ଭାରତୀୟ ସଂସ୍କୃତି ଏକ ବିବିଧତାରେ ପରିପୂର୍ଣ୍ଣ ସଂସ୍କୃତି ବୋଲି ସାରା ବିଶ୍ୱ ବିଦିତ। ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ବିସ୍ତୃତ ଭାରତ ଭୂଖଣ୍ଡ କେବଳ ଭୌଗଳିକ ବିବିଧତା ପ୍ରକାଶ କରେନି ବରଂ ସାମାଜିକ, ଆର୍ଥିକ, ସାଂସ୍କୃତିକ ସର୍ବୋପରି ବ୍ୟବହାର ଓ ଚାଲିଚଳନ ମଧ୍ୟ ପରସ୍ପର ଠାରୁ ଅନେକ ଭିନ୍ନ ହେବାର ଦେଖାଯାଏ। ଏତେ ବିବିଧତା ସତ୍ତ୍ବେ ଏ ଦେଶର ଆତ୍ମା ଏକ, ଚିନ୍ତନ ଏକ ଆଉ ମାନବିକ ମୂଲ୍ୟବୋଧ ବି ଏକ। ସେଥିପାଇଁ ଏଇ ମାଟିରୁ ଉଦ୍ଘୋଷ ହୋଇଛି ବସୁଧୈବ କୁଟୁମ୍ବକମ୍। କେବଳ ଗୋଟିଏ ଅଞ୍ଚଳର ନୁହେଁ, ଭୌଗଳିକ ପରିବେଷ୍ଟନି ନୁହେଁ ବରଂ ବ୍ରହ୍ମାଣ୍ଡର ସମସ୍ତ ଜୀବଙ୍କୁ ଏକ କୁଟୁମ୍ବ ମନେକରି ସମସ୍ତଙ୍କ ସୁଖ, ସମୃଦ୍ଧି, ନିରାମୟ କାମନା କରି କୁହାଯାଇଛି ସର୍ବେ ଭବନ୍ତୁ ସୁଖୀନ୍ଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଷ୍ୟନ୍ତୁ ମା କଶ୍ଚିତ ଦୁଃଖ ଭାଗଭବେତ।
ଭାରତୀୟ ପରମ୍ପରା ଏହି ମହାନ ଉଦ୍ଘୋଷ ପ୍ରତ୍ୟେକ ଲୋକଙ୍କୁ ନିଜ ନିଜ ଭାଷା, ସାହିତ୍ୟ, ସଂସ୍କୃତି ମାଧ୍ୟମରେ ଶିଖାଇବା (ପ୍ରତିପାଦିତ କରିବା)ର ଯଥେଷ୍ଟ ପ୍ରଚେଷ୍ଠା କରାଯାଇଛି। ଏଣୁ ସମସ୍ତ ଭାରତୀୟ ସାହିତ୍ୟ କଳା, ସଂସ୍କୃତିର ନିଦର୍ଶନ ଏକ। ଏହି କ୍ରମରେ ଆମ କଳିଙ୍ଗ ଭୂମିର ସାହିତ୍ୟ ସଂସ୍କୃତି କଥା ବିଚାର କରାଯାଉ। କଳିଙ୍ଗ, ଉତ୍କଳ ବା ଓଡ଼ିଶା ବୋଲାଉଥିବା ଏହି ପ୍ରଦେଶ, କାହିଁ କେଉଁ ଅନାଦି କାଳରୁ ନିଜର ଉପସ୍ଥିତି ଜାହିର କରିଆସିଛି। ଅତୀତ ଓ ମଧ୍ୟ ଇତିହାସ ଏହାର ଗାରିମାମୟ ରହିଥିଲେ ହେଁ ଆଧୁନିକ ଇତିହାସ ବେଶ ସୁଖଦ ନୁହେଁ। ପଞ୍ଚଦଶ ଶତାଦ୍ଦୀରେ ଓଡ଼ିଶା ତାହାର ସାର୍ବଭୌମତ୍ତ୍ୱ ହରାଇ ବଙ୍ଗ ନବାବଙ୍କ ଅଧୀନ ହେଲା। ଓଡ଼ିଶାର ଗଜପତି ମୁକୁନ୍ଦଦେବ ବଙ୍ଗ ନବାବଙ୍କ ସନ୍ଧିପୂର୍ବକ ଓଡ଼ିଶାର କେନ୍ଦ୍ର ଉତ୍ତରାଞ୍ଚଳ ଅଞ୍ଚଳର କର ସଂଗ୍ରହ ଭାର ମୁସଲ୍ମାନଙ୍କୁ ଓ ପଶ୍ଚିମାଞ୍ଚଳର କର ସଂଗ୍ରହ ଭାର ମରହଟ୍ଟା ମାନଙ୍କୁ ପ୍ରଦାନ କରିଥିଲେ।
ଜନଶ୍ରୁତି କହେ ଓଡ଼ିଆ ପୁଅ କଳାଚାନ୍ଦର ସାହାସିକତା ପ୍ରତି ବଙ୍ଗ ନବାବଙ୍କ କନ୍ୟା ଆକର୍ଷିତ ହୋଇ ତାକୁ ବିବାହ କରିବା ପରେ ତାକୁ ମୁସଲ୍ମାନ୍ ହେବାକୁ ବାଧ୍ୟ କରିଥିଲା। କିଛିଦିନ ପରେ ସେ ନିଜ ଭୁଲ୍ ବୁଝିପାରି ସ୍ୱଧର୍ମ ପ୍ରତ୍ୟାବର୍ତ୍ତନ ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ ତତ୍କାଳୀନ ଧର୍ମପଣ୍ଡା ମାନେ ତାକୁ ହିନ୍ଦୁଧର୍ମରେ ପୁନ୍ଃ ସାମିଲ୍ କରିବାର ବିରୋଧ କଲେ। ଫଳରେ ପ୍ରତିଶୋଧ ପରାୟଣ କଳାଚାନ୍ଦ ପାଲଟିଲା କଳାପାହାଡ଼। ମୁସଲ୍ମାନ୍ ଧର୍ମର ଧ୍ୱଜାବାହକ ତଥା ବଙ୍ଗ ସୁଲ୍ତାନ୍ଙ୍କ ସେନାପତି ଭାବରେ ଓଡ଼ିଶା ଆକ୍ରମଣ କରି ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କଲା। ହିନ୍ଦୁ ସମାଜକୁ ଅପମାନିତ କରିବାକୁ ଯାଇ ଓଡ଼ିଆର ଠାକୁର ଶ୍ରୀ ଜଗନ୍ନାଥଙ୍କୁ ଗୋରୁ ଚର୍ମରେ ବାନ୍ଧି ଘୋଷାଡ଼ି ଘେଷାଡ଼ି ନେବାର ମାର୍ମିକ କାହାଣୀ ପ୍ରତ୍ୟେକଙ୍କ ଲୋମ ଶିହରଣ କରେ। ଏଭଳି ଏକ ଦୁର୍ଦ୍ଦିନରେ ଭୀତତ୍ରସ୍ତ ଓଡ଼ିଆ ମନରେ ପୁଣିଥରେ ସାହସ ଭରିଦେବାକୁ ଦଣ୍ଡନୃତ୍ୟର ସର୍ଜନା ହେବାକଥା ମଧ୍ୟ ସମାଜଶାସ୍ତ୍ରୀମାନେ ଆଲୋଚନା କରନ୍ତି। ସ୍ୱୟଂ ଶିବ ଓ ଶିବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିନ୍ଦୁ ସମାଜ ମଧ୍ୟରେ ସାମାଜିକ ସାମ୍ୟତା ତଥା ଐକ୍ୟଭାବ ଭରିଦେବା ପାଇଁ ଦଣ୍ଡ କାମନା ମଧ୍ୟରେ ଋଷିପୁତ୍ର ଉପାଖ୍ୟାନ ଏକ ବିରଳ ଉପାଖ୍ୟାନ
ତତ୍କାଳୀନ ସମାଜର ସଂରଚନାକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ହିନ୍ଦୁ ସମାଜ ନିଜର ଜାତିଗତ ବୃତ୍ତିକୁ ନେଇ ବହୁଦା ବିଭକ୍ତ ହେବା ଫଳରେ ନିଜର ଐକ୍ୟଭାବ ହରାଇ ବସିଥିଲା। ବ୍ରାହ୍ମଣମାନେ ନିଜକୁ ସର୍ବେସର୍ବା ମନେ କରି ଅନ୍ୟକର୍ମରେ ନିୟୋଜିତ ସମାଜକୁ ନିଜର ସର୍ବସ୍ୱ ମନେକଲେ ଫଳରେ ପ୍ରତ୍ୟେକଙ୍କ ବୃତ୍ତିଗତ ଭାବନାରେ ସେବା ଭାବ ନ ରହି ବିଦ୍ବେଷ ବଢ଼ିବାର ଦେଖାଗଲା। ଏହି ବିଦ୍ବେଷ ହିଁ ପରବର୍ତ୍ତି କାଳରେ ମତାନ୍ତର ଓ ମନାନ୍ତରରେ ପରିବର୍ତ୍ତିତ ହୋଇ ସାମାଜିକ ବ୍ୟବସ୍ଥାକୁ ଦୁର୍ବଳରୁ ଦୁର୍ବଳତର କରିଦେଇଥିଲା। ଏଣୁ ତତ୍କାଳୀନ ସମାଜଶାସ୍ତ୍ରୀ ଗଣ ଦଣ୍ଡ ବିନ୍ୟାସକୁ ସ୍ୱୟଂ ସ୍ୱୟଂଭୂଙ୍କ ସେବା ଦର୍ଶାଇ ଜାତି, ବର୍ଣ୍ଣ, ଗୋତ୍ର ନିର୍ବିଶେଷରେ ସମସ୍ତଙ୍କ ଏକମନ୍ତ୍ର(ଋଷିପୁତ୍ର)ରେ ଦୀକ୍ଷିତ କରାଇ ଏହାକୁ ଏକ ସାମାଜିକ ସ୍ୱୀକୃତି ପ୍ରଦାନ୍ କରିବାରେ ସମର୍ଥ ହୋଇଥିଲେ।
ଦଣ୍ଡନାଟ ଯଦିଓ ସାରା ଓଡ଼ିଶାରେ ପ୍ରଚଳିତ ତଥାପି ଏହା ଦକ୍ଷିଣ ଓଡ଼ିଶାରେ ବେଶ୍ ପ୍ରଚଳିତ। ନୟାଗଡ଼, ପୁରୀ, ଗଜପତି, ବୌଦ୍ଧ, କନ୍ଧମାଳ ତଥା କୋରାପୁଟ ଅଞ୍ଚଳରେ ଦେଖାଯାଇଥାଏ। ଆଞ୍ଚଳିକ ସ୍ତରରେ ନୀତି ନିୟମ ପରିପାଟୀରେ ଏମାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ଦେଖା ଯାଉଥିଲେ ମଧ୍ୟ କଳାପାହାଡ଼ ରୂପକ ଭୟର ଦ୍ୱାହିରେ ସର୍ବଶକ୍ତିମାନଙ୍କ ଆହ୍ୱାନ ପୂର୍ବକ ସାହସ ପ୍ରଦାନ କରିବା, ସମାଜ ତଥା ସାମାଜିକ କାର୍ଯ୍ୟ ନିମନ୍ତେ ସମର୍ପିତ ହେବା, ଅନ୍ୟର ବୃତ୍ତିକୁ ସମ୍ମାନ ଦେବା ଭଳି ଚିନ୍ତନ ସମସ୍ତଙ୍କ ପ୍ରାୟ ସମାନ କହିଲେ ଚଳେ।
ଦଣ୍ଡ ମଧ୍ୟରେ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ଶ୍ରମଦଣ୍ଡ ତଥା ସେବାଭଳି ଅନେକ କାର୍ଯ୍ୟ କରିବାକୁ ପଡ଼ିଥାଏ ଜଣେ ବ୍ରତଧାରୀଙ୍କୁ। ଦଣ୍ଡ ମନାସି ଦଳରେ ଯୋଗଦେବା ମାତ୍ରେ ଜଣେ ମାନବ ଯେକୌଣସି ସ୍ତରରେ ହେଉ ନା କାହିଁକି ତାକୁ ତା’ର ବେଶ, ପୋଷାକ, ଜୀବନ ପରିପାଟୀ ତଥା ଚାଲିଚଳଣି ଓ ଜୀବନଶୈଳୀକୁ ଅନ୍ୟମାନଙ୍କୁ ସହ ଏକାକାର କରିବାକୁ ହୁଏ। ପୀତ-ଲୋହିତ ପୋଷାକ ତ୍ୟାଗ ଭାବକୁ ଦର୍ଶାଉଥିବା ବେଳେ ଗେରୁଆ ଯୋଡ଼ା ତାର ସାହାସକୁ ପରିବର୍ଦ୍ଧିତ କରେ। ପ୍ରଥମ ସଂସ୍କାରରେ ସମସ୍ତେ ପଇତା ପିନ୍ଧି ଦୀକ୍ଷା ଗ୍ରହଣ କରନ୍ତି। ଏହାପରେ ଯୋଡ଼ା ପିନ୍ଧି ଏକାକୀ ଭାବେ ନିଜ ପରିଚୟ ତ୍ୟାଗ କରି କେବଳ ଋଷିପୁତ୍ର ବୋଲାନ୍ତି। ନିଜେ ନିଜର ପଦ ପଦବୀ, ଗୁଣ ଗାରିମା ତଥା ଆତ୍ମଭିମାନ ତ୍ୟାଗପୂର୍ବକ ଧର୍ମଧ୍ୱଜା ଧରି ଗାଁ ଗାଁ ବୁଲି ଲୋକଙ୍କ ମନରେ ସାହାସ ଭରିବା ସହ କଳାପାହାଡ଼ର ଆତଙ୍କକୁ ସ୍ମରଣ କରାଇଥାନ୍ତି ଯେ “ଇତି ଧର୍ମ ରକ୍ଷତି ରକ୍ଷକଃ”। ଏଣୁ ସମସ୍ତେ ନିଜ ନିଜର ଧର୍ମରକ୍ଷା କରିବା ଉଚିତ୍। ଏହିକ୍ରମରେ ଦଳର ଗାଁ ଗାଁ ପରିଭ୍ରମଣକୁ ଜନଶକ୍ତିରେ ରୂପାନ୍ତରିତ କରିବା ପାଇଁ ପ୍ରତି ଯୋଜକଙ୍କ ଘରଦାଣ୍ଡରେ ଦଣ୍ଡ କାମନା ପ୍ରସ୍ତୁତ କରି ଲୋକଙ୍କୁ ସଚେତନତା କରାଇଥାନ୍ତି। ପ୍ରଦର୍ଶନରେ ମିଳୁଥିବା କଷ୍ଟ ଆତ୍ମସ୍ୱାଭିମାନ ତଥା ସମାଜ ରକ୍ଷା ପାଇଁ ଢ଼େର ଶ୍ରେଷ୍ଠ ପ୍ରତିପାଦିତ କରିଥାନ୍ତି ଦଣ୍ଡୁଆଗଣ।
ସାମାଜିକ ବିନ୍ୟାସ ଦୃଷ୍ଟିକୋଣରୁ ଦଣ୍ଡପର୍ବରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି। ଦଣ୍ଡ ସମୟରେ କୃଷି କର୍ମାଣି ଓ କୃଷକର ଜୀବନ୍ ଶୈଳୀକୁ ନିଚ୍ଛକ ଗାଁ ଦାଣ୍ଡ ଭାଷାରେ (କଥିତ) ଉପସ୍ଥାପନ କରିଥାନ୍ତି ଦଣ୍ଡୁଆଗଣ। ଜଣେ କୃଷକର ପାରିବାରିକ ଜୀବନ ସହ ସାମାଜିକ ସଚେତନତାର ଅଭାବ ଫଳରେ ସେ ବହୁପତ୍ନିକ ହେବା, ଅଧିକ ସନ୍ତାନସନ୍ତତିର ଜନକ ବୋଲାଇବା ଅଧିକ ପରିଶ୍ରମ କଲେ ସୁଦ୍ଧା ତା’ର ଗୁଜୁରାଣ ନ ମେଣ୍ଟିବା ଭଳି ଅନେକ ଚିତ୍ରକୁ ଧୂଳିଦଣ୍ଡ ସମୟରେ ମଜା ଢଙ୍ଗରେ ପ୍ରଦର୍ଶିତ କରାଯାଇଥାଏ। ଏସବୁ ସତ୍ତ୍ବେ ସେ (କୃଷକ) କିପରି ଭଗବତ ବିଶ୍ୱାସୀ ସାଜି ନିଜ ମା’, ମାଟିର ସମ୍ମାନ ପାଇଁ ପରିଶ୍ରମ କରେ ତାହା ପ୍ରଦର୍ଶିତ କରାଯାଉଥିବା ବେଳେ ରାତ୍ର ସମୟର ପରିବେଷଣରେ ଦଣ୍ଡ କାମନା ଏକ ବିଶେଷ ଆଲେଖ୍ୟ। ସାମାଜିକ ସମରସତାରେ ଏହା ଭରପୂର। ମଣିଷ ଓ ପ୍ରକୃତି ପରସ୍ପର ଯେ ପରିପୂରକ ଏକଥାକୁ ବିଭିନ୍ନ ଚରିତ୍ର ମାଧ୍ୟମରେ ଦର୍ଶାଯାଇଥାଏ। ଚଢେୟାର ଚଢେଇ ଧରାକୁ ଶିବାଜ୍ଞା (ପ୍ରକୃତି)ର ବିରୋଧ ଦର୍ଶାଇ ଜୀବିକାର୍ଜନ ନିମନ୍ତେ ଶ୍ରମ କରିବା ପାଇଁ ଉପଦେଶ ଦେଇଥାନ୍ତି। କିନ୍ତୁ ଚଢେୟା ନିଜ ଆତ୍ମଭିମାନ ପୂର୍ବକ ପ୍ରକୃତିର ବିରୁଦ୍ଧରେ ନିଜ ଜୀବିକାକୁ ଚାଲୁରଖେ। ସମାଜରେ ରହୁଥିବା ଅନ୍ୟାନ୍ୟ ପେଶାଦାରଙ୍କ ସହଚର୍ଯ୍ୟ, ସହଯୋଗ ଓ ପରାମର୍ଶକୁ ନାଟକୀୟ ଢଙ୍ଗରେ ପ୍ରଦର୍ଶନ କରାଯାଇ ସାମାଜିକ ସମରସତାର ନିଦର୍ଶନ ପ୍ରତିପାଦିତ କରାଯାଏ। ପ୍ରତ୍ୟେକ ବ୍ୟକ୍ତି (ପେଶାଦାର) ନିଜ ନିଜ ବୃତ୍ତିରେ କୁଟୁମ୍ବ ପୋଷିବା ବେଳେ ପ୍ରକୃତି ପ୍ରତି କିପରି ଉତ୍ତରଦାୟୀ ରହିବାକୁ ହେବ ଏହାହିଁ ଈଶ୍ୱରଙ୍କ ସେବା ଓ ଜୀବ ଦୟା ବୋଲି କାମନା କହି ରଖେ।
ଏସବୁକୁ ସୂକ୍ଷ୍ମାତିସୂକ୍ଷ୍ମ ଧାରାରେ ଆଲୋଚନା କରାଯାଇ ପାରେ। ତେବେ ପରିଶେଷରେ ବୀଣାକାର ଚରିତ୍ରରେ ଦଣ୍ଡୁଆମାନେ ଗୃହକର୍ତ୍ତାଙ୍କ ସୁଖ, ଶାନ୍ତି କାମନା ପୂର୍ବକ ସାମାଜିକ ଉତ୍ତରଦାୟିତ୍ୱକୁ ତୁଲାଇବାକୁ ଈଶ୍ୱର ବୁଦ୍ଧି, ବିବେକ ପ୍ରଦାନ କରନ୍ତୁ ବୋଲି କାମନା ମନାସିଥା’ନ୍ତି। ଏଣୁ ସାମାଜିକ ସାମ୍ୟତାର ଅନନ୍ୟ ନିଦର୍ଶନ ଭାବେ ‘ଦଣ୍ଡଯାତ୍ରା’ ବିଶେଷ ମହତ୍ତ୍ୱ ରଖେ ।
Go Back to Previous Page
ଘଣ୍ଟ ପାଟୁଆ : ଏକ ନିଆରା ପରମ୍ପରା
ପ୍ରତିଭା ପ୍ରିୟଦର୍ଶିନୀ
Read Article
ଏକବିଂଶ ଶତାବ୍ଦୀରେ ଜଗନ୍ନାଥ ସଂସ୍କୃତି
ଗୁପ୍ତେଶ୍ବର ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ