ଏକ
ସଂଧ୍ୟା ଗଡି ଯାଇଥିଲା। ମେଘ ମେଦୁର ରାତି ସମୟରେ ରାସ୍ତାର ଗୋଟିଏ ପାଖେ ଠିଆ ହୋଇଥିବା ବିଜୁଳି ଖୁଣ୍ଟରେ ଝୁଲୁଥିବା ଆଲୁଅ ପର୍ଯ୍ୟାପ୍ତ ନ ହେଲେ ବି ଛାତ୍ରାବାସ ଭିତରକୁ ଯିବା ରାସ୍ତା ପରିଷ୍କାର ରୂପେ ଦେଖା ଯାଉଥିଲା। ଅଟକି ଅଟକି ଶୁଭୁଥିବା ଝିଙ୍କ ସ୍ବନ, ବେଙ୍ଗ ରଡି ଓ ମୋରମ-ମାଟି ଉପରେ ପଡି ଶୁଣା ଯାଉଥିବା ବର୍ଷା ପାଣିର ବିରତି ଶୂନ୍ୟ ଝିପି ଝିପି ସ୍ୱର ମୋ ମନ ଭିତରେ ଅଦେଖା ଭୟର ଆକାର ତାର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଥିଲା । ତଥାପି ମନରେ ଦମ୍ଭ ଧରିବାର ଅସଫଳ ପ୍ରୟାସ ମୁଁ କରୁଥିଲି।
ଏଇଠିକୁ ଆସିବା ପୂର୍ବରୁ ପ୍ରଫେସର ମୋତେ ଫୋନ୍କରି ଡାକିଛନ୍ତି ଶୁଣିବା ମାତ୍ରେ ଅଞ୍ଜଳି କହିଥିଲେ, “ମନୋଜକୁ ଫୋନ୍କରୁନ। ତିନି ଦିନ ହେଲା ସେ ଫୋନ୍ବି କରିନି।”
ମନୋଜର ଫୋନ୍ନ କରିବା ନେଇ ଆମେ କେବେ ବିଶେଷ ଗମ୍ଭୀର ନ ଥିଲୁ। ତାର ଫୋନ୍ରେ କିଛି କଥା ହେବା ପାଇଁ ଇଛା ଥିଲେ ହିଁ ସେ କରୁଥିଲା। ନଚେତ୍ ଆମେ ଫୋନ୍ କଲେ ସେ ବିରକ୍ତ ହେଉଥିଲା। ସେଥି ନିମନ୍ତେ ତାର ତିନି ଦିନ ଧରି ଫୋନ୍ ନ କରିବା ଆମ ପକ୍ଷେ ଏକ ସାଧାରଣ କଥା ଥିଲା।
ମନୋଜର ପଢାପଢି, ବ୍ୟବହାର ସମ୍ପର୍କରେ କିଛି ପ୍ରତିକୂଳ ଆକ୍ଷେପ ଶୁଣିବା ଆଶା, ଆଶଙ୍କାରେ ମୁଁ ଥିଲି। ମନା କରିଥିଲି, “ଯେତେବେଳେ ପ୍ରଫେସର ନିଜେ ଡାକିଛନ୍ତି, ତାଙ୍କ ସହ କଥା ହେଲା ପରେ ହିଁ ମନୋଜ ସହ ମୁଁ କଥା ହେବି। ସେ ଫୋନ୍କଲେ ମଧ୍ୟ ଏ ବିଷୟ ତା ସହ କଥା ହେବନି, କିମ୍ବା ମୁଁ ଯିବା ବିଷୟ ମଧ୍ୟ କହିବନି।”
ସଙ୍ଗେ ସଙ୍ଗେ ମୁଁ ପରବର୍ତ୍ତୀ ଟ୍ରେନରେ ବାହାରି ପଡିଥିଲି।
ବାହାରେ ଝିପ୍ଝିପ୍ ବର୍ଷୁଥିବା ମେଘର କୁହୁଡି ଭରା ପରିବେଶକୁ ଭେଦି ମୋ ଟାକ୍ସି କଲେଜ ଛାତ୍ରାବାସ ସମ୍ମୁଖରେ ଅଟକିଲା। ଛତା ଧରି ଓହ୍ଲାଉ ଓହ୍ଲାଉ ଡ୍ରାଇଭରକୁ କହିଲି, “ମୋତେ ଏଇଠି ଅପେକ୍ଷା କର। ପୁଣି ମୋତେ ମୋ ହୋଟେଲରେ ଛାଡିଦେବ।”
ଉତ୍ତରକୁ ଅପେକ୍ଷା ନ କରି ମୁଣ୍ଡରେ ଛତା ଧରି ନିଃଶବ୍ଦରେ ଛାତ୍ରାବାସ ବାରଣ୍ଡା ସାମନାରେ ଜମି ଯାଇଥିବା ସୂତାଏ ସୂତାଏ ପାଣିରେ ଧୀର ପଦକ୍ଷେପରେ ପାହାଚ ଉପରକୁ ଉଠିଲି।
ବାରଣ୍ଡା ପରେ ପରେ ଦୁଇ ପାଖ ଯାକ ଲମ୍ବା ଗଳି। ଗଳି ଦୁଇ ପାଖେ ଛାତ୍ରମାନଙ୍କ କୋଠରୀ ରହିଛି। ଆଗରେ ସିଢି ଉପରକୁ ଯାଇଛି। ମନୋଜର କୋଠରୀ ଉପରେ ଅଛି।
ସିଢି ପାଖରେ ସୁଉଚ୍ଚ, ଓସାରିଆ ଦ୍ବାର। ପ୍ରବେଶ ଦ୍ବାର ଉପରେ ଲେଖା ଯାଇଛି- କେଣ୍ଟିନ। କେଣ୍ଟିନକୁ ଯିବା ରାସ୍ତାର ବାମ ପାଖେ ଉପରକୁ ଉଠିଥିବା ଓସାରିଆ ସିଡି, ଡାହାଣ ପାଖେ ତାକୁ ଲାଗି ଯେଉଁ କୋଠରୀଟି ଦେଖା ଯାଉଥିଲା ଏବଂ ଯାହାର ଦ୍ବାରରେ ପରଦା ଝୁଲୁଥିଲା।
ଆଗନ୍ତୁକ ଦେଖିଲା ଭଳି ଦ୍ବାର ଉପରେ ଫଳକ ଟଙ୍ଗା ଯାଇଥିଲା - ହଷ୍ଟେଲ ସୁପରିଟେଣ୍ଡେଣ୍ଟ।
ସେହି କୋଠରୀ ଦିଗକୁ ମୁଁ ମୁହାଁଇଲି। ବାରଣ୍ଡା ଓ ସିଢି ପାଖରେ ଅପେକ୍ଷାକୃତ ଭଲ ଆଲୁଅର ବ୍ୟବସ୍ଥା ଥିଲା।
“ଆଜ୍ଞା !” ଜଣେ କେହି ମୋତେ ଡାକୁଥିଲେ। ମୋ ପାଦ ଅଟକି ଗଲା। ପଛକୁ ବୁଲି ଚାହିଁଲି ।
ଜଣେ ଭଦ୍ରବ୍ୟକ୍ତି ମୋ ଆଡକୁ ଆସୁଥିଲେ, “କାହାକୁ ଖୋଜୁଛନ୍ତି ?”
‘ମୁଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମିଶିବାକୁ ଆସିଛି। ମୋ ପୁଅ ଏଇଠି ରହି ପଢୁଛି।’
“କିଏ କହିଲେ?”
“ମନୋଜ, ଶେଷ ବର୍ଷ ତାର।”
“ଓହୋ। ତା ହେଲେ ଆସନ୍ତୁ, ସାରଙ୍କ ଘରକୁ ଯିବା। ସେ ଏଇଠି କ୍ୱାର୍ଟରରେ ରହୁଛନ୍ତି।”
“ଠିକ ଅଛି। ପ୍ରଥମେ ମୁଁ ମନୋଜ ସହ ମିଶି ସାରେ।”
“ଆସନ୍ତୁ, ପ୍ରଥମେ ସାରଙ୍କ ଘରକୁ ଯିବା।” ସେ ମୋତେ ଡାକି ନେଲେ।
ମୁଁ ଆଉ କିଛି ପ୍ରତିବାଦ ନ କରି ଅପେକ୍ଷାକୃତ ଅନ୍ଧାର ରାସ୍ତା ଧରି ତାଙ୍କ ସହ କ୍ୱାର୍ଟର ଆଡେ ଆଗେଇଲି। ତାଙ୍କର ଚପଲ ବର୍ଷା ପାଣିରେ ଚପର ଚପର ଶବ୍ଦ ସୃଷ୍ଟି କରୁ ଥିଲା ବେଳେ ମୁଁ ନିଃଶବ୍ଦରେ ଚାଲିଥିଲି। ମୋ ମନ ଭିତରେ ଅନବରତ ସୃଷ୍ଟି ହେଉଥିବା ଅହେତୁକ ଆଶଙ୍କାର ଜଳ ଭଉଁରୀରେ ମୁଁ ସ୍ଥିର ହେବାକୁ ଚେଷ୍ଟା କରୁଥିଲି।
ଅନତି ଦୂରରେ ଦେଖା ଯାଉଥିବା ଘର ଗୁଡିକ ଭିତରୁ କାଚ ଝରକା ଦେଇ ଆଲୁଅ ସ୍ପଷ୍ଟ ରୂପେ ଦେଖା ଯାଉଥିଲା। ଗୋଟିଏ ଘର ସମ୍ମୁଖରେ ଆମେ ଅଟକିଲୁ। ବାରଣ୍ଡାର କ୍ଷୀଣ ଆଲୁଅରେ ସେଠାରେ ଠିଆ କରାଯାଇଥିବା ମୋଟର ସାଇକେଲ ସ୍ପଷ୍ଟ ରୂପେ ବାରି ହେଉଥିଲା। ଘର ଭିତରୁ ଟିଭିର ଶବ୍ଦ ଶୁଣାଯାଉଥିଲା।
“ଏଇଟା ସାରଙ୍କ ଘର। ମୁଁ ଆସୁଛି।” ସେହି ଘର ଦିଗରେ ଆଙ୍ଗୁଠି ଦେଖାଇ ଭଦ୍ରବ୍ୟକ୍ତି ଜଣକ ଫେରିଗଲେ ।
ତାରଜାଲିର କବାଟରେ ଲଗା ଯାଇଥିବା ଶିକୁଳୀ ଦ୍ୱାରା ଶବ୍ଦ କରି ଡାକିଲି, “ଆଜ୍ଞା।”
ଭିତରୁ ସଙ୍ଗେ ସଙ୍ଗେ ଜଣେ ପ୍ରତ୍ୟୁତ୍ତର ଦେଲେ, “କିଏ?”
“ମୁଁ, ମନୋଜର ବାପା।”
ଭିତର କବାଟ ସଙ୍ଗେ ସଙ୍ଗେ ଖୋଲିଗଲା। ଜଣେ ପୃଥୁଳକାୟ ପ୍ରୌଢଢ଼ବ୍ୟକ୍ତି ଭିତରୁ ବାହାରି ଆସି ଜାଲି କବାଟ ସେ ପାଖେ ଠିଆ ହୋଇ ମୋତେ ଚାହିଁ ପୁଣି ପ୍ରଶ୍ନ କଲେ, “କିଏ କହିଲେ।”
“ଆପଣଙ୍କ ଛାତ୍ର ମନୋଜ, ମୁଁ ତାର ବାପା।”
ତର ତର ହୋଇ ସେ କବାଟ ଖୋଲିଲେ, “ଓହୋ, ଆସନ୍ତୁ, ଆସନ୍ତୁ।”
ବାହାରର ଅନ୍ଧାରରୁ ମୁଁ ବାରଣ୍ଡାର କ୍ଷୀଣ ଆଲୁଅ ଭିତରକୁ ପ୍ରବେଶ କଲି। ହାତରେ ଧରିଥିବା ଗାମୁଛାଟିକୁ ମୋ ଦିଗକୁ ବଢେଇଦେଲେ ସେ, “ଟିକେ ପୋଛି ଦିଅନ୍ତୁ।”
ଭଦ୍ର ବ୍ୟକ୍ତି ଭିତରକୁ ଆଗେଇଲେ। ମୋତେ ପଛରେ ଆସିବାକୁ ନିମନ୍ତ୍ରଣ ଦେଲେ, “ଆସନ୍ତୁ” ମୁହଁ, ହାତ ପୋଛି ପୋଛି ମୁଁ ତାଙ୍କ ପଛରେ ଭିତରକୁ ପଶୁ ପଶୁ ଭିତରର ଭବ୍ୟତା ପ୍ରଥମେ ମୋର ଦୃଷ୍ଟିଗୋଚର ହେଲା। ସୁସଜ୍ଜିତ ବୈଠକଖାନା, ରୁଚିପୂର୍ଣ୍ଣ ସାଜସଜ୍ଜା। ବୈଠକଖାନାରେ କୋଉଠି ହେଲେ ଟିଭି ନଥିଲା, ତଥାପି ଟିଭିର ଶବ୍ଦ ଶୁଣା ଯାଉଥିଲା। ଅବଶ୍ୟ ଶବ୍ଦର ପରିମାଣ କମି ଯାଇଥିଲା।
ମୋତେ ଗୋଟିଏ ଚେୟାରରେ ବସିବାକୁ ହାତ ଦେଖାଇ ସେ ଗୋଟିଏ ଚେୟାରରେ ବସିଲେ, “ଆପଣଙ୍କର ରାସ୍ତାରେ କିଛି ଅସୁବିଧା ହେଇନି ତ ?”
“ନା, ଏଇଠି ପହଞ୍ଚି ମୁଁ ପ୍ରଥମେ ଆପଣଙ୍କ ସହ ମିଶିବା ପାଇଁ ଆସିଲି। ତାପରେ ଯାଇ ମନୋଜ ସହ ମିଶିବି। କଣ କିଛି ଅସୁବିଧା ହୋଇଛି ପ୍ରଫେସର?”
କିଛି କ୍ଷଣ ସେ ତଳକୁ ମୁହଁ ପୋତି ବସିଲେ। ପରେ ମୁଣ୍ଡ ଉଠେଇ କହିଲେ, “ମନୋଜ ଦେଖା ଯାଉନି, ତିନି ଦିନ ହେବ।”
ହଠାତ୍ ମୋ କାନରେ ଆସି ପଡୁଥିବା ଚାରିଆଡ଼ର ଶବ୍ଦ ଯେମିତି ବନ୍ଦ ହୋଇଗଲା। ସହସ୍ର ସୂର୍ଯ୍ୟର ତୀବ୍ର ରଶ୍ମିଯୁକ୍ତ ସ୍ୱର ମୋ କାନ ମୁଣ୍ଡା ପାଖରେ ଝଙ୍କୃତ ହେବା ଅନୁଭୂତ ହେଲା। ମୁଁ ଚିହିଁକି ପଡିଲି, “ମାନେ!”
ବାସ୍ତବରେ ପ୍ରଫେସରଙ୍କ ଠୁଁ ମୁଁ ଏହା ଆଶା କରୁ ନଥିଲି।
ଚେୟାରରୁ ଉଠି ପ୍ରଫେସର ଝରକା ପାଖରେ ଯାଇ ଠିଆହେଲେ। ନୀରବରେ ଅନ୍ଧାରର ବର୍ଷାକୁ ନିରେଖି ଦେଖିବାର ବୃଥା ଚେଷ୍ଟା କରୁଥିଲେ। ମୋ ପାଇଁ ଉତ୍ତର ବୋଧହୁଏ ସେ ଖୋଜୁଥିଲେ। ମୁଁ ମଧ୍ୟ ଚେୟାରରେ ବସି ପାରିଲିନି। ତାଙ୍କ ପାଖରେ ଯାଇ ଛିଡା ହେଲି। ଅଶୁଭ ସୂଚନାଟିକୁ ଯଦିଓ ମୁଁ ଶୁଣି ପାରିଥିଲି, ତଥାପି ତାକୁ ଗ୍ରହଣ କରିବା ଅବସ୍ଥାରେ ମୁଁ ନଥିଲି।
କୋଡିଏ ବର୍ଷ ବୟସର ପୁଅ ମୋର। ମା-ବାପାଙ୍କ ଅତି ଆଶା, ଉଦ୍ଦୀପନାରେ ଝଙ୍କୃତ ମାନସିକ ଉଦବେଳନର ପ୍ରତୀକ। ଭଉଣୀ ମାନଙ୍କର ଗର୍ବ! ଅଞ୍ଜଳି ତା’ର ଫୋନ୍ପାଇଁ ଅପେକ୍ଷାରତ। ସେ ପୁଣି ନିଖୋଜ! ଦିନେ ନୁହେଁ, ପୁଣି ତିନି ଦିନ ହେବ!
ବାହାର ଅନ୍ଧକାର ଦିଗରୁ ଦୃଷ୍ଟି ଫେରାଇ ମୋତେ ଚାହିଁଲେ ପ୍ରଫେସର, “ଗୁରୁବାର ସନ୍ଧ୍ୟା ଜଳଖିଆ ଖାଇନି ସେ। ଏକୁଟିଆ ବାହାରକୁ ଯାଇଥିଲା। ରାତିରେ ବି ଫେରି ନଥିଲା। ସକାଳୁ ତା ହଷ୍ଟେଲମେଟ ମାନେ ତା ମୋବାଇଲକୁ ଫୋନ୍ କରିଥିଲେ। ମୋବାଇଲ ସୁଇଚ-ଅଫ୍ଥିଲା। କାଲି ଦିନଟା ଅପେକ୍ଷା କଲୁ। ଆଜି ସକାଳୁ ଡାଇରେକ୍ଟରଙ୍କୁ ଜଣେଇଲି, ତା’ପରେ ଆପଣଙ୍କୁ ଫୋନ୍କଲି। ଆପଣଙ୍କ ସହ କଥା ହେଲାପରେ ଯେତେବେଳେ ଜାଣି ପାରିଲି, ସେ ଘରକୁ ମଧ୍ୟ ଯାଇନି, ପୋଲିସ୍ କୁ ଖବର ଦେଲି।”
ପୋଲିସ ଜାଣିସାରିଲାଣି, ଅଥଚ ମୁଁ ଜାଣିନି, ଶିହିରି ଉଠିଲି। କଣ ହେଲା ମୋ ପୁଅର?
ପଚାରିଲି, “ପୋଲିସ୍ କଣ କହିଲା ?”
“ସନ୍ଧାନ କରୁଛି। ମୋବାଇଲ ଟ୍ରାକ୍ କରୁଛି। କିନ୍ତୁ ଯଦି ଆପଣ ଜାଣିନାହାନ୍ତି, ତା ହେଲେ ଗଲା କୁଆଡେ? ଆପଣ ଆଉ କିଛି ରେନସମ୍ ନୋଟପାଇ ନାହାନ୍ତି ତ?”
ମୁଣ୍ଡରେ ମୋର ଅସହ୍ୟ ଜ୍ୱାଳା ଆରମ୍ଭ ହୋଇ ଯାଇଥିଲା। ବିଚାର ସବୁ ଏ ପାଖ ସେ ପାଖକୁ ଅତି ତୀବ୍ରତ୍ତର ଗତିରେ ଘୁରୁଥିଲେ। ତାଙ୍କ ପ୍ରଶ୍ନ ମୁଁ ଶୁଣି ପାରୁନଥିଲି। ଠିଆ ହେବା ଜାଗାରୁ ବୁଲି ପଛକୁ ଫେରିଲି। ପ୍ରଫେସରଙ୍କ ଅନୁମତିକୁ ଅପେକ୍ଷା ନ କରି ଦ୍ରୁତ ଗତିରେ ବାରଣ୍ଡାକୁ ଆସିଗଲି।
ମୋ ପଛେ ପଛେ ପ୍ରଫେସର ବି ବାରଣ୍ଡାକୁ ଆସିଲେ, “ଆପଣ ମୋ ପ୍ରଶ୍ନର ଉତ୍ତର ଦେଲେନି।”
“ସାର୍, ମନୋଜ ମୋ ପୁଅ। ଯଦି ଲୁଚେଇବାର ଥାଆନ୍ତା, ମୁଁ ଆପଣଙ୍କ ପାଖକୁ ଦୌଡି ଆସି ନ ଥାନ୍ତି।”
ପ୍ରକୃତରେ ମୁଁ ଅସହ୍ୟ ଗରମ ଅନୁଭବ କରୁଥିଲି। ପ୍ରଫେସରଙ୍କୁ ମୁଁ ଭଲ ଭାବେ ଚାହିଁ ମଧ୍ୟ ପାରୁ ନଥିଲି। ଆସିଲା ବେଳର ମୋର ନିଃଶବ୍ଦ ପାଦରେ କିଏ ଚକ ଲଗେଇ ଦେଇଥିଲା। ଲମ୍ବା ଲମ୍ବା ପାଦରେ ଦ୍ରୁତ ଗତିରେ ମୁଁ ଟ୍ୟାକସି ଆଡକୁ ଆଗେଇଲି। ଏମିତି ପରିସ୍ଥିତିରେ କଣ କରାଯିବା ଉଚିତ, ମୁଁ ଦୋଳାୟମାନ ଅବସ୍ଥାରେ ଥିଲି। ମୋତେ ମୋର ନିଜର ସଠିକ୍ ପଦକ୍ଷେପ ନେବାକୁ ହେବ।
ଟ୍ୟାକସିରେ ବସିବା ଆଗରୁ ଥରେ ମନୋଜର ଛାତ୍ରାବାସ ଦିଗେ ଦେଖିଲି। ସିଢିର ମଝିରୁ ଜଣେ କିଏ ଉଙ୍କି ମାରି ଟ୍ୟାକସି ଦିଗେ ଦେଖୁଥିବାର ମୋର ବୋଧ ହେଲା। ଟିକିଏ ଠିଆ ହୋଇ ସେ ଦିଗେ ଭଲ ଭାବେ ଦେଖିଲି। ମୋର ଦେଖିବା ଦେଖି ଉଙ୍କି ମାରୁଥିବା ଚେହେରାଟି ହଠାତ୍ ଅଦୃଶ୍ୟ ହୋଇଗଲା। ଚିନ୍ତା କଲି, ଯାଇ ଦେଖିବି କିଏ ସେ ପିଲା। ନା, ମନକୁ ବୁଝାଇଲି। ମନୋଜ ନ ଥିଲେ ଏମାନଙ୍କ ସହ ମୋର କି କଥା? ଛତା ବନ୍ଦ କରି ଟ୍ୟାକସିରେ ବସିଲି। ଘୁମାଉଥିବା ଡ୍ରାଇଭରକୁ କହିଲି, “ଏଇଠିର ପୋଲିସ୍ ଷ୍ଟେସନ ଜାଣିଛ ? ମୋତେ ସେଇଠିକୁ ନେଇ ପାରିବ?”
ପୋଲିସ୍ ନାଁ ଶୁଣୁ ଶୁଣୁ ତାଙ୍କ ତନ୍ଦ୍ରା ଭାଙ୍ଗିଗଲା, “ହଁ, ଦେଖିଛି। ଯିବା?”
ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି। ବର୍ଷଣୋନ୍ମୁଖ ଅନ୍ଧକାର ସନ୍ଧ୍ୟାରେ କଲେଜ ପରିସରରୁ ବାହାର ରାସ୍ତାକୁ ଆସିଲା ବେଳେ ଟ୍ୟାକସି ଆଲୁଅରେ ଧୂଆଁଳିଆ ବାତାବରଣ ମଧ୍ୟରେ କଳା ପିଚୁରାସ୍ତା ଉପରେ ପଡୁଥିବା ବର୍ଷା ପାଣିର ଅବିରତ ଧାରା ମୋର ଦୃଷ୍ଟିଗୋଚର ହେଉଥିଲା।
ଅଞ୍ଜଳିଙ୍କୁ ମୁଁ ଏହି ଖବର ଦେଇ ପାରିବି ତ? ମୋର ଅନୁପସ୍ଥିତିରେ ସେ ଏହି ଖବରକୁ ସମ୍ଭାଳି ପାରିବେ ତ? ମୁଁ ନିଜକୁ ନିଜେ ପଚାରୁଥିଲି।
ଦୁଇ
କାନ ପାଖରେ କିଛି ଶବ୍ଦ ଶୁଣି ମୋ ନିଦ ଆପଣା ଛାଏଁ ଭାଙ୍ଗିଗଲା। ହୋଟେଲରେ ମୋତେ ଦିଆ ଯାଇଥିବା କୋଠରୀର ପଲଙ୍କ ଉପରେ ମୁଁ ଶୋଇଥିଲି। ଭିତରେ ଦିନର ଆଲୁଅ ବିଚ୍ଛେଇ ହୋଇ ପଡିଥିଲା। ବାହାର ପାଖେ ଥିବା କାଚ ଝରକାରେ ଝୁଲିଥିବା ପରଦା ଫାଙ୍କ ଦେଇ ଶରତର ଅଦିନିଆଁ ମେଘ ଭିତରୁ ଅବସାଦଗ୍ରସ୍ତ ସୂର୍ଯ୍ୟ ରଶ୍ମି କୋଠରୀ ଭିତରକୁ ପଶି ଆସୁଥିଲା। କାଲିର ଅନବରତ ଝଡି ବର୍ଷା ପରେ ଆଜି ପାଗ ଅପେକ୍ଷାକୃତ ଶୁଖିଲା ଥିବା ବୋଧ ହେଉଥିଲା।
ମୁଣ୍ଡ ପାଖରେ ହୋଟେଲର ଫୋନ୍ ବାଜୁଥିଲା। ଆଖିରେ ଜଡିତ ତନ୍ଦ୍ରାକୁ ବଳପୂର୍ବକ ବାହାର କରି ଅଳସ ପାଟିରେ ଫୋନ୍ର ଉତ୍ତର ଦେଲି, “ହାଲୋ!”
“ସାର୍, ମୁଁ ରିସେପସନରୁ କହୁଛି। ଆପଣଙ୍କ ପାଇଁ ଫୋନ୍ଅଛି। ରିସିଭ୍ କରନ୍ତୁ।”
ଜଣେ ଅପରିଚିତର କଣ୍ଠ ଥିଲା, “ହାଲୋ!”
“କିଏ, କାହାକୁ ଦରକାର?”
ମୋତେ ଏଇଠି କିଏ ଚିହ୍ନି ଥାଇପାରେ? ପୋଲିସ ଅଫିସର କି?
“ଆପଣଙ୍କ ସହ ହିଁ ମୋର କଥା ଥିଲା। ଆପଣଙ୍କ ପୁଅ ମନୋଜ ଜଣେ ନିହାତି ଅଭଦ୍ର ଶ୍ରେଣୀର ଲୋକ। ତା ପାଇଁ କଲେଜ ଭିତରେ ମିଛରେ ଏକ ଭଦ୍ରତାର ଭାବ ଚାଲିଛି। କିନ୍ତୁ ସେ ସେଥି ପାଇଁ ଯୋଗ୍ୟ ନୁହେଁ। ସେ ଜଣେ ବ୍ଲାକ ମେଲର। ବୁଝିଲେ, ବ୍ଲାକ ମେଲର।”
ଶେଷ ପଦଟିକୁ ସେ ଟିକେ ବଡ ପାଟିରେ କହିଥିଲେ। ମୁଁ ସେ କଥାର ବିନ୍ଦୁ-ବିସର୍ଗ କିଛି ବୁଝିବା ଆଗରୁ ଫୋନ୍ କଟି ଯାଇଥିଲା। କାଳେ ଲାଇନରେ କିଛି ଅସୁବିଧା ହେଉଛି ଭାବି, ମୁଁ ତିନି ଚାରି ଥର ‘ହାଲୋ’ ‘ହାଲୋ’ କରିଥିଲି। କିଛି ଫଳ ମିଳି ନ ଥିଲା।
ଫୋନଟି ରଖି ଦେଇ ଅପେକ୍ଷା କଲି କାଳେ ପୁଣି ଥରେ ଫୋନ୍ଆସିବ। ରିସେପସନକୁ ଫୋନ୍କରି କହିଥିଲି, “ମୋ ପାଖକୁ ଆସିଥିବା ଫୋନର ନମ୍ବର ମିଳି ପାରିବ? ସେ ନମ୍ବରଟି ମୋତେ ଦରକାର।”
“ଠିକ୍ ଅଛି ସାର, ମୁଁ ବାହାର କରି ଦେଇଥିବି।”
ଗତକାଲି ରାତିରେ ପୋଲିସ ଷ୍ଟେସନରେ ବିଶେଷ କିଛି ସମ୍ବାଦ ମିଳି ନଥିଲା। ଦାୟିତ୍ୱରେ ଥିବା ଅଫିସର ନଥିଲେ। ସେଠାରୁ ଫେରିଲା ପରେ ହୋଟେଲର ମୋ କୋଠରୀରେ ଅନେକ ରାତି ଯାଏଁ ମୁଁ ଶୋଇ ପାରି ନଥିଲି।
ଅଞ୍ଜଳିଙ୍କୁ ଫୋନ୍କରି ଏହି ଖବର ଦେବାର ସାହାସ ମୋ ପାଖରେ ନଥିଲା। ସେ ହିଁ ହୋଟେଲରେ ପହଞ୍ଚିଲା ପରେ ଫୋନ୍ କରିଥିଲେ, “କଣ ହେଲା, କିଛି ଖବର ଦେଲନି। ତାର ଫୋନ୍ ବି ସୁଇଚ-ଅଫ୍ ଅଛି।”
ମୋ ଥଙ୍ଗିଲା ଥଙ୍ଗିଲା କଣ୍ଠର କଥାବାର୍ତ୍ତା ଶୁଣି ସେ କିଛି ଠଉରେଇ ନେଇଥିଲେ। କହିଲେ, “ବ୍ୟସ୍ତ ହୁଅନା। ନ କହି କୁଆଡେ ପଳେଇ ଯାଇଥିବ। ଆଉ ଦିନେ ଦି ଦିନ ଭିତରେ ତାର ନିଶ୍ଚୟ ଖବର ମିଳିଯିବ। ତମେ ସେଇଠି ଏକୁଟିଆ ରହନି। ଏଇଠିକୁ ଚାଲିଆସ, ନ ହେଲେ ମୁଁ ତମ ପାଖକୁ ଆସୁଛି।”
ତତ୍କ୍ଷଣାତ୍ ମୁଁ ମନା କରି ଦେଇଥିଲି, ‘ମୁଁ କାଲିକି ପଳେଇଯିବି। ତମକୁ ଆଉ ଏଇଠିକୁ ଆସିବା ଦରକାର ନାହିଁ।’
ଘରୁ ଯିଏ ଦିନେ ହେଲେ ବାବା, ମାମାଙ୍କୁ ନ ଜଣେଇ କୁଆଡେ ହେଲେ ଯାଇ ନଥିଲା, ଆଜି ଆମ ଅଜାଣତରେ, ସୁପରିଟେଣ୍ଡେଣ୍ଟଙ୍କ ବିନା ଅନୁମତିରେ ଚାରି ଦିନ ହେଲା ଫେରାର ଅଛି, ଏହା ମୋ ପକ୍ଷେ ବିଶ୍ବାସ ଯୋଗ୍ୟ ନଥିଲା। ଅଞ୍ଜଳି ବି ଏ କଥା ନିଶ୍ଚୟ ହୃଦୟଙ୍ଗମ କରିପାରୁଥିବେ। ତଥାପି, ପ୍ରକୃତରେ ପୁଅର ନିଖୋଜ ଖବରକୁ ସେ ମଧ୍ୟ ବୋଧହୁଏ ଭଲ ଭାବେ ଗ୍ରହଣ କରି ପାରି ନ ଥିଲେ। ଏକ ଅଜଣା ଭୟର ଶିହରଣରେ ମୁଁ ଭୟଭୀତ ହୋଇ ଉଠୁଥିଲି।
ରାତିରେ ଶୋଇଲା ବେଳେ ତାର ଏଆଈଟ୍ରିପଲ୍ଈର ଫଳାଫଳ ବାହାରିବା ଦିନର କଥା ମୋର ମନେ ପଡିଥିଲା।
ରଜ-ସଙ୍କ୍ରାନ୍ତି ପରେ ପରେ ଦିନେ ୟୁନିଭରସିଟିରେ ଅଛି, ମୋ ମୋବାଇଲରେ ଅଞ୍ଜଳିଙ୍କ ଫୋନ୍ ଆସିଥିଲା, “ଶୁଣ, ଗୋଟେ ଭଲ ଖବର। ମନୋଜ ଏଆଈଟ୍ରିପଲ୍ଈରେ ପାଇ ଯାଇଛି।”
ମୁଁ ମୋ ପ୍ରକୋଷ୍ଠରେ ବସିଥିଲି। ଖବରଟା ଶୁଣୁ ଶୁଣୁ ମନରେ ଅଫୁରନ୍ତ ଆନନ୍ଦ ଖେଳିଗଲା, “କାହିଁ, ସେ କୁଆଡେ ଗଲା? ସେ କାହିଁକି ମୋତେ ଫୋନ୍କଲାନି ?”
ଅଞ୍ଜଳି ଫୋନ୍ ତାକୁ ଦେଇଥିଲେ। ମନୋଜ କହିଥିଲା, “ବାବା, ଆଇଆଇଟିରେ ମିଳିବନି”
“ହଉ, କିଛି ନ ହେଲେ ଭଲ କଲେଜରେ ମିଳିଯିବ। ଯାହା ହେଲା ଠିକ ହେଲା, ବ୍ୟସ୍ତ ହେ’ନା। କଂଗ୍ରାଚୁଲେସନ।”
କହିବାକୁ ସିନା ମୁଁ କହିଦେଲି, କିନ୍ତୁ ମୁଁ ମନୋଜର ଉଚ୍ଚ ଅଭିଳାଷକୁ ଜାଣିଥିଲି। ସହଜରେ ସନ୍ତୁଷ୍ଟ ହେବା ପିଲା ନୁହେଁ ସେ। ସାଙ୍ଗେ ସାଙ୍ଗେ ଯାଇ ଘରେ ପହଞ୍ଚିଥିଲି। ତାର ଉଦାସ ମନକୁ ମାରିବା ପାଇଁ ଆମେ ସମସ୍ତେ କାରରେ ଗୋଟିଏ ଯାତ୍ରା ନିମନ୍ତେ ସ୍ଥିର କରିଥିଲୁ।
ସେଦିନ ଏମିତି ହିଁ ବର୍ଷା ପାଗ ଥିଲା। ଓଡିଶା ମାଟିରେ ମୌସୁମୀର ପ୍ରଥମ ସ୍ପର୍ଶର ଝିପିରି ଝିପିରି ବର୍ଷାରେ ଆମେ ବାହାରିଥିଲୁ। ବ୍ରହ୍ମପୁରରୁ ଭୁବନେଶ୍ବର, ଭୁବନେଶ୍ବରରୁ କୋଣାର୍କ ଦେଇ ପୁରୀ। ମୋଟରେ ଦୁଇ ଦିନିଆ ପ୍ରୋଗ୍ରାମ୍ ଥିଲା। କାର ମୁଁ ନିଜ ଚଲଉଥିଲି। ଆଗରେ ଅଞ୍ଜଳି। ପଛରେ ମୀନୁ ଓ ସେ, ଭାଇ ଭଉଣୀ ଦୁହେଁ, ବସିଥିଲେ।
ମନୋଜର ଉଦାସୀ ମନରେ କିଛି ଅନ୍ତର ଆସିଥିଲା। ତାହା ପୁଣି, ତା’ର ବଡ ଭଉଣୀ ସରୋଜର ଫୋନ୍ ପରେ। ସରୋଜ କହିଥିଲା, “ବୁଝିଲୁ ବାପା, ତୋ ଭିଣୋଇ ଏ ଖବର ଶୁଣି ବେଶି ଖୁସୀ। ଦୁଇ ଥର ଚେଷ୍ଟାରେ ତାଙ୍କୁ ବୁର୍ଲାରେ ସିଟ୍ ମିଳିଥିଲା। ତୋର ତ ପ୍ରଥମ ଥରରେ ନିଟ୍ରେ ମିଳିଗଲା। ଖୁସି ହେଇଯା।”
ଜାତୀୟ ରାଜପଥର କଳା ମଚମଚିଆ ଦୁଇ ଥାକିଆ ରାସ୍ତା ଉପରେ ମୋ କାର ତା ସାମନାରେ ଆସୁଥିବା ବଡ ବଡ ଗାଡି ଗୁଡିକୁ କାଟି କାଟି ଆଗକୁ ବଢୁଥିଲା। ପଛରେ ବସିଥିବା ମନୋଜ ପୁଲକିତ ହୋଇ ଉଠୁଥିଲା୍, “ମୋ ଶେଷବର୍ଷରେ ବାବା, ମୁଁ ଗାଡି ଶିଖିବି। ତମେ କାର ଚଲେଇବା ଦେଖିଲେ ମୋତେ ବହୁତ ଖୁସୀ ଲାଗୁଛି। ଚଲେଇବା ପାଇଁ ଇଛା ବି ହେଉଛି।”
ମୀନୁ କହିଥିଲା, “ପାଠ ସରୁ ସରୁ ଭାଇ ଗାଡି ଶିଖିବ, ଗାଡି କିଣିବ, ମୋଟା ଅଙ୍କର ଦରମା ପାଇବ ନା, ସେଥିପାଇଁ।”
ତା କଥାକୁ ମନୋଜ କାଟିଥିଲା, “ଆରେ ନାଇଁ, ମୋ ଟାର୍ଗେଟରେ ଆଇଆଇଏମ୍ର ଏମ୍ ବିଏ ଅଛି। ତା ପରେ ଗାଡି କିଣିବି। ଦେଖିବୁ, ବାବାଙ୍କଠୁଁ ଗୋଟେ ବଡ ଗାଡି କିଣିବି।”
ସ୍ୱାଭାବିକ ଢଙ୍ଗରେ ମୀନୁ ମୁହଁ ଫୁଲେଇଥିଲା, “ହଁ, କିଣି ତ ନିଶ୍ଚୟ ପାରିବ, ଏଥିରେ ଦେଖିବାର କଣ ଅଛି ?”
ସାନ ଭଉଣୀର ମୁହଁ ଫୁଲା ଦେଖି ମନୋଜ କହିଥିଲା, “ଆଉ ସେଥିରେ ପ୍ରଥମେ ମୋ ମୀନୁ ବସିବ, ଠିକ ଅଛି ?”
କାରର ଦର୍ପଣରେ ମୁଁ ମୀନୁର ଓଠରେ ଚେନାଏ ହସକୁ ଦେଖି ପାରିଥିଲି। ସେମାନଙ୍କ କଥାରେ ପୂର୍ଣ୍ଣଛେଦ ପକେଇବା ପାଇଁ ଅଞ୍ଜଳି ପାଟି କରି ଉଠିଥିଲେ, “ମୂଳରୁ ବା’ ହେଇନି, ପୁଅର ନାଁ ରଖା ହେଇ ଗଲାଣି। ଆଉ କିଛି ନାହିଁ କି’ରେ ତମ ଦି ଜଣଙ୍କର କଥା ହେବା ପାଇଁ।”
ବର୍ଷାଜଳ ପ୍ଲାବିତ ରାସ୍ତା ଉପରେ ଦୃଷ୍ଟି ନିବଦ୍ଧ ରଖି କାରର ଗତି ପାଇଁ ଧ୍ୟାନ ଦେଲାବେଳେ ମନୋଜର ଦୃଢ ନିଶ୍ଚୟ ନିମନ୍ତେ, ତାର ଦୃଢ ସଂକଳ୍ପ ନିମନ୍ତେ ମୁଁ ନିଶ୍ଚିନ୍ତ ଥିଲି!
ଆଉ ଆଜି? ସେ ନିଶ୍ଚୟ, ସଂକଳ୍ପ ସବୁ ଏକ ସ୍ବପ୍ନ, ପ୍ରହେଳିକା ପାଲଟି ଯାଇଛି।
ଅଜଣା ବ୍ୟକ୍ତିଙ୍କର ଫୋନ୍ଆସିଲା ପରଠୁଁ ମୋର ନିତ୍ୟକର୍ମ ସ୍ୱୟଂମେବ ହୋଇ ଚାଲିଥିଲା। କେତେବେଳେ କଣ କରିଥିଲି, ମୋର ସଠିକ କିଛି ମନେ ନାହିଁ। ମନୋଜ ସମ୍ବନ୍ଧରେ ଗୋଟିଏ ପରେ ଗୋଟିଏ ଭୁଲରେ ବି ଭାବି ନ ଥିବା ଦୁଃସମ୍ବାଦ ଶୁଣିଲା ପରେ ଶରୀର ସାରା ତରଙ୍ଗାକୃତିରେ ଖେଳି ଯାଇଥିବା ଦଗ୍ଧୀଭୂତ ମନ ଗତ ରାତି ଅପେକ୍ଷା ଅଧିକ ଅସ୍ଥିର ହୋଇ ଉଠିଥିଲା।
ରିସେପସନରେ ଚାବି ଦେଲାବେଳେ ପଚାରିଲି, “ମୁଁ କହିଥିବା ଫୋନ୍ ନମ୍ବର ରଖିଛ?”
ମୋତେ ସଙ୍ଗେ ସଙ୍ଗେ ମୋ ରୁମ୍ର କଲ୍ ବିବରଣୀ ଥାଇ କମ୍ପ୍ୟୁଟର ଛାପାଟି ମିଳିଗଲା। ହୋଟେଲର ଏ ପ୍ରକାର ଯୋଗାଡ ଫଳରେ ମୁଁ ଆଶ୍ୱସ୍ତି ଅନୁଭବ କଲି। ଏହି ପ୍ରାମାଣିକ ତଥ୍ୟଟି ପୋଲିସର ବହୁତ ଦରକାରରେ ଆସିବ।
ହୋଟେଲ ବାହାରେ ଗତକାଲିର ସେହି ଟ୍ୟାକସି ଡ୍ରାଇଭର ମୋତେ ଅପେକ୍ଷା କରିଥିଲେ। ଯଦିଓ, ମେଘ ଆକାଶ ବକ୍ଷ ଛାଡି ନ ଥିଲେ, ତଥାପି ପାଗ ଶୁଖିଲା ଥିଲା। ଟ୍ୟାକସିରେ ବସିଲି, “ଇଞ୍ଜିନିୟରିଂ କ୍ୟାମ୍ପସକୁ ଯିବା, ଚାଲ।”
ହୋଟେଲରୁ କଲେଜ ଖୁଆଡ ପାଞ୍ଚ କିଲୋମିଟରରୁ ଅଧିକ ହେବ। ସହରର ପିଚୁ ରାସ୍ତା ଉପରେ ଆମ ଗାଡି ଦୌଡୁ ଦୌଡୁ ମୋ ମନରେ ଅନବରତ ଖରାପ ଭାବନା ଗୁଡିକ ଏଣେତେଣେ ପଇଁତରା ମାରୁଥିଲେ। ତାକୁ ଭାଙ୍ଗି ଡ୍ରାଇଭରଙ୍କ ପ୍ରଶ୍ନ ମୋ କାନରେ ଆସି ପଡିଲା, “ସାର୍, କିଛି ଅସୁବିଧା ହେଲା କି?”
କାଲି ଠୁଁ ମୋର କଲେଜ ଛାତ୍ରାବାସ, ପୋଲିସ୍ ଷ୍ଟେସନ ଆଦି ଧାଁ-ଦୌଡ ଦେଖି ତାଙ୍କର ବି କୌତୁହଳ ଜାତ ହେଉଥିଲା। ତାହା ତ ସ୍ବାଭାବିକ ଥିଲା। ବାଧ୍ୟ ହୋଇ ମୁଁ କହିଲି, “ମୋ ପୁଅ ଏଇଠି ପଢୁଥିଲା। ଚାରି ଦିନ ହେଲା ଦେଖା ଯାଉନି।”
“ମୁଁ କିଛି କହିବି, ଖରାପ ଭାବିବେନି ସାର।”
“କୁହ।” ମୁଁ ସମର୍ପିତ କଣ୍ଠରେ କହିଲି।
ମୁଁ ଜାଣି ପାରୁ ନ ଥିଲି ସେ କଣ କହିବେ। ବୈଷୟିକ ଶିକ୍ଷା ନିମନ୍ତେ ଓଡିଶାରେ ଥିବା ହାତ ଗଣତି ଉଚ୍ଚମାନର ଶିକ୍ଷାନୁଷ୍ଠାନ ମାନଙ୍କ ଭିତରୁ ଇଏ ଅନ୍ୟତମ ଥିଲା। ଏଇଠି ପଢୁଥିବା ଶିକ୍ଷାର୍ଥୀମାନେ ବଜାର-ବାଟରେ ବାରି ହୋଇ ପଡନ୍ତି। ହାତରେ ଉତ୍କୃଷ୍ଟମାନର ମୋବାଇଲ, ପିଠିରେ ଲେପ୍ଟପ ବ୍ୟାଗ, ଟୁପ୍ଟାପ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତା ଏମାନଙ୍କୁ ଅନ୍ୟମାନଙ୍କ ଭିତରେ ଅଲଗା କରି ଚିହ୍ନେଇ ଦେଇଥାଏ। ହୁଏତ ସେ ମନୋଜକୁ କେଉଁଠି ଦେଖିଥାଇ ପାରନ୍ତି। ପକେଟରୁ ମୋ ପର୍ସ ବାହାର କରି ସେଥିରେ ଥିବା ଗୋଟିଏ ଗ୍ରୁପ୍ଫୋଟ ଆଗକୁ ଝୁଙ୍କିପଡି ତାଙ୍କୁ ଦେଖେଇଲି।
ମନୋଜର ଫୋଟ ଉପରେ ଆଙ୍ଗୁଠି ରଖି କହିଲି, “ଇଏ ମୋ ପୁଅ। କେବେ ଦେଖିଛ? ଟିକିଏ ମନେ ପକାଅ ତ।”
ଗାଡି ଚଳାଉ ଚଳାଉ ସେ ଫୋଟ ଉପରେ ନଜର ଦେଲେ, “ମୋତେ ଏମାନେ ସମସ୍ତେ ଏକା ଦେଖା ଯାଆନ୍ତି, ସାର। ତେବେ, ମୋତେ ଫୋଟ ଦେଇଥିବେ, ମୁଁ ଟ୍ୟାକସି ଷ୍ଟାଣ୍ଡରେ ୟାକୁ ଦେଖେଇବି।”
ମୋ ମୋବାଇଲରେ ମନୋଜର ଫୋଟ ଥିଲା। ତତ୍କ୍ଷଣାତ୍ ପର୍ସରୁ ଫୋଟ ବାହାର କରି ମୁଁ ତାଙ୍କ ହାତକୁ ବଢେଇଦେଲି। ତାକୁ ସେ ପକେଟରେ ରଖି ଆଗକୁ ଦେଖି ଗାଡି ଚଳାଉ ଚଳାଉ କହିଲେ, “ମୁଁ କିଛି ଅଲଗା କଥା କହୁଥିଲି ସାର୍। ଏଇଠି ବହୁତ ଜଣଙ୍କୁ ମୁଁ ନିଶା କରିବାର ଦେଖିଛି। ମାଲ ନୁହେଁ ସାର, ସେଇଟା ତ ସମସ୍ତଙ୍କର ଆଜିକାଲି କମନ୍ ହେଲାଣି। ମୁଁ ଡ୍ରଗ କଥା କହୁଛି ସାର। ସେମିତି କିଛି ଅଭ୍ୟାସ ତାଙ୍କର ଥିଲା କି?”
ମନେ ମନେ ମୁଁ ତାଙ୍କ କଥାରେ ଭୟ ପାଇଗଲି। କିଛି କହି ପାରିଲିନି। ପାଟି ମୋର ଜାଡ଼ ବାନ୍ଧି ଦେଲା। ଅନ୍ଧାର ଗର୍ତ୍ତ ଭିତରର ଅଦୃଶ୍ୟ ବିଷଧର ଠୁଁ ବି ଅଧିକ ଭୟଙ୍କର ଥିଲା ସେହି ଆଶଙ୍କା।
କଲେଜ ଖୁଆଡ ଯାଏଁ ମୁଁ ଚୁପଚାପ ବସି ରହିଥିଲି। ଯଦିଓ ମୋ ହୋଟେଲ ପାଖରେ ପାଗ ଶୁଖିଲା ଥିଲା, ତଥାପି କଲେଜ ପାଖରେ ଅସରାଏ ବର୍ଷା ହୋଇ ଛାଡି ଯାଇଥିଲା। ଗତକାଲି ରାତିର ହଷ୍ଟେଲ ଯିବାବେଳେ ଉଠିଥିବା ମୋର ଅତ୍ୟାଗ୍ରହ, ଆଜି କଲେଜ କୋଠାରେ ପ୍ରବେଶ କଲାବେଳେ ନ ଥିଲା।
ମୋର ବୋଧ ହେଉଥିଲା, ମୋ ଉପରେ ନିବଦ୍ଧ ଶହଶହ ଦୃଷ୍ଟି ଯେମିତି କହି ଉଠୁଛନ୍ତି - ଦେଖ ଦେଖ! ଇଏ ସେହି ମନୋଜର ବାପା, ଯିଏ ଚାରି ଦିନ ହେଲା ନିରୁଦ୍ଧିଷ୍ଟ ଅଛି।
ତଥାକଥିତ ଅହେତୁକ ଅପଦସ୍ତ ଗ୍ରସ୍ତ ଭାବ ଯୋଗୁଁ ଟ୍ୟାକସିରୁ ଓହ୍ଲାଇ ବହୁ କଷ୍ଟରେ ମୁଁ ପ୍ରଫେସରଙ୍କ ରୁମ୍ ଭିତରକୁ ଯାଇ ପାରିଥିଲି। ପରେ ସେଠାରୁ ତାଙ୍କୁ ଧରି ଡାଇରେକ୍ଟରଙ୍କ ପାଖକୁ ।
ତିନି
ସେହି ବିଲ୍ଡିଂ ଛାଡି ଆଗରେ ଥିବା ଅନ୍ୟ ଏକ ବିଲ୍ଡିଂ ଭିତରେ ଡାଇରେକ୍ଟରଙ୍କ କୋଠରୀ। ତଳ ତାଲାର ଲମ୍ବା କରିଡର ଅତିକ୍ରମ କରି ଶେଷମୁହଁରେ ଥିବା ଅପେକ୍ଷାକୃତ ଓସାରିଆ ହଲ୍ଭିତର କାନ୍ଥ ମୋଟା କାଚର। ଲମ୍ବା ଲମ୍ବା ପରଦାମାନ ଓହଳା ଯାଇଛି। ଲମ୍ବା-ଓସାରିଆ ଭବ୍ୟ ସୋଫା, ବେଲଜିଅମ କାଚର ଗ୍ଲାସ, ଟିକ୍-କାଠର ଚା ପିଆ ମେଜ, ସୁଗନ୍ଧିତ ପରିବେଶ। ମୋଟ ଉପରେ ଓଡିଶାର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଇଂଜିନିୟରିଂ କଲେଜ ଭାବେ ଆଗନ୍ତୁକଙ୍କ ପାଇଁ ଅତୀବ ଆକର୍ଷଣୀୟ ସ୍ବାଗତ କକ୍ଷ ଥିଲା। ପରଦା ଆଡେଇ ଆମେ ଭିତରେ ପଶିଲୁ।
ଭିତରେ ପଶୁ ପଶୁ ଦ୍ୱାର ପାର୍ଶ୍ୱରେ ଟଙ୍ଗା ଯାଇଥିବା କାଚ ଆବରଣରେ ଆବଦ୍ଧ ଗୋଟିଏ ଫୋଟଚିତ୍ର ଉପରେ ମୋ ଧ୍ୟାନ ଯାଇଥିଲା। କ୍ଷଣକ ପାଇଁ ମୁଁ ସେଇଠି ଅଟକି ଯାଇ ତାକୁ ଦେଖିବାରେ ଲାଗିଥିଲି। ଫୋଟ ଚିତ୍ର ମନୋଜର ଥିଲା। ତା ଉପରେ ଶୀର୍ଷକ ଥିଲା – ଏ ବର୍ଷର ଶ୍ରେଷ୍ଠ ଛାତ୍ର।
ଏହି ବର୍ଷ କଲେଜ ଖୋଲିଲା ପରେ ଏଠାକୁ ଆସୁ ଆସୁ ମନୋଜର ଫୋନ୍ ଯାଇଥିଲା, ‘ବାବା, ଗୁଡ୍ନିଉଜ୍। ମୁଁ ଏ ବର୍ଷର ଶ୍ରେଷ୍ଠ ଛାତ୍ର ବଛା ହେଇଛି। ପ୍ରାଇଜ୍ ମିଳିନି। କଲେଜ ଆନୁଏଲ୍ଡେ ରେ ଦିଆଯିବ।’
ପୁଣି ଆଉଥରେ ଘରେ ହର୍ଷର ପରିବେଶ ଥିଲା। ସରୋଜ ଫୋନ୍କରିଥିଲା, ‘ବାବା, ଶୁଣିଲଣି? ମନୋଜ ଶ୍ରେଷ୍ଠ ଛାତ୍ର।’
ଇଲିଆନସ୍ରୁ ତା ମାମୁଁ ଫୋନ କରିଥିଲେ, ‘ଭାଇନା ଶୁଣିଲଣି, ମନୋଜ ଏ ବର୍ଷର ଶ୍ରେଷ୍ଠ ଛାତ୍ର।’
କଣ ହେଲା ମନୋଜର? କୁଆଡେ ଗଲା ସେ? କୁଆଡେ ଗଲା ତାର ଶ୍ରେଷ୍ଠତାର ପ୍ରଦର୍ଶନ?
ମୋତେ ଦ୍ୱାର ମୁହଁରେ ଅଟକି ଯାଇଥିବାର ଦେଖି ପ୍ରଫେସର ପଛକୁ ଫେରିଲେ। ମୋ କାନ୍ଧରେ ହାତ ରଖିଲେ। ସହାନୁଭୁତିର ସ୍ୱରରେ କହିଲେ, “ଆସନ୍ତୁ, ଭିତରକୁ ଯିବା।”
ଡାଇରେକ୍ଟର ଅପେକ୍ଷାକୃତ ଜଣେ ଶାନ୍ତ, ଭଦ୍ର ଆଚରଣର ପୌଢ ବ୍ୟକ୍ତି ଥିଲେ। ମୋ ପରିଚୟ ପାଇ କହିଲେ, “ପୋଲିସ୍ ଇନ୍ସପେକ୍ଟର ଆସୁଛନ୍ତି। କାଲି ଆମ ଉପସ୍ଥିତିରେ ତା କୋଠରୀର ତାଲା ଭଙ୍ଗାଯାଇ ଯାହା ବାହାରିଛି, ତାକୁ ସିଜ୍କରି ନେଇଛନ୍ତି। ସେ ଆସି ଆପଣଙ୍କୁ କହିବେ।”
କିଛି ସମୟ ପରେ ଇନ୍ସପେକ୍ଟର ଆସିଲେ। ଆମକୁ ଦେଖୁ ଦେଖୁ କହିଲେ, “ଆମ ମୋବାଇଲ ଟ୍ରାକିଂରେ କିଛି ସଫଳତା ମିଳୁନି। ବାରମ୍ବାର ସୁଇଚ୍ ଅଫ୍ ଦେଖଉଛି।”
ମୋତେ ଚାହିଁ କହିଲେ, “ଖଟ, ଶେଯ, ଚେୟାର, ଟେବୁଲ ବ୍ୟତୀତ ଟେବୁଲ ଉପରେ ଲାପ୍ଟପ୍ ଓ ତଳେ ଜୋତା ଥିଲା। ଖଟ ଉପରେ ସାର୍ଟ-ପେଣ୍ଟ ପଡିଥିଲା। ଆଉ ସବୁ କିଛି ଗତାନୁଗତିକ ଭାବରେ ରହିଥିଲା। ଯାହା ସବୁଠୁ ଖରାପ, ତାହା ଥିଲା ତା ସୁଟକେଶ୍ ଭିତରୁ ବାହାରିଥିବା କିଛି ନାଲି, ନେଳି ରଙ୍ଗର ଔଷଧ କେପସୁଲ୍। ଗୋଟିଏ ବ୍ୟାଙ୍କ ଲକର୍ଚାବି ଓ ଜଣେ ସୁନ୍ଦରୀ ତରୁଣୀର ଫୋଟ, ଏଠାକାର ଏକ ନାଇଟ କ୍ଲବରେ ନାଚ କରେ।”
ଶୁଣୁ ଶୁଣୁ ମୋ ମୁଣ୍ଡରେ ଟ୍ୟାକସି ଡ୍ରାଇଭର କହିଥିବା କଥା ମନେ ପଡିଗଲା। ଶିହିରି ଉଠିଲି ମୁଁ। ମନୋଜ ଡ୍ରଗ୍ବ୍ୟବହାର କରୁଥିଲା? କାହିଁ, କେବେ ତ ତା କଥାବାର୍ତ୍ତାରେ ଜଣା ପଡୁ ନଥିଲା।
ସେଥିରେ ପୁଣି ଲକର୍, ଜଣେ ନାଚବାଲୀର ଫଟୋ?
ଫଟୋକୁ ଦେଖେଇ ଇନ୍ସପେକ୍ଟର କହିଲେ, “ଇଏ ସେଇ ଫଟୋ। ତା ସହ ଆପଣଙ୍କ ପୁଅର ବନ୍ଧୁତା ଥିବା କଥା ଆପଣଙ୍କୁ କିଛି କହିଛି କି?”
ଉତ୍ତର ପ୍ରଫେସର ଦେଇଥିଲେ, “ଗଲା ବର୍ଷ ଆମ କଲେଜ ଡ୍ରାମାରେ ୟାକୁ ଡକା ଯାଇଥିଲା। ଲିଡିଙ୍ଗ ରୋଲରେ କିଏ ନ ମିଳିବାରୁ।”
ଗଲା ବର୍ଷର ଡ୍ରାମା ବିଷୟରେ ସେ ଘରେ କଥା ହୋଇଥିଲା। କିନ୍ତୁ, ତାର ନାୟିକା ସହ ଯେ ସେ ସମ୍ପର୍କ ରଖିଛି ସେ ବିଷୟ ମୁଁ ଜାଣି ନଥିଲି। ମୁଁ ଇନ୍ସପେକ୍ଟରଙ୍କ ଅନ୍ୟ ତଥ୍ୟ ଉପରେ ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଦେଇ ପାରି ନଥିଲି। ତାଙ୍କ ଓ ପ୍ରଫେସରଙ୍କ ପ୍ରଶ୍ନବାଚୀ ନୟନର ସାମ୍ନା କରିବାକୁ ସୁଦ୍ଧା ମୋ ମନରେ ସାହାସ ନଥିଲା।
ହୋଟେଲରୁ ଆଣିଥିବା ଫୋନ ନମ୍ବରକୁ ମୁଁ ତାଙ୍କୁ ଦେଖେଇଥିଲି। ମୋତେ ଫୋନ କରି ଯାହା କୁହା ଯାଇଥିଲା, ତାକୁ ବି କହିଲି। ମୋ ହାତରୁ କାଗଜକୁ ନେଇ ସେ କିଛି ସମୟ ଦେଖିଲେ। ପରେ କିଛି ମନେ ପଡିଲା ଭଳି ଡାଇରେକ୍ଟରଙ୍କୁ ଚାହିଁ କହିଲେ, “ଇଏ ଆପଣଙ୍କ ଅଫିସ ନମ୍ବର।”
ଡାଇରେକ୍ଟର ସେ କାଗଜକୁ ନେଇ ଦେଖିଲେ ଓ ଆଶ୍ଚର୍ଯ୍ୟ ହୋଇ ସ୍ବଗତୋକ୍ତି କଲେ, “ମୋ ଅଫିସ ନମ୍ବରରୁ ଫୋନ?”
ଇନ୍ସପେକ୍ଟର ତାଙ୍କୁ କହିଲେ, “ଏବେ ଆପଣଙ୍କ ଅଫିସ ମଧ୍ୟ ମୋ ତଦନ୍ତ ପରିସରକୁ ଆସିଗଲା।”
ପୁଣି ମୋତେ ଚାହିଁ କହିଲେ, “ଆପଣ ହଠାତ ଯିବେନି। ଡ୍ରଗ୍ସ ବାହାରିଛି, ଅର୍ଥ କିଛି ଗୁରୁତ୍ତର। ଲକର ଖୋଲିଲା ବେଳେ ଆପଣଙ୍କ ଉପସ୍ଥିତି ଦରକାର ପଡ଼ିପାରେ। ଆମେ ମାଜିଷ୍ଟ୍ରେଟଙ୍କ ଅନୁମତି ଆଣି ଲକର ଖୋଲିବୁ।”
ମୋ ଅବସ୍ଥା ଜଣେ ଘଟଣାସ୍ଥଳରେ ଧରା ପଡିଯାଇଥିବା ଚୋର ଭଳି ଥିଲା। ପ୍ରଫେସରଙ୍କ, ଡାଇରେକ୍ଟରଙ୍କ ମୁହଁର ରଙ୍ଗ ବି ବଦଳି ଯାଇଥିଲା। ଧକ୍କା ଉପରେ ଧକ୍କା ଆମମାନଙ୍କ ବିଶ୍ବାସରେ ଆସି ବାଜୁଥିଲା। ଆମ ପାଟିରେ ଭାଷା ନଥିଲା। କେମିତି ଥାଆନ୍ତା? ତୃତୀୟ ବର୍ଷର ଶ୍ରେଷ୍ଠ ଛାତ୍ର ଚତୁର୍ଥ ବର୍ଷରେ ଯେ ନକାରାତ୍ମକ ସ୍ଥିତିକୁ ଆସିଯିବ, କିଏ ଅବା ବିଶ୍ବାସ କରି ପାରିବ?
ଡାଇରେକ୍ଟର ତାଙ୍କୁ ଅନୁରୋଧ କରୁଥିଲେ, “ଦୟାକରି ଏ ବିଷୟରେ କାହାକୁ କିଛି କହିବେନି। କଲେଜର ପ୍ରତିଷ୍ଠାର ପ୍ରଶ୍ନ।”
ଇନ୍ସପେକ୍ଟର ତାଙ୍କ କଥାର କିଛି ଉତ୍ତର ନ ଦେଇ ଉଠି ଠିଆ ହେଲେ।
ତାଙ୍କ ଯିବା ପରେ ସେମାନଙ୍କ ଠାରୁ ବିଦା ନେଇ ମୁଁ ହଷ୍ଟେଲ ମୁହାଁ ହେଲି। ଟ୍ୟାକସିରୁ ଓହ୍ଲାଉଛି, ସିଡିର ଉପର ମୋଡରେ ପୁଣି ସେହି ଚେହେରା ମୋତେ ଦେଖାଗଲା। କିଏ ଜଣେ ଉଙ୍କି ମାରି ମୋତେ ଦେଖୁଥିଲା। ଆଜି ଆଉ ମୁଁ ତାକୁ ଉପେକ୍ଷା କରି ପାରିଲିନି। ହଷ୍ଟେଲ ଭିତରକୁ ଗଲି। ସିଡି ଚଢି ମନୋଜର କୋଠରୀ ଆଡେ ପୁଣି ଅଗ୍ରସର ହେଲି। ସିଡି ଶେଷରେ ଜଣେ ଠିଆ ହୋଇଥିଲେ। ପତଳା ଚେହେରା, ଗୋଜିଆ ନାକ, କୁଞ୍ଚି କୁଞ୍ଚି ବାଳ। ବଡ ବଡ ଆଖି। ମୋତେ ହଠାତ୍ ପାଖରେ ପାଇ ହତଭମ୍ବ ହେଇଗଲା ଭଳି ଅନୁଭବ ହେଲା।
କହିଲି, “ମୁଁ ମନୋଜର ବାପା। କିଛି କହିବ କି ତମେ ତା ବିଷୟରେ?”
ମୁଣ୍ଡ ହଲେଇ ମନା କରି ଦେଇ ସେ ତା କୋଠରୀ ଭିରେ ପଶିଗଲା। କବାଟ ବନ୍ଦ କରିବାକୁ ସେ ସୁଯୋଗ ପାଇଲାନି। ପଛେ ପଛେ ମୁଁ ପଶିଲି। ସେହି ଜଣକିଆ କୋଠରୀ। ଇତସ୍ତତଃ ବିଞ୍ଛାଡି ହୋଇ ପଡିଥିବା ଆସବାବ ପତ୍ର। କିଛି ଉପାୟ ନ ଦେଖି ପିଲାଟି ମୋତେ ଚୌକି ଦେଲା ବସିବା ପାଇଁ। ନିଜେ ଖଟରେ ବସିଲା। କିଛି ନ କହି ମୁଣ୍ଡ ତଳକୁ କରି ରହିଲା।
ମୁଁ ହିଁ ଆରମ୍ଭ କଲି, “ତମେ ଯଦି କିଛି ଜାଣିଛ, ମୋ ସହ ସେୟାର କର। ତମ କଥା ଆମକୁ ତାକୁ ଖୋଜିବା ପାଇଁ ସାହାଯ୍ୟ କରିବ।”
ସେ ରହି ରହି କହିଲା, “ପୋଲିସ୍ ମୋତେ ଧରିବ।”
“ମୁଁ ତମ ନାଁ କହିବିନି। ତମେ ମୋତେ କୁହ।”
“ମନୋଜ ଡ୍ରଗ୍ସ ବିକୁଥିଲା।”
କିଛି କ୍ଷଣ ପାଇଁ ଭୁଲି ଯାଇଥିବା କଥା ମୋ ମାନସ ପଟଳରେ ସେ ଆଉଥରେ ସେ ବିଷୟରେ ମନେ ପକେଇ ଦେଇଥିଲା। ହଠାତ ମୁଁ କିଛି କହି ପାରିଲିନି।
ମୋତେ ଚୁପ୍ ରହିଯାଇ ଥିବାର ଦେଖି ସେ ପୁଣି କହିଲା, “ଇଏ ମୋପାଇଁ ଅତି ଆଶ୍ଚର୍ଯ୍ୟ ଥିଲା। ମୁଁ ଦିନେ ଦେଖିଥିଲି। ସେ ଜଣେ ଲୋକାଲ୍ ଟୋକା ସହ କିଛି ଦିଆନିଆ କରୁଥିଲା। ମୋତେ ଦେଖି ଦୁହେଁ ଚୁପ୍ହେଇ ଯାଇଥିଲେ। ତା ପରେ ଦିନେ ମୁଁ ସ୍ପଷ୍ଟ ଦେଖିଥିଲି, ତାକୁ ସେହି ଡ୍ରଗ୍ସ ଯୋଗାଏ ଏଇ କଲେଜର ଜଣେ ଜୁନିୟରକୁ। ଆପଣ କିନ୍ତୁ ପୋଲିସ୍କୁ ମୋ କଥା କହିବେନି। ମୋ କ୍ୟାରିୟର ନଷ୍ଟ ହୋଇଯିବ।”
ଏହି କଲେଜରେ ଡ୍ରଗ୍ସ କାରବାର ଚାଲିଛି? ସବୁ ନୂଆ ନୂଆ ତଥ୍ୟ ମୋ ମୁଣ୍ଡ ଭିତରେ ଆସି ପଶୁଥିଲା। ମୋତେ ତା ନାଁ ବି ପଚାରିବାକୁ ଇଛା ହେଲାନି। ଛି, ନିହାତି ଭୟାଳୁ ପିଲାଟା। ମୋ ହୃଦୟ ମାନୁ ନଥିଲା। ମିଳୁଥିବା ତଥ୍ୟ ଶୁଣି ମୋ ମୁଣ୍ଡ ଭିତରଟା ଗୋଳେଇ ଘାଣ୍ଟି ହେଉଥିଲା। ମୋ ଦେହରେ ଅଦେଖା କମ୍ପନର ଅନୁଭବ ଅନୁଭୂତ ହେବାକୁ ଲାଗିଲା। ଅଞ୍ଜଳି ଠିକ କହୁଥିଲେ। ସେ ଏ ସମୟରେ ମୋ ପାଖରେ ଥିଲେ ଭଲ ହୋଇଥାନ୍ତା। ଟ୍ୟାକ୍ସି ଭିତରେ ମୁଁ ଅସହାୟ ଅବସ୍ଥାରେ ବସୁଥିଲି। ମୋ ଆଖି ବୁଜି ହୋଇ ଯାଉଥିଲା।
ଆରମ୍ଭ
ଧୀରେ ଧୀରେ ନକାରାତ୍ମକ ଅନ୍ଧାରର ଆଗମନ ମୋ ଚୈତନ୍ୟର ଆଲୁଅକୁ ଅପସରି ନେଇ ଯାଉଥିଲା। ମୁଣ୍ଡ ଘୁରିବାକୁ ଆରମ୍ଭ ହେଲା। ଏକ ଗମ୍ଭୀର ଅନ୍ଧକାର ଗର୍ତ୍ତ ଭିତରକୁ ଚକ୍ରାକାରରେ ମୁଁ ଠେଲି ହୋଇ ତଳକୁ ତଳକୁ ବିସ୍ତାରି ଯାଉଥିବା ଅନୁଭବ କରୁଥିଲି। ତଳୁ ହଠାତ୍ ଏକ ଦ୍ରୁତ ଚାପର ପ୍ରୟୋଗ ମୋତେ ପୁଣି ଥରେ ଉପର ଦିଗକୁ ଉଠେଇ ଆଣୁଥିଲା। ସ୍ତର ପରେ ସ୍ତର। ପୃଥିବୀ ପୃଷ୍ଠର ସବୁଜ ଗାଲିଚାର କୋମଳତା ଉପରେ ମୁଁ ଭାସି ବୁଲୁଥିଲି। ମୋ ଚେତନା ବିସ୍ତାରିତ ଅବସ୍ଥାରୁ ସଙ୍କୁଚିତ ଅବସ୍ଥା ଭିତରକୁ ପ୍ରବେଶ କରୁଥିଲା। ଭାସମାନ ଶରୀର ସନ୍ତୁଳିତ ହେବାରେ ଲାଗିଥିଲା।
ଚେତନା ଫେରିଲା ବେଳେ ଅର୍ଦ୍ଧ-ଅନ୍ଧକାର ଆବୃତ କୋଠରୀରେ ମୁଁ ନିଜକୁ ପାଇଥିଲି। ଗୋଟିଏ ଶେଯରେ ମୁଁ ଶୋଇଥିଲି। କିନ୍ତୁ ମୋର ସ୍ପର୍ଶ, ଗନ୍ଧ ଶବ୍ଦର ଅନୁଭୂତ ହୋଇ ପାରୁ ନ ଥିଲା। ତଥାପି ମୁଁ ଦେଖି ପାରୁଥିଲି।
ଶେଯ ଉପରେ ଉଠି ବସିଲି। ଦ୍ବାରର କାଚ କବାଟରୁ ବାହାରର ତୋଫା ଆଲୁଅକୁ ମୁଁ ସ୍ପଷ୍ଟ ଦେଖିପାରୁଥିଲି। କବାଟ ଖୋଲି ବାହାରକୁ ଜଣେ ନର୍ସଙ୍କୁ ଯାଉଥିବାର ମୁଁ ଦେଖୁଥିଲି। ଉଠି ଠିଆ ହେଲି। ସାମର୍ଥ୍ୟବାନଙ୍କ ଭଳି ବାହାରକୁ ଆସିଲି। ବାହାରେ ଗୁଡାଏ ଲୋକ ଜମା ହୋଇ କଥାବାର୍ତ୍ତା ହେଉଥିଲେ। ଦି ଜଣ ଡାକ୍ତର ବି ତାଙ୍କ ସହ ଠିଆ ହୋଇଥିଲେ। ନର୍ସ ଜଣଙ୍କ ତାଙ୍କ ପାଖକୁ ଯାଇ ଡାକ୍ତରଙ୍କ କାନରେ କଣ କହୁଥିଲେ। ଡାକ୍ତର ତର ତର ହୋଇ ପଛକୁ ବୁଲିଲେ। ମୋ କୋଠରୀ ଆଡକୁ ଦୌଡିଲା ପ୍ରାୟେ ଆସୁଥିଲେ। ମୁଁ ବାହାରକୁ ବାହାରି ସାରିଥିଲି। କିନ୍ତୁ ସେମାନେ ମୋ ଆଡେ ଚାହୁଁ ନଥିଲେ। ଜଣକ ପରେ ଜଣେ ଦୌଡିବାରେ ଲାଗିଥିଲେ।
ସେମାନଙ୍କ ପଛରେ ଅଞ୍ଜଳି ଥିଲେ, ମୀନୁ ଥିଲା, ସରୋଜ ଥିଲା। ଆରେ, ମନୋଜ ବି ସେମାନଙ୍କ ସହ ଥିଲା। ମୁଁ ଚିତ୍କାର କରି ମନୋଜକୁ ଡାକିବାକୁ ଚେଷ୍ଟା କରୁଥିଲି। ମୋ ପାଟିର କଥା ମୋତେ ଶୁଣା ଯାଉ ନ ଥିଲା। ମୋ ଆଡକୁ ଦୌଡି ଆସୁଥିବା ମନୋଜକୁ ମୁଁ ଜାବୁଡି ଧରିବାକୁ ଚେଷ୍ଟା କରୁଥିଲି। ମୁଁ ତାକୁ ଧରି ପାରୁ ନଥିଲି, ସେ ମୋତେ ଡେଇଁ ଆଗକୁ ପଳେଇଗଲା। ସମସ୍ତେ ମୋତେ ବାହାରେ ଛାଡି କୋଠରୀ ଭିତରକୁ ପଶିଗଲେ। ସମସ୍ତଙ୍କ ପଛେ ପଛେ ମୁଁ ବି ଗଲି। ଡାକ୍ତର ମୋ ଖଟ ପାଖରେ ଠିଆ ହୋଇଥିଲେ। ଅଞ୍ଜଳି, ମୀନୁ, ସରୋଜ, ମନୋଜ ଜୋର ଜୋରରେ କାନ୍ଦୁଥିଲେ।
ଖଟର ଶେଯରେ ମୁଁ ଶୋଇଥିଲି, ପ୍ରଶାନ୍ତମୟ ମୁଖା କୃତିରେ, ଚିରନିଦ୍ରାରେ।
ସମାପ୍ତ
ପ୍ଲଟ ନଂ ୧୦୦୧, ୨ୟ ତୋଟା ସାହି, ବିଜିପୁର,
ବ୍ରହ୍ମପୁର-୭୬୦୦୦୫।
Go Back to Previous Page
ସମ୍ପାଦକଙ୍କ କଲମରୁ...
ପ୍ରତିଷ୍ଠାତା - ସମ୍ପାଦକ
Read Article
ହୃଦୟର ଭାଷା
ବିଜୟ କୁମାର ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ