ଅନୁଭୂତିରୁ ଶିକ୍ଷା : ଇଗଲର ଶିକାର
ଜଙ୍ଗଲରେ ପକ୍ଷୀମାନେ ସୁନ୍ଦର ଗୀତ ବୋଲନ୍ତି। ସକାଳ ଅନେକ ଆଗେଇ ଗଲାଣି। ସକାଳରୁ କିଛି ସମୟ ପର୍ଯ୍ୟନ୍ତ ଗିର ଜଙ୍ଗଲରେ ପକ୍ଷୀମାନଙ୍କ କୂଜନରେ ଭରିଯାଏ। କେତେ ସୁନ୍ଦର ରଙ୍ଗ ଏମାନଙ୍କର ଥାଏ। କେତେ ସୁନ୍ଦର କବିତା ଏମାନେ ରଚନା କରନ୍ତି। ସେଦିନ ଜଙ୍ଗଲରେ ଅନ୍ୟଦିନ ଭଳି ପକ୍ଷୀମାନେ ଗୀତ ଗାଉଥିଲେ। କିଛି ସ୍ୱର ଲମ୍ବା ଅଉ ମଧୁର ଥିଲା। ଏମିତି ସୁର ଜଙ୍ଗଲକୁ ଏକ ନୃତ୍ୟଭୂମିରେ ବଦଳାଇ ଦିଏ। ପକ୍ଷୀମାନେ ନାଚନ୍ତି। ଆଉ ସେମିତି ଏକ ଦିନ ଥିଲା।
ଏମିତି ଗୀତ ଶୁଣି ସିଂହ ଦୁଇଭାଙ୍କର ଡେଇଁବାକୁ ଇଚ୍ଛା ହେଉଥିଲା । କିଛି ସମୟ କୁସ୍ତା କୁସ୍ତି ହେଲେ ଶରୀଟା ହାଲକା ହୋଇଯାଏ । ଥଣ୍ଡା ପବନ, ମଧୁର କୂଜନ ଆଉ ପତଳା ଖରାରେ ଖେଳିଲେ ଦେହରେ ସେମିତି ସ୍ଫୂର୍ତୀ ଆସିଯାଏ । ଏମିତି ତ ଛୁଆ ଆଖିରେ ଦୁଷ୍ଟାମୀ ଭରି ରହିଥାଏ । ସେମାନେ ଏ ଭିତରେ କିଛି କଷ୍ଟ ଭିତର ଦେଇ ଗତି କରିଛନ୍ତି । କିଛି ସାବଧାନ ହେବା ଶିଖିଛନ୍ତି ।
ଦୁଇ ଭାଇଙ୍କର ମା ଗଲା ପରେ କିଛି କରିବାର ନଥିଲା । ଏ ପର୍ଯ୍ୟନ୍ତ ସେମାନେ ଛୋଟ । ଏଣୁ ବହୁତ ସାବଧାନ ରହିବାକୁ ପଡୁଥିଲା । ଛୁଆଙ୍କ ଦେହରେ ବହୁତ ଶକ୍ତି ଥାଏ । ଖାଲି ଖାଲି ଶୋଇବାକୁ କମ୍ବା ଛପିବାକୁ ସେମାନଙ୍କୁ ମୋଟେ ମଜା ଆସୁନଥାଏ । ମା ନଥିଲା ବେଳେ ବାହରକୁ ବାହାରିବା କଥା ନୁହେଁ । ଆଉ ଖୋଲା ପଡିଆରେ ଦୌଡା ଦୌଡି ତ ମୋଟେ ନୁହେଁ । ସେମାନଙ୍କୁ ଖାଲିଟାରେ ଛପି ରହିବାକୁ କଷ୍ଟ ଲାଗୁଥିଲା । ଦୁଇ ଭାଇ ଏକ ବୁଦା ତଳେ ଛପି ରହିଥିଲେ । ସେଇଠି ପେଟେଇ ପଡି ବାହରକୁ ଅନାଉଥିଲେ । ସୁନ୍ଦର ସୂର୍ଯ୍ୟ କିରଣ ପଡିଥିଲା । ଏମିତି ଅଲସୁଆ ଭାବରେ ଅନେଇ ଅନେଇ ସେମାନଙ୍କୁ ନିଦ ଆସୁଥିଲା । ଧିର ପବନରେ ଆଖି ଲାଗି ଯିବା କଥା ।
ବାହାରେ ପକ୍ଷୀମାନେ କାକଳୀ କରୁଥିଲେ । ସେମାନେ ନିଜ ଭିତରେ କେତେ କଥା ହୁଅନ୍ତି । କିଚିରି ମିଚିରି ଶବ୍ଦରେ ବାହାର ଦୁନିଆ ଭରି ଯାଇଥିଲା । ସେ ମଝିରେ କିଛି ପକ୍ଷୀ ସୁନ୍ଦର ଭାବେ ଗୀତ ଗାଉ ଥିଲେ । ଏହି ଗୀତ ଗାଉଥିବା ପକ୍ଷୀମାନେ ଜଙ୍ଗଲରେ ମନୋରଂଜନ କରନ୍ତି । ଏମିତି ସୁନ୍ଦର ଗୀତ ଶୁଣୁ ଶୁଣୁ ଦୁଇ ଭାଇଙ୍କର ଆଖି ଲାଗି ଆସୁଥିଲା । କିଛି ପକ୍ଷୀ ତଳକୁ ଓହ୍ଲାଇ ଆସୁଥିଲେ । ଫକ୍ ଫକ୍ କରି ଡେଇଁ ପୋକ ଜୋକ ଖୋଜୁଥିଲେ । ତା’ପରେ ଫୁରର କିନା ଉଡି ଯାଇ ଗଛ ଭିତରେ ଲୁଚି ଯାଉଥିଲେ । କେତେ ଜାତିର ପକ୍ଷୀ ଜଙ୍ଗଲରେ ଥିଲେ ।
ଜଙ୍ଗଲର ସୁନ୍ଦରତା ଖୁବ ସକାଳେ ବା ଶେଷ ଅପରାହ୍ନରେ ଭଲଭାବେ ଜଣାପଡେ । ଏହି ସମୟରେ ସମସ୍ତେ ଚଳ ଚଂଚଳ ହୋଇ ଉଠନ୍ତି । ଅନ୍ୟ ସମୟ ହୋଇଥିଲେ କିଛି ପକ୍ଷୀଙ୍କର ରାହା ନଥାନ୍ତା । କିନ୍ତୁ ନଇଁ ଯାଉଥିବା ଖରା ବା ଆସୁଥିବା ଲମ୍ବା ଖରାରେ ସମସ୍ତେ ନିଜ ଭିତରେ ନୂଆ ଜୀବନକୁ ଖୋଜି ପାଆନ୍ତି । ଜଙ୍ଗଲରେ ଛାଇ ଲମ୍ବା ହୋଇଯାଏ । ଗଛ ଗୁଡିକ କମଳା ରଙ୍ଗରେ ହାଲକା ରଙ୍ଗେଇ ହୋଇ ଯାଆନ୍ତି । ପାଣି ପାଖା ପାଖି ଯାଗାରେ ସମସ୍ତେ ଏକାଠି ହୋଇ ଯାଆନ୍ତି । ଲାଗିବ ସେମାନେ ନିଜ ଭିତରେ ଯେମିତି କିଛି ଆଲୋଚନା କରୁଛନ୍ତି । ପାଣିରୁ କିଛି ଦୂରରେ ପକ୍ଷୀମାନେ ନିଜ ହିସାବରେ ଅଗଣିତ ଗୀତ ଗାଆନ୍ତି । ଗୀର ଜଙ୍ଗଲରେ ଅଗଣିତ ପକ୍ଷୀ । ଯେଉଁଠି ଦେଖିବ ଛୋଟ ବଡ ଆକାରର ପକ୍ଷୀଟିଏ ଉଙ୍କୁଛି । ସବୁ ପକ୍ଷୀମାନେ ଅବଶ୍ୟ ଗୀତ ଗାଆନ୍ତି ନାହିଁ । କିଛି ପକ୍ଷୀ ଗାଆନ୍ତି । କିଛିଙ୍କର ରାବ ତ କର୍କଶ । ଏମିତିଆ ରାବ ଶୂଣିଲେ ପେଟ ଭିତରଟା କେମିତି ମୋଡି ମୋଡି ହେଲା ପରି ଲାଗେ ।
ଏକ ଲମ୍ବା ଗୀତ ଚାଲିଥିଲା । ଦୁଇଭାଇ କିଏ ଗୀତ ଗାଉଛି ବୋଲି ଦେଖିବାକୁ ଟିକିଏ ମୁଣ୍ଡ କାଢିଲେ । ବାଁ ପଟେ ଏକ ଲମ୍ବା ଗଛ କେନା ହୋଇ ବଢି ଯାଇଥିଲା । ସେହି ଝଙ୍କାଳିଆ ଗଛ ଭିତରେ କିଏ ଗୀତ ଗାଉଥିଲା । ଦୁଇଭାଇଙ୍କ ଆଖିରେ ଝାପସା ନିଦ ଥିଲା । ସେମାନଙ୍କୁ ଖୁବ ଭଲ ଭାବରେ କିଛି ଦେଖା ଯାଉ ନଥିଲା । ତଥାପି ବି ଛୋଟ ଛୁଆର ମନ । ସବୁ ବେଳେ ନୂଆ ଜିନିଷ ଦେଖିବାକୁ ଇଚ୍ଛା ହେଉଥିଲା । ସେମାନଙ୍କର ଆଖି ଟିକିଏ ଅଧିକ ଖୋଲିଗଲା ।
ହଠାତ୍ ଆକାଶରେ ଏକ ଲମ୍ବା ଚଉଡା ଛାଇ ଲମ୍ବିଗଲା । ଖୁବ ଜୋରରେ ଛାଇଟା ତଳକୁ ଓହ୍ଲାଇ ଆସିଲା ଆଉ ଏକ ପତଳା ଡାଳରେ ବସିଥିବା ଏକ ପକ୍ଷୀକୁ ଝାମ୍ପ ମାରିଧରି ନେଲା । ଜୋରରେ ଉଡୁଥିବା ପକ୍ଷୀଟି ଏକ ଶିକାରୀ ଇଗଲ ପକ୍ଷୀ ଥିଲା । ତାର ଟାଣୁଆ ନଖ ଆଘାତରେ ପଂଝାରେ ଥିବା ପକ୍ଷୀଟି କ୍ଷଣକରେ ମରିଗଲା । ତାର ଆଖି ଖୋଲିଯାଇଥିଲା, ସେ ଛଟ ପଟ ହେଉବି ନଥିଲା । ଇଗଲଟି ଆକାଶରେ ବୁଲିଯାଇ ଏକ ବଡ ଗଛର ଶୁଖିଲା ଡାଳ ଉପରେ ବସି ପଡିଲା । ଇଗଲ୍ର ମୋଟା ପଞ୍ଝାରେ ଗୋଟାଏ ମଲା ପକ୍ଷୀ ଲାଗି ରହିଥିଲା। ଇଗଲ ତୁଳନାରେ ସେ ପକ୍ଷୀଟି ବହୁତ ଛୋଟ । ମଲା ପକ୍ଷୀଟିର ଆଖି ଟିକେ ଖୋଲିଯାଇଛି । କିନ୍ତୁ ଶରୀର ସ୍ଥିର । ଇଗଲ୍ର ନଖଗୁଡିକ ତା ଶରୀରରେ ଫୁଟି ଯାଇଥାଏ । ଗୋଟାଏ ନଖ ଶରୀର ବାହାରକୁ ଦେଖାଯାଉଥିଲା । ଇଗଲ୍ଟି ଡାହଣ ପଞ୍ଝାରେ ପକ୍ଷୀଟିକୁ ଦୃଢ ଭାବେ ଧରି ଥିଲା । ବାମ ପଞ୍ଝା ଗଛ ଡାଳ ଉପରେ ଥିଲା । ସେଇଠି ରହି ଇଗଲ୍ଟି ମଲା ପକ୍ଷୀକୁ ଖାଇବ । ତାର ଗୋଲ୍ ମୁଣ୍ଡଟି ଏପଟ ସେପଟ ବୁଲିଯାଉଥିଲା । ଗୋଲ ମୁଣ୍ଡଟିର ଠିକ୍ ତଳେ ବିରାଟ ବିରାଟ ଦୁଇଟି ହଳଦିଆ ଆଖି, ମଝିରେ ଗୋଲାକାର କଳା ଅଂଶ ଆଖିର, କଳା ଡୋଳା ତା ତଳେ ବାହାରି ଆସିଛି ଏକ ଅପେକ୍ଷାକୃତ ଳମ୍ବ ଗୋଜିଆ ଥଂଟ ଆଗକୁ ମୋଡି ଯାଇଛି । ଏମିତିଆ ଥଂଟ ଥିଲେ ସହଜରେ ମାଂସ ଛଡାଇ ହେବ ।
ଏହି ଇଗଲ ପାଉଁଶିଆ ଧଳା କଳା ରଙ୍ଗର ପକ୍ଷୀ । ଛାତି ଆଡକୁ ବେଶୀ ଧଳା ରଙ୍ଗର ପର ତା ଉପରେ କଳା ରଙ୍ଗର ଆସ୍ତରଣ । ଇଗଲଟି ନିଜର ଖୁବ୍ ମୋଟା ପଞ୍ଝାରେ ସହଜରେ ପକ୍ଷୀଟିକୁ ମାରିଦେଇଥିଲା । ଶାନ୍ତିରେ ଏକ ବଡ ଗଛ ଡାଳ ଉପରେ ବସି ସେ ଆଖ ପାଖକୁ ଅନାଇ ରହିଥିଲା । ଇଗଲମାନେ ଶିକାର କରି ସାରିବା ପରେ ଶିକାରକୁ ଧରି ଗଛ ଡାଳକୁ ନେଇଯାନ୍ତି । ବେଳେବେଳେ ତଳେ ମଧ୍ୟ ବସି ଖାଇ ନିଅନ୍ତି । ସେମାନଙ୍କ ଶିକାର ପକ୍ଷୀ ହୋଇପାରେ । ଅନେକ ସମୟରେ ଛୋଟ ଛୋଟ ପଶୁଙ୍କୁ ମଧ୍ୟ ଶିକାର କରନ୍ତି ।
ଏ ଶିକାର ପରେ ଜଙ୍ଗଲ ଏକଦମ ନୀରବ ହୋଇ ଯାଇଥିଲା । ସେମିତି କିଛି ଚିର ଚିରେଇବା ଶବ୍ଦ ନଥିଲା । ଏକ ସାଙ୍ଗ ମରିଗଲା ପରେ ଅନ୍ୟମାନେ ଡରି ଯାଇଥିଲେ । ସେମାନେ ଆଉ ଡେଉଁ ନଥିଲେ । ସମସ୍ତେ ଛପି ଯାଇଥିଲେ ଆଉ ପତ୍ର ଗହଳରୁ ବାହରକୁ ଅନାଉଥିଲେ । ଏବେ ଅବଶ୍ୟ ଇଗଲ ଆଉ ଶିକାର କରିବ ନାହିଁ । କିନ୍ତୁ ମୃତ୍ୟୁର ଡରରେ ସମସ୍ତେ ଚୁପ ହୋଇ ଯାଇଥିଲେ ।
ଏଣେ ଦୁଇ ସିଂହ ଛୁଆଙ୍କ ଛାତି ଊଠୁଥିଲା ପଡୁଥିଲା । ଆକାଶରୁ କେମିତି କିଏ ଉଡି ଆସିପାରେ ଏକଥା ସେମାନେ କେବେ ଭାବି ନଥିଲେ । ଦୁଇ ଭାଇ ଭିତରକୁ ଟିକିଏ ଖସି ଗଲେ । କିଏ ସେମାନଙ୍କୁ ହଠାତ୍ ଦେଖି ପାରିବ ନାହିଁ । ସେମାନେ ଏ ପର୍ଯ୍ୟନ୍ତ ଆକାଶରେ ଉଡୁଥିବା ସୁନ୍ଦର ପକ୍ଷୀମାନଙ୍କୁ ଦେଖିଥିଲେ । ସେମାନେ ପତ୍ର ଉଢାଳରେ ସୁନ୍ଦର ଗୀତ ଘାଆନ୍ତି ବା ମାଟିରେ ଫକ୍ ଫକ୍ କରି ଡିଅନ୍ତି । ଏମିତି ଆକାଶରୁ ଡେଣା ଖୋଲି ନିଜର ପଂଝାରେ ଛୋଟ ପକ୍ଷୀକୁ ଧରନ୍ତି ନାହିଁ । ଆକାଶରେ ତାହେଲେ ବିପଦ ଅଛି ।
ଦୁଇ ଭାଇଙ୍କର ନିଦ ଏକଦମ ଛାଡି ଯାଇଥିଲା । ସେମାନେ ପତ୍ର ଫାଙ୍କରୁ ଡରି ଡରି ଅନାଉଥିଲେ । ସେଠୁ ବେଶ କିଛି ଦୂରରେ ଏକ ଥୁଂଟା ଡାଳରେ ଇଗଲଟି ନିଜର ଟାଣୁଆ ବଙ୍କା ନଖରେ ପଂଝାରେ ଥିବା ପକ୍ଷୀଟିକୁ ଖାଉଥିଲା । ଇଗଲ ଥଂଟରେ ରକ୍ତ ଲାଗି ରହିଥିଲ । ତାର ବିରାଟ ଗୋଲ ଆଖି ଥାଳି ଭଳି ଘୁରୁଥିଲା । ସେମାନେ ଗଛ ଭିତରେ ଲୁଚିଗଲେ ।
ସେମାନେ ଧିରେ ଧିରେ ଜଙ୍ଗଲରେ ରହିଥିବା ଅନେକ ଜୀବ ଜନ୍ତୁଙ୍କ ବିଷୟରେ ଜାଣୁଥିଲେ । ସେମାନଙ୍କୁ ବହୁତ ସାବଧାନ ହେବାକୁ ପଡିବ । ସେମାନେ ଜାକି ଜୁକି ହୋଇ ବସି ପଡିଲେ । ମା କେତେ ବେଳେ ଆସିବ କିଏ ଜାଣେ? ସେମାନଙ୍କ ଆଖିରୁ ନିଦ ହଜି ଯାଇ ଥିଲା । ଶରୀରରେ ଲୋମ ଠିଆ ହୋଇ ଯାଇଥିଲା । ଏମିତି କେତେ ସମୟ ବିତିଗଲା । ଆକାଶରେ ସୂର୍ଯ୍ୟ ମୁଣ୍ଡ ଉପରୁ ଡେଇଁ ତଳକୁ ଓହ୍ଲାଉ ଥିଲା ।
ମା ଅନେକ ବେଳ ପରେ ଆସିଲା । ସେମାନେ ମାକୁ ଦେଖି ବାହାରି ଆସିଲେ । ନିଜ ଭାଷାରେ ବହୁତ କହିଲେ । ସେମାନଙ୍କ ଆଖି ଇଗଲ ବସିଥିବା ଗଛ ଉପରେ ବୁଲି ଯାଉଥିଲା । ସେତେବେଳକୁ ଅବଶ୍ୟ ଇଗଲ ଉଡିଗଲାଣି । କିନ୍ତୁ ଦୁଇ ଭାଇଙ୍କ ମନର ଡର ସେମାନଙ୍କୁ ବିଚଳିତ କରୁଥିଲା । ମା ଦେହରେ ଘଷି ହେଲେ ଆଉ ମାକୁ ଟିକେ ଚାଟିଲେ । ମା ଛୁଆ ଦୁହିଁଙ୍କୁ ଭଲ ଭାବେ ଚାଟିଲା । ମା ଚାଟିବାରେ ସେମାନଙ୍କ ମନରୁ ସବୁ ଡର ଚାଲିଗଲା । ମା’ର ଆଖି ସେହି ଗଛ ଉପରେ ଆଉ ଅନ୍ୟ ଯାଗା ଉପରେ ବୁଲିଗଲା । ସେମିତି କିଛି ବିପଦ ନାହିଁ । ସେ ପେଟେଇ ପଡିଲା । ମାଠୁ ଛୁଆ ଦୁହେଁ ସ୍ତନ୍ୟପାନ କରିବାକୁ ଲାଗିଲେ । ।
କ୍ରମଶଃ
Go Back to Previous Page
ଚାମଚ
ଜ୍ୟୋତିରଞ୍ଜନ ସାହୁ
Read Article
ଷ୍ଟୁଲ୍
ଲିପ୍ସାମୟୀ ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ