ମାଆ,
ମୁଁ ଠୁକୁ ଠୁକୁ ଚାଲୁଥିଲି
ପଡୁଥିଲି ଝୁଣ୍ଟି କେତେଥର,
ପଣତ କାନିରେ ତୋ’ର ଝାଡୁଥିଲୁ ଧୁଳି
କେବେ ପୁଣି ପୋଛୁଥିଲୁ ମୋ ଲୁହଧାର
ମାଆ,
ପେଟପୁରା ଖାଇବା ନଥିଲା
ଆମ ଅଭାବୀ ସଂସାରେ
ହେଲେ ଭରି ରହିଥିଲା ତୋ ସ୍ନେହ
ମୁଠାଏ ଭାତକୁ ସାତବାଣ୍ଟ କରୁଥିଲୁ ତୁ
ପୁରାଇ ଆମର ପେଟ,
ନିଜେ ଶୋଉଥିଲୁ ଓପାସ ଭୋକରେ
ତୋ’ ମନତେ ଏତେ ଟିକିଏ ଦୁଃଖ!
ମାଆ,
ଥକି ଯାଇନାହିଁ କେବେ ତୋ’ର ପାଦ
ବିଶ୍ରାମ ମାଗିନି କେବେ ତୋ’ର ଦେହ
ଯେବେ ଶୀତକାକରରେ ଢାଙ୍କି ଦେଉଥିଲୁ ଆମେ
ହେଁସ କତରାରେ
ଶୋଉଥିଲୁ ମଶାରୀ ତଳେ
ମାଆ, ତୋ ପଣତ ବିଛାଉଥିଲୁ
ମୋ’ ଦେହର ତଳେ
ମାଆ,
ତୋତେ ଲାଗେନାହିଁ କେବେ ଥଣ୍ଡା
କିବା ଲାଗେନା କାମରେ କଷ୍ଟ
ତୋ ପଣତକାନିରେ ପୋଛୁ ଆମ ଗୁହମୁତ
ସେ ପଣତ ଚିରି କେବେ ହୁଏନାହିଁ ନଷ୍ଟ
ମାଆର ଦୁଃଖକୁ କିଏ ହିସାବ ରଖିଛି କୁହ
ପ୍ରତିଟି ପ୍ରାଣରେ
ମାଆ, ତୋ ଆତ୍ମାକୁ ବାନ୍ଧିଛୁ
ଜୀବନେ ପିଇଛୁ ଅନେକ ଲୁହ
ମୋ ବାପାଙ୍କର କଷ୍ଟକୁ ବାଣ୍ଟିନେଇ
ହଳିଆ ଭଳି କାମ ତୁ କରିଛୁ
ତେଜରାତି ବିକି
ନେଇଛୁ ତୁ ବାପାଙ୍କର ପକ୍ଷ
କେଉଁଠି ଥମିନି ତୋ’ର ସଂସାରର ରଥ
ସାଇତିନୁ ଅଭିମାନ ସାତଗଣ୍ଠି କରି
ସୁଖ ସବୁ ବାଣ୍ଟିଦେଇ
ଲୁଚାଇଛୁ ଜୀବନର ଯେତକ ଲୋତକ
ମାଆ,
ଆଜି ବି ଝୁରୁଛି ଏତେ ଦୂରେ ଥାଇ
ସେଇ ତୋ’ର ପଣତ କାନିକୁ
ଯିଏ ପୋଛିଦେବ ମୋର ଦୁଃଖ
ହେଲେ ମାଆ!
ଭରା ମୋ ସଂସାରେ ସବୁ ସୁଖ ଅଛି
ହେଲେ ଆଖିରୁ ଝରୁଛି ଲୁହ
ପାଆଁଶ ଯୋଜନ ଦୂରେ ଥାଇ
ମାଆ, ମୋ ଆଖିରୁ ଝରୁଥିବା ଲୁହ
ତୋ ପଣତ କେମିତି ପୋଛିବ କହ,
ତୋ, ପଣତକାନିକୁ ଝୁରି ମରୁଥିବି
ତା’ ମଧ୍ୟରେ ବାନ୍ଧି ରଖିଛି ସବୁ ମୋହ
ସେ ପଣତେ ଭରି ରହିଥିବ ସ୍ନେହ...
ସେ ପଣତେ ଭରି ରହିଥିବ ସ୍ନେହ...
ମେଟ୍ରୋପଲିଟାନ୍ କୋପରେଟିଭ ହାଉସିଂ ସୋସାଇଟି
ସେକ୍ଟର୍ - ଏ, ପ୍ଲଟ୍ ନଂ - ୯୪
କୋଲକାତା - ୭୦୦୧୦୫
Go Back to Previous Page
ତଟିନୀ ବେଳାରେ
ପବିତ୍ର ଦାସ
Read Article
ବୀରତ୍ବ
ଡ: ସଂଘମିତ୍ରା ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ