[ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ପାଇଛନ୍ତି]
ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା। ମୁହଁ ଲାଲ୍ ଦେଖାଯାଉଥିଲା। “କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଛା ହେବ ଆସିବ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ କି ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ହେଲାଣି, ଜଳଦି ଖାଇବାକୁ ବାଢ଼”
ସ୍ମିତା ଅବାକ୍ ହୋଇ ଚାହିଁ ରହିଥଲା। କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କଲେ ବି କିଛି ଫରକ୍ ପଡୁନି? ନା ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିଲେ ଚଳିବ ନାହିଁ। ଆଜି ଖାଇବାକୁ ମିଳିବନାହିଁ ବୋଲି ସ୍ମିତା ଘୋଷଣା କରିଦେଲା।
ବିବାହର ପନ୍ଦର ବର୍ଷ ପରେ ବି ସ୍ମିତା ପ୍ରଶାନ୍ତକୁ ହୁଏତ ଠିକ୍ ରୂପେ ବୁଝି ପାରିନଥିଲା। ବୁଝି ପାରିନଥିଲା ନୁହେଁ ତ ସବୁ ବୁଝି ଅବୁଝା ହେଉଥିଲା। ତା’ମନରେ ପ୍ରଶାନ୍ତ ପ୍ରତି ଗଭୀର ଭଲ ପାଇବା ଥିଲା; ଏହା ନିସନ୍ଦେହ ହେଲେ ପ୍ରଶାନ୍ତ ବିରାଟ ପୃଥିବୀର ବୃହତ୍ ସମାଜ ମଧ୍ୟରେ କେବଳ ଗୋଟିଏ ମଣିଷର ମାୟାରେ ବାନ୍ଧିହୋଇଯିବ! ସେ ସ୍ତ୍ରୀର କେଉଁ ଆବଶ୍ୟକତା ବା ପୂରଣ ନ କରିଛି? ଆଉ ରହିଲା ସମୟ ଦେବା। ସତରେ ସେ କ’ଣ ନିଜ ପରିବାରଠୁ କାହାକୁ ଅଧିକ ସମୟ ଦେଇଛି?? ତଥାପି ସ୍ତ୍ରୀ ଗୁଡ଼ିକ ଏମିତି ହିଁ ଭାବନ୍ତି ଅଫିସ୍ ସରିଲେ ସ୍ୱାମୀ ଗୁଡ଼ାକ ତାଙ୍କ ଚତୁଃପାଶ୍ୱର୍ରେ ଏମିତି ନସର ପସର ହେଉଥାନ୍ତୁ ଯେମିତି ବିଶ୍ୱ-ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଯାଇ ଶ୍ରୀ ଗଣେଷ ଶିବ-ପାର୍ବତୀଙ୍କ ଚତୁଃପାଶ୍ୱର୍ରେ ପରିକ୍ରମା କରୁଥିଲେ। ଯେଉଁ ସମାଜରେ ଏବଂ ଯେଉଁ ସମାଜ ପାଇଁ ସେ ଆଜି ପ୍ରତିଷ୍ଠିତ, ସେଇ ସମାଜ ପ୍ରତି ତା’ର କର୍ତ୍ତବ୍ୟ ଭୁଲିଯାଇ ନିଜ ସ୍ତ୍ରୀର ପଣତ ତଳେ ରହିଯିବ!
ପ୍ରଶାନ୍ତ ଦଳିତ ପରିବାରରେ ଜନ୍ମ। ପୁଣି ଜେଜେ ଯଦିଓ ସି ଅକ୍ଷର ବିବର୍ଜିତ ସିଏ କୁଆଡେ ଟିପମାରି ବି ମେହନ୍ତରୀ ଦରମା ଉଠାଉଥିଲେ। ସେଥିରୁ ଅଧା ମଦ୍ୟପାନ ଓ ଆଉ ଅଧା କୁଟୁମ୍ବ ପୋଷଣ। ହାକିମଙ୍କ ଚାପରେ ସେ ଜେଜେଙ୍କୁ ମାତ୍ର ୫ମ ପଢ଼ିବାର ସୁଯୋଗ ଦେଇଥିଲେ। ସେଇ ୫ମ ପାଠରେ ତାଙ୍କୁ ପିଅନ ଚାକିରୀ ମିଳିଗଲା। ଜେଜେ ବସ୍ତିରୁ ବାହାରି ଦପ୍ତର ଗଲାବେଳେ ତାଙ୍କ ପାଖ ପଡ଼ୋଶୀ ସେମିତି ଥିଲେ, ଯେମିତି ଶହେ ବର୍ଷ ଆଗରୁ ଥଲେ। ଜେଜେ ବାପାଙ୍କ ପ୍ରଚେଷ୍ଟାରେ ବାପା ତିନିଥରରେ ହେଲେ ବି ମାଟ୍ରିକ୍ ପାଶ କରିଗଲେ। ହେଲେ ସରକାରଙ୍କ ଦୟା: ଜାତିଗତ ସଂରକ୍ଷଣ ପାଇଁ ସେ ବହୁ ସବର୍ଣ୍ଣଙ୍କୁ ପଛରେ ପକାଇ କିରାଣୀ ଚାକିରୀଟା ପାଇଗଲେ। ଆଉ ସଂରକ୍ଷଣର ସେଇ ଉତ୍ତରାଧିକାରୀ ସୂତ୍ରରେ ପ୍ରଶାନ୍ତ ଆଜି ଅଫିସର
ସ୍ମିତାର ବାପା ବି ସେଇ ଅବହେଳିତ ପରିବାର ବର୍ଗଙ୍କ ମଧ୍ୟରୁ ଜଣେ। ହେଲେ ଅଫିସରର ପତ୍ନୀ ହେଲାପରେ ସିଏ ଟିକେ ବେଶୀ ଫୁଲେଇ ହୋଇଯାଇଛି। ତା ଶୈଶବର ଦାରିଦ୍ର୍ୟତା, ମଇଳା ଚିରା ପୋଷାକ, ସ୍କୁଲ୍ ନ ଯାଇ ସ୍କୁଲ୍ ଯାଉଥିବା ପିଲାଙ୍କୁ ଖତେଇ ହେଉ ହେଉ ନାକର ସିଙ୍ଘାଣି ପାଟିରେ ପଶି ଯାଉଥିବାର ଅବସ୍ଥା – ଏସବୁ ଏବେ ସତେ ଯେମିତି ତା’ ପୂର୍ବ ଜନ୍ମର ଥିଲା। ଅଫିସର୍ ପତ୍ନୀ ହେବା ପରେ ସେ ବସ୍ତି ସହ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁନି। ପ୍ରଶାନ୍ତକୁ ବି ତାଗିଦ୍ ବସ୍ତିକୁ ନ ଯିବାପାଇଁ।
ପ୍ରଶାନ୍ତ କିନ୍ତୁ ପତ୍ନୀପ୍ରେମ ପାଇଁ ଗୋଟେ ଅବହେଳିତ ସମାଜ ତଣ୍ଟିରେ ଗୋଡ ରଖି ଉର୍ଦ୍ଧ୍ୱକୁ ଉଠିବାକୁ ଚାହୁଁନି; ସେ ଚାହୁଁଛି ପୂରା ସମାଜଟାକୁ ତା ସାଥୀରେ ନେଇଯିବ। ତେଣୁ ପତ୍ନୀର ଶତ ଆକଟ ସତ୍ତ୍ବେ ସେ ନିଜ ପଣି ଜେଜେଙ୍କ ଅମଳର ସେଇ ଅସନା ବସ୍ତିକୁ ଯାଏ। ତାର ଦାଦା, ମଉସା, ପିଉସା ଲେଖା ଲୋକ ସବୁ ତାକୁ “ବାବୁ ବାବୁ” ଡାକିଲେ ସେ ବାରଣ କରି କହେ “ପ୍ରଶାନ୍ତ” ଡାକିବାକୁ। ସେମାନଙ୍କ ପିଲାମାନଙ୍କୁ ପାଠ ପଢାନ୍ତୁ ବୋଲି ବୁଝାଏ। ନିଜ ରୋଜଗାରକୁ ମଦମାଂସରେ ନ ସାରି ପିଲାଙ୍କ ପାଠପଢା ତଥା ପରିବାର ପାଇଁ ଖର୍ଚ୍ଚ କରନ୍ତୁ ବୋଲି କହେ। ବସ୍ତିର ମଇଳା ଅସନା ଦୁର୍ଗନ୍ଧମୟ ପରିବେଶ କିପରି ଏକ ସୁସ୍ଥ ସୁନ୍ଦର ପରିବେଶର ରୂପ ନେବ ତା’ର ନକ୍ସା କରେ। ଯେଉଁ ଜାତିଗତ ସଂରକ୍ଷଣବାଦରେ ତା’ର ପରିବାର ଆଜି ଭୂମିରୁ ଭୂମା ଯାଏଁ ପହଞ୍ଚି ପାରିଛି, ତା’ରି ଆଧାରରେ ସେ ସମଗ୍ର ଜାତିକୁ ଭୂମାଷ୍ପର୍ଶ କରିବାର ସୁଯୋଗ କାହିଁକି ନଦେବ? ସଂରକ୍ଷଣବାଦର ସୁଯୋଗ କେବଳ ଗୋଟିଏ ପରିବାର କାହିଁକି ଉଠାଇ ଚାଲିଥିବ?? ତେଣୁ ପ୍ରଶାନ୍ତ ଗୋଟିଏ ସ୍ୱଅବହେଳିତ ସମାଜର ଉତ୍ଥାନ ପାଇଁ ସଂକଳ୍ପ ନେଇଛି।
ବସ୍ତି ପିଲାଙ୍କ ପାଠପଢାର ଦାୟିତ୍ୱ ସେ ନେଇଛି। ସରକାରଙ୍କ ସ୍ୱଛ ଭାରତ ଅଭିଯାନ ଯେଉଁମାନଙ୍କ ପ୍ରତ୍ୟକ୍ଷ ସଂଶ୍ଳିଷ୍ଟରେ ସଫଳ ହେବାକୁ ଯାଉଛି, ସେମାନେ ନିଜେ କାହିଁକି ଅସ୍ୱଛ ହୋଇ ରହିଥିବେ! ଏକ ଶିକ୍ଷିତ ସମାଜ ହିଁ ସ୍ୱଛତାକୁ ଠିକ୍ ଭାବେ ବୁଝିପାରିବ ଓ ନିଜର ଅଧିକାରକୁ ସାବ୍ୟସ୍ଥ କରିପାରିବ। ସେଦିନ ହୁଏତ ସେ ନଥବ, ଯେଉଁଦିନ ତାର ଏ ଛୋଟିଆ ଉଦ୍ୟମ ତା’ଜାତିକୁ ଏତେ ଆଗକୁ ନେଇଯାଇଥବ ଯେ ଜାତିଗତ ସଂରକ୍ଷଣବାଦର ବୋଝକୁ ଏ ଜାତି ଆଉ ଉଠାଇବାକୁ ପ୍ରସ୍ତୁତ ନଥିବ ବରଂ ଦାବି କରିବ କେବଳ ସଂରକ୍ଷଣବାଦ ପାଇଁ ଏଇ ଜାତିକୁ ଅସବର୍ଣ୍ଣ ଆକ୍ଷେପ କରାନଯାଉ। ଏ ଜାତି ଏବେ ସବର୍ଣ୍ଣଙ୍କ ସହ ସଂପୂର୍ଣ୍ଣ ସମକକ୍ଷ। ଏ ଜାତି ତତ୍କାଳୀନ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବ ଯେ ସଂରକ୍ଷଣ ଆଢୁଆଳରେ ସମାଜରେ ଏ ସବର୍ଣ୍ଣ-ଅସବର୍ଣ୍ଣ ପ୍ରାଚୀର ସେମାନଙ୍କର ଦରକାର ନାହିଁ। ସରକାର ଏ ପ୍ରାଚୀର ଭଗ୍ନ କରି ଘୋଷଣା କରନ୍ତୁ ସମାଜରେ କୌଣସି ସବର୍ଣ୍ଣ-ଅସବର୍ଣ୍ଣ ଜାତି ନାହିଁ; ଅଛି କେବଳ ମାନବ ଜାତି!
ଯା’ ମନରେ ଏତେ ବଡ଼ ଜାତି ପାଇଁ ଏତେ ବଡ଼ ସମାଜ ପାଇଁ ଏତେ ବଡ ପରିବର୍ତ୍ତନର ଯୋଜନା ଅଛି, ସେ କ’ଣ ତା’ର ଏକମାତ୍ର ସ୍ନେହକାଙ୍ଗାଳୀ ପତ୍ନୀଟିକୁ ପରିବର୍ତ୍ତନ କରିପାରିବନି? ସ୍ମିତାର ମନକୁ ଜିଣିବା ପାଇଁ ସେ ଅଧରରେ ସ୍ମିତହାସ୍ୟଟିଏ ତୋଳି କହିଲା, “ଠିକ୍ ଅଛି, ଆଜି ତମେ ମୋତେ ଖାଇବାକୁ ଦେବନାହିଁ ତ, ତାହାଲେ ଆଜି ମୁଁ ତମକୁ ଖାଇବକୁ ଦେବି” ପ୍ରଶାନ୍ତ ଖାଇବା ବାଢ଼ିବାକୁ ଗଲାବେଳେ ସ୍ମିତା କହିଲା, “ଥାଉ ଥାଉ। ଆଉ ଏତେ ପଟେଇବା ଦରକାର ନାହିଁ। ବସ ମୁଁ ଖାଇବାକୁ ବାଢୁଛି”
ଦେଉଳପଲ୍ଲୀ , କଳମ୍ବ, ପୋଲସରା, ଗଂଜାମ ।
ପିନ: ୭୬୧୧୦୫, ଓଡ଼ିଶା
ମୋବାଇଲ୍ : ୯୦୪୦୩୨୦୧୮୬
Go Back to Previous Page
ସିପୁ
ଅରବିନ୍ଦ ଆଚାର୍ଯ୍ୟ
Read Article
ସମ୍ପାଦକଙ୍କ କଲମରୁ...
ପ୍ରତିଷ୍ଠାତା - ସମ୍ପାଦକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ