ଆମେ କଣ୍ଟ୍ରାକ୍ଟ କର୍ମଚାରୀ
ଆମେ କଣ୍ଟ୍ରାକ୍ଟ କର୍ମଚାରୀ
ସରକାରଙ୍କର ସାବତ ସନ୍ତାନ
ନୋହୁଁ ପୁରା ସରକାରୀ
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ଆମ ସରକାର ଭାରୀ ଉଦାର
ଚାହାନ୍ତିନି କେହି ରହୁ ବେକାର
ଖଲିଛି ଭଣ୍ଡାର ଚୁକ୍ତି ନିଯୁକ୍ତିର
ରହିନୁ କେହି ବେକାରୀ
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ନିୟମିତଙ୍କର ଯୋଗ୍ୟତା ଯାହା
ଆମ ପାଖେ ଥିଲେ ଥାଉ ବି ତାହା
ଆମେ ନୋହୁଁ କେବେ ସମକକ୍ଷ ତାଙ୍କ
(ମାତ୍ର) ସବୁ କରୁ ତାଙ୍କ ପରି ।
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ସରକାରଙ୍କର ଖୋଲା ଆହ୍ୱାନ
ସମାନ କାମକୁ ଏକା ବେତନ
ନିୟମିତ ଆଉ ଚୁକ୍ତି ବଦ୍ଧ କାମ ଏକ?
ନା, ନା ଏକପରି ।
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ହଜାରେ, ପନ୍ଦ୍ରଶ, ତିନି ହଜାର
ଚୁକ୍ତିରେ ବିକିଛୁ ମୁଣ୍ଡ ଆମର
କେତିକି ଖାଇବୁ କେତିକି ପିନ୍ଧିବୁ
ପରିବାର ସାଙ୍ଗେ ଧରି ?
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ନିୟମିତ ପୁଅ ପାରେନି ଚଳି
ମାସେ ଟଙ୍କା ବିଂଶ ହଜର ଧରି
ପନ୍ଦର ଶହ କି ତିନି ହଜାରେ
ଆମ ପେଟ ଯାଏ ପୁରି ।
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ନିୟମିତେ ସିନା ମୋଟା ବେତନ
କରିବେ କୁଟୁମ୍ବ ପ୍ରତି ପୋଷଣ
ବାପା, ମାଆ, ସ୍ତ୍ରୀ, ପିଲା ଛାଡିଦେଇ
ହେବୁ କି କୌପିନି ଧାରୀ?
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ବେତନ କମିଶନର ସୁପାରୀ
ତେଲିଆ ମୁଣ୍ଡରେ ତେଲ ଅଜାଡି
ଆମ ମୁଣ୍ଡ ଥାଉ ଜଟ କି ନୁଖୁରା
ଆମ ପାଇଁ ତେଲ ଯାଏ ସରି ।
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ଛାତ୍ର ବେଳେ ଭଲ ପଢିଲୁ ବୋଲି
ସରକାରଙ୍କଠି କଲୁ ଚାକିରୀ
ସେଇ ଅପାଠୁଆ ବୋଧେ ଭଲ ଯିଏ
ମାଲିକର ନଉକରୀ ।
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
ମନ୍ତ୍ରୀ ବିଧାୟକ ଦରମା ବଢୁ
ଗ୍ରସ୍ତ ଖର୍ଚ୍ଚ ଭତ୍ତା ତା’ଠୁଁ ବି ବଢୁ
ସମାଜ ସେବୀ ସେ ଜନ ପ୍ରତିନିଧି
ନଅଣ୍ଟିଲେ ଆମ ଦରମାରୁ ନିଅ କାଢି
ଆମେ କଣ୍ଟ୍ରାକ୍ଟ କର୍ମଚାରୀ ।
(ରାଜକୋଷରେ ଅର୍ଥାଭାବ ଆଳରେ ଚୁକ୍ତି ନିଯୁକ୍ତି ସୃଷ୍ଟି କରାଯାଇଥିଲା । ଯେଉଁ ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ବହୁତ କମ୍ ଦରମା ପାଉଥିଲେ, ସେତେବେଳେ କିନ୍ତୁ ସେ ସମୟରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ବିଧାନ ସଭାରେ ନିଜ ଦରମା ବୃଦ୍ଧି ବିଲ୍ କୁ ସ୍ବୀକୃତି ଦେଇଥିଲେ। ଠିକ୍ ଏହି ସମୟରେ ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦରମା ୪୦୦୦ ରୁ ୩୫୦୦ ଟଙ୍କାକୁ କମାଇ ଦିଆଯାଇଥିଲା ।)
Go Back to Previous Page
ବୈଶାଖ
ବରୁଣ କୁମାର ଦାସ
Read Article
ଟ୍ରେନ୍ରେ ମୂଷା
ଡ: କୁଳାଙ୍ଗାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ