ସାଧାରଣତଃ ନିଜକୁ ଜଣେ ଓଡ଼ିଆ ବୋଲି ପରିଚୟ ଦେବାବେଳେ ଓଡ଼ିଆଭାଷୀ ଜଣକର ଛାତି ଚଉଡ଼ା ହୋଇଯାଏ ଗର୍ବ ଓ ଗୌରବରେ ଫୁଲି ଉଠିଥାଏ। କାରଣ ଓଡ଼ିଶାର ଭାଷା ସାହିତ୍ୟ, ଐତିହ୍ୟ, କଳା ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ, ଚାରୁଶିଳ୍ପକଳା, ଲୋକସାହିତ୍ୟ, ଖାଦ୍ୟପେୟ ଓ ପର୍ବପର୍ବାଣୀ ଇତ୍ୟାଦି ମହାନ। ଭାଷା ସାହିତ୍ୟ ସବୁଠାରୁ ପ୍ରାଚୀନତମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଢ଼ିବାରେ ଓଢ଼ିଶା ପ୍ରଥମ। ଇଂରେଜ ଶାସନାଧୀନ ଥିବାସମୟରେ ଓଡ଼ିଶା କେତେବେଳେ ବଙ୍ଗ, ବିହାର, ଛତିଶଗଡ଼ ଡିଭିଜନ ସହ ଗୌଣ ରୂପେ ରହି ହିନ୍ଦୀ, ତେଲେଗୁ, ବଙ୍ଗଳା ଭାଷାର ଚାପରେ ଅତିଷ୍ଠ ହୋଇ ପ୍ରଥମେ ଏକ ଶାସନାଧୀନ ଅଞ୍ଚଳ ହେବାର ଦାବୀଟି ଶେଷରେ ସ୍ୱତନ୍ତ୍ରପ୍ରଦେଶ ଗଠନ ଦାବୀରେ ପରିଣତ ହେଲା ଏବଂ ପରିଶେଷରେ ବହୁ ବାଧାବିଘ୍ନ ସହ ବିଭିନ୍ନ ସମୟରେ ବିଭିନ୍ନ କମିସନଙ୍କ ରାୟକୁ ପ୍ରତୀକ୍ଷା କରି କରି ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା। ସେହିଦିନଠାରୁ ଆମେ ସମସ୍ତେ ଏପ୍ରିଲ ପହିଲାରେ ଉତ୍କଳଦିବସ ପାଳନ କରୁଛୁ। ଏହି ଦିବସ ପାଳନ କରିବାର ଯଥାର୍ଥତା କ’ଣ କେବଳ ଆମର ପୂର୍ବପୁରୁଷଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆଉ ସଗର୍ବେ କହିବା ‘ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ!’ କିନ୍ତୁ ସେଇ ଭାଷାଟି ଆଜି କେଉଁଠି ତାହା ପର୍ଯ୍ୟାଲୋଚନା କରିବାର ସମୟ ଏବେ ଉପସ୍ଥିତ
ଆଜି ଓଡ଼ିଆ ଭାଷା ସଙ୍କଟରେ। ନଭେମ୍ବର ୯, ୨୦୧୦ରେ ଭାରତ ସରକାର orissaକୁ odisha ଏବଂ oriyaକୁ odiaରେ ରୂପାନ୍ତରିତ କଲେ। ଫେବୃୟାରୀ ମାସ ୨୦୧୪ ମସିହାରେ ଓଡ଼ିଆକୁ ସମ୍ବିଧାନ ସ୍ୱୀକୃତ ୨୨ଟି ଭାଷା ଭିତରୁ ମିଳିଲା ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା। ଯେଉଁମାନେ ହୀନଚକ୍ରାନ୍ତ କରି ଓଡ଼ିଆକୁ ଲୁପ୍ତ କରିବାକୁ ବସିଥିଲେ ସେମାନଙ୍କ ମୁହଁ ଲଜ୍ଜାବନତ। ଓଡ଼ିଶାରେ ଅଧୁନା ଓଡ଼ିଆ ସରକାରୀ ଭାଷା ରୂପେ ଗୃହୀତ। ଯେଉଁ ଜାତିର ଭାଷା ଯେତେ ଉନ୍ନତ ସେ ଜାତି ସେତେ ସମୃଦ୍ଧ କିନ୍ତୁ ଦୀର୍ଘ ଦଶନ୍ଧି ଦଶନ୍ଧି ବିତିଗଲେ ମଧ୍ୟ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଓ ବିଛିନ୍ନାଞ୍ଚଳ ଗୁଡ଼ିକରେ ଓଡ଼ିଆର ବାସ୍ତବ ରୂପ କିପରି ତାହା ଅନୁସନ୍ଧାନ କଲେ କିଛି ଆନନ୍ଦ ଅନୁଭବ କରିବା କଷ୍ଟକର ମନେହୁଏ। ପଡ଼ୋଶୀ ରାଜ୍ୟର ଭାଷା ପ୍ରଭାବରେ ରାଜ୍ୟ ସୀମାନ୍ତ ଅଞ୍ଚଳର ଭାଷା ପ୍ରଭାବିତ। ସୀମାନ୍ତରେ ଥିବା ଓଡ଼ିଆ ମାନେ ସେମାନଙ୍କର ଓଡ଼ିଆ ହିସାବରେ ଏବଂ ଓଡ଼ିଶା ରାଜ୍ୟର ବାସିନ୍ଦା ଭାବରେ ଓଡ଼ିଶା ଠାରୁ ଯେଉଁ ସୁବିଧା ସୁଯୋଗ ପାଇବା କଥା ସେଥିରୁ ସେମାନେ ବଞ୍ଚିତ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ସୀମାନ୍ତ ଗାଁ ଗୁଡ଼ିକରେ ସୀମା ସେପଟ ଓ ଏପଟ ଅଞ୍ଚଳର ବିକାଶ ଏହାର ପ୍ରମାଣ ଦେଇଥାଏ। କେଉଁଠାରେ ଭାଷାର ପ୍ରଭାବରେ ଓଡ଼ିଆଟିଏ ତା’ର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହୁଏ ତ କେତେବେଳେ ସୀମା ସରହଦକୁ ନେଇ ବିଭିନ୍ନ ଜଞ୍ଜାଳରେ ଘାଣ୍ଟି ହୋଇଥାଏ। ପାଠ ପଢ଼ିବାକୁ କେଉଁଠାରେ ପାଠ୍ୟ ପୁସ୍ତକର ଅଭାବ, ଶିକ୍ଷକର ଅଭାବ। ସେମାନେ ଓଡ଼ିଆ ହୋଇ ଓଡ଼ିଶାର ଅଙ୍ଗ ରୂପେ ରହିବାକୁ ପସନ୍ଦ କରୁଥିଲେ ମଧ୍ୟ ତାଙ୍କ ହାତ ଧରି ଆଗେଇ ନେଇଯିବାକୁ କେହି ନାହାନ୍ତି ରାୟଗଡା, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଇତ୍ୟାଦି ଅଞ୍ଚଳରେ ପଡ଼ୋଶୀଙ୍କ ପ୍ରାଦୁର୍ଭାବରେ ଅସ୍ତବ୍ୟସ୍ତ। ସେଇ ଏକା ପ୍ରକାର ସମସ୍ୟା ସେମାନଙ୍କୁ ହତୋତ୍ସାହ କରୁଛି। ସରକାରୀ ସ୍ତରରେ ସେମାନେ କେତେ ସୁବିଧା ସୁଯୋଗ ପାଇଛନ୍ତି ତାହା ପ୍ରକୃତରେ ଦୁଃଖଦାୟୀ। ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଅନେକ ଦୁଃଖଦ। ସେମାନେ ପୂର୍ଣ୍ଣମାତ୍ରାରେ କୌଣସି ଗୋଟିଏ ରାଜ୍ୟର ସମବେଦନା ପାଉନାହାନ୍ତି କିଛି ରାଜ୍ୟ ଓଡ଼ିଶାର ସୀମାନ୍ତରେ ଥିବା ଗ୍ରାମାଞ୍ଚଳକୁ ଅନୈତିକ ଦଖଲ କରିବାକୁ ପଛେଇ ନାହାନ୍ତି ପକ୍କା ଘର, ପକ୍କା ରାସ୍ତା, ବିଜୁଳିବତୀ, ରାସନକାର୍ଡ଼ ସ୍କୁଲ ଓ କଲେଜ ଇତ୍ୟାଦି କରି ଓଡ଼ିଆ ଅଞ୍ଚଳ ଗୁଡ଼ିକୁ ପ୍ରଲୋଭିତ କରିବାକୁ ପଛାଉନାହାନ୍ତି। ତେଣୁ ଏସବୁ ଅଞ୍ଚଳ ଦୀର୍ଘ ଆଠ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଯେମିତି ଥିଲେ ସେହିପରି ହିଁ ରହିଛନ୍ତି।
ପାଠ୍ୟ ପୁସ୍ତକର ଅଭାବ, ଶିକ୍ଷକର ଅଭାବ, ଅର୍ଥନୀତି ଓ ସରକାରୀ ଅସହଯୋଗରୁ କ୍ରମେ ଉତ୍ତୀର୍ଣ୍ଣ ହେଲେ ଯାଇ ଆମର ସମ୍ପୂର୍ଣ୍ଣ ସ୍ବାଧୀନତର ମୂଲ୍ୟବୃଦ୍ଧି ହେବ। କେବଳ ଆଇନରେ ପରିଣତ କଲେ ହେବନାହିଁ, ତାହା ପ୍ରତି ଜନମାନସରେ ଛାପ ହୋଇ ରହିବା ଆବଶ୍ୟକ। ଭାଷାକୁ ଉଜ୍ଜୀବିତ କରିବା ପାଇଁ ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ପଦକ୍ଷେପ ନେଇ ଗୋଟିଏ ଜାତିର ଟେକ ବା ପଣ ଜାତୀୟସ୍ତରରେ ରଖିପାରିବା ହେଉଛି ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଏ ହେଲା ସୀମାନ୍ତରେ ଓଡ଼ିଆ ଭାଷାଭାଷୀ ସମ୍ମୁଖୀନ ହେଉଥିବା ଦୁଃଖ। କିନ୍ତୁ ଓଡ଼ିଆ ଭାଷାଭାଷୀ ରହୁଥିବା ବିଛିନ୍ନାଞ୍ଚଳ ହୋଇ ରହିଯାଇଥିବା ପୂର୍ବ ସିଂହଭୂମ, ମେଦିନୀପୁର ଏବଂ ତଦନ୍ତର୍ଗତ କଣ୍ଟାଇ ସବ୍-ଡିଭିଜନ, କେଶପୁର, ଦାନ୍ତନ, ଗୋପିବଲ୍ଲଭପୁର, ଝାଡ଼ଗ୍ରାମ, ନାରାଣଗଡ଼, ଏଗ୍ରା, ରାମନଗର, ପଟ୍ଟାସପୁର, ନୂଆବସାଣ ଇତ୍ୟାଦି ଅଞ୍ଚଳରେ ଓଡ଼ିଆମାନେ ଏବଂ ଷଢ଼େଇକଳା ଓ ଖରସୁଆଁ ଦୁଇଟି ଓଡ଼ିଆ ଭାଷୀ ଦେଶୀୟ ରାଜ୍ୟର ଓଡ଼ିଆମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରୁଥିବାର କାରଣ ଏକାଧିକ। ଏଇ ଭାଷା ଓ ଜାତିକୁ ବଞ୍ଚେଇ ରଖିବା ପାଇଁ ଆମର ପୂର୍ବପୁରୁଷମାନେ ଯେଉଁ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ନିଷ୍ଠା ଓ ସାଧନାରେ ବ୍ରତୀ ଥିଲେ ସେ ସବୁକୁ ଅକ୍ଷୁର୍ଣ୍ଣ ରଖିବା ଏ ଯୁଗରେ ଯୁବପିଢ଼ୀଙ୍କର ଉତ୍ତର ଦାୟିତ୍ୱ। ଭାଷା ଆନ୍ଦୋଳନର ଇତିହାସରେ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ରଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ସିଂହଭୂମରେ ଓଡ଼ିଆ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେଥିରେ ତାଙ୍କୁ ସହଯୋଗ ଦେଇଥିଲେ ଗତିକୃଷ୍ଣ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଭଗବାନ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମଦନମୋହନ ଷଡ଼ଙ୍ଗୀ, କାହ୍ନୁ କିଶୋର ପାଣି, ଅନନ୍ତ ମିଶ୍ର ପ୍ରଭୃତି। ସେହିପରି ମେଦିନିପୁରରେ ଓଡ଼ିଆର ପ୍ରଚାର ପାଇଁ ଲକ୍ଷ୍ମୀ ନାରାୟଣ ସାହୁ, ଭୁବନାନନ୍ଦ ଦାସ, ଭାଗବତଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଭୂୟାଁ, ବିଶ୍ୱନାଥ ଦାସ ପ୍ରଭୃତି ପ୍ରମୁଖ ରୂପେ ଅଂଶଗ୍ରହଣ କରିଥିଲେ। ସେମାନେ ଓଡ଼ିଆ ଭାଷାର ଏକ ଅଂଶ ରୂପେ ପରିଗଣିତ।
ଇତିହାସରେ କିଛି ଛଳନା, କୂଟନୀତି ଓ ପ୍ରବଞ୍ଚନାର ଶିକାର ହୋଇ ବିଛିନ୍ନାଞ୍ଚଳ ହୋଇ ରହିଗଲେ ସତ କିନ୍ତୁ ସେଇ ଓଡ଼ିଆ ସଂସ୍କୃତିରେ ଆଜିପର୍ଯ୍ୟନ୍ତ ପ୍ରବାହମାନ ହେଉଛନ୍ତି। ଓଡ଼ିଆଭାଷୀ ବିଛିର୍ନ୍ନାଞ୍ଚଳ କହିବାକୁ ଲଜ୍ଜା ଲାଗେ ଏଇ ଓଡ଼ିଶା ମାଟିରେ ଆମେ କଟା ଅଙ୍ଗ ରୂପେ ପଡ଼ି ରହିଛୁ। ସ୍ବପ୍ନ ଦେଖିବାକୁ ଓ ତାହା ପୂରଣ କରିବାକୁ ସମସ୍ତେ ସୁଖ ପାଆନ୍ତି ତେଣୁ ସେମାନଙ୍କ ସ୍ବପ୍ନକୁ ପୂରଣ କରିବା ଆମମାନଙ୍କର ନୈତିକ ଦାୟିତ୍ବ ମଧ୍ୟ ତେଣୁ ସାମଗ୍ରୀକ ଭାବେ ଓଡ଼ିଆ ଭାଷାଭାଷୀଙ୍କର ସର୍ବତୋଭାବେ ଉନ୍ନତି ହେଲେ ଯାଇ ଗୋଟିଏ ଜାତିର ମର୍ଯାଦା ବୃଦ୍ଧି ପାଇବ। ଏବଂ ସକଳେ ମିଶି ଏକ ସ୍ୱରରେ ଉତ୍କଳ ମାତାର ବନ୍ଦନା ଗାଇବା ‘ବନ୍ଦେ ଉତ୍କଳ ଜନନୀ .......’
ବାରିପଦା।
Go Back to Previous Page
ଟାଇପ୍ ରାଇଟରର ଜନ୍ମକଥା
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଜାତୀୟ ଅଗ୍ନିଶମ ଦିବସ
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ