ଟ୍ରେନର ଏସି ବଗିରେ ମଲାମୂଷା ଗନ୍ଧ ସହ
ଦି ଚାରିଟା ଜିଅନ୍ତା ଦେଖି;
ଘୃଣାରେ କି ଡରରେ କେଜାଣି ବିଚାରପତି ମହୋଦୟ
ଓହ୍ଲେଇଗଲେ ଆଗ ଷ୍ଟେସନରେ ଟ୍ରେନକୁ ରୋକି!
ଏ ଖବର ଟିଭିରୁ ଦେଖି କୌତୁହଳ
ଜାତ ହେଲା ବି ମୋର ମନରେ;
ତେଣୁ ସବିଶେଷ ବିବରଣୀ ପାଇଁ ମୁଁ ହାଜର ହେଲି ରେଳ
ବିଭାଗରେ କାମ କରୁଥିବ ମୋ ବନ୍ଧୁ ନିକଟରେ।
ପଚାରିଲି - ଭାଇ କି କାମ କରୁଚ କିଓ
ରେଳବଗିରେ ମୂଷା ଡେଉଁଛନ୍ତି;
ରେଳ କର୍ମଚାରୀ ବନ୍ଧୁ କହିଲା- ମୂଷା ଗୁଡାକ
ନିରୀହ ପ୍ରାଣୀ, ସେତେ ବେଶି କ୍ଷତିକାରକ ନୁହଁନ୍ତି!
କହିଲି - ହଁ ବୁଝେଇ ତ ଦେଉଛ
କହିକରି ଭାରି ଚିକଣିଆ ଭାଷା;
ମୂଷାକୁ ଖାଇବା ଲୋଭରେ ତା ପଛେପଛେ
ସାପ ଯଦି ପଶିଲା ପଡିବ ମହାଦଶା!
ବନ୍ଧୁ କହିଲା - ସହଜେ ତ ରେଳସେବା କ୍ଷତିରେ ଚାଲିଚି
ଭଡ଼ାଦର ବଢ଼େଇଲେ କରୁଚ ପାଟି;
ଏତିକି ଟଙ୍କାରେ ମୂଷା ନୁହେଁ ତ ଆଉ କଣ ଦେଖାନ୍ତୁ
ଆଣିକି ବାଘ, ଭାଲୁ, ହାତୀ?
ବରଂ ଟ୍ରେନରେ ମୂଷା ରହିବାଟା ଘରୁଆ
ପରିବେଶ ସୃଷ୍ଟି କରେ;
ଖାସ୍ ମୂଷାର ଉପସ୍ଥିତି ଯୋଗୁ ଆପଣ
ଜାଣି ପାରିବେନି ଟ୍ରେନରେ ଅଛନ୍ତି କି ଘରେ!
ତା ଛଡା ଆପଣ ମାନେ ତ ଭଦ୍ରଲୋକ ସାଜି
ପଳେଇ ଯାଆନ୍ତି କାଗଜ ପକେଇ ଖାଇ ମୁଢି;
ବଗିରେ ବୁଟ, ମଟର ଓ ଚିନାବାଦାମ ଖାଇ
ତାର ଚୋପାକୁ ଫୋପାଡି।
ସଫେଇ କର୍ମଚାରୀମାନେ ବି ଦରମା ବୃଦ୍ଧି ଦାବୀରେ
ଅଧାଦିନ କାମ ବନ୍ଦ୍ କରନ୍ତି ବର୍ଷସାରା;
ମୂଷାମାନେ ଅଛନ୍ତି ବୋଲି ସିନା
ସେସବୁକୁ ଖାଇ ବଗିକୁ ରଖନ୍ତି ସଫାସୁତୁରା!
ମୁଁ ପଚାରିଲି ବାଃ ଟ୍ରେନରେ ମୂଷାପାଳନର
ସକରାତ୍ମକ ଦିଗ ସରିଲା ନା ଆହୁରି ଅଛି?
ବନ୍ଧୁ କହିଲା ଅଛିନା, ତୁ ତ ଜାଣିଛୁ
ଆଜିକାଲି ସବୁକିଛିର ଗୈରୀକରଣ ଚାଲିଛି!
ତେଣୁ ଟ୍ରେନ୍ରେ ତ ଆଉ ବିରାଜମାନ
କରିପାରିବୁନି ଶ୍ରୀ ଗଣେଶଙ୍କୁ ;
ତେଣୁ ପ୍ରତିନିଧି ଭାବରେ ନିର୍ଭୟ
ଆଶ୍ରୟ ଦେଇଛୁ ତାଙ୍କର ମୂଷା ବାହନକୁ!!
ମୁଁ କହିଲି ବାଃ ଲାଗୁଛି
ସବ୍କା ସାଥ୍ ସବ୍କା ବିକାଶର ଛାପ ଏଠି ବି ବସିଛି;
ଏଠି ମଣିଷ ସହ
ଜନ୍ତୁଜୁନ୍ତାଙ୍କ ପାଇଁ ବି ଅଛେ ଦିନ୍ ଆସିଛି!
ଏବେ ମୁଁ ବୁଝୁଛି ଟ୍ରେନ୍ ଭିତରେ ଗନ୍ଧୁଥିବା
ମୂଷାଟା କାହିଁକି ମରିଥିବ;
ଲାଗୁଛି ଏଡିକିଟେ ଜୀବ ହୋଇ
ଏଡ଼େ ବଡ଼ ଟ୍ରେନ ପରିଚାଳନାର ଚାପରେ ଆତ୍ମହତ୍ୟା କରିଥିବ!!
Go Back to Previous Page
ଆମେକଣ୍ଟ୍ରାକ୍ଟ୍ କର୍ମଚାରୀ
ଶୁଭକାନ୍ତ ସାହୁ
Read Article
ଜୀବନ୍ ପାଏନ୍ ଫୁଟକା
ଆଶୁତୋଷ ମେହେର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ