ହେଲୋ ଦେବେନ, ମୁଁ ରୀତା କହୁଛି। ହଁ, କଣ ହେଲା। ପୁତୁଲ ଏ ପର୍ଯ୍ୟନ୍ତ ସ୍କୁଲରୁ ଫେରିନାହିଁ। ଆଖପାଖରେ ତାର ଯେତେ ସାଙ୍ଗ ସମସ୍ତଙ୍କୁ ପଚାରି ସାରିଛି, ସମସ୍ତେ ଆସି ସାରିଲେଣି। ହେଲା, ସେ ଆମ ଅଟୋରେ ଆସୁଥିବ, ତୁମେ ବ୍ୟସ୍ତ ହୁଅନି। ନା, ନା, ତୁମେ ଜଲ୍ଦି ଘରକୁ ଆସ, ମୋ ମନ କେମିତି ନାନା ଆଶଙ୍କାରେ ଗୁଡେଇ ତୁଡ଼େଇ ହେଉଛି। ହଉ, ମୁଁ ଏଇ ସଙ୍ଗେ ସଙ୍ଗେ ବାହାରିଲି।
ବର୍ତ୍ତମାନ ମୁଁ କଣ କରିବି, କାହା ପାଖକୁ ଯିବି, ସ୍କୁଲ ଛୁଟି ହେବାର ଦୁଇ ଘଣ୍ଟା ଅତିକ୍ରମ କରିଗଲାଣି। ହେ ମା’ ମଙ୍ଗଳା ତୁ ମୋ ଝିଅକୁ ଫେରାଇ ଦେ ମା’। ମୋ ପୁତୁଲକୁ ଭଲରେ ଘରକୁ ନେଇ ଆସିଲେ ତୋତେ ମୁଁ ନୂଆଁ ଲୁଗା ଦେବି,ଭୋଗ ଦେବି, ଦୀପ ଲଗେଇବି, ମୋ ଧନକୁ ଖୋଜିଆଣି ଦେ ମା’। ଯାଆନ୍ତି ଭାରି ଟିକେ ସ୍କୁଲ ଆଡେ କି। କାଳେ ପୁତୁଲ ଆସିବ ଆସିବ ହୋଇ ଏ ପର୍ଯ୍ୟନ୍ତ ପଦାକୁ ଗୋଡ କାଢିପାରୁନି। ଏଇନା ଯଦି ଯିବି, ଆଉ ପୁତୁଲ ଫେରିଆସି ତାଲା ପଡିଛି ଭାବି ପୁଣି କୁଆଡେ ଚାଲିଯିବ। ଆଜିକାଲି ରାସ୍ତାଘାଟରେ ଯାହା ଘଟଣା, ଘଟଣା ଘଟୁଛି ଶୁଣିଲେ ଦେହ କଣ ହେଇଯାଉଛି। ଭୟରେ କାନ ବନ୍ଦ ହୋଇଯାଉଛି। ରକ୍ତ ଯେପରି ପଥର ପାଲଟି ଯାଉଛି। ସମୟର ପ୍ରବାହମାନ ଗତିରେ ମଣିଷ ପାଇଁ ପ୍ରତିଦିନ ନୂଆ ନୂଆ ଅମଣିଷ ରୂପକ ରାକ୍ଷସ ଯେପରି କାମୁଡି ଗୋଡାଉଛି ସମାଜର ପ୍ରତିଟି ସଚେତନ ମଣିଷକୁ। ସକାଳୁ ଉଠୁ ଉଠୁ ମଣିଷ ଭାବୁଛି ଆଜି ଦିନଟି କେମିତି ବିତିବ। ବିଭିନ୍ନ ଚିନ୍ତାରେ, ନାନା ସମସ୍ୟାକୁ ରେଡିଓ, ଟିଭି, ସମ୍ବାଦପତ୍ର ମାଧ୍ୟମରେ ଅବଗତ ହୋଇ ପୁଣି କେଜାଣି କେମିତି ରାତି ହେଉଛି। ପୁଣି ଆସନ୍ତାକାଲି ପାଇଁ ଆଉ କିଛି ଅଲିଖିତ ଭୟର ଆଭାସ ପାଉଛି। ଆଜିକାଲି ବାପାମା’ଙ୍କ ପାଇଁ ଆହୁରି ଅସୁବିଧା। କାରଣ, ଛୋଟ ପିଲାମାନେ ସ୍କୁଲ ଯାଇ ଘରକୁ ନ ଫେରିବା ପର୍ଯ୍ୟନ୍ତ ପିତାମାତାଙ୍କ ବ୍ୟଗ୍ରତା କେମିତି ଅଜଣା ଭୟରେ ଆଶଙ୍କାଗ୍ରସ୍ତ ହେଉଛି ଠିକ ମୋ ପରି। କେବଳ ସେଇମାନେ ହିଁ ଜାଣିପାରିବେ, ଯେଉଁ ମାନଙ୍କ ପିଲାମାନେ ସ୍କୁଲ ଯାଉଛନ୍ତି।
ଆଗରୁ ତ ମୁଁ ସବୁଦିନ ପୁତୁଲକୁ ସ୍କୁଲକୁ ଆଣିବାକୁ ଯାଉଥିଲି, କିନ୍ତୁ ପପୁଲ ଜନ୍ମ ପରଠାରୁ ଏତେ ବ୍ୟସ୍ତତା କର୍ମ ଜଞ୍ଜାଳ ଭିତରେ ଏକୁଟିଆ ମଣିଷ ନୟାନ୍ତ ହୋଇଯାଉଛି। ସେଥିରେ ପୁଣି ପାରିବାରିକ ସମ୍ପର୍କ, ପିଲାର ପାଠପଢା ଦେଖୁ ଦେଖୁ ସମୟ କଟି ଯାଉଛି ଯେ ନେବା ଆଣିବା ପାଇଁ ସମୟ କାହିଁ। ସେଥିପାଇଁ ଖୋଜି ଖୋଜି ତା ପାଇଁ ଅଟୋବାଲାଟେ ଠିକ କରିଥିଲୁ। ଉପରକୁ ଭାରି ଚହଟ ଚିକ୍କଣ,ପରିଶ୍ରମୀ ଦେଖା ଯାଉଥିଲା ଅଟୋ ବାଲା.... ( କିଛି ମନେ ପଡିବା ପରି ) ହେ ଭଗବାନ! ଏ ଅଟୋବାଲା ଆମ ପୁତୁଲକୁ ଭୁଲାଇ ନେଇଯାଇନି ତ! ଆଜିକାଲି ଯେଉଁଠି ଭଦ୍ରମୁଖାପିନ୍ଧା ନକଲି ବାପାମା’ ତିଆରି ହେଉଛନ୍ତି, ସେଠି ସାମାନ୍ୟ ଅଟୋବାଲା ଯଦି ପୁତୁଲକୁ ଉଠାଇ ନେଇଥିବ କିଛି କରିବା ପାଇଁ। ହେ ଭଗବାନ! ମୁଁ ପ୍ରଥମରୁ ୟାଙ୍କୁ ମନା କରୁଛି, କଣ ଦରକାର ପର ଉପରେ ନିର୍ଭର କରିବା। ନିଜେ ଟିକେ ପରିଶ୍ରମ କରି ସ୍କୁଲରେ ଛାଡି ଆସିଥାନ୍ତେ, ପୁଣି ଛୁଟି ପରେ ନେଇଆସିଲେ କଣ ବା ଅସୁବିଧା ହୋଇଥାନ୍ତା। ହେଲେ, ମୋ କଥା ଶୁଣୁଛି କିଏ! କମସେ କମ ଆଜିକାଲି ସମାଜରେ ଘଟୁଥିବା ଘଟଣା ଓ ପରିସ୍ଥିତି ଦେଖି ସେତିକି ତ ହୃଦୟଙ୍ଗମ କରିବା କଥା ଯେ ପିଲାମାନଙ୍କୁ କାହା ଦାୟିତ୍ବରେ ରଖିବା କଥା ନା ନାହିଁ। ସବୁ ଦୋଷ ମୋର, ମୁଁ କାହିଁକି ମୋ ପିଲାକୁ ତାଙ୍କ କଥା ମାନି ଅଟୋବାଲା ହାତରେ ସ୍କୁଲ ପଠାଇଲି। ସବୁ ଦୋଷ ..... ହଠାତ ଦେବେନ ଘର ଭିତରକୁ ପଶି ଆସି ବ୍ୟଗ୍ରତାରେ ପଚାରିଲେ ପୁତୁଲ ଆସିନି। ରୀତା ଆଉ ସମ୍ଭାଳି ନପାରି ଦାରୁଣ ଦୁଃଖ ବେଳେ କାହାକୁ ଆପଣାର ପାଇଲା ପରି କଇଁ କଇଁ ହୋଇ ଜୋରରେ କାନ୍ଦି ଉଠିଲେ। ଦେବେନ ବା କଣ ବୁଝାଇବେ। କହିଲେ, ହଁ ମୁଁ ଥାନାରେ ରିପୋର୍ଟ ଲେଖାଇ ଆସିଛି। ହଁ ,ଆସିଲାବେଳେ ସେ ଅଟୋବାଲା ଘର ପାଖ ଦେଇଆସିଲି। ସେ କହିଲା ଯେ, ଆଜି ସ୍କୁଲକୁ ଆଣିବାକୁ ଗଲାବେଳେ ଝିଅ କହିଲେ ମାମା କହିଛନ୍ତି ପାପାଙ୍କ ସାଙ୍ଗରେ ଆସି ମୋତେ ଘରକୁ ନେଇଯିବେ। ତୁମେ ଯାଅ, ମୋ ମାମା ପ୍ରମିଜ କରିଛନ୍ତି, ମାନେ ନିଶ୍ଚୟ ଆସିବେ। ତୁମେ ପୁତୁଲକୁ କିଛି ପ୍ରମିଜ କରିଥିଲ କି? ହଠାତ ଦେବେନଙ୍କ ଠାରୁ ଏ ପ୍ରଶ୍ନ ଶୁଣି ଚମକି ପଡିଲେ ରୀତା। ହତବାକ ହୋଇ ଚାହିଁଛନ୍ତି। ପାଟିରୁ କିଛି ଫିଟୁ ନାହିଁ, ମୁଣ୍ଡକୁ ଚାପିଧରି ହେ ଭଗବାନ! ୟେ ମୁଁ କଣ କଲି କହି ଦୁଲ କରି ତଳେ ପଡି ଯାଉ ଯାଉ କଣ ହେଲା କଣ ହେଲା କହି ଦେବେନ ରୀତାଙ୍କୁ ନେଇ ବେଡ଼ରେ ଶୁଆଇଦେଇ ପାଣି ଛାଟିଲେ। ମୋ ପୁତୁଲୁ, ମୋ ଧନରେ, ମୋ ଗେଲ୍ହିରେ ପାଣି ଛାଟୁ ଛାଟୁ ବାଉଳି ହୋଇ ପୁଣି ମୂର୍ଚ୍ଛା ପଡିଗଲେ। ଦେବେନ କଣ କରିବେ ଭାବୁ ଭାବୁ ଘର ଭିତରଟାରେ ଖାଲିଟାରେ ଏ ପାଖକୁ ସେ ପାଖକୁ ହେଉଥାନ୍ତି।
ଏ ପର୍ଯ୍ୟନ୍ତ ଥାନାରୁ କୌଣସି ଖବର ନାହି। ସବୁ ପରିଚିତ ଚିହ୍ନା ଲୋକଙ୍କୁ ପଚାରି ସାରିଛନ୍ତି। ଆଜିକାଲି ରାସ୍ତାଘାଟରେ ଯାହା ନ ଘଟୁଛି ପୁଣି ଦିନବେଳା। ସେଥିରେ ପୁଣି ଏ ରାତିରେ ଯାଇ କେଉଁଠି ଖୋଜିବି। ହଠାତ ମନଟା ଭୟରେ ଶଙ୍କାଗ୍ରସ୍ତ ଆବୋରି ବସିଲା। ସେ ଦିନ ପରିଡା ବାବୁ କହୁଥିଲେ, କିପରି ବଳି ଦେବା ପାଇଁ ଏକ ଦଳ ଅଛି। ସେ ପିଲା ଛୋଟ ହେଉ ବା ବଡ ହେଉ ଉଠାଇ ନେଇ ଯାଉଛନ୍ତି। ପୁଣି ଦିନ ଦ୍ବିପହରରେ ଅଫିସ, ଥାନା, କଚେରୀ ସବୁ ଖୋଲା ଆଖିରେ ଚାହିଁଥିବା ବେଳେ ସମସ୍ତଙ୍କ ସମ୍ମୁଖରୁ। କାହିଁକି କେଜାଣି ସରକାର ଏମାନଙ୍କୁ ପୋଷିଛନ୍ତି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି। ମୋ ଝିଅକୁ ଖୋଜି ପାରୁନାହାନ୍ତି। କାଲି ପୁଣି ଖବର କାଗଜରେ ବାହାରିଥିଲା ଗୋଟେ ଲୋକ ଜଣେ + ୨ ପିଲାକୁ ବି ବି ହାଇସ୍କୁଲ ଛକ ପାଖରୁ ଉଠାଇନେଇ ବାହାର ରାଜ୍ୟରେ ବିକି ଦେବାକୁ ଉଦ୍ୟମ କରିଥିଲା, କିନ୍ତୁ ଭାଗ୍ୟବଳରେ ସେ କୌଶଳରେ ଘରକୁ ଫେରିଆସିଛି। ହେ ଜଗନ୍ନାଥ, ଏମାନଙ୍କୁ ବୁଦ୍ଧି ଦିଅ। ସାମାନ୍ୟ କେତେଟା ଟଙ୍କା ପାଇଁ ଜୀବନ ନେବାକୁ ବି ପଛାଉ ନାହାନ୍ତି। ନାନା ଆଶଙ୍କାରେ ଅସ୍ଥିର ହୋଇ ଉଠିଲେ। ଆଉ ପୁତୁଲ ଏମାନଙ୍କ ଶିକାର ହୋଇନି ତ! ଆଃ ପାଣି .... ପାଣି .... ବୋଧହୁଏ ରୀତାଙ୍କ ଚେତା ଫେରିଆସିଛି। ନିଅ ପାଣି ନିଅ, ତୁମେ ଏମିତି ବ୍ୟସ୍ତ ହେଲେ କଣ ହେବ, ପରିସ୍ଥିତିକୁ ସାମ୍ନା କରିବାକୁ ହେବ। ମୋର ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦିଅ। ପୁତୁଲକୁ ସ୍କୁଲରୁ ଆଣିବା ପାଇଁ ତୁମକୁ କହିବାକୁ ମୁଁ ପୁରାପୁରି ଭୁଲିଯାଇଛି। ଯଦି ଆମେ ଦୁହେଁ ଯାଇ ତାକୁ ଆଣିଥାନ୍ତେ, ତାହେଲେ ଆଜି ଆମ ପୁତୁଲ କଣ ହଜିଥାନ୍ତା। ଝିଅ ଆଜିକାଲି ପ୍ରତି କଥାରେ ଜିଦ କରୁଛି। ବହୁତ ଦିନରୁ କହି ଆସୁଛି ମାମା ତୁମେ ମୋତେ ଆଗପରି ନିଜେ କାହିଁକି ସ୍କୁଲରୁ ଆଣୁନ। ସେଦିନ ସେମିତି ପପୁଲ ମୋ କୋଳରେ ବସିଥିବା ବେଳେ ପୁତୁଲ ଜିଦ କଲା କୋଳରେ ବସିବା ପାଇଁ। ବହୁତ ବୁଝାଇବା ପରେ ନ ବୁଝିବାରୁ ଗୋଟେ ଚାପୁଡା ମାରିଲି ଯେ ସେଦିନ ରାତିରେ ନ ଖାଇ କାନ୍ଦି କାନ୍ଦି ଶୋଇଗଲା। କେତେ ବୁଝାଇ ପ୍ରମିଜ କରିବାରୁ ସକାଳେ ଖାଇ ସ୍କୁଲ ଯାଇଥିଲା। ସବୁ ଭୁଲ ମୋର ଅଟେ। ଆମର କର୍ତ୍ତବ୍ୟ ତା’ର ବାଳୁତ ଦାବି, ଆମେ ତାର ଜନ୍ମଗତ ଅଧିକାର ପୂରଣ କରିବା ଉଚିତ। କେତେଦିନ ହେଲାଣି ମୁଁ ଲକ୍ଷ୍ୟ କରୁଛି, ସିଏ ଭାରି ଚୁପଚାପ ରହୁଥିଲା। ଯଦି କୌଣସି କଥାକୁ ଜିଦ କରୁଥିଲା, ତାକୁ ପୂରଣ ନ କଲା ଯାଏଁ ସେ ରାଗିଯାଇ ସବୁ ଫୋପଡା ଫୋପଡି କରୁଥିଲା। ଏ ସବୁ ମୋତେ କାହିଁକି କହିନଥିଲ ରୀତା। ଏ ସବୁ ତାର ପିଲାଳିଆମି। ବଢୁଥିବା ବୟସର ମାନସିକ, ଶାରୀରିକ ପରିବର୍ତ୍ତନ ତ ହେବା ସ୍ବାଭାବିକ ଭାବି ମୁଁ ଚୁପ ରହିଥିଲି। ହଠାତ କାବଟରେ ଧଡଧଡ ଶବ୍ଦ ଶୁଣାଗଲା। ନିଶ୍ଚୟ ଆମ ପୁତୁଲ ଫେରିଆସିଛି। ମୁଁ କହୁନି, ସିଏ କେବେ ବି ଆମ ଠାରୁ ଦୂରରେ ରହି ପାରିବନି। କିନ୍ତୁ କବାଟ ଖୋଲି ଦେଖନ୍ତି ଯେ ପାଖପଡୋଶୀମାନେ ସେମାନଙ୍କ ଆଶାକୁ ନିରାଶାରେ ପରିଣତ କରି ପୁତୁଲ ଘରକୁ ନ ଫେରିବା ଶୁଣି ଆସିଛନ୍ତି। ଇଏ ତ ସମାଜର ଧର୍ମ, ଅନ୍ୟର ଦୁଃଖରେ ଦୁଃଖୀ ହେବା। କେହି କିଛି କହିବା ପୂର୍ବରୁ, ଦେବେନ ପାଖକୁ ଦାସ ବାବୁ ଚାଲି ଆସି କହିଲେ, ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ। ତୁମର ବନ୍ଧୁ ହିସାବରେ ଆମେ ସମସ୍ତେ ଏଇ ଘଟଣା ପାଇଁ ସମବେଦନା ଶୁଣାଇବାକୁ ଆସିନାହୁଁ। ତୁମକୁ ସାହସର ସହ ଧୈର୍ଯ୍ୟ ଧରିବାକୁ ପଡିବ। ଭଗବାନ କାହା ପାଇଁ ଅନ୍ୟାୟ ବିଚାର କରନ୍ତି ନାହିଁ। ଆମେ ଜାଣୁ ଆଜିକାଲି କଣ ସବୁ ଘଟୁଛି। ଯେପରି ଆଜି ତୁମ ସହିତ.... କଣ କଣ କହିଯାଉଛନ୍ତି ସମସ୍ତେ ଦେବେନର କାନରେ କିଛି ପଡୁନଥିଲା। ଡିଙ୍ଗ ଡିଙ୍ଗ କରି ରାତି ଦଶଟା ବାଜିଲା। ଧୀରେ ଧୀରେ ସବୁ ପଡୋଶୀ ନିଜ ଘରକୁ ଫେରିଗଲେ। କେତେ ସମୟ ବୁଝାଇଥାନ୍ତେ, କଣ ବା ଆଉ ବୁଝାଇବେ। ରାତିର ବୟସ ବଢି ବଢି ଚାଲିଛି। ପ୍ରତି ମୁହୂର୍ତ୍ତ ସତେ ଅବା ଗୋଟିଏ ଗୋଟିଏ ବର୍ଷ ପରି ଲାଗୁଛି। ହଠାତ କଲିଙ୍ଗ ବେଲ ବାଜିଲା। ହୃଦୟ ଭିତରୁ କେହି ଜଣେ କହୁଥିଲା, ହଁ ପୁତୁଲ ଆସିଛି। ଆଖିର ଲୁହ ଝରି ଝରି ଶୁଖିଗଲାଣି। ଏକ ବ୍ୟାକୁଳତା। ପ୍ରଭୁ, ଏ କି ପ୍ରକାର ଗୋଲକଧନ୍ଦାରେ ପକାଇ ପରୀକ୍ଷା କରୁଛ। ହତାଶ, ଭୟ, ଆଶଙ୍କା, ଅସ୍ଥିରତାରେ ଆଖିପତା ଢଳ ଢଳ ହେଉଥିବା ବେଳେ ନିରାଶ, ଅବିଶ୍ବାସ,ନିଷ୍ଠୁରତାର ପରଦାକୁ ଆଡେଇ ଦେଇ ପୁତୁଲ ଘର ଭିତରକୁ ପଶି ଆସି ମାମା,ପାପାଙ୍କୁ ଜାବୁଡି ଧରି ଜୋରରେ କାନ୍ଦିବାକୁ ଲାଗିଲା। ରୀତା,ଦେବେନ ତାକୁ ଛାତିରେ ଲଗାଇ ଅନୁରୂପ ଭାବେ ମମତାରେ ବିଭୋର ଥିବାବେଳେ, ନିବୁଜ ଅନ୍ଧକାର ଭିତରେ କ୍ଷୀଣ ରେଖା ସ୍ୱରୂପ ସ୍ନେହର ଆଲୋକ ଦେଖି ଜମା ହୋଇଥିବା ପାହାଡ ସମାନ ଅଭିମାନର ନିଆଁ ସ୍ନେହରୂପକ ବରଫର ସ୍ପର୍ଶରେ ତରଳିଯାଇ ଉଭୟଙ୍କ ପ୍ରେମରେ ଘର କମ୍ପିଉଠିଲା।
କୋହଭରା କଣ୍ଠରେ ଥରିଥରି ପୁତୁଲ କହୁଛି, ମାମା ମୋତେ ପ୍ରମିଜ କରିଥିଲା କିନ୍ତୁ ଆସିଲନି। ତୁମେ ଆଉ ମୋତେ ଭଲ ପାଉନାହଁ। ମୋତେ କୋଳରେ ବସାଇ ଗେଲ କରୁନ। ସବୁବେଳେ ପପୁଲ ପପୁଲ ହେଉଛ। ତାକୁ ଲୋରୀ ଶୁଣାଉଛ, କୋଳରେ ବସାଉଛ। ମୁଁ କହିଲେ କହୁଛ ସେ ଛୋଟପିଲା, ମୁଁ ବଡପିଲା। ମୁଁ ସ୍କୁଲ ଯାଉଛି, ସେଥିପାଇଁ ମୁଁ ନିଜେ ହାତରେ ଖାଇବି। ନିଜେ ଖେଳଣା ରଖିବି। ଦେଖିଲ ମାମା, ମୋ ହାତ କେତେ କୁନି କୁନି। ମୁଁ କେମିତି ବଡ ହେଲି? ମୁଁ ବଡ ହେଲେ କଣ ମୋତେ ଆଉ ଗେଲ କରିବନି ମାମା। ଆଗରୁ ସବୁବେଳେ ମୋତେ ସ୍କୁଲରୁ ଆଣିବାକୁ ଯାଉଥିଲ। କେତେ ଗପ ଶୁଣାଉଥିଲ। ମୋ ଫେବରାଇଟ ଚୋକୋଲେଟ, ଆଇସକ୍ରିମ, କୁର୍କୁରେ କେତେ ଖୁଆଅ। ଆଉ ଏବେ କହୁଛ ସମୟ ନାହିଁ। ସବୁବେଳେ ପପୁଲ ପାଖରେ ରହୁଛ। ସେଥିପାଇଁ ମୁଁ ଭାବିଲି ଘରକୁ ଆସିବିନି। ମୁଁ ନ ଗଲେ ତୁମେ ଖୁସିହେବ। ତୁମକୁ ଆଉ କେହି ହଇରାଣ କରିବେନି, ଜିଦ କରିବେନି। ନା, ନା ସେମିତି କାନ୍ଦେନା, ମୋ ସୁନାଟା ପରା। ହେଇ ଦେଖ କାନ ଧରି ସରି କହୁଛି ଆଉ କେବେ ବି ତୋ ମନରେ ଦୁଃଖ ଦେବିନି। ଛାତିକୁ ଆଉଜେଇ ନେଇ ଗେଲକରି ଇଚ୍ଛା ହେଉଥାଏ ସବୁଯାକ ସ୍ନେହମମତା ତା ଉପରେ ଢାଳିଦେବାକୁ। ତୁ ଯାହା କହିବୁ,ଯେମିତି କହିବୁ, ସବୁ ମୁଁ ସେମିତି କରିବି। ହେଲେ ମୋ ଠୁ ତୁ କେବେ ଦୂରେଇ ଯିବୁନି। ଦେଖ, ତୋତେ ଝୁରି ଝୁରି ତୋ ମାମାପାପା କେମିତି କାନ୍ଦୁଛନ୍ତି।
ପୁତୁଲ ପଛେ ପଛେ ଅଟୋବାଲା ଆସି ଗେଟ ପାଖରେ ଛିଡା ହୋଇ ମାତୃତ୍ବର ଏ ଅନାବିଳ ସ୍ନେହ, ଝିଅର ତ୍ୟାଗ ଦେଖି ତା ଆଖି ବି ଓଦା ହୋଇଗଲା। ଦେବେନ ଅଟୋବାଲାକୁ ଆଶ୍ଚର୍ଯ୍ୟରେ ଚାହିଁବାରୁ ସେ କହିଲା, ଆପଣ କହିବା ପରେ ମୋ ମନ ମୋଟେ ଭଲ ଲାଗିଲାନି। ଗଣେଶ ବଜାର, ବାଜି ଚୌକ, ଟାଉନ ପ୍ଲାନିଂ ସବୁ ବୁଲି ବୁଲି ନ ପାଇ ରାସ୍ତା ଉପରେ ଅଟୋ ଥୋଇ ଭାବୁଛି ଏତେ ଅନ୍ଧାର! ଚାରିଆଡ ଶୁନଶାନ। ଅନ୍ଧାରକୁ ଡରି ଯିଏ କେବେ ବାହାରକୁ ବାହାରେ ନାହିଁ, ସେହି ଝିଅ ହଠାତ ଏତେ ସାହସୀ କେମିତି ହୋଇଗଲେ। ହଠାତ ଅନ୍ଧାର ସାଙ୍ଗରେ ମିଶି ଯାଉଥିବା ବସଷ୍ଟାଣ୍ଡର ଏକ କ୍ୟାବିନ କଡରେ କେହି ଜଣେ ଛୋଟ ଝିଅ ଶୋଇବା ପରି ଲାଗୁଛି। ପାଖକୁ ଯାଇ ଦେଖେତ ଆମ ଝିଅ ମା। ବୋଧ ହୁଏ ବହୁତ ବେଳୁ କାନ୍ଦି କାନ୍ଦି ଭୋକରେ ଆଖି ପତା ଲାଗିଯାଇଛି।
ଗୁଡିଆନଳୀ, ଢେଙ୍କାନାଳ, ଓଡିଶା -୭୫୯୦୦୧
ଇମେଲ ଠିକଣା : sambitsm1987@gmail.com
Go Back to Previous Page
ନିଃସଙ୍ଗ ପୃଥିବୀ
କୁନା ସୁନା
Read Article
ଧୈର୍ଯ୍ୟ
ଆଶୁତୋଷ ବରାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ