ଦୁଇତିନି ଦିନର ଲଗାତାର ଝଡ଼ବର୍ଷା ପରେ ଚାରିଆଡ଼ କିଛିଟା ଶାନ୍ତ ଲାଗୁଥିଲା ସେଦିନ। କିଏ ଜାଣେ ଆକାଶଟା ହାଲିଆ ହୋଇ ଯାଇଥିଲା କି ବିଦ୍ରୋହ କରି ଉଠିଥିଲା ମାଟି! ହୁଏତ ଏମିତି ବି ହୋଇପାରେ, ଆକାଶ ଦେଖି ପାରିଥିଲା ଯେ ମାଟି ଆଉ ଟାଣି ନେଇପାରୁନି ତା ନିଜ ଭିତରକୁ ଏଇ ଅଶାନ୍ତ ପରିବେଶର ପ୍ରକୋପକୁ। ଆଉ ରହି ରହି ଆକାଶର ବୁକୁଫଟା ଗର୍ଜନରୁ ମାଟି ବି କଳି ପାରିଥିଲା ତା ଅନ୍ତରର ଆଘାତକୁ।
କେମିତି ଗୋଟେ ଅଦ୍ଭୁତ ନିସ୍ତରଙ୍ଗତାର ଭାବ ଛାଇ ଯାଇଥିଲା ମନରେ। ପୁରା ଚୁପ ହୋଇ ଯାଇଥିଲି ମୁଁ। ଲାଗୁଥିଲା ଭିତରଟା ଯେମିତି ଏକଦମ ଫମ୍ପା ହୋଇ ଯାଇଛି। ପାଦଟିଏ ବି ଆଗକୁ ବଢ଼ିବାର ଆଗ୍ରହ ନଥିଲା। ଆଉ ପଛକୁ ଫେରିବାର ବାଟ ତ ମୁଁ ସେଇଦିନ ହିଁ ବନ୍ଦ କରିଦେଇଥିଲି ଯେଉଁଦିନ ତୁମ ପାଦରେ ପାଦ ମିଳାଇ ଆଗେଇ ଆସିଥିଲି।
ତଥାପି ଆଗକୁ ତ ବଢ଼ିବାକୁ ହେବ। କେତେଦିନ ବା ବଞ୍ଚିପାରିବ ମଣିଷ ଏମିତି ଶ୍ବାସରୁଦ୍ଧତା ଭିତରେ! କେତେ ଆଉ ଏକା ଏକା ଆଙ୍କୁଥିବ ବସି ଭବିଷ୍ୟତର ଅନିଶ୍ଚିତତାକୁ ଗୁମସୁମ ଏଇ ଆକାଶଟା ତଳେ! ବହୁତ ହେଲା! ଏଣିକି ଆଉ ନୁହେଁ। କାଲି ହିଁ କଥାବାର୍ତ୍ତା ହେବାକୁ ପଡ଼ିବ ସବୁକିଛି ଖୋଲାଖୋଲି ଭାବରେ। ଏକ ଅବାଂଛିତ ଆସନ୍ତାକାଲି ପାଇଁ ମନେ ମନେ ନିଜକୁ ପ୍ରସ୍ତୁତ କରି ନେଇଥିଲି ମୁଁ।
କିନ୍ତୁ, କେଜାଣି କାହିଁକି, ଯେତେ ଯେତେ ରାତି ହେଉଥାଏ ଆଖି ଆଗରେ ନାଚି ଉଠୁଥାଏ ଅଭିମାନରେ ଥମଥମ ଗୋଟିଏ ମୁହଁ। ଆଉ ଦୁର୍ବଳତାର ଦୁର୍ଭେଦ୍ୟ ପାଚେରୀ ଭିତରୁ ଆସକ୍ତ ମନଟିକୁ ମୁକୁଳାଇବାର ଚେଷ୍ଟାସବୁ ବିଫଳ ହୋଇଯାଉଥିବା ବେଳେ ନିଜତ୍ବର କେଉଁ ଏକ ସମ୍ବେଦନଶୀଳ ସ୍ଥାନରେ କ୍ଷତଟିଏ ବି ବାରମ୍ବାର ଜାହିର କରୁଥାଏ ତାର ଆହତ ଅସ୍ତିତ୍ବ। ମନର ସମସ୍ତ ଅଲୋଡ଼ାପଣକୁ ଚାପିରଖି ତୁମକୁ ମେସେଜଟିଏ କଲି, “କାଲି ଯଦି ମୋ ପାଇଁ ଦଶମିନିଟ ସମୟ ଦିଅନ୍ତ ମୁଁ ଖୁସି ହୁଅନ୍ତି "। ସକାଳୁ ଫୋନର ନୋଟିଫିକେସନ ଶବ୍ଦରେ ହିଁ ମୋ ନିଦ ଭାଙ୍ଗିଲା। ତମର reply ଥିଲା “your happiness makes me happy"
ବାସ୍.....। ଯେମିତି, ସେଇ ପାଞ୍ଚଟି ଶବ୍ଦରେ ଭରି ରହିଥିଲା ଶତ ଚନ୍ଦ୍ରମାର ଶୀତଳତା। ଭୁଲିଗଲି, ଆଜିର ଦିନଟିକୁ ମୁଁ ଧାର୍ଯ୍ୟ କରିଥିଲି ତୁମ ଜୀବନରେ ମୋ ନିଜତ୍ବର ମୂଲ୍ୟ ନିରୂପଣ କରିବା ପାଇଁ... ସବୁଦିନ ପାଇଁ ତୁମ ହୃଦୟହୀନତାର ଏକ ସୀମା ନିର୍ଦ୍ଧାରଣ କରିବା ପାଇଁ... ଆଉ, ଏଇ ଅଭିଜ୍ଞତାର ଆସ୍ତରଣଟି ତଳେ ନିଜର ସମସ୍ତ ଆଶା ଆକାଂକ୍ଷାକୁ ସୁରକ୍ଷିତ କରି ରଖିଦେବା ପାଇଁ। ମନ ଭିତରେ କେହି ଜଣେ ଖୁବ ତାଚ୍ଛଲ୍ୟ କରି କହୁଥିଲା, “ବୋକିଟା” ଆଉ ଜଣେ ତା ମୁହଁକୁ ଚାପିଧରି କହୁଥିଲା, “ଥରେ ହାରିକି ତ ଦେଖ୍, ବେଳେ ବେଳେ ନିଜ ମଧ୍ୟରେ ନିଜତ୍ବକୁ ନିଶ୍ଚିହ୍ନ କରିଦେବାରେ ହିଁ ଛପିଥାଏ ଜୀଇଁବାର ନିଆରା ଏକ ପରିତୃପ୍ତି”
Go Back to Previous Page
ଗୁଜବ
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ଦଙ୍ଗା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ