ସେଦିନ ସଂଧ୍ୟାରେ ମୁଁ ଅଫିସରୁ ଘରକୁ ଫେରିଲା ବେଳକୁ ଏକ ସଡକ ଦୁର୍ଘଟଣାରେ ରାସ୍ତା କଡ଼ରେ ଅଚେତ ଅବସ୍ଥାରେ ପଡ଼ି ରହିଥିଲି। ଯେତେବେଳେ ହସ୍ପିଟାଲରେ ମୋତେ ହୋସ୍ ଆସିଲା ମୁଁ ଡାକ୍ତରଙ୍କ ପାଖରୁ ଜାଣିବାକୁ ପାଇଲି ଯେ ମୋତେ କେହି ଜଣେ ପାଗଳ ଲୋକ ଦୁର୍ଘଟଣାର ସ୍ଥଳରୁ ଆଣି ହସ୍ପିଟାଲ ପହଞ୍ଚାଇଛନ୍ତି। ସମସ୍ତେ ତା’କୁ କୁହନ୍ତି ପାଗଳ। ତା’ସହ ମୋ ପରିଚୟ ହସ୍ପିଟାଲର ବେଡଠାରୁ ହେଲେ ସତରେ କ’ଣ ସେ ଜନ୍ମରୁ ପାଗଳ ନା ସମୟ ଚକ୍ରରେ ପରିସ୍ଥିତିର ଦାସ ହୋଇ ସେ ପାଗଳ ହୋଇଯାଇଛି। ନୁଖରାବାଳ ସହ ଛିଣ୍ଡା ପୋଷାକ। ବେଶ ଭୟଙ୍କର ଚେହେରା। ଛୋଟ ପିଲା ତ ଛୋଟ ପିଲା ବଡ ଲୋକ ଦେଖିଲେ ବି ଭୟରେ ଥରି ଉଠିବେ। ଯେତେବେଳେ ତାକୁ ପ୍ରଥମ ଥର ପାଇଁ ଦେଖଥିଲି ମୁ ବି ଡରିଯାଇଥିଲି। କାହିଁକି କେଜାଣି ତାକୁ ଦେଖିଲା ପରେ ତା’ ବିଷୟରେ ଜାଣିବାରେ ମୋର ଆଗ୍ରହ ସୃଷ୍ଟି ହୋଇ ଯାଇଥିଲା। କାରଣ ସେଇ ପାଗଳ ଭିତରେ ଲୁଚି ରହିଥିବା ମଣିଷ ପଣିଆର ଝଲକକୁ ମୁଁ ଦେଖିବାକୁ ପାଇଥିଲି। ଯେତିକି ତା’ ବିଷୟରେ ଶୁଣିଲି ସେ ପାଗଳ ହେଲେ ବି ଆଜି ଯାଏଁ କାହାକୁ ବି କିଛି କଷ୍ଟ ଦେଇ ନଥିଲା ବରଂ ସେ ଲୋକ ମାନଙ୍କର କିଛି ଅସୁବିଧା ଦେଖିଲେ ଦୌଡିଯାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଉଥିଲା। ହେଲେ କିଏ କାହିଁକି ବା ପାଗଳଟିର ସାହାଯ୍ୟ ନେବ। ତାକୁ ଦେଖିଲେ ସମସ୍ତେ ଦୂରକୁ ପଳାଇଯାନ୍ତି। ତାକୁ ଦୂର ଦୂର ମାର ମାର କରନ୍ତି। ରାସ୍ତା କଡେ କଡେ ଜୋରରେ ପାଦ ଥାପି ଥାପି ଚାଲିବା ତା’ର ନିତି ଦିନିଆ କଥା। କାହା ମନରେ କିଛି ଦୟା ଆସିଲେ ତା’ ଭୋକିଲା ପେଟ ଭରିଯାଏ ନ ହେଲେ ଅଇଁଠା ପତର ତା’ର ଭୋକ ମେଣ୍ଟାଇବାର ଏକ ମାତ୍ର ସାହାରା।
ପାଗଳ ଲୋକଟିର ସାହାଯ୍ୟ ପାଇଁ ତାଙ୍କ ପାଖରେ ମୁଁ ଚିରଋଣି ଥିଲି। ତେଣୁ ତାଙ୍କୁ ଧନ୍ୟବାଦ ଦେବାକୁ ଗଲା ବେଳକୁ ବତିଶି ଦାନ୍ତ ଦେଖା ଏକ ବଡ ହସଟିଏ ଦେଇ ଆଖି ପିଛୁଳାକେ ମୋ ଆଗରୁ ସେ କେଉଁ ଏକ ଅଜଣା ପଥରେ ଉଭେଇଗଲା। ଆଖ ପାଖ ଅଞ୍ଚଳର ଲୋକମାନଙ୍କ ପାଖରୁ ଯାହା ଶୁଣିଲି ସେ କୁଆଡେ ଭାରି ଭଲଲୋକ ଥିଲା। ନିଜର ଏକ ମାତ୍ର ପୁଅର ବିୟୋଗରେ ମାନସିକ ଭାରସାମ୍ୟ ହରାଇଛି। ଆଉ ତା’ର ବୁଢ଼ୀମା’ ଏକୁଟିଆ ଏବେବି ଗାଁରେ ରୁହେ। ମୋତେ ଭାରି ଇଚ୍ଛା ହେଲା ସେ ଗାଁକୁ ଯାଇ ସେଇ ଲୋକ ବିଷୟରେ ଜାଣିବାକୁ। ତେଣୁ ପରଦିନ ସକାଳୁ କାଳ ବିଳମ୍ବ ନ କରି ଚାଲିଲି ସେଇ ଗାଁକୁ। ମୁଁ ସେଇ ଗାଁରେ ପହଞ୍ଚିଲା ବେଳକୁ ବୁଢ଼ୀ ମାଉସୀ ପ୍ରସ୍ତୁତ ହେଉଥିଲେ ସହର ଅଭିମୁଖେ ଯିବାପାଇଁ। ମୁଁ ତାଙ୍କ ପୁଅ ବିଷୟରେ ଜାଣିବାକୁ ଆସିଛି ଜାଣି ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ମୋତେ ଗୋଟିଏ ନିଶ୍ୱାସରେ ତା’ପାଗଳ ପୁଅ ସମ୍ପର୍କରେ ଗୁଡାଏ ପ୍ରଶ୍ନ ପଚାରିଗଲେ କୋଉଠି ଅଛି ସେ, କେମିତି ଅଛି? ଭଲରେ ଅଛି ନା...??? ପାଗଳ ଲୋକଟିର ମା’ଙ୍କୁ ଦେଖି ବେଶ ବୁଝି ହେଉଥିଲା ପୁତ୍ର ବିଛେଦର ଦୁଃଖ।
ମୁଁ ବିନୟକୁ ଦେଖିଛି ଜାଣି ବୁଢ଼ୀ ମାଉସୀ ଭାରି ଖୁସି ହୋଇଯାଇଥିଲେ ଏବଂ ଦାଣ୍ଡ ପିଣ୍ଡା ଉପରେ ବସିପଡି ମୋର ଅନୁରୋଧରେ ଅତୀତର ସେଇ ଅଲିଭା ବେଦନା ଭରା ପୃଷ୍ଠାକୁ ମୋ ଆଗରେ ରଖିବାକୁ ଲାଗିଲେ। ସେ ଫେରି ଯାଇଥିଲେ ସେଇ ଦୁଃଖ ଭରା ଅତୀତକୁ। ମୁଁ ବି ମନ ଧ୍ୟାନ ଦେଇ ସେଇ କାହାଣୀରେ ଧିରେ ଧିରେ ହଜି ଯାଉଥାଏ। ସେ ଯାହା କହିଗଲେ ମୁ କ’ଣ ଏଇ ଦୁନିଆରେ ଯିଏ ବି ଶୁଣିବ ନିଜର ଆଖିର ଅଶ୍ରୁକୁ ରୋକିବା ଅସମ୍ଭବ। ମୁଁ ତ ଥିଲି ତାଙ୍କ ପାଇଁ ଅଜଣା ଅଚିହ୍ନା। ମୋତେ ଯଦି ଏତେ କଷ୍ଟ ଲାଗିଲା ପ୍ରତି ଘଟଣାକୁ ଅଙ୍ଗେ ନିଭାଇ ଥିବା ସେଇ ବୁଢ଼ୀ ମାଉସୀଙ୍କୁ କେତେଯେ କଷ୍ଟ ଲାଗି ନଥିବ ସତେ! ବୁଢ଼ୀ ମାଉସୀଙ୍କୁ ସାନ୍ତ୍ୱନା ଦେବା ଛଡା ମୋ ପାଖରେ କିଛି ବି ନଥିଲା ତାଙ୍କ ଦୁଃଖ ଟିକିଏ କମ କରିବା ପାଇଁ। ତା'ପରେ ତାଙ୍କ ସହ ମୁଁ ବି ସହର ଅଭିମୁଖେ ବାହାରି ପଡିଲି ତାଙ୍କ ପଥର ସହ ପଥିକ ହୋଇ। ସେଇ ହସ୍ପିଟାଲ ଅଭିମୁଖେ ଯେଉଁଠି ବୁଢ଼ୀ ମାଉସୀଙ୍କ ବୋହୁ ମିନୁ ଚିକିତ୍ସିତ ହେଉଥିଲେ।
ଆରେ ବୁଢ଼ୀ ମାଉସୀଙ୍କ ଠାରୁ ଶୁଣିଥିବା ସେଇ କରୁଣ କାହାଣୀ ତ ମୁ ଆପଣ ମାନଙ୍କୁ କହିଲିନି? ଶୁଣନ୍ତୁ ବୁଢି ମାଉସୀଙ୍କ ଠାରୁ ଶୁଣି ଥିବା ସେଇ କରୁଣ କାହାଣୀ... କାହାଣୀ ଥିଲା ସେଇ ପାଗଳ ଲୋକଟିର.... ତା’ ନାଁ ହେଉଛି ବିନୟ। ଭାରି ଭଲ ପିଲାଟିଏ।ବାପା ମା’ଙ୍କର ଗୋଟିଏ ବୋଲି ପୁଅ। ସ୍ନେହରେ ତାକୁ ସମସ୍ତେ ଡାକନ୍ତି ବିନୁ ବୋଲି। ଛୋଟ ବେଳେ ବାପାଙ୍କୁ ହରାଇ ଥିଲା। ବାପା ଛେଉଣ୍ଡ ବିନୟ ମା’ଙ୍କ ଯୋଗୁଁ ଭଲରେପାଠ ପଢ଼ିଲା ଏବଂ ପରେ ପାଖ ସହରରେ ପ୍ରାଇଭେଟ କମ୍ପାନୀରେ ଭଲ ଚାକିରିଟିଏ କରିଥିଲା। ମା’ଙ୍କ ଇଛାରେ ମିନୁ ନାମକ ଝିଅ ସହ ବିନୟର ବାହାଘର ହୋଇଯାଏ। ସମସ୍ତେ ବହୁତ ଖୁସିରେ ଥାଆନ୍ତି। ବାହାଘରର ବର୍ଷକ ପରେ କୁନାର ଜନ୍ମ। ସେ ସବୁରି ଗେହ୍ଲା। କୁନା ତ ଥିଲା ବାପା ମା’ଙ୍କର ଜୀବନ। ଗୋଟିଏ ବୋଲି ପୁଅ ଗେହ୍ଲା ବା ହୋଇ ନଥାନ୍ତା କିପରି। ପୁଅର ଯେତେବେଳେ ସ୍କୁଲ୍ ଯିବା ବୟସ ହୋଇଗଲା ଏକଦା ବିନୟ ଆସି ମା’ଙ୍କୁ କହିଲା, “ମା ଏବେ କୁନାର ସ୍କୁଲ୍ ଯିବା ବୟସ ହୋଇଗଲାଣି। ଗାଁରେ ତ ଭଲ ବିଦ୍ୟାଳୟଟିଏ ନାହିଁ। ମୁଁ ଭାବୁଛି ଆମେ ସମସ୍ତେ ଯାଇ ସହରରେ ରହିବା। ମୁଁ ଗୋଟିଏ ଘର ଭଡାଟିଏ ବି ନେଇ ଯାଇଛି” କୁନା ସେଇଠି ରହି ପଢିବ।
ମା ପ୍ରତ୍ୟୁତ୍ତରରେ କୁହେ, “ମୁଁ ଏଇ ବୁଢ଼ୀ ବୟସରେ ଭିଟା ମାଟି ଛାଡି କୁଆଡେ ସହରକୁ ଯିବି। ନାତି ପୁଅର ଭବିଷ୍ୟତ କଥା। ତୁମେ ସବୁ ଯାଅ। ହଁ ପ୍ରତି ରବିବାର ଯେମିତି ନାତି ପୁଅକୁ ନେଇ ଘରକୁ ଆସିବ।” ହେଲେ ବିନୟ ଆଉ ମିନୁର ଜିଦ ଆଗରେ ହାର ମାନି ଏହାର କିଛି ଦିନ ପରେ ବୁଢ଼ୀ ମା’ ସହ ବିନୟ, ମିନୁ ଆଉ ଗେହ୍ଲା ପୁଅ କୁନା ସହର ଅଭିମୁଖେ ବାହାରି ପଡିଲେ। ବିନୟ ମୁଣ୍ଡରେ ଥାଏ କୁନାକୁ କିପରି ମଣିଷ ପରି ମଣିଷ ଟିଏ କରି ଗଢିତୋଳିବାର ଚିନ୍ତା।
ସହରରେ ବିନୟର ସଂସାର ରଥ ଖୁବ୍ ସୁନ୍ଦର ଭାବରେ ଗଡ଼ିଚାଲେ। ଯେତେବେଳେ ଦେଖିବ ହସ ଆଉ ଖୁସି ତା’ ଅଗଣାରେ ଖେଳୁଥାନ୍ତି। କୁନା ପାଠରେ ଭଲ କିନ୍ତୁ ସବୁରି ଗେହ୍ଲା ହେତୁ ଅଧିକ ଦୁଷ୍ଟ ହେଉଥାଏ। ଦିନେ ଅଫିସରୁ ନଫେରୁଣୁ, “କୁନା କାହିଁ? ଦେଖାଯାଉନି?” ସବୁ ଘର ବୁଲିଦେଇ ପଚାରୁଥିଲେ ବିନୟ। ଅଫିସରୁ ଫେରିବା ପରେ ନିଜର ଏକ ମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଜମା ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ! ଏଇଠି କେଉଁଠି ଖେଳୁଥିବ? ବାହାରେ ଯାଇ ଦେଖ।”
କିଛି ସମୟ ପରେ ବିନୟର ଉଚ୍ଚ ସ୍ୱରରେ କମ୍ପି ଉଠୁଥିଲା ଘର। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ବାଲି ଖେଳୁଥିଲା। ଏଇଆ ସବୁ ଶିଖୁଛି ତମ ପୁଅ? ଦେଖ ତା’ ଦେହ... ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ ମୋତେ କହିବ।
ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ ପିଲାଟା ଟିକିଏ ଖେଳିଦେଲେ କ’ଣ ହୋଇଗଲା? ତମେ ଖେଳୁ ନ ଥିଲ କି?ଜନ୍ମରୁ ଏସି ରୁମରେ ବଢ଼ିଥିଲ ନା କ'ଣ। ଠିକ୍ ଏତିକି ବେଳକୁ ବିନୟର ପାଟି ଶୁଣି ନିଦ୍ରାରୁ ଜାଗ୍ରତ ହୋଇ ଶୋଇବା କୋଠରୀରେ ବାହାରକୁ ଚାଲି ଆସିଲେ ବିନୁ ମାଁ ଆଉ କହିଲେ, “ଆରେ କଣ ହେଲା କାହିଁକି ପାଟି କରୁଛ ସବୁ।” “ନା ମା’ ସେ କିଛି ନୁହଁ... ଦେଖୁନ ତୁମର ଏହି ନାତି ଟୋକାକୁ...ଧୂଳି ବାଲିରେ ଭର୍ତ୍ତି” କହିଲା ବିନୟ।
ସେ ତୋ ଠିକ ତୋରି ପରି ହିଁ ହୋଇଛି। ତୁ ଯେମିତି ଛୋଟ ବେଳେ ହେଉଥିଲୁ ସେ ବି ଏବେ ସେମିତି ହେଉଛି। ଖାଲି ଯାହା ସେଇଟା ଗାଁ ଥିଲା ଆଉ ଏଇଟା ସହର। ବୋହୁ ମିନୁ ନିଜ ଶାଶୁ ମୁଖରୁ ଏସବୁ ଶୁଣି କହୁଥିଲା, “ଦେଖିଲ ମୁଁ କଣ ମିଛ କହୁଥିଲି।” ସମସ୍ତେ ହସିବାକୁ ଲାଗିଲେ। ବିନୟ କହିଲା, “ହଉ ଛାଡ ସେ ସବୁ କଥା ମୁଁ କାଲି ଅଫିସରୁ ଛୁଟି ନେଇ ଯାଇଛି। ଆମେ ସମସ୍ତେ ବୁଲିବାକୁ ଯିବା। ଏବେ ଯାଅ ତୁମ ଗେହ୍ଲା ପୁଅକୁ ଟିକିଏ ଧୁଆଧୋଇ କରିଦେବ।” ମିନୁ କୁନାକୁ ନେଇ ବାଥରୁମ୍କୁ ଚାଲିଗଲା। ବିନୁ ମା’ କହିଲା, “ତୁମେ ସବୁ ବୁଲିକି ଆସ।ମୁଁ ଆଉ ଏ ବୁଢ଼ୀ ବୟସରେ ବୁଲାବୁଲି କରି ପାରିବିନି।” ବିନୟ କହିଲା, “ହଉ ମା’, ଠିକ ଅଛି… ତୁ ଘରେ ଥିବୁ। ଆମେ ଶୀଘ୍ର ଫେରିଆସିବୁ। ଜମା ବି ବ୍ୟସ୍ତ ହେବୁନି।
ପରଦିନ ସକାଳୁ ସଜବାଜ ହୋଇ ବାହାରି ବୁଲିବାକୁ ବାହାରି ପଡିଲେ ବିନୟ, ମିନୁ ଆଉ ଗେହ୍ଲା ପୁଅ କୁନା। ବିନୁ ମା’ ବି ସେମାନଙ୍କୁ ବାଟେଇ ଦେବା ପାଇଁ ଗେଟ ପାଖକୁ ଆସିଥିଲା। ପୁଅ କୁନା ବହୁତ ଖୁସିଥିଲା କହୁଥିଲା, ଜେଜେ ମା ମୁଁ ତୋ ପାଇଁ ଚୋକଲେଟ ନେଇକି ଆସିବି ହେଲା ତୁ ଖାଇବୁ। ବିନୟ ବାଇକ ଷ୍ଟାର୍ଟ କଲାବେଳକୁ ମା କହିଲା ଆରେ ବିନୁ ତୁ ହେଲମେଟ ନେଲୁନି ଯେ। ରହ ମୁଁ ହେଲମେଟ ନେଇକି ଆସୁଛି। ଆରେ ମା ମୋ ଚୁଟି ଖରାପ ହୋଇଯିବ। ଥାଉ ହେଲମେଟ। ଆମେ ଶୀଘ୍ର ଫେରି ଆସିବୁ। ବ୍ୟସ୍ତ ହେବନି। ମା କିଛି କହିବାକୁ ଉଦ୍ୟତ ହୁଅନ୍ତେ...ବିନୟ ବାଇକ୍ ଷ୍ଟାର୍ଟ କରି ମିନୁ ଆଉ କୁନା ସହ ମା’ଙ୍କର ଆଖି ଆଗରୁ ଉଭେଇ ଗଲା। ବିନୁ ମା’ ଘର ଭିତରକୁ ଆସି ନିଜ କାମରେ ଲାଗିଗଲା। ଅଧ ଘଣ୍ଟାଏ ଯାଇଛି କି ନାହିଁ ଖବର ଆସିଲା... ସେମାନଙ୍କର ସଡକ ଦୁର୍ଘଟଣା ହୋଇଯାଇଛି ଆଉ ପାଖ ଡାକ୍ତରଖାନାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଭର୍ତ୍ତି କରି ଦେଇଛନ୍ତି। ବୁଢ଼ୀ ମାଉସୀଙ୍କ ଉପରେ ଯେପରି ବାଦଲ ଫାଟି ପଡିଥିଲା। ସେ ସଙ୍ଗେ ସଙ୍ଗେ ହସ୍ପିଟାଲର ଅଭିମୁଖେ ବାହାରି ପଡିଲା।ପହଞ୍ଚି ଜାଣିବାକୁ ପାଏ ସେମାନଙ୍କର ଅବସ୍ଥା ବହୁତ ସଙ୍କଟାପନ୍ନ। ଅପରେସନ ଚାଲିଛି।
କିଛି ସମୟ ପରେ ଡାକ୍ତର ବାବୁ ବାହାରକୁ ଆସନ୍ତେ ବୁଢ଼ୀ ମାଉସୀ କାନ୍ଦି କାନ୍ଦି ପଚାରିଲେ ଡାକ୍ତରବାବୁ ମୋ ପୁଅ ବୋହୁ ଆଉ ନାତି କେମିତି ଅଛନ୍ତି? ଡାକ୍ତରବାବୁ କହିଲେ, “ତୁମ ପୁଅର ହୋସ୍ ଆସିଯାଇଛି। ଆମେ ତାକୁ ଜେନେରାଲ ୱାର୍ଡକୁ ଶିଫ୍ଟ କରୁଛୁ। ଆପଣ ତାଙ୍କୁ ଭେଟି ପାରନ୍ତି। ହେଲେ ଆଉ ଦୁଇ ଜଣଙ୍କର ଅବସ୍ଥା ଏବେବି ଗୁରୁତର। ଭଗବାନଙ୍କ ଉପରେ ଭରସା ରଖ। ସବୁ ଠିକ ହୋଇଯିବ। ବିନୁ ମା’ଙ୍କର ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ସେ କାନ୍ଦି କାନ୍ଦି ଯାଏ ନିଜ ପୁଅ ବିନୟକୁ ଦେଖିବା ପାଇଁ। ମା’ଙ୍କୁ ଦେଖୁ ଦେଖୁ ବିନୟ ମିନୁ ଆଉ କୁନା କଥା ପଚାରିବାକୁ ଲାଗିଲା। ବିନୁ ମା ସାନ୍ତ୍ୱନା ଦେଇ କହିଲେ ଆରେ ତୁ ବ୍ୟସ୍ତ କାହିଁକି ହେଉଛୁ। ସେମାନେ ଭଲ ଅଛନ୍ତି। ଏହାର କିଛି କ୍ଷଣ ପରେ ଡାକ୍ତରବାବୁ ଆସି କହିଲେ, “କ୍ଷମା କରିବେ ଆମେ ଆପଣଙ୍କର ନାତି ପୁଅ କୁନାକୁ ବଞ୍ଚାଇ ପାରିଲୁନି ଆଉ ତୁମ ବୋହୁ ମିନୁ ମଧ୍ୟ ସବୁଦିନ ପାଇଁ କୋମାକୁ ଚାଲିଯାଇଛି।
ଏ କଣ କହୁଛ ଡାକ୍ତରବାବୁ ଏହା ଅସମ୍ଭବ। ମୋ ପୁଅ ମୋ ସ୍ତ୍ରୀ ମୋତେ ଛାଡି କୁଆଡେ ଯାଇ ପାରିବେନି କହି ବିନୟ ଦୌଡିଗଲା ପୁଅ ଆଉ ସ୍ତ୍ରୀ ଥିବା ସେଇ ହସ୍ପିଟାଲର ବେଡ ପାଖକୁ। ତା' ପଛେ ପଛେ ତାର ବୁଢ଼ୀ ମା’ ମଧ୍ୟ ଦୌଡି ଗଲା।
ନିଜ ଗେହ୍ଲା ପୁଅ ନିଜ ଜୀବନ କୁନାର ନିଶ୍ଚଳ ଶରୀର ଉପରେ ମୁଣ୍ଡ ରଖି ବିନୟ ଆଉ ତା ବୁଢ଼ୀ ମା’ଙ୍କର ଛାତି ଫଟା କାନ୍ଦ ସମଗ୍ର ହସ୍ପିଟାଲକୁ ଥରାଇ ଦଉଥିଲା। ବୁଢ଼ୀ ମା’ଙ୍କର ମନେ ପଡି ଯାଉଥିଲା ନାତି ପୁଅ କୁନାର ସେଇ ଶେଷ ପଦ କଥା, “ଜେଜେମା ମୁଁ ତୋ ପାଇଁ ଚୋକଲେଟ ନେଇକି ଆସିବି... ତୁ ଖାଇବୁ।” ବିନୟର ବୁକୁ ଫଟା କାନ୍ଦ କେତେବେଳେ ବିକଟାଳ ହସରେ ପରିଣତ ହୋଇଥିଲା କେହି ବି ଜାଣି ନ ଥିଲେ। ପୁତ୍ର ବିଛେଦର ଦୁଃଖ ଆଉ ସ୍ତ୍ରୀ ମିନୁର ଏମିତି ଅବସ୍ଥା ତାର ମସ୍ତିଷ୍କକୁ ଶକ୍ତ ଧକ୍କା ଦେଇଥିଲା ଫଳରେ ସେ ମାନସିକ ଭାରସାମ୍ୟ ହରାଇ ସାରିଥିଲା। ହସ୍ପିଟାଲରୁ କୁଆଡେ ସେ ଦୌଡି ପଳାଇଥିଲା ବୁଢ଼ୀ ମା’ ଜମା ଖୋଜଖବର ପାଇ ନଥିଲା। ବୁଢ଼ୀ ବିନୁ ମା’ ଜୀବନରେ ଯେମିତି ଅମାବାସ୍ୟା ବିରାଜି ଯାଇଥିଲା। ସେ ନିଜ ନାତି ପୁଅର ଶବ ସତ୍କାର ନିଜ ହାତରେ କଲା। ଆଉ ସହର ଛାଡ଼ି ଗାଁକୁ ଚାଲି ଆସିଲା। ସହରରେ ଆଉ ଟଙ୍କା ଖର୍ଚ୍ଚ କରି ଘର ଭଡା ଦେଇ ତ ଆଉ ସେ ରହି ପାରି ନଥାନ୍ତା ନା। ବିନୟ ପାଗଳ ହୋଇ ସହରରେ ଘୁରି ବୁଲିଲା। ବିନୁ ମା’ ଗାଁକୁ ଆସି ନିଜର ଥିବା କେତେ ଗୁଡିଏ ଜମିକୁ ବିକି ମିନୁର ଚିକିତ୍ସା କରିବାକୁ ଲାଗିଲା। ହେଲେ ବିନୟ କେତେବେଳେ କେଉଁଠି ଥାଏ କିଛି ଖୋଜ ଖବର ନଥାଏ। ବିନୁ ମା ପୁଅ ବିନୟର ଚିକିତ୍ସା ପାଇଁ ମଧ୍ୟ ଟଙ୍କା ଯୋଗାଡ କରୁଥାଏ। ହେଲେ ଲକ୍ଷାଧିକ ଟଙ୍କା ସେ କେବେ ଯୋଗାଡ କରି ପାରିବ ଆଉ ତାର ଚିକିତ୍ସା କରିବ। ଡାକ୍ତରବାବୁ ପରା କହିଛନ୍ତି ବିନୟର ଚିକିତ୍ସା ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର। ଏପଟେ ମିନୁର ଚିକିତ୍ସା ପାଇଁ ଟଙ୍କା ନିଅଣ୍ଟ। ବିନୟ କାମ କରୁଥିବା କମ୍ପାନୀ ତରଫରୁ ପ୍ରତିଶ୍ରୁତି ଛଡା ଟଙ୍କାଟିଏ ବି ମିଳିଲାନି। ପ୍ରତି ସପ୍ତାହରେ ମିନୁକୁ ଦେଖିବାକୁ ବିନୁ ମା ହସ୍ପିଟାଲ ଯାଏ। ଡାକ୍ତରଙ୍କ ପାଖରୁ ସବୁ ବୁଝି ପୁଣି ଗାଁକୁ ବାହୁଡି ଆସେ। ବାଟ ସାରା ନିଜ ପୁଅ ବିନୟକୁ ଖୋଜି ଥରୁଟିଏ ଦେଖିବାକୁ ଚେଷ୍ଟା କରେ। କେବେ ଦେଖିବାକୁ ପାଏ ତ କେବେ ପାଏନି। ଗୋଟିଏ ବର୍ଷ ବିତିବାକୁ ବସିଲାଣି ହେଲେ... ମିନୁର ସ୍ବାସ୍ଥ୍ୟବସ୍ଥା ଭଲ ହେବାର ନାଁ ନେଉ ନ ଥାଏ। ଏମିତି ଥିଲା ସେଇ ପାଗଳ ବିନୟ ପଛର ଦୁଃଖଭରା କାହାଣୀ
ସେଇ ଦିନ ବି ବୁଢି ମାଉସୀ ନିଜ ବୋହୁକୁ ଦେଖିବାକୁ ବାହାରି ଥିଲେ ହାତରେ ଟଙ୍କା ଥଳିକୁ ଧରି। ମୁଁ ବୁଢି ମାଉସୀଙ୍କ ସହ ସେଇ ହସ୍ପିଟାଲରେ ପହଞ୍ଚି ସାରିଥିଲି। ସେ ହସ୍ପିଟାଲ ଆଉ କୋଉ ହସ୍ପିଟାଲ ନ ଥିଲା... ସେଇ ହସ୍ପିଟାଲ ଥିଲା ଯେଉଁଠି ସେ ପାଗଳ ଲୋକ ମୋତେ ଆଡମିଟ କରିଥିଲେ। ଡାକ୍ତରବାବୁ ଆସି କହିଲେ, “ଆରେ ବୁଢ଼ୀ ମା ତୁମେ ଆସିଗଲ... ମୁଁ ଏବେ ତୁମକୁ ଫୋନ କରିବାକୁ ଯାଉଥିଲି। ତୁମ ପାଇଁ ଗୋଟିଏ ଖୁସି ଖବର ଅଛି... ମିନୁକୁ ହୋସ୍ ଆସି ଯାଇଛି। ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ। ଯାଅ ତାଙ୍କୁ ଦେଖା କରିବ। ଭଗବାନ ତୁମ ଡାକ ଶୁଣିଛନ୍ତି। ତୁମକୁ ତୁମ ଧୈର୍ଯ୍ୟର ଫଳ ମିଳିଛି। ବୁଢ଼ୀ ମାଉସୀ ଖୁସିରେ ଦୌଡିଗଲେ ବୋହୁ ମିନୁ ପାଖକୁ ଆଉ ତାଙ୍କ ପଛେ ପଛେ ମୁଁ। ମିନୁ ନିଜ ଶାଶୁଙ୍କୁ ଦେଖି ଭାରି ଖୁସି ହୋଇଯାଇଥିଲା ଏବଂ ବିନୟ ଏବଂ ପୁଅ କୁନା ବିଷୟରେ ପଚାରିବାକୁ ଲାଗିଥିଲା ଛାତିରେ ପଥର ରଖି ବୁଢ଼ୀ ମା ମିନୁକୁ ସବୁକଥା କହିଥିଲା ମିନୁ ବୁଢ଼ୀମା’ଙ୍କର କୋଳରେ ମୁଣ୍ଡ ରଖି ପୁଅ ଆଉ ସ୍ୱାମୀଙ୍କୁ ଝୁରି ଝୁରି ବହୁତ କାନ୍ଦୁଥିଲା
ମୁଁ ଚାହିଁକି ବି କିଛି କରି ପାରୁ ନଥିଲି। କେବଳ ନିରବ ଦର୍ଶକ ହୋଇ ରହିଥିଲି। ସଙ୍ଗେ ସଙ୍ଗେ ବାହାରି ପଡିଲି ବିନୟ ସେଇ ପାଗଳ ଲୋକଟିକୁ ଖୋଜିବାକୁ ପାଇଁ। ଭାବିଲି ବିନୟର ଉପସ୍ଥିତି ହୁଏତ ସେମାନଙ୍କର କଷ୍ଟକୁ କିଛି ପରିମାଣର କମ କରିଦେଇ ପାରେ.... ଆଖ ପାଖ ଅଞ୍ଚଳରେ, ରାସ୍ତା ଘାଟରେ ବହୁତ ଖୋଜିଲି ହେଲେ ନିରାଶ ହେବାକୁ ପଡିଲା କେଉଁଠି ବି ତାଙ୍କୁ ପାଇଲି ନାହିଁ ତେଣୁ ପୁଣି ଥରେ ହସ୍ପିଟାଲକୁ ଫେରିଲି ଖାଲି ହାତରେ ସେମାନଙ୍କୁ ଏତକ ଟିକେ ଖୁସି ବି ଦେଇ ପାରିଲିନି ବୋଲି ମନ ଜମା ଭଲ ଲାଗୁ ନ ଥାଏ ଯେଉଁ ଲୋକ ପାଗଳ ହେଲେ ବି ସେଦିନ ମୋର ଜୀବନ ବଞ୍ଚାଇଥିଲା ତା’ ପାଇଁ କିଛି କରି ପାରି ନଥିଲିହସ୍ପିଟାଲକୁ ପହଞ୍ଚି ଦେଖେତ ସେଇ ପାଗଳଲୋକ ଆଉ ଜଣେ କିଏ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଛି ଆଉ ପାଟି କରି କହୁଛି, “ମୋ କୁନାକୁ ଭଲ କରିଦିଅ...ମୋ ମିନୁକୁ ଭଲ କରିଦିଅ।”
ମୋ ମନରେ ଆଶାର କିରଣଟିଏ ଖେଳିଗଲା। ହେଲେ ବିନୟକୁ କେମିତି ମିନୁ ଥିବା ରୁମକୁ ନେବି ଭାବୁଥାଏ। ସଙ୍ଗେ ସଙ୍ଗେ ଦୌଡିଗଲି ମିନୁ ଥିବା ରୁମକୁ। ସେମାନଙ୍କୁ ଡାକି ଆଣିଲି ବିନୟ ପାଖକୁ। ମିନୁ ଆଉ ବିନୁ ବୋଉ ବିନୟକୁ ଦେଖି ନିଜ କୋହକୁ ସମ୍ବରଣ କରି ପାରିନଥିଲେ। ଏତେ କଷ୍ଟ ଏତେ ଦୁଃଖ ଭିତରେ ସେମାନେ ଟିକିଏ ଖୁସି ଥିଲେ ବିନୟକୁ ପାଖରେ ପାଇ ତଥାପି ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା। ବୋଧହୁଏ ଖୁସିର ଲୁହ ଥିଲା। ବିନୟ ଅବାକ୍ ହୋଇ ଚାହିଁ ରହିଥିଲା ତା ବୋଉ ଆଉ ସ୍ତ୍ରୀ ମିନୁକୁ ନିଜ ସାମନାରେ ଦେଖି। ବୋଧହୁଏ ସେଇ ପାଗଳ ଅବସ୍ଥାରେ ବି ବିନୟ ନିଜର ସ୍ତ୍ରୀ ଆଉ ବୋଉକୁ ଚିହ୍ନି ପାରିଥିଲା। ବିନୟ ହସ୍ପିଟାଲର ଚଟାଣରେ ହଠାତ୍ ଲଥ୍ କିନା ବସି ପଡିଲା। ମିନୁ ଆଉ ବିନୁ ମା ମଧ୍ୟ ବିନୟ ସହ ବସି ପଡିଲେ। ସମାନଙ୍କ ଆଖିରୁ ବୋହି ଯାଉଥିଲା ଅସରନ୍ତି ଅଶ୍ରୁର ଧାର। ମୁଁ ବି ସେମାନଙ୍କର ପାଖରେ ବସି ପଡିଲି। ମୋତେ କାହିଁକି କେଜାଣି ସେମାନଙ୍କର ପରିବାରର ଅଂଶ ହେଲା ପରି ମନେ ହେଉଥାଏ। ଠିକ୍ ଏତିକି ବେଳକୁ ବିନୟ ମୋ ମୁଣ୍ଡ ପାଖରେ ତା’ର ହାତ ବୁଲାଇ ଆଣି ଆଉଁସି ଦେଇ କହୁଥିଲା, “ମିନୁ ଦେଖିଲ ମୋ ଗେହ୍ଲା ପୁଅ କୁନା କେତେବେଳେ ଏତେ ବଡ ହୋଇଗଲାଣି... ମୁଁ ଜମା ଜାଣି ପାରିଲିନି।” ଚାହିଁକି ବି ମୁଁ ତାଙ୍କ ପୁଅ ନୁହେଁ ବୋଲି ସେଇ ମୂହୁର୍ତ୍ତରେ କାହିଁକି କେଜାଣି କହି ପାରି ନଥିଲି ।
ଯେମିତି ବିନୟ ପାଇଁ ମୁଁ ହୋଇ ଯାଇଥିଲି ତା’ର ସବୁଦିନ ପାଇଁ ହଜି ଯାଇଥିବା ପୁଅ କୁନା। ସମସ୍ତେ ବିନୟକୁ ଧରି ଗାଁକୁ ଫେରିଲୁ। ସମସ୍ତଙ୍କୁ ଗାଁରେ ଛାଡି ମୁଁ ସହରକୁ ଫେରି ଆସିଲି। ମୋ କର୍ମ କ୍ଷେତ୍ରକୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଯେତେବେଳେ ବି ସମୟ ମିଳେ କୁନା ହୋଇ ବିନୟ ପାଖକୁ ଯାଏ। ସେ ମୋ ଭିତରେ ଦେଖୁଥିବା କୁନା କୁ ସତରେ ବହୁତ ସ୍ନେହ କରନ୍ତି। ତାଙ୍କ ସହ ବୁଢି ମାଉସୀ ଆଉ ମିନୁ ମଧ୍ୟ। ବିନୟଧିରେଧିରେ ସୁସ୍ଥ ହେଉଥିଲେ ମଧ୍ୟ ଆଜିବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତଥାପି ବୁଢି ମାଉସୀ ମିନୁ ଆଉ ମୋର ପୂର୍ଣ୍ଣ ଆଶା ଯେ ସେ ଧିରେ ଧିରେ ନିଶ୍ଚୟ ସମ୍ପୂର୍ଣ୍ଣ ଭଲ ହୋଇ ଉଠିବ।
କଲାଡି, ଫୁଲବାଣୀ
ଦୁରଭାଷ- ୯୪୩୯୫୪୨୫୨୧
Go Back to Previous Page
ନୂଆ ଏକ ବସନ୍ତ
ବୈଚନ୍ଦ୍ର ମଲ୍ଲିକ
Read Article
ଅଭିଶପ୍ତ ଅପରାହ୍ନ୍
ଅଶୋକ କୁମାର ସେଠୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ