ମୂଳ ହିନ୍ଦୀ-ସୁଧା କସେରା
ଓଡିଆ ଅନୁବାଦ-ମଧୁସ୍ମିତା
“ସମୟ ବଦଳି ଥିଲା ସତ,ହେଲେ ଆମ ଦୁହିଁଙ୍କର ଭାବନାରେ ତିଳେମାତ୍ର ପରିବର୍ତ୍ତନ ଆସିନଥିଲା;କିନ୍ତୁ ପରିସ୍ଥିତି ଆମକୁ ଶଦ୍ଦ ଚୟନ କରିବା ସମୟରେ ସଂଯମତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଉଥାଏ । ତେଣୁ ତାର ବନ୍ଧୁତାର ପରିସର ମଧ୍ୟରେ ରହିବା ପାଇଁ ମୁଁ ବହୁତ ଭାବିଚିନ୍ତି ସମ୍ଭାଳି ସମ୍ଭାଳି ଶଦ୍ଦସବୁ ବ୍ୟବହାର କରୁଥାଏ । ସେ ସମୟରେ କେତେ କଠିନ ଥିଲା ନିଜର ଭାବନା ସବୁକୁ ବ୍ୟକ୍ତ କରିବା ପାଇଁ..ବୟସଟା ପରା ଥିଲା ସେମିତି!ସେ ବୟସରେ ଅବ୍ୟକ୍ତ ଭାବନାକୁ ପ୍ରକାଶ କରିବା ପାଇଁ ଉପଯୁକ୍ତ ଶଦ୍ଦ ବ୍ୟବହାରର ଜ୍ଞାନ ନଥିଲା । ଆଉ ଏବେ ଅପାର ଜ୍ଞାନ ଥିବା ସତ୍ତେ୍ୱ ନିଜର ଭାବନାକୁ ପରିପ୍ରକାଶ କରିବାର ସ୍ୱାଧୀନତା ହିଁ ନାହିଁ ।”
ଯାଦୁ ଭଳି କାମ କରିଥିଲା ମୋବାଇଲ ସ୍କ୍ରିନ୍ ଉପରେ ଲେଖା ହୋଇଥିବା ସୁନୀଲର ସେଇ ଗୀତର ଗୋଟିଏ ଧାଡି। ସେ କିଛି ନକହି ମଧ୍ୟ ବହୁତ କିଛି କହିଦେଲା.. କିଛିତ ଭୁଲି ନଥିଲା ସେ! ପନ୍ଦର ଦିନର ସେଇ ପରିଚୟରେ ଏଇ ଗୀତଟି ହିଁ ଥିଲା ଯାହାକୁ ଗୁଣୁଗୁଣେଇ ସେ ନିଜର ସମସ୍ତ ଭାବନାକୁ ବ୍ୟକ୍ତ କରୁଥାଏ। ଆଉ ମୁଁ ନିଃଶଦ୍ଦରେ ସେଇ ଗୀତର ଅର୍ଥରେ ନିଜକୁ ଖୋଜୁଥାଏ। ନିଜର ଭାବଭଙ୍ଗୀ ଦ୍ୱାରା ସ୍ୱୀକାର କରିନେଇଥିଲି ତା’ର ମୌନ ନିମନ୍ତ୍ରଣକୁ। ଦୀର୍ଘ ତିରିଶିବର୍ଷ ପରେ ସୋସିଆଲ ମିଡ଼ିଆରେ ତା’ର ନାଁ ସାଙ୍ଗକୁ ଔପଚାରିକତାପୂର୍ଣ୍ଣ ସନ୍ଦେଶଟିଏ “ହ୍ୟାଲୋ ପୂଜା, କେମିତି ଅଛ ?” ମୋ ମନରେ ଝଡ଼ ସୃଷ୍ଟି କରୁଥାଏ। ପରିସ୍ଥିତି ଆଉ ସମୟର ବହଳ ଚାଦର ତଳେ ଚାପି ହୋଇ ତାର ଅସ୍ତିତ୍ୱ କେବେଠୁ ମୋ ପାଇଁ ଶେଷ ହୋଇ ଯାଇଥିଲା। କଥାରେ ଅଛି ଯଦି ରକ୍ଷଣ ବେକ୍ଷଣ ଠିକ୍ ଭାବରେ କରା ନଯାଏ ତେବେ ମହଲ ମଧ୍ୟ ଭୂତଖାନାରେ ପରିଣତ ହୋଇଯାଏ। ସେଥିରେ ପୁଣି ସେ ବୟସ ମଧ୍ୟ ଥିଲା ସେମିତି.. କିଶୋରାବସ୍ଥା! ସେଇ ବୟସରେ ନାଁ ତ ଭବିଷ୍ୟତର କୌଣସି ସ୍ୱପ୍ନ ଥାଏ, ନା’ତ କୋଉ ପ୍ରତିଜ୍ଞା। ବାସ୍ ଖାଲି କାହାର ମୂକ ପ୍ରଶଂସାଭରା ଆଖିରେ ଆଖି ମିଶିଯିବା ମାତ୍ରେ ଏକ ଅଜଣା ରୋମାଞ୍ଚ ଅନୁଭବ ହେବା ସହ ମନଖାଲି ସୁନ୍ଦର ସ୍ୱପନ ସଜେଇବାରେ ଲାଗିପଡେ। ସମୟ ସତରେ ବହୁତ ବଳବାନ୍। ସବୁ ପ୍ରକାରର ଭଲ-ମନ୍ଦ ଘଟଣାକୁ ଭୁଲିବା ପାଇଁ ମଲମ ପରି କାମ କରେ। ହେଲେ ଏଇ ନୂଆ ଟେକ୍ନୋଲୋଜି ତ ମୋର ଅତୀତକୁ ସାକ୍ଷାତ ମୋ ସାମ୍ନାରେ ଆଣି ଠିଆ କରେଇଦେଲା। ଶାନ୍ତ ସମୁଦ୍ରରେ ଝଡ଼ ସୃଷ୍ଟି କରି ଦେଇଥିଲା ତା’ର ଉପସ୍ଥିତି।
ମୁଁ ଚିନ୍ତାରେ ପଡିଗଲି.. ଏହା ମୋ ପାଇଁ ବରଦାନ ନା ଆଶୀର୍ବାଦ! ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏ ଘଟଣାର କୌଣସି ଔଚିତ୍ୟ ଥିଲା ପରି ମନେ ହେଉନଥାଏ। ଖାଲି ଯାହା ଇଏ ମନକୁ ଆନ୍ଦେଳିତ କରି ବ୍ୟତିବ୍ୟସ୍ତ ହିଁ କରେଇବ। ପ୍ରଥମରୁ ଔପଚାରିକତା କଥାବାର୍ତ୍ତାରୁ ଜାଣିଲି ଯେ ଭୋପାଳରେ ରହୁଛି। ମୁଁ ତ ମୁମ୍ବାଇରେ ତଥା ସେ ସେଠି, ଉଭୟେ ନିଜ ନିଜର ପରିବାର ସହ ଜୀବନ ବିତାଉଛୁ। ଦିନେ ଅଚାନକ ମୋବାଇଲ ସ୍କ୍ରିନ୍ ଉପରେ ତା’ର ସେଇ ଗୀତର ଲାଇନ୍କୁ ପଢ଼ି ମୋ ମନର ଅବସ୍ଥା ଠିକ୍ ସେମିତି ହୋଇଥିଲା ଯେତେବେଳେ ପ୍ରଥମଥର ତା’ର ଆଖିର ନୀରବ ପ୍ରେମ ନିବେଦନକୁ ଦେଖି ହୋଇଥିଲା। ତା’ ହେଲେ ସେ କ’ଣ ଆଜି ପର୍ଯ୍ୟନ୍ତ କିଛି ଭୁଲି ନଥିଲା! ସେଇ ଗୀତର ପଂକ୍ତିକୁ ପଢ଼ି ପ୍ରତିକ୍ରିୟା ସ୍ୱରୂପ ତିରିଶବର୍ଷ ତଳର ସେଇ ଅବ୍ୟକ୍ତ ଭାବନାକୁ ଦବେଇ ରଖିବାରେ ମୁଁ ଅସମର୍ଥ ହୋଇ ପଡ଼ୁଥାଏ। ଶେଷରେ ବିବଶ ହୋଇ ପଡିଥିଲି ପ୍ରତ୍ୟୁତ୍ତର ଦେବାଲାଗି।
ମୁଁ ଲେଖିଲି.. ତୁମର କ’ଣ ତା’ହେଲେ ସବୁକିଛି ମନେ ଅଛି..? ଏବେ ଆମ ଦୁହିଁଙ୍କ ପାଇଁ ପରିସ୍ଥିତି ଅନୂକୁଳ ନାହିଁ। ହେଲେ ଆମ ସାଙ୍ଗ ହିସାବରେ କଥାବାର୍ତ୍ତା ତ କରିପାରିବା। ଆମେ ଦୁହେଁ ଏବେ ନିଜ ନିଜ ଦାୟିତ୍ୱରୁ ମୁକ୍ତ ହୋଇ ସାରିଛେ। ତେଣୁ ସମ୍ପର୍କ ଏହି ନୂଆ ମୋଡ଼ ଯୋଗୁଁ ନିଜ ପରିବାର ପ୍ରତି ଥିବା ଦାୟିତ୍ୱବୋଧରୁ ତ ଆମେ ଦୂରେଇ ଯାଇ ପାରିବା ନାହିଁ, ହେଲେ ବୟସର ଏଇ ଅପରାହ୍ନରେ ଯେଉଁ ଶୂନ୍ୟତା ଆସି ଯାଇଛି ନିଶ୍ଚୟ ପୂରା କରି ପାରିବା। ତୁମର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ। ମୋ ହୃଦୟରେ ଆଜି ମଧ୍ୟ ସେହି ସ୍ଥାନ ଖାଲି ପଡିଛି..; ଏ ମେସେଜ୍ ପଠେଇ ସାରିଲା ପରେ କିନ୍ତୁ ମୋ ଭିତରେ ଏକ ଅଜଣା ଗ୍ଲାନିଭାବ ଆସିଗଲା। ତା’ର ସେହି ମେସେଜ୍ ପଛରେ କି ଉଦ୍ଦେଶ୍ୟ ଅଛି ନ’ଜାଣି ନବୁଝି ମୁଁ କେତେ କ’ଣ ଲେଖି ପକେଇଲି..!
ଏତେ ବର୍ଷ ଭିତରେ ତା’ ବ୍ୟକ୍ତିତ୍ୱର କି ପ୍ରକାର ପରିବର୍ତ୍ତନ ଆସିଥିବ? ତା’ର ଚିନ୍ତାଧାରା କେମିତି ହୋଇଥିବ? ସେସବୁ ପଢ଼ି କ’ଣ ଭାବିବ ସେ? ଜଣେ ମହିଳା ବାହା ହେଲା ପରେ ମଧ୍ୟ ପରପୁରୁଷ ସହ ସମ୍ପର୍କ ରଖିବାକୁ ଚାହୁଁଛି..! ହଁ, ପରପୁରୁଷ ଥିଲା ସିଏ! ତା’ ସହିତ ସେଇ ପନ୍ଦରଦିନ ସମ୍ପର୍କ ମାତ୍ର। ଏତେ ବର୍ଷର ପରେ ଏଇ ସମ୍ପର୍କ କୌଣସି ନିକଟତର ସମ୍ପର୍କ ଆଡକୁ ମଧ୍ୟ ଇଙ୍ଗିତ କରୁନାହିଁ। ବିଶେଷ କରି ଆମେ ପରସ୍ପରକୁ ଯେଉଁ ସମୟରେ ଭେଟିଥିଲୁ, ସେତେବେଳେ ଝିଅମାନଙ୍କର ଏ ପ୍ରକାର ଖୋଲାଖୋଲି ମିଳାମିଶାକୁ ଆମର ଏଇ ପୁରୁଷପ୍ରଧାନ ସମାଜ ନିର୍ଲ୍ଲଜତାର ଆଖ୍ୟା ଦେବାକୁ ପଛେଇନଥାନ୍ତା। ତା’ଛଡା ଆମ ସଂସ୍କାର ମଧ୍ୟ ଆମକୁ ଏହି ଶିକ୍ଷା ହିଁ ଦେଉଛି।
କାଶ୍! ଏମିତି କିଛି ବଟନ୍ ଥାନ୍ତା କି ଯାହାକୁ ଦବେଇବା ମାତ୍ରେ ପଠା ଯାଇଥିବା ମେସେଜ୍ଟା ଡିଲିଟ୍ ହୋଇଯାନ୍ତା! ଭୟଭୀତ ହୋଇ ନିଜ ଫୋନର ସ୍କ୍ରୀନରୁ ତ ମେସେଜ୍କୁ ଡିଲିଟ୍ କରିଦେଲି ହେଲେ ତା’ର ଉତ୍ତର ପଢ଼ି ମୋର ଆତ୍ମଗ୍ଲାନି ଆହୁରି ବଢ଼ିଗଲା। ତା’ର ଜବାବ୍ ଥିଲା କିଛି ଏହିପରି.. ମୁଁ କେବଳ ତୁମର ବନ୍ଧୁତା ଚାହେଁ। ଏତେଟା ଇମୋସନାଲ ହେବା ଠିକ୍ ନୁହେଁ! ମୁଁ ତାର ପ୍ରତ୍ୟୁତ୍ତରରେ ଲେଖିଲି, ମତେ କିଛି ସମୟ ଦରକାର..
ଖରାପ ହୋଇଗଲା ମନଟା। ଭୁଲିତ ଯାଇଥିଲି ମୁଁ ସବୁକିଛି। ନିଜର ନୀରସ ବିବାହିତ ଜୀବନ ସହ ବୁଝାମଣା କରି ନେଇଥିଲି। ଏବେ ଏସବୁ କଣ ପାଇଁ ହେଉଛି? ବୟସର ଯେଉଁ ସୋପାନରେ ମୁଁ ଥିଲି ସେଠି ମୋର ଶାରୀରିକ ଶକ୍ତି ଧିରେ ଧିରେ କମିବାକୁ ଲାଗୁଥାଏ। ଖାଲି ଯାହା ସୁସ୍ଥ ରହିବା ପାଇଁ ତଥା ଶାନ୍ତି ଟିକିଏ ପାଇବା ପାଇଁ ମଣିଷ ଏଣେ ତେଣେ ଘୁରିବୁଲେ ଆଉ ଯେଉଁଠି ଟିକେ ସ୍ନେହ-ଆଦର ପାଏ ସେଠିକି ସବୁବେଳେ ଯିବାକୁ ଚାହେଁ। ଦେଖିବାକୁ ଗଲେ କିଶୋର ଅବସ୍ଥା ଆଉ ଏଇ ପରିଣତ ବୟସରେ ଦାୟିତ୍ୱମୁକ୍ତ ମାନସିକତା ଓ ଆବଶ୍ୟକତା ମଧ୍ୟରେ ବିଶେଷ କିଛି ଫରକ ନଥାଏ ।
ମୁଁ ଭାବୁଥିଲି ଭଲପାଇବାକୁ କେବେବି ବନ୍ଧୁତାରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ବନ୍ଧୁତା ଓ ଭଲପାଇବା ମଧ୍ୟରେ ସୀମାରେଖା ଟାଣିବା ଅସମ୍ଭବ । ମୁଁ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲି ନିଜ ଭାବନା ଉପରେ ପୁରା ନିୟନ୍ତ୍ରଣ ରଖିବି ଏବଂ ତା’ ଆଗରେ ଏସବୁକୁ ବ୍ୟକ୍ତ ହେବାକୁ ଦେବିନାହିଁ । କିନ୍ତୁ ପ୍ରଥମେ ପ୍ରଥମେ ଚାଟିଙ୍ଗ୍ କରିବା ସମୟରେ ମନ ହୁଏ ଟିକେ ରୋମାଣ୍ଟିକ କଥା ଲେଖିବାକୁ । ତା’ର ପ୍ରତ୍ୟେକ ବାକ୍ୟରେ ମୁଁ ଯଥାର୍ଥ ଅର୍ଥ ଖୋଜିବାକୁ ଲାଗେ । ବେଳେବେଳେ ଏଥିରେ ଅସଫଳ ହେଲେ ଅତୃପ୍ତ ମନଟା ଉଦାସ ହେବା ସହ ଏକ, ସୁରକ୍ଷିତ ଭାବନା ମନରେ ଘର କରି ବସେ । ବେଳେବେଳେ ଏଇ ସମ୍ପର୍କଟା ଅସ୍ଥାୟୀ ସମ୍ପର୍କ ନୁହେଁ ତ ? ବୋଲି କଥାଟି ମନକୁ ଆସେ । ଯଦି ଏଇ ସମ୍ପର୍କ ଆଗକୁ ବଢ଼େ ତେବେ ପ୍ରତିକୂଳ ପରିସ୍ଥିତିରେ କେମିତି ଆଗକୁ ବଢ଼ିବ ? ମୁଁ ଚାଟିଙ୍ଗ କରି ସନ୍ତୁଷ୍ଟ କରିବାକୁ ଚାହୁଁଥିଲି । ହେଲେ ମୋର ସ୍ୱର ଶୁଣିବା ପାଇଁ ତାର ଅନୁରୋଧରେ ସମ୍ମୋହିତ ହୋଇ ନିଜକୁ ସେଥିରୁ ଦୂରେଇ ରଖି ପାରିଲିନାହିଁ । ଫୋନ୍ କରିବା ମାତ୍ରେ ମୋର ପ୍ରଥମ ବାକ୍ୟ ଥିଲା, ତୁମେ କ’ଣ ମୋତେ ଆଜି ପର୍ଯ୍ୟନ୍ତ ମନେରଖିଛ ?
“ଆରେ, ଯାହାକୁ ଭୁଲି ଯାଇଥା’ନ୍ତି ତାଙ୍କୁ ସିନା ମନେ ପକାଯାଏ । କିନ୍ତୁ ତୁମକୁ ତ, ମୁଁ କେବେବି ଭୁଲି ନଥିଲି । ତୁମର ସ୍ମୃତି ସହ ବଞ୍ଚିବା ଶିଖିଯାଇଥିଲି ମୁଁ । ତୁମେ ଯେ ମୋଠୁଁ ଦୂରରେ ଅଛ ବୋଲି ମୋତେ କେବେ ଲାଗି ନାହିଁ.. ଏହିପରି ଭାବେ ସେ ଆଉ ମୁଁ ଦୁହେଁ ମିଶି ଆମର ସେଇ ସୁପ୍ତ ସ୍ମୃତି ସବୁକୁ ଶଦ୍ଦର ନୂତନ ପୋଷାକ ପିନ୍ଧେଇବା ଆରମ୍ଭ କରିଦେଲୁ ।
ସମୟ ବଦଳିଥିଲା ସତ ହେଲେ ଆମ ଦୁହିଁଙ୍କ ଭାବନାରେ ତିଳେ ମାତ୍ର ପରିବର୍ତ୍ତନ ଆସି ନଥିଲା । କିନ୍ତୁ ପରିସ୍ଥିତି ଆମକୁ ଶଦ୍ଦ ଚୟନ କରିବା ସମୟରେ ସଂଯମତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଉଥାଏ । ତେଣୁ ତାର ବନ୍ଧୁତାର ପରିସର ମଧ୍ୟରେ ରହିବା ପାଇଁ ମୁଁ ବହୁତ ଭାବିଚିନ୍ତି ସମ୍ଭାଳି ସମ୍ଭାଳି ଶଦ୍ଦସବୁ ବ୍ୟବହାର କରୁଥାଏ । ସେ ସମୟରେ କେତେ କଠିନ ଥିଲା ନିଜର ଭାବନା ସବୁକୁ ବ୍ୟକ୍ତ ପ୍ରକାଶ କରିବା ପାଇଁ.. ବୟସଟା ପରାଥିଲା ସେମିତି! ସେ ବୟସରେ ଅବ୍ୟକ୍ତ ଭାବନାକୁ ପ୍ରକାଶ କରିବା ପାଇଁ ଉପଯୁକ୍ତ ଶଦ୍ଦ ବ୍ୟବହାରର ଜ୍ଞାନ ନଥିଲା ଆଉ ଏବେ ଅପାର ଜ୍ଞାନ ଥିବା ସତ୍ତ୍ବେ ନିଜର ଭାବନାକୁ ପରିପ୍ରକାଶ କରିବାର ସ୍ୱାଧୀନତା ହିଁ ନାହିଁ ।
କଥାବାର୍ତ୍ତା ଶେଷ ହୋଇଗଲା ପରେ ମନ ବ୍ୟାକୁଳ ହୋଇ ଉଠେ ଯେମିତି କିଛି ଗୋଟେ ଅପୂର୍ଣ୍ଣତା ରହିଯାଉଛି ଭାବି । ମୁଁ ତାକୁ ହରେଇବାକୁ ଚାହୁଁ ନଥିଲି । ତେଣୁ ମନେ ମନେ ଏହାର ପରିଣତି ଉପରେ ଛାଡ଼ି ଦେଲି । ମୁଁ ତ କୌଣସି ପ୍ରକାର ଚେଷ୍ଟା କରିନଥିଲି ତାକୁ ଦେଖା କରିବା ପାଇଁ! ୟେ ବୋଧେ ସବୁ ଭଗବାନଙ୍କ ଲୀଳା । ଜୀବନରେ କାହା ସହ ଦେଖା ହେବା ପଛରେ କିଛି ନା କିଛି ଉଦ୍ଦେଶ୍ୟ ଥାଏ । ମୋର ଅସ୍ଥିର ତଥା ନିରାଶରେ ଭରା ମନକୁ ସାହାରା ଦେବା ପାଇଁ ଭଗବାନ ତାକୁ ମୋ ସହ ଯୋଡ଼ିଛନ୍ତି ବୋଧେ ।
ପନ୍ଦରଦିନର ସେଇ ମିଳାମିଶାରୁ ମୁଁ ଏତିକି ଜାଣି ଯାଇଥିଲି ଯେ ସେ ଆମର ଏଇ ନୀରବ ପ୍ରେମକୁ ବହୁତ ଗମ୍ଭୀରତାର ସହ ନେଇଛି । ହେଲେ ଆମର ସାମାଜିକ ଚଳଣୀ ଯେପରି ଥିଲା ସେପରି ପରିସ୍ଥିତିରେ ଏସବୁ କଥାର କୌଣସି ଭବିଷ୍ୟତ ନଥିଲା । ଆମ ଭିତରେ ଚାଲିଥିବା ଚିଠି ଦିଆନିଆ ହଠାତ୍ ବନ୍ଦ ହୋଇଯିବାରୁ ତାର ଅସଲ କାରଣ କ’ଣ ଜାଣିବାକୁ ଚେଷ୍ଟା ନକରି ବାହାଘର ପୂର୍ବରୁ ତା’ର ଚିଠିଗୁଡ଼ିକୁ ମାଟିରେ ପୋତି ସେଇ ସମ୍ପର୍କକୁ ସବୁଦିନ ପାଇଁ ମାଟିରେ ମିଶେଇ ଦେଇଥିଲି । କିନ୍ତୁ ପରେ ଜାଣିଲି ମୋ ଦ୍ୱାରା ଲେଖା ହୋଇଥିବା ଚିଠି ତା’ ବଡଭାଇଙ୍କ ହାତରେ ପଡ଼ିଯିବାରୁ ଆମର ଚିଠି ଦିଆନିଆ ଉପରେ ଅଙ୍କୁଶ ଲଗାଇ ଦିଆଯାଇଥିଲା । ବାଦଲରେ ଯେଉଁ ପରି ଭାବେ ବିଜୁଳି ତାର ଅସ୍ତିତ୍ୱକୁ ଚମକାଇ ଜାହିର କରେ ଠିକ୍ ସେହିପରି ସେ ମଧ୍ୟ ମୋର ଧୂମିଳ ହୋଇ ଯାଇଥିବା ମାନସପଟରେ ବେଳେବେଳେ ତା’ର ଉପସ୍ଥିତି ଜାହିର କରେ । ପୁଣି ବାଦଲ ହଟିଗଲା ପରି ସବୁକିଛି ଶୂନ୍ୟରେ ମିଳେଇ ଯାଏ ।
ଏବେତ ପ୍ରତ୍ୟେକ ଦିନ କଥାବାର୍ତ୍ତା ଚାଲୁ ହୋଇଗଲା । ସମୟ ମଧ୍ୟ ନିର୍ଦ୍ଧାରିତ କରିନେଇଥିଲୁ କଥାବାର୍ତ୍ତା ହେବା ପାଇଁ । ଫୋନ୍ ଆସିବା ପୂର୍ବରୁ ଗୋଟେ ବ୍ୟସ୍ତ ବ୍ୟସ୍ତ ଭାବ ସାଙ୍ଗକୁ ଫୋନ୍ କରିବା ସମୟରେ ଏକ ଅଜଣା ରୋମାଞ୍ଚର ଅନୁଭବ ହୋଇଥାଏ । କେହି ଯେପରି ନଦେଖନ୍ତି ସେଇଭଳି ଯାଗାରେ ଯାଇ କଥାବାର୍ତ୍ତା ହୁଏ । ବେଳେବେଳେ ଗୋଟେ ଅପରାଧ ଭାବନା କିନ୍ତୁ ମନକୁ ଆସେ.. ଏମିତି କି ପାପ କରୁଛି ଯେ ସ୍ୱାମୀଙ୍କୁ ଲୁଚେଇ କରିବାକୁ ପଡୁଛି ? କେବଳ କଥାତ ହେଏଛି..! କି ପ୍ରକାର ସମ୍ପର୍କ ଇଏ..? ଏ ସମ୍ପର୍କ ଏତେ ପବିତ୍ର ହେବା ସତ୍ତ୍ବେ ବିବାହ ପରେ ଏହାକୁ ଅନୈତିକ ବୋଲି ହିଁ କୁହାଯାଏ । ଆମେ ରାଧାଙ୍କ ସହ କୃଷ୍ଣଙ୍କର ଅଲୌକିକ ପ୍ରେମଗାଥା ଗାଇ ଗାଇ ଥକୁନେ । ରାଧାଙ୍କ ନାଁ ରେ ସାରା ବୃନ୍ଦାବନ ନଗରୀ ଗୁଞ୍ଜରିତ ହେଉଥିଲା ବେଳେ ଏଠି ଲୌକିକ ପ୍ରେମକୁ ବ୍ୟଭିଚାରର ଆଖ୍ୟା ଦେଇଥାଉ । ଏ କି ପ୍ରକାର ଦୋମୁହାଁ ମାନସିକତା ?
ସ୍ୱାମୀ ଆମର ଭାବନାକୁ ନ ବୁଝିଲେ ଆମକୁ ମଧ୍ୟ ତାଙ୍କ ସହ ବାଧ୍ୟ ବାଧକତାରେ ସାରା ଜୀବନ କାଟିବାକୁ ପଡ଼େ । ଜୀବନଟା କଣ ହେଇଛି ଏଇମିତି ଶେଷ ନିଶ୍ୱାସ ତ୍ୟାଗ କରିବା ପାଇଁ ? ଏଇ ସମାଜ ଦ୍ୱାରା ପ୍ରସ୍ତୁତ ନିୟମ ଯୋଗୁଁ କେବଳ ମାନସିକ ଶୋଷଣ ହିଁ ହେଉଛି । ଏହି ଆକ୍ରୋଶଭାବ ସିଲ୍ସିଲା ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଡାଇଲଗ୍ରେ ସ୍ପଷ୍ଟ ଉଜାଗର ହୋଇଛି, ‘ଦିଲ୍ କେହତା ହେ ଦୁନିଆକି ହର ଏକ୍ ରଶ୍ମ ଉଠା ଦେ, ଦିୱାର ଯୋ ହମ୍ ଦୋନୋ ମେଁ ହେ, ଆଜ୍ ଗିରା ଦେଁ.. କ୍ୟୋଁ ଦିଲ୍ ମେଁ ସୁଲଗ୍ତେ ରହେ, ଦୁନିଆକୋ ବତା ଦେଁ.. ହାଁ ହମ୍କୋ ମୋହବତ୍ ହେ..’ ୟେ ଏପରି ଏକ ସମ୍ପର୍କ ଯାହାକୁ ଜୀବନରେ ପ୍ରାଣ ଭରୁଥିବା କହିବା ସହ ଅସମାଜିକ ବୋଲି କୁହାଯାଏ ।
ଯେତେବେଳେ ଫୋନରେ କଥାହୁଏ, ତା’ର କଥା କହିବା ଢ଼ଙ୍ଗରେ ମୁଁ ଢ଼ଳି ଯାଏ । ‘ଆଜି ପାଇଁ କଥାବାର୍ତ୍ତା ଏତିକି’ ବୋଲି ସେ ତା ପଟରୁ ହିଁ ଜଣେଇ ଦିଏ । ଦିନେ ନିର୍ଦ୍ଧାରିତ ସମୟରେ ତାର ଫୋନ୍ ନଆସିବାରୁ ମନ ଅନାଶତ ଆଶଙ୍କାରେ ଭରିଗଲା । ତା’ ସ୍ତ୍ରୀ କ’ଣ ଆମ ଦୁହିଁଙ୍କ କଥାବାର୍ତ୍ତା ହେବା ବିଷୟରେ ଜାଣି ଯାଇ ସେଥିରେ ଆଉ ପୂଣ୍ଣଚ୍ଛେଦ ପକେଇ ଦେଇ ନାହିଁ ତ ? ହେଲେ ପଛରେ ଜାଣିଲି ସେ ବହୁତ କାର୍ଯ୍ୟବ୍ୟସ୍ତ ଥିବାରୁ କଥା ହୋଇ ପାରିନଥିଲା ବୋଲି । ତାପରେ ଏହି ଘଟଣାର ପୁନରାବୃତ୍ତି ବାରମ୍ବାର ହେବାକୁ ଲାଗିଲା । ମନରେ ସବୁବେଳେ ଏଇ ଅସୁରକ୍ଷିତ ସମ୍ପର୍କକୁ ନେଇ ଭାବ ଜାତ ହେଉଥାଏ ।
ଏମିତି ଧୀରେ ଧୀରେ କଥାବାର୍ତ୍ତା କରିବା ମଧ୍ୟରେ ଦୂରତା ବଢ଼ିବାକୁ ଆରମ୍ଭ ହେଲା । କାହିଁକି ଏପରି କରୁଛ ବୋଲି ପଚାରିବାରୁ ସେ ମତେ ବୁଝେଇ ଦେଲା, ଆମର ସମ୍ପର୍କରେ ଏଇଟା ହିଁ ଠିକ୍ । ଅନେକ କଥାତ ଅଛି ହେବା ପାଇଁ । ମୁଁ ଚାହେଁ ଆମର ଭାବନା ସହଜ ଆଉ ସରଳ ହେଉ । କାରଣ ଏପରି ହେଲେ ଆମ ସମ୍ପର୍କରେ ଏଇ ବ୍ୟାକୁଳତା ଭାବ ଆଦୌ ରହିବ ନାହିଁ ।
ପ୍ରଥମେ ତ ମତେ ଟିକିଏ ଅଖାଡୁଆ ଲାଗିଥିଲା ତାର କଥା ଶୁଣି । ପ୍ରେମ ହେଉକି ବିବାହ ପ୍ରାରମ୍ଭିକ ଦିନଗୁଡାକରେ ଥିବା ମତୁଆଲାପଣ ସମୟ କ୍ରମେ ସମାପ୍ତ ହୋଇ ଜୀବନ ଯେପରି ସାମାନ୍ୟ ହେବାକୁ ଲାଗେ, ଏଠି ମଧ୍ୟ ସ୍ଥିତି ଥିଲା ଠିକ୍ ସେହି ପରି । ମାନେ ତା’ ଫୋନ୍କୁ ଅନେଇ ବସିବାଟା ଧୀରେ ଧୀରେ କମିବା ସହ ଜୀବନ ମଧ୍ୟ ବ୍ୟବସ୍ଥିତ ହେବାକୁ ଲାଗିଲା । ସମ୍ପର୍କର ଉଷ୍ମତା ଗ୍ରୀଷ୍ମଋତୁରେ ପ୍ରବଳ ରୌଦ୍ରତାପ ପରେ ହୋଇଥିବା ପହିଲି ବର୍ଷାରେ ଭିଜା ମାଟିରୁ ଆସୁଥିବା ବାସ୍ନା ସହ ଶୀତଳତା ପ୍ରଦାନ କଲାପରି ଥିଲା ଏକ ସୁଖଦ ଅନୁଭବ ଯାହାକୁ ଶଦ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ ।
ଆମେ ଦୁହେଁ ଜୀବନରେ ଏଇ ମୋଡ଼ ପହଞ୍ଚିଛୁ ପରସ୍ପର ମଧ୍ୟରେ ଆସିଥିବା ପରିବର୍ତ୍ତନକୁ ଥରେ ଦେଖିବାକୁ ଚାହୁଁଥିଲୁ । ‘ଯାହାଁ ଚାହ ୱହାଁ ରାହ’ (ଇଛା ଥିଲେ ଉପାୟ ଆପେ ଆପେ ଆସେ) ର ଉକ୍ତି ଚରିତାର୍ଥ ହୋଇଥିଲା । ଏକ ପାରିବାରିକ ସମାରୋହରେ ଯୋଗ ଦେବା ପାଇଁ ସେ ରହୁଥିବା ସହରକୁ ଯାଇଥିଲି ସ୍ୱାମୀଙ୍କ ସହିତ । ସେଠି ତାକୁ ଦେଖା କରିବାର ମୌକା ମଧ୍ୟ ମିଳିଥିଲା ମୋତେ । ତା’ ପରିବାରର ସମସ୍ତେ ଆମର ଏଇ ସମ୍ପର୍କ ବିଷୟରେ ଜାଣିଥିଲେ । ଏସବୁ ସତ୍ତ୍ବେ ତା’ଘରକୁ ଆସିବା ପାଇଁ ନିମନ୍ତ୍ରଣ ଦେଇ ସେ ଆମର ଏଇ ବେନାମୀ ସମ୍ପର୍କରେ ମୋହର ଲଗେଇଲା ମୁଁ ଖୁସିରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲି ସେତେବେଳେ । ଆଉ ମନେ ମନେ ଗର୍ବ ଅନୁଭବ କରୁଥିଲି ତା’ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଏବେବି ନିଶ୍ଚୟ ରଖିପାରିଥିବା ଯୋଗୁଁ ।
ରାସ୍ତାରେ ରଖା ହୋଇଥିବା ଦୀପକୁ ଉଠାଇ ମନ୍ଦିରରେ ରଖା ଯାଇଥିବା ଦୀପ ସ୍ଥାନରେ ନେଇ ରଖିଥିଲା ସେ । ତା’ ପରେ ବଡ଼ କଷ୍ଟରେ ଗୋଟେ ଘଣ୍ଟାର ସମାବେଶରେ ଆମେ ଦୁହେଁ ନିର୍ବିକାର ହେବାର ନାଟକ କରୁଥାଉ ହେଲେ ମନେ ମନେ ନୀରବରେ ଭାବର ଆଦାନ ପ୍ରଦାନ ଚାଲିଥାଏ । ବହୁତ ଖୁସି ହୋଇ ଯାଇଥିଲି ତାର ସୁଖୀ ଗୃହସ୍ଥ ଜୀବନକୁ ଦେଖି । ଆମର ଏଇ ବନ୍ଧୁତାକୁ କୁଶଳତାର ସହ ଏତେ ସୁନ୍ଦର ରୂପ ଦେବାର ପୁରା ଶ୍ରେୟ ତାକୁ ହିଁ ଯିବ । ମୁଁ ତ ଥିଲି ଗୋଟେ ନଦୀ ପରି । ନଦୀର ବନ୍ଧକୁ ଅଚାନକ ଖୋଲି ଦେଲେ ସେ ଯେମିତି ଅବାଧଗତିରେ ଏଣେ ତେଣେ ମାଡ଼ି ଚାଲେ,ମୋର ଅବସ୍ଥା ମଧ୍ୟ ଥିଲା ଠିକ୍ ସେହି ପରି.. ନିର୍ବାଦ ଗତିରେ ଭାବନାରେ ବହି ଯିବା ପାଇଁ ସଦା ତତ୍ପର । କିନ୍ତୁ ସେ ହିଁ ମୋ ଭାବନାକୁ ନିୟନ୍ତ୍ରଣରେ ରଖିଥିଲା । ତା’ ହିସାବରେ ସବୁ ଜିନିଷର ଅତିଟା ସବୁବେଳେ ଖରାପ ପରିଣାମ ଦେଇଥାଏ । ସତରେ! ମୁଁ କେତେ ଭୁଲ୍ ଥିଲି! ପୁରୁଷମାନେ ଯେ ଖାଲି କାମୁକ ପ୍ରବୃତ୍ତିର ବୋଲି ମନରେ ଥିବା ଧାରଣା ବଦଳି ଯାଇଥିଲା ତା’ ସଂସ୍ପର୍ଶରେ ଆସି ।
ସେଠୁ ଫେରିବା ବେଳେ ସୁନୀଲର ଶରୀର ମୋଠୁଁ ଦୂରେଇ ଯାଇଥିଲା ସତ ହେଲେ ମୁଁ ତ ସାଥିରେ ନେଇ ଆସିଥିଲି ଏକ ସୁଖଦ ଅନିର୍ବଚନୀୟ ଅନୁଭବ! ଲାଗୁଥିଲା ତା’ ଶରୀର ହେଉଛି ନଶ୍ୱର ଆଉ ଅନୁଭବରୂପୀ ଆତ୍ମା ଅମର । ମୁଁ ଯାହା ପାଇଲି ତାହା ସବୁବେଳେ ମୋ ସହିତ ରହିବ । ମୋର ବଞ୍ଚିବା ପାଇଁ ଏତିକି ଯଥେଷ୍ଟ ଥିଲା ଯେ ଜଣେ ତ କିଏ ଅଛି ଯିଏ ଅନ୍ତରରୁ ମୋତେ ଦେଖିବାକୁ ଚାହୁଁଛି ।
ଶାୟର ସାହିର୍ ଳୁଧିଆନ୍ବୀ ଏପରି ସମ୍ପର୍କର ବହୁତ ସୁନ୍ଦର ଭାବେର ବର୍ଣ୍ଣନା କରି ଲେଖିଛନ୍ତି,
“ବୋ ଅଫ୍ସାନା ଜିସେ ଅଂଜାମ୍ ତକ୍ ଲାନା ନା ହୋ ମୁମ୍କିନ୍,
ଉସେ ଏକ ଖୁବ୍ସୁରତ ମୋଡ୍ ଦେକର ଛୋଡନା ଅଛା..”
ଆଜିର ଏଇ ବିକଶିତ ଟେକ୍ନୋଲୋଜି ଯୋଗୁଁ ଯେଉଁଠି ଯୋଗାଯୋଗର ବହୁତ ସାଧନ ଉପଲବ୍ଧ ହୋଇ ପାରିଛି, ସେଠି ସ୍ତ୍ରୀ-ପୁରୁଷଙ୍କ ସମ୍ପର୍କକୁ ନେଇ ଚଳି ଆସିଥିବା ପୁରୁଣା ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଅଣାଯାଇ ପାରିବ । ଛାଡ଼ି ଦେବା ବଦଳରେ ଯଦି ଆମେ ବାନ୍ଧି ରଖିବା ଲେଖିବା ତେବେ ଏ ସମ୍ପର୍କ ସାର୍ଥକ ହୋଇଯିବ ଏବଂ ଆମର ଏଇ ନୂଆ ପରିଭାଷା ସହ ‘ଏକ ସୁନ୍ଦର ମୋଡ଼’ ମଧ୍ୟ ମିଳିଯିବ ।
ମାର୍ଫତ-ମାଳତୀ ବେହେରା
୨୧୭,ୟୁନିଟ-୯(ଫ୍ଲାଟ)
ବାୟାବାବା ମଠ ଲେନ
ଭୁବନେଶ୍ୱର-୨୨
ଭ୍ରାମ୍ୟଭାଷ : ୭୨୦୫୮୫୦୮୩୧
Go Back to Previous Page
ଅନାବନା ଭାବନା
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ହିଟିଂ ମି
ସୁଧାଂଶୁ ଦ୍ବିବେଦୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ