ଭୁବନେଶ୍ବର ନଗରୀର କଳ୍ପନା ଛକ ନିକଟସ୍ଥ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଅଟେ, ଯାହା ସମୟର କଷଟି ପଥରରେ ଅନେକ ଥର ନିଜର ପୁରାତାତ୍ତ୍ୱିକ ସଂଗ୍ରହର ଗୁରୁ ଗାମ୍ଭୀର୍ଯ୍ୟକୁ ଜାହିର କରି ଆସିଛି। ବିଭିନ୍ନ ଗ୍ୟାଲେରୀ ମାନଙ୍କରେ ପ୍ରଦର୍ଶିତ ବହୁ ପ୍ରାଚୀନ ସମୟର ଶିଳାଲେଖ, ତାମ୍ରଫଳକ, ତାଳପତ୍ର ପୋଥି, ଆଭୂଷଣ, ଅସ୍ତ୍ରଶସ୍ତ୍ର ଆଦିମାନ ରସଗ୍ରାହୀ ରସିକ, ଜ୍ଞାନଭିକ୍ଷୁ ଗବେଷକ ତଥା ଜିଜ୍ଞାସୁ ପ୍ରାଣମାନଙ୍କୁ ଆକର୍ଷିତ କରିଆସିଛି କେଉଁ କାଳରୁ। ବିଶେଷ କରି କଳାପ୍ରେମୀଙ୍କୁ ବେଶୀ ଆକର୍ଷିତ କରିଥାଏ ସଂଗ୍ରହାଳୟର ପ୍ରବେଶ କକ୍ଷରେ ପ୍ରଦର୍ଶିତ ଓଡ଼ିଶାର ମହାପୁରୁଷମାନଙ୍କର ବୃହତ୍ତାକାର ତୈଳ ଚିତ୍ରପଟ୍ଟ ସମୂହ। ସଂଗ୍ରହାଳୟର ପ୍ରବେଶ କକ୍ଷରେ ପ୍ରଦର୍ଶିତ ସେହି ମନିଷୀମାନଙ୍କର ଛବି ଗୁଡ଼ିକ ମଧ୍ୟରୁ ତିନି ଚାରୋଟିକୁ ଛାଡ଼ି ଦେଲେ ଅଧିକାଂଶ ଚିତ୍ରପଟ୍ଟ ଗୁଡ଼ିକ ଶିଳ୍ପୀ ହରିଶଙ୍କର ସଶକ୍ତ ସ୍ୱାକ୍ଷର ଅଟେ। ଏହାଛଡ଼ା ଆନ୍ଥ୍ରୋପୋଲୋଜି ଓ ନ୍ୟାଚୁରାଲ ହିଷ୍ଟ୍ରି ଆଦି ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ କକ୍ଷ ଗୁଡ଼ିକରେ ପ୍ରଦର୍ଶିତ ମୃତ ପ୍ରାଣୀମାନଙ୍କର ସଂରକ୍ଷିତ ଶରୀରର ପଶ୍ଚ୍ୟାଭାଗରେ ଅଙ୍କିତ ମନୋରମ ଦୃଶ୍ୟାବଳୀର ପରିବେଶ ବାସ୍ତବତାର ଭ୍ରମ ସୃଷ୍ଟି କରିଥାଏ ।
ଓଡ଼ିଶାର ଅନ୍ୟତମ ସୁନାମଧନ୍ୟ ଚିତ୍ରକର ବା ରୂପକାର ହରିଶ୍ଚନ୍ଦ୍ର ସିହ୍ନା ବାବୁ ସ୍ୱର୍ଗାରୋହଣ କରିବାର ଦୁଇ ବର୍ଷଠାରୁ ଅଧିକ ସମୟ ବିତି ଗଲାଣି, ତଥାପି ତାଙ୍କର କାଳଜୟୀ ଜୀବନ୍ତ ଚିତ୍ରକୃତିଗୁଡ଼ିକ ତାଙ୍କୁ ଓଡ଼ିଶା ଜନମାନସରୁ ମ୍ଲାନ ହେବାକୁ ଦେଉନାହିଁ। ରାଜକୀୟ ପରିପାଟୀରେ ନିଜ ଦରବାର କକ୍ଷରେ ଦଣ୍ଡାୟମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁଢ଼ୋଳ ଅବୟବଧାରୀ ଦୁର୍ଦ୍ଧଶ ବୀର ସୁରେନ୍ଦ୍ର ସାଏ, ଓଡ଼ିଆ ବର୍ଣ୍ଣବୋଧର ବିନ୍ଧାଣୀ ଶାନ୍ତ ସରଳ ଓ ଜ୍ଞାନଦୀପ୍ତ ଭକ୍ତ କବି ମଧୁସୂଦନ ରାଓ, ଗବେଷଣାରେ ମଗ୍ନ ମହାନ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଆଦି ପ୍ରାଣବନ୍ତ ପ୍ରତିକୃତି ଚିତ୍ରଣକୁ ଦେଖି ରାଜ୍ୟ ସଂଗ୍ରହାଳୟକୁ ଯାଇଥିବା ଯେ କେହି ଦର୍ଶକ ବାଃ ବାଃ ନ କହି ରହି ପାରେନା। ହରିଶଙ୍କ ଚିତ୍ରାଙ୍କନରେ ମାନବୀୟ ଶରୀର ଗଠନ ବିଜ୍ଞାନ ବା ନରଦେହ ବିଦ୍ୟା (ଆନାଟୋମୀ) ତଥା ପ୍ରକୃତି ଚିତ୍ରଣ ଅତି ଚମକ୍ରାର ଅଟେ। ଏହାଛଡ଼ା ତାଙ୍କ ଛବିର ଅନ୍ୟ ଆକର୍ଷଣ ଦିଗଟି ହେଲା ଷ୍ଟିଲ ଲାଇଫର ସୂକ୍ଷ୍ମାଦିସୂକ୍ଷ୍ମ ଅବଲୋକନ ଓ ଆଲୋକ ଛାୟାର ଲୁଚକାଳି ଖେଳ ଚିତ୍ର ବର୍ଣ୍ଣିତ ସମଦୃଶ୍ୟାବଳୀର ସମ୍ଭାର ଯଥା ଆସନ, ମେଜ ଓ ପଲଙ୍କର କାଠ ଖୋଦେଇ ଡ଼ିଜାଇନ୍, ଶୁଭ୍ରାଲୋକିତ ପ୍ରଦୀପ, ମଖମଲ୍ଲୀ କପଡ଼ାର କୁଞ୍ଚ ଇତ୍ୟାଦିକୁ ଅତି ନିଖୁଣ ଭାବେ ସ୍ୱାଭାବିକ ଢ଼ଙ୍ଗରେ ଦୃଶ୍ୟାୟିତ କରିଛନ୍ତି।
ସେ ଚିତ୍ରରେ ପ୍ରାଣର ସଞ୍ଚାର ଏତେ ନିଖୁଣ ଭାବେ କରିପାରୁଥିଲେ ଯେ ସତେ ଯେପରି ଅଙ୍କିତ ଚରିତ୍ରମାନ ଛବି ଭିତରୁ ବାହାରି ଆସି ଆମ ସହ କଥାବାର୍ତ୍ତା ହେବା ପାଇଁ ବ୍ୟଗ୍ର ହେଉଛନ୍ତି। ଶିଳ୍ପୀଙ୍କର ଛବିର ଏହି ଗୁଣକୁ ନେଇ ତାଙ୍କ ଜଣେ ସମସାମୟିକ ଚିତ୍ରକର ଥରେ କହିଥିଲେ, “ହରିଶ ବାବୁଙ୍କ ଛବି ଦେଖିଲେ ଲାଗେ ସତେ ଯେପରି ସେ ସତ ସତିକା ମଣିଷମାନଙ୍କୁ ନିଜର ଚିତ୍ରପଟ୍ଟରେ ଅଠାଲଗାଇ ଯୋଡ଼ି ଦେଇଛନ୍ତି।” ଶିଳ୍ପୀଙ୍କର ଛାତ୍ର ଜୀବନରେ କଲିକତାରେ କଳାଶିକ୍ଷା କରୁଥିବା ବେଳେ ସେ ସମୟର ତାଙ୍କର ଜଣେ ଶିକ୍ଷକ ହରିଶଙ୍କୁ “ରାଫେଲ୍ ଅଫ୍ ଦି ଇଷ୍ଟ” ବୋଲି ସମ୍ବୋଧନ କରୁଥିଲେ, କାରଣ ୟୁରୋପୀୟ ଚିତ୍ରକର ରାଫେଲ୍ଙ୍କ ବିରାଟ ତୈଳଚିତ୍ର ଗୁଡ଼ିକରେ ରଙ୍ଗମଞ୍ଚର ଭ୍ରମ ସୃଷ୍ଟି କରୁଥିଲା। ରାଫେଲ୍ଙ୍କ ଛବିଗୁଡ଼ିକ ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ ଥିବାବେଳେ ଛବିଗୁଡ଼ିକର ସଜ୍ଜିକରଣରେ ଆଲୋକ ଛାୟାର ପ୍ରାଧାନ୍ୟତା ପ୍ରମୁଖ ଆକର୍ଷଣ ରହୁଥିଲା। ଚିତ୍ରକରଙ୍କ ଅନ୍ୟ ପ୍ରମୁଖ କଳାକୃତିଗୁଡ଼ିକ ହେଲା ବାରିପଦାର ରାଣୀ ତଖତ କୁମାରୀଙ୍କର ଶ୍ରୀସମ୍ପନ୍ନା ଅଳାଙ୍କାର ମଣ୍ଡିତା ସୁନ୍ଦର ରୂପ ଲାବଣ୍ୟ ସହ ଢ଼ଳ ଢ଼ଳ ଚାହାଣୀ, କାବ୍ୱିକ ଭାବର ମାୟାଧର ମାନସିଂ, ରସିକ ପ୍ରବର ଉପେନ୍ଦ୍ର ଭଞ୍ଜ, ଶିଳ୍ପୀ ଗୁରୁ ବିମ୍ବାଧର ବର୍ମା, ନାଟ୍ୟକାର ବୈଷ୍ଣବ ପାଣି ଇତ୍ୟାଦି ତୈଳଚିତ୍ର ତଥା ଓମର ଖୟାମଙ୍କ ରଚିତ ସୁରା, ସାକି ଦର୍ଶନାସିକ୍ତ ଓମର ରୁବିୟତ୍ ସିରିଜର ଅନେକ ରେଖା ପ୍ରାଧାନ୍ୟ ଚିତ୍ରପଟ୍ଟ।
ହରିଶ ପାଞ୍ଚ ସେପ୍ଟେମ୍ବର ୧୯୩୯ ମସିହାରେ ବାରିପଦା ଟାଉନ୍ର ଅମ୍ବିକା ସାହିରେ ପିତା ଦେବେନ୍ଦ୍ରନାଥ ଓ ମାତା ସ୍ୱର୍ଣ୍ଣଲତା ଦେବୀଙ୍କ ଠାରୁ ଜନ୍ମ ହୋଇଥିଲେ। ମାଟ୍ରିକ୍ ପାସ୍ ପରେ ସେ କଲିକତା ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚିତ୍ର ଶିଖିବା ପାଇଁ ନାମ ଲେଖାଇଥିଲେ। ସେଠାରୁ ୧୯୬୧ ମସିହାରେ ଯୁବକ ହରିଶ ଡ୍ରଇଁ ଓ ପେଣ୍ଟିଂ (ଜୀବନ, ପ୍ରକୃତି ଓ ଭିତ୍ତିଚିତ୍ର) ପାଠ୍ୟକ୍ରମରେ ଡ଼ିପ୍ଲୋମା ଶିକ୍ଷା ଗ୍ରହଣ କରି ଫାଷ୍ଟକ୍ଲାସ୍ ଫାଷ୍ଟ୍ ହୋଇ ପାସ୍ କରିଥିଲେ। ତା’ପରେ ସେ ଭୁବନେଶ୍ୱର ଆସି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପୋଟ୍ରେଟ୍ ଆଟିଷ୍ଟ୍ ଓ ମଡ଼େଲର ଭାବେ ୧୯୬୬ ମସିହାରେ ଯୋଗ ଦେଇଥିଲେ। ତାଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିବା ସଂସ୍ଥାଗୁଡ଼ିକ ହେଲା; ଓଡ଼ିଶା ଲଳିତ କଳା ଏକାଡ଼େମୀ (୧୯୬୮, ୧୯୭୦ ଓ ୧୯୭୪), ଉତ୍କଳ ଚାରୁକଳା ପରିଷଦ (୧୯୬୮), ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା (୧୯୮୬), ନେହେରୁ ଫାଉଣ୍ଡେସନ୍ ଫର୍ ଡ଼େଭେଲପମେଣ୍ଟ୍ ଅହମଦାବାଦ (୧୯୮୬), ପ୍ରାଣନାଥ ପଟ୍ଟନାୟକ ମେମୋରିଆଲ କମିଟି (୧୯୯୩), କଳିଙ୍ଗ ଭାରତୀ (୧୯୮୮), ମହତାବ୍ ସମ୍ମାନ (୨୦୦୨) ଇତ୍ୟାଦି। ତାଙ୍କର ଅନେକ ଦୁର୍ଲ୍ଲଭ କଳାକୃତୀଗୁଡ଼ିକୁ ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟ ସଂଗ୍ରହ କରିଥିବାରୁ ସେମାନେ ଧନ୍ୟବାଦର ପାତ୍ର ଅଟନ୍ତି।
ଶିଳ୍ପୀଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ କେବେ ପୁରସ୍କାର ଓ ସମ୍ମାନ ପାଇଁ ବ୍ୟାକୁଳ ନଥିଲେ। ତାଙ୍କର ପ୍ରତିଟି ରଙ୍ଗ ଛିଟା ଓ ଚିତ୍ରରେଖା ତାଙ୍କୁ ପ୍ରତିଷ୍ଠା ଠାରୁ ଅନେକ ଉପର ସ୍ତରକୁ ନେଇଯାଇଛି। ସେଥିପାଇଁ ସେ ତାଙ୍କର କ୍ରିୟାଶୀଳ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କଳାଭ୍ୟାସ ଜାରି ରଖିଥିଲେ । ହରିଶ ବାବୁ ଜୀବନର ଶେଷ ନିଶ୍ୱାସ ନେଇଥିଲେ ଏକୋଇଶି ଡ଼ିସେମ୍ବର ୨୦୧୫ ମସିହାରେ। ସେ ସିନା ଜୀବିତ ନାହାନ୍ତି କିନ୍ତୁ ତାଙ୍କର କାଳଜୟୀ କଳାକୃତୀ ଗୁଡ଼ିକ କଳାପ୍ରେମୀଙ୍କ ହୃଦୟରେ ଜୀବିତ ହୋଇ ରହିଥିଲା, ରହିଛି ଓ ଆଗକୁ ମଧ୍ୟ ରହିଥିବ ।
ଅଧ୍ୟାପକ
ବି.କେ. ଆର୍ଟ କଲେଜ, ଭୁବନେଶ୍ୱର
ଭ୍ରାମ୍ୟଭାଷ - ୯୮୬୧୨୫୫୩୮୩
Go Back to Previous Page
ଆହୁତିକୁଣ୍ଡର ଇତିହାସ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ସାହିତ୍ୟ ସମୃଦ୍ଧି
ମମତା ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ