ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆଦ୍ୟରେ ଗଞ୍ଜାମର ପୁରପଲ୍ଲୀରେ ଅତ୍ୟଧିକ ମାତ୍ରାରେ ଢୋଲ ଓ ତୁରୀର ଶବ୍ଦ ଗୁଞ୍ଜରିତ ହୋଇଥାଏ ଏବଂ ଏହି ସମୟରେ ସମୁଦାୟ ଜିଲ୍ଲାରେ ଦଳ ଦଳ ହଳଦିଆ ଓ ଲୋହିତ ବସ୍ତ୍ର ଧାରଣ କରି ହାତରେ ବାନା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଧରି ଅନେକ ବ୍ୟକ୍ତିଙ୍କ ସ୍ବଚ୍ଛନ୍ଦ ବିଚରଣ ଦେଖିବାକୁ ମିଳେ ଭକ୍ତିର ଏକ ବିରଳ ତଥା ଅନନ୍ୟ ପରମ୍ପରା ଦଣ୍ଡନାଚ କେବଳ ଗଞ୍ଜାମ ନୁହେଁ ବରଂ ରାଜ୍ୟର ଅନେକ ଜିଲ୍ଲା ଯଥା ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାରେ ମଧ୍ୟ ଦେଖିବାକୁ ମିଳିଥାଏ ତେରଦିନ, ଷୋହଳ, ଅଠର ଏବଂ ଏକୋଇଶି ଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ଅନେକ ବାଧାବିଘ୍ନକୁ ସମ୍ମୁଖୀନ ହୋଇ ଭଗବତୀଙ୍କ ଶରଣରେ ନିଜ ଭକ୍ତିର ନିଦର୍ଶନ କରାଇବା ଏହି ଲୋକ ପରମ୍ପରାର ଏକ ଅଦ୍ଭୂତ ଅଂଶ ଏହି ନାଚରେ ଅଂଶ ଗ୍ରହଣ କଲେ ନିଜର ମନୋସ୍କାମନା ଅବଶ୍ୟ ପୂର୍ଣ୍ଣ ହୋଇଥାଏ ବୋଲି ଧାରଣା ରହିଥିବା ହେତୁ ଆଧୁନିକ ଯୁଗରେ ମଧ୍ୟ ଏହି ପରମ୍ପରା ମଳିନ ହୋଇନାହିଁ ଏହି ଲୋକପରମ୍ପରା ଯେ କେବଳ ଭକ୍ତିର ଏକ ଅତି କଷ୍ଟଦାୟକ ନିଦର୍ଶନ ତାହା ନୁହେଁ, ବରଂ ଏହା ସହ ଜଡ଼ିତ ଅନେକ ଲୋକନୃତ୍ୟ ଏବଂ ଉପସ୍ଥାପନ ଶୈଳୀ ଗଞ୍ଜାମ ଜିଲ୍ଲାର ସମୃଦ୍ଧ ଲୋକନୃତ୍ୟ ପରମ୍ପରାକୁ ମଧ୍ୟ ପରିଚୟ କରାଇ ଥାଏ
ଦଣ୍ଡନାଚରେ କଣ ହୁଏ?
ଚୈତ୍ରପୂର୍ଣ୍ଣିମା ଠାରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୁଏ ସାଧାରଣତଃ ଏହା ଏକୋଇଶି ଦିନ ବ୍ୟାପୀ ହୋଇଥାଏ କିନ୍ତୁ ଅନେକ ସ୍ଥାନରେ ଏହା ୧୩, ୧୬ କିମ୍ବା ୧୮ ଦିନ ପାଇଁ ମଧ୍ୟ ହୁଏ
ଗାଁ ପାଖରେ ଥିବା ଠାକୁରାଣୀ ମନ୍ଦିରରେ କାମନା ଘର ସ୍ଥାପନା କରାଯାଏ ଏହି ଘରୁ ପୂର୍ଣ୍ଣ କୁମ୍ଭ ବାହାରିଥାଏ, ଯାହାକୁ କାମନା ଘଟ ବୋଲି ମଧ୍ୟ କୁହାଯାଏ ଦଣ୍ଡନାଚ ସମାପନ ପରେ ଏହି ଘଟର ଜଳକୁ ବିସର୍ଜନ କରାଯାଏ
ଦଣ୍ଡନାଚ ଦଳରେ ଅନ୍ୟୁନ ତେରଜଣ ମୁଖ୍ୟ ଭୋକ୍ତା ଏବଂ ଅନ୍ୟ କେତେଜଣ ଉପଭୋକ୍ତା ରହିଥାନ୍ତି ଦୁଇଜଣ ଭୋକ୍ତା କାମନାଘର ଅଗ୍ନିକୁ ଜଗିଥାନ୍ତି ଅନ୍ୟ ଭୋକ୍ତା ସେଇ ଅଗ୍ନିକୁ ଚମ୍ପାବରରେ ସଂଯୋଗକରି ଦଣ୍ଡନାଚରେ ବୁଲୁଥିବା ବେଳେ, ଦୁଇଜଣ ଅଗ୍ନିଘଡ଼ିରେ ସଂଯୋଗ କରି ଖେଳରେ ଅଂଶ ଗ୍ରହଣ କରନ୍ତି ଜଣେ ଭୋକ୍ତା ମାଟି ହାଣ୍ଡିରେ ଝୁଣା ଧରିଥିବା ବେଳେ ଦୁଇଜଣ ଭୋକ୍ତା ଶିବ ପ୍ରତିମା ଓ ଗୌରୀବ୍ରତ ଧାରଣ କରନ୍ତି ଏମାନଙ୍କ ବ୍ୟତୀତ ଅନ୍ୟମାନେ ବାଦକ, ବୀଣାକାର, ଚଢ଼େୟା ଓ ପ୍ରଭାନାଚ ଆଦି କାର୍ଯ୍ୟ ସମ୍ଭାଳିଥାନ୍ତି
ଭକ୍ତମାନେ ମାନସିକ ପୂରଣ ହେବା ଆଶାରେ ଦଣ୍ଡନାଚରେ ଅଂଶ ଗ୍ରହଣ କରିଥାନ୍ତି ଦୂରାରୋଗ୍ୟ ବ୍ୟଧିରୁ ତ୍ରାହି ପାଇବା, ମନୋସ୍କାମନା ପୂରଣ କରିପାଇବା ଆଶାରେ ଲୋକମାନେ ଦଣ୍ଡ ନାଚରେ ଭାଗ ନିଅନ୍ତି
ଦଣ୍ଡନାଚ ଆରମ୍ଭ ହେବା ପୂର୍ବରାତ୍ରୀରେ ସମସ୍ତ ଦଣ୍ଡୁଆ ବା ଭୋକ୍ତା ଗାଁ ଠାକୁରାଣୀ ମନ୍ଦିର ସନ୍ନିକଟସ୍ଥ କାମନା ଗୃହ ନିକଟରେ ଏକତ୍ରିତ ହୁଅନ୍ତି ସେଠାରୁ ସମସ୍ତଙ୍କୁ ଦଣ୍ଡୁଆ ବୋଲି କୁହାଯାଏ ସେହି ରାତ୍ରୀରେ ମନ୍ଦିରରେ ହୋମକର୍ମ ଓ ଘୃତଯଜ୍ଞର ଆୟୋଜନ କରାଯାଏ ଏହାପରେ ଦଣ୍ଡୁଆମାନେ ପାରମ୍ପରିକ ରୀତିରେ ଦଣ୍ଡ ଆଣନ୍ତି ସମସ୍ତେ ପଇତା ପିନ୍ଧିବା ପରେ ଦୁଇଟି ବାଉଁଶ କାଠିକୁ ଘଷି ଅଗ୍ନିଜାତ କରନ୍ତି, ଏହାକୁ ଶିବାଗ୍ନୀ କୁହାଯାଏ ଏହି ଅଗ୍ନିକୁ ପାଳର ତିଆରି ଚମ୍ପାବରରେ ରୋପଣ କରାଯାଏ ଏବଂ ଏହା ଦଣ୍ଡନାଚ ସମାପନ ହେବାପର୍ଯ୍ୟନ୍ତ ରଖାଯାଏ ମା କାଳୀଙ୍କ ଚିତ୍ର, ଶିବଙ୍କ ପ୍ରତୀକ ନାଗମୂର୍ତ୍ତି, ମୟୁରପୁଚ୍ଛ, ପତାକା ଆଦି ପୂଜାପରେ ଦଣ୍ଡନାଚ ଆରମ୍ଭ ହୁଏ ପ୍ରଥମ ଦିନ କାମନା ମନ୍ଦିର ସମ୍ମୁଖରେ ଦଣ୍ଡ ହୁଏ ତା’ପରେ ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ବା ସହରକୁ ଯାଇ ଦଣ୍ଡନାଚ କରାଯାଏ
ଦଣ୍ଡନାଚ କରାଇବା ପାଇଁ ମାନସିକଧାରୀ ବ୍ୟକ୍ତି ବିଶେଷ ବିଭିନ୍ନ ମନ୍ଦିରରେ ଆଗରୁ ନିମନ୍ତ୍ରଣ ଦେଇଥାନ୍ତି ଏବଂ ଦଣ୍ଡନାଚ ହେବାପୂର୍ବରୁ ଯେତେଦିନ ଦଣ୍ଡନାଚ ହେବ ସେତେଦିନର ସ୍ଥାନ ବିବରଣୀ ପ୍ରକାଶିତ ହୋଇଥାଏ ପ୍ରତିଦିନ ପ୍ରାତଃ କାଳରେ ଦଣ୍ଡୁଆ ମାନେ ଖାଲି ପାଦରେ ଚାଲି ଚାଲି ଭକ୍ତଙ୍କ ଗାଁକୁ ଯାଇ ତାଙ୍କର ଆତିଥ୍ୟତା ଗ୍ରହଣ କରିଥାନ୍ତି ଭକ୍ତଙ୍କ ପରିବାରର ମହିଳାମାନେ ଦଣ୍ଡୁଆ ମାନଙ୍କ ପାଦରେ ଅଳତା ଲଗାଇ ମା କାଳୀଙ୍କ ବନ୍ଦାପନା କରନ୍ତି ଦଣ୍ଡନାଚ ପାଇଁ ସମସ୍ତ ଖର୍ଚ୍ଚ ମାନସିକଧାରୀ ଗୃହକର୍ତ୍ତାଙ୍କୁ ବହନ କରିବାକୁ ପଡ଼ିଥାଏ
ଏହାପରେ ଭକ୍ତଙ୍କ ଘର ସମ୍ମୁଖରେ ଥିବା ଖୋଲା ସ୍ଥାନରେ ଦଣ୍ଡୁଆମାନେ ମା କାଳୀ ମନ୍ଦିରରୁ ଅଣାଯାଇଥିବା ପ୍ରତୀକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ସବୁ ସ୍ଥାପନା କରାଇ ପୂଜା ଆରମ୍ଭ କରାଯାଏ ମୁଖ୍ୟ ବା ପାଟ ଦଣ୍ଡୁଆ ପୂଜାବିଧି ଆରମ୍ଭ କରିବାପରେ ନିର୍ଦ୍ଦେଶ ଦିଅନ୍ତି ଏବଂ ଦଣ୍ଡୁଆ ମାନେ ଟାଣ ଖରାରେ ଧୁଳିଦଣ୍ଡ କରନ୍ତି ଏହି ସମୟରେ ଉପସ୍ଥିତ ଦର୍ଶକ ମାନଙ୍କୁ ଆମୋଦିତ କରିବାପାଇଁ ଦଣ୍ଡୁଆ ମାନେ ଅନେକ ଲୋକ ପ୍ରଥାକୁ ନୃତ୍ୟ ଏବଂ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରନ୍ତି ଏହି ସମୟରେ ଓଡ଼ିଶାର ଚାଷବାସର ପରମ୍ପରାକୁ ନେଇ ଅନେକ ବ୍ୟଙ୍ଗ ପରିବେଷଣ କରାଯାଏ ଚାଷ କରିବା ବିଧି, ଚଷା ପାଇଁ ବିଲକୁ ଘୋଟଣା ନେଇ ଯିବା, ମନ୍ଦିର ନିର୍ମାଣ କରିବା, ହଳ ଚଳାଇବା, ଲୁଗା ବୁଣିବା, ହଳଦୀ ବାଟିବା, କୂଅ ଖୋଳିବା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିବେଷଣ କରାହୁଏ ଯାହା ଦେଖିବାକୁ ଆମୋଦକର ହୋଇଥାଏ ଏହାପରେ ସବୁ ଦଣ୍ଡୁଆମାନେ ଦାଣ୍ଡରେ ଧାଡ଼ିରେ ଶୋଇ ରହନ୍ତି ଏବଂ ସେମାନଙ୍କ ଉପରେ କାଠ ଦଣ୍ଡ ପକାଯାଇ ନଡ଼ିଆ ଭଙ୍ଗାଯାଏ
ଧୁଳିଦଣ୍ଡ ସମାପନ ହେବାପରେ ଦଣ୍ଡୁଆମାନେ ପାଣି ଦଣ୍ଡ କରିବାପାଇଁ ନିକଟସ୍ଥ ଜଳାଶୟକୁ ଯାତ୍ରା କରନ୍ତି ସେଠାରେ ଦଣ୍ଡୁଆମାନେ ଛଅ ଆଙ୍ଗୁଳିଲମ୍ବ ଆମ୍ବଡ଼ାଳ ଦାନ୍ତକାଠିରେ ଦାନ୍ତ ସଫା କରି ପାଣିରେ ତେରଥର ବୁଡ଼ ଦିଅନ୍ତି ଏବଂ ଜଳରେ ଅଧା ବୁଡ଼ି ରହି ଦଣ୍ଡ ପ୍ରଦର୍ଶନ କରନ୍ତି ସେଠାରେ ମା’ଙ୍କର ଆଳତୀ ହୁଏ ଭକ୍ତମାନେ ଆଣିଥିବା ଭୋଗସାମଗ୍ରୀକୁ ପୂଜା କରାଯାଇ ଲିଆପଣା ସେବନ କରାଯାଏ ଏବଂ ଏହାପରେ ପାଳରେ ନିର୍ମିତ ଦୁଇଟି ବିଶେଷ ଆକାରର ମସାଲରେ ଅଗ୍ନିସଂଯୋଗ କରି ଝୁଣାଦ୍ବାରା ଅଗ୍ନିଖେଳ କରାଯାଏ ଏବଂ ଦଣ୍ଡ ସମାପନ କରି ଦଣ୍ଡୁଆ ମାନେ ପୂର୍ବ ସ୍ଥାନକୁ ଫେରି ଆସନ୍ତି
ସନ୍ଧ୍ୟା ସମୟରେ ମା’ଙ୍କର ଆଳତୀ ହୁଏ ଏହା ଦେଖିବାପାଇଁ ଆଖପାଖର ଅସଂଖ୍ୟ ଲୋକ ଜମା ହୋଇଥାନ୍ତି ଏହାପରେ ଦଣ୍ଡୁଆମାନଙ୍କୁ ନବାତ ପଣା ପିଇବାକୁ ଦିଆଯାଏ ଏବଂ ନବାତ ମିଶ୍ରିତ ଲିଆ ପ୍ରସାଦ ଭାବରେ ସେମାନେ ଗ୍ରହଣ କରନ୍ତି ସନ୍ଧ୍ୟା ଆଳତୀ ସରିବାପରେ ଦଣ୍ଡୁଆମାନଙ୍କ ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ଦଣ୍ଡୁଆମାନେ ଦିନରେ ମାତ୍ର ଥରୁଟିଏ ଭୋଜନ କରନ୍ତି ଏବଂ ସେଥିରେ ସେମାନେ କେବଳ ଅରୁଆନ୍ନ ଏବଂ ଡାଲମା ଖାଆନ୍ତି ଅକଟା, ଅବଟା ଓ ଅଫୁଟା ଉପାୟରେ ରୋଷେଇ ହୁଏ ଅର୍ଥାତ ରୋଷେଇରେ ବ୍ୟବହୃତ ପରିବାକୁ କଟା ଯାଏ ନାହିଁ କିମ୍ବା ମସଲା ଆଦି ବଟା ଯାଏ ନାହିଁ ବିନା ପିଆଜ ରସୁଣରେ ଶୁଦ୍ଧପୂତ ଭାବରେ ଏହା ରୋଷେଇ ହୁଏ ଏହାର ସ୍ବାଦ ଖାଇବା ଲୋକ ହିଁ ଜାଣିପାରେ
ବିଳମ୍ବିତ ରାତ୍ରୀରେ ଦଣ୍ଡୁଆମାନେ ଭୋଜନ ଗ୍ରହଣ କରନ୍ତି ସେଥିପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ହିଁ ସେମାନଙ୍କୁ ଭୋଜନ ଗ୍ରହଣ କରିବାକୁ ହୁଏ ଏହି ସମୟରେ ଢୋଲ ଓ ତୁରୀ ଆଦିକୁ ବଜା ଯାଇଥାଏ କାରଣ ଦଣ୍ଡୁଆ ମାନେ ଭୋଜନ କରୁଥିବା ସମୟରେ ଯଦି କୌଣସି ପ୍ରକାର ପଶୁପକ୍ଷୀଙ୍କ ଶବ୍ଦ ଶୁଣାଯାଏ ତା ହେଲେ ଭୋଜନ ସେତିକିରେ ହିଁ ସମାପନ କରିବାକୁ ହୁଏ ଭୋଜନ କରୁଥିବା ସମୟରେ ‘କାଳରୁଦ୍ରମଣୀଙ୍କୁ ଭଜ ହେ’ ବୋଲି ଡାକ ଦେଇ ଦେଇ ପ୍ରସାଦ ସେବନ କରନ୍ତି ଯେଉଁ ଭକ୍ତଙ୍କ ନିମନ୍ତ୍ରଣରେ ଏହି ଦଣ୍ଡନାଚ ଆୟୋଜିତ ହୁଏ ତାଙ୍କର ପରିବାର ଲୋକମାନେ ମଧ୍ୟ ଏହି ପ୍ରସାଦ ସେବନ କରନ୍ତି
ଦଣ୍ଡୁଆମାନେ ରାତ୍ରୀ ଭୋଜନ ସାରିବାପରେ ବିଳମ୍ବିତ ରାତ୍ରୀରେ ଭକ୍ତଙ୍କ ଘର ସମ୍ମୁଖରେ ଅଗ୍ନିଦଣ୍ଡ କରାଯାଏ ମାନସିକଧାରୀ ଭକ୍ତଙ୍କ ଗୃହ ସମ୍ମୁଖରେ ପାଟଦଣ୍ଡୁଆଙ୍କ ନିର୍ଦ୍ଦେଶରେ ଜଣେ ଦଣ୍ଡୁଆଙ୍କୁ କଳା ପୋଷାକ ପିନ୍ଧାଇ ଦିଆଯାଏ ମୁଣ୍ଡରେ କଳାକନା ବାନ୍ଧି, ରକ୍ତସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରାଯାଏ ଏହାପରେ ଭକ୍ତ ଉପରେ କାଳୀ ଠାକୁରାଣୀ ପ୍ରବେଶ କରନ୍ତି ଏବଂ ସେହି ଭକ୍ତଙ୍କ ଉଦ୍ଦଣ୍ଡ ନୃତ୍ୟ ମନରେ ଭୟ ସଂଚାର କରାଏ ତେଣୁ ଏହି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ରହିବାକୁ ବାରଣ କରାଯାଏ ଏହା ଅତ୍ୟନ୍ତ ଭୟଙ୍କର ବୋଲି ଅନେକେ ମତ ଦିଅନ୍ତି ଝୁଣା, ଢୋଲ, ତୁରୀ, ଘଣ୍ଟ ଶବ୍ଦରେ କାଳୀଙ୍କୁ ପ୍ରସନ୍ନ କରାଯାଏ ଏହା ସମାପ୍ତ ହେବାପରେ ପାଟ ଦଣ୍ଡୁଆ ମଞ୍ଚ ଉପରକୁ ଆସି ଈଶ୍ବରପାର୍ବତୀଙ୍କ ଗୁଣଗାନ କରିବାପରେ ଶିବପାର୍ବତୀ ଆସନ୍ତି ଚଢ଼େୟା ପୂଜାରେ ଶିବପାର୍ବତୀ ସନ୍ତୁଷ୍ଟ ହୁଅନ୍ତି ଚଢ଼େୟାକୁ ପଶୁପକ୍ଷୀ ଶିକାର କରିବାକୁ ଅନୁମତି ଦିଅନ୍ତି କିନ୍ତୁ ଶୁଆଶାରୀ, କପୋତ, ପାରା ଓ ମୟୁରକୁ ନ ମାରିବାପାଇଁ ନିର୍ଦ୍ଦେଶ ଦିଅନ୍ତି ଏହା ନ ମାନିଲେ ସର୍ପାଘାତରେ ପ୍ରାଣ ଯିବ ବୋଲି ଜଣାଇ ଦିଅନ୍ତି କିନ୍ତୁ ଚଢ଼େୟା ଛଢ଼େୟାଣୀର ଅନୁରୋଧରେ କପୋତ ଶୀକାର କରେ ଏବଂ ଅଭିଶାପ ସ୍ବରୂପ ସର୍ପାଘାତର ଶିକାର ହୁଏ ଏହାପରେ ଚଢ଼େୟାଣୀ ଶିବଙ୍କୁ ପ୍ରାର୍ଥନା କରେ ଏବଂ ଶିବ ପ୍ରସନ୍ନ ହୋଇ ଚଢ଼େୟାର ଜୀବଦାନ କରନ୍ତି ଏହାପରେ ନାଟ ଦଣ୍ଡୁଆ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଲୋକ ନୃତ୍ୟ ଏବଂ ଅନେକ ପୌରାଣିକ ନୃତ୍ୟ ପରିବେଷଣ କରାଯାଏ ପରେ ପରେ ସାମାଜିକ ବିଷୟଧର୍ମୀ କିମ୍ବା ପୌରାଣିକ ବିଷୟଧର୍ମୀ ନାଟକ ମଞ୍ଚସ୍ଥ ହୁଏ ଏହି ନାଟକ ସମାପ୍ତ ହେଉ ହେଉ ସକାଳ ହୋଇଯାଏ ଏବଂ ପୁଣି ଥରେ ଦଣ୍ଡୁଆ ମାନେ ନିଜର ପରବର୍ତ୍ତୀ ସ୍ଥାନକୁ ଯାତ୍ରା କରିବା ଆରମ୍ଭ କରିଦିଅନ୍ତି
ଦଣ୍ଡନାଚରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡୁଆ / ଭକ୍ତ ବା ଭୋକ୍ତା କୁହାଯାଏ ଏବଂ ମୁଖ୍ୟ ଦଣ୍ଡୁଆଙ୍କୁ ପାଟ ଦଣ୍ଡୁଆ କୁହାଯାଏ ପାରମ୍ପରିକ ଭାବରେ ଦଣ୍ଡୁଆମାନଙ୍କୁ ଋଷିପୁତ୍ର ବୋଲି ସମ୍ବୋଧନ ମଧ୍ୟ କରାଯାଏ ଏହା ଏହି ଦଣ୍ଡନାଚର ଇତିହାସ ବିଷୟରେ ଜାଣିଲେ ବୁଝିହୁଏ ଦଣ୍ଡୁଆଙ୍କ ପରିବାରରେ ଦଣ୍ଡନାଚ ଚାଲିଥିବା ପର୍ଯ୍ୟନ୍ତ ନିରାମିଷ ଏବଂ ବିନା ପିଆଜ ରସୁଣରେ ଖାଦ୍ୟ ଖାଇବାକୁ ହୁଏ ଯଦି ଦଣ୍ଡୁଆ ବିବାହିତ ହୋଇଥାନ୍ତି ତା ହେଲେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦିନରେ କେବଳ ଥରୁଟିଏ ଭୋଜନ କରିବାକୁ ହୁଏ ଏବଂ ଦଣ୍ଡନାଚ ସମାପନ ନ ହେବା ଯାଏଁ ପରିବାର ଲୋକ ଘର ବାହାରେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ
ଦଣ୍ଡନାଚ କାହିଁକି କରାଯାଏ?
ଦଣ୍ଡନାଚର ଉଦ୍ଦେଶ୍ୟ ମହାନ ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ସମ୍ଭବତଃ ବିଗତ ଚାରି ଶତାବ୍ଦୀ ଧରି ପ୍ରଚଳିତ ହୋଇଛି କିଛି ଐତିହାସିକଙ୍କ ମତରେ ଦଣ୍ଡନାଚ ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳ ଅଧୀନସ୍ଥ କୁଲାଡ଼ ଅଞ୍ଚଳରେ ହୋଇଥିଲା ପରେ ଏହା ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା
ଏହାର ନାମକରଣକୁ ନେଇ ଅନେକ ପ୍ରକାରର ଧାରଣା ରହିଛି ପ୍ରଥମତଃ ଏହି ପ୍ରଥାରେ ଭକ୍ତ ନିଜକୁ ନାନା ପ୍ରକାରର ଶାରୀରିକ ଯାତନା ଦେଇ ବା ଦଣ୍ଡ ଦେଇ ମା’ଙ୍କୁ ପ୍ରସନ୍ନ କରିବାର ପ୍ରଚେଷ୍ଟା କରୁଥିବା ହେତୁ ଏହାକୁ ଦଣ୍ଡନାଚ ବୋଲି କୁହାଯାଇପାରେ ଅନ୍ୟ ଏକ ମତବାଦରେ ଦଣ୍ଡନାଚ ସମୟରେ ଗୃହ ସମ୍ମୁଖରେ ଶିବ ଓ କାଳୀଙ୍କ ପ୍ରତୀକ ସ୍ବରୂପ ଦୁଇଟି ଦଣ୍ଡ ପୋତା ଯାଉଥିବାରୁ ଏହାକୁ ଦଣ୍ଡନାଚ ବୋଲି ମଧ୍ୟ କୁହାଯାଉଥିବ
ଏହି ପ୍ରଥାଦ୍ବାରା ସମାଜରେ ତଥା ଗ୍ରାମବାସୀଙ୍କ ମନରେ ଥିବା ଅନ୍ଧବିଶ୍ବାସ, କୁବିଶ୍ବାସ ଆଦିକୁ ଦୂର କରିବା, ଜାତି ପ୍ରଥାକୁ ଦୂର କରିବା, ସମସ୍ତଙ୍କ ମଧ୍ୟରେ ଭାତୃତ୍ବ ଓ ସ୍ନେହ ବୃଦ୍ଧି କରିବା, ଭକ୍ତି ଓ ବିଶ୍ବାସଦ୍ବାରା ସାମାଜିକ ଶୃଙ୍ଖଳା ବଜାୟ ରଖିବା ଏବଂ ସର୍ବୋପରି ସମାଜମଙ୍ଗଳ ପାଇଁ କାର୍ଯ୍ୟ କରିବା ଭଳି ଅନେକ ଲକ୍ଷ୍ୟ ରହିଥାଏ ଦଣ୍ଡନାଚରେ ଅଂଶଗ୍ରହଣ କରୁଥିବା ଭକ୍ତଙ୍କ ମଧ୍ୟରେ ଜାତିଆଣ ମନୋଭାବ ଦେଖାଯାଏ ନାହିଁ, ସମସ୍ତେ ଏକାକାର ହୋଇ ଭକ୍ତିର ସହ ନିଜ କର୍ତ୍ତବ୍ୟ ପାଳକ କରନ୍ତି ସାତ୍ତ୍ବିକ ଭୋଜନ, ସଂଯମତା ରକ୍ଷା ତଥା ଶୃଙ୍ଖଳାଜ୍ଞାନ ଦୃଷ୍ଟିରୁ ଏହା ଏକ ଅନନ୍ୟ ତଥା ମହାନ ପରମ୍ପରା ବୋଲି କୁହାଯାଇପାରେ
ବର୍ଷାଋତୁର ଆଗମନ ପୂର୍ବରୁ ଚାଷୀମାନେ ନିଜକୁ ପ୍ରସ୍ତୁତ କରିବା ହେତୁ ଏହି ଦଣ୍ଡନାଚର ପରିକଳ୍ପନା କରିଥାଇ ପାରନ୍ତି ବୋଲି ଅନେକେ ମତ ଦିଅନ୍ତି ବର୍ଷାଦିନ ଆସିବା ପୂର୍ବରୁ ନିଜ ଶରୀରକୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଖାପଖୁଆଇ, ଶକ୍ତିବୃଦ୍ଧି କରିବା ଉଦ୍ଦେଶ୍ୟରେ ମଧ୍ୟ ଏହା ହୋଇଥାଇପାରେ
ପୁରାଣରେ ଦଣ୍ଡନାଚର ମହାତ୍ମ୍ୟ
ସତ୍ୟଯୁଗରେ ବ୍ରହ୍ମାଙ୍କର ପାଞ୍ଚପୁତ୍ର ମରିଚୀ, ପୁଲହ୍, ପୁଲସ୍ତ୍ୟ୍, କ୍ରତୁ ଓ ଅଙ୍ଗିରା, ଇନ୍ଦ୍ରଙ୍କ ପାଞ୍ଚପୁତ୍ର ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୂରସେନ, ଗାନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର ଓ କୁବେର ନିଜ ନିଜ ଶିକ୍ଷା ସମାପନ କରି ଘରକୁ ଫେରୁଥିବା ବାଟରେ ଋଷିପୁତ୍ର କ୍ରତୁ ପିତୃଲୋକକୁ ଜଳଦାନ କରୁଥିବା ଦେଖି ଅଟ୍ଟହାସ୍ୟ କରିଥିଲେ ଏଥିରେ କ୍ରୋଧିତ ହୋଇ ଋଷି ସେମାନଙ୍କୁ କୁଷ୍ଠ ରୋଗ ହେବାପାଇଁ ଅଭିଶାପ ଦେଇଥିଲେ ଅଭିଶପ୍ତ ପୁତ୍ରମାନେ ନିଜ ଘରେ ଏହି ବିଷୟରେ ଜଣାଇବା ପରେ ବ୍ରହ୍ମା, ଇନ୍ଦ୍ର ଓ କୁବେର ମହାମୂନୀଙ୍କ ଆଶ୍ରମରେ ପହଞ୍ଚି ଅଭିଶାପ ଫେରାଇ ନେବାପାଇଁ ନିବେଦନ କରିଥିଲେ ଅଭିଶାପ ଫେରାଇ ନେଇ ହେବନାହିଁ ଏବଂ ଏହାର ବିହିତ ପ୍ରତିକାର କେବଳ ମହାଦେବ ଶିବ ହିଁ କରିପାରିବେ ବୋଲି ସେ ସୂଚନା ଦେଇଥିଲେ ତା’ପରେ ତେରଜଣ କୁମର ଶିବଙ୍କ ଶରଣାଗତ ହୋଇଥିଲେ ଶିବ ସମସ୍ତ କଥା ଶୁଣିବା ପରେ କହିଥିଲେ ଯେ ଯଦି ତେରଜଣ କୁମର ତେରଦିନ ପର୍ଯ୍ୟନ୍ତ ମା ରୂଦ୍ରକାଳୀଙ୍କୁ ପୂଜାକରି ଦଣ୍ଡବ୍ରତ ପାଳନ କରିବେ ତା ହେଲେ ସେମାନେ ଅଭିଶାପମୁକ୍ତ ହୋଇପାରିବେ ଏହା ଶୁଣି କୁମରମାନେ ନିଷ୍ଠାର ସହ ଦଣ୍ଡବ୍ରତ ପାଳନ କରିଥିଲେ ଏବଂ ନିଜର ଅଭିଶାପରୁ ମୁକ୍ତି ପାଇଥିଲେ
ଅନ୍ୟ ଏକ ପ୍ରବାଦ ଅନୁଯାୟୀ ତ୍ରେତୟା ଯୁଗରେ ତରଣୀ ନାମକ ଜଣେ ଋଷିଙ୍କ ଚଉଦଜଣ ଉଦ୍ଧତ ପୁଅ ନିରୀହ ଲୋକଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅଭକ୍ଷ ଭକ୍ଷଣ କରି ପ୍ରାଣ ହରାଇବା ଦେଖି ବ୍ରହ୍ମା ସମସ୍ତ ଋଷିପୁତ୍ରଙ୍କୁ ଉଇହୁଙ୍କାରେ ପରିଣତ ହେବାର ଅଭିଶାପ ଦେଇଥିଲେ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଋଷିପୁତ୍ରମାନେ ବିଭିନ୍ନ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିଲେ
ହୁଏତ ଏଇଥିପାଇଁ ଦଣ୍ଡନାଚ ପରିବେଷଣ ସମୟରେ ଦଣ୍ଡୁଆ ମାନଙ୍କୁ କହନ୍ତି, “ହେ ଋଷିପୁତ୍ରେ! ଅଇଲେ ହର, ଦେଇଗଲେ ବର, ଅନ୍ୟସେବା ଛାଡ଼ି ଏହି ସେବାକର ଏ ସେବାକଲେ କି ଫଳ ପାଏ, ଉଷୁନାଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ଭଜାମୁଗ ଗଜା ହୁଏ, ଜ୍ବର ରୋଗ ଭଲ ହୁଏ ଇତ୍ୟାଦି” ଏହି ଦଣ୍ଡନାଚ ସମୟରେ ସମସ୍ତ ଦଣ୍ଡୁଆ ଋଷିପୁତ୍ର ମାନଙ୍କ ଭଳି ବୈରାଗ୍ୟ ଜୀବନଯାପନ କରିବା ଅନିବାର୍ଯ୍ୟ ହୋଇଥାଏ
ଅତୀତରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରସାର ଘଟିଥିଲା କିନ୍ତୁ ଓଡ଼ିଶାରେ ସୋମବଂଶୀୟ ଶାସନ କାଳରେ ବୌଦ୍ଧଧର୍ମକୁ ଅଧିକ ପ୍ରୋତ୍ସାହନ ମିଳିଲା ନାହିଁ ଏବଂ ଶୈବଶାକ୍ତ ଧାର୍ମିକ ପରମ୍ପରାର ପ୍ରଚଳନ ହୋଇଥିଲା ସମ୍ଭବତଃ ଏହି ଦଣ୍ଡନାଚ ମଧ୍ୟ ସେହି ପରମ୍ପରାର ଅଂଶ ହୋଇଥାଇପାରେ ବୋଲି ଲେଖକଙ୍କ ମତ
ଆଜିକାଲି ଦଣ୍ଡନାଚରେ ରାତ୍ରୀରେ ପରିବେଷଣ ହେଉଥିବା ନାଟକକୁ ଅପେରାରେ ପରିବର୍ତ୍ତନ କରାଯାଇଛି ସମୟୋପଯୋଗୀ ପଦକ୍ଷେପ ସ୍ବରୂପ ଅତ୍ୟାଧୁନିକ ଆଲୋକ ଓ ଶବ୍ଦର ବ୍ୟବହାର କରାଯାଉଛି କିନ୍ତୁ କିଛି କିଛି ସ୍ଥାନରେ ଏଥିରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି ଦଣ୍ଡନାଚରେ କେବଳ ରାତ୍ରୀକାଳୀନ ନାଚ ପାଇଁ ଅଲଗା ଦଳ ରହୁଛନ୍ତି ବହୁମୂଲ୍ୟ ବିନିମୟରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଦଣ୍ଡନାଚ କରାଯାଉଛି
ସମାଜରେ ଭାତୃତ୍ବ ଓ ବନ୍ଧୁତ୍ବ ଭାବର ବିସ୍ତାର ପାଇଁ ଏହି ପରମ୍ପରା ଅତ୍ୟନ୍ତ ଯୁଗୋପଯୋଗୀ ଯେତେଦିନ ଯାଏଁ ମନୁଷ୍ୟ ମନରୁ ମୃତ୍ୟୁର ଭୟ ଯାଇନାହିଁ, ସେତେଦିନ ଯାଏଁ ବିଭିନ୍ନ ଉପାୟରେ ଲୋକମାନେ ଭଗବତବାଦକୁ ପ୍ରୋତ୍ସାହିତ କରିବେ ଏବଂ ସେତେଦିନ ଯାଏଁ ଗଞ୍ଜାମର ଏହି ଅନନ୍ୟ ପରମ୍ପରା ବଞ୍ଚି ରହିବ
ବୀମା ନଗର, ବ୍ରହ୍ମପୁର
୭୬୦୦୧୦, ଓଡ଼ିଶା
ଭ୍ରାମ୍ୟଭାଷ : ୭୦୦୮୫୬୭୦୮୫
Go Back to Previous Page
ପଣା କେତେ ଆପଣା!
ଡ: ସୁଲଗ୍ନା ମହାନ୍ତି
Read Article
ଦଣ୍ଡଯାତ୍ରା
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ