ପ୍ରାଚୀନ ଐତିହ୍ୟର ସ୍ମୃତି ଓ ସ୍ବାକ୍ଷର : ଆହୁତିକୁଣ୍ଡ
ବାଲେଶ୍ବର ଜିଲ୍ଲାର ପୂର୍ବୋତ୍ତର ଭାଗରେ ଭୋଗରାଇ ଥାନା ଅବସ୍ଥିତ ଏହି ଥାନାର ପୂର୍ବୋତ୍ତର ଭାଗରେ ଆହୁତିକୁଣ୍ଡ ନାମକ ଏକ ସ୍ଥାନ ଅଛି, ଯେଉଁଠି ଅଧୁନା ଜୟରାମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଅବସ୍ଥାପିତ ଏହି ସ୍ଥାନ ସାମ୍ପ୍ରତିକ ସମୟରେ ଏକ ସମତଳ ଅଞ୍ଚଳ ରୂପେ ପରିଦୃଶ୍ୟ ହୋଇଥାଏ କିନ୍ତୁ ପୂର୍ବେ ଏହି ସ୍ଥାନରେ ଥିଲା ଏକ ସୋମକୋଣି ଗଡ଼ିଆ ସଦୃଶ ଖାଲ ସ୍ଥାନ ଏହି ସ୍ଥାନଟିକୁ ଆହୁତିକୁଣ୍ଡ ବୋଲି କୁହାଯାଇ ଆସୁଛି ତାହା ଅଦ୍ୟପି ଜିଜ୍ଞାସାସୂଚକ ହୋଇ ରହିଛି ପୂର୍ବରୁ ଏହି ଖାଲ ରୂପକ କୁଣ୍ଡ ପାର୍ଶ୍ବରେ ଥିଲା ଏକ ଭଙ୍ଗା ଇଟା, ପୋଡ଼ାମାଟିର ବିଭିନ୍ନ ପ୍ରକାର ପାତ୍ର ଆଦିର ମିଶ୍ରିତ ମାଟିର ସ୍ତୁପ, ଯେଉଁଠିକୁ କୌଣସି ମଣିଷ ଏକଦା ଯିବାକୁ ସାହାସ କରୁନଥିଲେ ଅବଶ୍ୟ ଏହି ସ୍ଥାନରୁ ଥରେ ଲୋକମାନେ ମାଟି ଖୋଳୁଥିବା ସମୟରେ ସେଠାରୁ ଯେଉଁ ତାମ୍ରଶାସନଟି ଆବିଷ୍କୃତ ହୋଇଥିଲା, ତାହାକୁ ପାଠକଲା ପରେ ଏ ଅଞ୍ଚଳର ଯେଉଁସବୁ ଇତିହାସର ତଥ୍ୟାଦି ପ୍ରାପ୍ତ ହେଲା, ତାହା ସମଗ୍ର ଭାରତବର୍ଷର ଐତିହାସିକଙ୍କ ଦୃଷ୍ଟି ଆକର୍ଷଣ କଲା ବୋଲି ଜଣାପଡ଼ିଲା ସେଥିରୁ ଜଣାଗଲା ଯେ, ଖ୍ରୀ ୫ମ/୬ଷ୍ଠ ଶତାବ୍ଦୀରେ ଏଠାରେ ତତ୍କାଳୀନ ଦଣ୍ଡଭୁକ୍ତି ମଣ୍ଡଳ ନାମକ ଏକ ଶାସନ ଖଣ୍ଡର ଶାସକ (ରାଜା) ଗୋପଚନ୍ଦ୍ରଙ୍କ ଅଧୀନସ୍ଥ ସାମନ୍ତରାଜା ଅଚ୍ୟୁତ ସୁବର୍ଣ୍ଣରେଖା ନଦୀ ମୁହାଣ ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୌଦ୍ଧ ଧର୍ମର ବିକାଶ ପାଇଁ ବୋଧିପଦ୍ରକ ନାମକ ବୌଦ୍ଧବିହାର ନିର୍ମାଣ କରାଇଥିଲେ ଇତିହାସ କହେ ଖ୍ରୀ ୫ମ ଶତାବ୍ଦୀରେ ବଙ୍ଗଳା ମାଟିରେ ବ୍ୟାପକ ଭାବରେ ବୌଦ୍ଧ ଧର୍ମର ପ୍ରଭାବ ବିସ୍ତାର ଘଟିଥିଲା ଏହା ଖ୍ରୀ ୭ମ ଶତାବ୍ଦୀ ଯାଏ ବିଶେଷ ପ୍ରଭାବଶାଳୀ ହୋଇ ରହିଥିଲା ତେବେ ଏତିକି ବେଳେ ବ୍ରାହ୍ମଣ୍ୟ ଧର୍ମର ପ୍ରଭାବ ମଧ୍ୟ କମ ହୋଇନଥିଲା ତେଣୁ ସେ ସମୟରେ ବୌଦ୍ଧଧର୍ମ ସଙ୍ଗେ ବ୍ରାହ୍ମଣ୍ୟଧର୍ମର ଏକତା ସମ୍ପାଦିତ ହୋଇଥିଲା ମାତ୍ର ସପ୍ତମ ଶତାବ୍ଦୀରେ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କ ରାଜଙ୍କ ବୌଦ୍ଧ ବିଦ୍ବେଷନୀତି ଯୋଗୁଁ ପୂର୍ବଭାରତରେ ଥିବା ବହୁ ବୌଦ୍ଧ ସ୍ତୁପ ଓ ବିହାର ଆଦି ନଷ୍ଟବିନଷ୍ଟ ହୋଇଯାଇଥିଲା ଏଠାରେ ସୂଚାଇ ଦିଆଯାଇପାରେ ଯେ ସେ ସମୟରେ ଏହି ଦଣ୍ଡଭୁକ୍ତି ମଣ୍ଡଳର ଉତ୍ତର ସୀମା ଆଧୁନିକ ବଙ୍ଗଳା ଦେଶର ଫରିଦପୁର ଥିବା ବେଳେ ଦକ୍ଷିଣ ସୀମା ସୁବର୍ଣ୍ଣରେଖା ନଦୀ ହିଁ ଥିଲା ତେଣୁ ସେ ସମୟରେ ଶଶାଙ୍କ ରାଜଙ୍କ ଦ୍ବାରା ସୁବର୍ଣ୍ଣରେଖା ନଦୀ ମୁହାଣ ନିକଟରେ ଥିବା ସେହି ବୋଧିପଦ୍ରକ ବିହାରଟି ମଧ୍ୟ ଧ୍ବଂସ ପାଇ ଯାଇଥିଲା ଏ ସମସ୍ତ ବିଷୟ ଜଣାଗଲା ପରେ ମଧ୍ୟ ଜନସାଧାରଣଙ୍କ ଜିଜ୍ଞାସୁ ମନୋଭାବର ଅନ୍ତ ଘଟିଲା ନାହିଁ
ଆହୁତି ଶବ୍ଦର ଅର୍ଥ - ମନ୍ତ୍ରପାଠ କରି ହୋତ୍ରକୁଣ୍ଡରେ ଘୃତଦାନ କରିବା ତେଣୁ ପ୍ରଶ୍ନ ହେଲା, ତେବେ କଣ ଏଠାରେ ଦିନେ ହୋମକୁଣ୍ଡରେ ଆହୁତି କରାଯାଉଥିଲା କି? ମାତ୍ର ଏହି ସ୍ଥାନରୁ ପ୍ରଚୁର ଭଗ୍ନ ଟେରାକୋଟା ପଦାର୍ଥମାନ ମିଳିବାରୁ ମନର ଜିଜ୍ଞାସା ଭାବକୁ କିଛି ଅଂଶରେ ପ୍ରଶମିତ କଲା ଏବଂ ଏଠାରେ ହୋତ୍ରକୁଣ୍ଡ କିଏ, କାହିଁକି ଏବଂ କେବେ କରିଥିଲେ ତାହାର ପ୍ରଶ୍ନ ଉଦ୍ରେକ ହେଲା ହେଲେ ଏ ସବୁ ପ୍ରଶ୍ନର ଉତ୍ତର ଖୋଜି ନ ମିଳିବାରୁ ତା’ର ଯଥାର୍ଥ ସମାଧାନ ହୋଇ ପାରିଲା ନାହିଁ
ଗତ କିଛିଦିନ ତଳେ “ତତ୍ତ୍ବବୋଧିନୀ” ନାମକ ଏକ ବଙ୍ଗଳା ପତ୍ରିକାଟିଏ ଏ ଲେଖକକୁ ମିଳିଲା[୧] ଏହାର ପ୍ରକାଶ କାଳ ୧୭୮୪ ଶକ, ଅଗ୍ରହାଣ ମାସ, ପୃଷ୍ଠା ସଂଖ୍ୟା ଥିଲା-୨୩୨ ଏହି ପତ୍ରିକାକୁ ପାଠ କଲାପରେ ଜଣାଗଲା ଯେ, ‘ପୂର୍ବରୁ ହିଜିଲ ନାମକ [୨] ଏକ ଶାସନ ଖଣ୍ଡରେ ଥିବା ଭୋଗରାଇ ଅଞ୍ଚଳରେ ପ୍ରାଚୀନ ହିନ୍ଦୁ ରାଜତ୍ବ ଅମଳର କେତେକ ହିନ୍ଦୁ ଦେବାଳୟ ରହିଥିବାର ଜଣାଗଲା ସେଥିମଧ୍ୟରୁ ଯେଉଁ ସ୍ଥାନରେ ଏକ ବିଶାଳ କୁଣ୍ଡ ରହିଅଛି, ତାହାକୁ ଲୋକମାନେ ଯଜ୍ଞକୁଣ୍ଡ ବୋଲି କହୁଥିଲେ[୩]’ ଏହି କୁଣ୍ଡର ପରିମାଣ ଥିଲା ବଙ୍ଗୀୟ ମତରେ ଏକ କାଠା[୪] ଯାହାର ଅର୍ଥ ହେଉଛି ଲମ୍ବ X ପ୍ରସ୍ଥ - ୧୫ ହାତ ବା ସାଢ଼େ ବାଇଶି ଫୁଟ ଯାହାକୁ ଏକ ସୋମକୋଣ ବିଶିଷ୍ଟ ଚତୁର୍ଭୂଜ ଆକାରରେ ଗୋଟିଏ ଖାଲ ଗଭୀର ସ୍ଥାନ ଥିଲା ସେହି ବର୍ଣ୍ଣିତ ସ୍ଥାନରେ ବିଂଶ ଶତାବ୍ଦୀର ଶେଷାଂଶ ବେଳକୁ ତା’ର ଲମ୍ବ ଓ ଓସାର ପ୍ରାୟ ସମାନ ଅଛି ଏବଂ ଆହୁତି କୁଣ୍ଡ ବୋଲି କୁହାଯାଉଛି ତେଣୁ ଯଜ୍ଞକୁଣ୍ଡକୁ ହିଁ ଲୋକମାନେ ଆହୁତି କୁଣ୍ଡ କହୁଛନ୍ତି ବୋଲି ଜଣାପଡ଼ିଲା ଏହି ଯଜ୍ଞକୁଣ୍ଡ ବା ଆହୁତି କୁଣ୍ଡ ପାର୍ଶ୍ବରୁ ପ୍ରଚୁର ଇଟା, ମାଙ୍କଡ଼ା ପଥରର ପ୍ରାଚୀର ଆଦି ମାଟିତଳୁ ମିଳିବାର ଦେଖାଗଲା ଏହା ମିଳିବା ପରେ ମଧ୍ୟ ଲୋକଙ୍କ ମନରେ ଆହୁତି କୁଣ୍ଡ ବା ଯଜ୍ଞକୁଣ୍ଡ ବିଷୟରେ ଯଦିବା ବିଶ୍ବାସ ଆସିଲା କିନ୍ତୁ ପ୍ରଶ୍ନ ରହିଲା, ଏହା କିଏ କାହିଁକି ଏବଂ କେବେ ପ୍ରତିଷ୍ଠା କରିଥିଲେ ତେବେ ସେହି ପତ୍ରିକାରେ ବର୍ଣ୍ଣିତ ହୋଇଛି କି, ‘ଅତୀତରେ କୌଣସି ପ୍ରତିଭାବାନ ଶକ୍ତିଶାଳୀ ବ୍ୟକ୍ତି ଏ କାର୍ଯ୍ୟକୁ ସମ୍ପାଦିତ କରିଥିବା ଅନୁମିତ ହୁଏ’
ଅଷ୍ଟମ ଶତାବ୍ଦୀ ବେଳକୁ ଓଡ଼ିଶାର ଭୌମକର ରାଜବଂଶ ସୁବର୍ଣ୍ଣରେଖା ନଦୀ ଅତିକ୍ରମ କରି ତାଙ୍କର ଶାସନ ପ୍ରତିଷ୍ଠା କରିବାପରେ ସେମାନଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମର ପୁନଃ ପ୍ରସାର ଘଟିଲା, ଖ୍ରୀ ୮୮୫ ମସିହା [୫] ବା ନବମ ଶତାବ୍ଦୀରେ ଏହି ଶତାବ୍ଦୀର ଅନ୍ତିମ ଭାଗବେଳକୁ ଭୌମକରମାନେ ଓଡ଼ିଶାର ପୂର୍ବୋତ୍ତର ଭାଗକୁ ଅଧିକାର କରି ସେଠାରେ ଥିବା ମୃତପ୍ରାୟ ବୌଦ୍ଧଧର୍ମକୁ ପୁନରୋଦ୍ଧାର କଲେ ଏତିକି ବେଳେ ଏହି ସ୍ଥାନରେ ଥିବା ବୋଧିପଦ୍ରକ ବିହାରକୁ ସଂସ୍କାର କରି ବୌଦ୍ଧ ଭଟ୍ଟାରକଙ୍କ ମନ୍ଦିରମାନ ଗଠନ କରି ସେଥିରେ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା[୬] ମାତ୍ର ସପ୍ତମ ଶତାବ୍ଦୀରୁ ଓଡ଼ିଶାର ବୌଦ୍ଧ ଧର୍ମ ବିଭିନ୍ନ ଗଳ୍ପ ତଥା ପରମ୍ପରାରେ ବାନ୍ଧି ହୋଇ ରହିବା ବେଳକୁ ବୌଦ୍ଧଧର୍ମ ହିନ୍ଦୁ ଧର୍ମ ସହ ସମ୍ପୂର୍ଣ୍ଣ ମିଶି ଯାଇଥିଲା ସେତିକି ବେଳେ ଶୈବ ଓ ଶାକ୍ତ ଧର୍ମରେ ତାନ୍ତ୍ରିକ ବୌଦ୍ଧଧର୍ମର ପ୍ରଗତି ଘଟିଲା ଏବଂ ଓଡ଼ିଶାର ଯାଜପୁର ନିକଟସ୍ଥ ରତ୍ନଗିରି ବୌଦ୍ଧଧର୍ମର ଏକ ପ୍ରମୁଖ କେନ୍ଦ୍ର ହୋଇ ଛିଡ଼ା ହେଲା ଏହି କେନ୍ଦ୍ର ମାଧ୍ୟମରେ ତନ୍ତ୍ର ଓ ଯୋଗର ବିକାଶ ହେଲା ବୋଲି ରତ୍ନଗିରିରୁ ପ୍ରାପ୍ତ ବୌଦ୍ଧମୂର୍ତ୍ତିସ୍ଥିତ ଅଭିଲେଖ ମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ - ଏହି ଚାରିଶହ ବର୍ଷ ମଧ୍ୟରେ ପ୍ରଚଳିତ ଧର୍ମଜଗତରେ ବହୁ ଗୁରୁତର ପରିବର୍ତ୍ତନ ଦେଖାଦେଲା[୭] ଏମିତି ସମୟ ମଧ୍ୟରେ ସିଦ୍ଧାଚାର୍ଯ୍ୟ ମାନଙ୍କର ଆବିର୍ଭାବ ଘଟିଲା ଏଥିରେ ସହଜିଆ ଧର୍ମର ପ୍ରସାର ସଙ୍ଗେ ସଙ୍ଗେ ଗୌଡ଼ୀୟ ବୌଷ୍ଣବ ଧର୍ମର ବିକାଶ ଦେଖାଦେଲା ତାନ୍ତ୍ରିକ ପଦ୍ଧତିରେ ଶିବ, ଶକ୍ତି ଓ ବିଷ୍ଣୁଙ୍କୁ ଆରାଧନା ସକାଶେ ନୂତନ ଆଗମମାନ ଲେଖାଗଲା ଏବଂ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟ ଓ ଶାଖା ମାନଙ୍କରେ ଧର୍ମ ସମ୍ପର୍କୀୟ ମତଭେଦ ହେବାର ଦେଖାଗଲା [୮] ଏହି ଶାଖା ଗୁଡ଼ିକ ମଧ୍ୟରେ ବଜ୍ରଯାନ, କାଳଚକ୍ରଯାନ ଏବଂ ସହଜଯାନ ହିଁ ଥିଲା ପ୍ରଧାନ ଏହି ମହାଯାନୀ ବୌଦ୍ଧମାନେ ଥିଲେ ଶୂନ୍ୟ ଉପାସକ ଶୂନ୍ୟ ବା ମହାଶୂନ୍ୟକୁ ସେମାନେ ସର୍ବବ୍ୟାପୀ, ସର୍ବଶକ୍ତିମାନ ଏବଂ ସର୍ବଜ୍ଞ ଭାବରେ ପୂଜା କରୁଥିଲେ ତେଣୁ ସେମାନଙ୍କ ସକାଶେ ବୁଦ୍ଧ ହିଁ ଥିଲେ ଶୂନ୍ୟର ପ୍ରତୀକ ସହଜଯାନର ମୌଳିକ ନୀତି ଥିଲା ସମ୍ଭୋଗ ସଙ୍ଗେ ଅପାର୍ଥିବ ସୁଖଲାଭ ଓଡ଼ିଶାରେ କାଳଚକ୍ରଯାନ ଓ ତନ୍ତ୍ରଯାନର ପ୍ରସାର ହେତୁ ଯେଉଁ ସବୁ ପଦ୍ଧତି ଅନୁସୃତ ହେଲା ସେଥିରୁ ପଞ୍ଚମାକାରର ମହାକାଳୀ ଓ ମହାକାଳ ଭୈରବ ଉପାସନାର ସୃଷ୍ଟି ହେଲା[୯] ଏ ସ୍ଥାନରୁ ମାଟିତଳୁ ଚତୁର୍ଭୂଜ ମହାକାଳ ମୂର୍ତ୍ତି ଏବଂ ଭୋଗରାଇଅରେ ଯାହାଙ୍କୁ ଆମେ ଆଜି ବାସୁଳୀ ବୋଲି କହି ଆରାଧନା କରୁଛୁ, ସେହି ମହାକାଳୀ ମୂର୍ତ୍ତି ହିଁ ଏହାର ଯଥେଷ୍ଟ ପ୍ରମାଣ ଅତଏବ ସେହି ଉପାସନା ଏହ ଐତିହ୍ୟପୂର୍ଣ୍ଣ ସମୟରୁ ଏ ମାଟିରେ କରାଯାଇ ଆସୁଛି କହିବା ଭ୍ରମାତ୍ମକ ହେବନାହିଁ
ଖ୍ରୀ ୯୪୦ ରେ ଭୌମକର ମାନଙ୍କର ଶାସନର ପରିସମାପ୍ତି ଘଟିଲା ଏବଂ ରାଜନୈତିକ ପଟ୍ଟ ପରିବର୍ତ୍ତନର ସୂଚନା ମିଳେ[୧୦] ଓଡ଼ିଶାରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ବଙ୍ଗର ପାଳ ନାମଧାରୀ ରାଜବଂଶ ରାଜ୍ୟର ପୂର୍ବୋତ୍ତର ଭାଗରୁ କିଛି ଅଂଶ ଅକ୍ତିଆର କରିନେଲେ ଏହାଦ୍ବାରା ଭୌମ ସାମ୍ରାଜ୍ଞୀ ଧର୍ମା ମହାଦେବୀଙ୍କ ରାଜବଂଶର ପ୍ରଭୂତ୍ବ ଦଣ୍ଡଭୁକ୍ତି ମଣ୍ଡଳରୁ ଅସ୍ତମିତ ହେଲା[୧୧] କେବଳ ସେତିକି ନୁହେଁ, ସେମାନେ ଓଡ଼ିଶାର ଉତ୍ତର ବାଲେଶ୍ବର୍ ଅଞ୍ଚଳକୁ ସେମାନଙ୍କର ଅଧିକାରଭୂକ୍ତ କରିନେଲେ ଏମାନେ ଥିଲେ କମ୍ବୋଜବଂଶୀୟ ପାଳ ରାଜବଂଶ ମାତ୍ର ଦଶମ ଶତାବ୍ଦୀର ଶେଷାଂଶ ବେଳକୁ ବଙ୍ଗଳାର ପାଳରାଜା ବିଗ୍ରହପାଳ ୨ୟଙ୍କ ପୁତ୍ର ମହୀପାଳ ୧ମ ଏମାନଙ୍କୁ ପରାଜିତ କରି ଉତ୍ତରପୂର୍ବାଂଶକୁ ଅଧିକାର କରିନେବା ଫଳରେ କମ୍ବୋଜୀୟ ପାଳମାନଙ୍କୁ ବର୍ଦ୍ଧମାନଭୁକ୍ତି, ଯେଉଁ ଖଣ୍ଡରେ କି ଦଣ୍ଡଭୁକ୍ତି (ଉତ୍ତର ବାଲେଶ୍ବର ସହିତ) ଥିଲା, ସେହି ଖଣ୍ଡରେ ରାଜତ୍ବ କରି ସନ୍ତୁଷ୍ଟ ହେବାକୁ ପଡ଼ିଲା
ଖ୍ରୀ ୯୬୦ ମସିହାରେ ସୋମବଂଶୀୟ ରାଜା ଧର୍ମରଥ (୯୬୦-୯୯୫) କମ୍ବୋଜୀୟ ପାଳମାନଙ୍କୁ ପରାଜିତ କରି ସେହି ଶାସନ ଖଣ୍ଡକୁ ନିଜ ଅଧିକାରକୁ ନେଇଗଲେ ଖ୍ରୀ ୯୯୫ରେ ଧର୍ମରଥଙ୍କ ମୃତ୍ୟୁପରେ ତାଙ୍କର ଭାଇ ନଘୁଷ ରାଜା ହେଲେ ମାତ୍ର ତାଙ୍କର ବୈମାତୃକ ଭାଇ ଇନ୍ଦ୍ରରଥ ଖ୍ରୀ ୧୦୦୦ ରେ ନଘୁଷଙ୍କୁ ପରାଜିତ କରି ସିଂହାସନ ଅଧିକାର କରିନେଲେ ଏତିକି ବେଳେ ଦାକ୍ଷିଣାତ୍ୟର ରାଜା ରାଜେନ୍ଦ୍ର ଚୋଳ (୧୦୧୨-୧୦୪୪) ପୂର୍ବୋତ୍ତର ଭାଗକୁ ଅଭିଯାନ ଚଳାଇ ଖ୍ରୀ ୧୦୨୩ରେ ଇନ୍ଦ୍ରରଥଙ୍କୁ ପରାଜିତ କଲେ
ଖ୍ରୀ ୧୦୨୪ ମସିହାରେ ମହାଶିବଗୁପ୍ତ ଯଯାତି-୨ୟ ସିଂହାସନ ଆରୋହଣ କରିବା ସମୟରେ ଉତ୍ତର ତୋଷାଳୀରେ କେତେକ ଅଞ୍ଚଳ ସୋମବଂଶୀୟ କର୍ତ୍ତୃତ୍ବରେ ନଥିବା ହେତୁ ତାଙ୍କ ରାଜତ୍ବର ତୃତୀୟ ବର୍ଷରେ (୧୦୨୭ ମସିହା) କୋଶଳ, କଳିଙ୍ଗ ଓ ଉତ୍କଳର ଅଧୀଶ୍ବର ଭାବରେ ଘୋଷିତ ହେଲେ ଫଳରେ ଯଯାତି ୨ୟ ନିଜର ସାମରିକ କୌଶଳ ହେତୁ ବଙ୍ଗର ଉତ୍ତର ଆଡୁ ରାଢ଼ଗୌଡ଼ରେ ଜୈତ୍ରଯାତ୍ରା ନିର୍ବିଘ୍ନରେ ସମାହିତ କଲେ[୧୨] ସେ ସମୟରେ ତତ୍କାଳୀନ ଦଣ୍ଡଭୁକ୍ତି ମଣ୍ଡଳ ବର୍ଦ୍ଧମାନ ଭୁକ୍ତି ଅଧୀନରେ ଶାସିତ ହେଉଥିଲେ ମଧ୍ୟ ଏହା ଦକ୍ଷିଣ ରାଢ଼ ଦେଶାନ୍ତର୍ଗତ ହୋଇ ଶାସିତ ହେଉଥିଲା
ଏହି ଜୈତ୍ରଯାତ୍ରା ସମାପନାନ୍ତେ ସୁବର୍ଣ୍ଣରେଖା ନଦୀତଟସ୍ଥ ବୌଦ୍ଧପୀଠ ଉପରେ ତାଙ୍କର ତୀକ୍ଷ୍ଣ ନଜର ପଡ଼ିଥିବା ସମ୍ଭବ[୧୩] ଖ୍ରୀ ୯୪୦ରେ ଭୌମକର ରାଜବଂଶର ପତନ ପରେ ମଧ୍ୟ ଖ୍ରୀ ୧୦୨୭ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ସହଜଯାନର ତନ୍ତ୍ରସାଗର ମଧ୍ୟରେ ନିମଜ୍ଜିତ ହୋଇଥିଲା ବୋଲି କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ‘ଭକ୍ତି ଭାଗବତ’ ପୁସ୍ତକରୁ ସୂଚନା ମିଳେ[୧୪] ଯଯାତି-୨ୟ ଯାଜପୁରକୁ ତାଙ୍କର ରାଜଧାନୀ ରୂପେ ଗ୍ରହଣ କରିବା ପରେ ତନ୍ତ୍ରବିଲୋପ ପ୍ରକ୍ରିୟା ଆରମ୍ଭ କଲେ କାରଣ ତନ୍ତ୍ରଯାନରେ ଯେଉଁ ଘୃଣ୍ୟ ପରମ୍ପରା ପରିଲକ୍ଷିତ ହେଉଥିଲା, ସେଥିରେ ରାଜା ଯଯାତି-୨ୟ ଖୁବ ଅସନ୍ତୁଷ୍ଟ ଥାଇ ବ୍ରାହ୍ମଣ୍ୟ ଧର୍ମକୁ ପ୍ରତିଷ୍ଠା କରିବାପାଇଁ ଯେଉଁ ବିଶାଳ ଯଜ୍ଞର ଆୟୋଜନ କରିଥିଲେ ଏବଂ ସେଥିପାଇଁ ଯେଉଁ ଯଜ୍ଞକୁଣ୍ଡଟି ପ୍ରସ୍ତୁତ କରିଥିଲେ, ତାହାର ଲମ୍ବ ଓ ପ୍ରସ୍ଥ ୧୫ ହାତ କରିଥିବା ସମ୍ଭବ ଆଉ ଯେଉଁଠି ଯଜ୍ଞକୁଣ୍ଡର ଆୟୋଜନ କରାଗଲା, ସମୟକ୍ରମେ ସେହି ସ୍ଥାନକୁ ଆହୁତି କୁଣ୍ଡ ବୋଲି ଲୋକମୁଖରେ ପରିଚୟ ମିଳିଥିବା ସମ୍ଭବ
ପାଦଟୀକା
୧. ବିନୟ ଘୋଷ - ପଶ୍ଚିମ ବଙ୍ଗେର ସଂସ୍କୃତି (ହିଜିଲିର-ମସନଦ୍-ଇ-ଆଲା), ପୃ - ୧୬୭
୨. ବିନୟ ଘୋଷ - ପଶ୍ଚିମ ବଙ୍ଗେର ସଂସ୍କୃତି (ତତ୍ତ୍ବବୋଧିନୀ), ପୃ - ୧୫୯
୩. ବିନୟ ଘୋଷ - ପଶ୍ଚିମ ବଙ୍ଗେର ସଂସ୍କୃତି (ହିଜିଲିର-ମସନଦ୍-ଇ-ଆଲା), ପୃ - ୧୬୭
୪. ବିନୟ ଘୋଷ - ପଶ୍ଚିମ ବଙ୍ଗେର ସଂସ୍କୃତି (ହିଜିଲିର-ମସନଦ୍-ଇ-ଆଲା), ପୃ - ୧୬୭
୫. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୪୩୨
୬. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୪୩୩
୭. Dr K.C.Panigrahy - History of Odisha - PP - 311
୮. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୪୫୪
୯. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୪୫୪
୧୦. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୪୩୯
୧୧. Culture Heritage of Orissa, Balasore, PP 263
୧୨. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ ଭାଗ - ପୃ - ୫୪୮
୧୩. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୫୨
୧୪. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୨୧୦
ମାତୃଚିନ୍ତନ କ୍ଷେତ୍ର, ଗୋପୀନାଥପୁର
ଦେହୁର୍ଦ୍ଦା, ବାଲେଶ୍ବର - ୭୫୬୦୩୬
ଭ୍ରାମ୍ୟଭାଷ : ୭୪୪୦୧୯୬୦୪୭
Go Back to Previous Page
ଅଫିସର ଯଦି ହେତି!
ବଲବନ୍ତ ସାହୁ
Read Article
ପ୍ରାଚ୍ୟର ରାଫେଲ୍ ହରିଶ
ମୀନକେତନ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ