[ରବିବାର , ୨୪ ମାର୍ଚ୍ଚ ୧୯୯୬ , ବ୍ରହ୍ମପୁର , ଓଡିଶା]
“ରହ ରହ ରେ ‘କଳାପାହାଡ଼’
ଭାଙ୍ଗିବି ମୁଁ ତୋ ପଞ୍ଜରା ହାଡ଼”
“ନା’… ମୁଁ ସେମାନଙ୍କୁ କଦାପି ଛାଡ଼ିବିନି ଆମ ଓଡ଼ିଶାରୁ ସବୁକିଛି ଲୁଟି ନେଲେ ଶେଷକୁ ଆମ ପ୍ରଭୁ ଜଗନ୍ନାଥ ବି ବାଦ ପଡ଼ିଲେନି! "
ଭୋର ଚାରିଟା ରୁ ଏମିତି ସ୍ୱପ୍ନରେ ବିଳି ବିଳେଉ ଥାଏ ନିକ୍ୱଣ (Nikon)୲
ନନା ତ ଫୁଲ ତୋଳିବା ପାଇଁ ଚାରିଟାରୁ ଉଠି ପଡ଼ନ୍ତି ୲ କିନ୍ତୁ ବୋଉ ଚମକି ଉଠି ପଡ଼ିଲେ ୲ମନେ ମନେ ଭାବିଲେ ବୋଧହୁଏ ରାତିରେ ଆଈଙ୍କ ଠୁ ‘କଳା ପାହାଡ଼’ ଗପ ଶୁଣି ଶୋଇଥିଲା ତ, ତା’ର ଏହି ପ୍ରଭାବ୲
ରାତି ପାହି ସକାଳ ହେଲା ନିକ୍ବଣର ଅଜା ଆଈ ଥିଲେ ମହିମା ଧର୍ମାବଲମ୍ବୀ
ନିକ୍ୱଣ କହେ ସେମାନେ ଆମ ପରି ମୂର୍ତ୍ତି ପୂଜା କରନ୍ତି ନାହିଁ କେବଳ ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରନ୍ତି ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ପୂର୍ବରୁ ସେମାନେ ପୂଜା (ଦର୍ଶନ) କରି ଆସନ୍ତି ଅଲେଖ ନିରଞ୍ଜନ ଧ୍ୱନିରେ
ଆଈ : ନିକ୍ୱଣ, ଜଲଦି ଉଠିପଡ଼ ୲ ସକାଳ ୬ ଟା ୩୦ ହେଲାଣି ମୁଁ ଉପରବେଳା କେତେ ନୂଆ ଗପ କହିବି ଯେ!
ରେଡ଼ିଓରୁ ଭାସି ଆସୁଥାଏ…. “ଆକାଶବାଣୀ ବ୍ରହ୍ମପୁର ୲ ୧୦୦.୬ ମେଗା ହର୍ଜ ଯୋଗେ ଆମର ଆଗାମୀ କାର୍ଯ୍ୟକ୍ରମ ‘ଅନୁଚିନ୍ତା’ ୲ ଉପସ୍ଥାପନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ
ଆଈଙ୍କ ଗୋଟିଏ ଡାକରେ ନିକ୍ୱଣ ଉଠିପଡ଼ିଲା ୲
କାନନ (Canon, ନିକ୍ୱଣର ବଡ ଭଉଣୀ ): ଆଈ, ତୋର ‘ଅନୁଚିନ୍ତା’ ଶୁଣିବା ସମୟ ହୋଇଗଲାଣି
ଆଈ : ମୋ ସୁନା ନିକ୍ୱଣ, ତୁ ବେଗେ ଯା’ ୲ ଗାଧୋଇ ପାଧୋଇ ଆସେ ୲ ତୋ ପାଇଁ ମୁଁ ଚକୁଳି ପିଠାକରି ଦେଇଛି ୲ ମୁଁ ଯାଏ ‘ଅନୁଚିନ୍ତା’ ଶୁଣି ଆସେ ୲ ବେଳ ହେଲାଣି ୲
X X X
ଜେଜେ ମା’ର ବାରଣ ହେତୁ ନିକ୍ୱଣ ‘ଟିକି ଫୁଲ’ *ନାଟକରେ ଭାଗ ନେଇ ପାରି ନଥିଲା ୲ ସେଥି ପାଇଁ ମନରେ ତା’ର ବହୁତ ଦୁଃଖ ୲
MKCG ମେଡିକାଲ କ୍ୟାମ୍ପସ ହାଇସ୍କୁଲରେ ତା’ ଶ୍ରେଣୀ ଶିକ୍ଷକ ନୀରଦ ସାରଙ୍କୁ ସେ ସବୁ କହିଥିଲା ୲
ଆଗକୁ ଆସୁଛି ଏପ୍ରିଲ ୨୮, ମଧୁବାବୁଙ୍କ ଜନ୍ମଦିନ ୲ ଆନ୍ତଃ ବିଦ୍ୟାଳୟ ଗଳ୍ପ / ଜୀବନୀ / ବକୃତା / ପ୍ରବନ୍ଧ / ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରିଛି ବ୍ରହ୍ମପୁର ମହାନଗର ନିଗମ ୲ ନିକ୍ୱଣ ମଧୁବାବୁଙ୍କ ପିଲାଦିନ ବିଷୟରେ ଗପ ଶୁଣାଇବ ବୋଲି ନୀରଦ ସାର୍ ତାକୁ ମନୋନୀତ କରିଛନ୍ତି ୲ ଗପ କହିବାରେ ନିକ୍ୱଣ ଧୁରନ୍ଧର ଆଈଙ୍କ ଠାରୁ ଶୁଣିଥିବା ପଞ୍ଚତନ୍ତ୍ରର କଥା, ଅମର ଚିତ୍ରକଥାର ସବୁ ଗପ ତା’ ଭଳି ଆଉ କେହି କହି ପାରିବେ ନାହିଁ ୲
କାନନ କହେ, “ଆଈଙ୍କ ଗପ ଗଣ୍ଠିଲିରେ କେତେ ଯେ ଗପ ଅଛି ତାର କଳନା ନାହିଁ, ଆମ ଦୂରଦର୍ଶନର ‘କଥା କହୁଥିଲେ ସରିବନି’/ ‘ଶାନ୍ତି’ ଧାରାବାହିକ ସରିଯିବ ହେଲେ ଆଈର ଗପ ସରିବନି ୲ ଗପ ଗପରେ ଦେଶ ବିଦେଶର ସାହିତ୍ୟ, ସଂସ୍କୃତି, ବିଜ୍ଞାନର ଗଭୀର ତତ୍ତ୍ୱ”
ନମ୍ରତା ପ୍ରଧାନ (ପଟେଲ) ଥିଲେ ନିକ୍ୱଣର ଆଈ ୲ ଗାଁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ବଡେଇ’, ‘ଶଶି ଆଈ’, ‘ପାଠୋଈ ଆଈ’, ‘କୁଣିଆ ମା’, ‘ଅବା’, ‘ଅଲେଖ ଆଈ’, ‘ମହିମା ଆଈ’, ‘ମାହୀ ବୋଉ’, (ନିକ୍ୱଣର ମା’ଙ୍କ ନାଁ ଥିଲା ନମିତା - ଡାକ ନାଁ ମାହୀ ) ଏମିତି କେତେ ନାଁରେ ଡାକନ୍ତି ୲ ଆଈ ପ୍ରକୃତରେ ଗୁଜୁରାତି, କିନ୍ତୁ ୭୦ ବର୍ଷ ହେଲା ଆସି ଓଡ଼ିଶାରେ ୲ ଝାଟି ମାଟିର ଦୁଇ ବଖରା ଘର ଗଞ୍ଜାମ ଜିଲ୍ଲାର ଥୋଲଣ୍ଡା ଗାଁରେ ୲ ବିଖ୍ୟାତ ଗଞ୍ଜାମର ଏକ ଅଖ୍ୟାତ ପଲ୍ଲୀ ବୋଲି ନନା ଥଟ୍ଟା କରନ୍ତି ୲ ଅଜା ନବଘନ ପ୍ରଧାନ, ବହୁ ପ୍ରତିଭାର ଅଧିକାରୀ ୲ ତାଙ୍କ ବିଷୟରେ ଆଉ ଦିନେ ବଖାଣିବା ୲ ପଢାପଢିରେ ଆଈଙ୍କ ବଡ଼ ଆଗ୍ରହ, ଅନୁରାଗ ୲ ତାଙ୍କ ଗାଁ ଚାଟଶାଳୀରେ ସେ ସବୁବେଳେ ପ୍ରଥମ ବୋଲି ଗାଁ ଲୋକେ କହନ୍ତି ୲ ସେ ଗୁଜୁରାତି, ଓଡ଼ିଆ, ହିନ୍ଦୀ, ବଙ୍ଗାଳି, ଇଂରାଜୀ, ମରାଠୀ, ଆସାମୀ ଭଳି ବହୁତ ଭାଷା ପଢି ଲେଖି ବୁଝି ପାରନ୍ତି ୲ ଅଜା ବି ସେମିତି - କଥା କଥାରେ ସଂସ୍କୃତର ଚାଣକ୍ୟ ଶ୍ଳୋକ ୲
ଥୋଲଣ୍ଡା ଗାଁ ବାଲା କୁହନ୍ତି ଆଈ କୁଆଡେ ଯୌତୁକରେ ଗୁଜୁରାଟରୁ ତିନି ସିନ୍ଧୁକ ବହି ଆଣି ଥିଲେ - ଚାରି ପାଞ୍ଚଟି ଭାଷାର ୲ ବୋଉ କହେ, “୧୯୮୪ରେ ଯେତେବେଳେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ପ୍ରକାଶ ପାଇଥିଲା, ଆଈଙ୍କ ପାଖରେ ଗାଁର ପ୍ରଥମ ‘ଯାଜ୍ଞସେନୀ’ ବହି ଡାକ ଯୋଗେ ଆସି ପହଞ୍ଚିଥିଲା ୲
ଆଜିକାଲି ପରି ଆମାଜନ୍(Amazon), ପେଟିଏମ୍ (Paytm), ଫ୍ଲିପ୍ କାର୍ଟ୍ (Flipkart) ନ ଥିଲା ସେ ସମୟରେ… ଗାଁ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ହେବା ଆଗରୁ ଆଈ ଯାଜ୍ଞସେନୀର କେଇ ଅନୁଛେଦ ବଖାଣି ଶୁଣାଉଥିଲେ ଅପାଠୁଆ ଅପାଠୋଇ ବୁଢାବୁଢୀଙ୍କୁ ୲ ବଦଳରେ ସେମାନେ ଆଈର ସାହାଯ୍ୟ ସହଯୋଗ କରିଥାନ୍ତି ୲ ଆମ ବ୍ରହ୍ମପୁର ସହରର ଉଚ୍ଚ ଶିକ୍ଷିତ ପଡୋଶୀ ମାନଙ୍କ ପରି ସ୍ୱାର୍ଥପର, ନିଷ୍ଠୁର, ଈର୍ଷ୍ୟା ପରାୟଣ ନଥିଲେ ସେମାନେ ୲ ଗରିବ ହେଲେ କ’ଣ ହେଲା... ଅତି ସରଳ, ସୁନ୍ଦର, ନିରାମୟ ଜୀବନ ସେମାନଙ୍କର…. ଡାକ ନନା ଆଣିଥିବା ଚିଠିକୁ ଆଣି ସେମାନେ ହାଜିର ହୋଇ ଯାଆନ୍ତି ଆଈ ପାଖରେ, ଗାଁର ଅଳ୍ପ କେତେକ ଶିକ୍ଷିତଙ୍କ ପରି ଆଈ କାହା କଥାକୁ ପ୍ରଘଟ କରନ୍ତିନି ୲ ନିକ୍ୱଣର ଡାଏରୀରୁ ଏ ଥିଲା ନମ୍ରତା ଆଈଙ୍କର ସଂକ୍ଷିପ୍ତ ପରିଚୟ ୲
X X X
ଅପରାହ୍ନ ଚାରିଟା ସମୟ ୲ ନିକ୍ୱଣ ଆସି ପହଞ୍ଚିଯାଏ ଆଈଙ୍କ ପାଖରେ ବାକିଥିବା ଗପ ଶୁଣିବା ପାଇଁ ୲
ନିକ୍ୱଣ : ଆଈ, ସେ ଦୁଷ୍ଟ ‘କଳାପାହାଡ଼’ର ଗପ ପରେ ଶୁଣିବି ୲ ବୋଉ କହୁଥିଲା ମୁଁ କୁଆଡ଼େ ସ୍ୱପ୍ନରେ ବିଳି ବିଳେଉଥିଲି ୲ ସେଦିନ ଯେଉଁ ମଧୁବାବୁଙ୍କ ପିଲାଦିନ କଥା କହୁଥିଲୁ , ଆଉ ଯେତେ ବାକି ଅଛି କହ ୲
ଆଈ : ଠିକ ଅଛି ନିକ୍ୱଣ ୲ ତୁଳସୀ ଦୁଇପତ୍ରରୁ ବାସିଲା ପରି ମଧୁବାବୁଙ୍କ ନିର୍ଭୀକତାର କାହାଣୀ ତାଙ୍କ ପିଲାଟି ଦିନରୁ ହିଁ ଜଣା ପଡିଥିଲା ୲
୧୮୫୩ ମସିହାର କଥା ୲ ସେତେବେଳେ ଇଂରେଜ ମାନେ ଆମକୁ ଶାସନ କରୁଥାନ୍ତି ୲ ସେ ସମୟରେ ଆଜିକାଲି ପରି ଛତୁ ଫୁଟିଲା ଭଳି ସରକାରୀ, ବେସରକାରୀ ସ୍କୁଲ ନ ଥିଲା ୲ ସବୁପିଲା ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ କରୁଥିଲେ ୲ ‘ଚାଟ’ ମାନେ ଛାତ୍ର, ଚାଟଶାଳୀକୁ କେହି କେହି ‘ଚାହାଳି’ ବି କହୁଥିଲେ ୲
ନିକ୍ୱଣ : ଓଃ! ଏବେ ମୁଁ ବୁଝି ପାରିଲି, ତୋ ପିଲାଦିନ ବହିକୁ ତୁ କାହିଁକି, ‘ଚାଟଶାଳୀ ପାଠ’ ବୋଲି କହୁ
ଆଈ : ହଁ, ସେତେବେଳେ ଆଜି କାଲିକା ପରି ଆମ ବହିବସ୍ତାନୀ ଏତେ ଭାରି ନଥିଲା ଅଙ୍କ, ବିଜ୍ଞାନ, ସାହିତ୍ୟ, ଏହି ପରି ସବୁ ବିଷୟକୁ ନେଇ କେବଳ ଗୋଟିଏ ବହି ଖନ୍ଦା ପଣକିଆଠାରୁ କେଶବ କୋଇଲି ପର୍ଯ୍ୟନ୍ତ ଗୋଟିଏ ବହି ଚାଟଶାଳୀରେ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ‘ଅବଧାନ’ ବୋଲି କହୁଥିଲେ ଆଜିକାଲିକା ପିଲେ ମନେ ମନେ ଗୁଣୁଗୁଣୁ ହୋଇ କ'ଣ ଯେ ପଢ଼ନ୍ତି ମୋର ଟିକେ ବି ମନକୁ ପାଉନି ୲ ସତେକି M.A. , B.A ଜନ୍ମରୁ ୲ ସେ କାଳରେ ବଡ ପାଟି କରି ପିଲେ ପଣକିଆ ଘୋଷୁ ଥିଲେ ୲ ଯିଏ ଯେଉଁ ପାଠ ପଢୁନା କାହିଁକି, ସବୁ ପିଲା ବଡ ପାଟି କରି ପଢିବା ନିହାତି ଦରକାର ୲ ଯିଏ ନ ମାନିଲା, ତା’ ପିଠିରେ ବେତ ପାହାର ୲ ଏବେ ସିନା ସରକାର ନାନା କଟକଣା ଜାରି କରିଛନ୍ତି ୲ ପିଲାଙ୍କୁ ଦଣ୍ଡ ଦେବା ମନା ୲ ଦଣ୍ଡ ଦେବା ଆଗରୁ, ଆଜିକାଲିକା ପିଲେ ଓ ତାଙ୍କ ଅଭିଭାବକ ପୋଲିସ ହେଲ୍ପ ଲାଇନର ସାହାଯ୍ୟ ନେଉଛନ୍ତି କି ଯୁଗ ହେଲା କେଜାଣି ! ଏମିତି ଜଣେ ଅବଧାନ ଥିଲେ ମଧୁବାବୁଙ୍କର ତାଙ୍କ ନାଁ ମୁଁ ପାସୋରି ଦେଇଛି ୲ ମନେ ପଡିଲେ ପରେ କହିବି ୲
କାନନ : (ବୀଜଗଣିତର ସମସ୍ୟା ସମାଧାନ କରୁ କରୁ ) ହେଲା ଆଈ ଆମ ବୀଜଗଣିତର ଭାଷାରେ ସେଇ ଅବଧାନଙ୍କୁ 'x' ମନେ କରାଯାଉ ଆମେ ଆଗକୁ ବଢ଼ିଯିବା ୲ x ନିଜେ ଆସି କହିଯିବ ସେ କିଏ ! ଜଟିଳ ସମସ୍ୟାର ସମାଧାନ ତ ଏମିତି ହୁଏ ବୋଲି ଆମ ଉତ୍ତରକବାଟ ଗୁରୁମା କହୁଥିଲେ !
ଆଈ : (ହସି ଦେଇ) ଆଚ୍ଛା! ଆଜି ତୁ ବି ଏପଟେ କାନ ଦେଇ ଶୁଣୁଛୁ କାନନ ୲
ନିକ୍ୱଣ : (ରାଗି ଯାଇ ) ନାନୀ, ତୁ ବିରକ୍ତ କରନି, ଗପ ତ ସରିବନି, ଆଈ କହ ତା’ପରେ କ’ଣ ହେଲା
ଆଈ : ସେଇ x ଅବଧାନଙ୍କର ଟିକିଏ ବଦଭ୍ୟାସ ଥିଲା ୲ ପାଠ ପଢାଉ ପଢାଉ ସେ ବେଳେବେଳେ ଢୁଳାଇ ପଡୁଥିଲେ ୲ କିନ୍ତୁ ପିଲାଏ ଭୟରେ ଅବଧାନଙ୍କ ବିରୋଧରେ କିଛି କହୁନଥିଲେ ଅବଧାନ ବି ସେମିତି ପିଲାଏ ଶ୍ରେଣୀରେ ବିଶୃଙ୍ଖଳା କଲେ ବି ଅବଧାନେ କିଛି କଟକଣା କରୁନଥିଲେ ୲ ମଧୁବାବୁ ଥିଲେ ଚୌଧୁରୀ ବଂଶର ପିଲା ବାପା ଚୌଧୁରୀ ରଘୁନାଥ ଦାସ ଓ ମା’ ପାର୍ବତୀ ଦେବୀ ତାଙ୍କ ପ୍ରକୃତ ନାଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ ୲ କିନ୍ତୁ ପରେ ତାଙ୍କ ବାପା ନାଁ ବଦଳାଇ ମଧୁସୁଦନ ରଖିଥିଲେ ୲ ସେ ଥିଲେ ଅତି ବିଚକ୍ଷଣ, ଚାଲାକ ୲ ଦିନେ ଚାଟଶାଳୀରେ ତାଙ୍କ ପଟେ ଜୋତା କିଏ ଲୁଚାଇ ଦେଲା ୲ ସେତେବେଳେ ଅବଧାନ ନିଦରେ ଶୋଇ ପଡ଼ିଥାନ୍ତି ବଡ ପାଟିରେ ଆପତ୍ତି ଜଣାଇଲେ ଆମ କୁନି ମଧୁବାବୁ, “ଆଜ୍ଞା! ମୋର ଜୋତା ପଟେ କିଏ ଚୋରି କରି ନେଇଛି ୲ ଖୋଜି ପାଉନି!”
ଅବଧାନ (ଢୁଳାଉଥିବା ଅବସ୍ଥାରେ) କହିଲେ, “ଚୁପ କର ବସିଯା ୲ ପଟେ ଜୋତା ନେଇ କିଏ କଣ କରିବ? ନେଇଥିଲେ ଦି ପଟ ନେଇଥାନ୍ତା ୲ ତୁ ପଟେ ଜୋତା ପିନ୍ଧି ଘରୁ ଆସିଥିବୁ ୲ ଘରେ ଆଉ ପଟେ ଥିବ”
ଅବଧାନଙ୍କ ଏମିତି କଟୁ କଥା ତାଙ୍କୁ ଭାରି ବାଧିଥିଲା ୲ ମନେ ମନେ ସେ ସୁଯୋଗ ଖୋଜୁଥିଲେ, ଅବଧାନଙ୍କର ଅନ୍ୟାୟର ବିରୋଧ କରିବେ ନିଶ୍ଚୟ ୲
ଏମିତି ଆଉ ଦିନକର କଥା ୲ ଚିରାଚରିତ ଭାବେ ଅବଧାନେ ପିଲାମାନଙ୍କୁ ପାଠ ପଢିବାକୁ ଦେଇ ଚୌକିରେ ଶୋଇ ପଡ଼ିଥିଲେ ୲ ପାଦରେ ଥିଲା ତାଙ୍କର ଦାମିକା ମରହଟ୍ଟା ଜୋତା ୲ ଅବଧାନଙ୍କ ପାଦରୁ ଗୋଟିଏ ପଟ ଖସି ତଳେ ପଡିଯାଇଥାଏ ୲ “ଯାହାହେଉ, ଆଜି ଏତେଦିନକେ କାଳିଆ ମୋ କଥା ଶୁଣିଛି, ଏଇ ସୁଯୋଗର ହାତଛଡା କଲେ ହେବନି!” ମନେ ମନେ ଭାବୁଥିଲେ ମଧୁବାବୁ ୲ ଅବଧାନଙ୍କ ପଟେ ଜୋତା ନେଇ ପାଖରେ ଥିବା ଏକ ଗାଡ଼ିଆରେ ଫିଙ୍ଗିଦେଲେ ୲ ହାତ ଠାରି ବାକି ସାଙ୍ଗ ମାନଙ୍କୁ ଚୁପ ରହି ବାକୁ ଜଣାଇ ଦେଇଥିଲେ ବର୍ଷା ଦିନଥିଲା ୲ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ଘଡଘଡି ବିଜୁଳି ଶବ୍ଦରେ ଅବଧାନଙ୍କ ନିଦ ଭାଙ୍ଗିଗଲା ୲ ପଟେ ଜୋତା ନ ଥିବା ଦେଖି କେତେ ଖୋଜିଲେ ୲ ହେଲେ ପାଇଲେ ନାହିଁ ଠିକ ସେତିକି ବେଳେ ମଧୁବାବୁ ଉଠି କହିଲେ, “ଅବଧାନେ! ଆପଣ ନିଶ୍ଚୟ ପଟେ ଜୋତା ପିନ୍ଧି ଆସିଥିବେ ଆଉ ପଟେ ଘରେ ଥାଇପାରେ ୲ ବ୍ୟସ୍ତ ହୁଅନ୍ତୁ ନାହିଁ, ଏବେ ତ ବର୍ଷା ହେଉଛି ବର୍ଷା ଛାଡିଲେ ଆଜି ଟିକେ ଜଲ୍ଦି ଘରକୁ ଚାଲିଯିବେ ୲ ମୋ ମନ କହୁଛି, ନିଶ୍ଚେ ମିଳିଯିବ!” ଅକଲ ଗୁଡ଼ୁମ ହୋଇଗଲା ଅବଧାନଙ୍କର!
ଅବଧାନ ପୁରା ରାଗରେ ପଞ୍ଚମ୲ (ରାଗିଯାଇ) କହିଲେ, “ମୁଁ କ’ଣ ମୂର୍ଖ? କିଏ କେବେ ପଟେ ଚପଲ ପିନ୍ଧି ଆସିପାରେ? ତୁ କେମିତି ମୋତେ ଏ କଥା କହି ପାରିଲୁ?”
ମଧୁ ବାବୁ (ନିର୍ଭୀକ ଭାବରେ ): ଆଜ୍ଞା! ମୁଁ କଣ ଅନ୍ୟାୟ କଥା କହିଲି କି? ସେ ଦିନ ଆପଣ ଯଦି ମୋତେ କହି ପାରିଥିଲେ ମୁଁ ପଟେ ଜୋତା ପିନ୍ଧି ଘରୁ ଆସିଥିଲି ବୋଲି, ସେଇ ଆପଣଙ୍କ କଥା ଆପଣଙ୍କୁ କହି ମୁଁ କ’ଣ ଭୁଲ କଲି ଯେ?
ଛୋଟ ପିଲାଟିର ଏଭଳି ନିର୍ଭୀକତା ପୂର୍ଣ୍ଣ କଥାରେ ଅବଧାନେ ନିଜର ଭୁଲ ବୁଝି ପାରିଥିଲେ ୲ ନୀରବ ରହିବା ଛଡା ତାଙ୍କର ଅନ୍ୟ କିଛି ଉପାୟ ନଥିଲା ୲ ଯଦି କଥାଟି ପ୍ରଘଟ ହୋଇଯାଏ, ତେବେ ଅବଧାନଙ୍କ ଶୋଇବା କଥା ଧରା ପଡିଯିବ, ସେଇ ଦିନ ଠାରୁ ଅବଧାନେ ପାଠ ପଢ଼ାଇବା ସମୟରେ ଢୁଳାଇବା ଛାଡି ଦେଲେ ୲
ଆଈ : “ମୋ କଥାଟି ସରିଲା, ଫୁଲ ଗଛ ଟି ମରିଲା” … କେମିତି ଲାଗିଲା ନିକ୍ୱଣ?
ନିକ୍ୱଣ (ଖୁସିରେ) : ଆଈ, ବହୁତ ବଢିଆ, ମୁଁ ଏଇ ଗପକୁ ମଧୁ ଜୟନ୍ତୀ ଦିନ ସ୍କୁଲରେ କହିବି ୲
X X X
[୨୮ ଏପ୍ରିଲ ୧୯୯୬, ସନ୍ଧ୍ୟା ୫ ଟା ୩୦, ବ୍ରହ୍ମପୁର, ଓଡିଶା]
ମଧୁ ଜୟନ୍ତୀ ଅବସରରେ ଆନ୍ତଃ ବିଦ୍ୟାଳୟ ଗଳ୍ପ କଥନ ପ୍ରତିଯୋଗିତାରେ ନିକ୍ୱଣ ପ୍ରଥମ ହୋଇ ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ପାଇଥାଏ ୲ ସେ ଖୁବ୍ ଖୁସି ୲
ତା’ର ପ୍ରମାଣ ପତ୍ରରେ (ସାର୍ଟିଫିକେଟରେ) ନୀଳ ରଙ୍ଗରେ ବଡ ବଡ ଅକ୍ଷରରେ ଲେଖାଥାଏ “ନିକ୍ୱଣ ନିତ୍ୟଦର୍ଶୀ ମାନସିଂହ, ପ୍ରଥମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ ଗଳ୍ପ କଥନରେ ପ୍ରଥମ” ଆଈ ବି ବହୁତ ଖୁସି, ସେ କହିଥିବା ଗପ କହି, ତାଙ୍କ ନାତି ବଡ ହାକିମବାବୁଙ୍କଠୁ ପୁରସ୍କାର ପାଇଛି ବୋଲି
ନିକ୍ୱଣ : ଆଈ ଖାଲି ସେତିକି ନୁହେଁ, କାନନ ନାନୀର ବୀଜଗଣିତର x ର ମୂଲ୍ୟ ବି ଜଣା ପଡିଛି ୲ ନୀରଦ ସାର୍ କହିଦେଇଥିଲେ ମୁଁ ପ୍ରତିଯୋଗିତାକୁ ଯିବା ପୂର୍ବରୁ ୲ x = ମାଗୁଣି!
ଆଈ : ହଁ ୲ ମାଗୁଣି ଅବଧାନ! ମାଗୁଣି ନାୟକ ଥିଲା ତାଙ୍କର ପ୍ରକୃତ ନାଁ ୲ ମାଟି ବଂଶର ଅଭିଧାନ
X X x
ଆକାଶବାଣୀ ବ୍ରହ୍ମପୁର, ୧୦୦.୬ ମେଗା ହର୍ଜ, ବର୍ତ୍ତମାନ ଷ୍ଟୁଡିଓ ଘଡିରେ ବାଜିବାକୁ ଯାଉଛି ସନ୍ଧ୍ୟା ୬ଟା ବାଜି ୨ମିନିଟ୍, ପ୍ରାଚୀନ ଭକ୍ତି ସଙ୍ଗୀତ କ୍ରମରେ କଣ୍ଠଶିଳ୍ପୀ ଲତା ଘୋଷ, ବନମାଳୀଙ୍କ ରଚନାରୁ
“ମଣିମା ହେ ଏତିକି ମାଗୁଣି ମୋର ,
ମରଣ କାଳେ ଦରଶନ ଦେବ କଳାମୁଖ କଳାକାର”
ନିକ୍ୱଣ : ଦେଖିଲୁ ଆଈ, ମଧୁବାବୁଙ୍କ ପରି ଆମ ରେଡ଼ିଓ ବି କେତେ ଚାଲାକ, ‘ମାଗୁଣି’ ଅବଧାନଙ୍କ କଥା ମନେ ପଡୁ ପଡୁ ଏହି ସୁନ୍ଦର ଭଜନଟି ପ୍ରସାରଣ କରିଦେଲେ - ‘ଏତିକି ମାଗୁଣି ମୋର!’
ଆଈ : ସତରେ ନିକ୍ୱଣ ! ସେଇ ଦିନଠାରୁ ମନେ ପକାଉଥିଲି ଅବଧାନଙ୍କ ନାଁ କ’ଣ ଥିଲା ବୋଲି ୲ ଆଜି ଠିକ ମଧୁ ବାବୁଙ୍କ ଜନ୍ମ ଦିନରେ ତୋ ନୀରଦ ସାର୍ ଓ ଆମ ବେତାଳିଆ ବେତାର ଯନ୍ତ୍ର ଜରିଆରେ ସ୍ୱୟଂ ମଧୁବାବୁ ଆସି କାନେ କାନେ କହି ଦେଇଛନ୍ତି ତାଙ୍କ ଅବଧାନଙ୍କ କଥା ୲
ସେମାନଙ୍କୁ ପ୍ରଭୁ କୋଟି ପରମାୟୁ ଦିଅନ୍ତୁ ୲ ଆଜିବି ମଧୁବାବୁ, ମାଗୁଣି ଅବଧାନ ଆମ ସ୍ମୃତିରେ ସାଇତା ହୋଇ ରହିଛନ୍ତି ୲ ରହିଥିବେ ଚିରକାଳ ପର୍ଯ୍ୟନ୍ତ ୲
“ହେ ଶୂନ୍ୟ ଭଗବାନ! ଏତିକି ମାଗୁଣି ମୋର”, (କହି ଆଈ ଚାଲିଗଲେ ସନ୍ଥ ଭୀମଭୋଇଙ୍କ ‘ମହିମା ଧର୍ମ’ ସମ୍ବଳିତ ପୁସ୍ତକ ପଢିବା ପାଇଁ )!
*ଟିକି ଫୁଲ : ଆହ୍ୱାନ ପତ୍ରିକା ର ମାର୍ଚ୍ଚ , ୨୦୧୮ ସଂଖ୍ୟା ପଢନ୍ତୁ (ପୃଷ୍ଠା - ୯୬-୧୦୩ )
ମୋବିଷୟରେ :
ନୀଳାଦ୍ରି ବିହାରୀ ନାୟକ ,
ସ୍ଥାୟୀଠିକଣା:
ଜ୍ୟୋତିନଗର- ଚତୁର୍ଥସରଣୀ,
ବ୍ରହ୍ମପୁର, ଗଞ୍ଜାମ, ଓଡିଶା - ୭୬୦୦୦୧
ବର୍ତ୍ତମାନ ଠିକଣା (କର୍ମଭୂମି) :
ୟୁ ବ୍ଲକ୍, ୧୩/୪୬ - ତ୍ରୟୋଦଶ ସରଣୀ,
ଡି. ଏଲ୍. ଏଫ୍. ଫେଜ୍ ୩,
ଗୁରୁଗ୍ରାମ, ହରିଆଣା - ୧୨୨୦୦୨
ଦୂରଭାଷ : ୯୯୯୯୨୦୧୭୪୧ (ହ୍ୱାଟ୍ସଅପ )/ ୯୯୯୯୨୩୭୬୯୧
Web: https://about.me/nbnayak.88 / https://medium.com/@niladribiharinayak/
Email : nbnayak.88@gmail.com / nirnayak@outlook.com
Go Back to Previous Page
ଦଳିତ
ଏ ପି ଶୁଭକାନ୍ତ
Read Article
ବରବାଦି
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ