ବାର୍ଷିକ ପରୀକ୍ଷା ସରିଥାଏ। ଖରା ଛୁଟି ପାଇଁ ସ୍କୁଲ ଦେଢ଼ ମାସ ପାଇଁ ବନ୍ଦ। ସେ ବର୍ଷ ଖରା ଛୁଟିରେ କିନ୍ତୁ ବାପା ମୋତେ ଜବତ କରିବା ପାଇଁ ଉପାୟ ପାଞ୍ଚି ସାରି ଥିଲେ। ପ୍ରତିଦିନ ଦ୍ୱିପ୍ରହରରେ ଟିଉସନ ଯିବା ପାଇଁ ପୁରୁସାରଙ୍କ ଘରକୁ ଯିବାକୁ ପଡ଼ିଲା। ଗଣିତ ଓ ଇଂରାଜୀ, ଦୁଇଟି ବିଷୟରେ ମୁଁ ଦୁର୍ବଳ ଥିଲି ବୋଲି ମୋ ବ୍ୟତୀତ ଅନ୍ୟ ସମସ୍ତଙ୍କର ଧାରଣା ଥିଲା। “ମୁଣ୍ଡରେ ଗାମୁଛା ପକେଇ ଯିବୁ, ତାଙ୍କ ଘରେ ପାଣି ପିଇବୁ ନାହିଁ, ଆମ୍ବ ଗଛରେ ଚଢ଼ିବୁ ନାହିଁ, ତତଲା ଆମ୍ବ ଗୋଟେଇ ଖାଇବୁ ନାହିଁ”.... ବୋଉର ତାଗିଦକୁ ଏ କାନରେ ଶୁଣି ଆର କାନରେ ବାହାର କରି ଘରୁ ବାହାରି ଯାଏ। ଦାଣ୍ଡ ପିଣ୍ଢାରେ ଜେଜେମା ବସି ବିଞ୍ଚଣା ଚଲେଇ ଗରମରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥାଏ। ତା ନଜରରୁ ଓଝଲ ନହେବା ପର୍ଯ୍ୟନ୍ତ ମୋତେ ଲକ୍ଷ୍ୟ କରି କହି ଚାଲିଥାଏ- ବାପରେ, ଖରାରେ ମୁଣ୍ଡ ଫାଟିଯିବ, ଗାମୁଛା ପକା। ଘାସ ଉପରେ ଚାଲି ଚାଲି ଯିବୁ। କୁକୁରମାନଙ୍କ ଉପରକୁ ଟେକା ଫୋପାଡିବୁ ନାହିଁ...... ବୁଢ଼ୀକୁ ଦାନ୍ତ ନିକୁଟି ଖତେଇ ହୋଇ ମୁଁ ଚାଲିଯାଏ।
ମାଟିଆ ବସ୍ତାନୀକୁ କାନ୍ଧରେ ଓହଳାଇ ମୁଁ ଟିଉସନ ଯାତ୍ରାରେ ବାହାରି ଯାଏ। ଗାଁ ଏ ମୁଣ୍ଡରେ ଆମ ଘର, ସେ ମୁଣ୍ଡରେ ପୁରୁସାରଙ୍କ ଘର। ବାଟରେ ଆମ୍ବ ଗଛର ଝଙ୍କାଳିଆ ଅଂଶରୁ କୁହୁ କୁହୁ ଶବ୍ଦ ଶୁଭେ, ହେଲେ କୋଇଲିଟାକୁ ଦେଖି ପାରେ ନାହିଁ। ମୁଁ ବି କୁ-କୁ ହୋଇ କୋଇଲିକୁ ଟିହାଇ ଥାଏ ଆହୁରି କୁହୁକୁହୁ ହେବା ପାଇଁ। ଶେଷରେ ସୂର୍ଯ୍ୟ ବଂଶୀ ରାଜା ଦଶରଥଙ୍କ ଅବ୍ୟର୍ଥ ଶବ୍ଦ ଭେଦି ବାଣ ପରି ମୋ ଆଖିର ଶର ଠିକ୍ ସନ୍ଧାନ କରିଥାଏ ଲାଜକୁଳି କୋଇଲିକୁ। ଉଦୁଉଦିଆ ଦି ପହରର ଧୋବ ଫର ଫର ଖରାରେ ଚତୁର୍ଦିଗ ନିଃଶବ୍ଦ। ଗାଁ ମଝିରେ ବହିଦାର ଘର ବାରଣ୍ଡାରୁ ହିଁ ବେଳେ ବେଳେ ତାସ୍ ଖେଳର ଶବ୍ଦ ଶୁଭେ। “ଅଠର - ଅଛି, ଉଣେଇସି - ଅଛି, କୋଡ଼ିଏ - ଅଛି.......ଡବଲ......ରି....” ମୁଁ ବି ତାସୁଆ ମାନଙ୍କ କରାମତି ଦେଖିବା ପାଇଁ କିଛି ସମୟ ରହିଯାଏ। କୁକୁରମାନେ ମୋତେ ଶତ୍ରୁ ଭାବନ୍ତି। ମୋତେ ଦେଖିଲା ମାତ୍ରେ ଭୋ ଭୋ କରି ନିରାପଦ ଦୂରତାକୁ ପଳେଇ ଯାଆନ୍ତି। କିନ୍ତୁ ଏତେ ଖରାରେ ଶତ୍ରୁତାକୁ ଭୁଲି ଠାକୁ ଠା ଗାଈ ମୁତରେ ଓଦା ହୋଇଥିବା ଜାଗାରେ ଶୋଇ, ହାତେ ଲମ୍ବା ଜିଭ କାଢି ଧକେଇ ହେଉଥାନ୍ତି। ମୋତେ ଆସିବା ଦେଖି ସମ୍ମାନ ସହକାରେ ଉଠିପଡ଼ନ୍ତି। ଦି ଗୋଡ଼ିଆକୁ ବିଶ୍ୱାସ ନାହିଁ ଯେ ! ହେଇ, ଓସ୍ତ ଗଛ ଆସି ଗଲାଣି। ଗଛରେ ନାଲି ନାଲି ଫଳ ଗୁନ୍ଥି ହୋଇ ରହିଛି। ମୋ ସାନ ଆଖିର ଅପହଞ୍ଚରେ କିଛି ରହେ ନାହିଁ। ଦି’ଟା ହଳଦୀ ବସନ୍ତ ଲଗାଲଗି ହୋଇ ଗୋଟିଏ ଡାଳରେ ବସିଛନ୍ତି। ତାଙ୍କର ନାଲି ନାଲି ପାଦ ହଳଦିଆ ଦେହକୁ ଖୁବ୍ ମାନେ।
ପୁରୁସାରଙ୍କ ଘର ବାଡି ପଟେ ଖଳା। ଝଙ୍କାଳିଆ ଦୁଇଟା ନିମ୍ବ ଗଛକୁ ଲାଗି ଗୁହାଳ। ନିମ୍ବ ଗଛର ତିନି କେନିଆ ଶାଖା ଉପରେ ପାଳ ଗଦା। ଗୁହାଳ କାନ୍ଥରେ ଡେରା ହୋଇଥିବା ଅର୍ଦ୍ଧ ଜର୍ଜର ମଶିଣାକୁ ପାଳଗଦା ପାଖରେ ବିଛାଇ ବସିଯାଏ। ପୁରୁ ସାର୍ ଆସି, ଗଣିତ ବହିରୁ କେତେଟା ପ୍ରଶ୍ନ ବୁଝେଇ ଦେଇ ଏବଂ ଟାସ୍କ ଦେଇ ଅଦୃଶ୍ୟ ହୋଇଯାଆନ୍ତି। ମୋ ଧ୍ୟାନ ଭଙ୍ଗ କଲାପରି ଖରାବେଳଟାରେ ସେଠାରେ କୌଣସି ଜିନିଷ ନଥାଏ, ହେଲେ ନାଲିମୁଣ୍ଡିଆ ଅଣ୍ଡିରା ଏଣ୍ଡୁଅଟା ବେଳେ ବେଳେ ଏପଟ ସେପଟ ହୋଇ ଦୃଷ୍ଟି ଆକର୍ଷଣ କରିଥାଏ। ଗଣିତ ପ୍ରଶ୍ନର ସମାଧାନ କଲା ସମୟରେ ଥରେ ଥରେ ଘାଟି ଆସିଯାଏ। ମୁଣ୍ଡକୁ କିଛି ପଶେ ନାହିଁ। ଆଙ୍ଗୁଠି ନ ଫୁଟିଲେ ବି ଫୁଟେଇ ଚାଲେ। ଏହିପରି ଭାବରେ ଅଲଜେବ୍ରାକୁ କେତେ ଯେ ସମୟ ଦେଇଛି ମୁଁ, କିନ୍ତୁ ପ୍ରତିଦାନରେ ଆଲଜେବ୍ରା ମତେ କେତୋଟି ମାର୍କ ଛଡା ଆଉ କିଛି ଦେଇ ନାହିଁ।
ପୁରୁ ସାରଙ୍କ ପରି ସରଳ ମାଷ୍ଟ୍ର ମୁଁ ଦେଖିନାହିଁ। ବାପା ତାଙ୍କର ସିନିୟର ଥିଲେ ବୋଲି ମୋତେ ସେ ‘ତୁମେ’ କହି ସଂବୋଧନ କରନ୍ତି, ଏହା ସାଙ୍ଗମାନେ ମୋତେ କହନ୍ତି। ପାଟିଗଣିତର ଅନେକ ପ୍ରଶ୍ନରେ ‘ଗରାଖ’ ଶବ୍ଦ ସହିତ ପରିଚିତ ଥିବେ। ସେଦିନ ପୁରୁ ସାର୍ ସେପରି ଗୋଟିଏ ପ୍ରଶ୍ନର ସମାଧାନ ବୁଝେଇବା ସମୟରେ କୁଟିଳ ଭଂଗୀରେ ‘ଗରା....ଖ’ ବୋଲି ମୋ ମୁହଁକୁ ଚାହିଁ କହିଲେ। ସେ ଯେଉଁ ମର୍ମରେ ଶବ୍ଦଟିକୁ ଉଚ୍ଚାରଣ କଲେ ମୁଁ ବି ସେହି ମର୍ମରେ ବୁଝିଲି। ସମ୍ବଲପୁରୀ ଭାଷାରେ ଗରା...ଖ ର ଅର୍ଥ ଭିନ୍ନ! ମୁଁ ହସ ସମ୍ଭାଳି ପାରୁନଥାଏ, ପୁରୁ ସାର୍ ବି ହସି ହସି ବେଦମ୍। ଜେଜେମା ସେତେ ବେଳକୁ କଂସା ଢାଳରେ ପାଣି ଢାଳେ ଧରି ହାଜର। ତା’କୁ ଦେଖି ପୁରୁ ସାର୍ ନମସ୍କାର ପକେଇ ଚାଲିଗଲେ। ଜେଜେମା ପାଣି ଢାଳୁଥାଏ, ମୁଁ ଆଞ୍ଜୁଳି ଦେଖେଇ ପିଇ ଚାଲିଥାଏ।
ଅମୃତମୟୀ ଜେଜେମା ହାତର ମଧୁର ଶୀତଳ ଜଳ ପିଇ ଯେଉଁ ତୃପ୍ତି ଲାଭ କଲି ତାହା ଅବର୍ଣ୍ଣନୀୟ। ଜେଜେମା ହାତକୁ ବସ୍ତାନି ବଢ଼େଇ ଦେଇ ମୁଁ ଚମ୍ପଟ ମାରିଲି। ବୁଢ଼ୀ ପଛ ପଟରୁ ପାଟି କରି ଚାଲିଥାଏ - ଖରା ତେଜ ଯାଇନି, ସିଧା ଘରକୁ ଚାଲ୍, ଖଣ୍ଡିଆ ଭୁତ ବୁଲୁଛି, ପୋଖରୀ ରାସ୍ତାରେ ଯାଆନା, ରହ ରହ ଆଜି ତୋ ବାପାକୁ କହୁଛି ଛେଚିବ ଯେ ଜାଣିବୁ ... ‘ସେବେଳ’ ଆଉ ‘ଏବେଳ’ ମଧ୍ୟରେ ପାର୍ଥକ୍ୟ? *ଚାପଲ୍ୟହୀନତା* ନୁହେଁ କି?
ଇମେଲ୍ : scdas64@gmail.com
Go Back to Previous Page
ବରବାଦି
ଡା ସୁବାସ ଚନ୍ଦ୍ର ରାଉତ
Read Article
ଆକାଶର ନୀଳିମା
ସତ୍ୟବ୍ରତ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ