ମାତୃମୃତ୍ୟୁ ଶିଶୁମୃତ୍ୟୁହାର
ତାଲିକାରେ ଓଡ଼ିଶାକୁ ପ୍ରଥମରେ ଦେଖି
ସ୍ବାସ୍ଥ୍ୟମନ୍ତ୍ରୀ ପକେଇଲେ ଡାକ
କେ ଅଛରେ,
ତୁରନ୍ତ ସମନ କର ସେକ୍ରେଟାରୀଙ୍କୁ
ହେବ ରୁଦ୍ଧଦ୍ବାର ବଇଠକ
ବଇଠକେ ମନ୍ତ୍ରୀଙ୍କର ଟେମ୍ପରକୁ ଦେଖି
ଆସ୍ତେ କରି ଚଷମାକୁ ଟେକି
ସେକ୍ରେଟାରୀ କହିଲେ -ବୃଥାରେ
ଆମ ଉପରେ କର କିଆଁ ରୋଷ?
ଆମେ ତ ନିରୀହ ସାର
ସବୁ ସେଇ ଡାକ୍ତରଙ୍କ ଦୋଷ
ଯେତେ ବଢ଼େଇଲେ ବି ଦରମା ଭତ୍ତା
ଡାକ୍ତର ଯାଉନାହାନ୍ତି ଗ୍ରାମାଞ୍ଚଳ ଆଡ଼େ
ସେଇଥିପାଇଁ କି ସାର
ମାତୃ ଓ ଶିଶୁମୃତ୍ୟୁହାର ହୁ ହୁ ବଢ଼େ
ମନ୍ତ୍ରୀ କହିଲେ - ଆଚ୍ଛା, ଏମନ୍ତ!
ଠିକ୍ ଅଛି, ଆଉ ଗଣ୍ଡେ ମେଡ଼ିକାଲ କଲେଜ ଖୋଲିବା
ଆମେ ଖୋଲି ନ ପାରିଲେ ପ୍ରାଇଭେଟ୍ କମ୍ପାନୀକୁ ଦେବା
ସେଇଥିରୁ ଶହ ଶହ ଡାକ୍ତର ଉତାରି
ପଠେଇବା କୋରାପୁଟ୍, ମାଲକାନଗିରି
ଡାକ୍ତର ହେଲେ ହାଉଯାଉ
ବାଧ୍ୟହୋଇ ଗ୍ରାମାଞ୍ଚଳ ଯିବେ
ସହି ନ ପାରିବେ କମ୍ପିଟିସନ ଦାଉ
ସେକ୍ରେଟାରୀ କହିଲେ - ସାର୍,
ଏଥିପାଇଁ ବହୁତ ସମୟ ଲାଗିବ;
ଅତି କମରେ ଛଅରୁ ଆଠବର୍ଷ ଯିବ
ଆପଣଙ୍କ କାର୍ଯ୍ୟକାଳ ସରି ଯାଇଥିବ ସାର୍
ମୃତ୍ୟୁହାର କଣ ଆଉ ଜଗିକି ବସିବ?
ସେଥିପାଇଁ ମୁଁ ରଖିଛି ଆଇଡ଼ିଆ ବୋମା;
ଆସନ୍ତା ଶିକ୍ଷାବର୍ଷରୁ
ଖୋଲିବା ଆମ ରାଜ୍ୟରେ ଡାକ୍ତରୀ ଡିପ୍ଲୋମା
ଯେତେସବୁ ମେଟ୍ରିକ୍ ଟପ୍ପର୍;
କହିଛନ୍ତି ଭବିଷ୍ୟତରେ ହେବାକୁ ଡାକ୍ତର
ସମସ୍ତଙ୍କୁ କରିଦେବା ଭର୍ତ୍ତି
ପ୍ଲସ୍ ଟୁରେ ବେଙ୍ଗକାଟି
ସେମାନେ ଅଧିକଟା ବା କଣ ଶିଖୁଛନ୍ତି?
ମନ୍ତ୍ରୀ କହିଲେ - ହଁ ଠିକ୍ କଥା ଯେ
ବିଶେଷଜ୍ଞ ଡାକ୍ତର ନ ହେଲେ ଲାଭ ନାହିଁ କିଛି
ଜର ଝାଡ଼ା ଉପଚାର ଛଡ଼ା
ସିମ୍ପିଲ୍ ଡାକ୍ତର କଣ ମାରିପାରେ ମାଛି?
ଆଉ କିଛି ଅଛି କି ଉପାୟ;
ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା କେମିତି ବଢ଼ିବ
ନିର୍ଭୟରେ ଖୋଲିକରି କୁହ
ସେକ୍ରେଟାରୀ କହିଲେ - ସାର୍
ରାଜ୍ୟରେ ଅଛନ୍ତି ଯେତେ ବେକାରୀ ଇଞ୍ଜିନିୟର୍
ସେମାନେ ହୋଇପାରିବେ ନିଶ୍ଚେ ବିଶେଷଜ୍ଞ
ଖାଲିଟିକେ ସର୍ଟ୍ କୋର୍ସ୍ ଟ୍ରେନିଂ ଦରକାର
ସିଭିଲ ବାଲାଏ ହେବେ ଶିଶୁ ବିଶେଷଜ୍ଞ
ଆର୍କିଟେକ୍ ବାଲାଙ୍କୁ ଦେବା ସ୍ତ୍ରୀ ଆଉ ପ୍ରସୂତୀ ବିଭାଗ
ହାଇଡ୍ରୋ ଟେକ୍ନୋଲୋଜୀଙ୍କୁ କିଡ଼ନୀ ଲିଭର
ଟେଲି କମ୍ୟୁନିକେସନଙ୍କୁ ମାନସିକ ରୋଗ
ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟର୍
ବଢ଼ିଆ କରିବେ ସାର୍ ସ୍ନାୟୁର ସର୍ଜରୀ
ଅଟୋମୋବାଇଲ୍ ବାଲା ବସିଥିବେ ହୃତପିଣ୍ଡ ଧରି
ମେକାନିକାଲ୍ ଇଞ୍ଜିନିୟର୍
ଅର୍ଥୋପେଡ଼ିକ୍ ଚିକିତ୍ସା କରିବ;
ଇଞ୍ଜିନିୟରିଂ ପରେ ଯିଏ ଏମବିଏ କରିଥିବ
ଏ ସବୁ ବିଶେଷଜ୍ଞଙ୍କୁ ସିଏ ସମ୍ଭାଳିବ
ତେଣୁ ସାର,
ଠିକାରେ ସେଇମାନଙ୍କୁ ଦିଅନ୍ତୁ ନିଯୁକ୍ତି
କାରଣ, ଯେତେକ ଇଞ୍ଜିନିୟର
ସମସ୍ତେ ପ୍ଲସ୍ ଟୁରେ ବିଜ୍ଞାନ ପଢ଼ିଛନ୍ତି
ସବୁ ଶୁଣିସାରି ମନ୍ତ୍ରୀ
ସେକ୍ରେଟାରୀଙ୍କୁ ଆଉ ଟିକେ ପାଖକୁ ଡାକିଲେ
ଫୁସ୍ ଫୁସ୍ କରି ତାଙ୍କ କାନରେ କହିଲେ,
ହେଲା ଯେ, ଗୋଟେ କଥା ବାକି ରହିଗଲା
କହିଲନି ତ ଯୌନରୋଗ ବିଶେଷଜ୍ଞ
ପଦବୀଟା କାହାକୁ ମିଳିଲା
ସେକ୍ରେଟାର୍ ସ୍ମିତହାସ୍ୟମାରି
କହିଲେ - ସାର୍, କମ୍ପ୍ୟୁଟର୍ ଇଞ୍ଜିନିୟର୍
ଛଟେଇ ହେଇ ଯାହାଙ୍କ ଯାଇଛି ଚାକିରୀ
ସେଇମାନେ ଯୌନରୋଗ ବିଶେଷଜ୍ଞ ହେବେ;
କମ୍ପ୍ୟୁଟର ଛବିକୁ ଦେଖେଇ
ଯୌନରୋଗ ଚିକିତ୍ସା କରିବେ
ସେକ୍ରେଟାରୀଙ୍କ କଥା ମନ୍ତ୍ରୀ ହେଲେ ପ୍ରୀତ;
କହିଲେ - ଏ ବାବଦରେ ଫାଇଲି ପୁଟ୍ ଅପ୍ କରି
ମୋ ପାଖକୁ ପଠାଅ ତୁରନ୍ତ
ମଧ୍ୟଖଣ୍ଡୀ, ଶ୍ରୀବଳଦେବ ଜୀୟୁ, କେନ୍ଦ୍ରାପଡ଼ା
ଓଡ଼ିଶା
Go Back to Previous Page
ପବିତ୍ର ମିଳନ
ଜ୍ୟୋତିର୍ମୟୀ ଷଡ଼ଙ୍ଗୀ
Read Article
ଭାରତମାତା କହୁଛି
ଏମ୍. ବିଜୟ କୁମାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ