ହେ ବିଜନ, ମୋତେ ତୁମେ ଭଲ ପାଅ ଜାଣେ...
କିନ୍ତୁ ପ୍ରତିଦାନେ ମୋ ମନରେ ତୁମ ପ୍ରତି ଅସୀମ ଅସୂୟା
ପ୍ରତି ମୁହୂର୍ତ୍ତରେ ମୋତେ ଜଳାଉଛ ତୁମେ
ତୁମର ସାନିଧ୍ୟ ପାରେ ନାହିଁ ସହି,
ପୁଣି ତୁମର ସାନିଧ୍ୟ ଫାସୁ ବର୍ତ୍ତିବାର ଉପାୟ ପାଏନି
କାହିଁ ସେ ମୋହନ ରୂପ...
କି ରୂପରେ ମୋହିଥିଲ ମୁନୀଋଷିମନ
ତୁମ ପ୍ରେମେ ମଗ୍ନ ଶତସହସ୍ର ମନୀଷି କେଉଁ ଆଦିନ ଯୁଗରୁ ବର୍ତ୍ତମାନ ଯାଏ...
କିପରି? କାହିଁକି? ପ୍ରଶ୍ନ ବିଚଳିତ କରେ, ମୋତେ ବାରବାର
ପାରେନି ମୁଁ ଜାଣି କି ଥିଲା କି ଅଛି ବିଜନ, ଆକର୍ଷଣ ତୁମ ପାଶେ?
ହୃଦୟରୁ ଉଠେ କୋହ, ନୟନରେ ସାଗରର ଜଳ
ମନତଳେ ନୈରାଶ୍ୟର ଧୁ ଧୁ ମରୁବାଲି
ଅସୀମ ଯନ୍ତ୍ରଣା ଦହେ ସର୍ବାଙ୍ଗ ମୋ ପ୍ରତିଟି ମୁହୂର୍ତ୍ତେ
ଯେତେ ମନାକଲେ ତୁମେ ଆସ... ସର୍ବଦା ମୋ ପାଶେ
ତୁମ ଦେଖା, ତୁମର ସାନିଧ୍ୟ ଆହୁରି ଯନ୍ତ୍ରଣା ଦିଏ, ଆହୁରି ଜଳାଏ ମୋତେ
ଶୈଶବ, କୈଶୋର ଆଉ ଯୌବନର ଜୈତ୍ର ବାନାନାଦ ଶୁଭେନାହିଁ ଆଉ...
ଶୈଶବର ପିତାମାତା ଭ୍ରାତାଭଗ୍ନି, କୈଶୋରର ଖେଳସାଥି, ଯୌବନର ଘୁମନ୍ତ ସପନ ଆଉ ମନ
ରୂପ କମାର; ସର୍ବେ ଥୁଣ୍ଟାଗଛ ଦେଖି ମୋତେ ହୋଇଛନ୍ତି ଦୂର
ସବୁ ସ୍ବାର୍ଥ ସଭିଙ୍କର ଯାଇଛି ତ ସରି
ଆଉ ନାହିଁ ରଙ୍ଗ, ନାହିଁ ସ୍ବପ୍ନ, ନାହିଁ ନାହିଁ କିଛି ବି ନାହିଁ ମୋ ପାଶେ
ଆକୁଳେ ବିକଳେ ଖୋଜେ ଦୁନିଆରୁ ଏକ ଦେବ ଶିଶୁ ଗୋଟିଏ ମଣିଷ
ଅନ୍ତରର ଆତ୍ମୀୟତା ଖୋଜେ ମୁଁ ଯେତେ ଯେଉଁଠି...
ସେତିକି ନୈରାଶ୍ୟ ମେଘ ଘୋଟିଆସେ ଏ ମନ ଆକାଶେ
ତୁମେ କୁହ ବାରମ୍ବାର ତୁମ ପ୍ରେମ ଅନାବିଳ ବୋଲି
ତୁମକୁ ଆଦରି ନେଇ ତୁମେ କୁହ ମୋ ଅଧରେ ହସ ଫୁଟୁ ବୋଲି
ତୁମେ ଚାହଁ ଦୁନିଆର ହିତ ପାଇଁ ସବୁ ବିଷ ଶୋଷି ନେଇ ନୀଳକଣ୍ଠ କରିବାକୁ ମୋତେ
କିନ୍ତୁ ଅସମର୍ଥ ମୁହିଁ
ଏ ମାଟିର ଗୋଟିଏ ମଣିଷ କେହି ଅନ୍ତର ହଜାଇ ଚାହିଁଲା ତ ନାହିଁ ମୋର ଅହ୍ସ
ଗୋଟିଏ ମଣିଷ କେହି ମୋ ଲୁହରେ ଅନ୍ତର ଭିଜାଇ ଢାଳିଲା ନାହିଁ ବୁକେ ଲୁହ
କେମିତି ହସିବି? କି ଉପାୟ କରିବି ବିଜନ?
ଆଖିତଳେ କଳା କଳା ଦାଗ
ନିର୍ଜନ ବିଜନବେଳା ନିଗାଡ଼ିଛି ଯେତେ ଲୁହ ଏ ଆଖିରୁ
ଏହି ସେ ଲୁହର ସ୍ମାରକୀ
ସେ ଦାଗ ତ ଲିଭିବାର ନୁହେଁ
ସ୍ବାସ୍ଥ୍ୟବାନ ଶରୀରେ ମୋ ରୋଗଙ୍କର ଭିଡ଼
ଚଞ୍ଚଳ ମୋ ଅବୟବେ କ୍ଲାନ୍ତିର ଲହଡ଼ି
ସଦା ଆଖି ମୁଦି ହୋଇ ଆସେ
ଦେଖିବାକୁ ଲାଗେ ନାହିଁ ଭଲ କୋକିଳ କାକଳି
ବସନ୍ତ ଫୁଲର ଗନ୍ଧେ ମଳୟର ଛନ୍ଦ ଲାଗେ ଅଗ୍ନିବର୍ଷା ଝାଞ୍ଜିପରି
ସର୍ବଂସହା ନାରୀ ମୁହିଁ ସୃଷ୍ଟିର ମୂଳତତ୍ତ୍ବ
କିନ୍ତୁ ଯୁଗେ ଯୁଗେ ହୋଇଛି ମୁଁ ପାଷାଣୀ, ମୁଁ ପୁଣି ଦୁଃଖିନୀ ସୀତା
ଅନ୍ଧୁଣି ଗାନ୍ଧାରୀ
ଦ୍ରୌପଦୀ ମୁଁ କୁରୁସଭା ସବରେ କାରୁଣ୍ୟ
ଏ ଯୁଗରେ ସତୀ ପୁଣି ରୂପା କନୱାଲ
ପୁରୁଷକୁ ସବୁ ଦେଇ ଲୁଣି ଲୁହର ସାଗରେ ଯୁଗେ ଯୁଗେ
ଉବୁଟୁବୁ ହେଉଛି ବିଜନ
ସ୍ବାର୍ଥନ୍ବେଷୀ ବର୍ବର ପୁରୁଷ ଯୁଗେ ଯୁଗେ ନିଜର ନାମ ପାଇଁ ସ୍ବାର୍ଥାପାଇଁ, ଅହଙ୍କାର ପାଇଁ
ଯୂପକାଷ୍ଠ ପଶୁସମ କରିଅଛି ମୋତେ...
ଅବଳା ଦୁର୍ବଳା କହି, ବାରମ୍ବାର ଫିଙ୍ଗିଛି ତୁମରି କୋଳରେ
ହେ ବିଜନ! ମୃତ୍ୟୁଯାଏଁ ତୁମେ ଯଦି ସାଥୀ
ତେବେ କଣ୍ଠୁ ମୋର କାଢ଼ିନିଅ ଭାଷା
ଆଖିତଳୁ ନେଇ ଯାଅ ଜ୍ୟୋତି
ମନତଳୁ ଲିଭାଇ ଦିଅ ପୃଥିବୀର ପ୍ରେମ
ହୃଦୟରୁ କାଢ଼ିନିଅ ଅନ୍ତିମ ନିଃଶ୍ବାସ
ତେବେ ଯାଇ ତୁମ ସ୍ପର୍ଶେ, ତୁମ ଆଲିଙ୍ଗନେ, ହେବିନାହିଁ ସତତ ସନ୍ତ୍ରସ୍ତ
ହେ ବିଜନ, ପ୍ରିୟ ମୋର! ତୁମେ ଯଦି ଏକା ପ୍ରିୟତମ
ତୁମେ ଯଦି ରୂପହୀନ... ତେବେ ଏ ଶରୀର ଧାରଣେ କି କାର୍ଯ୍ୟ?
ତୁମର ସାନିଧ୍ୟପାଇଁ ସାଧାରଣ ମଣିଷଟେ ମୁହିଁ ଲୋଡ଼େନାହିଁ ଏ ମାଟିର ପିଣ୍ଡ
ଚାହେଁ ନାହିଁ ହେବାକୁ ମୁଁ ହିମାଳୟ କନ୍ଦରର ମୁନୀ
ଚାହେଁନାହିଁ ତୁମକୁ ପାଥେୟ କରି ହେବାପାଇଁ ଭାବୁକ, କବି ବା ବୈଜ୍ଞାନିକ
ସାଧାରଣ ମଣିଷର ଆଶା ଓ ଆକାଂକ୍ଷା ନେଇ ଜନ୍ମମୋର
ଯଦି ତୁମର ଏତେ ପ୍ରେମ ସାଧାରଣ ଜୀବନଟି ପ୍ରତି
ତେବେ ଏ ଦେହରେ ପାଇବନି ମୋତେ?
ତୁମର ସାନିଧ୍ୟ ଖାଲି ଏ ଦେହକୁ ଦେଇଛି ଅସୀମ ଯନ୍ତ୍ରଣା -
ଦେହାତୀତ ପ୍ରେମପ୍ରୀତି ମୁଁ ପାରିବି ମୁଁ ଦେଇ
ହେ ବିଜନ, ହେ ଯନ୍ତ୍ରଣା, ଅରୂପ ହେ ଅସୀମ ଅବ୍ୟକ୍ତ
ନିଅ ମୋତେ ପାଶେ ପୃଥିବୀର ଅନେକ ଦୂରକୁ
ଏ ମାଟି ପିଣ୍ଡରୁ ମୋତେ ନେଇ ଯାଅ ତୁମରି ପାଶକୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ, ଯାଜପୁର
Go Back to Previous Page
ମହାବାତ୍ୟା
ଗୋଲାପମଞ୍ଜରୀ ପଣ୍ଡା
Read Article
ସୁସ୍ବାଗତ ଆଙ୍ଗ୍ଳ ନବବର୍ଷ ୨୦୧୮
ପ୍ରବୋଧଚନ୍ଦ୍ର ମୁଦ୍ରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ