟତିରେକ ଆଉ କିଛି ଉପାୟ ନାହିଁ। ବାପା ମା ପୁଣି ଥରେ ଗାଁକୁ ଫେରିଯିବାକୁ ମନସ୍ତ କଲେ। ଜଣେ ଜଣକ ଠାରୁ ଦୂରରେ ରହିବା ମାନସିକ ଯନ୍ତ୍ରଣା ଭୋଗିବା ଠାରୁ ଗାଁରେ ରହି ହାତେ ରାନ୍ଧି ରହିବା ବହୁଗୁଣେ ଭଲ।
ଗାଁ ଘର ପ୍ରତି ଟିକେ ନିଘା ନ ରହିଲେ ବାପା ଜେଜେ ଅମଳର ମାଟି ଘରଟା ମାଟିରେ ମିଶିଯିବ ତମେ ତ ଗାଁ ପ୍ରତି ସବୁ ମୋହ ତୁଟେଇ ଦେଲ। ଯଦିଓ ଦେଢ଼ ଘଣ୍ଟାର ବାଟ ତମେ ଗାଁରୁ ଯିବା ଆସିବା କରି ପାରନ୍ତ! ବାପା ଉଦାସ କଣ୍ଠରେ କହିଲେ ୍। ବାପମା’ ଗାଁକୁ ଫେରିବାପରେ ଅଜୟ, ବିନୟ ଆଶ୍ବସ୍ତର ଏକ ଦୀର୍ଘ ନିଶ୍ୱାସ ମାରିଲେ। ବାପା ଗାଁକୁ ଆସି ଦେଖନ୍ତି, ଘରଟା ଭୁତ କୋଠି ହୋଇ ଯାଇଛି। ଦାଣ୍ଡ ପିଣ୍ଡା ତ ମୂଷା ଗାତରେ ଆଁ। ଗୁହାଳ ଘର କାନ୍ଥକୁ ଡେରା ହୋଇ ରହିଥିବା ଶଗଡ଼ ଚକରେ ଅଧାରୁ ଅଧିକା ଉଈ ଚରି ଗଲେଣି। ଘର ସାରା ଅଳନ୍ଧୁରେ ଭର୍ତ୍ତି।
ସ୍ନେହ ସମ୍ପର୍କକୁ କଣ ଭାଗ ବାଣ୍ଟି କଣ ଯତ୍ନରେ ରଖି ହେବ?
ପୁଣି ଚିରା ଚରିତ ଧାରାର ପୁନରାବୃତି। ଅୟମାରମ୍ଭ....
ମୁହଁ ସଞ୍ଜ ସମୟ ବାପା ଦାଣ୍ଡ ପିଣ୍ଡାରେ ବସି କେଜାଣି କାହିଁକି ଆଜି ମଗ୍ନ ହୋଇ ଯାଇଛନ୍ତି ଧୂଳିରେ ଦୁଇ ଜଣ ପିଲା ଖେଳୁଥିବାର ଦେଖି।
ବାସୁ ଭାଇ ...! ବାସୁ ଭାଇ..!
କାହାର ଡାକ ଶୁଣି ପ୍ରକୃତିସ୍ଥ ହୋଇ ଫେରି ଆସିଲେ ମଗ୍ନ ରାଇଜରୁ ..
ବାସୁ ଭାଇ! କେବେ ଆସିଲ ପିଲାଙ୍କ ପାଖରୁ୍? ତୋର ତ ଦୁଃଖ ଗଲା ଜାଣ! ଦୁଇ ଦୁଇଟା ଚାକିରିଆ ପୁଅ। ବୋହୁ ମାନଙ୍କ ସେବା ଆଦର। ନାତିନାତୁଣୀଙ୍କ ଗହଣରେ ତୁ ସବୁ ଭୁଲି ଯାଉଥିବୁ, ନା.. ରେ!!
ବାସୁ ଭାଇ, ହେଲେ ମୋ କପାଳ ତ ଫଟା ..! ମୋର ସିନା ଗୋଟିଏ ବୋଲି ପୁଅ। ପୁଅ ତ ଅଯୋଗ୍ୟ। ପାଠ ସାଠ ଦି ଅକ୍ଷର ପଢ଼ିଥିଲେ ସେ ଏବେ ବିନୟ ପରି ଜଣେ ହାକିମ ହୋଇଥାନ୍ତା! ମୁଁ କଣ ଆଉ ଏତେ ହୀନସ୍ତା ହେଉଥାନ୍ତି? ଆମେ ରକତକୁ ପାଣି କରି କାହା ପାଇଁ ସଂଚୟ କରିଥିଲୁ ?
କଣ ‘ଅଇରି ଖପରା ବଇରୀବାଆ’ ହେବ ପାଇଁ !
ବୋହୁ ନିଜେ ଭଲ ମନ୍ଦ କରି ଖାଉଛି। ମତେ ଓଳିଏ ଦେଲେ ଆର ଓଳି ଖାଡା ଉପାସ। ଥରେ ପୁଅକୁ କହିଲି ବହୁତ ଦିନ ହେବ ପାଟିରେ ଆଇଁସ ଟିକେ ବାଜିନି ଟିକେ ଝୋଳ କଲେ ହୁଅନ୍ତା ନି ..! ମୋ ପାଟିରୁ କଥା ସାରିଛି କି ନାହିଁ ବୋହୁ ଆସି ମୁହେଁ ମୁହେଁ ଶୁଣେଇ ଦେଲା, “ବୁଢା ବୟସରେ ଏତେ ସଉକ କଣ ମ! ଏ ସମୟରେ ଲୋକ ମାନେ ଧର୍ମ କର୍ମ କଥା ଭାବନ୍ତି, ତମେ କଣ ପାଟି ସୁଆଦିଆ ବାରୁଛ?” ସେ ଦିନଠୁ ଲୁଣ ଆମ୍ବୁଲ ମୋ ସାହା। ବାସୁ ପ୍ରଧାନ ସବୁ ନୀରବରେ ଶୁଣୁଥାଏ କଣ ବା ଆଉ କହିଥାନ୍ତା, ଅଜାଗା ଘା ଦେଖି ହଉଛି ନା ଦେଖେଇ ହଉଛି!
ମନୋରଥ ସବୁ ତ ଅତଡ଼ା ଖାଇ ଗଲାରେ...
‘ମନୋରଥାନା ମଟତଃ ପ୍ରପାତଃ’
ଆଜି କାଲି ବୋଉର ଦେହ ଜମା ଭଲ ରହୁନି। କିଛି ଦିନ ହେବ ବିଛଣା ଧରିଲାଣି। ପୁଅ ବୋହୂଙ୍କର ଏ ଯାଏଁ ଦେଖାନାହିଁ। ଝିଅ କେବେ କେମିତ ଆସି ଯାହା ଦେଖା ଶୁଣା କରିଯାଏ। ବିନୟକୁ କେତେ ଥର କହିଲିଣି, ବୋଉ ତମ ମାନଙ୍କୁ ଖୋଜୁଛି। ବୋଉର ଅବସ୍ଥା ଏବେ ଅଣାୟତ। ତା’ପର ଦିନ ସେମାନେ ଆସିଲା ବେଳକୁ ବୋଉ ଆର ପାରିକୁ ଚାଲି ଯାଇଥାଏ।ବଡ ଆଡମ୍ବରରେ କ୍ରିୟାକର୍ମ ସାରି, ଯିଏ ଯା ବାଟରେ ବୁଢା ବାପାଟିକୁ ଏକା ଛାଡି ଚାଲିଗଲେ।
ଏତେ ବଡ଼ ଘରଟା ଶୂନଶାନ ମାଡ଼ି ବସିଲା ପରି ଲାଗୁଛି। ଦିନେ ଏ ଘରେ କେତେ ଗହଳ ଚହଳ ପଡୁଥିଲା ଏବେ ନିରୋଳା ଖାଁ... ଖାଁ ଗୋଡ଼ାଉଛି। ବୁଢ଼ା ବାପା କଥା ସଭିଏଁ ଏକ ବାର ଭୁଲି ଯାଇଥିଲେ। ଅଶିତପର ବୟସରେ ଆଉ ସେ ସଳଖି ଛିଡା ହେବାକୁ ଦମ୍ଭ ନାହିଁ । ବଙ୍କୁଲି ବାଡ଼ିଟି ଯାହା ସାହା ନିଜେ ଏଠୁ ସେଠୁ କୁଟାକାଠି କିଛି ଯୋଗାଡ଼ କରି ଚୂଲି ଲଗେଇବାକୁ ଚେଷ୍ଟା କରୁଛି। ଆଖ ପାଖ ସବୁ ଧୁଆଁମୟ। ବୁଢ଼ା ବାପାଟି ଏତେ ସରି ହେଲାଣି ପିଲାମାନଙ୍କର ଟିକେ ବି ନିଘା ନାହିଁ। ଝିଅ କେତେବେଳୁ ଆସି ଠିଆ ହୋଇ ସବୁ ଦେଖୁଛି। କେତେ ହିନସ୍ତାରେ ତା ବୁଢ଼ା ବାପା। ଆଖି ଛଳ ଛଳ ହୋଇ ଯାଉଥାଏ। ସେ ସେମିତ ପୂର୍ବବତ ଛିଡ଼ା ହୋଇଛି ଆଗକୁ ପାଦ ଆଉ ଯାଉନି। ବାପା ଫୁଙ୍କନଳାରେ ଫୁଙ୍କି ଫୁଙ୍କି ନୟାନ୍ତ ନିଆଁ ଧରାଇ ପାରୁନି, ଧୁଆଁରେ ଅଣନିଶ୍ୱାସୀ ହୋଇ ବାହାରକୁ ଚାଲି ଆସିଛି। ଝିଅକୁ ସମୁଖରେ ଦେଖି ତା ଆତ୍ମା ବିଳପି ଉଠିଛି। ଝିଅକୁ କୁଣ୍ଢେଇ ବୁଢ଼ାବାପାଟି ଭୋ.. ଭୋ .. ହୋଇ କାନ୍ଦି ଉଠିଲା। ତଥାପି ଝିଅ ନିଶ୍ଚଳ ନିଥର, ଏକବାର ସ୍ଥାଣୁ ପାଲଟି ଯାଇଥାଏ। ଏ ଅଭାବନୀୟ ପରିସ୍ଥିତି ଦେଖି।
ବାପାଙ୍କୁ କେବେ କାନ୍ଦିବାର ଦେଖିନି। ସେଦିନ ଶାଶୁଘର ଗଲା ଦିନ ଆଉ ଆଜି। ଝିଅ ମନେ ମନେ ସଂକଳ୍ପ କଲା ମତେ ହିଁ କିଛି କରିବାକୁ ପଡ଼ିବ।
ଅଜୟ ବିଜୟ ଏବେ ଏ ଘର ଡିହ ଆଉ ଜମି ଯାହା ଅଛି ସବୁ ବିକ୍ରି କରିବାର ଯୋଜନା ଝିଅ କାନରେ ପଡ଼ିଲା। ଦି ଭାଇ ଭିତରେ ଭାଗ ବଣ୍ଟା କରିଦେଲ ପାଇଟି ସରିବ ବୋଲି ଗାଁ ମୁରବି ମତ ଦେଲେ ଆଉ ବୁଢ଼ାବାପାକୁ ପାଳି କରି ରଖିବେ।
ଦୁଇ ଜଣ ଭାଇଙ୍କ ପାଖକୁ କୋର୍ଟ ନୋଟିସ ଆସିଛି। ସ୍ଥାବର ଅସ୍ଥାବର ଯାହା ବି ସମ୍ପତି ସବୁ ତିନି ଭାଗ ହେବ। ମୋର ବି ନ୍ୟାଯ୍ୟ ଅଧିକାର ଅଛି। ଦୁଇ ଭାଇଙ୍କୁ ପକ୍ଷ ରଖିଛି ଜୟନ୍ତୀ। ସର୍ତ୍ତ ସେ ଜଣେଇ ଦେଇଛି ଯେ ବାପାଙ୍କର ସମ୍ପୂର୍ଣ୍ଣ ରକ୍ଷଣ ବେକ୍ଷଣ ଯିଏ ନେବ ସେ ଭାଗ ତା ନାମରେ କରାଯିବ।
ବିନୟ ସହରରେ ଏକ ଦ୍ୱିତଳ କୋଠା ତୋଳିଛି। ଘର ପଛ ପାଖକୁ ଚାକର ବାକର ରହିବ ପାଇଁ ଘରଟିଏ କରିଛି। ବାଘ ଭଳି କୁକୁରଟିଏ ବାଲକୋନୀ ଏପଟ ସେପଟ ଟହଲ ମାରୁଛି। ତା ପିଛ ଦିନକୁ ୨୦୦ ଟଙ୍କାରୁ କମ ଖର୍ଚ୍ଚ ହେବନି। ସହରରେ ତା’ର ଭାରି ଖାତିର। ବହୁ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ସେ ଉଚିତ ନ୍ୟାୟ ଦେଇଥିବାରୁ। ତାର ସମ୍ମାନ ସ୍ୱତନ୍ତ୍ର। ସବୁ ମାସରେ ଥରେ ଅଧେ ଜରାଶ୍ରମ ବୁଲିଯିବାକୁ ଯାଏ। ସହାୟତା ରାଶି ଦେବାକୁ ଭୁଲେନି ଜମା। ସବୁ ବେଳେ ଅଫିସରୁ ଫେରି କୁନା ସହ ଖେଳେ, ଗପ କୁହେ, ଗୁରୁଜନ ମାନଙ୍କୁ ଭକ୍ତି କରିବାକୁ ଉପଦେଶ ଛଳରେ ଗପ କହେ। ସବୁଦିନ ପରି ଆଜି କୁନାକୁ ଖୋଜି ବିନୟ ବିରକ୍ତି ପ୍ରକାଶ କରିଛି। “କୁନା କାହିଁ? ଦେଖା ଯାଉନି? ସବୁ ଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସରୁ ଫେରିବା ପରେ ନିଜର ଏକ ମାତ୍ର ଗେହ୍ଲାପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଜମା ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ।”
କିଛି ସମୟ ପରେ ବିନୟର ଉଚ୍ଚ ସ୍ୱରରେ ଘର କମ୍ପି ଉଠୁଥିଲା। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା। ଏଇଆ ସବୁ ଶିଖୁଛି ତମ ପୁଅ? ଦେଖ ତା’ ଦେହ... ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ, ମତେ କହିବ!”
ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହିଲା, “ଓହୋ, ପିଲାଟା ଟିକେ ଖେଳି ଦେଲା ଯେ କଣ ହୋଇଗଲା? ତମେ ଖେଳୁନଥିଲ କି? ଜନ୍ମରୁ AC ରୁମରେ ବଢ଼ିଥିଲ ନା କଣ?”
ଉତୁରୁଥିବା ଭାତ ହାଣ୍ଡିରେ ହଠାତ କିଏ ଅବା ପାଣି ଛିଟା ମାରିଦେଲା। ସ୍ମୃତିର ଚିତ୍ରପଟ୍ଟ ଫେରିଗଲା ସେଇ ପିଲାଦିନର ସେ ମୁହୂର୍ତ୍ତକୁ।
ଜାଙ୍ଗୁଲ ଜାଙ୍ଗୁଲ ଅନ୍ଧାର ଗାଈଗୋଠ ଫେରି ଆସିଥାନ୍ତି। ଗାଁ ଦାଣ୍ଡଯାକ ଏକ ଧୂଳିର ଆବରଣ। କମାର ଘର ବୁଢ଼ୀ ମା କହିଲା, “ହଇରେ ବିନୁ! ଆଜି ପରା ବାଟ ଓଷା ଦାଣ୍ଡରେ ବାଲି ଗଦା କରିବନି କି?” ଏତିକି ତ କହିଛି ଯେମିତ ହେଲେ କାମ ଫତେ କରିବା ଦରକାର। ଆମ ସାହିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଦାଣ୍ଡରେ ଯେତିକି ବାଲି ଥିଲା ପାହାଡ଼ ଭଳି ଗଦା କରିଦେଲୁ ଆମ ସାହି ପିଲା ମିଶି। ଯେମିତ ହେଲେ ଆର ସାହି ଠାରୁ ଆମ ବାଲିଗଦା ଉଚ୍ଚ ହେବା ଦରକାର। ସଞ୍ଜ ଗଡ଼ି ଯାଇଥାଏ। ମନେ ମନେ ଖୁସି ହୋଇଥାଏ ଆଜି ଆଉ ସଂଜରେ ପାଠ ପଢ଼ା ହେବନି। ନହେଲ ସବୁ ଦିନ ଅଙ୍କକଷା, ପଣିକିଆ ଘୋଷା, ଲଣ୍ଠନ ପୋଛା, ବୋଉର କେତେ କାନ ମୋଡ଼ା ଅକ୍ଷର ଟିକେ ସଳଖି ଲେଖିବା ପାଇଁ; ଓଃ.. ଆଜି ଟିକେ ନିସ୍ତାର...! ଏମିତ ଭାବି ଯାଉ ଯାଉ। ଘରେ ପହଁଚିଛି କି ନାହିଁ, ବାପାଙ୍କ ଗମ୍ଭୀର ସ୍ୱର, “ହଇରେ...! ଆଜି କଣ ପାଠ ପଢ଼ା ହବନି? ବାଲି ଧୂଳିରେ ମୁଁ ପୋତି ହୋଇ ଯାଇଥାଏ। ମୋର ଏ ଧୂଳି ଧୂସରିତ ଦେହ ଦେଖି ଭାବିଲି ଆଜି ଉତ୍ତମ ମଧ୍ୟମ ନିଶ୍ଚିତ ହେବ” ଏତେ ବେଳ ଯାଏ କେଉଁଠି ଥିଲୁ? କଣ କରୁଥିଲୁ? ଯା ଭଲରେ ଗୋଡ଼ ହାତ ଧୋଇ ପାଠ ପଢ଼ିବୁ ...”
ମନ ତ ଯାଇ ବାଲି ଗଦା ପାଖରେ ଘୁରି ବୁଲୁଥାଏ, ନାଁ’କୁ ବହିଟା ଖୋଲି ବାଆଁରେଇ ହେବା ଛଡ଼ା ଆଉ ଉପାୟ ନାହିଁ ... ଦାଣ୍ଡରେ ପହଁଚିଲା ବେଳକୁ ଓଷା ଆରମ୍ଭ ହୋଇ ଯାଇଥାଏ... କମାରଘର ବୁଢ଼ୀମା’କୁ ଅଶୀତପର ହେବ କି କଣ, ସେ ଏ ଡିବି ଆଲୁଅରେ କେମିତ ପ୍ରାଞ୍ଜଳ ପଢ଼ି ପାରୁଥାଏ କେଜାଣି?
ମୋ ବୁଢ଼ୀ ମା ମତେ କାଖେଇ ଦାଣ୍ଡ ପହଁରିଲା, କାଳେ ଏମିତ କଲେ କିଛି ବି ରୋଗ ଛୁଇଁବ ନାହିଁ!
ଢିଙ୍କିଶାଳେ ଆମ ରୋଷେଇ ହୁଏ। ମାଟି ପଲମରେ ଚକୁଳି ପିଠା ସେଇଠି ବସି ଖାଇଛୁ। ବୋଉ ଝିଅକୁ କାଖେଇ ଢ଼ିଙ୍କି କୁଟୁଥିବାର ମନେ ପଡୁଛି। ଆଜି ସେ ଢ଼ିଙ୍କି ନାହିଁ କି ଢିଙ୍କିଶାଳ ନାହିଁ। ପରିଡା ଘର ଝରକାରେ ଲାଠି ଭାଙ୍ଗି ଛିଡ଼ା ହୋଇ tv ଦେଖୁଥିବାର ବାପା ଆମକୁ ଦେଖିଲା ପରେ ଏଥର ସବୁ ଅମଳ ହେଇଥିବା ତିନି ଗାଡ଼ି ଧାନ ବିକି କଳାଧଳା tv ଆଣିଲେ... ସେତେବଳେ ଆମକୁ ବହୁତ ଖୁସି ଲାଗୁଥାଏ ଏବେ କିନ୍ତୁ ବାପାଙ୍କ ସ୍ୱାଭିମାନ କଥା ଏବେ ବୁଝିପାରୁଛୁ। ପୋଖରୀରେ ବାପାଙ୍କ କାନ୍ଧରେ ଭରାଦେଇ ଆମେ ପହଁରା ଶିଖିଛୁ କିନ୍ତୁ ଆଜି ସେ ଦୁଃଖ ଦରିଆରେ ଭାସି ବୁଲୁଛନ୍ତି ଥଳକୂଳ ଟିକେ ପାଉନାହାନ୍ତି। ବାପାଙ୍କ ସହ କେତେଥର ବିଲକୁ ଯାଇଛି ଶଗଡ଼ରେ କଳେଇ ଆଣିଲାବେଳେ ସବୁଥର ଜିଦିକରି ଶଗଡ଼ ଉପରେ ବସିଛି। ବାପରେ ଆଜି ନ ବସିଲେ ହବନି? ଦେଖୁଛୁ ଝୁରା ହେଇଗଲାଣି! ମୁଁ ମୁହଁ ଫୁଲେଇ ରୁଷିବାରୁ, ବସିଲି। ମୁଁ ବା କଣ ବୁଝେ ଝୁରା ତପାଳ କଣ? ବାପା ଏବେ ଆମ କାନ୍ଧରେ ସତେ ଝୁରା ହୋଇଯାଇଛନ୍ତି... ସେ ଭାର ଆମେ ବୋହିବାକୁ ଅସମର୍ଥ।
ପଣା ସଂକ୍ରାନ୍ତିରେ ଗାଁରେ ଦାଣ୍ଡଯାତ୍ରା ହୁଏ ଦଣ୍ଡୁଆମାନେ ଝାମୁ ଚାଲନ୍ତି ଏତେ ଗହଳି ଯେ ଆମେ ସାନସାନ ପିଲା କିଛି ଦେଖି ପାରୁନଥାଉ, ବାପା ଆମ ଦୁଇଭାଇଙ୍କୁ କାନ୍ଧରେ ବସାଇ ଦେଖାନ୍ତି।
ବାପା ଏକା ଖାଉଥିବାର ମୁଁ କେବେ ଦେଖିନି, ପିଲାଙ୍କ ସହ ନଖାଇଲେ ଭାତ ଗୁଣ୍ଡାଏ ବି ଯାଏନି ତାଙ୍କର। ଆଳୁଚପ ମୋର ଭାରି ପ୍ରିୟ, ବାପା ଯେବେ କୁଣିଆ ଘର ଯାଆନ୍ତି ଫେରିଲା ବେଳେ ବରା ଆଳୁଚପ ପୁଡ଼ିଆଟେ ଆଣିବାକୁ ଭୁଲନ୍ତିନି। ଦିନେ ବସରେ ଭିଡ଼ ସକାଶେ କିଛି ଆଣି ନଥିଲେ ମୁଁ ରୁଷି ବସିଲି କିଛି ଖାଇଲି ନାହିଁ। ବାପା ପୁଣି ଆର ଗାଁ ଛକରୁ ଆଳୁଚପ ନେଇ ଆସିଲେ।
ବୋଉ ମୋ ଉପରେ ଖୁବ ବିରକ୍ତି ପ୍ରକାଶ କଲା ଏଡୁଟିଏ ହେଲୁଣି ଟିକେ ବି ବୁଦ୍ଧି ସୁଦ୍ଧି ନାହିଁ ??
ବାପା ଝିଅକୁ (ଜୟନ୍ତୀ ) ଭାରି ଭଲ ପାଆନ୍ତି। ବାପା କେବେ ଝିଅର ନାଁ ଧରି ଡାକିବାର ମନେ ପଡୁନି। ବାପା ବାୟାଣୀ ବୋଲି ଡାକନ୍ତି, ଆମେ ଝିଅ ବୋଲି ଡାକୁ।
ଖରାଦିନେ ଅସହ୍ୟ ଗରମ ସକାଶେ ଆମେ ବାହାର ଅଗଣାରେ ରାତିରେ ଶୋଉ। ଦିନକର କଥା ମୁଁ ବାପାଙ୍କ ପାଖେ ଶୋଇଥାଏ ରାତି ଅଧରେ ହଠାତ ନିଦ ଭାଙ୍ଗିଗଲା। ବାଡ଼ି ପଟ ଝାମ୍ପୁଲା କଇଁଆ ଗଛରେ ଗୋଟେ ହୁଁ.. ହାଁ (ପେଚା ) ରହି ରହି ଭୟଙ୍କର ରାବରେ ବୋବାଉ ଥାଏ ତା ସାଙ୍ଗକୁ ବାପାଙ୍କ ଘୁଙ୍ଗୁଡ଼ି ଏତେ ମାତ୍ରାରେ ଡରି ଯାଇଥିଲି, ଆଜି ବି ମନେ ପଡେ। ଗାଁ ସାଙ୍ଗ ସାଥି ମିଶି ଗାଁ ଦାଣ୍ଡରେ କାଉଁରୀ ଡୁହୁରୀ, ଚୋର ପୋଲିସ, ଖୋ ଖୋ, କବାଡ଼ି ସବୁ ଖେଳ ହୁଏ ମୁହଁ ସଂଜରେ। ବଡ଼ ପାହାଡ଼ ମୁଣ୍ଡିଆ, ଜଙ୍ଗଲ, ଆମ୍ବ ତୋଟା ଏମିତି ବୁଲା ବୁଲିରେ ଦିନ ମାନ କଟେ। ରାତି ହେଲେ କା’ ବାଡ଼ିରୁ ପିଜୁଳି, ପଇଡ଼, କଲମୀ ଆମ୍ବ ଚୋରି ହୁଏ। ମରାଗାଡ଼ିଆରୁ ମାଛ ମାରୁ, ବିଲରେ ସବୁ ବଜା ମୁଗୁରା ଉଠେଇ ମାଛ ଆଣୁ। ଖୁଦୁରୁକୁଣୀ ସମୟରେ ଚାରିକୋଷ ଭିତରେ ସବୁ ଫୁଲ ରାତିରେ ସବୁ ଗାଏବ ହେବାରେ ମୋର ପ୍ରମୁଖ ଭୂମିକା ଥାଏ। ଗଣେଶ ପୂଜାକୁ ଭାଳେଣି ପଡ଼େ ବାହାରେ ସବୁ କାହାର ବଲ ଜଳୁଛି। ହାତ ଗଣତି ଧନୀ କେତେ ଘର ଲାଇନ ନେଇଥାନ୍ତି।
ବାପାଙ୍କ ପାଖକୁ ବହୁତ ଫେରାଦ ଆସେ, ସେ ବୋଉକୁ କହନ୍ତି ଦେଖ ତମ ଗେଲା ପୁଅର ସବୁ ନାଉଁଆ କାମ। ବୋଉ ବହୁତ ବିରକ୍ତି ପ୍ରକାଶ କଲା। ତା ମନରେ ଏତେ ଜୋରରେ ଆଘାତ ଲାଗିବ ବୋଲି ମୁଁ କେବେ ଭାବିନଥିଲି। ସେ ଦିନଠୁ ମୁଁ ଆଉ ଗାଁ ପିଲାଙ୍କ ସହ ମିଶିବା ବନ୍ଦ କରିଦେଲି।
ବୋଉ ତା ଗହଣା ଗାଁ ସାଆନ୍ତ ପାଖେ ବନ୍ଧା ରଖି କିଛି ଟଙ୍କା କରଜ କରି କଟକରେ ମୁଁ ଆଇନି ମହାବିଦ୍ୟାଳୟରେ ନାଁ ଲେଖେଇଲି। ବାପା ନିଜେ ଆସି ସବୁ ମାସରେ ଖର୍ଚ୍ଚ ଦେଇଯାନ୍ତି। ଶୁଣିବାକୁ ପାଇଲି ବାପା ସାଆନ୍ତଙ୍କ ଠାରୁ କରଜ କରି ମୋ ପାଠ ପଢ଼ା ଖର୍ଚ୍ଚବହନ କରୁଛନ୍ତି। ସାଆନ୍ତଙ୍କର ବୋଲ ହାକ କରି ଶୁଝୁଛନ୍ତି। ଲଗାତର ତିନି ଥର ପରୀକ୍ଷାରେ ବିଫଳ ହେଲା ପରେ ଚତୁର୍ଥ ଥରରେ କୃତକାର୍ଯ୍ୟ ହେଲି। ଆମ ଗାଁ ତିନି ଖଣ୍ଡ ମୌଜାରେ ଚହଳ ପଡ଼ିଥାଏ।
ସାଆନ୍ତେ ବାପାଙ୍କୁ ଡକେଇ ପଠେଇଲେ। ବାପା ପଡ଼ି ଉଠି ସାଆନ୍ତଙ୍କ ପାଖେ ହାଜର। ଏଥର ଯାହା ବି ଅମଳ ହେବ ସବୁ କରଜ ସୁଝି ଦେବି କିଛି ଦିନ ମହଲତ ଦିଅ।
ସେ କଥା ମୁଁ କହୁନି, ଜାଣିଛୁ ତୋ ପୁଅ କେଡ଼େ ହାକିମ ହେଲା?
ମୋ ଝିଅକୁ ତୋ ଘରର ବୋହୁ କଲେ ତୋର କିଛି ଆପତ୍ତି ଅଛି? କେଡ଼େ ବଡ଼ କଥା କହିଲେ ସାଆନ୍ତେ...!! ଆମେ ଆପଣଙ୍କ ତୁଲ ହୋଇ ପାରିବୁ? ମୁଁ ମିନୁ ମା’ଙ୍କୁ ଛୁଆଟି ବେଳୁ ଦେଖି ଆସିଛି। ଭାରି ସୁଧାର, ସେ ଦେଖିବାକୁ ଯେମିତ ଗୁଣରେ ବି ସେମିତି ମୋ ଘରକୁ ସାକ୍ଷାତ ଲକ୍ଷ୍ମୀ ବିଜେ କରିବେ। ମୋର ଆପତ୍ତି କାହୁଁ ହେବ ସାଆନ୍ତେ?
ବାହାଘର ସରିଲା ସେ ତା ଚାକିରୀରେ ଯୋଗ ଦେବାକୁ ଗଲା। ମିନୁ ଗାଁରେ ଶାଶୁ ଘରେ ଥାଏ। ଛୁଟିରେ ବିନୁ ଆସେ ଗାଁକୁ। କୁନା ଏ ଘରକୁ ଆସିଲା ଦିନଠୁ ଘର ପୁରା ହସ ଖୁସିରେ ଉଛୁଳଥାଏ। ଦିନ ମାନ କେମିତ କଟି ଯାଉଥାଏ ତା ସହିତ ଖେଳୁ ଖେଳୁ। ଏହା ଭିତରେ ତିନି ବରଷ ବିତି ଯାଇଥାଏ। କୁନା ପାଇଁ ଏବେ ଭାରି ବ୍ୟଗ୍ର କି ନିଜ ପାଇଁ କେଜାଣି ..! ମିନୁ ଆଉ କୁନାକୁ ସାଥେ ନେଇ ଯିବାକୁ ବାପାକୁ କହିଛି
ବିନୟ ପ୍ରକୃତିସ୍ଥ ହୋଇ ଫେରିଆସିଛି ସେ ଅତୀତ ସ୍ମୃତିରୁ। ନିଜେ ନିଜକୁ ଖୁବ ଧିକ୍କାର କରିଛି। ନିଜକୁ ସୁଧାରିବାର ବେଳ ଗଡ଼ିସାରିଛି। ନେଡ଼ି ଗୁଡ଼ ଏବେ କହୁଣୀକୁ ବୋହିଗଲାଣି। ବିନୟ ହାତକୁ ମିନୁ କୋର୍ଟ ନୋଟିସ ବଢ଼େଇ ଦେଇଛି
ଏ ଆରମ୍ଭର ଶେଷ ନା ଶେଷରୁ ଆରମ୍ଭ ବିନୟ ସଠିକ ବୁଝି ପାରୁନଥାଏ। ସମୟ ଯେମିତି ବାଧ୍ୟ କରି ଟାଣି ନେଉଥାଏ ବିନୟକୁ ସେ ଅପରାହ୍ନ ଆଡକୁ ...
କେହି ଜଣେ ନିଚ୍ଛକ କଥାଟିଏ କହିଥିଲେ, ବାପାମାଙ୍କ ଋଣ ଯେତେ ଜନ୍ମ ବିତିଗଲେ ମଧ୍ୟ ଆମେ ଶୁଝି ପାରିବାନି। ଆମେ ସମସ୍ତେ ଏ ଅପରାହ୍ନରେ ଦିନେ ନା ଦିନେ ନିଶ୍ଚିତ ପହଞ୍ଚିବା। ଏହା ଧୃବ ସତ୍ୟ। ତେଣୁ ସୃଷ୍ଟି ନୁହେଁ, ଦୃଷ୍ଟି ପଥ ବଦଳାଇବା ଉଚିତ। ଶ୍ରଦ୍ଧା ବିହୀନ ଶ୍ରଦ୍ଧାର କଣ କିଛି ମାନେ ଥାଏ ...?
‘ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତା’
ଆମ ଆଖ ପାଖ ନିଜ ଚାରି ପାଖ ଈଶ୍ୱର ବୁଲୁଥିବେ ଆମେ ଯାଇ ଖୋଜୁଥିବା ମନ୍ଦିର ବା ଠାକୁର ଘର ..!
କଲ୍ୟାଣପୁର,
ନୟାଗଡ
ଭ୍ରାମ୍ୟଭାଷ : ୯୮୬୧୦୬୦୧୫୨
Go Back to Previous Page
ପାଗଳ
ଜୀତେନ୍ଦ୍ର କୁମାର କହଁର
Read Article
ପିଲାଦିନ - କିଛି ସ୍ମୃତି କିଛି ଅନୁଭୂତି
ପ୍ରଶାନ୍ତ କୁମାର ନାଥ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ