ପଖାଳ କଥା ପଡିଲେ ମନେ ପଡେ ‘ଆଇ’ କଥା। ସ୍କୁଲରୁ ଫେରି ଆମେ ଦି’ ଭାଇ ଯେତେ ଖାଇଥିଲେ ବି ଆଇର ଅଇଁଠା ହାତରୁ ପଖାଳ ଗୁଣ୍ଡେ ଖାଇଦେଲେ ଯେଉଁ ତୃପ୍ତି ମିଳେ, ତାହାର ଲୋଭ ସମ୍ଭାଳି ନପାରି ମା’କୁ ଲୁଚେଇ ଲୁଚେଇ ଦି ଗୁଣ୍ଡା ଖାଇଦେଇ, ପାଟିକୁ ଆସ୍ତେ ବୁଲେଇ କେହି ନଦେଖିଲା ପରି ଖେଳ ପଡିଆକୁ ପଳାଉ।
ଆଇର ସେ ବାସି ପଖାଳ କଂସା, ପାଗ (ପୋଡା ବିଲାତି, ପୋଡା ଆଳୁ, ପୋଡା ବାଇଗଣ, କଞ୍ଚାଲଙ୍କା, ରସୁଣ ସହ ଆମ୍ବୁଲ କି ତେନ୍ତୁଳି ଖଟା ଚକଟା), ଖାର ପାଣିଆଁ ଶୁଖୁଆ ଖଣ୍ଡେ ସହ ପିଆଜ ଆଉ ବାଡ଼ିରୁ ଲଙ୍କା ଖଣ୍ଡେ ସହ ସେ ବସିଯାଏ, ଆଉ ଆମେ ଦି ଭାଇ ତା’ର ଗ୍ରାହକ। ଦିନେ କି ଦି ଦିନର ବାସି ପଖାଳକୁ ସେ କେମିତି କଣ କରେ ଯେ ଏତେ ସ୍ୱାଦ ଆସେ ଜାଣିନି, କିନ୍ତୁ ସେ ସ୍ୱାଦ କାହିଁ ଆଜି ଯାଏଁ ମୁଁ ଆଉ କେଉଁଠି ପାଇନି।
ଆଜି ପଖାଳ ଦିବସରେ ଅଫିସ ଯିବାବେଳେ ଫେସବୁକରୁ ପଖାଳ କଂସା ଦେଖି ମନ କ’ଣ ହେଇଯାଉଥାଏ। ଏହା ବୋଧେ ଓଡିଶା ବାହାରେ ଏକୁଟିଆ ରହୁଥିବା ସବୁ ଅବିବାହିତ ଓଡ଼ିଆ ପିଲାଙ୍କର ଦୁଃଖ ଯେ ‘ପଖାଳ ଗଣ୍ଡେ ଖାଇ ହେବନି’ ଆହୁରି ଭାରତର ପଶ୍ଚିମ ଓ ଉତ୍ତରରେ ରହୁଥିବା ଲୋକଙ୍କର ଦୁଃଖ ଯେ ଏଠି ଲୋକ ରୁଟି ଖାଆନ୍ତି। ପଖାଳ ସ୍ୱପ୍ନ।
ଅଫିସରୁ ବାହାରି ଲଞ୍ଚରେ ହୋଟେଲକୁ ଗଲି ଖାଇବା ପାଇଁ I ଖାଇବାରେ ଗୁଜରାଟୀ ଥାଳି I ସବୁଦିନ ପରି ସେ ଥାଳି ଆଉ ଗିନା ତିନୋଟି ଥୋଇ ଦେଇ ଚିରାଚରିତ ଭାବରେ ତିନିପ୍ରକାର ତରକାରୀ, ଡାଲି, ପାମ୍ପଡ, ଲଙ୍କା, ପିଆଜ, ଆଚାରରୁ ଟିକେ ଥୋଇଦେଇ ଗଲା ରୁଟି ଆଣିବାକୁ I ଆଉ ଜଣେ ଛାସ (ଘୋଳଦହି)ରୁ ଗ୍ଲାସେ ଥୋଇଦେଇ ଚାଲିଗଲା I ଏବେ ଅପେକ୍ଷା ରୁଟି ଆସିବାକୁ I ପାଖରେ ଜଣେ ଗୁଜରାଟୀ ସହକର୍ମୀ ସାମ୍ନା ଚୌକିରେ ଦୁଇଜଣ ପୁଅ ଆଉ ଝିଅ ଆସିବସିଲେ I ବୋଧହୁଏ ଦିଲ୍ଲୀ ପାଖରୁ ଗୁଜରାଟୀ ଲାଗୁନଥାନ୍ତି ସେମାନେ ପାଖ ଟେବୁଲରେ ଗୁଜରାଟୀ ଦୁଇଜଣ ଖାଇ ସାରିବା ଉପରେ ସେମାନେ ରୁଟି ଖାଇ ସାରି ଭାତ ଦୁଇ ଚାମଚ ପାଇଁ ଅପେକ୍ଷା କରିଥାନ୍ତି ଗୁଜରାଟୀ ଲୋକ ଆଗ ତରକାରୀ ସହ ରୁଟି ଖାଇ ସାରି ଚାମଚେ ଭାତ ସହ ଡାଲି ଲଗେଇ ଖାଆନ୍ତି ମୁଁ ବି ସାତବର୍ଷ ରହିବା ଭିତରେ ବୋଧେ ଗୁଜରାଟୀ ହୋଇ ଯାଇଛି ଘରକୁ ଗଲେ ଓଡ଼ିଆ ହୋଇଯାଏ ପୁଣି ଏଠିକି ଆସିଲେ ଗୁଜରାଟୀ ହୋଇଯାଏ ସବୁଦିନ ଲଞ୍ଚରେ ଗୁଜରାଟୀ ଥାଳି ରୁଟି ଖାଇସାରି ଭାତ ଦି ଚାମଚ
ଏବେ ସେ ପିଲାଟି ଭାତ ଧରି ସେମାନଙ୍କୁ ଦେବା ପାଇଁ ଆସିଲା I ଭାତ ଆଉ ଛାସ (ଘୋଳଦହି) ଏକାଠି ଦେଖି ଆଜି କିଛି ଅଲଗା କରିବା ପାଇଁ ଇଛା ହେଲା I ସେମାନଙ୍କ ଆଗରେ କେମିତି କରିବି? କିଏ କଣ ଭାବିବ? କିଛି ଚିନ୍ତା ବି ମୁଣ୍ଡରେ ନଥିଲା, ଥିଲା ତ ଖାଲି ପଖାଳ ଗଣ୍ଡେ ଖାଇବାର ସ୍ବପ୍ନ I ପିଲାଟିକୁ ଡାକିଲି ଆଉ ଥାଳିରେ ଭାତ ଦେବା ପାଇଁ କହିଲି I ସେ ଚାମଚେ ଦେଇ ଥରେ ଚାହିଁଲା I ମୁଁ କହିଲି, ‘ଆଉ..’ I ପୁଣି ଦୁଇ ଚାମଚ I ପୁଣି କହିଲି, ‘ଆଉ..’ I ପୁଣି ଦୁଇ ଚାମଚ I ସେ ଅଟକି ଯିବାର ଦେଖି ତା ହାତରୁ ଭାତ ଜାଗା ନେଇ ପ୍ରଥମେ ଅଧା ଭାତ ଢାଳି ଦେଲି ମୋ ଥାଳିରେ I ଆଉ ଗୋଟେ ଗ୍ଲାସ ଛାସ ଆଣି, ଥାଳିରେ ସବୁଯାକ ଛାସ ଢାଳିବାର ଦେଖି ସେ ପିଲା ସହ ମୋ ସହକର୍ମୀ, ସାମ୍ନାରେ ବସିଥିବା ସେ ପୁଅ ଆଉ ଝିଅ ଆଉ କିଛି ଯିବା ଆସିବା ଲୋକ ବି ଚାହିଁଲେ I ଟିକେ ଲାଜ ଲାଗିଲା I ହେଲେ ପଖାଳ... ପଖାଳ...I କାହାକୁ ନ ଅନେଇ ମୁଁ ଲଙ୍କା ଦଳିଦେଲି ସେଥିରେ I ଆଚାର ବି ମିଶେଇ ଦେଲି ଆଉ ଲୁଣ ପକେଇ ପ୍ରଥମ ଗୁଣ୍ଡାଟା ପାଟିରେ ପକେଇ ସାରି ଦେଖିଲା ବେଳକୁ, ହୋଟେଲ ଭିତରେ ବାଘ ଦେଖିଲା ପରି ମୋତେ ଅନେଇଥିଲେ ପ୍ରାୟ ଦଶ ବାରଜଣ ଲୋକ I ସାମ୍ନାରେ ବସିଥିବା ଦିଲ୍ଲୀ ଝିଅଟି କହି ଉଠିଲା, “I know this. This is called as water-rice. ମେରୀ ମମ ୟେ କଭି କଭି ଖାତି ହେ” ସାହସ ବଢିଯାଇଥିଲା କହିଲି, “Do you want to try ?” “Sure” କହି ସେ ମୋ ଥାଳିରୁ ଗୁଂଡେ ନେଇ ପାଟିରେ ପକେଇଲା ଆଉ ଆଙ୍ଗୁଠିରେ superbର symbol ଦେଖେଇଲା ବେଳକୁ ମୋତେ ଆଉ ତାକୁ ଦେଖୁଥିବା ଲୋକଙ୍କ ପାଟିରେ ବୋଧେ ଲାଳ ଆସି ସାରିଥିଲା I ସେମାନେ ମଟ ମଟ କରି ଆମ ଦି ଜଣଙ୍କୁ ଦେଖୁଥିଲେ I ମୋ ସହକର୍ମୀ ଆଉ ସେ ଝିଅ ସହ ଥିବା ପିଲାଟି ବି ଚାମଚରେ ଚାମଚେ ଚାମଚେ ନେଇ ପାଟିରେ ପକେଇ ସାରିଥିଲେ I ହଠାତ ଝିଅଟି ପାଟିରୁ ଶୁଣିଲି, “ଭୈୟା, ମେରେଲିଏ ଭି ଐସା ଲେ କେ ଆଓ”, ହୋଟେଲ ପିଲାକୁ ସେ ପାଟିକରି କହୁଥିଲା I ଶଙ୍କି ଯାଇଥିବା ଓଡ଼ିଆ ଛାତିଟା ଗର୍ବରେ ଫୁଲି ଉଠୁଥିଲା I ତା ଦେଖାଦେଖି ମୋ ସହକର୍ମୀ ଆଉ ସେ ଝିଅ ସହ ଥିବା ପୁଅ ବି “ମେରେଲିଏ ଭି”... “ମେରେଲିଏ ଭି ”... ବୋଲି କହି ସାରିଥିଲେ I
ଓଡ଼ିଆ ପଖାଳ ଖିଆଟା ମୋ ପାଖରୁ ସେମାନଙ୍କ ପାଖକୁ ସଂକ୍ରମିତ ହୋଇ ସାରିଥିଲା ....
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com
Go Back to Previous Page
ଅନ୍ତର୍ଦାହ
ଶୁଭକାନ୍ତ ସାହୁ
Read Article
ସ୍ମାର୍ଟ୍ ଫୁନ୍ - ୧
ଶୁଭମ୍ ନାଏକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ