ଆମ ଘରେ ଝିଅଟିଏ କାମ କରୁଥିଲା। ତା ନାଁ ଗଙ୍ଗା। ପ୍ରାୟ ସକାଳ ଆଠଟା ସମୟରେ ପହଞ୍ଚିଯାଏ। ରୁଟିନ କାମ, କାହାକୁ ଅନାଏନି। ଘର ଝାଡ଼ୁ ଓ ବାସନ ମାଜିବା ତାର କାମ ଥିଲା। କାମ ସାରିଲେ ଚୁପଚାପ ଚାଲିଯାଏ। ମୋ ସାଥିରେ ଆଦୌ କଥାବାର୍ତ୍ତା କରେନି କହିଲେ ଚଳିବ। ବୟସ ପ୍ରାୟ କୋଡ଼ିଏ ବାଇଶ ମଧ୍ୟରେ ହେବ। ଦେହର ରଙ୍ଗ କଳା। ସାମାନ୍ୟ ମୋଟୀ, ମୋଟୀ କହିଲେ ଠିକ ହେବନି, ଭଲ ସ୍ୱାସ୍ଥ୍ୟ ଥିବାରୁ ସେଭଳି ଦେଖାଯାଉଥିଲା। ମଇଳା ସାଲୱାର ଓ ପଞ୍ଜାବୀ ପିନ୍ଧିଥାଏ। ଆମ ଘର ପାଖ ବସ୍ତିରେ ରହେ। ମୁହଁରେ କୌଣସି ଭାବ କେବେ ମୁଁ ଦେଖିନି, ନା ସୁଖର ନା ଦୁଃଖର।
ତା ସାଥିରେ ମୋର ଏକ ମାତ୍ର ସମ୍ପର୍କ ଥିଲା, ଦୁଇ ପଦ କଥା ସେ ମୋତେ ଦିନକୁ ଦୁଇଥର କହେ । ମୁଁ କମ୍ପ୍ୟୁଟର ଆଗରେ ସକାଳୁ ବସି କାମ କରେ ଓ ସେ ଝାଡ଼ୁ କରିବାକୁ ଆସିଲେ ‘ଉଠ’ କହେ ଓ ମୋତେ ଚୌକିରୁ ଉଠିବାକୁ ପଡ଼େ । ଝାଡ଼ୁ କରି ସାରିଲେ କହେ, ‘ବସ’ ସୁତରାଂ ମୁଁ ଅନ୍ୟମାନଙ୍କୁ କହେ, ଏ ସଂସାରରେ ମୋ ସାଥିରେ କୌଣସି ରକ୍ତ ସମ୍ପର୍କ ନ ଥାଇ ସେ ଏକମାତ୍ର ଝିଅ ବା ମହିଳା ଯିଏ କି ମୋତେ ପ୍ରତିଦିନ ଦୁଇଥର ବସ ଉଠ କରେଇବାର ଦୁଃସାହସ କରିପାରେ, ଥରେ ସକାଳେ ଓ ଆଉଥରେ ଉପରବେଳା । ତା ଛଡା ମୋ ପିଲାମାନେ ଓ ପତ୍ନୀ ମୋତେ ଯେତେବେଳେ ଇଚ୍ଛା ସେତେବେଳେ ବସ ଉଠ କରାନ୍ତି । କାହାକୁ କିଛି କହିବାର ଜୋର ନଥାଏ ମୋର । ବିବାହିତ ଲୋକମାନେ ଏ କଥାର ମର୍ମ ବୁଝିପାରୁଥିବେ ।
ପ୍ରାୟ ତିନି ବର୍ଷ ବିତିଗଲା ପରେ ଦିନେ ମୋ ପତ୍ନୀ କହିଲେ, “ଶୁଣୁଛ, ଗଙ୍ଗାର ବାହାଘର ହେବାକୁ ଯାଉଛି”
“ଆରେ ଆଜି ଭଲ ଖବରଟିଏ ଶୁଣେଇଲ। କେଉଁଠି ହେଉଛି, ଜାଣିଛ କି?”
“ଭୋପାଳରେ, ତା ଭାବୀବର ସେଠି ପିଅନ ଚାକିରି କରିଛି।”
ଭୋପାଳ ନାମ ଶୁଣି ମୋ ମନ ଅଶ୍ବସ୍ତି ଓ ଆଶଙ୍କାରେ ଭରିଗଲା। କାହିଁ ଭୁବନେଶ୍ବର କାହିଁ ଭୋପାଳ। କିଛି ସୁବିଧା ଅସୁବିଧା ହେଲେ ସେଠାକୁ ଗଙ୍ଗାର ବାପା ମାଆ କେତେ ଥର ଯିବା ଆସିବା କରିପାରିବେ ! ତା ଛଡ଼ା ସତରେ ଚାକିରି ଅଛି କି ନାହିଁ ତାହା ପୁଷ୍ଟିକରଣ କରିବାକୁ ଏମାନଙ୍କର ସୁବିଧା ନାହିଁ । କେମିତି କଅଣ କରିବେ କେଜାଣି !
ଆଜିକାଲି ବାହାଘର ନାମରେ ବେପାର ଚାଲିଛି। ଭାରତର ଅନ୍ୟ ପ୍ରଦେଶ, ଚୀନ ଓ ଦୁବାଇରେ ବାହା କରେଇବାକୁ କହି ଝିଅଙ୍କୁ ନେଇ ବିକିଦେଉଛନ୍ତି। ନହେଲେ ବେଶ୍ୟା ବୃତ୍ତିରେ ଲଗଉଛନ୍ତି। ଲୋକମାନେ ଧୀରେ ଧୀରେ ଅର୍ଥ ସର୍ବସ୍ବ ହୋଇଯାଉଛନ୍ତି। ଏ ଧରା ପୃଷ୍ଠରୁ ମାନବିକତା ସୂର୍ଯ୍ୟ ଧୀରେ ଧୀରେ ଅସ୍ତମିତ ହୋଇଯାଉଛି । କେଜାଣି କେବେ ସଦବୁଦ୍ଧି ଲୋକଙ୍କ ମନରେ ଆସିବ !
ଗଙ୍ଗା ବାହାଘର ଦିନ ପାଖେଇ ଆସିଲା। ତା ମାଆକୁ ଡାକି ଆମ ଘରୁ ତାକୁ ଶାଢୀ, ବ୍ଳାଉଜ, ସାୟା ଓ ୫ ହଜାର ଟଙ୍କା ଉପହାର ଦିଆଗଲା। ତା ମାଆ ଖୁସିରେ ଚାଲିଗଲା।
ଗରିବ ଘରେ ଝିଅ ଏକ ବୋଝ। ତାକୁ ବିଦା କରିଦେଲେ ମଙ୍ଗଳ। ବସ୍ତିର କେତେ କାହାଣୀ ଆମେ ଶୁଣିବାକୁ ପାଉ। ସଠିକ ସମୟରେ ବିବାହ ନକରିପାରିଲେ ଯୁବତୀ ଝିଅ ପ୍ରେମିକର ହାତ ଧରି ତା ସାଥିରେ ପଳାଏ। ଯୌବନର ତାଡ଼ନା ସହିବା ଏତେ ସହଜ ନୁହେଁ। ମୁଁ ଜାଣିବାରେ ଗୋଟିଏ ଝିଅ ଚାରି ଚାରି ଥର ବିବାହ କରି ଚାରି ଛୁଆ କଲାପରେ ବି କାହା ସାଥିରେ ତିଷ୍ଠି ନପାରି ଶେଷରେ ବାପ ଘରେ ଆସି ହାଜର। ସେ ଯାହାହେଉ, ଭଗବାନଙ୍କୁ ମୁଁ ଡାକୁଥାଏ ଯେମିତି ଗଙ୍ଗାକୁ ହଇରାଣ ନକରିବେ।
ବିବାହ ପୂର୍ବଦିନ ସେ ଆମ ଘରକୁ ଆସି ସମସ୍ତଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲା। ଶେଷରେ ମୋ ପାଖକୁ ଆସିଲା। ମୁଣ୍ଡିଆ ମାରିଲା ପରେ ମୁଁ ତାକୁ ଅପେକ୍ଷା କରିବାକୁ କହିଲି। ଆଲମୀରାରୁ ଏକ ହଜାର ଟଙ୍କା କାଢ଼ି ତା ହାତରେ ଧରେଇଦେଇ କହିଲି, “ଗଙ୍ଗା, ଏ ଟଙ୍କା ଲୁଚେଇ ରଖିଥିବୁ। ତୋ ଘରେ ବା ତୋ ବରକୁ କହିବୁନି ଏ ଟଙ୍କା କଥା। କିଛି ଆପଦ ବିପଦ ପଡ଼ିଲେ ଏହି ଟଙ୍କାରେ ଟିକେଟ କରି ଟ୍ରେନରେ ବସି ଭୁବନେଶ୍ବର ଫେରିଆସିବୁ” ସେ ମୋତେ ଅନେଇଲା। ତା ମୁହଁରେ ତ କେବେ କିଛି ଅଭିବ୍ୟକ୍ତି ଦେଖାଯାଏନି। ଆଉଥରେ ମୁଣ୍ଡିଆ ମାରି ଚାଲିଗଲା ।
ଗଙ୍ଗା ବାହାହେଇ ଚାଲିଗଲା ପରେ ତା ଭଉଣୀ ଯମୁନା ଆମ ଘରେ କାମ କଲା। ସେମାନେ ସାତ ଭଉଣୀ । ଉପର ଦୁଇ ଜଣ ବାହାହୋଇ ସାରିଛନ୍ତି । ଏତେ ଗୁଡିଏ ଝିଅର ମାଆ କେମିତି ଧୈର୍ଯ୍ୟ ଧରି ରହୁଥିବ, ମୁଁ ବୁଝିପାରେନି । ଗରିବ ହେଲେବି ମନର ଶକ୍ତି ତାଙ୍କର ବହୁତ ଥାଏ । ବାହୁରେ ବଳ ଅଛି ତ ଡର ନାହିଁ । ଗଙ୍ଗାର ଖବର ମୁଁ ସବୁବେଳେ ନେଉଥାଏ । ଯମୁନା କହେ, ମୋ ଭଉଣୀ ଭଲରେ ଅଛି । ତା ସ୍ବାମୀର ବାପା ଭାରି କଡ଼ା ଲୋକ । ଗୋଟିଏ ଅନୁଶାସନରେ ସେ ଘରକୁ ବାନ୍ଧି ରଖିଥାଏ ।
ମଝିରେ ମଝିରେ ମୁଁ ତା ଖବର ନେଉଥାଏ । ଯମୁନା କହେ, “ଗଙ୍ଗା ବହୁତ ଭଲରେ ଅଛି । ତା ସ୍ବାମୀ ବହୁତ ଭଲ । ବହୁତ ସ୍ନେହ କରୁଛି ମୋ ଭଉଣୀକୁ।” ମୁଁ ପ୍ରାର୍ଥନା କରେ, “ହେ ପ୍ରଭୁ, ଗଙ୍ଗାକୁ ଭଲରେ ରଖିଥାଆନ୍ତୁ। ଭଲ ଝିଅଟି।” ତା ନାଆଁରେ କେବେ କୌଣସି ଅପବାଦ ଆମେ ଶୁଣିନୁ। ତା’ପରେ ଖବର ଆସିଲା, ଗଙ୍ଗା ଗର୍ଭବତୀ ଅଛି। ଆମେ ବହୁତ ଖୁସି ହେଲୁ। ଏହା ମଧ୍ୟରେ ଗଙ୍ଗାର ଶ୍ବଶୁର ପରଲୋକ ଚାଲିଗଲେ। ତା ପରେ ଶୁଣିଲୁ, ତାର ଗୋଟିଏ ପୁତ୍ର ସନ୍ତାନ ହୋଇଛି। ଭୁବନେଶ୍ବରରେ ତାଙ୍କ ଘରେ ଗୋଟିଏ ଖୁସିର ଲହରୀ ଖେଳିଗଲା। ପ୍ରାୟ ବର୍ଷେ ପରେ ତାର ମା ଓ ଅନ୍ୟ ସମସ୍ତ ଭାଇ ଭଉଣୀମାନେ ନୂଆ ପୁଅକୁ ଦେଖିବାକୁ ବାହାରିଲେ। ଯମୁନା ପାଞ୍ଚ ଦିନ ଛୁଟି ନେଇ ସପରିବାର ଭୋପାଳ ଚାଲିଗଲା।
ପାଞ୍ଚ ଦିନ ପରେ ଯମୁନା କାମ କରିବାକୁ ଆସିଲା। ସକାଳେ ମୁଁ ବସିଥାଏ କମ୍ପ୍ୟୁଟର ସାମନାରେ। ମୋ ପାଦକୁ କେହି ଜଣେ ସ୍ପର୍ଶ କଲା ଭଳି ଲାଗିଲା। ବୁଲିକରି ଦେଖିଲି ଗଙ୍ଗା ଠିଆହୋଇଛି। ମୋ ପାଟିରୁ ବାହାରିଗଲା, “ତୁ କେମିତି ପଳେଇଆସିଛୁ?”
“ମୁଁ ଘରକୁ ଆସିଛି। କିଛି ଦିନ ରହି ଚାଲିଯିବି।”
“ହଉ, ଭଲ ହେଲା। ଟିକିଏ ସୁସ୍ଥ ହୋଇ ଫେରିଯିବୁ।”
ପାଞ୍ଚ ମାସ ପରେ ଦିନେ ଯମୁନାକୁ ପଚାରିଲି, “ଗଙ୍ଗା ଭୋପାଳ ଫେରିଗଲାଣି ?”
ଯମୁନା କହିଲା, “ସିଏ ଆଉ ତା ସ୍ବାମୀ ଘରକୁ ଯିବନି ।”
“କାହିଁକି, କଅଣ ହେଲା ?”
“ବାପା ମଲାପରେ ତା ସ୍ବାମୀ ଗୋଟେ ଅଲଗା ଲୋକ ହୋଇଗଲା। ପ୍ରତିଦିନ ମଦ ଖାଇ ଆସି ଗଙ୍ଗାକୁ ପିଟେ। ତା ଖରାପ ବ୍ୟବହାରରେ ଅତିଷ୍ଠ ହୋଇ ତାର ମାଲିକ ଚାକିରିରୁ ବାହାର କରିଦେଲେ। ସେ ଖାଇବ କଅଣ, ଚଳିବ କେମିତି? ଆମକୁ ଦେଖି ଗଙ୍ଗା ବହୁତ କାନ୍ଦିଲା। ମାଆ ସହି ପାରିଲାନି। ତାକୁ ଧରି ଆମେ ଚାଲିଆସିଲୁ। ଏବେ ଗଙ୍ଗା ଆଉଥରେ ମାଆ ହେବାକୁ ଯାଉଛି।”
ଅବାକ ହୋଇ ମୁଁ ଚାହିଁ ରହିଥାଏ। ବସ୍ତିରେ ଆଉ ଗୋଟିଏ ଦୁଃଖିନୀର ଜୀବନ ଯୁଦ୍ଧ ଆରମ୍ଭ ହୋଇଗଲା। ଦୁଇ ଦୁଇଟି ଛୁଆକୁ ନେଇ କେମିତି ମଣିଷ କରିବା କେଜାଣି ! ମୁଁ ଦେଇଥିବା ହଜାର ଟଙ୍କା ସେତେବେଳେ କାମରେ ଆସିଲାନି କିନ୍ତୁ ମୋର ଅନୁସନ୍ଧିତ୍ସା ଠିକ ଥିଲା । ଅବସରପ୍ରାପ୍ତ ବରିଷ୍ଠ ଚିକିତ୍ସକ, ଭୁବନେଶ୍ବର, ଓଡ଼ିଶା
Go Back to Previous Page
ଏତିକି ମାଗୁଣି ମୋର
ନିଳାଦ୍ରୀ ବିହାରୀ ନାୟକ
Read Article
ଟ୍ୟୁସନ୍ ଯାତ୍ରା
ସୁଦାମ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ