ଟାଇପ୍ ରାଇଟର୍ ଲୋକମାନଙ୍କ ଉପକାରରେ କେତେ ଯେ ଲାଗିଛି ତାର କଳନା କିଏ କରିବ? କେତେ ଯୁଦ୍ଧ ଓ ଘନଘଟା ଘଟେଇଛି ତାର ହିସାବ କିଏ ରଖିଛି। ଭାରତ ଯେତେବେଳେ ବିଭଜନ ହେଲା ଗଭର୍ଣ୍ଣର ଜନେରାଲ, ବେଭାଲଙ୍କୁ ବଦଳି କରାଗଲା। ତାଙ୍କ ସ୍ଥାନରେ ମାଉଣ୍ଟବେଟନ୍ ଆସିଲେ। ମାଉଣ୍ଟବେଟେନ୍ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ଥିଲା କାଶ୍ମୀର ପଞ୍ଜାବ ରାଜସ୍ଥାନ ଗୋଟିଏ ପାଖରେ ଆଉ ଦକ୍ଷିଣ ଭାରତ ଗୋଟିଏ ପାଖରେ। ପୂର୍ବ-ପାକିସ୍ଥାନ ଓ ପଶ୍ଚିମ-ପାକିସ୍ଥାନକୁ ସଂଯୋଗ କରିବା ପାଇଁ ଗଙ୍ଗାନଦୀ କୂଳେ କୂଳେ ଗୋଟିଏ କରିଡ଼ୋର କରାଯିବାର ପ୍ରସ୍ଥାବ ବ୍ରିଟିଶ ସରକାରଙ୍କୁ ମାଉଣ୍ଟବେଟେନ୍ ଦେଇଥିଲେ। ଏହା ପୂର୍ବ-ପାକିସ୍ଥାନ ଓ ପଶ୍ଚିମ-ପାକିସ୍ଥାନକୁ ସଂଯୋଗ ସ୍ଥାପନ କରିପାରିଥାନ୍ତା। ମାଉଣ୍ଟବେଟନ୍ ସିମଳାରେ ଥାଆନ୍ତି। ତାଙ୍କୁ ନେହେରୁ ଦେଖାକଲେ। ମାଉଣ୍ଟବେଟେନ୍ କହିଲେ - ମୁଁ ତ ପ୍ରସ୍ତାବ ପଠାଇ ସାରିଛି ଆଉ କିଛି କରିପାରିବି ନାହଁ। ଚିଠି ଡାକରେ ଯାଇଛି। ନେହେରୁ ପୁଣି ଏହି କରିଡ଼ୋରର ଅନାବଶ୍ୟକତା ବୁଝାଇବାରୁ ବେଟେନ୍ ରାଜିହେଲେ। ନେହେରୁ ଟାଇପିଷ୍ଟିକୁ ଡ଼ାକାଇ ଗୋଟିଏ ନୋଟ୍ ପ୍ରସ୍ତୁତ କଲେ ଓ ବେଟେନ୍ଙ୍କୁ ଦେଲେ। ସେ ରିପୋର୍ଟ କରେକ୍ସନ୍ କରି ଟାଇପ୍କରି ମାଉଣ୍ଟବେଟନ୍ ସ୍ୱତନ୍ତ୍ର ବିମାନ ଯୋଗେ ଶ୍ରମିକ ଦଳର ପ୍ରଧାନମନ୍ତ୍ରୀ ଅଟିଲିଙ୍କୁ ଦେଲେ। ବେଟେନ୍ ମୂଳ ପ୍ରସ୍ତାବକୁ ପରିବର୍ତ୍ତନ କରି ନୂଆ ପ୍ରସ୍ତାବ ଦେଲେ। ପାକିସ୍ଥାନ ଅଲଗା ଅଲଗା ରହିଲା। ଏଇ ଥିଲା ଟାଇପ୍ ରାଇଟରର କରାମତି। ଏଇ ଟାଇପ୍ ରାଇଟର କେତେ ନିଯୁକ୍ତି କେତେ ମାମଲା ବିଚାର କରିଛି, କେତେ ଫାଶି ପାଇଛନ୍ତି ତାର ହିସାବ କିଏ ରଖିଛି? କେତେ ଇତିହାସକୁ ସାଇତି ରଖିଛି ତାହା କିଏ କଳନା କରିପାରିବ ? ଟାଇପ୍ ରାଇଟର ଉଦ୍ଭାବନ ୧୭୧୪ ଓ ଏହାର ଅସ୍ତମ୍ବିତ କାଳ ବୋଧହୁଏ ୧୯୯୫ରୁ ଆରମ୍ଭ ହୋଇ ୨୦୦୦ ମସିହାରେ କବର ଦିଆଗଲା। ୨୦୦୩-୦୪ ଏହାକୁ ଟେବୁଲ୍ ଉପରୁ ହଟାଇ ଦିଆଯାଇ ତା’ବଦଳରେ କମ୍ପ୍ୟୁଟର ଥୁଆଗଲା ଏହା ସହିତ ନେଟ୍ (ଇଣ୍ଟରନେଟ୍) ସଂଯୋଗ କରାଗଲ। ଶେଷରେ ୨୦୧୧ରେ ଗୋଦରେଜ୍ କମ୍ପାନୀ ଏହାକୁ ମୃତ ଘୋଷଣା କଲା।
ଏହାର ଇତିହାସ ଅତି ପୁରୁଣା। ୧୭୧୪ ମସିହାରେ ବ୍ରିଟେନରେ ହେନେରୀ ମିଲ୍ ବୃତ୍ତିରେ ଜଣେ ଇଞ୍ଜିନିୟର ଏହାର ଗୋଟିଏ ମଡ଼େଲ ପ୍ରସ୍ତୁତ କଲେ। ତାଙ୍କର ଜନ୍ମ ୧୬୮୩ ଓ ମୃତ୍ୟୁ ୧୭୭୧ ସେ ୧୭୨୦ରେ ୱାଟର ୱାର୍କସ୍ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ। ସେ ଅବିବାହିତ ଥିଲେ। ପ୍ରଥମେ ବହିରେ ପୃଷ୍ଠା ନମ୍ବରିଂ କରିବା ପାଇଁ ଗୋଟିଏ ମେସିନ ବାହାର କଲେ। ଏହା ହେଉଛି ଟାଇପ୍ ମେସିନ୍ର ଆଦ୍ୟାବସ୍ଥା। ଏହା ଥିଲା ଆମେ ଯେମିତି କାଗଜ ଉପରେ କାର୍ବନ ପକାଇ କଲମରେ ଲେଖୁଛେ ସେହିପରି ଅବସ୍ଥା ଥିଲା ଖାଲି କାଗଜ ଉପରେ ଅକ୍ଷର ପିଟି ହେଉଥିଲା। ଏହା ମଧ୍ୟ ଛିଡ଼ା ହୋଇ କାମ କରିବାକୁ ପଡ଼ୁଥିଲା। ଏଥିରେ ଗୋଟିଏ ଗୋଟିଏ ଅକ୍ଷର ଛାପା ଯାଉଥିଲା। ଏହି ଟାଇପ୍ ରାଇଟର ପିନିଅନ ଓ ଲିଭରଦ୍ୱାରା କାମ କରେ। ଏହାପରେ ଭେନିୟର କାଉଣ୍ଡ- ୧୭୬୦, ସୁଇସ୍ ଜାକ୍ୟୁଏ - ୧୭୮୦, ଫ୍ରେଞ୍ଚମେନ୍ ପଞ୍ଜରନ ୧୭୮୪, ଇଟାଲିଆନ ପେଟ୍ରୋ କାଉଣ୍ଡି ୧୮୨୩ରେ ଟାଇପ୍ ରାଇଟରର ବହୁତ ଉନ୍ନତି କଲେ।
୧୮୦୮ ମସିହାର କଥା। ଇଟାଲିରେ ଜନ୍ମିତ ପେଲେଗ୍ରିନେ ଟୁରୀ ଗୋଟିଏ ନୂଆ ମଡ଼େଲ ବାହାର କଲେ। କିନ୍ତୁ ଲେଖି ଅନ୍ୟକୁ ଜଣାଇବାରେ ତାଙ୍କର ଅନେକ ଆଗ୍ରହ ଥିଲା। କିନ୍ତୁ ସେ ଜଣେ ପ୍ରେମିକ ଥିଲେ। ନିଜର ଲେଖାକୁ ପ୍ରେମିକା ପାଖରେ ପହଞ୍ଚାଇବା ପାଇଁ ତାଙ୍କର ଅନେକ ଆଗ୍ରହ ଥିଲା। ସେ କାରୋଲିନା ଫାଣ୍ଟୋନି ଦା ଫିଭିଜାନୋଙ୍କୁ ଭଲ ପାଉଥିଲେ। ସେ ଦେଖିବାକୁ ସୁନ୍ଦର ଥିଲେ। ତେଣୁ ସେ ତାକୁ ଭଲପାଉଥିଲେ। କିନ୍ତୁ ସେହି ପ୍ରେମିକା ଅନ୍ଧୁଣୀ ଥିଲା। ହେଲେ ସେ ଥିଲେ ଅନେକ ଦୂରରେ। ତାଙ୍କ ପାଖକୁ କିପରି ଲେଖି ପଠାଇବେ। ଏମିତି ସେ ଚିନ୍ତା କରି ବସିଲେ କେମିତି ଲେଖି ପ୍ରେମିକା ପାଖକୁ ଚିଠି ପଠାଇବେ। ସେତେବେଳକୁ ଗୁଟେନବର୍ଗ ଛାପାଖାନା ବାହାର କରି ସାରିଥିଲେ। ସେ ଦେଖିଲେ ଛାପାଖାନରେ ଅକ୍ଷରରେ କାଗଜ ଛାପିହୋଇ ପ୍ରିଂଟି ହୋଇପାରୁଛି। ଆଉ ମିଲ୍ ମଧ୍ୟ ଗୋଟିଏ ପ୍ରକାର ଟାଇପ୍ ମେସିନ୍ ବାହାର କରିଥିଲେ। କ’ଣ କଲେ ଅକ୍ଷରଗୁଡ଼ିକ ଗୋଟିଏ ଜାଗାରେ ପିଟିହେଲ ଲେଖି ହୋଇପାରିବ। ଏଇ କଥାକୁ ବିଚାରକରି ସେ ନୂତନ ଧରଣର ଟାଇପ୍ ରାଇଟର ନିର୍ମାଣ କରିବାକୁ ମନସ୍ତ କଲେ। ସେହି ଜ୍ଞାନକୁ ଆଧାର କରି ଗୋଟିଏ ଛୋଟିଆ ବକ୍ସ ଭଳିଆ ଯନ୍ତ୍ରଟିଏ ବାହାର କଲେ। ସେ ଏଥିରେ କାଠ ରୋଲର ଓ ରିବନ୍ ସଂଯୋଗ କଲେ। ଏହି ଯନ୍ତ୍ର ସେତେ ବିକାଶ ଲାଭ କରି ପାରିନଥିଲା। ବ୍ୟବସାୟିକ ଭିତିରେ ଏହା ଚାଲୁ ନଥିଲା। ଅନ୍ଧୁଣୀ ପ୍ରେମିକା ପାଖକୁ ଚିଠି ଲେଖିପାରିଲେ। ହାତ ଲେଖାଠାରୁ ଏହା ସୁନ୍ଦର ଥିଲା। ହେଲେ ପ୍ରେମିକା ପାଖକୁ ଚିଠି ଲେଖାରୁ ଏହା ସରକାରୀ କଳରେ ଆଉ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଲା। କିନ୍ତୁ ଏହି ଦୁଇ ପ୍ରେମିକ ଜଣେ ଅନ୍ୟ ଜଣକୁ ବାହାହୋଇ ନଥିଲେ। ସେଇ ପ୍ରେମରେ ପ୍ରେମରେ ତାଙ୍କର ଜୀବନ କଟିଗଲା କିନ୍ତୁ ଟାଇପ୍ ରାଇଟର ବାହାର କରିବାରେ ତାଙ୍କର ନାଁ ରହିଗଲା।
ଆମେରିକାର ନାଗରିକ ଉଇଲିୟମ ଅଷ୍ଟିନ୍ ବର୍ଟ ୧୮୨୯ ମସିହାରେ ଗୋଟିଏ ମେସିନ୍ ବାହାର କଲେ ଯାହା ପ୍ରକୃତରେ ଟାଇପ୍ ରାଇଟରର ଭଳି କାମ କଲା। ସେ ମଧ୍ୟ ଟୁରୀଙ୍କ ପେଟେଣ୍ଟ୍ କ୍ରୟକରି ନେଇଥିଲେ। ବାର୍ଟଙ୍କ ଟାଇପ୍ ରାଇଟର ଫୋର ରନର କାମ କରୁଥିଲା। ଫୋର ରନର ମାନେ ଏହା ଟାଇପ କଲେ ପିନିଅନ ଦ୍ୱାରା ଆଗକୁ ଆଗକୁ ଯାଉଥିଲା। ବାର୍ଟ ମିଚିଗାନରେ ଜଣେ ସରକାରୀ ସର୍ଭେୟର ଥିଲେ। କେଉଁ ଜାଗାରେ କି କି ଖଣିଜ ପଦାର୍ଥ ଅଛି ସେ ଜାଣିପାରୁଥିଲେ। ସେ ମଧ୍ୟ କମ୍ପାସ ବାହାର କରିଥିଲେ। ସେ ମଧ୍ୟ ଜଣେ ରିପୋର୍ଟର, କବି ଓ ଜଣେ ଉଦ୍ଭାବକ ଥିଲେ। ଆଣ୍ଡ୍ର୍ୟୁ ଜାକସନ ଆମେରିକାର ରାଷ୍ଟ୍ରପତି, ବାର୍ଟଙ୍କ ଦକ୍ଷତାରେ ଖୁସି ହୋଇ ତଙ୍କୁ ପ୍ରମାଣ ପତ୍ର ଦେଇଥିଲ। ଏହା ଭିତରେ ବାର୍କଙ୍କ ମେସିନ୍କୁ ଆଧାର କରି ଅନେକ ମେସିନ୍ ବାହାରିଲା ସେଗୁଡ଼ିକ ହେଲା – ପ୍ରୋଜେନ ମେସିନ୍ ୧୮୩୩ (ଫ୍ରଟ ଷ୍ଟ୍ରାକିଂ), ଟୁରବରମେସିନ୍ - ୧୮୪୩, ଫାକଲ୍ଟ ମେସିନ୍ ୧୮୪୩ ଏଡ଼ ମେସିନ୍ - ୧୮୫୦, ଫେୟାରବ୍ୟାଙ୍କ ମେସିନ୍ - ୧୮୫୦, ଯୋନସ୍ ମେସିନ୍ - ୧୮୫୦, ହ୍ୟୁଗସ୍ ମେସିନ୍ - ୧୮୫୧, ଯୋନସ୍ ଟାଇପୋଗ୍ରାଫର - ୧୮୫୨, ଥୋମାସ୍ ଟାଇପୋଗ୍ରାଫ - ୧୮୫୪, ବେଚ୍ ଟାଇପ୍ ରାଇଟର - ୧୮୫୬, ଫ୍ରାନ୍ସି୍ସ୍ ଟାଇପ୍ ରାଇଟର - ୧୮୫୭, ହେନସ୍ନ ମେସିନ - ୧୮୬୫, ଲିଭରମୋର ପ୍ରିଂଟି ଡିଭାଇସ୍ - ୧୮୬୩, ପିଲିର ରାଇଟିଂ ମେସିନ୍ - ୧୮୬୬ ଏବଂ ସୋଲ୍ସ ଗ୍ଲିଡ଼େନ ଟାଇପ୍ ରାଇଟର - ୧୮୬୭। ଏହା ପରେ ଥୋମାସ୍ ଆଲଭା ଏଡ଼ିସନ୍ ୧୮୭୨ରେ ଇଲେକ୍ଟ୍ରୋନିକ୍ ଟାଇପ୍ ରାଇଟର ବାହାର କଲ। ୧୮୨୯ ମସିହାରୁ ଯେଉଁ ସବୁ ଟାଇପ୍ ରାଇଟର ବାହାରିଲା ସେ ସବୁ ସେଇ ବାର୍ଟଙ୍କ ମଡ଼େଲରୁ ଟିକିଏ ଉନ୍ନତ ଧରଣର ଥିଲା। ଏହା ୧୮୨୯ରୁ ସେମିତି ୧୮୬୭ ପର୍ଯ୍ୟନ୍ତ ଚାଲିଲା। ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ତିଆରି କରି ବିକ୍ରି କରୁଥିଲେ । ଏହାର ଯନ୍ତ୍ରାଂଶ ବିଭିନ୍ନ ସମୟରେ ବାହାରିଛି । ଏହାର କ୍ୟାରେଜ୍ ସ୍ପିଙ୍ଗ (Carrage Spring)- ୧୭୦୬ ପ୍ରଥମେ ମିଲଙ୍କ ସମୟରେ ବାହାରିଥିଲା, ରିବନ (Ribbon) ଟୁରୀଙ୍କ ସମୟରେ, ଲିଭର ସିଷ୍ଟମ (Lever System)- ବାର୍ଟଙ୍କ ସମୟରେ, ପ୍ରିଂଟି ରୋଲର(ବାର) Printing Roller Bar - ଟୁରୀଙ୍କ ସମୟରେ, କି-ବୋର୍ଡ଼ (Key Board) - ୧୮୭୩, ଅଗପଟୁ ଛାପିବା (Front Striking) - ୧୮୯୫, ଛୋଟ ବଡ଼ ଅକ୍ଷର (Capital and Small Letter)- ୧୯୧୦, (Four row Key Board) ୪ ଥାକିଆ କି-ବୋର୍ଡ଼ -୧୯୧୯, ଫୋର ରନର (Fore Runner) - ବାର୍ଟ, QUERTY Key Board -୧୮୭୩ .
୧୮୬୮ରେ ଟାଇପ୍ ରାଇଟର ଖ୍ରୀଷ୍ଟଫର ଲାଥାମ୍ ସୋଲସ୍ ବାହାର କରିବାରୁ ଲେଖା ଛପା କାମ ସହଜ ହୋଇଗଲା। ସୋଲସ୍ ବୃତ୍ତିରେ ଜଣେ ରିପୋର୍ଟର ଥିଲେ। ଟାଇପ୍ରାଇଟର ଉଦ୍ଭାବନ ପଛରେ ଗୋଟାଏ ମଜା ଗପ ଅଛି। ଥରେ ସୋଲସ୍ ଟେଲିଗ୍ରାଫ କମ୍ପାନୀ ଅଫିସକୁ ଯାଇଥିଲେ। ସେଠାରେ ଗୋଟିଏ ଲେଖାର କପି କରିବା ପାଇଁ ଜଣଙ୍କୁ କାର୍ବନ ଖଣ୍ଡେ ମାଗିଲେ। ସେ ମନାକରି କହିଲା – କାଲି ଯଦି ମୁଁ ତୁମକୁ ଏଠାରେ ଦେଖେ ତାହେଲେ କଥା ଅଲଗା ହେବ। ଆଉ ଏଠାକୁ କେବେ ଆସିବାକୁ ସାହାସ କରିବନି। ସେହିକଥାକୁ ମନରେ ଧରି ସୋଲସ୍ ଟାଇପ୍ ରାଇଟର ବାହାର କଲେ। ଛାପାକଳ ଉଦ୍ଭାବନ ପରେ ଟାଇପ୍ ରାଇଟର ଏକ ଚଳନ୍ତି ଛାପାଖାନର କାର୍ଯ୍ୟ ଆରମ୍ଭ କଲା। ଏହି ଟାଇପ୍ ରାଇଟରରେ ମାର୍କସ୍ ଟ୍ୟୁନିଙ୍କର ପ୍ରଥମ ନଭେଲ ଟମ ସାୱର ବହି ଟାଇପ୍ ରାଇଟରେ ପ୍ରସ୍ତୁତ କରାଯାଇଥିଲା। ଏହି ଥୁଆ-ହେବା-ଟାଇପ୍ରାଇଟର ବଦଳରେ ଏକ ଚଳନ୍ତି ଟାଇପ୍ ରାଇଟର (ପୋର୍ଟେବୁଲ୍) ଟାଇପ୍ ରାଇଟର ବାହାରିଲା। ଏହାକୁ ଗୋଟିଏ ବାକ୍ସରେ ରଖି ହାତରେ ଧରି ବିଭିନ୍ନ ଜାଗାକୁ ଯାଇ ସେଠାରେ ଚିଠିପତ୍ର ଟାଇପ୍ କରି ମଧ୍ୟ ପ୍ରଦାନ କରାଯାଉଥିଲା। ବଡ଼ ବଡ଼ ଅଫିସରମାନେ ଇନ୍ସସ୍ପେକସନରେ ଗଲେ ଷ୍ଟେନୋମାନେ ଏହି ପୋର୍ଟେବୁଲ୍ ଟାଇପ୍ ରାଇଟର ନେଇ ଅଫିସର ମାନଙ୍କ ସାଙ୍ଗରେ ଯାଉଥିଲେ। ଆଜି ଏହାର ଆବଶ୍ୟକତା ନାହିଁ। ନେଟରେ ଲେଖାଲେଖି ଚାଲିଲାଣି। ଏହା ଦେଖିବାକୁ ଅତି ଛୋଟ। ଠିକ୍ ଆଜିର ଲାପଟପ୍ ପରି। ଆଉ ସେ ଯେଉଁ କି-ବୋର୍ଡ଼ ବାହାର କରିଥିଲେ ଏବେ ବର୍ତମାନ ସୁଦ୍ଧା କମ୍ପ୍ୟୁଟରରେ ମୋବାଇଲ୍ ଫୋନ୍ରେ ମଧ୍ୟ ବ୍ୟବହାର ହେଉଛି। ଟାଇପ୍ ରାଇଟର ବ୍ୟାକ ସ୍ପେସ୍ ଓ ଫରୱାର୍ଡ଼ ଏବେ ମଧ୍ୟ କମ୍ପ୍ୟୁଟରରେ କାମ କରୁଛି। ଟାଇପ୍ ରାଇଟରର କ୍ୟାରେଜ୍ ମଧ୍ୟ ଆଜି କମ୍ପ୍ୟୁଟରର ଏଂଟରର (Enter) କାମ କରୁଛି ।
୧୮୭୩ ମସିହାରେ ସୋଲସ୍ ଟାଇପ୍ ରାଇଟରର୍ସ ପେଟେଂଟ ରେମିଙ୍ଗିଟନ ଆର୍ମସ୍ କମ୍ପାନୀକୁ ବିକ୍ରି କରିଦେଲେ। ଏହାପରେ ଏହି କମ୍ପାନୀର ନାମ ଇ.ରେମିଙ୍ଗିଟନ ଆଣ୍ଡ ସନ୍ସ ହେଲା। ୧୮୮୬ ମସିହାରେ ରେମିଙ୍ଗିଟନ କମ୍ପାନୀ ଏହାର ସ୍ବତ୍ତ୍ବ ରେମିଙ୍ଗିଟନ ର୍ୟାଣ୍ଡ କମ୍ପାନୀକୁ ବିକ୍ରି କରିଦେଲା। ପରେ ଏହା ସ୍ପେରୀ ର୍ୟାଣ୍ଡରେ ପରିଣତ ହେଲା। ୧୯୯୫ ମସିହାରେ ରେମିଙ୍ଗିଟନ କମ୍ପାନୀ ବନ୍ଦ ହୋଇଗଲା। ଏହା ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଜି ତାହା ଅକାମି ହୋଇଗଲା। ଅଲୋଡା ହୋଇଗଲା। ମାଟିରେ ପରିଣତ ହୋଇଗଲା ।
ଏହି ଟାଇପ୍ରାଇଟର ଦୀର୍ଘ ୨୦୦ ବର୍ଷ କାଳ ଲୋକମାନଙ୍କର ସେବାରେ ଲାଗିଲା ଶେଷରେ ଏହାର ବିଭିନ୍ନ ପ୍ରକାରର ଟାଇପ୍ ରାଇଟର ବାହାରିଲା। ଗୋଦରେଜ କମ୍ପାନୀ ମଧ୍ୟ ଟାଇପ୍ ରାଇଟର ବାହାର କରିଥିଲା। ୨୦୧୧ ମସିହାର ଏହାର ନିର୍ମାତା ଗୋଦରେଜ୍ କମ୍ପାନୀ ଏହାକୁ ମୃତ ଘୋଷଣା କଲେ। ଏହା ପୂର୍ବରୁ ରେମିଙ୍ଗଟନ୍ କମ୍ପାନୀ ଏହାର ଉତ୍ପାଦନ ୧୯୯୫ ମସିହାରୁ ବନ୍ଦ କରିଦେଇଥିଲା। ଟାଇପ୍ ରାଇଟର ବ୍ୟବହାର ଯୋଗୁଁ ଶାସନକ୍ଷେତ୍ରରେ କପି କରିବା ସହଜରୁ ସହଜତର ହୋଇଗଲା। ଯଦିଓ ଆଜି ଶାସନ କ୍ଷେତ୍ରରେ ପ୍ରଶାସକ କିରାଣୀ ମୁଦ୍ରାକାର କ୍ଷିପ୍ର ଲିପିକାର ନହେଲେ ଶାସନ କଳ ଚାଲୁନି। ଯେତେବେଳେ କମ୍ପ୍ୟୁଟର ବାହାରିଲା କମ୍ପ୍ୟୁଟର ଟାଇପ୍ କପିକୁ କୋର୍ଟରେ ଗ୍ରହଣ କଲେନି ସେମାନେ ଟାଇପ୍ ରାଇଟର କପିରେ କାଉଣ୍ଟର ଦେବାକୁ ଚାହିଁଲେ ସେମାନେ କହିଲେ କମ୍ପ୍ୟୁଟର କପି ବେଶି ଦିନ ରହିବ ନାହଁ ଏହା ସମୟକ୍ରମେ କାଳି ଲିଭି ଯିବ। କିନ୍ତୁ ଏହି ଭ୍ରମଧାରଣା ସମୟକ୍ରମେ ବଦଳିଗଲା। ବର୍ତମାନ କୋର୍ଟରେ କମ୍ପ୍ୟୁଟର କପି ବ୍ୟବହାର ହେଉଛି। ଇଂରେଜମାନେ ୧୮୦୩ ଖ୍ରୀ.ରେ ଓଡ଼ିଶା ଦଖଲ କଲାପରେ ଯେଉଁ ଚିଠିପତ୍ର ଆଦାନପ୍ରଦାନ କରୁଥିଲେ ସେ ସବୁ ହାତ ଲେଖା ଚିଠି ତାକୁ ପଢ଼ିବା କଷ୍ଟକର ଥିଲା। ଏଗୁଡ଼ାକର କପି ଷ୍ଟେଟ ଆର୍କାଇଭିସରେ ରହିଛି। କାରଣ ୧୮୬୮ରେ ଟାଇପ୍ ରାଇଟର ବ୍ୟବସାୟିକ ଭିତିରେ ବିକ୍ରିହେଲା ଓ ଏହା ପ୍ରଚଳନ ହେଲା। ୧୮୦୩ ମସିହା ବେଳକୁ ଚାର୍ଲସ୍ ଗ୍ରୁମ୍ ଓ ଜେମ୍ସ ପେଗ୍ସ ରଥ ଯାତ୍ରା ଉପରେ ଯେଉଁ ରିପୋର୍ଟ ଲେଖିଥିଲେ ସେଗୁଡ଼ାକ ହାତଲେଖା ଚିଠି । ଛାପା ବାହାରିଲାଣି କିନ୍ତୁ ସରକାରୀ କଳରେ ବ୍ୟବହାର କରିବା ସହଜ ନଥିଲା । ୧୮୧୪ରେ ପ୍ରଥମେ କଲିକତାରେ ଛାପାଖାନା ସ୍ଥାପନ କରାଗଲା। ପରେ ଓଡ଼ିଶାକୁ ୧୮୨୨ରେ ଖ୍ରୀଷ୍ଟିଆନମାନେ ଛାପାକଳ ସ୍ଥାପନ କରି ତାଙ୍କ ବାଇବେଲ (ଓଲ୍ଡ ଟେଷ୍ଟାମେଂଟ) ଛାପିଥିଲେ। ୧୮୬୫ ଗୈରୀଶଙ୍କର ରାୟ ଓ କେତେକ ଜମିଦାରଙ୍କ ଅଂଶଧନ ସହାୟତାରେ କଟକ ପ୍ରିଂଟିଂ କମ୍ପନୀ ଖୋଲିଲେ । ସେଥିରେ ଉକ୍ରଳ ଦୀପିକା ଛାପିଲେ । ୧୮୮୦ରେ ଫକୀରମୋହନ ସେନାପତି ଉକ୍ରଳ ସମ୍ବାଦ ବାହିନି ଛାପିଲେ । ପରେ ଆମର ତାଳପତ୍ର ପୋଥିରୁ ରାମାୟଣ ମହାଭାରତ ବୈଦେହୀଶ ବିଳାଶ ଓଡ଼ିଆ ଭାଗବତ ଛପାହେଲା ।
ଏହା ଥିଲା ଟାଇପ୍ରାଇଟରର ଯୁଗାନ୍ତକାରୀ ଇତିହାସ। ଆଜି ଅଲୋଡ଼ା, ଅଦରକାରୀ, ମୃତ ବୋଲି ଘୋଷଣା କରାଯାଇଛି। ହେଲେ ଏହାରି ଭିତିଭୂମି ଉପରେ କମ୍ପ୍ୟୁଟର ପ୍ରତିଷ୍ଠିତ। ଏହା ଥିଲା ପ୍ରେମ ଆଉ ସମ୍ପର୍କରୁ ସୃଷ୍ଟି ।
ଏଲ୍-୨୪୨/ଫେଜ-୧,ଡୁମୁଡୁମା ହା.ବୋ. ଭୁବନେଶ୍ୱର-୧୯
(ମୋ-୯୭୭୭୧ ୪୩୪୮୫)
Go Back to Previous Page
ନାରୀ ଓ ଲଜ୍ଜା
ଦମୟନ୍ତୀ ଜେନା
Read Article
ବନ୍ଦେ ଉତ୍କଳ ଜନନୀ
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ