ସକାଳର କଅଁଳ ସୂର୍ଯ୍ୟ କିରଣ ତାନିଆର କାଚ ଝରକା ଦେଇ ସମଗ୍ର ରୁମରେ ନିଜର ଆଲୋକ ବିଚ୍ଛୁରୀତ କରିଦେଇଛି। ଷ୍ଟଡି ଟେବୁଲ୍ରେ ପଡ଼ି ରହିଛି ତାନିଆର ଲାପଟପ୍, ଶେଜ ସଂପୂର୍ଣ୍ଣ ଭାବେ ସଜଡ଼ା ହୋଇ ରହିଅଛି। ବେଡ଼ରେ ରହିଛି ତା’ର ପ୍ରିୟ ଟେଡିବିଅର ଯାହାକୁ ତାନିଆର ବାପା ଇଂଞ୍ଜିନିୟର ରମେଶ ଶର୍ମା ତା’ର ବାଇଶି ତମ ଜନ୍ମ ଦିବସରେ ଉପହାର କରିଥିଲେ। ସପ୍ତାହ ପୂର୍ବରୁ ହିଁ ତାନିଆର ଜନ୍ମଦିବସ ଇଂ.ରମେଶ ଶର୍ମା ଓ ତାଙ୍କ ପତ୍ନି ବିଖ୍ୟାତ ଗାଇନୋକଲୋଜିଷ୍ଟ ଗୀତା ଶର୍ମା ଅତି ଧୁମ୍ଧାମରେ ସହରର ବଡ଼ ବଡ଼ ଲୋକଙ୍କ ସହ ପାଳନ କରିଥିଲେ। ସେଥିରେ ତାନିଆର ଅନେକ ବନ୍ଧୁ ବାନ୍ଧବୀ ମଧ୍ୟ ଉପସ୍ଥିତ ଥିଲେ। ବେଡ଼ରେ ପଡ଼ିଛି ଲାଇବ୍ରେରୀରୁ ଆଣିଥିବା କେତୋଟି ବହି ଓ ତାନିଆର କଲେଜ ବ୍ୟାଗ୍, ତାନିଆର ମାଆ ଡ.ଶର୍ମା ବାରମ୍ବାର ତାନିଆକୁ ଡାକରା ଦେଲେଣି କିନ୍ତୁ ତାନିଆର କୌଣସି ଉତ୍ତର ପାଇ ନାହାନ୍ତି। ସମୟ ସକାଳ ୯:୩୦ ହେବାକୁ ବସିଲାଣି କଲେଜ ଯିବାକୁ ତାନିଆ ବାହାରି ନାହିଁ, କରିଡରରେ ତାନିଆର ସ୍କୁଟି ସେମିତି ଠିଆ ହୋଇଛି। ତାନିଆକୁ ପୁଣି ଡାକିବା ପାଇଁ ଡ.ଗୀତା ଶର୍ମା ତାନିଆ ରୁମ୍କୁ ଗଲେ, ରୁମ୍ର କବାଟ ଖୋଲା, ବେଡ଼ରେ ତାନିଆ ନାହିଁ ବାଥରୁମରେ ବି ନାହିଁ, ଡ.ଗୀତା ବ୍ୟସ୍ତ ବିବ୍ରତ ହୋଇ ଇଂ. ଶର୍ମାଙ୍କୁ ପଚାରିଲେ। ସେ ଉତ୍ତର ଦେଲେ ମୁଁ କେମିତି ଜାଣିବି ଦୁଇ ଜଣ ତ ରାତି ୨:୩୦ରେ ଏକା ସାଙ୍ଗେ ପାର୍ଟିରୁ ଆସି ଶୋଇ ପଡ଼ିଲୁ। ବ୍ୟସ୍ତ ହୁଅ ନାହିଁ ପୂଜା ସହ ମିଶି ଚାଲି ଚାଲି ଦୁଇ ସାଙ୍ଗ କଲେଜ ଆଦି ଶୀଘ୍ର ଚାଲି ଯାଇଥିବେ। ତାନିଆର ବାପାଙ୍କ ଏହି ଉତ୍ତର ମା’ର ହୃଦୟ ଗ୍ରହଣ କରିଲା ନାହିଁ ସେ ସାଙ୍ଗେ ସାଙ୍ଗେ ପୂଜା ପାଖକୁ ଧାଇଁ ଯାଇ ଦେଖିଲେ ସେ ତ କଲେଜ ହିଁ ଯାଇନି । ପୂଜା ପାଖରେ ତାନିଆକୁ ନ ପାଇ ଡ.ଗୀତା ତାନିଆର ମୋବାଇଲକୁ କଲ୍ କରିଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ, ଥକି ଯାଇ ନିଜ ବଙ୍ଗଳାକୁ ଫେରିଆସି ଡ.ଗୀତା ପୁଣି ତାନିଆକୁ ଫୋନ କରିଲେ ଏବେ ତାନିଆର ଫୋନ ରିଙ୍ଗ୍ଟୋନର ଶବ୍ଦ ଆସିଲା ତା’ର ସ୍କୁଟିର ଡିକିରୁ । ଏହିଭଳି ପରିସ୍ଥିତିରେ ମଧ୍ୟ ତାନିଆର ବାପା ଓ ମା ନିଜ ନିଜର କାମକୁ ନେଇ ବ୍ୟସ୍ତ, ନିଜ ଝିଅକୁ ନ ପାଇ ସାଧାରଣତଃ ଯେଉଁ କଷ୍ଟ, ଯେଉଁ ବେଦନାର ଅନୁଭୂତି ହେବାକଥା ତାହା ହେଉନାହିଁ । ଇଂ. ଶର୍ମା କହିଛନ୍ତି ଆଜି ମନ୍ତ୍ରୀଙ୍କ ସହ ମିଟିଂ ଅଛି, ଡ୍ୟାମ୍ର ଉଦ୍ଘାଟନ ଅଛି ରାତିକୁ ପାର୍ଟି ଅଛି ତା’ର ଆୟୋଜନ ଦେଖିବାର ଅଛି, ଡ.ଗୀତା କହୁଛନ୍ତି କ୍ଲିନିକରୁ ମୋ ଆସିଷ୍ଟାଣ୍ଟର ଫୋନ ଆସିଥିଲା ଆଜି ମୋର ଆପଏଣ୍ଟମେଣ୍ଟ ଡାଏରୀ ଫୁଲ୍ ହୋଇଯାଇଛି। ଦୁହେଁ ନିଜ ନିଜର ବ୍ୟସ୍ତତା ମଧ୍ୟରେ ବିରକ୍ତ ହୋଇ ଗାଳି ଦେବାକୁ ଆରମ୍ଭ କରିଦେଲେଣି, ତାନିଆକୁ ଦାୟିତ୍ୱହୀନ ଝିଅ ବୋଲି ଅନେକ ନିନ୍ଦା ଅପନିନ୍ଦା ଦେଇ ଦୁଇ ସ୍ୱାମୀ ସ୍ତ୍ରୀ ନିଜ ନିଜକୁ ଗାଳି କରିବାକୁ ଲାଗିଲେ ଓ ଶେଷରେ ଦୁହେଁ ନିଜ ନିଜର କାମକୁ ଫେରିଗଲେ । ଶର୍ମା ଦମ୍ପତିଙ୍କୁ ନିଜ ଏକମାତ୍ର ଝିଅର ଚିନ୍ତା ସେତେବେଳେ ହେଲା ଯେତେବେଳେ ତାଙ୍କ ଘରେ କାମ କରୁଥିବା ୬୦ବର୍ଷର ମହିଳା ତାନିଆର ଅନୁପସ୍ଥିତିକୁ ନେଇ ଚିନ୍ତିତ ହୋଇ ଶହିଦନଗର ଥାନାରେ ଗୋଟିଏ ଏଫ.ଆଇ.ଆର ଓ ଫୋଟ ଦେଇଆସିଲା । ସାଥିରେ ଦେଇ ଆସିଲା ଶର୍ମା ଦମ୍ପତିର ଫୋନ ନମ୍ବର। ଥାନାରୁ ଫୋନ ଯିବାରୁ ଶର୍ମା ଦମ୍ପତି ନିଖୋଜ ହୋଇଥିବା ଏକମାତ୍ର ଝିଅ ପାଇଁ ଗମ୍ଭୀର ହୋଇ ନିଜ ନିଜର ବ୍ୟସ୍ତ ବିବ୍ରତ ଜୀବନରୁ ଅଳ୍ପ ସମୟ ପାଇଥିଲେ। ଦୁହେଁ ନିଜ ନିଜର ସମସ୍ତ ସମ୍ପର୍କ ଓ ଅର୍ଥକୁ ପ୍ରୟୋଗ କରି ଦିନସାରା ସମଗ୍ର ରାଜଧାନୀରେ, ତାନିଆର କଲେଜ ଓ ସମସ୍ତ ସମ୍ଭାବନା ସ୍ଥାନରେ ତାନିଆର ସନ୍ଧାନ କରିଥିଲେ । କିନ୍ତୁ ଶର୍ମା ଦମ୍ପତିଙ୍କ ସମସ୍ତ ସଂପର୍କ, ଅର୍ଥବଳ ବିଫଳ ହୋଇଗଲା। ସୂର୍ଯ୍ୟ ଅସ୍ତ ହେବା ସହ ସମସ୍ତଙ୍କ ହୃଦୟର ଆଶଙ୍କା ଘନୀଭୂତ ହେବାକୁ ଲାଗିଲା। ଶର୍ମା ଦମ୍ପତି ତାନିଆର ରୁମ୍କୁ ଯାଇ ଅନେକ ସମୟ ସେହି ସଜଡ଼ା ବେଡ଼ରେ ଟେଡିବିଅର ପାଖରେ ବସିଲେ। ସତେ ଯେମିତି ସେହି ସମଗ୍ର ରୁମ୍ ଶର୍ମା ଦମ୍ପତିଙ୍କୁ ତାନିଆର ମନୋସ୍ଥିତି ଓ ତା’ର ବେଦନା ସମ୍ପର୍କରେ ଅନେକ ଅକୁହା କଥା କହିଯାଉଛି । ସେତେବେଳେ ଶର୍ମା ଦମ୍ପତି ଅନୁଭବ କରିପାରିଲେ ଯେ ସେମାନେ ବହୁତ ଦିନ ହେଲାଣି ନିଜ ଝିଅ ସହ କିଛି ପ୍ରେମ ଭରା ମୁହୂର୍ତ୍ତ ବିତାଇ ନାହାଁନ୍ତି, କେବେ ନିଜ ଝିଅ ସହ ତା’ର ମନର କଥା ହୋଇ ନାହାଁନ୍ତି, ଦୀର୍ଘ ସମୟ ହେବ କାହାଣୀ କହି ଏଇଠି ଶୁଆଇ ନାହାଁନ୍ତି କେଜାଣେ କେବେ ତାକୁ କଲେଜ ଛାଡିବାକୁ ଯାଇଥିଲେ, କେବେ ତାନିଆ ସହ ବୁଲିବାକୁ ଯାଇଥିଲେ, କେବେ ତାନିଆ ସହ ତା’ର ଇଚ୍ଛା ଓ ଲକ୍ଷ୍ୟ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ଏହିଭଳି ଅନେକ ପ୍ରଶ୍ନ ତାନିଆର ବେଡ଼ରୁମର ପ୍ରତ୍ୟେକ କୋଣ ଅନୁକୋଣ ଶର୍ମୀ ଦମ୍ପତିଙ୍କୁ ପଚାରିବାକୁ ଲାଗିଲା । ଏହି ସମସ୍ତ ପ୍ରଶ୍ନରୁ ଆହତ ହୋଇ ନିଜର ଏକମାତ୍ର ସ୍ନେହର ଝିଅ ତାନିଆ ପ୍ରତି କରିଥିବା ଅନ୍ୟାୟର ହୃଦୟଙ୍ଗମ କରି ତାନିଆ ରୁମରୁ ବାହିରି ଶର୍ମା ଦମ୍ପତି ନିଜ ବଙ୍ଗଳାର ଛାତକୁ ଗଲେ ।
ତାନିଆ ପ୍ରତି ଶର୍ମା ଦମ୍ପତିଙ୍କ ଏଭଳି ବ୍ୟବହାର ସେମାନଙ୍କ ହୃଦୟରେ ଅନେକ ଆଶଙ୍କା ଓ ସମ୍ଭାବନାକୁ ଦୃଢ଼ୀଭୂତ କରିଥିଲା । କିନ୍ତୁ ଛାତ ଉପରକୁ ଯାଇ ସେ ଦୁହେଁ ଯାହା ଦେଖିଲେ, ସେଥିରେ ସେମାନେ ସଂପୂର୍ଣ୍ଣ ଅବାକ୍ ହୋଇଗଲେ । ଯେଉଁ ତାନିଆକୁ ସେ ଗତ ୨୪ ଘଣ୍ଟାରେ ସାରା ସଂସାରରେ ଖୋଜିଲେ, ସେ ଆସି ବସିଛି ବଙ୍ଗଳାର ଛାତ ଉପରେ ଚଟାଣରେ । ସେ ଯାଇ ନାହିଁ ନିଜର କୋଉ ପ୍ରେମିକ ସହ ବହୁ ଦୂର, ସେ ଯାଇନି ଆଇ.ଜି ପାର୍କ, ସେ ଯାଇନି ସହରର ସେହି କ୍ଲବ୍ ଗୁଡ଼ିକରେ ଯେଉଁଠି ତା’ ସମବୟସର ପୁଅଝିଅ ନିଶାରେ, ମୁକ୍ତ ମନରେ, ଖୋଲା ଦେହରେ ନାଚଗୀତରେ ମଗ୍ନ ରହିଥାନ୍ତି, ସେ ହଜି ଯାଇନି ଇଣ୍ଟରନେଟ୍, ୱାଟ୍ସ୍ଆପ୍ ବା ଫେସବୁକରେ କାହିଁକି ସେ ଏକାକୀ ନିଃସଙ୍ଗ ନିଜ ବଙ୍ଗଳାର ଛାତରେ ସାଇଡ୍ ୱାଲରେ ଆଉଜି ଗୋଟିଏ ଦିଗରେ ଅପଲକ ଚାହିଁ ରହିଛି, କାହିଁକି ତା’ କୋମଳ ମୁଖରେ ବୟସର ମାଦକତା ନାହିଁ, କାହିଁକି ତାନିଆର ଫୁଲ ଭଳି ମୁଖ ମଣ୍ଡଳ ମଳିନ ଓ କଠୋର ଲାଗୁଛି, କାହିଁକି ତା ଓଠରେ ହସ ନାହିଁ କି ଆଖିରେ ଲୁହ ନାହିଁ ତା’ର ଜୀବନରୁ ହସ ଆଉ ଲୁହ ସରି ଯାଇଛି ନା ବାହାରି ଆସିବା ପାଇଁ ଡରିଯାଉଛନ୍ତି ସେମାନେ? କାହିଁକି ତାନିଆ ନିଃଶ୍ୱାସ ନେଉଛି କିନ୍ତୁ ପ୍ରାଣହୀନ ହୋଇଯାଇଛି? କାହିଁକି ସେ ନିଜ ପିତାମାତାର ଡାକ ଶୁଣୁ ନାହିଁ ? ଏହି ସମସ୍ତ ପ୍ରଶ୍ନ ଶର୍ମା ଦମ୍ପତିଙ୍କୁ ଅତି କଷ୍ଟ ଲାଗୁଛି । ଯାହାର ଉତ୍ତର ବୋଧ ହୁଏ ସେମାନଙ୍କ ଅପେକ୍ଷା ଆଉ ସଂସାରରେ କେହି ଦେଇ ପାରିବେ ନାହିଁ ।
ତାନିଆ ଭଳି ନବ ଯୌବନକୁ ପଦାର୍ପଣ କରୁଥିବା ଝିଅର ଏଭଳି ଅବସ୍ଥା ପାଇଁ ବାସ୍ତବରେ ଦାୟୀ କିଏ ସେ ଯେଉଁ କଲେଜରେ ପଢ଼ୁଛି ସେଠାକାର ସାଙ୍ଗସାଥୀ ଓ ସିନିଅରମାନଙ୍କ ଅଯଥା କମେଣ୍ଟ ନା ବିନାକାରଣରେ ଟର୍ଚର୍ କରୁଥିବା ଫିଜିକ୍ସ ମ୍ୟାଡ଼ମ୍ ନା ରାସ୍ତାରେ ଗଲାବେଳ ତା’ ସ୍କୁଟି ପିଛା କରି ତା’କୁ ଅଶ୍ଳୀଳ କମେଣ୍ଟ କରୁଥିବା ଅଭଦ୍ର ପିଲାଙ୍କ ଦଳ ନା ଲୋଲୁପ ଦୃଷ୍ଟିରେ ଦେଖୁଥିବା ନିଜ ବଙ୍ଗଳାର ସିକ୍ୟୁରିଟି ଗାର୍ଡ। କିଏ ଦାୟୀ ତାନିଆର ଏଭଳି ଅବସ୍ଥା ପାଇଁ ଡ.ଗୀତା ଶର୍ମା ନୁହଁନ୍ତି ତ ଏଥିପାଇଁ ଦାୟୀ ନା ସେ ହୋଇ ନ ଥିବେ ସେ ତା’ଜଣେ ବିଖ୍ୟାତ ଗାଇନୋକୋଲୋଜିଷ୍ଟ ମାନେ ସ୍ତ୍ରୀ ରୋଗର ବିଶେଷଜ୍ଞ, ସେ ତ ସାରା ସହରର ସ୍ତ୍ରୀ ବା ନାରୀର ଶାରୀରିକ ବ୍ୟାଧି ବୁଝି ତା’ର ଉପସମ କରନ୍ତି । ହେଲେ ନିଜ ଏକମାତ୍ର ପରୀ ଭଳି ଝିଅର ମନର ବେଦନାକୁ ବୁଝିବାକୁ ସମୟ ପାଇ ନାହାଁନ୍ତି ବୋଧେ। ଇଞ୍ଜିନିୟର ରମେଶ ଶର୍ମା, ତାନିଆର ଏଭଳି ଅବସ୍ଥା ପାଇଁ ତ ବିଲକୁଲ ଦାୟୀ ନୁହଁନ୍ତି କାରଣ ସେ ଜଣେ ଇଞ୍ଜିନିଅର ବିରାଟ ବିରାଟ ବିଲ୍ଡିଙ୍ଗ, ମଲ ଓ ପ୍ରକଳ୍ପ ଗୁଡିକର ନିର୍ମାଣ ତଥା ଯୋଜନାଗୁଡିକୁ ଅତି ସୁଦୃଢ଼ଭାବେ ପରିଚାଳନା କରନ୍ତି । ହେଲେ ନିଜ ଏକମାତ୍ର ରାଣୀ ଭଳି ଝିଅର ମନର ଭାବନାକୁ ବୁଝି ତାକୁ ଦୃଢ଼ତା ଦେବା ପାଇଁ ବୋଧେ ଭୁଲିଗଲେ । ତାନିଆର ସମସ୍ତ ବେଦନା ଭାବନା, ସୁଖ-ଦୁଃଖ, ହସ-ଖେଳ, ଆବେଗ-କୌତୁହଳ, ଇଚ୍ଛା-ଆକାଂକ୍ଷା, ଅବ୍ୟକ୍ତ ତଥା ଅକୁହା ରହିଗଲା କାହିଁକି ?
ସାଧାରଣତଃ ମଣିଷର ଦେହରେ ଥଣ୍ଡା, କାଶ, ଜ୍ୱର ଆଦି ରୋଗ ହୁଏ । ହୃଦୟକୁ ହୃଦରୋଗ ହୁଏ । କିନ୍ତୁ ତାନିଆର ମନକୁ ଏ ଡିପ୍ରେସନ୍ ହେଲା କାହିଁକି ? ଆଧୁନିକ ଯୁଗର ଅତ୍ୟାଧୁନିକ ମଣିଷକୁ ଏ ଡିପ୍ରେସନ୍ ହୁଏ କାହିଁକି? ଏହି ରୋଗର ମୂଳ ଉତ୍ସ କେଉଁଠି ?
ଗବେଷକ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓଡ଼ିଶା,
କୋରାପୁଟ, ପିନ୍-୭୬୪୦୨୦
ଭ୍ରାମ୍ୟଭାଷ -୯୯୩୮୬୬୬୨୨୪
Go Back to Previous Page
ପେଟୁ
ଅକାଳ କୁଷ୍ମାଣ୍ଡ
Read Article
ପୁତୁଲ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ