ଅପ୍ରେଲ ମାସର ଏକ ତାରିଖକୁ ଉତ୍କଳ ଦିବସ ଅବା ଓଡିଶା ଦିବସ ରୂପେ ପାଳନ କରାଯାଉଛି । ୧୯୩୬ ମସିହାର ଏହି ଦିନରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ରୂପେ ଗଠିତ ହୋଇଥିଲା । ଆମର ଏଇ ଓଡିଶା ରାଜ୍ୟ । ଯାହାର ଅନ୍ୟନାମ ହେଏଛି ଉତ୍କଳ ଅବା କଳିଙ୍ଗ। ଏହି ଭୂଖଣ୍ଡରେ ଅତୀତରେ ଗଙ୍ଗବଂଶ, ସୂର୍ଯ୍ୟବଂଶ, ମୋଗଲ, ମରହଟ୍ଟା, ବ୍ରିଟିଶ୍ ମାନେ ଶାସନ କରିଛନ୍ତି । ଇଂରେଜ ମାନଙ୍କ ଶାସନ କାଳରେ ଓଡିଶାକୁ ଭାଗ ଭାଗ କରି ଅନ୍ୟାନ୍ୟ ରାଜ୍ୟ ସହିତ ରଖା ଯାଇଥିଲା । ବୀର ଓଡିଆ ଜାତିର ଜାତୀୟତାକୁ ଲୋପ କରି ଏକ ଗୋଲାମ ସଂସ୍କୃତି ସୃଷ୍ଟି କରିବା ପାଇଁ ଇଂରେଜମାନେ ଦକ୍ଷିଣ ଓଡିଶାକୁ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶରେ, ପଶ୍ଚିମ ଓଡିଶାର ସମ୍ବଲପୁର, ଫୁଲଝର, ସାରଙ୍ଗଗଡ, ଶକ୍ତି, ରାୟଗଡ ପ୍ରଭୃତି ଅଞ୍ଚଳକୁ ମଧ୍ୟପ୍ରଦେଶରେ, ସିଂହଭୂମି ଓ ଛୋଟ ନାଗପୁର ଆଦି ଅଞ୍ଚଳକୁ ବିହାର ଓ ବଙ୍ଗଳା ସହିତ ରଖିଥିଲେ । ସେତେବେଳେ ବିପଦ ଦେଖା ଦେଇଥିଲା ଓଡିଶା ଭାଷାର ସୁରକ୍ଷା କ୍ଷେତ୍ରରେ । ଏପରିକି “ଓଡିଆ ଏକଟା ଭାଷା ନଁ ଏ” ବୋଲି କହିସାରିଥିଲେ କାନ୍ତିଲାଲ୍ ଭଟ୍ଟାଚାର୍ଯ୍ୟ ନାମ୍ନୀ ଜଣେ ବଙ୍ଗାଳୀ ସ୍କୁଲ ଶିକ୍ଷକ ।
୧୯୩୬ ଅପ୍ରେଲ୍ ପହିଲାରେ ଓଡିଶା ବିହାର ପ୍ରଦେଶରୁ ମୁକ୍ତି ପାଇ ଗଠିତ ହେଲା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ । ମାତ୍ର ତତ୍କାଳୀନ ଇଂରେଜ ସରକାର କୂଟନୀତି ସହିତ ସେ ସମୟର କଂଗ୍ରେସ ସରକାରଙ୍କ ଦୁର୍ବଳ ନୀତି ଯୋଗୁଁ ସିଂହଭୂମି, ମେଦିନୀପୁର, ଫୁଲଝର, ସାରଙ୍ଗଗଡ, ଶକ୍ତି, ରାୟଗଡ, ବିନ୍ଦ୍ରା, ନୂଆଗଡ, ଇଛାପୁର, ମଂଜ୍ରୁଷା, ଟେକାଲି, ଷଢେଇକଳା ଓ ଖରସୁଆଁ ପରି କେତେକ ଦୁର୍ବଳ ଅଞ୍ଚଳ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଗଲା ଓଡିଶାରୁ । ଦେଶ ସ୍ୱାଧୀନ ହେଲାପରେ ବହୁ ଗୁଣୀଜନ ଏପରିକି ଡଃ.ରାଜେନ୍ଦ୍ର ପ୍ରସାଦ ମଧ୍ୟ ବାହାରି ପାରିଲେ ନାହିଁ ଆଞ୍ଚଳିକ ସଂକୀର୍ଣ୍ଣତାରୁ । କୋରାପୁଟ, ପୁରୀ, ଗଞ୍ଜାମ, କଟକ ବାଲେଶ୍ୱର ଓ ସମ୍ବଲପୁର । ଏହି ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ । ୧୯୪୮ରେ ଗଡଜାତ ମିଶ୍ରଣ ପରେ ସମୁଦାୟ ୧୩ଟି ଜିଲ୍ଲାକୁ ନେଇ ଓଡିଶା ପ୍ରଦେଶ ଗଠିତ ହେଲା । ପରବର୍ତ୍ତୀ ସମୟରେ ଅବଶ୍ୟ ସେହି ୧୩ଟି ଜିଲ୍ଲାକୁ ପ୍ରଶାସନିକ ସୁବିଧା ପାଇଁ ୩୦ଟି ଜିଲ୍ଲାରେ ପରିଣତ କରାଯାଇଛି । ପୁନଶ୍ଚ ଇଂରେଜ ମାନଙ୍କର ଇଂରାଜୀ ଭାଷାରେ ଆମ ମାତୃଭୂମି ଏବଂ ମାତୃଭାଷାକୁ ଓରିଆ ଲେଖିବାର ଅସଙ୍ଗତିକୁ ଦୂର କରିବାପାଇଁ ସ୍ୱତନ୍ତ୍ର ପ୍ରଦେଶ ହେବାର ୭୩ ବର୍ଷ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ପଡିଲା । ପରିଶେଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଇଂରାଜୀ ଭାଷାରେ ଓଡିଶାକୁ Odisha ଏବଂ ଓଡିଆ ଭାଷାକୁ Odia ଭାବେ ଲେଖାଯାଇ ପାରିଲା ।
ଓଡିଆ ଜାତି ଓ ଓଡିଆ ଭାଷାର ବର୍ତ୍ତମାନ ଅବସ୍ଥା ତା’ ନ ହୋଇଥିଲେ କ’ଣ ହୋଇଥାନ୍ତା ତାହ କହିହେବ ନାହିଁ । କାରଣ ଉତ୍କଳ ବା ଓଡିଶାର ସ୍ଥିତି ସ୍ୱତନ୍ତ୍ରତା ଆଗକୁ ସେମିତି କିଛି ନଥିଲା । ତେବେ ଏ ଜାତିର କର୍ଣ୍ଣଧାର ଜାତୀୟ ବୀର ଓଡିଶାର ପ୍ରାଣ ପ୍ରତିଷ୍ଟାତା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରଚେଷ୍ଠାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇପାରିଥିଲା । ମଧୁବାବୁଙ୍କ କଥାରେ ଏପରି ଏକ ଯାଦୁକାରୀ ଶକ୍ତି ଥିଲା ଯାହା ଶୁଣିଲା ମାତ୍ରେ ମନ ଭିତରେ ଭାସି ଉଠେ ଏକ ଦାମ୍ଭିକ ଓ ତେଜିୟାନ୍ ଅଭିଜାତ ବ୍ୟକ୍ତିତ୍ୱ, ସ୍ୱାଭିମାନ ଓ ଆତ୍ମସମ୍ନାନର ଏକ ଉଜ୍ଜଳ ଅଗ୍ନିଶିକ୍ଷା ।
ଏ ଉତ୍କଳମାତା ବୀର ପ୍ରସବିନୀ । ଯୁଗେ ଯୁଗେ ସବୁଜିମା, ଶସ୍ୟ ଶ୍ୟାମଳା ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ । ସେଇ ଜନନୀ କୋଳରେ ଜନମି ମଧୁବାବୁ ଏ ଜାତିର ପ୍ରାଣ କେନ୍ଦ୍ର । ତାଙ୍କରି ଉଦ୍ଦେଶ୍ୟରେ କବି ନନ୍ଦ କିଶୋର ଲେଖିଥିଲେ, “ଯେତେ କାଳଥିବ ଓଡିଆ ଜାତି ଇତିହାସରେ ତୁମରି ନାମ ଅଙ୍କିତ ହୋଇ ରହିଥିବ ହେମମୟ ଅକ୍ଷରରେ” । ସେ ଥିଲେ ଏ ମାଟିର ଜଣେ ଜ୍ଞାନୀ, ମାନୀ, ବୁଦ୍ଧିଜୀବି ଓ ପଣ୍ଡିତ । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ । ତାଙ୍କର ପ୍ରଚେଷ୍ଟା ଆଉ ପ୍ରଗାଢ ଅଧ୍ୟବସାୟ ଫଳରେ ସ୍ୱତନ୍ତ୍ର ଓଡିଶା ଗଠନ ହୋଇପାରିଲା । ସତ୍ୟଭାମାପୁର ପରି ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଏବଂ ଶିକ୍ଷା ଆରମ୍ଭ ଗାଁ ଚାଟଶାଳୀରୁ । ନାନା କଷ୍ଟ ସହି ପାଠ ପଢି ଶେଷରେ ଜଣେ ବିଖ୍ୟାତ ଓକିଲ ହୋଇ ପାରିଥିଲେ । ହେଲେ ଓକିଲ ହିସାବରେ ସେ ଯେତିକି ଖ୍ୟାତି ଏବଂ ପ୍ରଶଂସା ପାଇଛନ୍ତି ତା’ଠାରୁ ଅଧିକା ପାଇଚନ୍ତି ଦେଶ ଓ ଜାତିର ସେବକ ହିସାବରେ । ଆବାଲ୍ୟରୁ ନିର୍ଭୀକ, ସ୍ପଷ୍ଟବାଦୀ, ସ୍ୱାଧୀନଚେତା ତଥା ଉଦାର ହୃଦୟ ବିଶିଷ୍ଟ ଜଣେ କର୍ମଯୋଗୀ, ଶିଳ୍ପୋଦ୍ୱଗୀ। ସେ ବଳିଷ୍ଠ ପଦକ୍ଷେପ ନେଇଥିଲେ ଓଡିଶାର ଶିଳ୍ପ ପ୍ରସାର କ୍ଷେତ୍ରରେ । ଚାଟଶାଳୀ ପାଠ ପରେ ସେ କଟକର ସରକାରୀ ଜିଲ୍ଲା ଇଂରାଜୀ ସ୍କୁଲରେ ପାଠ ପଢିଥିଲେ । ସେତେବେଳେ ଓଡିଆମାନେ ବିଦେଶୀୟ ଜୀବନ ଯାପନ କରିବାକୁ କୁଣ୍ଠାବୋଧ କରୁଥିବାରୁ ବଙ୍ଗାଳୀମାନେ ଘୃଣା କରୁଥିଲେ ଓଡିଆଙ୍କୁ। ମଧୁସୂଦନ ମଧ୍ୟ ସେଥିରୁ ମଧ୍ୟ ବାଦ୍ ଯାଇନଥିଲେ। ଏହାହିଁ ଥିଲା ତାଙ୍କ ମନରେ ଉତ୍କଳୀୟ ଜାତୀୟତା ଗଠନ କରିବାର ଫଳପ୍ରଦ କାରଣ। ସେଥିପାଇଁ ଷୋହଳ ବର୍ଷ ବୟସରେ ସେ କଲିକତା ଯାଇ ଶିକ୍ଷାଲାଭ କରିଥିଲେ। ସେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ଅନାଟନ ଦୂର କରିବା ପାଇଁ ଖ୍ରୀଷ୍ଟଧର୍ମକୁ ଗ୍ରହଣ କରିଥିଲେ। ନିଜର ଶିକ୍ଷା ସମାପନ କରି ଓକିଲାତି କରିଥିଲେ। କିନ୍ତୁ ସେ କେବେବି ତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି। ଓଡିଆ ଜାତିପାଇଁ ସେ ଯେପରି ନିଃସ୍ୱାର୍ଥପର ଭାବେ ସଂଗ୍ରାମ କରିଥିଲେ ତାହା ଅନ୍ୟ କେଉଁ ଜାତୀୟ ବୀରଙ୍କଠାରେ ବିରଳ।
ମାତୃଭୂମି ଏବଂ ମାତୃଭାଷାର ଉନ୍ନତି ବିନା ଓଡିଆ ଜାତିର ଉନ୍ନତି ଅସମ୍ଭବ ବୋଲି ସେ ହୃଦୟଙ୍ଗମ କରି ଉତ୍କଳୀୟ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ୧୯୦୩ ମସିହାରେ। ତାଙ୍କର ଏକମାତ୍ର ଲକ୍ଷ୍ୟଥିଲା ଉତ୍କଳର ସଂଗଠନ ଏବଂ ଓଡିଆମାନଙ୍କୁ ଏକ ଶାସନଧୀନ କରିବା। ତେଣୁ ଅକ୍ଟୋବର ୨୫, ୧୯୦୩ରେ ସେ କଟକର କନିକା ରାଜବାଟୀରେ ପ୍ରାରମ୍ଭିକ ଅଧିବେସନ ଡକାଇଥିଲେ। ଉତ୍କଳ ସମ୍ମିଳନୀ ଗଠନ କରି, ପ୍ରାକୃତିକ ଉତ୍କଳର ଏକତ୍ରୀକରଣ, ଉତ୍କଳର କୃଷି ବାଣିଜ୍ୟ ଓ ଶିଳ୍ପର ଉନ୍ନିତି ସାଧନ ଏବଂ ଉତ୍କଳର ଶିକ୍ଷା ଏବଂ ସାହିତ୍ୟର ପ୍ରଚାର ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ମଧୁବାବୁଙ୍କ ପରି ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଦର୍ଶନ ଥିଲା ନବ ଓଡିଶା ଗଠନ। ଛିନ୍ନ ବିଛନ୍ନ ହୋଇ ରହିଥିବା ଓଡିଆ ଅଞ୍ଚଳକୁ ଏକାଠି କରିବା ଉଦ୍ଦେଶ୍ୟରେ ଉତ୍କଳ ସମ୍ମିଳନୀର ସେ ଥିଲେ ଅନ୍ୟତମ କର୍ଣ୍ଣଧାର। ସେ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ସେ ସିନା ଇହଲୀଳା ସମ୍ବରଣ କଲେ ହେଲେ ସୂପ୍ତପ୍ରାୟ ଓଡିଆଙ୍କୁ ଜାଗ୍ରତ ଓ କ୍ରୀୟାଶୀଳ କରିବା ପାଇଁ ସତ ସିଂହାର ବଳ ସୃଷ୍ଟି କରିବା ପାଇଁ ସେ ଲେଖନୀ ଚାଳନା କରି ଜାତୀୟ କବି ହୋଇ ପାରିଥିଲେ । ସେ ଉତ୍କଳ ସମ୍ମିଳନୀର ମହତ୍ ଉଦ୍ଦେଶ୍ୟ ସମ୍ବନ୍ଧରେ ଲେଖିଛନ୍ତି ।
“ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡି ସିନ୍ଧୁ ନୀରେ ।”
ଓଡିଆ ଜାତିକୁ ଆଗେଇ ନେବାର ସେ ଯେଉଁ ଆଶା ପୋଷଣ କରିଥିଲେ ସେଥିପାଇଁ ସେ ବ୍ୟକ୍ତିଗତ ସ୍ୱାର୍ଥକୁ ଗୌଣ କରି ଜାତିଗତ ସ୍ୱାର୍ଥକୁ ମୁଖ୍ୟସ୍ଥାନ ଦେଇଥିଲେ । ସେଥିପାଇଁ ସେ କହିଛନ୍ତି –
“ଜାତି ପ୍ରେମ ବହ୍ନି ପ୍ରଜ୍ଜଳିତ କର ସ୍ୱାର୍ଥକୁ ଦିଅ ଆହୁତି,
ସ୍ୱାର୍ଥ ମେଧ ଯଜ୍ଞେ ଚାରିଆଡେ ନାଚ ଛାତିରେ ମିଶାଇ ଛାତି ।”
ଉତ୍କଳର କୋଣାର୍କ, ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟକୁ ନେଇ ଗର୍ବ କରୁଥିଲେ ମଧୁବାବୁ । ସେ ଶିଳ୍ପର ପ୍ରସାର ପାଇଁ ଉତ୍କଳ ଟ୍ୟାନେରୀ, ଓଡିଶା ଆର୍ଟ ୱାର୍କସ୍ ଗଠନ କରିଥିଲେ ଯାହା ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିଲା । ମଧୁବାବୁଙ୍କ ଆମନ୍ତ୍ରଣ କ୍ରମେ ୧୯-୦୮-୧୯୨୫ରେ ମହାତ୍ମାଗାନ୍ଧୀ ତାଙ୍କ ଓଡିଶା ଗ୍ରସ୍ତ ସମୟରେ ଉତ୍କଳ ଟ୍ୟାନେରୀ ବୁଲି ଦେଖିଥିଲେ । ଓଡିଆମାନେ ଖଟନ୍ତୁ ଆଉ ମଥା ଉପରକୁ କରି ସୁଖରେ ଚଳନ୍ତୁ ଥିଲା ତାଙ୍କର ଉଦ୍ଦେଶ୍ୟ ।
ମାତୃଭାଷାର ମର୍ଯ୍ୟାଦା ମାତୃଭୂମି ସହିତ ଓତଃପ୍ରୋତ ଭାବେ ଜଡିତ । ମାତୃଭାଷାର ତାଜାପଣ ସବୁଠୁ ଅଧିକ । ମାତୃଭାଷାର ଜନ୍ମ ନିଜ ଅନ୍ତରର ଶିରା ପ୍ରଶିରାରୁ । ତାହା ଜୀବନ୍ତ ଏବଂ ପ୍ରାଣସ୍ପର୍ଶୀ । ସୁତରାଂ ମାତୃଭାଷାର ଉନ୍ନତି ବିନା ଦେଶର ତଥା ଜାତିର ଉନ୍ନତି ଅସମ୍ଭବ । ଭାଷାବିତ ଡାକ୍ତର ଆଶୁତୋଷ ମୁଖାର୍ଜି ଯଥାର୍ଥରେ କହିଛନ୍ତି “ପ୍ରକୃତ ଜ୍ଞାନ ଲାଭ ବିଦେଶୀ ଭାଷା ଦ୍ୱାରା ହୁଏନାହିଁ । ମାତୃଭାଷା ଅଧ୍ୟୟନ ହିଁ ବଳିଷ୍ଠ ମାଧ୍ୟମ ।” ସେଥିପାଇଁ ମଧୁବାବୁ ଆଜୀବନ ଓଡିଶା ଏବଂ ଓଡିଆଙ୍କ ଉନ୍ନତି ବିଷୟରେ ଚିନ୍ତା କରୁଥିଲେ।
ମଧୁବାବୁଙ୍କ ଶେଷଜୀବନ ଦୁଃଖମୟ । ଋଣଭାର ଏବଂ ଅର୍ଥାଭାବ ଭିତରେ ସେ କାଳାତିପାତ କରିଥିଲେ । ଉତ୍କଳମାତାର ସମ୍ମାନ ପାଇଁ ମଧୁବାବୁ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବିକିଦେଇ ସର୍ବସ୍ୱାନ୍ତ ହୋଇଯାଇଥିଲେ । ଆଉ ସେତେବେଳେ ତାଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିଲେ ପ୍ରଖ୍ୟାତ ସମାଜସେବୀ ଓ ଜାତୀୟତାବାଦୀ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଆଧୁନିକ ଓଡିଶାର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକଙ୍କ ପିତା । ତାଙ୍କରି ପ୍ରେରଣାରେ ଉଦବୁଦ୍ଧ ହୋଇ ବିଜୁବାବୁ ଉତ୍କଳର କଳିଙ୍ଗ ନାମରେ ତାଙ୍କର ସବୁ କାର୍ଯ୍ୟ କରୁଥିଲେ ।
ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ଆଜି ବିଶ୍ୱରେ ପରିଚିତ । ଏହାର ଭାଷା ଓଡିଆ, ଯାହା ସବୁ ଭାଷାଠୁ ବଢିଆ ଏବଂ ଅତି ପୁରାତନ ଭାଷା ଭାବରେ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଛି । ଆମେ ଉତ୍କଳଦିବସ ପାଳନ କରୁଛେ ସତ ହେଲେ ଦୁଃଖ ଲାଗେ ଯେ ଓଡିଆ ପିଲାଙ୍କୁ ଓଡିଆ ପଢିବା ମନା । ଗାଁ ହେଉକି ସହର ସବୁଆଡେ ଇଂରାଜୀ ମାଧ୍ୟମ ଶିକ୍ଷାଶାଳ । ଆମେ ଭୁଲି ଯାଉଛେ ସାବତ ମା’ କେବେହେଲେ ମା’ ସହିତ ସମାନ ହୋଇ ପାରିବନାହିଁ । ଅନ୍ୟଭାଷା ଶିଖିବାରେ ବାଧା ନାହିଁ ମାତ୍ର ମାତୃଭାଷାକୁ ହତାଦର କରିବା ଅନ୍ୟାୟ । ଉତ୍କଳ ଦିବସ ପାଳନ ଅବସରରେ ଆସ ଆମେ ସମସ୍ତେ ଏକାଠି ମିଶି ମାତୃଭୂମି ଓ ମାତୃଭାଷାର ସମ୍ମାନ ରକ୍ଷାପାଇଁ ସଂକଳ୍ପ ନେବା ।
“ବନ୍ଦେ ଉତ୍କଳ ଜନନୀ”
୨୧୭, ୟୁନିଟ - ୯ (ଫ୍ଲାଟ), ବାୟାବାବା ମଠ ଲେନ,
ଭୁବନେଶ୍ୱର-୨୨
ଭ୍ରାମ୍ୟଭାଷ : ୯୦୯୦୪୫୯୭୪୫
Go Back to Previous Page
ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ
ସୁଧାଂଶୁ ଶେଖର ମିଶ୍ର
Read Article
ପଣା କେତେ ଆପଣା!
ଡ: ସୁଲଗ୍ନା ମହାନ୍ତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ