ରତ୍ନାକର! ଲୋକଟିର ପ୍ରଥମିକ ଶିକ୍ଷା ବି ସମାପ୍ତ ହୋଇଥିବ କି ନା ସନ୍ଦେହ। ଅଥଚ ତା’ର ଚାଲିଚଳଣି ଆଚାର ବ୍ୟବହାର କହେ ସେ ସଭ୍ୟ ଶିକ୍ଷିତ ଠୁଁ ଆଦୌ ନ୍ୟୁନ ନୁହେଁ। ପରିଶ୍ରମୀ, ମେଳାପି, ବନ୍ଧୁପ୍ରେମୀ, ଭଦ୍ର, ନମ୍ର ଆଉ ପରୋପକାରୀ; ବହୁ ବ୍ୟକ୍ତିତ୍ୱର ଅଧିକାରୀ ସେ।
ଆପଣଙ୍କର ସହାୟତା କରିବାକୁ କେହି ନାହିଁ ଯେବେ, ରତ୍ନାକର ଆପଣଙ୍କ ସହିତ ଅଛି। ସତରେ ଅନ୍ୟକୁ ସାହାଯ୍ୟ କରିବାରେ ତାକୁ ଯେତିକି ଆନନ୍ଦ ମିଳେ, ନୂଆଁ କରି ଚାକିରି ପାଇଥିବା ଜଣେ ଯୁବକପକ୍ଷେ ସମ ପରିମାଣର ଆନନ୍ଦ ଅଲଭ୍ୟ। ଏମିତି ତ ଅନେକ ମଜିର୍ ରହିଛି ସେ ସ୍ୱୟଂ ସମସ୍ୟା ସାଗରରେ ବୁଡି ରହି ସୁଦ୍ଧା ଆନମୁଖରେ ହାସ୍ୟ ଫୁଟାଇବାରେ ଆଦୌ କାର୍ପଣ୍ୟ ନାହିଁ ତା’ର। ସୁସ୍ଥର ସେ ହିତକାରୀ ଦୁଃସ୍ଥର ସେ ବନ୍ଧୁ। ଏହା ହିଁ ତା’ର ସର୍ବଜନ ପ୍ରିୟତାର ସିଦ୍ଧ ମନ୍ତ୍ର।
ବିବାହର ଚତୁର୍ଥ ନିଶିରେ ହିଁ ସେ ପ୍ରାଣ ପ୍ରିୟତମା ପତ୍ନୀକୁ ଚେତାଇ ଦେଇଥିଲା ଆତ୍ମ ଜଞ୍ଜାଳରେ ଲିପ୍ତ ନ ରହି ଅନ୍ୟକୁ ସହାୟତା କରିବାରେ ସେ ଯେପରି କୁଣ୍ଠିତା ନ ହୁଅନ୍ତି। ସ୍ୱପ୍ନ ବିଜଡିତ ରାତ୍ରିର ତମସା ବାସ୍ତବତାର କ୍ଳୀଷ୍ଟ ଔଜଲ୍ୟତା ଠାରୁ ଆଦୌ ଶ୍ରେୟସ୍କର ନୁହେଁ। ସହମତି ପ୍ରକାଶ୍ୟେ ସ୍ତ୍ରୀ ବ୍ୟକ୍ତ କରିଥିଲେ ଯେ ସେ ତାଙ୍କ ଆଦର୍ଶର ଅନୁରଣିତା। ତାଙ୍କ ହାତ ଧରି ଜୀବନ ପଥର ଅଦୃଶ୍ୟମାନ ସ୍ଥଳଯାଏଁ ଚାଲିବାର ସଂକଳ୍ପ ସେ ନେଇ ସାରିଛନ୍ତି। ତାଙ୍କ ପ୍ରେମର ଅମୂଲ୍ୟ ନିଧିର ଅମାପ ଅନୁଭବକୁ କେଇ ମୁହୁର୍ତ୍ତ ମଧ୍ୟରେ ସୀମିତ ନରଖି ସେଇ ଗନ୍ତବ୍ୟସ୍ଥଳ ଯାଏଁ ଉପଲବ୍ଧିର ଆଶା ରଖିଛନ୍ତି। ରତ୍ନାକର ପ୍ରବୋଧିଥିଲା ତା’ର ଏ ଅନାବିଳ ପ୍ରେମ କମିବନି ବରଂ ବଢିବ। ସେ ଆଶ୍ୱାସନା ପାଇଲା ତାଙ୍କ ପିଲାମାନେ ଯେତେବେଳେ ପିତୃ ମାତୃ ବିମୁଖ ହୋଇଯିବେ, ସେତେବେଳେ ସେମାନେ ବଞ୍ଚିବାର ଏକମାତ୍ର ସମ୍ବଳ ଥିବ ଏଇ ଭଲପାଇବା।
ରତ୍ନାକରର ମାଆ ଜଣେ ପ୍ରାଚୀନପନ୍ଥୀ ସ୍ତ୍ରୀ। ପୁତ୍ରକୁ ଉପଦେଶ ଦେଉଥିଲା ସେ ପିଲାମାନଙ୍କୁ ପାଠଶାଠ ଅଧିକ ନ ପଢାଇ କାମରେ ଲଗାଉ, ରୋଜଗାର ଶିଖାଉ। ତେବେ ଯାଇ ସେମାନେ ତା’ ଭଳି ଘର ସଂସାର ସମ୍ଭାଳିବେ। ରତ୍ନାକର ଏକାନ୍ତ ମାତୃଉପାସକ ହେଲେ ବି ସେ ମାଆଙ୍କର ଏଇ କେତୋଟି ପ୍ରାଚୀନପନ୍ଥୀ ଚିନ୍ତାଧାରାକୁ ଗ୍ରହଣ କରିପାରୁନଥିଲା। ସେ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାର ସଂକଳ୍ପ ନେଇ ସାରିଥିଲା। ରତ୍ନାକର ବେଳେ ବେଳେ ମନସ୍ଥାପ କରେ ଯେ ସେ ଅଧିକ ବିଦ୍ୟା ସାଧନ କରିନଥିବାରୁ ବହୁ ଲୋକଙ୍କ ସେବାରୁ ବଞ୍ଚିତ ହେଉଛି। ପିଲାମାନଙ୍କୁ ନିମ୍ନ ଶିକ୍ଷିତ କରାଇ ଏକ ବୃହତ୍ ସମାଜର ସେବାରୁ ସେମାନଙ୍କୁ ବଞ୍ଚିତ କରାଇବ ନାହିଁ।
ରତ୍ନାକର ଜୀବନର ଉତ୍ତରାବସ୍ଥାରେ! ପିଲାମାନେ ପ୍ରାପ୍ତବୟସ୍କ ହେଲେଣି। ରତ୍ନାକର ଜୀବନର ସମସ୍ତ ପରିଶ୍ରମର ମୂଲ୍ୟ ବିନିଯୋଗ କରିସାରିଛି ପିଲାଙ୍କ ପଠନରେ। କେବଳ ସ୍ୱଅର୍ଜିତ ଧନ କାହିଁକି, ପିଲାଙ୍କ ପାଠପଢା ସକାଶେ ସେ ପୈତୃକ ସମ୍ପତ୍ତି ମଧ୍ୟ ହରାଇ ସାରିଛି। ସେ କିନ୍ତୁ ଯୁକ୍ତି କରେ ସେ ସମ୍ପତ୍ତି ହରାଇନି ବରଂ ପାଇଛି। ପିଲାମାନେ ତା’ର ବିଦ୍ୟା ମହାସାରର ଗଭୀର ଗଣ୍ଡରେ ସ୍ନାନ କରିଛନ୍ତି, ଶିକ୍ଷିତ ହୋଇଛନ୍ତି। ସେମାନେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ଏକ ବୃହତ୍ ସମାଜର ସେବା କରିବେ।
ରତ୍ନାକରର ମନର ବ୍ୟାକୁଳତା ଆଦୌ ବଦଳିନି। କିନ୍ତୁ ବଦଳି ଗଲାଣି ସମାଜର ସ୍ଥିତାବସ୍ଥା। ଏଠି ଭାଇଚାରାର ସଂପର୍କ ଅହରହ ଦୁର୍ବଳତର। ସାହଯ୍ୟର ମୂଲ୍ୟ ହଜିଯାଉଛି ସ୍ୱାର୍ଥପରତାର କରାଳ ଗ୍ରାସରେ। ଏକା ରତ୍ନାକର କିପରି ଜାଣିପାରିଲାନି ତା’ ଚାରିପାଖର ପୃଥିବୀ ଏତେ ଶୀଘ୍ର କେମିତି ଏମିତି ବଦଳିଗଲା। ଲୋକ ଗୁଡିକ କିପରି ଏତେ ସ୍ୱାର୍ଥପର ହୋଇଗଲେ? ସାହାଯ୍ୟ ସହାନୁଭୂତିର କ’ଣ ମୂଲ୍ୟ ଥାଏ? ଟଙ୍କା ଦେଇ କ’ଣ ୟାକୁ କିଣି ହେବ? କିନ୍ତୁ ଲୋକଙ୍କ ମନରେ ସମ୍ଭବତଃ ଏହି ଧାରଣା ଦୃଢୀଭୂତ ହେଲାଣି ଯେ ଅର୍ଥ ଆଉ କ୍ଷମତା, ଦୟା, ସାହାଯ୍ୟ ସହାନୁଭୂତି ପାଇଁ ତୋଳିପାରେ ଏକ କୁତ୍ସିତ କବର। ଋତୁ ବଦଳିବା ପରି ରତ୍ନାକରର ପୃଥିବୀ ବଦଳିଯିବା ତା’ର ଅବଜ୍ଞା ନା ଅଜ୍ଞତା? ଯେଉଁ ମାଟିରେ ପୌରାଣିକ ପୁରୁଷୋତ୍ତମ ଜନ୍ମି ଉଚ୍ଚ ଆଦର୍ଶର ନୀତିଶିକ୍ଷା ବିତରଣ କରିଛନ୍ତି; ଯେଉଁଠି ଜୈନ ବୁଦ୍ଧ ଆବିର୍ଭାବ ହୋଇ ଜୀବନର ଗୁଢ ସତ୍ୟ ଆବିଷ୍କାର କରିବା ସହ କାମନାର ବିନାଶରେ ଦୁଃଖର ବିନାଶ ବୋଲି ଚେତାଇ ଦେଇଛନ୍ତି ଆଉ ଗାନ୍ଧୀ ଗୋପବନ୍ଧୁଙ୍କ ମାନବୀୟ ମୂଲ୍ୟବୋଧ ବିଶ୍ୱ ସମୁହର ଆଦର୍ଶ ମାନ୍ୟତାପ୍ରାପ୍ତ, ସେଇ ମାଟିରେ ସେଇ ଆଦର୍ଶ ଅବହେଳିତ?
ଶାସନ ଜାଣିନଥିବା କ୍ଷମତା ଲୋଭୀ ରାବଣ ରାଜନୀତିରେ ପ୍ରବେଶ କରିବା ପରଠୁଁ ସବୁରି ହୃଦୟରେ ରାକ୍ଷସ ବସା ବାନ୍ଧିଛି। ଯେଉଁଠି ଆଜି ସଂପର୍କର ମୂଲ୍ୟ ମୂଲ୍ୟହୀନ, ସେଠି ସାହାଯ୍ୟର ମୂଲ୍ୟ କ’ଣ କହିବା? ଏଠି ସମୟ ଅସମୟ ପୁରପଲ୍ଲୀ ସବୁ ରାଜନୀତି କବଳିତ। ଯେଉଁ ସମାଜ ପାଇଁ ସେ ସଳିତା ଭଳି ଜଳିଯାଇଛି ସେଇ ସମାଜ ଆଜି ତାକୁ ସ୍ୱାର୍ଥପର ଆକ୍ଷେପ କରୁଛି। ଯେଉଁ ଲୋକଙ୍କ ସ୍ୱାର୍ଥ ପାଇଁ ସେ ଆବାଲ୍ୟ ଚେଷ୍ଟିତ, ସେମାନେ ଆଜି କ୍ଷମତା ଲୋଭୀଙ୍କ କ୍ରୀତଦାସ। ବେଳେ ବେଳେ ସେ ଭାବେ ସେ ମଧ୍ୟ ଏମିତି ସ୍ୱାର୍ଥପର ପାଲଟିଯିବ, ମନ୍ତ୍ରୀମାନଙ୍କ ଚାଟୁକାର ହେବ, କ୍ଷମତାର ଅଧିକାରୀ ହେବ। କିନ୍ତୁ ତା’ ଛାତି ଭିତରୁ କିଏ ଯେମିତି ମନା କରେ।
ତା ପିଲାମାନେ ମଧ୍ୟ ଏ ଆସୁରୀ ମାୟାରୁ ମୁକୁଳି ପାରିନାହାନ୍ତି। ପିତା ମାତାଙ୍କ ଆଦର୍ଶ, ନୈତିକତା ସେମାନଙ୍କ ନିକଟରେ ପାଣିଚିଆ ହୋଇଯାଇଛି। ସେମାନେ ଆଧୁନିକ ଯୁଗ ସହ ତାଳ ଦେଇ ଚଳିବା ଶିଖୁଛନ୍ତି। ରତ୍ନାକର ସେମାନଙ୍କ ପାଇଁ କ’ଣ ରଖିଛନ୍ତି? ତାଙ୍କ ଶ୍ୱଶୁରମାନେ ସେମାନଙ୍କ ପାଇଁ ସୁନ୍ଦରୀ କନ୍ୟା ଆଉ ଅଚଳାଚଳ ସମ୍ପତ୍ତି ରଖିଛନ୍ତି। ସେମାନେ କାହିଁକି ଆଦର୍ଶର ଦ୍ୱାହି ଦେଇ ବାପାଙ୍କ ପରି ତଳିତଳାନ୍ତ ହେବେ? ଆଦର୍ଶ, ନୀତି ଏସବୁ କେବଳ ଶ୍ରାବ୍ୟ ସୁମଧୁର। କିନ୍ତୁ ଏଥିରେ କ’ଣ ବାସ୍ତବତା କିଛି ଅଛି? ଶ୍ୱଶୁରଙ୍କ ସୁରମ୍ୟ ବହୁତଳ ପ୍ରାସାଦ ପିଲାଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ। ବୃଦ୍ଧ ରତ୍ନାକରର ଝାଟିମାଟିର ଘର କ’ଣ ଦେଇପାରିବ ସମ୍ମାନ ଓ ସୁରକ୍ଷା?
ବଡପୁଅର ଅଭିଯୋଗ, ବାପା ଟଙ୍କା ଯୋଗାଡ କରିପାରିଲେନି ବୋଲି ତା’ର ବିଦେଶରେ ପାଠ ପଢା ହୋଇପାରିଲାନି। ସେଥିପାଇଁ ତା’ର ପ୍ରମୋଶନ୍ ଅଟକି ଥିଲା। କିନ୍ତୁ ତା’ ଶ୍ୱଶୁର ତାକୁ ସେ ସୁଯୋଗ ଦେଲେ। ତେଣୁ ସେ ଦୁଇବର୍ଷ ବିଳମ୍ବରେ ପ୍ରମୋଶନ ପାଇଲା।
ସାନପୁଅ କହେ ବାପା ତା’ପାଇଁ କ’ଣ କରିଛନ୍ତି? ବରଂ ତା’ ଶ୍ୱଶୁର ଠିକ୍ ସମୟରେ ସାହାଯ୍ୟ ନ କରିଥିଲେ ସେ ଦେବାଳିଆ ହୋଇ ଯାଇଥାନ୍ତା।
ପୁଅମାନେ ନୂଆଁ ଡାଡି ପାଇଗଲେଣି ତେଣୁ ପୁରୁଣା ବାପା ଏବେ ଅଲୋଡା ରୁଗ୍ଣ ଜରାଜୀର୍ଣ୍ଣ ବୃଦ୍ଧଟାକୁ ପାଖରେ ରଖିଲେ ସେମାନଙ୍କର ସମ୍ମାନ ହାନି ହେବ, ବରଂ ବୃଦ୍ଧାଶ୍ରମ ତାଙ୍କ ପାଇଁ ସଠିକ୍ ଆଶ୍ରୟ ସ୍ଥଳ। ପୁଅମାନେ ପାଳି କରି ମାସକୁ ମାସ ଟଙ୍କା ଭରିଦେବେ।
ଦିନେ ପୁଅମାନେ ଗାଡି ଚଢି ଗାଁକୁ ଆସିଲେ। ବହୁଦିନ ପରେ ପୁଅ ମାନଙ୍କୁ ଦେଖି ବୁଢାର ଛାତି କୁଣ୍ଢେ ମୋଟ ହୋଇଗଲା। ପୁଅମାନେ କିନ୍ତୁ ବସିଲେ ନାହିଁ। ସେମାନେ ବାପାଙ୍କୁ ସଫା ସଫା ଶୁଣାଇଦେଲେ ଘର ବିକ୍ରି ହୋଇଯିବ ସେଇ ଟଙ୍କାରେ ବରଂ ସେମାନେ ତାଙ୍କପାଇଁ ବୃଦ୍ଧାଶ୍ରମ ଠିକ୍ କରିଦେବେ। ଆଉ ବଳକା ଟଙ୍କା ସେମାନେ ପ୍ରତି ମାସରେ ପାଳି କରି ପୈଠ କରିବେ।
ରତ୍ନାକରର ପାଦତଳୁ ମାଟି ଖସିଗଲା। ତା’ର କାନ ତାଡପା ପଡିଗଲା। ସେ କିନ୍ତୁ କାନ୍ଦିପାରିଲା ନାହିଁ। କାଳେ ପିଲାମାନଙ୍କର ଅମଙ୍ଗଳ ହେବ। ଭଲ ହୋଇଛି ଆଜି ବୁଢୀ ନାହିଁ। ସେ ଥିଲେ ବିଚାରୀ ଲୁହ ଢାଳୁଥାନ୍ତା। ବୁଢୀ କଥା ମନେ ପକାଇ ପକାଇ ରତ୍ନାକର ଶୋଇଗଲା। ସେ ଶୋଇଗଲା ଯେ ଶୋଇଗଲା ଆଉ ଉଠିଲା ନାହିଁ।
ଠିକଣା - ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,
ଗଂଜାମ, ପିନ୍-୭୬୧୧୦୫ ।
ଭ୍ରାମ୍ୟଭାଷ - ୯୮୬୧୭୩୨୨୫୬ ।
ଇମେଲ୍ -- subhakantasahu@rocketmail.com
Go Back to Previous Page
କିଛି ପୁରୁଣା ଅନୁଭୂତି : ଭାଲୁକୁଣୀ ଓଷା
ଲଲାଟେନ୍ଦୁ ସାମଲ
Read Article
ୱାଟର୍ ରାଇସ୍ ବନାମ ପଖାଳ ଥାଳି
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ