ଅନେକ ଦିନ ତଳର କଥା ମୁଁ ଯେତେବେଳେ ବଉଦରେ ଶିକ୍ଷକତା ଟ୍ରେନିଂ ନେଉଥିଲି, ମୋର ଜଣେ ପ୍ରିୟ ବନ୍ଧୁ ଥିଲେ, ତାଙ୍କ ନାମ ସଞ୍ଜୟ। ସଞ୍ଜୟ ଟିଚର୍ସ ଟ୍ରେନିଂରେ କିରାଣୀ ଭାବରେ କାମ କରୁଥିଲେ। ସେ ବଉଦରେ ଏକ ଭଡ଼ାଟିଆ ଘରେ ରହୁଥିଲେ। ଯେହେତୁ ମୁଁ ଟ୍ରେନିଂ ନେଉଥିଲି, ତେଣୁ ତାଙ୍କ ସହ ସବୁଦିନେ ଅଫିସରେ ଦେଖାସାକ୍ଷାତ ହୁଏ। ପ୍ରଥମ ଦେଖାରୁ ହିଁ ସେ ମୋତେ ସାହାଯ୍ୟ କରିଥିଲେ। ତାଙ୍କର ବିଶେଷ ରୁଚି ଥିଲା କବିତା, ଉପନ୍ୟାସ ଓ ଗଳ୍ପ ପଢ଼ିବା।
ଅନେକ ଦିନ ବନ୍ଧୁତା ପରେ ଆମ ଦୁହିଁଙ୍କ ସମ୍ପର୍କର ସେତୁ ମଜବୁତ୍ ହେବାକୁ ଲାଗିଲା। ସଞ୍ଜୟ ବେଳେବେଳେ ମୋତେ ଦେଖା କରିବାକୁ ହଷ୍ଟେଲକୁ ମଧ୍ୟ ଆସେ। ମୁଁ ମଧ୍ୟ କୌଣସି ଅଫିସ୍ କାମରେ ତାଙ୍କର ସହଯୋଗ ପାଇଁ ତାଙ୍କ ଘରକୁ ଯାଇଥାଏ। ଆମେ ଦୁଇ ବନ୍ଧୁ ଦିନେ ସଂଧ୍ୟାବେଳେ ମହାନଦୀ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ମହାନଦୀ କୂଳକୁ ଯାଇଥିଲୁ। ସେଠାରେ ଅନେକ ସମୟ ବସି ଗପ, ମଉଜ ମଜଲିସ୍ କରିଥିଲୁ। ସେ ସମୟରେ ସଞ୍ଜୟ ତା’ର ହୃଦୟର ଅନେକ ଅକୁହା କଥା କହିବାକୁ ଲାଗିଲେ। ସେ ମୋ’ ସହ ଏପରି ମିଶି ଯାଇଥିଲା ଯେ ମୋତେ ଟ୍ରେନିଂ ସ୍କୁଲରେ ଦିନେ ନ ଦେଖିଲେ ବାରମ୍ବାର ଫୋନ୍ କରୁଥାଏ। ଫୋନ୍ ପାଇ ମୁଁ ତା’ ପାଖକୁ ଗଲାପରେ କୁହେ ବନ୍ଧୁ ତୁମକୁ ନଦେଖିଲେ ମୋତେ ଅଦୌ ଭଲ ଲାଗେନା। ତେଣୁ ଫୋନ୍ କରିଥିଲି। ଯାହା ହେଉ ତୁମେ ଆସିଗଲ।
ଦିନକର ଘଟଣା, ଦୁହେଁ ମହାନଦୀ କୂଳରେ ବସିଥିଲୁ ସେ ମୋତେ ବଉଦ ଅଞ୍ଚଳର ଏକ ଦୁଃଖଦ କାହାଣୀ ବର୍ଣ୍ଣନା କରିବାକୁ ଲାଗିଲେ। ଗପ ହେଲେ ବି କାହାଣୀଟି ସତ। ତେଣୁ ମନ ଦେଇ ଶୁଣ।
ସେ ସମୟରେ ବିଳାସପୁର ନିକଟରେ ଜଣେ ଇଂଜିନିୟର ରହୁଥିଲେ। ତାଙ୍କ ନାମ ବିନୟ ମହାପାତ୍ର। ବିନୟ ସେ ଅଞ୍ଚଳରେ ବେଶ୍ ଜଣାଶୁଣା। ସେ ଜଣେ ନିର୍ଭୀକ, ସଚ୍ଚୋଟ ଓ ନିଷ୍ଟାପର ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ମିନୁ। ଦେଖିବାକୁ ଭାରୀ ସୁନ୍ଦରୀ। ସୁନ୍ଦରୀ କହିଲେ ଚଳିବନି, ସେ’ ତ ଗୋଟିଏ ଚାଉଳରେ ଗଢ଼ା। ପାଖ ପଡେ଼ାଶୀଙ୍କ ନଜରରେ ଦୁହେଁ ଆଦର୍ଶ ଦମ୍ପତି ଥିଲେ। ସେ ଦୁହିଁଙ୍କ ଔରସରୁ ଜାତ ହୋଇଥିଲା କୁନା। ଦୁହିଁଙ୍କ ଭିତରେ ସ୍ନେହ, ପ୍ରେମ ଭରପୁର ଥିଲା। କୁନା ତାଙ୍କର ଏକମାତ୍ର ଗେହ୍ଲା ପୁଅ। ସେ ବି ଦେଖିବାକୁ ଖୁବ୍ ସୁନ୍ଦର। ମୁଁ କହିଲି – ବାପା, ମା ଦେଖିବାକୁ ଯେପରି ସୁନ୍ଦର, ପୁଅ ସୁନ୍ଦର ନ ହୋଇ ଯିବ କୁଆଡ଼େ?
ବିନୟର ସଚ୍ଚୋଟ ପଣିଆ ସକାଶେ ଇଂଜିନିୟର ହୋଇ ମଧ୍ୟ ତାଙ୍କର ପାଖରେ ସେଭଳି କିଛି ମୋଟା ଅଙ୍କର ସମ୍ପତ୍ତି ନଥିଲା, କେବେଳ ଥିଲା, ବ୍ୟାଙ୍କରେ କିଛି ଲକ୍ଷ ଜମା ଟଙ୍କା। ନିଜର ଦରମା ତଥା ବ୍ୟାଙ୍କରେ ଜମାଥିବା ସୁଧ ଟଙ୍କାରେ ତା’ର ପରିବାରର ଗୁଜୁରାଣ ମେଣ୍ଟାଉଥିଲା। ବିନୟକୁ କ୍ୱାଟର୍ସ୍ ମିଳିଥିଲେ ମଧ୍ୟ ସେ ସେଠାରେ ରହୁନଥିଲା। ସେ ନିଜ ଘର ବିଳାସପୁରରେ ରହୁଥିଲା।
କୁନା ଗୋଟେ ବୋଲି ପୁଅ ହୋଇଥିବାରୁ ବିନୟ ଓ ମିନୁ ତା’ର କୌଣସିଥିରେ ଅଭାବ ପରିଲକ୍ଷିତ ହେବାକୁ ଦେଉନଥିଲେ। ପୁଅ ସେତେବେଳେ ଯାହା ଇଚ୍ଛା କରୁଥିଲା ତାହାକୁ ଆଣି ବିନୟ ଯୋଗାଇ ଦେଉଥିଲେ। କୁନାର ବୟସ ବୋଧେ ୮ ବର୍ଷ ହେବ ତେଣୁ ତା’ର ହିତାହିତ ଜ୍ଞାନ ନଥିଲା। ସେ ଥିଲା ଚଞ୍ଚଳ ପ୍ରକୃତିର। ସେ ସର୍ବଦା ଖେଳକୁଦରେ ମନୋନିବେଶ କରୁଥିଲା। ପାଠପଢ଼ାରେ ସେ ଅତ୍ୟନ୍ତ ଦୁର୍ବଳ ଥିଲା।
ବିନୟ ଓ ମିନୁ ଅନେକ ସ୍ୱପ୍ନ ଦେଖୁଥାନ୍ତି ତାଙ୍କ ପୁଅକୁ ନେଇ। ପୁଅ ବଡ଼ ହେଲେ ବଡ଼ ଚାକିରୀ କରିବ ଏବଂ ସମାଜରେ ତାଙ୍କ ସମ୍ମାନ ବଢ଼ାଇବ। ବିନୟର ଇଚ୍ଛା ପୁଅକୁ ଡାକ୍ତରୀ ପଢ଼ାଇବ। ବାପା ମାଆଙ୍କ ଅତିଶୟ ସ୍ନେହ, ପ୍ରେମ ତାକୁ ପାଠ ପଢ଼ାରେ ଦୁର୍ବଳ କରିଦେଇଥାଏ।
ହଠାତ୍ ଦିନେ ଘରେ ପୁଅକୁ ନ ପାଇ ବିନୟ ମିନୁକୁ ପଚାରିଲା – “କୁନା କାହିଁ? ଦେଖାଯାଉନି” ସବୁ ଘର ବୁଲି ଦେଇ ପଚାରୁଥିଲା ବିନୟ। ଅଫିସରୁ ଫେରିବା ପରେ ନିଜର ଏକ ମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ।”
କିଛି ସମୟ ପରେ ବିନୟର ଉଚ୍ଚସ୍ୱରରେ ଘର କମ୍ପି ଉଠୁଥିଲା। “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ମିଶି ବାଲି ଖେଳୁଥିଲା। ଏଇୟା ସବୁ ଶିଖୁଛି ତୁମ ପୁଅ? ଦେଖ ତା’ ଦେହ .. ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ, ମୋତେ କହିବ।”
ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ, ପିଲାଟା ଟିକେ ଖେଳିଦେଲେ କ’ଣ ହୋଇଗଲା? ତମେ ଖେଳୁ ନଥିଲ କି? ଜନ୍ମରୁ ଏସି ରୁମରେ ବଢ଼ିଥିଲ ନା କ’ଣ?
ରାଗରେ ତମ ତମ ହୋଇ ବିନୟ ଚାଲିଲା କୁନାର ଅନୁସନ୍ଧାନରେ। ଅନେକ ଚିହ୍ନାଜଣା ଜାଗା ଦେଖିସାରି କୁନାକୁ ନପାଇ ଫେରିଲା। ହତାଶ ହୋଇ ଘରକୁ। ଘରେ ମିନୁ ଚାହିଁ ରହିଥିଲା ସ୍ୱାମୀ ଓ ପୁତ୍ରର ଆଗମନକୁ।
ସରୋଜ କୁନାର ସାଙ୍ଗ। ସରୋଜର ବାପା ଜଣେ କମ୍ୟୁନିଷ୍ଟ ନେତା। ରାଜନୀତିର ପଶାପାଲିରେ ସର୍ବସ୍ୱ ହରାଇ ଦେଇ ନିଜେ ଏହି ଦୁନିଆ ଛାଡ଼ି ଚାଲିଯାଇଥିଲେ ଆର ପାରିକୁ। ତେଣୁ ସରୋଜକୁ କୌଣସି କଥାରେ ତା’ର ମା’ ଆକଟ କରିନଥାନ୍ତି। ସେଥିପାଇଁ ସରୋଜ ଲଗାମ୍ ଛଡ଼ା ହୋଇ ଯାଇଥାଏ।
ସରୋଜ ଭାରି ଜିଦ୍ ଖୋର୍। ସେ କୁନାର ପିଲାବେଳର ବନ୍ଧୁ। ଯାହା ମନରେ ଆସେ ସେଇୟା କରେ। ସରୋଜ ଆଖିରେ ସବୁ ଧନୀ ଲୋକମାନେ ଥିଲେ ବଦମାସ ମନରେ ଭାବୁଥିଲା ସମାଜର ସବୁ ଧନୀ ଲୋକମାନଙ୍କ ଯୋଗୁଁ ହିଁ ଆମେ ଗରିବ ହୋଇ ରହିଛୁ। ଯଦି ତାଙ୍କର ସମସ୍ତ ସମ୍ପତ୍ତି ସବୁ ଗରିବ ଲୋକଙ୍କୁ ସମାନ ଭାବରେ ବାଣ୍ଟି ଦିଆଯାଆନ୍ତା ତେବେ ଆଉ ଧନୀ, ଗରିବ କେହି ରହି ନଥାନ୍ତେ। କମ୍ୟୁନିଷ୍ଟ ଚିନ୍ତଧାରାରେ ସେ ସମାଜରେ ଆଗକୁ ବଢ଼ିବାକୁ ଲାଗୁଥିଲା।
କୁନା ସେ ଦିନ ଫେରିଥିଲା ଘରକୁ ରାତି ୯ଟାରେ। ବିନୟ ରାଗରେ ବ୍ରହ୍ମ ଚଣ୍ଡାଳ ହୋଇ ଘରେ ତା’ରି ଫେରିବା ବାଟକୁ ଅପେକ୍ଷା କରି ବସିଥିଲେ।
ବିନୟ ପଚାରିଲେ କୁନାକୁ “କିରେ ଟୋକା ମୁଣ୍ଡକୁ ହାତ ପାଇଗଲାନା କ’ଣ?” ରାତି ୯ଟା ପର୍ଯ୍ୟନ୍ତ ବାହାରେ ଖେଳୁଛୁ, ବୁଲାବୁଲି କରୁଛୁ”। କୁନା ନମ୍ର ଭାବରେ ଉତ୍ତର ଦେଲା – ସାଙ୍ଗ ଘରେ ରହିଯାଇଥିଲି। ହଉ, ଠିକ୍ ଅଛି ବିନୟ କହିଲେ। କିନ୍ତୁ ମନେରଖ, ଏମିତି ଭବିଷ୍ୟତରେ ଯେପରି ନହୁଏ, ଯଦି ହୁଏ ମୋର ମଲା ମୁହଁ ଦେଖିବୁ। ସେହି ଦିନ ଜାଣିବୁ ତୋର ବାପା ବିନୟର କଥା। ଲୋକ ଯେମିତି, କାମ ବି ସେମିତି।
ମିନୁ ବାଥ ରୁମରୁ ବାହାରି ଆସି ବିନୟକୁ ବୁଝାଇବାକୁ ଲାଗିଲା। ତୁମେ କାହିଁକି ଏପରି ରାଗୁଛ? ପୁଅ ଆମର ଛୋଟ ହୋଇଛି ବଡ଼ ହେଲେ ଆପେ ଆପେ ସବୁ କିଛି ବୁଝି ପାରିବ, ଏହି ସଂସାର ବିଷୟରେ। ସେ ପ୍ରଥମେ ବାହାରର ପରିବେଶକୁ ବୁଝୁ ତା’ପରେ ଦେଖାଯିବ।
ଏମିତି ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ଅତିବାହିତ ହେବାକୁ ଲାଗିଲା। ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେପରି ଚାନ୍ଦ ବନ ହେବାକୁ ଲାଗେ କୁନା ମଧ୍ୟ ସମୟ ଚକ୍ରରେ ବଡ଼ ହେବାକୁ ଲାଗିଲା। ଏପରିକି ଦଶମ ପାସ୍ କଲା। ଦଶମ ପାସ୍ କଲାପରେ ମିନୁ ବିନୟକୁ ଅନୁରୋଧ କରି କହିଲେ – ବିନୟ, ଆମ କୁନା ବଡ଼ ହୋଇଗଲା। ତା’ର ଭବିଷ୍ୟତ ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ।
ବିନୟ କହିଲା – କୁନା ତ’ ଦଶମରେ ଥାର୍ଡ କ୍ଲାସରେ ପାସ୍ କରିଛି ତେଣୁ ତାକୁ କେଉଁଠି, କେଉଁ କଲେଜରେ ସିଟ୍ ମିଳିବ? ଦେଖିବା ଯଦି ହୁଏ ପ୍ରାଇଭେଟ୍ କଲେଜରେ ନାମ ଲେଖାଇ ଦେବା। ଘରେ ଥିଲେ ସିନା ବୁଲିବ, ଖେଳିବ। ସେଠାରେ ହଷ୍ଟେଲରେ ରହିବ ଅନ୍ୟର ତାଗିଦରେ କାଳେ ସୁଧୁରିଯିବ।
କୁନାର ଏକ ପ୍ରାଇଭେଟ୍ କଲେଜରେ ନାମ ଲେଖାଇ ଦେଲାପରେ ସେ ହଷ୍ଟେଲରେ ରହି +୨ ଆର୍ଟସ ପଢ଼ିବ ବୋଲି ସ୍ଥିର କରିନେଇଥିଲା ବିନୟ। ପୁଅକୁ ନେଇ ମିନୁର ଆଖିରେ ଆଖିଏ ସ୍ୱପ୍ନ। ପୁଅ ବଡ଼ ହୋଇ ଚାକିରୀ କଲେ ତାଙ୍କର ବୃଦ୍ଧାବସ୍ଥାରେ ସାହା ହେବ।
ଅପର ପକ୍ଷରେ, ସରୋଜ ମଧ୍ୟ ଦଶମ ଥାର୍ଡ ଡିଭିଜନରେ ପାସ୍ କରି ସେହି କଲେଜରେ ନାମ ଲେଖାଇବାକୁ ଗଲା କିଛି ଦିନପରେ, ବୋଧହୁଏ ଦୁଇ ବନ୍ଧୁ ଗୋଟିଏ କଲେଜରେ ପଢ଼ିବାକୁ ଆଗରୁ ମନସ୍ଥ କରିଥିଲେ।
କୁନା କଲେଜ୍ ହଷ୍ଟେଲରେ ରହିବା ଦିନଠୁ ବିନୟର ଦେହ ଖରାପ ହେବାରେ ଲାଗିଲା। ତା’ଙ୍କର ବିପି ଏବଂ ସୁଗାର ଲେବଲ୍ ବଢ଼ିବାରେ ଲାଗିଲା। ସେ ସଦା ସର୍ବଦା ଚିନ୍ତାଗ୍ରସ୍ତ ରହୁଥିଲେ।
ହଠାତ୍ ଦିନେ ରାତିରେ ଏକ ଦୁଃସ୍ୱପ୍ନ ଦେଖି ବିନୟ ପୁଅ କୁନା କଥା ଭାବି ଭାବି ଚିନ୍ତାଗ୍ରସ୍ତ ହୋଇ ପଡିଲେ। ଭାବିଲେ ମୋର ଭାଗ୍ୟରେ ଏପରି କୁଳାଙ୍ଗାର ପୁତ୍ର ଜନ୍ମ ଦେଲ ମହାପ୍ରଭୁ, ତା’ର ମଙ୍ଗଳ କାମନାକର କହି ହଠାତ୍ ବେଡ଼ରେ ଟଳି ପଡିଲେ। ଶେଜରୁ ଧଡ଼ ପଡ୍ କିନା ଉଠି ମିନୁ କହିଲା – କ’ଣ ହୋଇଛି ତୁମର ବିନୟ। ବିନୟ କିନ୍ତୁ ନିରୁତ୍ତର। ମିନୁ ଡ଼ାକ୍ତରଙ୍କୁ ଫୋନ୍ କଲା। ଡ଼ାକ୍ତର ବାବୁ ଆସିଲେ ବିନୟର ସମସ୍ତ ଚେକ୍ ଅପ୍ ପରେ ଜଣାପଡିଲା ବିନୟ ଆଉ ଏହି ଇହ ଜଗତରେ ନାହାଁନ୍ତି।
ଡ଼ାକ୍ତରଙ୍କ ପାଖକୁ ବିନୟର ମୃତ୍ୟୁ ଖବର ଶୁଣି ମିନୁ ଚେତା ଶୂନ୍ୟ ହୋଇଯାଇଥିଲା। କିଛି ସମୟ ପରେ ଡ଼ାକ୍ତର ବାବୁଙ୍କ ପ୍ରଚେଷ୍ଟାରେ ତା’ର ଚେତା ଫେରିଲା। ମିନୁ କାନ୍ଦିବାକୁ ଇଚ୍ଛା କରି ମଧ୍ୟ କାନ୍ଦି ପାରୁନଥିଲା। ତା’ର ଆଖିରୁ କେବଳ ଗଡ଼ି ଯାଉଥିଲା ଅଜସ୍ର ଅଶ୍ରୁ। କିନ୍ତୁ ସେ ବହୁତ ଚେଷ୍ଟା କରି ନିଜକୁ ସଂଯତ କରି ନେଇଥିଲା।
କିଛି ସମୟ ପରେ ମିନୁ କୁନାର କଲେଜ୍ ହଷ୍ଟେଲକୁ ଫୋନ୍ କରି ପିତା ମୃତ୍ୟୁର ଖବର ଦେବାକୁ ଚାହୁଁଥିଲା କିନ୍ତୁ ଅନ୍ୟପଟୁ ଉତ୍ତର ଆସିଲା ତୁମର ପୁଅ କୁନା ଏବଂ ସଞ୍ଜୟ ଦୁହେଁ କଲେଜ ହଷ୍ଟେଲରୁ କୁଆଡ଼େ ବାହାରକୁ ଏସ୍କର୍ସନରେ ଯାଇଛନ୍ତି। ତେଣୁ ଆପଣଙ୍କ ଗୋଚରାର୍ଥେ ଜଣାଇ ଦିଆଗଲା।
ଡ଼ାକ୍ତର ପୋଲିସକୁ ଫୋନ୍ କରି ଜଣାଇଲେ ବିନୟର ମୃତ୍ୟୁର ଖବର। ତେଣୁ ପୋଲିସ୍ ଆସି ବିନୟ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଲା। ପରେ ପରେ ବିନୟ ମୃତ୍ୟୁ ହୃଦ୍ଘାତ ଯୋଗୁଁ ହୋଇଥିଲା ବୋଲି ଡାକ୍ତର ରିପୋର୍ଟ ପ୍ରଦାନ କଲେ। ସେହି ରାତ୍ରିରେ ବିନୟର ଶବସତ୍କାର ହୋଇ ଯାଇଥିଲା। ତାହା ପରେ ଶ୍ରାଦ୍ଧ ହୋଇ ଯାଇଥିଲା।
ଶ୍ରାଦ୍ଧର ବହୁତ ଦିନପରେ ଘରକୁ କୁନା ଆସିଥିଲା। ସେତେବେଳେ ରାତି ଅଧ।
ଘର ଭିତରୁ ମିନୁ ପଚାରିଲା କିଏ? ମୁଁ କୁନା। ମିନୁ ଦୁଆର ଖୋଲି ଦେଇଥିଲା। କହିଲା, ଏତେଦିନ ପରେ ତୋର ଘରକୁ ଆସିବା ପାଇଁ ସମୟ ହେଲା?
କୁନା କୌଣସି ଉତ୍ତର ଦେଇନଥିଲା। ଘର ଭିତରକୁ ଚାଲି ଯାଇଥିଲା। ମାଆ ପଚାରିଲେ – ଏମିତି ଭାବରେ ଆମକୁ ଭୁଲିଯିବା ପାଇଁ ହୋଇଥାଏ। ଯଦି ଭୁଲି ଯାଇନଥିଲୁ, ତେବେ ତୋର ବାପା ଏମିତି ଭାବରେ ମରିଗଲେ କାହିଁକି? ସେ ମରିବା ବେଳେ ଥରେ ଆସି ତାଙ୍କ ପାଖରେ ଠିଆ ହେଲୁ ନାହିଁ। ତୋର ବାପା ଏମିତି କ’ଣ ଦୋଷ କରିଥିଲେ ଯେ ମଲାବେଳେ ଟୋପାଏ ପାଣି ମଧ୍ୟ ପାଇଲେ ନାହିଁ?
କୁନା କହିଲା, ମାଆ ମୁଁ ଜାଣି ପାରିନଥିଲି। ସେ କେବେ ମରିଗଲେ? ତାଙ୍କର କ’ଣ ହୋଇଥିଲା?
-ବର୍ତ୍ତମାନ ତାହା ପଚାରି ଲାଭ କ’ଣ?
ମିନୁ ମନେ ମନେ ଅନେକ କଥା ଭାବୁଥିଲା। ବିନୟ ଯେତେବେଳେ ଜୀବିତ ଥିଲେ ସେତେବେଳେ ଏହି ଘରର ଅବସ୍ଥା ଭଲ ଥିଲା। କିନ୍ତୁ ତାହା ପରଠାରୁ ତାଙ୍କର ପୁଅ ଯେପରି ବିଗିଡି ଯାଇଥିଲା। ବାପା ବଞ୍ଚିଥିବା ସମୟରୁ ସେ ବିଗିଡି ଯାଇଥିଲା, କିନ୍ତୁ ବାପା ମରିଯିବା ପରେ ପୁଅ ଯେପରି ଆହୁରି ବିଗିଡି ଗଲା। ସାରା ଦିନ ସେ କେଉଁଠାରେ ଥାଏ, କେଉଁଠାରେ ଦିନରାତି ବିତାଇ ଥାଏ, ତାହା ଜାଣି ହୁଏ ନାହିଁ।
ବହୁତ ଦିନ ଏମିତି ଭାବରେ ବିତି ଯାଇଥାଏ ତାହା ପରେ ଗୋଟିଏ ମାସ ପରେ ..। ରାତ୍ରିର ତୃତୀୟ ପ୍ରହର। କେହି ଜଣେ ଆସି କୁନାକୁ ଡାକିଲା। ମାଆର ମନ। ସେହି ଡାକରା ଶୁଣି ନିଦ ଭାଙ୍ଗି ଯାଇଥିଲା। ପଚାରିଲା କିଏ?
ମୁଁ ସରୋଜ।
ମିନୁ ପୁଆର ଘର ଭିତରକୁ ଯାଇ ନିଦରୁ ଉଠାଇ କହିଲେ, ତୋତେ କିଏ ଡାକୁଛି। ଧଡପଡ଼ ହୋଇ ନିଦରୁ ଉଠିପଡ଼ି କୁନା କହିଲା – ସରୋଜ ଆସିଛି। ମୁଁ ତାହା ସହିତ ଯାଉଛି। ମୋର ଆସିବା ପାଇଁ ଡେରି ହେବ।
ମାଆ ପଚାରିଲେ - ଯାଉଛୁ କେଉଁଆଡେ? କେତେବେଳେ ଫେରିବୁ? – ତାହା କିଛି କହିପାରିବି ନାହିଁ। ଏହା କହି ପୁଅ ଘରୁ ବାହାରକୁ ଚାଲିଯାଇଥିଲା।
ତାହାପରେ କେତେଦିନ କେତେ ମାସ ବିତି ଯିବାପରେ ପୁଅ ଦିନେ ଫେରିଥିଲା। ମାଆ ପ୍ରତିଦିନ ପୁଅ ଫେରି ଆସିବ ବୋଲି ଅପେକ୍ଷା କରି ବସି ରହୁଥିଲା। ଗ୍ରୀଷ୍ମ ଯାଇ ଯେତେବେଳେ ବର୍ଷ ଋତୁ ଆସିଲା, ସେତେବେଳେ ମଧ୍ୟ ପୁଅ ଫେରି ଆସିନଥିଲା। ବର୍ଷା ଯାଇ ଶୀତ ଦିନ ଆସିଥିଲା। ଦିନେ ରାତିରେ ପୁଅ ଫେରିଆସି ଡାକିଲା – ମାଆ .. ମାଆ। ମାଆ ଧଡ଼ପଡ଼ ହୋଇ ଦୁଆର ଖୋଲି ଦେଖିଲା, ପ୍ରକୃତରେ ପୁଅ ଫେରିଆସିଛି। ମାଆ ପଚାରିଲେ - ଆରେ ଏତେ ଦିନ ହେଲା ଥିଲୁ କେଉଁଠାରେ। ଗୋଟାଏ ଖବର ମୋତେ ପଠାଇ ପାରିଥାଆନ୍ତୁ।
ମା' ତୋ’ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ’ ପାଖରେ ସମୟ ନାହିଁ। ପୁଅ ତା’ ହାତରେ କ’ଣ ଗୋଟିଏ ଜିନିଷ ବୋହି ଆଣିଥିଲା ମାଆ ପଚାରିଲା - ଆରେ ତୋ’ ହାତରେ ତାହା କ’ଣ? ସେଥିରେ କ’ଣ ଅଛି? – ତୁମର ଜାଣିବା ଦରକାର ନାହିଁ। ତୁମେ ଯାଅ ଶୋଇବ। ଏହା କହି ସେ ନିଜର ଘର ଭିତରକୁ ଯାଇ ଦୁଆର ବନ୍ଦ କରି ଦେଇଥିଲା।
ମାଆର ମନରେ ସେହି ଦିନ ଠାରୁ ସନ୍ଦେହ ହୋଇଥିଲା। କିନ୍ତୁ କିଛି କହିନଥିଲେ। ସକାଳ ହୋଇଥିଲା। ପୁଅ ନିଦରେ ଶୋଇଥିଲା। ତାହା ପରେ ଉଠି କହିଲା – ମାଆ ମୋତେ ଖାଇବା ପାଇଁ ଦିଅ। ବଡ ଭୋକ ହେଉଛି।
ମାଆ ଖାଇବା ପାଇଁ ଦେଇଥିଲା। ପୁଅ ମାଆ କଥା ଭାବିଥାଉ କିମ୍ବା ନଥାଉ କିନ୍ତୁ, ମାଆ ପୁଅକୁ କେବେହେଲେ ଅବହେଳା କରି ପାରିବ ନାହିଁ। କିପରି ଘର ସଂସ୍କାର ଚାଲୁଛି, କିଏ ବଜାର ସଉଦା ଆଣି ଦେଉଛି, ଟଙ୍କା କେଉଁ ଠାରୁ ଆସୁଛି – ତାହା ଜାଣିବା ପାଇଁ ପୁଅର କୌଣସି ଦରକାର ହୁଏ ନାହିଁ। ସେ ଯେତେବେଳେ ଯାହା ମାଗିବ ତାହା ତାହାର ହାତ ପାଖରେ ପାଇଲେ ହେଲା। କିନ୍ତୁ ପରେ ଯେ କୁନା ଏମିତି ଅପଦାର୍ଥ ହେବ କିଏ ଜାଣିଥିଲା?
ଯାହାହେଉ, ସେଦିନ ରାତିରେ କୁନା ଯେ ଫେରି ଆସିଥିଲା। ଆଉ କୌଣସି ଦିନ ସେ ଘରୁ ଦାଣ୍ଡକୁ ବାହାରି ନଥିଲା। ସାରା ଦିନ ଘର ଭିତରେ ରହି ସେ କ’ଣ କରେ, ତାହା ମାଅ ଜାଣି ପାରେ ନାହିଁ। ଦିନେ ମାଆ ପଚାରିଲେ - ଆରେ ତୁ ସାରା ଦିନ ଘରେ ବସି କ’ଣ କରିଥାଉ? କୁନା କୁହେ – କିଛି ନୁହେଁ ।
- ତୋର ସେହି ସାଙ୍ଗ ତୋତେ ଆଉ ଡାକିବା ପାଇଁ ଆସୁନାହିଁ?
- ସେ କାହିଁକି ଡାକିବା ପାଇଁ ଆସୁ ନାହିଁ ମୁଁ ଜାଣିବି କିପରି?
ମାଆ ଭାବିଲେ, ବୋଧହୁଏ ଦୁଇ ବନ୍ଧୁଙ୍କ ଭିତରେ କୌଣସି କଳିକଜିଆ ହୋଇଛି। ତେଣୁ ଭଲ ହୋଇଛି। ଏଥର କୁନା ଘର ସଂସାର କାମ ଦେଖିବ। କିନ୍ତୁ ନା, ପୁଅ ଘରର କୌଣସି କାମ କରେ ନାହିଁ କିମ୍ବା ଘର ଭିତରୁ ବାହାରକୁ ବାହାରି ଆସେ ନାହିଁ। ସେ ଯେପରି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ କେବଳ ଖାଉଥିଲା ଓ ଶୋଇ ରହୁଥିଲା।
ଦିନେ ହଠାତ୍ ମିନୁ ଉଠି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ସେ ମଥାରେ ହାତଦେଇ ଚିତ୍କାର କରି ଉଠିଥିଲେ। ସେ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଇଥିଲା। ଡ଼ାକ୍ତର ଆସି ପରୀକ୍ଷା କରି କହିଲେ - ପୁଅକୁ କେହି ଆସି ହତ୍ୟା କରିସାରିଛି। ଡ଼ାକ୍ତର ପୋଲିସକୁ ଫୋନ୍ କରିଥିଲେ। ଖବର ପାଇ ପୁଲିସ୍ ଆସିଥିଲା। କୁନାର ଶବକୁ ପରୀକ୍ଷା କରି ମିନୁକୁ ପଚାରିଥିଲା - ଆପଣଙ୍କର କାହାକୁ ସନ୍ଦେହ ହୁଏ କି?
- ହଁ ହୁଏ।
- ସେ କିଏ? ତାହାର ନାମ କ’ଣ?
- ତାହାର ନାମ ମୁଁ ଜାଣି ନାହିଁ। ତେବେ ତାହାର ଜଣେ ବନ୍ଧୁ ବେଳେବେଳେ ଆସୁଥିଲା। ତେବେ କେତେ ମାସ ହେଲା ଆସୁନାହିଁ। ପୁଅ ଏକୁଟିଆ ଘର ଭିତରେ କେବଳ ଖାଇ ଶୋଇ ରହୁଥିଲା। କାହା ସହିତ ମିଶୁ ନଥିଲା। ତାହାର ବନ୍ଧୁ ଆସି ଡାକିଲେ ମଧ୍ୟ ସେ ଘର ଭିତରୁ ବାହାରୁ ନଥିଲା।
- ତାହାର ଠିକଣା ଜାଣନ୍ତି?
- ନା
- ଆପଣଙ୍କର ପୁଅର ଆଉ କୌଣସି ବନ୍ଧୁ ଥିଲେ ନା କେବଳ ସେହି ଗୋଟିଏ ବନ୍ଧୁ ଥିଲା? ପୁଲିସ୍ ଆହୁରି କେତେ ପ୍ରଶ୍ନ ପଚାରି ମଧ୍ୟ କୌଣସି ସୂତ୍ର ଜାଣି ପାରିନଥିଲା। ତାହା ପରେ କୁନାର ଶବସତ୍କାର କରାଯାଇଥିଲା।
ତାହାପରେ ବହୁତ ମାସ ବହୁତ ଦିନ ବିତିଯାଇଥିଲା। ମିନୁର ଯେପରି ଦିନେ କ’ଣ ସନ୍ଦେହ ହୋଇଥିଲା। ବହୁଦିନ ପୂର୍ବେ ଯେଉଁଦିନ ରାତି ଅଧ ସମୟରେ ଗୋଟିଏ ବଡ ଭାରି ବୋଝନେଇ ପୁଅ ଘରକୁ ଫେରି ଆସିଥିଲା, ସେହି ଜିନିଷ କ’ଣ? ସେହି ବ୍ୟାଗ୍ ଭିତରେ କ’ଣ ଅଛି।
ସେଦିନ ଆଲମାରୀ ଖୋଲି ଦେଖିଲା ସେହି ଭାରି ବ୍ୟାଗ୍ ସେତେବେଳେ ମଧ୍ୟ ସେହିପରି ଭାବରେ ରହିଛି। ମିନୁ ତାହା ଖୋଲି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେଖିଲା ତାହାରି ଭିତରେ ସୁନା ଓ ହୀରର ଗହଣା ଅଛି। ମନେ ହୁଏ, କୋଡିଏ ପଚିଶ ଲକ୍ଷ ଟଙ୍କା ହେବ ତାହା ମୂଲ୍ୟ।
ଏତେ ଗହଣା? ଏତେ ଲକ୍ଷ ଟଙ୍କା, ଗହଣା ସୁନା ପାଇଲା କେଉଁ ଠାରୁ? କେବେ କ’ଣ ସେ ଡକାୟତି କରିଛି? ମିନୁର ମନେ ପଡିଲା, ଆଠ ନଅ ମାସ ପୂର୍ବେ ଜଣେ ଧନୀ ଲୋକ ଘରେ ଡକାୟତି ହେବା ଘଟଣା। ଖବର କାଗଜରେ ପଢ଼ିଥିଲା। କ’ଣ କୁନା ଏବଂ ତାହାର ବନ୍ଧୁ ସେହି ଡକାୟତ?
ଗହଣା ଗୁଡ଼ିକ ଯେପରି ଭାବରେ ଥିଲା ସେହିପରି ଭାବରେ ରଖିଦେଇ ମିନୁ ଆଲମାରୀ ବନ୍ଦ କରି ଦେଇଥିଲା। କିନ୍ତୁ ହଠାତ୍ ମନକୁ ଗୋଟିଏ ବୁଦ୍ଧି ଆସିଥିଲା। ଦିନେ ଖବର କାଗଜରେ ମିନୁ ନାମରେ ଗୋଟିଏ ବିଜ୍ଞାପନ ପ୍ରକାଶ ପାଇଥିଲା। ସେ ଏହି ଘରକୁ ବିକ୍ରି କରିଦେବ। ସେହି ବିଜ୍ଞାପନ ଦେଖି ବହୁତ ଲୋକ ଆସିଥିଲେ। ପଚାରିଥିଲେ ଆପଣ ଏହି ଘର ବିକ୍ରି କରିଦେବେ?
- ହଁ ମୋର ପୁଅ କୁନା ଯେତେବେଳେ ମରିଯାଇଛି, ସେତେବେଳେ ଏହି ଘର ରଖି ଆଉ ଲାଭ କ’ଣ? ଏହି ଘର ରଖି ମୁଁ ଆଉ କ’ଣ କରିବି? ଆଉ ମଧ୍ୟ କେତେ ଦିନ ମୁଁ ବଞ୍ଚିବି? ତାହା ପୂର୍ବରୁ ଏହି ଘର ବିକ୍ରି କରିନେଇ ସେଇ ଟଙ୍କା ବ୍ୟାଙ୍କରେ ଜମା ରଖି ସେହି ସୁଧରେ ଜୀବନ ବିତାଇ ଦେବି।
କିନ୍ତୁ ଏହି ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଶୁଣି ସମସ୍ତେ ଫେରି ଯାଉଥିଲେ। କିନ୍ତୁ ମିନୁ କହୁଥିଲା, ସେହି ଚାଳିଶି ଲକ୍ଷ ଟଙ୍କା ନପାଇଲେ ଏହି ଘର ବିକ୍ରି କରିବି ନାହିଁ।
ଦିନେ ଜଣେ ଗରାଖ ଆସିଲା। ତାହାର ବୟସ ପ୍ରାୟ କୁନାର ବୟସ ପରି। ସେ ମିନୁ ପାଖରୁ ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଶୁଣି କୌଣସି ମୂଲଚାଲ ନକରି ରାଜି ହୋଇଯାଇଥିଲା। କହିଲା, ମୁଁ ସେହି ଚାଳିଶି ଲକ୍ଷ ଟଙ୍କା ଦେବି। ତେବେ ଘର ଭିତର ଥରେ ଦେଖିବି। ମିନୁ କହିଲା, ହଁ ଚାଲ ଦେଖିବ।
ଏହା କହି ମିନୁ ସେହି ପିଲାକୁ ନେଇ ସବୁଘର ବୁଲାଇ ଦେଖାଇଥିଲା। କହିଥିଲା – ଦେଖ, ଏହି ସେହି ଘର, ଯେଉଁ ଠାରେ ମୋର କୁନା ରହୁଥିଲା।
ସେହି ଘର ଭିତରେ କୁନାର ସବୁ ଜିନିଷ ଥିଲା। ସେହି ଷ୍ଟିଲ୍ ଆଲମାରୀ ମଧ୍ୟ ଥିଲା, ଯାହା ଭିତରେ ପ୍ରାୟ କୋଡିଏ ପଚିଶି ଲକ୍ଷ ଟଙ୍କାର ଗହଣା ଥିଲା। ସେହି ଆଲମାରୀ ଆଡେ ସେହି ପିଲା ଜଣକ ବାରମ୍ବାର ଅନାଇ ଦେଖିଥିଲା। ପଚାରିଲା – ଏଗୁଡିକ ସବୁ ଆପଣଙ୍କର ପୁଅର?
ମିନୁ କହିଲା, ହଁ। ପୁଅ ଯେପରି ଅବସ୍ଥାରେ ମରିଯାଇଛି, ଏ ଗୁଡିକ ଏବେ ସେହିପରି ଅବସ୍ଥାରେ ରହିଛି।
ସେହିପିଲା ଜଣକ କହିଲା – ଠିକ୍ ଅଛି, ମୁଁ ଏହି ଘର କିଣିବି। ଏହି ଘର ମୋର ପସନ୍ଦ ହୋଇଛି। ଆପଣଙ୍କୁ ମୁଁ ଏହି ଘରର ମୂଲ୍ୟ ଚାଳିଶି ଲକ୍ଷ ଟଙ୍କା ଦେବି। ତେବେ ମାଉସୀ, ମୋର ଗୋଟିଏ ସର୍ତ୍ତ ଅଛି। ଏହି ଘର ସହିତ ମୋତେ ଏହି ଆଲମାରୀ ମଧ୍ୟ ଦେବେ। ଏହି ଆଲମାରୀ ଭିତରେ କ’ଣ ଅଛି, ତାହା ଆପଣ ଦେଖିଛନ୍ତି କି?
ମିନୁ କହିଲା - ନା। ମୋର ସେହି ପୁଅ ଯେତେବେଳେ ମରିଯାଇଛି, ସେତେବେଳେ ତାହାର ଜିନିଷ ଦେଖି ମୁଁ ଆଉ କ’ଣ କରିବି? ସେ ବଞ୍ଚିଥିବାବେଳେ ଯେପରି ଥିଲା, ଏବେ ସେହିପରି ଭାବରେ ରହିଛି। ମୁଁ ତାହା ଖୋଲି ଆଦୌ ଦେଖିନାହିଁ। ମିନୁ ଟିକିଏ ନିରବ ରହି କହିଲେ, ତାହା ଯାହା ହୋଇଥାଉ, ତୁମେ ଟିକିଏ ବସ। ତୁମ ପାଇଁ କଫି ନେଇ ଆସୁଛି।
ମାତ୍ର କେତେ ସମୟ ପରେ ସେ କଫି ନେଇ ଆସିଲା। ସେହି ପିଲା ଜଣକ କଫି ପିଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେହି କଫି ପିଇବା ମାତ୍ରେ ଅଜ୍ଞାନ ହୋଇ ଚେୟାର ଉପରୁ ତଳେ ପଡ଼ି ଯାଇଥିଲା ।
ମିନୁ ଚାଲି ଚାଲି ଯାଇ ପୋଲିସ୍ ଷ୍ଟେସନରେ ପହଞ୍ଚିଲା।
ଥାନାର ପୁଲିସ୍ ଅଫିସର ପଚାରିଲେ – ତାହା ପରେ?
ମିନୁ କହିଲା, ତାହାପରେ ସେହି ଶଇତାନ ପିଲାଟା ମରିଯାଇଥିଲା। ଥାନାର ଅଫିସର ପଚାରିଲେ – କାହିଁକି ଆପଣ ତାକୁ ହତ୍ୟା କଲେ? ସେ କ’ଣ କଫି ପିଇ ମରିଯାଇଥିଲା?
ମିନୁ କହିଲା – ସେ କଫିରେ ମୁଁ ବିଷ ମିଶାଇ ଦେଇଥିଲି। ମୁଁ ଜାଣିଥିଲି ସେହି କୋଡିଏ ପଚିଶି ଲକ୍ଷ ଟଙ୍କାର ଗହଣା ଲୋଭରେ କୁନାର ବନ୍ଧୁ ଆଦୌ ସମ୍ଭାଳି ହୋଇ ରହିପାରିବ ନାହିଁ। ମୁଁ ଯଦି ଘରର ମୂଲ୍ୟ ପଚାଶ ଲକ୍ଷ ଟଙ୍କା ତାକୁ ମାଗି ଥାଆନ୍ତି, ତାହା ମଧ୍ୟ ସେ ଦେଇ ଥାଆନ୍ତା। ସେହି ଟଙ୍କା ଲୋଭରେ ସେ ମୋର ପୁଅ କୁନାକୁ ହତ୍ୟା କରିଥିଲା। ମୋର ପୁଅ ମୁହଁରେ ତାହାର ନାମ ମୁଁ ବହୁତ ଥର ଶୁଣିଥିଲି।
ତାହା ପରେ ଟିକିଏ ନୀରବ ରହି ମିନୁ ପୁଲିସ୍ ଅଫିସରଙ୍କୁ କହିଲା – ମୁଁ ସବୁ ଘଟଣା ଆପଣଙ୍କୁ କହିଲି। ସବୁ ଶୁଣି ଆପଣ ବର୍ତ୍ତମାନ ଯଦି ମୋତେ ଫାଶୀ ଦେବା ପାଇଁ ବ୍ୟବସ୍ଥା କରିବେ ତାହାହେଲେ ମୋର କୌଣସି ଅବଶୋଷ ନାହିଁ, କାହିଁକି ନା ମୁଁ ମୋ ପୁଅ କୁନାର ମୃତ୍ୟୁର ପ୍ରତିଶୋଧ ନେଇଛି ।
ଶିକ୍ଷକ, କେନ୍ଦୁପଦର, ଫୁଲବାଣୀ-୭୬୨୦୦୧
କନ୍ଧମାଳ ଜିଲ୍ଲା (ଓଡିଶା), ଭ୍ରାମ୍ୟଭାଷା : ୯୪୩୭୭୬୫୨୭୫
ଇମେଲ୍ – arunpatra21171@gmail.com
Go Back to Previous Page
ହିନ୍ଦୁଶବ୍ଦର ଐତିହାସିକ ତଥ୍ୟ
ବାଲ୍ମୀକି ନାୟକ
Read Article
ଶେଷ ପରୀକ୍ଷା
ବଲବନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ