ଆଧ୍ୟାତ୍ମିକତାର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ଏହା ପ୍ରତୀକାତ୍ମକ ସଂରଚନାରେ (symbolism) ଭରପୂର। ପ୍ରତ୍ୟେକ ବସ୍ତୁ, ଚିହ୍ନ ଓ ରଙ୍ଗର କିଛି ମାହାତ୍ମ୍ୟ ଥାଏ। ଏହାର ବହୁତ କିଛି ଅର୍ଥ ବାହାର କରାଯାଇପାରେ, ଯାହା ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ସଠିକ ନ ହୋଇପାରେ। ଏହି ପ୍ରବନ୍ଧରେ ଏହିପରି ଏକ ଉଦ୍ୟମ କରାଯାଇଛି, ଏକବିଂଶ ଶତାବ୍ଦୀରେ ଜଗନ୍ନାଥ ସଂସ୍କୃତିର ପ୍ରଜୁଯ୍ୟତାକୁ ପ୍ରତିପାଦନ କରିବା ପାଇଁ।
ସର୍ବ ପ୍ରଥମେ ଡାହୁକ ବୋଲି। ଏହି ପ୍ରଥାଟି ସମସ୍ତଂକୁ ଅବାନ୍ତର ଲାଗିବା ସ୍ୱାଭାବିକ। ଭଗବାନଂକ ସାମ୍ନାରେ ଅଶାଳୀନ ଭାଷାର ପ୍ରୟୋଗ ଅସମ୍ମାନଜନକ। କିନ୍ତୁ ଯଦି ଅନ୍ୟ ଦିଗରୁ ବିଚାର କରିବା ତା ହେଲେ ଏହା ଏକ ମହତ ବାର୍ତ୍ତ ପ୍ରଦାନ କରୁଛି। ଆଜିର ସମାଜରେ ଭଗବାନ ଓ ଧର୍ମ ପ୍ରତି ସାମାନ୍ୟ ଆକ୍ଷେପ ବା କଟାକ୍ଷ ଧର୍ମଯୁଦ୍ଧ ବା ଜିହାଦର ବାତାବରଣ ସୃଷ୍ଟି କରୁଛି। ଏପରି ସ୍ଥିତିରେ ଡାହୁକ ବୋଲି ଏକ ମହାନ ବାର୍ତ୍ତା ଦେଉଛି ଯେ, ଭଗବାନ ନିଜ ସନ୍ତାନର କୌଣସି ବକ୍ତବ୍ୟରେ ଅପମାନିତ ହୁଅନ୍ତି ନାହିଁ। ବରଂ ଡାହୁକକୁ ଭଗବାନଙ୍କ ରଥରେ ସ୍ଥାନ ଦିଆଯାଇଛି ଆମ ସଂସ୍କୃତିରେ। ଏହାର ଅର୍ଥ ହେଉଛି ସମାଲୋଚନାକୁ ସମ୍ମାନ ଦେଲେ ହିଁ ସମାଜର ଉନ୍ନତି ସାଧିତ ହୁଏ ।
ଦ୍ୱିତୀୟତଃ, ଆମ ତ୍ରିମୂର୍ତ୍ତି ଭଗବାନଙ୍କ ମଧ୍ୟରୁ ପ୍ରଭୁ ଜଗନ୍ନାଥ କଳା, ପ୍ରଭୁ ବଳଭଦ୍ର ଧଳା ଓ ଦେବୀ ସୁଭଦ୍ରା ହଳଦିଆ ରଙ୍ଗର। ଏଥିରୁ ଆମେ ଏହି ଶିକ୍ଷାଗ୍ରହଣ କରିପାରିବା ଯେ, ରଙ୍ଗ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାଇ ଓ ଭଉଣୀ। ଏକବିଂଶ ଶତାବ୍ଦୀରେ ବର୍ଣ୍ଣବିଦ୍ୱେଷକୁ ଲଢିବା ପାଇଁ ଏହା ଏକ ଶକ୍ତିଶାଳୀ ବୈଚାରିକ ଅସ୍ତ୍ର ହୋଇପାରିବ।
ତୃତୀୟତଃ, ତ୍ରିମୂର୍ତ୍ତିଂକ ଅସଂପୁର୍ଣ ଶରୀର। ଏହା ପଛରେ ବିଶ୍ୱକର୍ମା- ଇନ୍ଦ୍ରଦ୍ୟୁମ୍ନ କିମ୍ବଦନ୍ତୀ ଅଛି, କିନ୍ତୁ ଥରେ ଭାବି ଦେଖନ୍ତୁ, ଯଦି ଭଗବାନଙ୍କ ଇଛ୍ଛା ବିରୁଦ୍ଧରେ ପତ୍ରଟିଏ ହଲି ପାରିବନି, ତା ହେଲେ କଣ ଭଗବାନଙ୍କ ଅସଂପୁର୍ଣ୍ଣ ଶରୀର ଭଗବାନଙ୍କ ଇଛ୍ଛା ବିରୁଦ୍ଧରେ ହୋଇଥିବ। ଭଗବାନ ବୋଧେ ହୁଏ ଜାଣିଶୁଣି ଏପରି ଚାଁହୁଥିଲେ। ଏଥିରୁ ଆମେ ଦୁଇଟି ବାର୍ତ୍ତା ପାଉଛେ। ପ୍ରଥମତଃ ଆମ ଭଗବାନ ଶାନ୍ତିପ୍ରେମୀ, ତେଣୁ ସେ ଅନ୍ୟ ଦେବଦେବୀଙ୍କ ଭଳି ଅସ୍ତ୍ରଶସ୍ତ୍ର ଧରିବାକୁ ଚାହାନ୍ତିନି। ସଂପୁର୍ଣ ଶରୀରରେ ଭକ୍ତମାନେ ଭବିଷ୍ୟତରେ ଅସ୍ତ୍ର ଧରେଇ ଦେଇପାରିଥାନ୍ତେ। ତେଣୁ ସେ ନିଜକୁ ହିଁ ଅସଂପୁର୍ଣ୍ଣ ରଖିଦେଲେ। ଏହାର ଅନ୍ୟ ଅର୍ଥଟି ଏହା ହୋଇପାରେ ଯେ, ଯେଁଉମାନେ ଶାରୀରକ ଭାବେ ଅସଂପୁର୍ଣ ବା ଦିବ୍ୟାଂଗ, ସେମାନେ ଭଗବାନଙ୍କର ଅଂଶ । ସେମାନଙ୍କ ପ୍ରତି ସମ୍ବେଦନଶୀଳତା ଜାଗ୍ରତ କରିବା ପାଇଁ ଭଗବାନ ନିଜକୁ ହିଁ ଅସଂପୁର୍ଣ ରଖିଦେଲେ ।
ଚତୁର୍ଥତଃ, ଆମ ଭଗବାନ ବାହନରେ ନ ବସି ଭକ୍ତମାନଙ୍କ ଗହଣରେ ଓ ଭକ୍ତମାନଙ୍କ ଦ୍ୱାରା ବୋହି ହୋଇଯାନ୍ତି । ଭକ୍ତ ଓ ଭଗବାନ ପରସ୍ପରର ପରିପୂରକ। ସମାଜବାଦର ଏହା ସର୍ବୋଚ୍ଚ ଉଦାହରଣ।
ପଞ୍ଚମତଃ, ପ୍ରତି ଓଡିଆ ଘରେ ପଢାଯାଉଥିବା ଲକ୍ଷ୍ମୀପୁରାଣ, ଜାତିପ୍ରଥାର ଘୋର ବିରୋଧୀ ଓ ନାରୀ ସଶକ୍ତିକରଣର ଏକ ଚରମ ଉଦାହରଣ। ଲକ୍ଷ୍ମୀପୁରାଣରେ କୁହାଯାଇଛି ଯେ, “ହାଡି ହସ୍ତୁ ବ୍ରାହ୍ମଣ ଛଡାଇ ଖାଇବ।” ଭାରତୀୟମାନଙ୍କ ମଧ୍ୟରେ ବହୁ ପ୍ରଚଳିତ ଅଇଁଠା ପ୍ରଥାକୁ ମଧ୍ୟ ଏହା ପ୍ରତ୍ୟାଖ୍ୟାନ କରୁଛି। ପ୍ରଭୁ ଜଗନ୍ନାଥ ଜଗତର ସ୍ୱାମୀ ହୋଇମଧ୍ୟ ପତ୍ନୀଙ୍କୁ ଅସମ୍ମାନ କରିବାରୁ ଅନ୍ନହୀନ ପାଲଟିଛନ୍ତି। ଏହା ନାରୀ ସଶକ୍ତିକରଣର ସର୍ବଶ୍ରେଷ୍ଠ ପୌରାଣିକ ଆଖ୍ୟାନ।
ଏହିସବୁ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ, ବର୍ତ୍ତମାନ ପୃଥିବୀରେ ଥିବା ସବୁ ସମସ୍ୟାର ସମାଧାନ ରହିଛି ଜଗନ୍ନାଥ ସଂସ୍କୃତିରେ ଓ ସମଗ୍ର ବିଶ୍ୱ ଏହାକୁ ଆଦରିବାର ଆବଶ୍ୟକତା ରହିଛି।
ଜୟ ଜଗନ୍ନାଥ ।
ପାରଳାଖେମୁଣ୍ଡି
Email : guptes.star@gmail.com
Ph : 8984621370
Go Back to Previous Page
ସାମାଜିକ ସମାନତାର ପର୍ବ ଦଣ୍ଡନାଚ
ସନତ ପଣ୍ଡା
Read Article
ହେମନ୍ତ ରାଉତଙ୍କ ଗୀତିକବିତା
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ