ଦିନକୁ ଦିନ ମଣିଷ ସମାଜରେ ଭ୍ରଷ୍ଟାଚାର ଓ ଦୁଷ୍କର୍ମ ବୃଦ୍ଧି ପାଇଚାଲିଛି। ଏଥିରୁ ଅନୁମେୟ ଯେ ପ୍ରଚଳିତ ବିଧି ବିଧାନ ମନୁଷ୍ୟକୁ ଅସତ ପଥରୁ ନିବୃତ୍ତ କରିବା ପାଇଁ ଅସମର୍ଥ। ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏକ ଭ୍ରଷ୍ଟାଚାରମୁକ୍ତ ସମାଜ ଗଠନରେ ସମର୍ଥ ହୋଇପାରି ନାହାନ୍ତି। ସେଥିପାଇଁ ବିଭିନ୍ନ ଆୟୋଗ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାଜନୈତିକ କାରଣରୁ ସରକାର ସେମାନଙ୍କ ପ୍ରସ୍ତାବଗୁଡିକୁ ଲାଗୁ କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି। ସରକାରରେ ଥିବା ରାଜନୈତିକ ଦଳମାନଙ୍କ ତୁଷ୍ଟୀକରଣ ନୀତି ମାନବୀୟ ମୂଲ୍ୟବୋଧ ଅବକ୍ଷୟ ପାଇଁ ଇନ୍ଧନ ତୁଲ୍ୟ କାମ କରୁଛି। ଏକ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ କରିବା ଅପରିହାର୍ଯ୍ୟ। ଏଥିପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଏକମାତ୍ର ବିକଳ୍ପ।
ଆଧ୍ୟାତ୍ମିକତାର ବ୍ୟବହାରିକ ପ୍ରୟୋଗ ଦ୍ୱାରା ମୂଲ୍ୟ ଗୁଡିକ ଆମ ଜୀବନରେ ପ୍ରତ୍ୟକ୍ଷ୍ୟ ଭାବରେ ପ୍ରଭାବ ପକାଇ ଥାଏ। ନୈତିକ ସିଦ୍ଧାନ୍ତ ଏବଂ ମୂଲ୍ୟଗୁଡିକୁ ଜଣେ ଯେତେବେଳେ ନିଜ ଜୀବନରେ ପ୍ରଦର୍ଶିତ କରେ, ସେତେବେଳେ ସେ ସଫଳତାର ସର୍ବୋତ୍ତମ ପରିସ୍ଥିତି ନିର୍ମାଣ କରିଥାଏ। ଜଣେ ବ୍ୟକ୍ତିର କଥା ଓ କର୍ମରେ ଯଦି ଅନ୍ତର ନ ରହେ ତେବେ ଲୋକେ ତାଙ୍କୁ ବିଶ୍ୱାସ କରିଥାନ୍ତି। ଏପରି ବ୍ୟକ୍ତି ଲୋକମାନଙ୍କ ସହିତ ନୀତି ପୂର୍ବକ ଆଦରର ସହିତ ବ୍ୟବହାର କରନ୍ତି। ତାଙ୍କର ବୃତ୍ତି ତାଙ୍କର ସିଦ୍ଧାନ୍ତକୁ ପ୍ରକଟ କରେ
ଶ୍ରେଣୀ ପ୍ରକୋଷ୍ଠ ଓ ସଭାଗୃହରେ କେବଳ ଭାଷଣ ଦେଇ ଦେଲେ ଶ୍ରୋତାର ବୃତ୍ତିରେ ପରିବର୍ତ୍ତନ ହୁଏ ନାହିଁ। ଶିକ୍ଷକ ବା ବକ୍ତା ସ୍ୱୟଂ ମୂଲ୍ୟନିଷ୍ଠ ନହେଲେ ତାଙ୍କର ବକ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହୁଏ ନାହିଁ। ପ୍ରତ୍ୟେକ ବ୍ୟକ୍ତି ବାତାବରଣ ପ୍ରକମ୍ପନ ଏବଂ ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ ଥାଆନ୍ତି। ଯଦି ବାତାବରଣ ଶାନ୍ତି ଓ ଅନୁଶାସିତ ନୁହେଁ ତେବେ ଯେତେ ଭଲ କଥା କହିଲେ ମଧ୍ୟ ତା’ର ପ୍ରଭାବ ପଡେ ନାହିଁ। ବର୍ତ୍ତମାନ ଶିକ୍ଷା ପ୍ରଣାଳୀ ପ୍ରତିସ୍ପର୍ଦ୍ଧାମୂଳକ। କେତେକ ଶିକ୍ଷାବିତ୍ ଭାବନ୍ତି ଯେ ଉତ୍କୃଷ୍ଟ ପରିଣାମ ପାଇଁ ଏହା ସର୍ବୋତ୍ତମ। ଅନୁଭବରୁ ଜଣାଯାଏ ଯେ ଏହା ସର୍ବଦା ଉପଯୋଗିତା ଉଦ୍ଦୀପକ ସିଦ୍ଧ ହୁଏ ନାହିଁ। ପ୍ରତିସ୍ପର୍ଦ୍ଧାମୂଳକ ଶିକ୍ଷା ପ୍ରଣାଳୀରେ କିଛି ଲୋକଙ୍କ ଅନୁଚିତ ଲାଭ ପ୍ରାପ୍ତିର ସମ୍ଭାବନାକୁ ଏଡାଇ ହେବ ନାହିଁ। ଏପରି କ୍ଷେତ୍ରରେ ଅନାଚାର ଓ ଅମାନବୀୟ ବାତାବରଣ ସୃଷ୍ଟି ହୋଇଥାଏ ।
ମୂଲ୍ୟ ଓ ଆଧ୍ୟାତ୍ମିକତା ବିକାଶ ପାଇଁ ଏକ ପ୍ରେରକ ପାଠ୍ୟକ୍ରମ ଆବଶ୍ୟକ। ଏହି ପାଠ୍ୟକ୍ରମ ଏପରି ହେବା ଉଚିତ ଯଦ୍ଦ୍ୱାରା ସୌହାର୍ଦ୍ଦ, ସଙ୍ଗତି ଓ ନେତୃତ୍ୱର ବାତାବରଣ ସୃଷ୍ଟି ହେବ। ପାଠ୍ୟକ୍ରମ ପ୍ରାସଙ୍ଗିକ, ସୁବ୍ୟବସ୍ଥିତ, ବିଚାରୋତ୍ତେଜକ ଏବଂ ଲାଭପ୍ରଦ ହେଲେ ଏଥିପ୍ରତି ବିଦ୍ୟାର୍ଥୀର ଆକର୍ଷଣ ବୃଦ୍ଧି ହୋଇଥାଏ। ଉପଯୁକ୍ତ ପରିଣାମ ପାଇଁ ଉଭୟ ପ୍ରଶିକ୍ଷଣ ଓ ବିଦ୍ୟାର୍ଥୀ ମଧ୍ୟରେ ପରସ୍ପର ଆଦରଭାବ ଓ ପ୍ରେରକ ଚର୍ଚ୍ଚା ଆବଶ୍ୟକ। କୌଣସି ଶୈକ୍ଷଣିକ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସକାରାତ୍ମକ ପରିଚର୍ଚ୍ଚା ଅତ୍ୟନ୍ତ ଆବଶ୍ୟକ। ଏହା ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ। ଯଦି ଜଣେ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ ଅଧ୍ୟୟନ କରେ ତେବେ ତାର ଜୀବନରେ ମୂଲ୍ୟଗୁଡିକର ବିକାଶ ସମ୍ଭବ ନୁହେଁ। ଏହା ତା’ର ମନରେ ନକାରାତ୍ମକ ବୃତ୍ତି ଉତ୍ପନ୍ନ କରି ତା’ର ଆଧ୍ୟାତ୍ମିକ ଚେତନା ବିକାଶରେ ବାଧା ସୃଷ୍ଟି କରିଥାଏ। ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ସଂଯମ ଏକ ମୂଲ୍ୟ । କିନ୍ତୁ ଅତ୍ୟଧିକ ସଂଯମାଚରଣ ସ୍ୱ ପ୍ରତି କରାଯାଉଥିବା ଏକ ଅତ୍ୟାଚାର ହୋଇଯାଏ। ମୂଲ୍ୟ କେଉଁ ବିନ୍ଦୁରେ ଉପନୀତ ହୋଇ ନକାରାତ୍ମକ ବୃତ୍ତିରେ ପରିବର୍ତ୍ତନ ହୋଇଯାଏ, ତାହା ବୁଝିବା ପାଇଁ ସୂକ୍ଷ୍ମ ଭାବରେ ବିଚାର କରିବା ଦରକାର ।
ଜଣକର କଥା ଓ କାର୍ଯ୍ୟରେ ସମାନତା ନ ରହିଲେ ତା’ର ଅଭିବ୍ୟକ୍ତିରେ ନକାରାତ୍ମକତା ପରିସ୍ଫୁଟ ହୁଏ। ଏଭଳି ବ୍ୟକ୍ତି ଯଦି ନୈତିକତା ଉପରେ ଦୀର୍ଘ ଭାଷଣ ଦିଅନ୍ତି ତେବେ ଶ୍ରୋତାଗଣ ହାଇ ମାରିବା ଆରମ୍ଭ କରନ୍ତି, ହାତଗୋଡ ହଲଚଲ କରୁଥାନ୍ତି କିମ୍ବା ନୋଟଖାତାରେ କିଛି ନିରର୍ଥକ ଲେଖିବା ପ୍ରାରମ୍ଭ କରିଦିଅନ୍ତି । କାରଣ ସେମାନଙ୍କ ମନ-ମସ୍ତିଷ୍କ ସେଠାରେ ନଥାଏ, ବହୁ ଦୂରରେ ବିଚରଣ କରୁଥାଏ । ଏହାର କାରଣ ହେଲା, ସେମାନଙ୍କ ପ୍ରଜ୍ଞା ଶକ୍ତି ଓ ବିବେକ ସେମାନଙ୍କୁ ସୂକ୍ଷ୍ମ ଭାବରେ ସୂଚନା ଦିଏ ଯେ ବକ୍ତାଙ୍କ ଶବ୍ଦ ଏବଂ ଆଚରଣରେ ବହୁତ ଅନ୍ତର ରହିଛି । ସେମାନେ କେବଳ ବିନମ୍ରତା, ସୌଜନ୍ୟ ବା ବ୍ୟକ୍ତିଗତ ବାଧ୍ୟବାଧକତା ହେତୁ ନୈତିକତା ଉପରେ ଦିଆଯାଉଥିବା ଏହି ଦୀର୍ଘ ଭାଷଣ ଶୁଣିବା ପାଇଁ ସଭାଗୃହ ବା ଶ୍ରେଣୀ ଗୃହରେ ବସି ରହନ୍ତି । ସବୁଠାରୁ ବଡ ବିସଙ୍ଗତି ହେଉଛି ଯେ, ଯେଉଁମାନଙ୍କ ପାଇଁ ନୈତିକତା ଆବଶ୍ୟକ ସେମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କ ଚାରିତ୍ରିକ ଦୁର୍ବଳତା ନାହିଁ ଓ ନିଜ ପ୍ରଗତି ପାଇଁ ସତ ପ୍ରଯତ୍ନଶୀଳ ସେମାନେ ଶୁଣିବାକୁ ବାଧ୍ୟ ହୁଅନ୍ତି । ଏପରି ଲୋକେ ନୈତିକତାକୁ ନିଜ ସୁବିଧାନୁସାରେ ପରିବର୍ତ୍ତନ କରିଥାନ୍ତି ଏବଂ ଅରୁଚି ପ୍ରଦର୍ଶନ କରନ୍ତି । ସୂକ୍ଷ୍ମତା ଅନୁଭବ ମହତ୍ତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଅତ୍ୟଧିକ ସମ୍ବେଦନଶୀଳତା ମଧ୍ୟ ଠିକ୍ ନୁହେଁ । ଯଦ୍ଦ୍ୱାରା ବ୍ୟକ୍ତି ଭାବପ୍ରବଣ ହୋଇଯାଏ । ସମ୍ବେଦନଶୀଳତାର ସମ୍ବନ୍ଧ ଅନ୍ତର୍ଜ୍ଞାନ ସହିତ ହେବା ଉଚିତ । ଏହାଦ୍ୱାରା ଜଣେ ସତ୍ୟର ସାକ୍ଷାତକାର କରିପାରିବ ।
କଠୋର ବାହ୍ୟ ଅନୁଶାସନ ଦ୍ୱାରା ଆତ୍ମା ଉପରେ ପ୍ରତିକୂଳ ପ୍ରଭାବ ପଡେ । ଏହାଦ୍ୱାରା ବ୍ୟକ୍ତିର ସୂକ୍ଷ୍ମ ମାନସିକ ଶକ୍ତିଗୁଡିକର ବିକାଶ ବାଧାପ୍ରାପ୍ତ ହୁଏ । ତେଣୁ ବିଦ୍ୟାର୍ଥୀ ବା ପୁରୁଷାର୍ଥୀ କୌଣସି ବାଧ୍ୟବାଧକତା ବଶତଃ ପୁରୁଷାର୍ଥ କଲେ ତଦ୍ଦ୍ୱାରା କୌଣସି ଲାଭ ମିଳେ ନାହିଁ । ତେଣୁ ଶିଖିବାର ଆଗ୍ରହ ସୃଷ୍ଟି କରିବାକୁ ପଡିବ । ଆଗ୍ରହ ପୂର୍ବକ କରୁଥିବା କାର୍ଯ୍ୟ ସହଜ ମନେ ହୁଏ ଓ ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପ୍ରାପ୍ତ ହୁଏ ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ ହେଲେ ନେତୃତ୍ୱ ଗୁଣ ଅଭିବ୍ୟକ୍ତ ହୁଏ । କାରଣ ନେତୃତ୍ୱ ବ୍ୟାବହାରିକ ଜୀବନରେ ମୂଲ୍ୟଗୁଡିକର ଅଭିବ୍ୟକ୍ତି, ଯାହା ଅନ୍ୟମାନେ ଅନୁକରଣ କରିବାକୁ ପ୍ରେରଣା ଲାଭ କରନ୍ତି । ଶ୍ରେଷ୍ଠ ଓ ଆଦର୍ଶ ନେତୃତ୍ୱକୁ ଅଧ୍ୟାତ୍ମଠାରୁ ପୃଥକ କରାଯାଇ ପାରିବ ନାହିଁ । ଜଣେ ଶ୍ରେଷ୍ଠ ନେତା ଗମ୍ଭୀର ଚିନ୍ତନ ଦ୍ୱାରା ସୂଚନାଗୁଡିକୁ ନିଜ ଅନ୍ତର୍ଦୃଷ୍ଟି ଅନୁରୂପ ପରିବର୍ତ୍ତନ କରି ତଦନୁରୂପ କାର୍ଯ୍ୟ କରନ୍ତି । ସେ ନିଜକୁ ଠିକ୍ ଭାବରେ ଚିହ୍ନିଥାନ୍ତି । ମୂଲ୍ୟ ଆଧାରିତ ନେତୃତ୍ୱ ମାନବୀୟ ସମ୍ବନ୍ଧକୁ ଉଦାରତା ସମ୍ପନ୍ନ ଓ ସଶକ୍ତ କରିଥାଏ । ଜଣେ ଆଦର୍ଶ ସ୍ଥାନୀୟ ନେତା ଆନ୍ତରିକ ମୂଲ୍ୟଗୁଡିକୁ ସ୍ୱୀୟ ଆଚରଣ ଦ୍ୱାରା ପ୍ରଦର୍ଶନ କରନ୍ତି । ଏହିପରି ଆଦର୍ଶ ନେତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସହଜରେ ପ୍ରଭାବିତ ହୁଅନ୍ତି ଏବଂ ବିଶ୍ୱାସ ପୂର୍ବକ ମୂଲ୍ୟଗୁଡିକୁ ନିଜ ଆଚରଣରେ ଧାରଣ କରିପାରନ୍ତି ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତା ପ୍ରତି ପ୍ରତିବଦ୍ଧତା ବିନା ଏହା ଆଚରଣରେ ପ୍ରତିଫଳିତ ହୁଏ ନାହିଁ । ପ୍ରତିବଦ୍ଧତାର ଅର୍ଥ ହେଉଛି ମୂଲ୍ୟ ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ପ୍ରାପ୍ତ ଜ୍ଞାନକୁ ନିୟମିତ, ନିରବଚ୍ଛିନ୍ନ ଓ ନିରଳସ ଭାବରେ ଅଭ୍ୟାସ କରିବା । ଏହାଦ୍ୱାରା ଜଣେ ଦୈନନ୍ଦିନ ଜୀବନରେ ଆସୁଥିବା ପ୍ରତ୍ୟେକ ବାହ୍ୟ ଆହ୍ୱାନ ଏବଂ ସମସ୍ୟାଗୁଡିକର ସଫଳତା ପୂର୍ବକ ସମ୍ମୁଖୀନ ହୋଇପାରିବ । ବାଧ୍ୟବାଧକତା ଓ ଦଣ୍ଡ ବିଧାନ ଦ୍ୱାରା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସୁଫଳ ପ୍ରଦାନ କରି ନଥାଏ । ଅଧ୍ୟୟନ ଦ୍ୱାରା ଜଣାଯାଇଛି ଯେ ଦଣ୍ଡ, ଧମକ, ବଳପ୍ରୟୋଗ, ଉତ୍ପୀଡନ, ଶିକ୍ଷକଙ୍କ ମନମୁଖୀ ଦୃଷ୍ଟିକୋଣ ଏବଂ ଅପମାନିତ କରୁଥିବା ବୃତ୍ତି ଉପରେ ଆଧାରିତ ଶିକ୍ଷା ବିଦ୍ୟାର୍ଥୀ ମଧ୍ୟରେ ହୀନଭାବନା, ଅପରାଧ, ଅନୁଶାସନହୀନତା, ପରିବାର ଓ ସମାଜରେ ବିଭାଜନ ଆଦି ମନୋ ବୈଜ୍ଞାନିକ ସମସ୍ୟାଗୁଡିକୁ ଜନ୍ମ ଦେଇଥାଏ। ତେଣୁ ଏପରି ଶିକ୍ଷା ପଦ୍ଧତି ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପରିପନ୍ଥୀ ।
ମାନବୀୟ ସମ୍ବନ୍ଧରେ ଉକ୍ରୃଷ୍ଟତା ପାଇଁ ବ୍ୟକ୍ତିଗତ ଅନୁଶାସନ ନିମନ୍ତେ ସୀମାରେଖା ନିର୍ଦ୍ଧାରଣ କରିବା ଆବଶ୍ୟକ । ସମାଜରେ ଦେଖାଯାଉଥିବା ବିଭିନ୍ନ ନକାରାତ୍ମକ କାର୍ଯ୍ୟକଳାପର ସୂକ୍ଷ୍ମ ଅଧ୍ୟୟନ ପୂର୍ବକ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ ସକାରାତ୍ମକ ଆଲୋଚନା କରିବା ଉଚିତ । କେଉଁ ପ୍ରବୃତ୍ତି ବା ପରିସ୍ଥିତି ସେହି ବ୍ୟକ୍ତିଙ୍କୁ ସମାଜ ବିରୋଧୀ କାର୍ଯ୍ୟ ପାଇଁ ପ୍ରେରିତ କରିଥିଲା ତାହା ତାଙ୍କଠାରୁ ନଶୁଣିବା ପର୍ଯ୍ୟନ୍ତ ତାଙ୍କୁ ସଠିକ ମାର୍ଗଦର୍ଶନ ପ୍ରଦାନ କରାଯାଇପାରିବ ନାହିଁ । ସ୍ୱୀକାରୋକ୍ତି ଦ୍ୱାରା ସଂଶୋଧନର ମାର୍ଗ ପ୍ରଶସ୍ତ ହୋଇଥାଏ । ଧ୍ୟାନ ଏବଂ ମନୋବୈଜ୍ଞାନିକ ଉପର ଦ୍ୱାରା ସେହି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ଜାଗ୍ରତ କରାଇ ପାରିଲେ ସେ ମଧ୍ୟ ସମାଜ ପାଇଁ ଉପଯୋଗୀ ହୋଇପାରନ୍ତି । ଲୋକନାୟକ ଜୟପ୍ରକାଶଙ୍କ ଉଦ୍ୟମରେ ଅନେକ ଦସ୍ୟୁ ହୃଦୟରେ ଦେବତ୍ୱର ସଞ୍ଚାର ହୋଇଥିଲା । ସେଥିମଧ୍ୟରୁ ଚମ୍ବଲର ଆତଙ୍କ ପଞ୍ଚମ ସିଂ ଅନ୍ୟତମ । ରାଜଯୋଗ ଅଭ୍ୟାସ ଦ୍ୱାରା ତାଙ୍କ ମଧ୍ୟରେ ଅଲୌକିକ ପରିବର୍ତ୍ତନ ଆସିଥିଲା ଓ ସରକାର ତାଙ୍କୁ ଆଜୀବନ କାରାବାସରୁ ମୁକ୍ତ କରିଥିଲେ । ସେ ତାଙ୍କ ଅନୁଯାୟୀଙ୍କ ସହ ଆଜି ସମ୍ମାନିତ ଜୀବନ ଯାପନ କରୁଛନ୍ତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ତୀବ୍ର ଆଧ୍ୟାତ୍ମିକ ବିକାଶ ହୋଇଥାଏ। ଜ୍ଞାନର ଅଧ୍ୟୟନ, ମନନ-ଚିନ୍ତନ ଓ ଆଲୋଚନା ଏହି ବିକାଶର ଧାରାକୁ ଅବ୍ୟାହତ ରଖେ। ଯୋଗ୍ୟାଭ୍ୟାସ ଦ୍ୱାରା ଅନାସକ୍ତ ଭାବରେ ପରିସ୍ଥିତିକୁ ଆକଳନ କରିବା କ୍ଷମତା ପ୍ରାପ୍ତ ହୁଏ। ଅନ୍ୟ ଅର୍ଥରେ ତାଙ୍କର ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଏ ଓ ସେ ମନର ଭାବର ପ୍ରଭାବରୁ ଉଦ୍ଧ୍ୱର୍କୁ ଉଠି ତଥ୍ୟ ଆଧାରରେ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇପାରନ୍ତି । ସେ ପୁରୁଣା ଅଭ୍ୟାସ ଓ ପୂର୍ବ ଧାରଣାରୁ ମୁକ୍ତ ହୋଇ ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସତ୍ୟତାକୁ ଅନୁଭବ କରିଥାନ୍ତି ।
ସମ୍ପାଦକ, ଚେତନା ପ୍ରବାହ
Go Back to Previous Page
ସାହିତ୍ୟ ସମୃଦ୍ଧି
ମମତା ଦାଶ
Read Article
ଉତ୍କଳ ଦିବସ
ନୃସିଂହ ଚରଣ ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ