[ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ପାଇଛନ୍ତି]
ପ୍ରଶାନ୍ତ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲା। ସେ ଥିଲା ଅତ୍ୟନ୍ତ ଶାନ୍ତ ସ୍ୱଭାବର। କେବେ କାହାରି ମନରେ କଷ୍ଟ ଦିଏନି। ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପ୍ରକୃତ ମଣିଷ ପଣିଆ ବୋଲି ସିଏ ଭାବୁଥିଲା। ସେଥିପାଇଁ ସିଏ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲା। ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିବା ପ୍ରଶାନ୍ତ ବହୁତ କଷ୍ଟରେ ପାଠ ପଢିଥିଲା। ବିଏ ପାସ୍ କଲାପରେ ଅଧିକ ପଢ଼ିବାକୁ ଇଛା ଥିଲେ ବି ଦାରିଦ୍ର୍ୟତା ତା’ର ବାଟ ଓଗାଳି ବସିଥିଲା। ଆଉ ସେ ଚାଲି ଯାଇଥିଲା ନିଜ ଗାଁ ଠୁଁ କାହିଁ କେତେ ଦୂର ବାଙ୍ଗାଲୋର ସହରକୁ।
ସେଠାରେ ଏକ ଛୋଟ କମ୍ପାନୀରେ କିରାଣୀ ଭାବରେ ନିଯୁକ୍ତ ହୋଇଥିଲା। ଘରେ ତା’ର ଥିଲେ ବାପା, ସାନ ଭାଇ ଆଉ ରୋଗୀଣା ମାଆ। ଆଉ ସେମାନଙ୍କ ଦାୟିତ୍ୱ ବହନ କରୁଥିଲା ପ୍ରଶାନ୍ତ। ସ୍ୱଳ୍ପ ରୋଜଗାରରେ ନିଜେ ଚଳି ପରିବାରକୁ ମଧ୍ୟ ଚଳାଇ ନେଉଥିଲା ପ୍ରଶାନ୍ତ। ବିବାହ ବୟସରେ ଉପନୀତ ହୋଇ ସାରିଥିଲେ ସୁଧା ସେ କେବେବି ଚାହିଁନଥିଲା ବିବାହ କରିବାକୁ। କାହିଁକି ନା ଚାରିପ୍ରାଣୀଙ୍କ ପାଇଁ ନିଅଣ୍ଟ ସାଜୁଥିବା ରୋଜଗାରରେ ଆଉ ଜଣେ ଭାଗିଦାରୀ ହୋଇଯିବ।
ତା’ପରେ ଆଜିକାଲି ସମୟ ଯାହା କିଏ କହିପାରିବ କେମିତି ଝିଅଟେ ମିଳିବ। ଏମାନେ ସିନା ନିଜର ଅଭାବକୁ ହୃଦୟଙ୍ଗମ କରି ଯେନତେନ ପ୍ରକାର ଚଳି ଯାଉଛନ୍ତି। ହେଲେ ଯଦି ଘରକୁ ବୋହୁ ସାଜି ଆସିଥିବା ଝିଅଟି ଆଡ୍ଜଷ୍ଟ ନକରି ପାରିଲା। କାହିଁକିନା ସବୁ ଝିଅ ମାନଙ୍କର ମଧ୍ୟ କିଛି ସ୍ୱପ୍ନ ଥାଏ। ଆଉ ପ୍ରାୟ ସମସ୍ତେ ଏକ ସୁଖୀ ପରିବାରର ସ୍ବପ୍ନ ଦେଖି ଥାଆନ୍ତି। କିନ୍ତୁ କେତେଜଣ ବୁଝନ୍ତି ଯେ ପ୍ରକୃତରେ ହସଖୁସି ଆଉ ସୁଖୀ ପରିବାର ଟଙ୍କା ପଇସାରେ ନଥାଏ, ଥାଏ ସ୍ନେହ ପ୍ରେମ ଆଉ ଭଲ ପାଇବାରେ। ଆଜିକାଲି କେତେଜଣ ବୁଝୁଛନ୍ତି ଶାଶୂ ଶଶୁର ଆଉ ସ୍ୱାମୀଙ୍କ ସେବା ହିଁ ପରମ ଧର୍ମ।
କିନ୍ତୁ ଜୀବନର ଏକ ମୁଖ୍ୟ ଆଉ ମହତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ବିବାହ। ବିବାହ ବିନା ଜୀବନଟା ଯେମିତି ଅସମ୍ପୂର୍ଣ୍ଣ ଲାଗେ। ସେମିତି ପ୍ରଶାନ୍ତର ମଧ୍ୟ ସ୍ତ୍ରୀ ଛୁଆ ପିଲାକୁ ନେଇ ଏକ ସୁନେଲି ସ୍ୱପ୍ନ ଥିଲା। କିନ୍ତୁ ସେ ନିଜେବି ଜାଣିନଥିଲା ପ୍ରକୃତରେ ତାର ସେହି ସ୍ୱପ୍ନ ବାସ୍ତବର ରୂପ ନେବ କି ନାହିଁ। ପ୍ରଶାନ୍ତର ବାପାମା’ ତେଣେ ଭାବୁଥାନ୍ତି। ତା’ର ବିବାହ କରାଇଦେଲେ ସେମାନେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ। ବହୁତ ଖୋଜା ଖୋଜି ପରେ ତା’ର ବାହାଘର ହୋଇଗଲା। ବାହାଘରର କିଛିଟା ଦିନ ପରେ ହିଁ ସ୍ତ୍ରୀ ଜିଦ ଧରିଥିଲା ସ୍ୱାମୀ ସହ ଯାଇ ବାହାରେ ରହିବ। କିନ୍ତୁ ସ୍ୱଳ୍ପ ଦରମାରେ ସେଠାରେ ଘରଭଡ଼ା ନେଇ ରହିବା କେତେ ଯେ କଷ୍ଟ ତାହା ଜଣେ ଅଙ୍ଗେ ନ ନିଭେଇଲେ ବୁଝେଇବା ସହଜ ନୁହେଁ। କିନ୍ତୁ ସ୍ତ୍ରୀର ଜିଦ ଆଉ ବାପମାଆଙ୍କ ବାଧ୍ୟବାଧକତାରେ ପ୍ରଶାନ୍ତ ନିଜର ସ୍ତ୍ରୀକୁ ତା ପାଖକୁ ନେଇ ଯାଇଥିଲା। ଆଉ ମାସିକ ପାଞ୍ଚ ହଜାର ହିସାବରେ ଗୋଟେ ଏକ ବଖରା ବିଶିଷ୍ଟ ଘର ଭଡାରେ ନେଇଥିଲା। ପ୍ରଥମେ ପ୍ରଥମେ ତ ସବୁ ଠିକ୍ ଠାକ ଚାଲିଥିଲା କିନ୍ତୁ ଧୀରେ ଧୀରେ ଖର୍ଚ୍ଚ ବଢ଼ିଲା। ଯେତେ ରୋଜଗାର କରିଲେ ବି ନିଅଣ୍ଟ ହେଲା। କିନ୍ତୁ ସ୍ତ୍ରୀ ନିଜର ଖର୍ଚ୍ଚରୁ କିଛି ଆଡ଼ଜଷ୍ଟ କରିବାକୁ ନାରାଜ ଥିଲା। ସେପଟେ ଘରେ ରୋଗୀଣା ମା’, ବାପା ଆଉ ଭାଇର ପଢିବା ପାଇଁ ମଧ୍ୟ ଟଙ୍କାର ଆବଶ୍ୟକ। ଯେହେତୁ ସେ ଘରର ବଡ଼ପୁଅ ଘରର ଦାୟିତ୍ୱ ନେବା ତାର କର୍ତ୍ତବ୍ୟ ଆଉ ଏପଟେ ସ୍ତ୍ରୀକୁ ଖୁସିରେ ରଖିବା ମଧ୍ୟ ଜଣେ ସ୍ୱାମୀର କର୍ତ୍ତବ୍ୟ। କିନ୍ତୁ ଏହି ଦୁଇ କର୍ତ୍ତବ୍ୟକୁ ପାଳନ କରିବାକୁ ଯାଇ ଯେମିତି ସିଏ ପେଷି ହୋଇ ଯାଉଥିଲା।
ସେଦିନ ଅଫିସରୁ ଫେରୁ ଫେରୁ ତାର ନଜରରେ ପଡ଼ିଲା ଏକ ଇଲେକ୍ଟ୍ରିକ ପୋଲରେ ଲଗାଯାଇଥିବା ପାର୍ଟଟାଇମ ଜବ ବିଷୟରେ। ସେଠାରୁ ଠିକଣା ସଂଗହ କରି ସେଦିନ ସିଏ ପହଞ୍ଚିଥିଲା ଦିଆଯାଇଥିବା ଅଫିସର ଠିକଣାରେ। ସତେ ଯେମିତି ଦାୟିତ୍ୱ ଓ ପ୍ରେମର ଦୋଛକିରେ ଠିଆ ହୋଇଥିବା ଲୋକଟିକୁ ଏକ ସୁରକ୍ଷିତ ଆଉ ସହଜ ରାସ୍ତାଟେ ମିଳିଗଲା। ସେଠାରେ ତାକୁ ଅପେକ୍ଷା କରିବାକୁ କୁହାଗଲା। ଭାବିଲା ସ୍ତ୍ରୀକୁ ଫୋନ କରି କହିଦେବ ଆଜି ଅଫିସରୁ ଫେରିବା ଟିକେ ଲେଟ ହେବ। ପୁଣି ଭାବିଲା ସ୍ତ୍ରୀ କଣ ଏକଥା ଶୁଣି ବିଶ୍ୱାସ କରିବ ଓଲଟି ଚିଡି ଉଠିବ ଆଉ ଯେତେ ଜଲଦି ଆସିବାକୁ ହୁକୁମ କରିବ। ତାପରେ ପାର୍ଟ ଟାଇମ ଚାକିରି କଲେ ସବୁଦିନ ତ ଘରକୁ ଲେଟରେ ଫେରିବାକୁ ପଡିବ I ଧୀରେ ଧୀରେ ସବୁ ଠିକ୍ ହୋଇଯିବ।
ବେଳେ ବେଳେ ସ୍ତ୍ରୀର ଜିଦଖୋର କଥା ଗୁଡିକ ବହୁତ କଷ୍ଟ ଦିଏ କିନ୍ତୁ ସବୁକିଛି ସହି ରହିବାକୁ ହୁଏ। ପାଟି ଖୋଲିଲେ ଘରେ ସୃଷ୍ଟି ହୁଏ ମହାପ୍ରଳୟ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେଲାପରି ଟିକିଏ କଥାକୁ ନେଇ କଥା କାହିଁ କେଉଁଠି ପହଞ୍ଚିଯାଏ। ପ୍ରଶାନ୍ତ ସିନା ଏ ସବୁକୁ ବୁଝି ଚୁପଚାପ ସବୁ ସହି ଯାଉଛି କିନ୍ତୁ ଛାତି ତଳେ ତାର ଅସହ୍ୟ ଯନ୍ତ୍ରଣା। ଠିକ୍ ଅଜାଗା ଘା ପରି ନା ନିଜେ ଦେଖି ହେଉଛି ନା କାହାକୁ ଦେଖେଇ ହେଉଛି।
ମନେ ମନେ ଭାବିଲା ଡ୍ୟୁଟି ସରିଗଲା ପରେ ଦୁଇ ଘଣ୍ଟା କିଛି ପାର୍ଟ ଟାଇମ କାମ କରିବ। କିଛି ପଇସା ହାତକୁ ଆସିଯିବ ଆଉ ଆଡ଼ଜଷ୍ଟ ହେଇଯିବ। ସେଦିନ ସେହି ଅଫିସରେ ସାକ୍ଷାତ କରି ଫେରୁ ଫେରୁ ଡେରି ହୋଇଗଲା। ଆଉ ତର ତର ହୋଇ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖା ଯାଉଥିଲା। “କୋଉଠି ଥିଲ ଏତେ ବେଳ ଯାଏଁ? ଏଇଟା ଘର ନ ଆଉ କିଛି? ତମର ଯେତେବେଳେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ଼”
ସ୍ମିତା ଅବାକ ହୋଇ ଚାହିଁ ରହିଥିଲା। କି ଅଦ୍ଭୂତ ମଣିଷ ଇଏ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା। ନିଜ ଲୁହରୁ କଂସାଏ ପିଇ ଆଉ ନିଜ କଷ୍ଟ ଓ ଯନ୍ତ୍ରଣାରୁ ପେଟେ ଖାଇ ଶୋଇ ପଡ଼ିଲା ପ୍ରଶାନ୍ତ।
ସକାଳୁ ଉଠିଲା ବେଳକୁ ମନରେ ତା’ର ରାଗ ରୁଷା ମାନ ଅଭିମାନ କିଛି ବି ନଥିଲା। କାଲି ରାତିରେ ସ୍ମିତା କିଛି ଖାଇନଥିବ ଭାବି ନିଜ ହାତରେ ଚା ଆଉ ଜଳଖିଆ ତିଆରି କରି ପହଞ୍ଚିଗଲା ସ୍ମିତା ପାଖରେ। ସ୍ମିତା ଅବାକ ହୋଇଗଲା ଆଉ ଭାବୁଥିଲା ସତରେ ଏ ମଣିଷ ଜଣଙ୍କ କେଉଁ ଉପଦାନରେ ଗଢା। ଏତେ କଥା ହେଲା ପରେ ବି ଅଭିମାନ ଟିକେ ବି ତାଙ୍କ ପାଖ ମାଡି ପାରିନି। ପ୍ରଶାନ୍ତ ସ୍ମିତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା, କହୁଥିଲା କାଲି ରାତିରେ ଡେରିରେ ଫେରିବା ଥିଲା ମୋର ଦାୟିତ୍ୱର କଥା। ଆଉ ଆଜି ସକାଳୁ ଉଠି ତୁମ ପାଇଁ ଜଳଖିଆ ତିଆରି କରିବା ଥିଲା ମୋର ପ୍ରେମ। ଆଉ ତୁମେ ସାମାନ୍ୟ ଟିକିଏ ସହଯୋଗର ହାତ ବଢ଼େଇଲେ ମୁଁ ମୋର ଦାୟିତ୍ୱ ଓ ପ୍ରେମକୁ ଅତି ସହଜରେ ବଲାନ୍ସ କରି ଚାଲି ପାରିବି। ସ୍ମିତା ଲୋଟି ପଡିଥିଲା ପ୍ରଶାନ୍ତର ଛାତିରେ। ଆଉ ପ୍ରଶାନ୍ତର ହାତ ବୁଲୁଥିଲା ସ୍ମିତାର ପିଠିରେ।
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର I
ମୋ- ୮୩୧୦୩୨୮୩୪୫
Go Back to Previous Page
ନିରବତାର ଅନ୍ତଃସ୍ବର
ଭାଗିରଥୀ ଯାନି
Read Article
କର୍ତ୍ତବ୍ୟ
ଡ: ସଂଘମିତ୍ରା ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ