ପାନ୍ଥଶାଳା କେବେ ପଚାରି ବୁଝେନା
କାହିଁକି ଲେଖୁଛ ନାଁ ...
ଗତିଶୀଳ କାର ଭିତରୁ ଭାସି ଆସୁଥିଲା ଏକଦା ଆଧୁନିକ ଗୀତ ରୂପେ ଖ୍ୟାତି ଲାଭ କରିଥିବା ସୁଗମ ସଂଗୀତରୁ ପଦେ।
“ଡାଡି, ପ୍ଲିଜ୍ ଗୀତ ଚେଞ୍ଜ୍ କର। ତୁମେ ବେଳେବେଳେ ଏମିତି ଗୀତ କାହିଁକି ଲଗାଅ କେଜାଣି।”
ଆଠବର୍ଷର ଝିଅ କଥା ଶୁଣି ଶ୍ୟାମବାବୁ ବିନା ବାକ୍ୟ ବ୍ୟୟରେ ଅନ୍ୟ ଏକ ପେନ ଡ୍ରାଇଭ୍ସିଡ଼ି ପ୍ଲେୟାରରେ ଲଗାଇଲେ। କେଇ କ୍ଷଣପରେ ଭାସିଆସିଲା ମଡ଼ର୍ଣ୍ଣ ବଲିଉଡ଼ ଗୀତ...
...ଆଜ୍ ବ୍ଲୁ ହେ ପାନୀ ପାନୀ ପାନୀ ...
ହସ ଖେଳିଗଲା ଝିଅ ମୁହଁରେ। ବସି ବସି କାନ୍ଧ ହାତ ହଲାଇ ଗୀତକୁ ଉପଭୋଗ କରୁଥିଲା ସେ।
“ଗୀତଟି ବେଶ୍ ରିଦିମିକ୍ ହୋଇଛି।”
ଶ୍ୟାମବାବୁଙ୍କ ପତ୍ନୀ ପସନ୍ଦ କରିବା ଭଳି ଭଙ୍ଗୀରେ କହିଲେ।
“ଇଣ୍ଡିଆନ୍ ଫିଲ୍ମ ମ୍ୟୁଜିକ୍ ଇଜ୍ ଚେଞ୍ଜିଙ୍ଗ। ପିଲାମାନେ ନୂଆଗୀତକୁ ପସନ୍ଦ କରିବା ସ୍ୱାଭାବିକ।” ନିର୍ଲିପ୍ତ ସ୍ୱରରେ କହିଲେ ଶ୍ୟାମବାବୁ।
କାର ଭିତରେ ଚୁପ୍ଚାପ୍ ବସି ବିଭୁତିବାବୁ ତାଙ୍କ ଉଚ୍ଚପଦସ୍ଥ ଅଫିସର ପୁଅ ଓ ଆଧୁନିକା ବୋହୂଙ୍କ କଥା ଶୁଣୁଥିଲେ। ମହାନଗରୀର ପ୍ରଭାବ ତାଙ୍କ ପୁଅର ପରିବାରରେ ପଡିଥିବା କଥା ବେଶ ବୁଝି ପାରୁଥିଲେ ସେ। କିନ୍ତୁ ଗତ କେଇ ଦିନଧରି ପୁଅ ପାଖକୁ ବୁଲିବାକୁ ଆସିଥିବା ବିଭୁତିବାବୁ ‘ସାଣ୍ଡଉଇଚ୍’, ‘ପାସ୍ତା’, ‘ଓଟ୍ସ’ ଓ ସେଭଳି ଆହୁରି କେତେକ ବିଦେଶୀ ଖାଦ୍ୟ ସହ ପରିଚିତ ହେବାର ବିଫଳ ପ୍ରୟାସ କରି ଚାଲିଥିଲେ।
“ବାପା ଦେଖ ଚେଭ୍ରୋଲେଟ୍ କାର୍ ”
କାର ସୌଖିନ ଅଳିଅଳି ଝିଅ ଚନ୍ଦ୍ରା ପାଖଦେଇ ଚାଲିଯାଉଥିବା କାର ଆଡେ ଇଙ୍ଗିତ କରି କହିଲା।
“ଶେଭ୍ରୋଲେ, ଶେ-ଭ୍ରୋ-ଲେ, ନଟ୍ ଚେଭ୍ରୋଲେଟ୍ ଅଣ୍ଡରଷ୍ଟାଣ୍ଡ୍?” ଶ୍ୟାମବାବୁ କହିଲେ।
“ଶେ-ଭ୍ରୋ-ଲେ, ଶେ-ଭ୍ରୋ-ଲେ, ଓକେ ପାପା।” ଶୁଆପରି ଘୋଷି ହେବାଭଳି କହିଲା ଚନ୍ଦ୍ରା।
ବେଶ୍ ଆକର୍ଷଣୀୟ ଥିଲା ଶ୍ୟାମବାବୁଙ୍କ ଇଂରାଜୀ ଉଚ୍ଚାରଣ। କାରଟିର ସଠିକ୍ ଉଚ୍ଚାରଣ ଯେ ‘ଶେଭ୍ରୋଲେ’ ଏ କଥା ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ବିଭୁତିବାବୁ ସ୍ୱୟଂ ଜାଣି ନଥିଲେ। ମହାନଗରୀର ଚାକଚକ୍ୟ ବେଶ ପଲିସ୍ କରି ଦେଇଛି ତାଙ୍କ ପୁଅକୁ। ତଥାପି କେଜାଣି କାହିଁକି କିଛି ହରାଉଥିବା ଭଳି ଅନୁଭବ କରୁଥିଲେ ସେ।
“ପାପା, ଆଜି ତମେ ପ୍ରମିଶ୍ କରିଛ ‘ପିଜାହଟ୍’ରୁ ପିଜା ଆଣିବ ବୋଲି।” ମନେ ପକାଇ ଦେବା ଭଳି କହିଲା ଚନ୍ଦ୍ରା।
- ‘ପିଟ୍-ସାହଟ୍’ ନଟ୍ ‘ପିଜାହଟ୍’। ସ୍ପିକ୍ କରେକ୍ଟଲି। ଆଉ ଥରେ ଏକଥା କହିଥିଲି ପରା!
- “ସରିପାପା।”
ସଞ୍ଜ ନଇଁ ଆସୁଥାଏ। ରାସ୍ତାର ଉଭୟ ପାର୍ଶ୍ବସ୍ଥ ନିଅନ୍ ଲାଇଟରେ ଦୋକାନ ସବୁ ଝଲସି ଉଠୁଥାନ୍ତି। ହଠାତ୍ ସେଲ୍ଫୋନ୍ ରିଂଟୋନ୍ ଶୁଣି ଗାଡିର ଗତି ମନ୍ଥର କଲେ ଶ୍ୟାମବାବୁ।
- “ନା ମିସେସ୍ ଦାସ! ଏବେ ମାମା ପାପା ଅଛନ୍ତି ତ। ତେଣୁ ଆମ ପ୍ରୋଗ୍ରାମଟା ଆର ମାସକୁ ରଖିବା।”
ଚମକି ପଡିଲେ ବିଭୁତିବାବୁ ପୁଅର ଫୋନ କଥାବାର୍ତ୍ତା ଶୁଣି। ଶ୍ୟାମ ତ ଆଗରୁ କେବେ ‘ମାମାପାପା’ ବୋଲି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଡାକି ନଥିଲା! ‘ବୋଉନନା’ରୁ ହଠାତ ‘ମାମାପାପା’ କୁ ରୂପାନ୍ତରିତ ହୋଇଯିବାଟା ସେ ସହଜରେ ଗ୍ରହଣ କରିପାରୁ ନଥିଲେ।
ଦିଲ୍ଲୀରେ ଏଇ କିଛି ଦିନର ରହଣି ମଧ୍ୟରେ, ଏଇ ଭଳି ବେଶ୍ କିଛି ରୂପାନ୍ତରଣର ଏକ ପ୍ରକାରର ଶିକାର ହେଲା ଭଳି ଅନୁଭବ କରୁଥିଲେ ସେ। ଧୋତିରୁ ଗାଉନ୍, ଶାଢ଼ୀରୁ ନାଇଟିକୁ ଅନାୟାସରେ ଆପଣେଇ ନେଇଥବା ତାଙ୍କ ପୁଅବୋହୂଙ୍କ ଓଡ଼ିଆ କଥାବାର୍ତ୍ତାରେ ମଧ୍ୟ କିଛିଅଂଶରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ ବିଭୁତିବାବୁ। ଅବଶ୍ୟ ତାଙ୍କର ସେବାଯତ୍ନରେ କୌଣସି ଅଭାବ ରଖି ନଥିଲେ ତାଙ୍କର ପୁଅବୋହୁ। ଉଭୟଙ୍କର ତାଙ୍କ ପ୍ରତି ସମ୍ମାନ ଓ ଯତ୍ନ ଲୋକ ଦେଖାଣିଆ ବି ନଥିଲା। ବରଂ ସେମାନେ ତାଙ୍କୁ ଆପ୍ୟାୟିତ କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ।
ଆଜି ତାଙ୍କ ପୁଅ ସମ୍ବର୍ଦ୍ଧିତ ହେବ କମ୍ପାନୀ ଡ଼ାଇରେକ୍ଟରଙ୍କ ଦ୍ୱାରା। ସେଥିପାଇଁ ସେମାନେ ଦିଲ୍ଲୀର ଏକ ବଡ଼ ହୋଟେଲର କନ୍ଫରେନ୍ସ ହଲ ଅଭିମୁଖେ ଯାତ୍ରା କରୁଛନ୍ତି। ପୁଅର ସଫଳତାରେ ସେ ପ୍ରସନ୍ନବୋଧ କରୁଥିଲେ।
କାରଟି ହୋଟେଲର ପାର୍କିଂଲଟରେ ପହଂଚିଲା। ବିନା ବାକ୍ୟବ୍ୟୟରେ ଓହ୍ଲାଇ ପଡିଲେ ଶ୍ୟାମବାବୁ। ରାଇଟ୍ସାଇଡ଼ ମିରରରେ ସେ ଶେଷଥର ପାଇଁ ନିଜ ପୋଷାକକୁ ସଜାଡ଼ି ଦେଉଥିଲା ବେଳେ ଝିଅ ଚନ୍ଦ୍ରା, ପତ୍ନୀ ଯଲି ତଥା ପିତା ବିଭୁତିବାବୁ କାରରୁ ଓହ୍ଲାଇ କନ୍ଫରେନ୍ସ ହଲ ଆଡକୁ ଧିରେ ଧିରେ ଆଗଉଥିଲେ।
ହଲ ମଧ୍ୟରେ ସୁସଜ୍ଜିତ ମଞ୍ଚ। ଅତିଥିମାନଙ୍କୁ ଜଣ ଜଣକରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନ ଆଡ଼କୁ ପାଛୋଟି ନେଉଥାନ୍ତି ଦୁଇଟି ୟୁନିଫର୍ମ ପରିହିତା ସୁଶ୍ରୀ ଯୁବତୀ।
ସାମ୍ନା ଧାଡିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ଶ୍ୟାବାବୁଙ୍କ ପରିବାର ଆସନ ଗ୍ରହଣ କଲେ।
ମଞ୍ଚ ଏବଂ ଦର୍ଶକମଣ୍ଡଳୀଙ୍କୁ ଦେଖୁଥିଲେ ବିଭୁତିବାବୁ। କାନରେ ପଡୁଥିଲା ‘ପ୍ଲିଜ୍’, ‘ଥ୍ୟାଙ୍କ୍ୟୁ’, ‘ନୋ ପ୍ରୋବ୍ଲେମ୍’, ‘ଗ୍ଲାଡ଼ ଟୁ ମିଟ୍ ୟୁ’, ଆଦି କିଛି ଇଂରାଜୀ ଶବ୍ଦ। ବ୍ଳେଜ଼ର୍ ଓ ଟାଇ ପରିହିତ ଦର୍ଶକ ଭିତରେ ଧୋତି ପଂଜାବି ପିନ୍ଧିଥିବା ବିଭୁତିବାବୁ ଏକ ପ୍ରକାରର ନିଃସଙ୍ଗ ମନେ କରୁଥିଲେ। ନିକଟରେ ବସିଥିବା ନାତୁଣୀର ସଙ୍ଗ ତାଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରୁଥିଲା। ଅସୁସ୍ଥତା ଯୋଗୁଁ ତାଙ୍କ ସହିତ ଯୋଗ ଦେଇନଥିବା ନିଜପତ୍ନୀଙ୍କ ଅଭାବ ସେ ମନେ ମନେ ବେଶ୍ ଅନୁଭବ କରୁଥିଲେ।
ଲେଡିଜ଼୍ ଆଣ୍ଡ ଜେଣ୍ଟଲ ମେନ୍!
ଦ ଡ଼ାଇରେକ୍ଟର ଅଫ୍ ଦ କମ୍ପାନୀ ମିଷ୍ଟର ଜିନ୍ଦଲ୍ ଉଇଲ ନାଓ ଫେଲିସିଟେଟ୍ ଦ ଫାଷ୍ଟ ଆଚିଭର୍ ଅଫ ଦ ଇୟର୍ ମିଷ୍ଟର ସାମ୍ ପାଣ୍ଡା।
ଏହାପରେ ଶ୍ୟାମବାବୁ କରତାଳି ମଧ୍ୟରେ ନିଜ ଆସନରୁ ଉଠି ମଞ୍ଚଆଡ଼କୁ ଅଗ୍ରସର ହେଲେ।
କିଛି ମାତ୍ରାରେ କ୍ଷୁବ୍ଧ ହେଲେ ବିଭୁତିବାବୁ। ସାମ୍ ପାଣ୍ଡା?? ନିଜ ପୁଅ ନାଁର ଏଭଳି ତେଢା ମେଢା ଉଚ୍ଚାରଣ ସହଜରେ ଗ୍ରହଣ କରି ପାରୁନଥିଲେ ସେ। ଶ୍ୟାମ ନିଶ୍ଚୟ ମଞ୍ଚଉପରେ ନିଜ ନାଁଟିର ଭୁଲ ଉଚ୍ଚାରଣକୁ ସଂଶୋଧନ କରିବ।
ନିର୍ଲିପ୍ତ ଭାବରେ ସୁଶ୍ରୀ ଯୁବତୀଦ୍ବୟଙ୍କ ସହ ଶ୍ୟାମ ଉଠିଗଲାଣି ମଞ୍ଚ ଉପରକୁ। ହସି ହସି ଫୁଲତୋଡା ଗ୍ରହଣ କରୁଛି ମୁଖ୍ୟ ଅତିଥିଙ୍କ ଠାରୁ। ମାଇକ୍ ପାଖକୁ ଆସିଗଲାଣି ଶ୍ୟାମ।
“ଥ୍ୟାଙ୍କ୍ ୟୁ ଅଲ୍। ଆଇ ଆମ୍ ରିୟଲି ଗ୍ରେଟଫୁଲ୍। ସାମ୍ ପାଣ୍ଡା ଉଡ଼୍ ନଟ୍ ବି ହିୟର୍ ୱିଦାଉଟ୍ ୟୋର୍ କୋପରେସନ”
ଅବାକ୍ ହେଲେ ବିଭୁତିବାବୁ।
ସାମ୍ ପାଣ୍ଡା!! ଶ୍ୟାମ ସୁନ୍ଦର ପଣ୍ଡା ତେବେ ୟା ଭିତରେ ସାମ୍ ପାଣ୍ଡାକୁ ପରିବର୍ତିତ ହୋଇ ଯାଇଛନ୍ତି? ପରିବର୍ତ୍ତନର କାରଣ କିଛି ଖୋଜି ପାଉନଥିଲେ ବିଭୂତିବାବୁ। ଇଂରାଜୀ ଶବ୍ଦର ସଠିକ ଉଚ୍ଚାରଣ ସମ୍ବନ୍ଧରେ ଏତେ ଭଲଭାବରେ ସଚେତନ ଶ୍ୟାମ ନିଜର ଓଡ଼ିଆ ନାମଟିକୁ ଏଭଳି ଦୁର୍ବୋଧ୍ୟ ଢଙ୍ଗରେ କହିବା ପାଇଁ ତିଳେ ମାତ୍ର କୁଣ୍ଠାବୋଧ କରୁନି!
ହସ ହସ ମୁଁହରେ ଶ୍ୟାମ ମଞ୍ଚଉପରେ କଣ ସବୁ କହିଯାଉଛି, ବିଭୂତିବାବୁଙ୍କୁ ସେସବୁ କିଛି ଶୁଣାଯାଉ ନଥିଲା। ଚେଷ୍ଟାକରି ବି ଶ୍ୟାମର ଭାଷଣକୁ ମନଦେଇ ଶୁଣି ପାରୁନଥିଲେ ସେ। ସଭାର ପରବର୍ତ୍ତୀ ପର୍ଯ୍ୟାୟରେ କିଛି ପାଟି ପାକୁପାକୁ କରୁଥିବା ଲୋକ ଏବଂ କରତାଳି ବ୍ୟତୀତ ସେ ଅନ୍ୟକିଛି ଦେଖି ବା ଶୁଣି ପାରୁ ନଥିଲେ।
ସଭାରୁ ଫେରି ଲିଭିଂ ରୁମର ଚେୟାର ଉପରେ ଅନେକ ସମୟ ହେଲା ବସିଲେଣି ବିଭୂତିବାବୁ। ଅନେକ ପ୍ରୟାସ ସତ୍ତ୍ୱେ ‘ସାମ୍ ପାଣ୍ଡା’ ଶବ୍ଦଟିକୁ ସେ ନିଜ ମନରୁ ଦୁରେଇ ପାରୁନାହାନ୍ତି। ପୁଅ ଏଯାଏଁ ଫେରିନି। ବୋହୁ ଆଉ ନାତୁଣୀ ସହ ସେ ଫେରି ଆସିଛନ୍ତି ଘରକୁ। ଶ୍ୟାମ ଆସିଲେ କଣ ବା ପଚାରିବେ ସେ?
ଦୌଡ଼ି ଦୌଡ଼ି ଘର ଭିତରକୁ ପଶିଆସିଲା ଚନ୍ଦ୍ରା। “ଚନ୍ଦ୍ରାକୁ ପଚାରେଁ ଏ ବିଷୟରେ।” ମନେ ମନେ ନିଜକୁ କହିଲେ ବିଭୂତିବାବୁ।
“ଆଚ୍ଛା ଚନ୍ଦ୍ରା, ହ୍ବାଟ୍ ଇଜି ୟୋର୍ ଫାଦରସ୍ ଅଫିସିଆଲ୍ ନେମ୍ ?”
‘ସାମ୍ ପାଣ୍ଡା’ ଉତ୍ତର ଦେଲା ଚନ୍ଦ୍ରା
“ନାଇଁଲୋ ମା, ସାମ୍ ପାଣ୍ଡାନୁହେଁ, ଶ୍ୟାମସୁନ୍ଦର ପଣ୍ଡା।”
“ମୁଁ ଜାଣିଛି। ସେଇଟା ଡାଡିଙ୍କ ସାର୍ଟିଫିକେଟ ନାଁ। କିନ୍ତୁ ସେ ଉଚ୍ଚାରଣ ଓଲ୍ଡ଼ଫାସନ୍ଡ୍। ବର୍ତ୍ତମାନ ତାଙ୍କୁ ସମସ୍ତେ ‘ସାମ୍ ପାଣ୍ଡା’ ନାମରେ ଜାଣନ୍ତି। ଇଟ୍ ଫିଲସ୍ ବେଟର” ଅନାୟାସରେ କହିଗଲା ନାତୁଣୀ।
ସବୁ ବୁଝିଗଲା ଭଳି ହୁଁଟିଏ ମାରି ନୀରବ ରହିଲେ ବିଭୂତିବାବୁ।
କଥା ତାହେଲେ ଏଠି ପହଂଚିଲାଣି। ଜନ୍ମାଷ୍ଟମୀରେ ଜନ୍ମ ହୋଇଥିବାରୁ ତାଙ୍କର ଏକମାତ୍ର ପୁଅକୁ ଶ୍ରଦ୍ଧାରେ ଶ୍ୟାମ ନାମରେ ନାମିତ କରିଥିଲେ ସେ। କିନ୍ତୁ ଆଜିର ଆଧୁନିକ ସମାଜ ପାଇଁ ଶ୍ୟାମ ଶବ୍ଦ ଗାଉଁଲି ଓ ପୁରୁଣାକାଳିଆ ହୋଇଥିବା ସ୍ଥଳେ ଅର୍ଥହୀନ ଶବ୍ଦ ‘ସାମ୍ ପାଣ୍ଡା’ ଯେ ହଠାତ୍ ଆଭିଜାତ୍ୟପୂର୍ଣ୍ଣ ହୋଇଯାଇଛି, ଏତକ ଭଲଭାବେ ବୁଝି ପାରୁଥିଲେ ସେ।
“ତୋତେ କୋଉ ନାଁଟା ଭଲ ଲାଗୁଛି? ‘ଶ୍ୟାମ ସୁନ୍ଦର ପଣ୍ଡା’ ନା ‘ସାମ୍ ପାଣ୍ଡା’?”
ନାତୁଣୀର ପସନ୍ଦ ଜାଣିବାପାଇଁ ପଚାରିଲେ ବିଭୂତିବାବୁ।
“ଅଫ୍ କୋର୍ସ୍ ସାମ୍ ପାଣ୍ଡା” ଅବିଳମ୍ବେ ଉତ୍ତର ଦେଲା ଚନ୍ଦ୍ରା।
“ତେବେ ତୋ ସାର୍ଟିଫିକେଟ ନାଁ ‘କୁମାରୀ ଚନ୍ଦ୍ରା ପଣ୍ଡା’ ତୋତେ କଣ ପୁରୁଣାକାଳିଆ ଲାଗେ?” ପଚାରିଲେ ବିଭୂତିବାବୁ।
“ହଁ। ପୁରା ପୁରୁଣାକାଳିଆ। ଚନ୍-ଦ୍ରା..... ପନ୍-ଡା।”
ଖତେଇ ହେଲା ଭଳି ସ୍ବରରେ କହିଲା ନାତୁଣୀ।
“ତେବେ କୋଉ ନାଁରେ ଡାକିଲେ ତୋତେ ଭଲ ଲାଗିବ?” ପଚାରିଲେ ବିଭୂତିବାବୁ।
“ମୁଁ ଅଲରେଡି ଗୋଟେ ଷ୍ଟାଇଲିସ୍ ନାଁ ବାଛି ସାରିଛି। ଶୁଣିବ?”
“ହଁ କହ।” ଶଙ୍କିତ ହୋଇ ପଚାରିଲେ ବିଭୂତିବାବୁ।
“ସାନ୍ଦ୍ରା ପାଣ୍ଡା। ଷ୍ଟାଇଲିସ୍ ଲାଗୁନି?” ଆଗ୍ରହର ସହିତ ପଚାରିଲା ଚନ୍ଦ୍ରା।
ବିଭୂତିବାବୁଙ୍କ ପାଖରେ ଉତ୍ତର ନଥିଲା। କଣ ବା କହିବେ? ଦୁଆର ଆଡ଼କୁ ଚାହିଁ ଚମକି ପଡିଲେ ସେ। ଶ୍ୟାମ କେତେବେଳେ ଆସି ଚୁପ୍ଚାପ୍ ଛିଡା ହୋଇଛି ସେଠି। ମୁଁହରେ ତାର ଏକ ପ୍ରକାର ହତାଶାର ଭାବ ସୁସ୍ପଷ୍ଟ।
ଡାଡି ଡାଡି କହି ଦୌଡ଼ିଗଲା ଚନ୍ଦ୍ରା ଓ ଶ୍ୟାମର ଅଣ୍ଟାକୁ ଜାବୁଡି ଧରିଲା।
“ଡାଡି, ଏବେଠୁ ମୋ ନାଁ ହେବ ‘ସାନ୍ଦ୍ରା’, ନଟ୍ ‘ଚନ୍ଦ୍ରା’ ଚନ୍ଦ୍ରାଟା ଓଲ୍ଡ଼ ଫାସନ୍ଡ୍ ସାର୍ଟିଫିକେଟ ପାଇଁ ଠିକ୍ କିନ୍ତୁ ବୋ-ରିଂ।”
କିଛି ଉତ୍ତର ନ ଦେଇ ଶ୍ୟାମବାବୁ ନେକ୍ ଟାଇ ଖୋଲୁଖୋଲୁ ସୋଫା ଉପରେ ଲଥ୍କରି ବସିପଡିଲେ। ବିଭୂତିବାବୁଙ୍କ ଆଡ଼କୁ ବିକଳ ଦୃଷ୍ଟିରେ ଚାହିଁଲେ। ବିଭୂତିବାବୁଙ୍କ ଆଖିରେ ମଧ୍ୟ ଅନୁରୂପ ଭାବ।
ମନେ ମନେ ଭାବୁଥିଲେ ଶ୍ୟାମବାବୁ, ଅକ୍ଷୟ ମହାନ୍ତିଙ୍କ ସେହି ଲୋକ ପ୍ରିୟ ଗୀତଟିକୁ ଯାହା ତାଙ୍କର ଅତି ମନପସନ୍ଦ ଥିଲା। ଝିଅର ନାଁ ସେହି ଗୀତର ଲିରିକରୁ ହିଁ ସେ ବାଛିଥିଲେ। ବେଶ ସୁନ୍ଦର ରସପୂର୍ଣ୍ଣ ନାଁ ଟିଏ ଚନ୍ଦ୍ରା। ହେଲେ ତାଙ୍କ ଝିଅ ପାଇଁ ତାହା ଆଜି ପୁରୁଣାକାଳିଆ ପାଲଟି ଯାଇଛି।
ଅନେକ ଦୂରରୁ ସେ ଗୀତଟିର ପ୍ରଥମ ପଂକ୍ତିଟି ଭାସି ଆସୁଥିବା ଭଳି ଲାଗୁଥିଲା ତାଙ୍କୁ।
ନଦୀର ନାମ ଅଳସକନ୍ୟା ତୀରର ନାମ ତନ୍ଦ୍ରା।
ଗ୍ରାମର ନାମ ସ୍ବପ୍ନପୁରୀ ପ୍ରିୟାର ନାମ ଚନ୍ଦ୍ରା।।
Go Back to Previous Page
ଦେବୀ ଉଗ୍ରଚଣ୍ଡୀ ଉବାଚ
ଗୁପ୍ତେଶ୍ବର ମହାପାତ୍ର
Read Article
ପେଟୁ
ଅକାଳ କୁଷ୍ମାଣ୍ଡ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ