ସ୍କୁଲ ଜୀବନର ଶେଷ ପରୀକ୍ଷା, ଇତିହାସ ପରୀକ୍ଷା। ସେ ଦିନର ଶେଷ ଘଣ୍ଟି ଆଉ ଶେଷ ଶବ୍ଦ ପରର ଶେଷ ପୂର୍ଣ୍ଣଛେଦ। ସେଇ ପୂର୍ଣ୍ଣଛେଦରେ ବହୁତ କିଛି ଦୁଃଖ ଦୁର୍ଦ୍ଦଶାକୁ ଜାକିଜୁକି ରଖିଦେଇଥିଲା ମୁନି। ପଞ୍ଜୁରୀ ଭିତରର ଶାରୀଟେ ପରି କାହିଁ କେତେଦିନ ହେଲା ରହିଆସିଛି। ମଥା ପାତି କେତେ କଣ ସହି ଆସିଛି। ସ୍ୱାଧୀନ ଭାରତରେ ମଧ୍ୟ ପରାଧୀନର କଷ୍ଟ ସହ୍ୟ କରିଛି। ହେଲେ, ସେଥିରେ ମଧ୍ୟ ତାହାର ଦ୍ବିଧା ନାହିଁ। କାଣିଚାଏ ବି ଦୁଃଖ ନାହିଁ। ଏବେ କିନ୍ତୁ ସେ ମୁକ୍ତ ଆକାଶର ଶାରୀ। ଏକଦମ୍ ଆଜାଦ୍। ସ୍ୱ-ଇଚ୍ଛାରେ ଘୁରି ବୁଲିବ ଏଇ ରଙ୍ଗୀନ ଦୁନିଆର କୋଣ ଅନୁକୋଣକୁ। ତା’ପୁଣି ଏଇ ସ୍ୱାର୍ଥପର ଦୁନିଆ ଠାରୁ ଢେର ଉପରେ। ପାଖ ଟିଟିଲାଗଡ଼ର ଶିବ ମନ୍ଦିର, ପାର୍କ, ସହର ସାରା....।
ହୋଟେଲ ବାଲାର ‘ଏଇ ନିଅ ଭଉଣୀ’ ଡାକରେ ଅନ୍ତର୍ଧ୍ୟାନ ହୋଇଛି, ତା’ ଭାବନା ଗୁଡାକ। ଟିକେ ଚମକି ଯାଇ ଦେଖିଛି। କେଉଁ ଗୋଟେ ଟେଷ୍ଟପେପର ପୃଷ୍ଠାରେ କିଛି ପକୁଡି ସହ ଗୋଟେ ବରା, ତା ଉପରେ ଗୋଟେ କଞ୍ଚା ଲଙ୍କା। ବାସ୍ ଏତିକିକୁ କୋଡିଏ ଟଙ୍କା। ଏତିକି ଠୁ ଆହୁରି ଅଧିକ କିଛି ଭାବି ପାରେନା ଆଗକୁ...। ଖାଇସାରି ଫେରିଆସିଛି ନିର୍ଦ୍ଧାରିତ ଗାଡି ନିକଟକୁ। ତା’ପରେ ସେଇ ଗାଡି ସାହାଯ୍ୟରେ ଗାଁ ଅଭିମୁଖେ।
ସରଳ ନିଷ୍କପଟ ତଥା ଆଧୁନିକ ପେଣ୍ଟିଂରେ ଦର୍ଶାଯାଉଥିବା ପରି ଗାଁ, ଭୁଷଲାର୍ଡ ଅଭିମୁଖେ। ଦୀର୍ଘ କୋଡିଏ ମିନିଟର ଯାତ୍ରା। ତା’ପରେ ଆସିଛି ଗାଁ। ଗାଁ ମୁଣ୍ଡ ପ୍ରଥମରେ ହିଁ ଘର। କିଛି ଲତାର ଛନ୍ଦାଛନ୍ଦି, ତା ଉପରେ ଲାଲ ମାଟିର ପ୍ରଲେପରେ ନିର୍ମିତ ଘର। ଘରକୁ ପ୍ରବେଶ କରୁ କରୁ ଦେଖିଛି ଦୁଇ ଜଣ ଅତିଥି। ଆଇ.କାର୍ଡ ଓହ୍ଲେଇ ଦେଇ ପାଦ ଛୁଇଁଛି ଦୁହିଁଙ୍କ। ପାଚିଲା ବାଳ ଥିବା ଲୋକଠାରୁ, “ଅହି ସୁଲକ୍ଷଣୀ ହ ଲୋ ମାଆ..” ଶୁଣି ଆଶ୍ଚର୍ଯ୍ୟ ହେଉଥାଏ ମିନୁ। ପ୍ରଥମେ ପ୍ରଥମେ ସେ କିଛି ବୁଝି ପାରୁନଥାଏ। ଆସ୍ତେ ଆସ୍ତେ କିନ୍ତୁ ବୁଝିସାରିଥାଏ ଆମୂଳଚୂଳ। ବୁଝିବା ପରେ ପରେ ବହୁତ କାନ୍ଦେ, ବହୁତ ରାଗରୁଷା କରେ। ଶହ ଛାଡି ହଜାର ଥର ବାରଣ କରେ। ବାରମ୍ବାର କହିଥାଏ - ମୁଁ ବାହାହେବିନି... ମୁଁ ବାହାହେବିନି। ପୁଣି ଅଭିମାନ ସହ କହେ - ମୁଁ ମରିଯିବି ବରଂ ବାହା ହେବିନି।
ଘର ଲୋକ। ଆଖପାଖର ବାହାର ଲୋକ। ପୁଣି ତାଙ୍କ ଘରକୁ ପ୍ରସ୍ତାବ ନେଇ ଆସିଥିବା ସେଇ ଦୁଇ ଲୋକ। ସମସ୍ତେ ଶୁଣନ୍ତି। ହେଲେ କେହିବି ବୁଝିପାରନ୍ତି ନାହିଁ ମିନୁର ମନକୁ। ନଖାଇ ନପିଇ ନିଜ ସହ ନିଜେ ରୋଷ କରି କାନ୍ଦିକାନ୍ଦି ଶୋଇପଡେ ସେ ଦିନରେ।
ଲୋକେ କହନ୍ତି - “ଦିନର ଦୁଃଖଯାକକୁ ରାତି ଖାଇଯାଏ, ସେଥିପାଇଁ ରାତିହୁଏ” ଏ କି କଥା। ମିନୁର ତ ଦୁଃଖ କମିନାହିଁ। ବରଂ ରାତିଯାକରେ ଆହୁରି ଓଦା ସରସର ହୋଇଯାଏ। ମାଆ ନିର୍ଦ୍ଦେଶରେ ସକାଳୁ ସକାଳୁ ଦୁଇଟି ବ୍ୟାଗ ଧରି ବାହାରିବାକୁ ପଡିଥାଏ, ନାନି ଘରକୁ। ମିନୁ ପାଟିରେ ମନା କରିବାର ଶବ୍ଦ ନାହିଁ। ମାଆ କୁଆଡେ କହିଛନ୍ତି - “ନାନି ଠାରୁ ରୋଷେଇବାସ, ଚାଲିଚଳଣୀ, ଆଚାର ବ୍ୟବହାର ଶିଖିବୁ।”
ଦଇବର ନିର୍ଦ୍ଦେଶ ଭାବି ମଥା ପାତି ସହିଯାଇଛି ମିନୁ। ସେ ଯାଇଛି। ଦଶ ଦିନରେ ରୋଷେଇବାସ ଶିଖିପାରିନି ବୋଲି ପନ୍ଦର ଦିନ ମଧ୍ୟ ରହିଛି ସେଠାରେ। ପନ୍ଦର ଦିନିଆ ସମର୍ କୋର୍ସ କଲା ପରି ଶିଖିଛି ସବୁ। ଆଚାର, ବ୍ୟବହାର, ଚାଲିଚଳଣୀ , ଘରକରଣା ଆଉ କେତେ କଣ। ଏହା ଭିତରେ ବାଦ ପଡିନି ଛୁଆ ଧରିବା ଆଉ କାନ୍ଦୁଥିବା ଛୁଆକୁ ବୁଝାଇବା ମଧ୍ୟ। ଏହା ସହ ଆଉ କିଛି କଥା ମଧ୍ୟ ଶିଖିଛି। ଯାହା ସବୁ କହିହୁଏ ନାହିଁ। ତା’କୋର୍ସ ସରୁ ସରୁ ଫେରିଆସିଛି ଗାଁକୁ।
ବସି ପଡିଛି ଚୁଲି ପାଖର ମାଟି ପିଣ୍ଢାରେ। ଅର୍ଦ୍ଧ-ପରିପକ୍ୱ ଭାବନାରେ ବିଶେଷ କିଛି ଭାବି ପାରୁନଥାଏ, ତା’ ଦୁଃଖ ବ୍ୟତୀତ। “ଏଇ ନେ ଲୋ ମାଆ... ଖାଇଦେ ପକୁଡି ଦି’ଟା, କେତେ ଦିନ ଆଉ ଖାଇବୁ ଯେ..” ଶତ ପ୍ରତିଶତ ମାତୃତ୍ୱ ସହ ମାଆ। ମାଆଙ୍କ ଏଇ ଅଧକୁହା ବାକ୍ୟରେ ମଧ୍ୟ ବହୁତ କିଛି ବୁଝିପାରୁଥାଏ ମିନୁ।
ଦୁଃଖଦ ଭାବନାରେ ଓଦା ସରସର ଥିଲେ ବି ମସ୍ତିଷ୍କର କେଉଁ ଗୋଟେ କୋଣରୁ ସାନ୍ତ୍ୱନା ଦେଉଛି ନିଜେ ନିଜକୁ। ଆଉ କହୁଛି - “ଏତେ ଡରୁଛୁ କାହିଁକି? ସମୟ ଯାଇନି, ଏବେ ମଧ୍ୟ ସବୁକିଛି କରିପାରିବୁ। ହଁ ତୁ ପାରିବୁ ମିନୁ। ପାରିବୁ।” ଏହା ଭିତରେ ମାଆ ଦେଇଥିବା ପକୁଡି ମଧ୍ୟ ସରିଥାଏ। ରହିଯାଇଥାଏ କେବଳ ତୈଳାକ୍ତ କାଗଜ। ମିନୁ ଦେଖେ। ତାଙ୍କ ବ୍ୟାକରଣ ବହିର ପୃଷ୍ଠାଟେ। ଯହିଁରେ ଲେଖା ହୋଇଛି -
“ ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସାର
ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର।”
ବିଦ୍ୟାଳୟରେ ବୁଝି ପାରୁନଥିଲା ଏଇ ପଦକୁ। ହେଲେ ଆଜି ସେ ସମ୍ପୂର୍ଣ୍ଣ ବୁଝିପାରୁଛି ଏହାକୁ। ତା’ବୋଲି ତ ପଢି ସାରୁସାରୁ ଲୁହ ଦୁଇଧାର ଚରଣସ୍ପର୍ଶ କରିଗଲାଣି। ଏମିତି ଅନ୍ଧକାର ମଧ୍ୟରେ ବିତିଯାଇଛି ସେଇ ଦିନଟି। ମିନୁ କିଛି ଭାବି ପାରୁନଥାଏ। ସେ କଣ କରିବ? ତଥାପି ସେ ନିଜକୁ ଆଶ୍ୱାସନା ଦେଇଛି। ଆଉ ଯୋଜନା କରିଛି ବରକୁ କହିବ। ସେ ନିଶ୍ଚିତ ବୁଝିବ। ତା’ ଦୁଃଖ, ଦରଜ ଆଉ ବ୍ୟଥା କୁ...।
ବିଶେଷ ସାଜସଜ୍ଜା କିଛି ନାହିଁ। ଘର ସାମ୍ନାରେ ଚାନ୍ଦୁଆଟିଏ। ତା’ ଛାଇରେ ଝୋଟି ଟିଏ। ଝୋଟି ଉପରେ ମାଠିଆ ଓ ମାଠିଆ ଉପରେ ଆମ୍ବପତ୍ର ସହ କଳସ। ବର ଆସିଛି। ହୁଳହୁଳିରେ ଶୁଣ୍ଢି ବସ୍ତି ଯାକ ଉଠୁଛି ପଡିଛି। ମିନୁର ସ୍ପନ୍ଦନ ବଢ଼ି ବଢ଼ି ଚାଲିଥାଏ। ଅଳ୍ପ କିଛି ସମୟର ବ୍ୟବଧାନ ପରେ ବିନା ଅନୁମତିରେ ଘରକୁ ପଶିଆସିଛି ବର ବିନୟ। ମିନୁ ମନରେ ସାମାନ୍ୟ ଲାଜ ସହ ଅଜସ୍ର ଡର। ବିନୟ ଆସି ବସି ପଡିଛି ତା’ସାମ୍ନାରେ। ମିନୁ ଦେଖୁଛି ତାକୁ। ବର ଦେଖୁଛି ମିନୁକୁ...। ଆଖି ଆଖିରେ ଭାବର ବନ୍ଧନ। କଥାବାର୍ତ୍ତା ମିନୁ ମନେ ମନେ ସାହସ ଯୋଗାଡ଼ କରୁଥାଏ। ଆଉ ପଢିବାକୁ ଚେଷ୍ଟା କରୁଥାଏ ସେଇ ନୂଆ ଅତିଥିର ହୃଦୟକୁ। ତା ସାଙ୍ଗେ କିଛି ପ୍ରଶ୍ନ କରୁଥାଏ ନିଜକୁ। ସେ ତୋ ଦରଦ ବୁଝିବ ତ? ବେଦରଦୀ ନୁହେଁ ତ?
ମାଟିକାନ୍ଥରେ ଟଙ୍ଗା ହୋଇଥିବା ଘଣ୍ଟାର ମିନିଟ - କଣ୍ଟାର ଦୁଇ ତିନି ପାଦ ଗତି ପରେ ମିନୁ ହିଁ ଆଖି ଫେରାଇଛି ପ୍ରଥମେ। ଆଉ ସାହସ ଜୁଟାଇ କହିଦେଇଛି ନିଜ ମନର ମାଳ ମାଳ ବ୍ୟଥାକୁ.. ଦୁଃଖକୁ... ଦରଜକୁ...। ଏବେ ତାକୁ ଟିକିଏ ହାଲୁକା ମନେ ହେଉଥାଏ। ମିନୁର ଉତ୍ତର ନଦେଇ ହିଁ ଚାଲିଯାଇଛି ସେ ନୂଆ ଅତିଥି ବିନୟ। ମିନୁ ନଜରରେ ସେ ଭାବୁକଟେ ସାଜି। ନିସ୍ତବ୍ଦ ହୋଇ।
କିଛି ସମୟପରେ ଖବର ଆସିଛି ବିବାହ ଭାଙ୍ଗିଗଲା। ମିନୁର ଖୁସି କହିଲେ ନସରେ। ହେଲେ ସେ ଖୁସି ହଠାତ ଭାଙ୍ଗିଯାଏ। ବାପାମାଆ ମଧ୍ୟରେ ଯୁକ୍ତିତର୍କ। କେହିବି କଥା ହେଉ ନାହାନ୍ତି ମିନୁ ସହିତ। ଆଖପାଖ ଲୋକେ ମଧ୍ୟରେ ଟୁପୁର୍ ଫୁସୁର୍। ଗାଁ ଲୋକଠୁ କଥାଟା ଆସ୍ତେ ଆସ୍ତେ ପାଖ ଗାଁକୁ ଗଲାଣି। “ଅମୁକ ଘର ଝିଅର ମୁଦିପିନ୍ଧା ଦିନ ବର ମନାକରିଦେଲା, ଆହା....। ବିଚରା କେତେ ଆଶାଟେ ବାନ୍ଧିଥିଲା ଭଲ ବନ୍ଧୁଟେ ବୋଲି। ଆଉ କଣ ବର ଆସିବେ।” ଆଉ କେତେ କଣ। କେହି କେହି ତ ଆଉ କିଛି କିଛି ଯୋଡି କହିଦେଉଥାନ୍ତି। ମିନୁ ପାଇଁ ଅସହ୍ୟ ହୋଇ ପଡୁଥାଏ କଥା ସବୁ। କଥା ସବୁ ବଢ଼େଇ ଦେଉଥାଏ ମିନୁର ବ୍ୟଥା। ବାପାଙ୍କ ନାମରେ ଏତେ ସବୁ ସେ ଶୁଣିପାରୁନି। ପୁଣି ବାପାମାଆଙ୍କ ଦୁଃଖ, କୋହକୁ ସହ୍ୟ କରି ପାରୁନାହିଁ। ହଠାତ ରାମୁ ଦୋକାନକୁ ଯାଇଛି। ଆଉ ଫୋନ କରିଛି ବିନୟକୁ। ଆଉ ଅନୁରୋଧ କରିଛି ତାକୁ ବିବାହ କରିବାକୁ। ବିନୟ ପଟୁ ମଧ୍ୟ ସବୁଜ ସଙ୍କେତ ଆସିଛି। ଆଉଥରେ ଚାଲିଛି ସବୁକିଛି...। ପୂର୍ବ ପରି ସାଜସଜ୍ଜା..। ଦେଖୁ ଦେଖୁ ସରି ଯାଇଛି ବାହାଘର। ମିନୁ ତା’ର ଆଶା, ଅଭିଳାଶକୁ ଭାଙ୍ଗି ଦେଇ ହୋଇଯାଇଛି ବନ୍ଧନ। ପବିତ୍ର ପ୍ରେମ ବନ୍ଧନରେ। ହୋଇ ଯାଇଛି ଗୋଟିଏ ହାତରୁ ଦୁଇହାତ।
ସମୟର ଅନବରତ ଗତିରେ ଆଜି ମିନୁ ବହୁତ ଦୂରକୁ ଚାଲିଆସିଲାଣି। ଏହା ଭିତରେ ଏତେ ଦୁଃଖଦ ସ୍ମୃତି ହେଲାଣି ଯେ ତା’ ଭାରସାମ୍ୟ ହରାଇ ଦେଉଛି। ଏହା ଭିତରେ ବହୁତ କିଛି ଦୁଃଖ ଯନ୍ତ୍ରଣା ସହିଛି। ବହୁତ କିଛି ହାରି ସାରିଛି। ଜମିବାଡ଼ି, ଘରଦ୍ୱାର, ସୁନାରୁପା କେତେ କଣ...। ଏହା ସହ ତିନି ତିନି ଥର ତା’ତିନି ପୁତ୍ରକୁ। ଏବେ ତା’ପାଖରେ କିଛି ନାହିଁ। କେବଳ ଅଛି କୁନା ଆଉ ତା’ସିନ୍ଦୁର। ଏଇନା ଆସି ଏଇ ଟିଟିଲାଗଡ଼ର ମାଳିବସ୍ତିରେ ରହୁଛି। ବିନୟ ପାଖ ଇଲେକ୍ଟ୍ରି ଅଫିସରେ କାମ କରେ। ସରକାରୀ ତ ନୁହଁ ତଥାପି ଲାଗିଛି। ମାସିକ ଚବିଶ ଶହ ତାର ଦରମା।
“କୁନା କାହିଁ? ଦେଖାଯାଉନି”, ସବୁ ଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସରୁ ଫେରିବାପରେ ନିଜର ଏକମାତ୍ର ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି। ରୋଷେଇ କରୁକରୁ ମିନୁ କହୁଥିଲା - “ଦେଖୁନ, ଏଇଠି ଖେଳୁଥିଲା ବାହାରକୁ ଯାଇ ଦେଖୁନ।”
କିଛି ସମୟରେ ବିନୟର ଉଚ୍ଚସ୍ୱରରେ ଘର କମ୍ପି ଉଠୁଥିଲା। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା। ଏଇୟା ସବୁ ଶିଖୁଛି ତମ ପୁଅ? ଦେଖ ତା ଦେହ.. ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଲେ ମତେ କହିବ।”
ରୋଷେଇଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ, ପିଲାଟା ଟିକେ ଖେଳି ଦେଲେ କଣ ହୋଇଗଲା? ତମେ ଖେଳୁନଥିଲ କି? ଜନ୍ମରୁ ଏସି ରୁମଟାରେ ବଢିଥିଲ ନା କଣ ?”
“ମୁଁ ଖେଳୁଥିଲି ଯେ.., କୁନା ବି ଖେଳିବ! ସେ ଏମିତିରେ ବି ଅନ୍ୟ ମାନଙ୍କ ଅପେକ୍ଷା ଦୁର୍ବଳ କେତେବେଳେ କଣ ହୋଇଗଲେ।” ସାମାନ୍ୟ ଦୁଃଖିତ ହୋଇ ବିନୟ କହିଲା।
“ହଁ..... ସତକଥା...” କହୁକହୁ ଖୁବ ଭାବବିହ୍ବଳ ହୋଇପଡୁଥାଏ ମିନୁ। ବୋଧହୁଏ ପୁରୁଣା ସ୍ମୃତି ଗୁଡିକ ଆଖି ସାମ୍ନାକୁ ଚାଲିଆସିଲେ....।
Go Back to Previous Page
ପ୍ରତିଶୋଧ
ଅରୁଣ କୁମାର ପାତ୍ର
Read Article
ନୂଆ ଏକ ବସନ୍ତ
ବୈଚନ୍ଦ୍ର ମଲ୍ଲିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ