୧୦୮ ଆମ୍ବୁଲାନସ୍ଟା ବିକଟାଳ ଶବ୍ଦ କରି ମାଡ଼ିଆସିଲା ତେଲିସାହି ଆଡକୁ। ଗାଡି ଡ୍ରାଇଭର ତେଲିସାହି ଛକରେ ଆସି ପଚାରିଲା, “ଆଜ୍ଞା ସାହୁବାବୁଙ୍କ ଘର କେଉଁଠି?” ଗାଁ ଟୋକା ହାତବଢାଇ ଦେଖାଇ ଦେଲେ ‘ସେଇ ଯେଉଁ ବଡ ନଡିଆଗଛଟେ ଅଛି; ସେଇଟା ସାହୁବାବୁଙ୍କ ଘର’। ଆମ୍ବୁଲାନସ୍ ଆସି ଜୋରଦାର୍ ସାଇରନ ବଜାଇବାକୁ ଲାଗିଲା। ଘରୁ ବାହାରି ଆସିଲେ ସାହୁବାବୁ। ଡ୍ରାଇଭରକୁ କହିଲେ, “ଚାଲ୍ଚାଲ୍। ନିଧିମଉସା ଘରକୁ ଚାଲ। କେତି ମାଉସୀ ଦେହ ଆଦୌ ଭଲ ନାହିଁ” ହସ୍ପିଟାଲ ନେବାକୁ ପଡିବ। ଏହାପରେ ସେହି ଆମ୍ବୁଲାନ୍ସରେ ହସ୍ପିଟାଲ ଆସିଲେ କେତି ମାଉସୀ ଆଉ ସାଂଗରେ ଆସୁଥାନ୍ତି ନିଧି ମଉସା।
ଆମ୍ବୁଲାନ୍ସ ଭିତରେ ପ୍ୟାସେଣ୍ଟ ବେଡରେ ଶୋଇଥାନ୍ତି କେତି ମାଉସୀ। ନିଧି ମଉସା ଆଉ ସାହୁବାବୁ ସାମନା ସାମନି ହୋଇ ବସିଥାନ୍ତି। ଉଭୟ ଥାଆନ୍ତି ଚୁପଚାପ୍। କିଛି ସମୟପରେ ମାଉସୀ କଷ୍ଟରେ ଛଟପଟ ହେବାକୁ ଲାଗିଲେ। ସାହୁବାବୁ ଦେଖିଲେ ନିଧି ମଉସା ତରତର ହୋଇ କଣ ଗୋଟିଏ ଗାମୁଛାର ଗଣ୍ଠି ଫିଟାଇ ବାହାର କଲେ। ଆଶ୍ଚର୍ଯ୍ୟର କଥା ସେଇଟା ଥିଲା ଗୋଟିଏ ଚାମଚ୍। ନୂଆଟିଏ ଭଲା ହୋଇଥାନ୍ତା! କେଉଁ ଅମଳର ଜଂକ ଲଗା ଚାମଚ୍ଟା; ସେଥିରେ ପୁଣି ମଝି କଣା। ସାହୁବାବୁ ପାଟିକରି ଉଠିଲେ, “ଆରେ ଆରେ! ମେଡିସିନ ପଡିଯିବ ଯେ ସେହି କଣା ଚାମଚ୍ଟିରୁ” ସାହୁବାବୁଙ୍କ କଥା ଶୁଣି ସ୍ମିତହାସ୍ୟଟିଏ ହସିଦେଇ ନିଧି ମଉସା କହିଲେ, “ବୁଝିଲୁ ବାପ! ଏଇଟା ପରା ଯାଦୁ ଚାମଚ୍। ଏଇ ଚାମଚରେ ମ୍ୟାଡିସିନ ଖାଇଲେ ସିଏ ପୁରା ଭଲ ହୋଇଯିବ” ଟିକିଏ ଆଶ୍ଚର୍ଯ୍ୟ ହୋଇ ସାହୁବାବୁ ପଚାରିଲେ, “କେମିତି?” ନିଧିମଉସା କହିଲେ, “ଏଇଟା ପରା ତୋ ମାଉସୀର ଲକ୍ଷ୍ମୀ ଚାମଚଟା। ସିଏ କୁହେ ତାର ଦେହ ଖରାପ ହେଲେ ତାକୁ ଏଇ ଚାମଚରେ ଔଷଧ ଦେବାକୁ” ନିଧିମଉସା କଥାଶୁଣି ସାହୁବାବୁ ପୁଣି ପଚାରିଲେ, “କଣ ଅଛି ଏହି ଚାମଚରେ?” ଏଥର ଟିକିଏ ଗମ୍ଭୀର ହୋଇ ପଡିଲେ ନିଧିମଉସା। କହିଲେ, “ସେଦିନ ମୋ ସାତବର୍ଷର ପୁଅଟା ଜ୍ବରରେ କମ୍ପୁଥାଏ। ପନ୍ଦରଦିନ ହେବ ପିଲାଟା ମୋର କିଛି ଖାଇ ନଥାଏ। ଡାକ୍ତର ବାବୁ ମୋତେ କହିଥିଲେ ବୁଝିଲୁ ନିଧି ଏ ଔଷଧଟା ନେଇଯା। ସକାଳ ସଂଧ୍ୟା କରି ଠିକ ଚାମୁଚେ ଚାମୁଚେ ଏଥିରୁ ତୋ ପୁଅକୁ ଦେବୁ। ଘରକୁ ଆଣି କେତି ହାତରେ ଔଷଧଟା ଧରାଇ ଦେଉଦେଉ ତାକୁ କହିଲି ଡାକ୍ତରବାବୁ କହିଛନ୍ତି ସକାଳ ସଂଧ୍ୟା ଚାମୁଚେ ଚାମୁଚେ ଔଷଧ ଦେବୁ। କେତି କହିଲା ଜହ୍ନତାରା ଦିଶୁଥିବା ଘରେ ଚାମଚ କେଉଁଠୁ ଆସିବ? କିଛି ସମୟ ପରେ କେତି କହିଲା ରୁହରୁହ ପ୍ରଧାନ ସାହେବ ଘରେ ଗୋଟେ ଚାମଚ ଅଛି। ଆଉ ଏଇଟା ସେଇ ଚାମଚ୍। ତାଙ୍କ ଚିନିଡବାରେ ପଡିଥିଲା। କେତି କୁହେ ଏଇ କଣା ଚାମଚଟାରେ ଚିନି ପକାଇ ଚା’ଟା ଟିକିଏ ଘାଣ୍ଟିଦେଲେ ସାହେବକୁ କୁଆଡେ ଅମୃତ ପରିକା ଲାଗେ। ଅମୃତଟା ତା ହାତରେ ଥିଲା ନା ସେ ଚାମଚରେ କେଜାଣି କିନ୍ତୁ କେତି ମାଗିବାରୁ ସାହେବ ତା'ର ଚାମଚଟା କଣା ହୋଇଗଲାଣି କହି ଦେଇ ଦେଇଥିଲେ। ଅନେକ ଆଶାନେଇ ଦଉଡ଼ି ଆସିଥିଲା ସେଇ ଚାମଚରେ ପୁଅକୁ ଟିକିଏ ଔଷଧ ଖୁଆଇବ ବୋଲି। ହେଲେ ତାର ଆସିବାଟା ଟିକିଏ ଡେରି ହୋଇଗଲା। ସେ ଆସିବା ଆଗରୁ ପୁଅଟା ଆଖି ବୁଜି ଦେଇଥିଲା। ପାଗଳିଙ୍କ ଭଳି ହୋଇଗଲା କେତି। ପୁଅର ବନ୍ଦ ମୁହଁଟା ଖୋଲିଦେଇ ଢାଳିଗଲା ଚାମଚା ଚାମଚା ଔଷଧ। କାହିଁକି କେଜାଣି ସେହିଦିନଠାରୁ ସେ ଚାମଚ ସହିତ ତାର ଗୋଟିଏ ଅଜଣା ସମ୍ପର୍କ ଗଢି ଉଠିଲା। ପଚାରିଲେ କହେ, “ଆରେ ଏଇଟାରେ ପରା ମୋ ଗପୁ ଔଷଧ ଖାଇଥିଲା। ଆଜି ବି ତା ସ୍ପର୍ଶଟା ମୁଁ ଏ ଚାମଚରେ ଅନୁଭବ କରେ। ଜାଣ ଯେବେ ଯେବେ ମୁଁ ଏ ଚାମଚରେ ଔଷଧ ଖାଏ ମୋତେ ଲାଗେ ମୋ ଗପୁ ମୋ ଓଠରେ ଚୁମଟିଏ ଦେଇ କହୁଛି ମା ତୁ ବ୍ୟସ୍ତ ହୁଅନା ଲୋ। ଦେଖିବୁ ତୁ ନିଶ୍ଚୟ ଭଲ ହୋଇଯିବୁ” କେତି ମୁହଁରୁ ଏକଥା ଶୁଣିବା ପରେ ମୁଁ ଆଉ କୌଣସି ପ୍ରଶ୍ନ ତା ପାଇଁ ରଖିନାହିଁ ଏ ଚାମଚକୁ ନେଇ। ତାର ଯେବେ ଯେବେ ଦେହ ଖରାପ ହୁଏ, ମୁଁ ଏଇ କଣା ଚାମଚଟାରେ ତା ମୁହଁରେ ଢାଳିଦିଏ ଚାମଚା ଚାମଚା ଔଷଧ। ଆଉ ସିଏ ବହୁତ ଶୀଘ୍ର ଭଲ ବି ହୋଇଯାଏ। ଆଚ୍ଛା ବାପ! ସତ କହିଲୁ ଏଥର ଏତେ ଦିନ ହେଲାଣି ସିଏ କଣ ପାଇଁ ଭଲ ହେଉନି?”
ନିଧିମଉସାଠାରୁ ଏ କଥା ଶୁଣି ସାହୁବାବୁଙ୍କର ଆଖି ଛଳଛଳ ହୋଇ ଉଠିଥାଏ। ଗାଁ ସ୍ବାସ୍ଥ୍ୟ କେନ୍ଦ୍ରର କମ୍ପାଉଣ୍ଡର ସାହୁବାବୁ କିପରି କହିବେ ନିଧିମଉସାଙ୍କୁ ଯେ ଏଥର ତାଙ୍କର କେତିମାଉସୀ ଆଉ ଏ କଣା ଚାମଚରେ ଭଲ ହେବନି ବୋଲି। ମିଛ କହିଛି କେତିମାଉସୀ ଯେ ଏଇଟା ଯାଦୁ ଚାମଚ ବୋଲି। ସାହୁବାବୁ ଚିନ୍ତାକଲେ କଣ କହିଦେବି ସତକଥାଟା ନା ସମୟକୁ ଅପେକ୍ଷା କରିବି! ଯଦି କହିଦେବି ତେବେ କେମିତି ସାମନା କରିବ ନିଧିମଉସା ଏ ବୟସରେ ଏହି କଠୋର ସତ୍ୟକୁ! ଏତିକି ବେଳେ ଖୁବ୍ ଜୋରରେ ଛାତି ଧଡଧଡ ହେଲା କେତିମାଉସୀର। ସାହୁବାବୁ ଦେଖିଲେ ତରତର ହୋଇ ସବୁ ଜାଣିଲା ପରି ନିଧିମଉସା ପାଖରେ ରଖିଥିବା ଗଂଗାଜଳକୁ ଚାମଚରେ ଢାଳି ନେଉ ନେଉ ଦୁଇବୁନ୍ଦା କଣାଦେଇ ଆଗ ପଡିଗଲା କେତିମାଉସୀର ପାଟି ଉପରେ। ଆଉ ଦେଖୁ ଦେଖୁ ନିଶ୍ଚଳ ହୋଇଗଲା କେତି ମାଉସୀର ଶରୀରଟା। ହସି ହସି ନିଧିମଉସା କହୁଥାନ୍ତି, “ଦେଖିଲୁ ବାପ! ଏ ଚାମଚରେ ଯାଦୁ ଅଛି। ସେଇଥି ପାଇଁ ତ କେମିତି ତୋ ମାଉସୀ କଷ୍ଟରୁ ମୁକ୍ତି ପାଇଗଲା ଦେଖିଲୁ! ସେଇଥି ପାଇଁ ପରା ତୋ ମାଉସୀ କହେ ମୋତେ ଏଇ କଣା ଚାମଚରେ ଔଷଧ ଦେବ” ସାହୁବାବୁ କିନ୍ତୁ ଚାହିଁ ରହିଥାନ୍ତି ମଉସାହାତରେ ଥିବା ସେ ଚାମଚକୁ ଆଉ ଭାବୁଥାନ୍ତି ସତରେ ଜୀବନଟା ଚାଲିଯିବ ବୋଲି ମଉସା ଜାଣିଥିଲା ନା ସେ ଚାମଚଟା! କେମିତି ସବୁ ଜାଣିପାରିଲା ଭଳି କେତିମାଉସୀର ଶେଷନିଶ୍ବାସଟା ଯାଉଯାଉ ଠିକ୍ ସମୟରେ ସେ ଚାମଚର କଣାଦେଇ ବରଷିଗଲା ଗଂଗାଜଳ! ଏହି କଥାକୁ ଭାବୁ ଭାବୁ ନଜର ପଡିଲା ନିଧିମଉସାଙ୍କ ଉପରେ। ସାହୁବାବୁ ଦେଖିଲେ ନିଧିମଉସାଙ୍କ ହସହସ ମୁହଁଟା ଏକ ଲୟରେ ଚାହିଁଥାଏ କେତିମାଉସୀର ନିଷ୍ପ୍ରାଣ ଶରୀରଟାକୁ
Go Back to Previous Page
ଦୋଛକି
ଆଶୁତୋଷ ବରାଳ
Read Article
ସୁନେଲୀ ସିଂହ - ୫ (ଖ)
ଅଶୋକ ବିଶ୍ବାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ